(୧) — କବିତାମାଳା — ଗଙ୍ଗାଧର ମେହେର · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
(୧)
ଶୁଭ ଆଜ୍ଞା ହେଉ ମଙ୍ଗଳମୟ,ଅବନୀର ହେଉ ମଙ୍ଗଳୋଦୟ,ତବ କୃପାକରେ ତିମିର ପରାଏଦୂର ହୋଇଯାଉ ଦୁରିତଚୟ ।
(୨)
ଲାଜେ ସଢ଼ିଲୁଣି ନ ପାଇ ବାସ,ଅନ୍ନ ବିନା ପ୍ରାଣ ହେଉଛି ନାଶ,ହଟହଟା ସହି କଲବଲ ହୋଇରହିଅଛୁଁ କରି ଶ୍ରୀପଦେ ଆଶ ।
(୩)
ହେଲାଣି ଅବନୀ ଅତି ବିକଳ,ସହିବାକୁ ଆଉ ନାହିଁକି ବଳ,ଏଥିରୁ ଅଧିକ ହେଲେ ମହାବାହୁ,କୃପାମୟ ନାମ ହେବ ବିଫଳ ।
(୪)
ଦିଶିଲାଣି ତୁମ୍ଭ କୃପାଲକ୍ଷଣ,ନିବୃତ୍ତ ହେଲେଣି ଦୁର୍ବୃତ୍ତଗଣ,ଦାନବ-ଗରବ ହେଲାଣି ଖରବଉଠିଲାଣି ନଭେ ଶାନ୍ତି-କେତନ ।
(୫)
ତପତ ଜୀବନେ ଦେବାକୁ ଜଳଉଠିଲେଣି ନଭେ ଘନପଟଳ,ତୁମ୍ଭ କୃପା ଘେନି ବରଷି ଅବନୀ-ଅପଘନ କରୁଅଛି ଶୀତଳ ।
(୬)
ନିର୍ବାଣ ହେଲାଣି ଦାବ ଦହନ,ଶାନ୍ତି ଲଭିଲେଣି ଗିରି ଗହନ,କଦମ୍ବ କେତକୀ କୂଟଜ ଯୂଥିକାକଲେଣି କୁସୁମ-ଶିରୀ ବହନ ।
(୭)
ତୁମ୍ଭ କୃପା ଲଭି ତୁମ୍ଭ ଆଦେଶେ,‘ହୀରାଖଣ୍ଡ’ ହୀରାଖଣ୍ଡ ପ୍ରଦେଶେ,ଲଭିଛି ଜନମ ତୁମ୍ଭର ଧରମପ୍ରଚାରିବା ପାଇଁ ନବୀନ ବେଶେ ।
(୮)
ତୁମ୍ଭର ମହିମା କରି ସ୍ମରଣ,ଉତ୍କଳ-ମଣ୍ଡଳ ମାନବଗଣ,ରଥଯାତ୍ରା ସହ ତା’ ଜନ୍ମ ଉତ୍ସବେମାତି କରୁଛନ୍ତି ମୁଦ ବର୍ଦ୍ଧନ ।
(୯)
ଶଙ୍ଖ ଘଣ୍ଟା ତାଳ ମୃଦଙ୍ଗ ନାଦ,ବଣ୍ଟନ କରୁଛି ତବ ପ୍ରସାଦ,ଟାଣୁଛନ୍ତି ଲୋକେ ରଥର ଦଉଡ଼ିକରେ, ହୃଦେ ଧରି ତୁମ୍ଭର ପାଦ ।
(୧୦)
ଜୟ ଜଗଦୀଶ ଶିବ-ନିଧାନ,ହୀରାଖଣ୍ଡ ତବ ଶିବ ବିଧାନ-ବିତରଣେ ହେଉ ସମରଥ, କରତାକୁ ଜ୍ଞାନ ଆୟୁ ଶକତି ଦାନ ।
ଶାନ୍ତି ସଂଗୀତ
(୧୯୧୯)
(ଜୁଲାଇ, ୧୯୧୯, ହୀରାଖଣ୍ଡ)
ଜୟ ଜଗଦୀଶ ଧର୍ମ ସ୍ୱରୂପ
ଧର୍ମେ ତୁମ୍ଭ ଉଦୟ ହେ,
ଧର୍ମ ପ୍ରତାପ ଖଳ ପାପତାପ
ବଳକୁ ନ କରେ ଭୟ ହେ । ଘୋଷା ।
ହେଉ ମହାପାପ ଯେତେ ଭୀଷଣ
ଦେଉ ମହାପ୍ରାଣେ ଯେତେ କଷଣ,
କାଳ ଅନୁସରି ସବୁ ଧ୍ୱଂସ କରି
କର ଧର୍ମର ଜୟ ହେ । ୧ ।
ଚାରିବର୍ଷ କାଳ କି ଭୟଙ୍କର
ଜର୍ମ୍ମାନୀ ଦେଲା ଦୁଃଖନିକର,
ମହାପାପାନଳ ଧର୍ମ ମହାଜଳ
ନିଧିରେ ଳଭିଲା ଲୟ ହେ । ୨ ।
ବ୍ରିଟିଶ୍ ସମ୍ରାଟ୍ ଧର୍ମବଳେ
ରିପୁ ଦର୍ପ ହରି ମହୀମଣ୍ଡଳେ
ଥାପିଲେ କୀରତି ଅକ୍ଷୟ ମୂରତି
କାନ୍ତି ଯା’ର ଶାନ୍ତିମୟ ହେ । ୩ ।
ଜର୍ଜ ପଞ୍ଚମ ଆମ୍ଭ ସମ୍ରାଟ୍
ଧର୍ମ-ମହିମା ତାଙ୍କ ବିରାଟ
ପାଳନ୍ତୁ ପୃଥିବୀ ହୋଇ ଚିରଜୀବୀ
ନିରାପଦ ନିରାମୟ ହେ । ୪ ।
ଧର୍ମର ଜୟ ଗାଅ ହେ ଭାଇ,
ଶାନ୍ତି ଶୀତଳ ଛାଇରେ ଥାଇ,
ସମ୍ମିଳନ ବର ପାଇବା ଏଥର
ଓଡ଼ିଆମାନେ ନିଶ୍ଚୟ ହେ । ୫ ।
ପ୍ରାର୍ଥନା
ଜୟ ଜୟ ଜଗନ୍ନାଥ କରୁଣାସାଗର,
ଜୟ ହେ ମଙ୍ଗଳମୟ ବିଶ୍ୱହିତକର ।
ବିଶ୍ୱରୂପୀ, ବିଶ୍ୱବ୍ୟାପୀ, ବିଭୁ ବିଶ୍ୱମ୍ଭର,
ଇଙ୍ଗିତେ ଚଳଇ ତୁମ୍ଭ ବିଶ୍ୱଚରାଚର ।
ଜ୍ଞାନମୟ ଜ୍ଞାନରୂପେ ଜ୍ଞାନିହୃଦବାସୀ,
ସତ୍ତା ଦେଖାଉଛ ପ୍ରାଣରୂପେ ପରକାଶି ।
ଶିଶୁ ପାଇଁ ତୁମ୍ଭେ ପିତାମାତା ଅବତାର;
ତରୁଣରେ ହୁଅ ଜ୍ଞାନ ସ୍ୱରୂପେ ସଞ୍ଚାର ।
ଯେ ଯେତେ ଭଜଇ ତୁମ୍ଭ ଜ୍ଞାନରୂପ-ପାଦ,
ଲଭଇ ସେ ଜନ ସେତେ ଅମୂଲ୍ୟ ପ୍ରସାଦ ।
ଭୀଷଣ ଦୁସ୍ତର ଭବ-ସିନ୍ଧୁ ପାର ପାଇଁ,
ଭିଆଇଛ କର୍ମରୂପ ନାବ ବିଶ୍ୱସାଇଁ !
ବୁଡ଼ାଇ କୁକର୍ମ-ନାବ ଦୁଃଖ-ତରଙ୍ଗରେ,
ସୁକର୍ମ-ନଉକା ଲାଗେ ସୁଖ-ସାମ୍ରାଜ୍ୟରେ ।
ଦୁଃଖଯନ୍ତ୍ରଣାକୁ ଲାଗୁଅଛି ବଡ଼ ଡର,
ଦୀନବନ୍ଧୋ ! ଜଣାଉଛି ଏଣୁ ଯୋଡ଼ି କର,
ସୁକର୍ମ-ନାବରେ ଦେଇ ଭାଗ୍ୟ –କର୍ଣ୍ଣଧାର,
ଦୟାବହି ଦୟାନିଧେ, କର ମୋତେ ପାର ।
ବନ୍ଧୁରୂପେ ତୁମ୍ଭେ ତହିଁ ଅନୁକୂଳ ବାତ,
ହେବାକୁ କୁଣ୍ଠିତ ନୁହ ବ୍ରହ୍ମାଣ୍ଡର ତାତ ।
ନିଃସ୍ୱାର୍ଥ ପୁଲିନେ ବୁଲି କରିବି ସଞ୍ଚିତ-
କୀରତି ରତନରାଶି, ହେଉଛି ମୋ’ ଚିତ୍ତ ।
ତୁମ୍ଭର କରୁଣା ହେବ ଯଦ୍ୟପି କିଞ୍ଚିତ,
ହେବି ନିଶ୍ଚେ କୃତକାର୍ଯ୍ୟ ନ ହୋଇ ବଞ୍ଚିତ ।
ପ୍ରଭାତ-ପ୍ରାର୍ଥନା
ଦୀନବନ୍ଧୁ ଦୀନଶରଣ,
ଧନ୍ୟନାଥ ରାତି କରିଛ ଅରାତି
ଭୟଚୟ ମୋର ହରଣ ।
ଏବେ ଚକ୍ଷୁ ଫେଡ଼ି ଦେଇଅଛ ଛାଡ଼ି
ଚଳିବାକୁ ନିଜ ମନରେ,
ପୂର୍ବ କଥାମାନ କଲ ବିଦ୍ୟମାନ
ପୁଣି ମୋ’ ସ୍ମୃତି-ସଦନରେ । ୧ ।
ଦେବ ବିଭାବସୁ ନିଜ ଭାବବଶୁ
ଉଠି ଆସୁଛନ୍ତି ଗଗନ,
ଉଠିବାର ଶେଷେ ଖସି ବିଧିବଶେ
ଅସ୍ତ-ନଗେ ହେବେ ମଗନ । ୨ ।
ଏହି ଦିନ ମଧ୍ୟେ ଏହି ଦୀନ ମଧ୍ୟେ
ଥାଇ ନାଥ ଦିଅ ସୁପଥ,
ତୁମ୍ଭରି କାମନା କରିବି ସାଧନା
କହୁଅଛି କରି ଶପଥ । ୩ ।
କୃତ କଥାମାନ ହୋଇ ସାବଧାନ
ସ୍ମରଣ-ସଦନେ ଥୋଇବି,
ପୁଣି ତୁମ୍ଭ କୋଳେ ପଡ଼ିଯିବି ଭୋଳେ
କୃପାଜଳେ ପାଦ ଧୋଇବି । ୪ ।
କରିଛି ଯେ ପାପ କରି ଅନୁତାପ
ଦେଉଅଛୁଁ କୃପା-ଭିଖାରି,
ସେ ପଥେ ଗମନ କରିବାର ମନ
ନ ଦିଅ କରୁଣାବିହାରି । ୫ ।
ଗୁରୁଶିଷ୍ୟ
ଯାଠାରୁ ଯେ ବେଶି ଜାଣେ ଗୁରୁ ସେ ତାହାର,
ଯୋଗ୍ୟ ସେହି ପାଇବାକୁ ଗୁରୁ-ବ୍ୟବହାର ।
ତହୁଁ ବଡ଼ ତହୁଁ ବଡ଼ ଗୁରୁ ଏ ଜଗତେ,
ନିଜକୁ ଗଣଇ ଜ୍ଞାନୀ, ସଦା ଶିଷ୍ୟମତେ ।
ଅନନ୍ତ ଜଗତ ଯେଣୁ ଧରି ଗୁରୁବେଶ,
ମାନବକୁ ଦେଇଥାଏ ନିତି ଉପଦେଶ ।
ଯାହା ଦେଖ ଅଛି ତହିଁ ଶିଖିବାର କଥା,
ତହୁଁ ଶିକ୍ଷା ଲଭେ ଜ୍ଞାନୀ ନତ କରି ମଥା ।
ଯେ ଦିନୁ ମାନବଜାତି ସମ୍ଭୁତ ଜଗତେ,
ସେଦିନୁ ଚାଲିଛି ତା’ ଶିକ୍ଷା ଅବିରତେ ।
ଯାବତ ନହେବ ନର ଅବନୀରେ ଲୀନ,
ଶିଖିବା ବିଷୟ ତାର ଅଛି ତେତେ ଦିନ ।
ଯେ ଲୋକ ମନରେ ପୋଷା ଗୁରୁ-ଗଉରବ
ସେ ଗରବେ ଜ୍ଞାନ ତାର ହୁଅଇ ଖରବ ।
ନିଜକୁ ସେ ନିରନ୍ତର ଶିଷ୍ୟରୂପେ ଗଣେ,
ନିଶ୍ଚୟ ସେ ଯୋଗ୍ୟତମ ଗୁରୁ ମଧ୍ୟେ ଜଣେ ।
ଅମୂଲ୍ୟ ଓ ମୂଲ୍ୟବାନ
ଅମୂଲ୍ୟ ପଦାର୍ଥ କରେ ଲୋକ ଉପକାର,
ମୂଲ୍ୟବାନ୍ ପାଇଥାଏ ଲୋକେ ଉପଚାର ।
ମୂଲ୍ୟବାନ୍ ରହେ ଲୋକେ ସୁପ୍ରୀତୀ ବାଦରେ,
ଅମୂଲ୍ୟ ନ ଥାଏ କେବେ ତା’ ପ୍ରତିବାଦରେ ।
ଗୁଣବଳେ ନ ହେଲେହେଁ ଅମୂଲ୍ୟ ସମାନ,
ମୂଲ୍ୟଗୁଣେ ମୂଲ୍ୟବାନ୍ ଲଭଇ ସମ୍ମାନ ।
ଅମୂଲ୍ୟର ମୂଲ୍ୟ ନାହିଁ ଗୁଣ ଅନୁସାରେ;
ତା’ ଯୋଗ୍ୟ ଆଦର ତେଣୁ ନ ହୁଏ ସଂସାରେ ।
ଅମୂଲ୍ୟ ଅତୁଲ୍ୟ ହିତକର ରବିକର,
ଲୋକେ କରି ନ ପାରନ୍ତି ତା’ ଯୋଗ୍ୟ ଆଦର ।
କିନ୍ତୁ ବହୁମୂଲ୍ୟ ଦେଇ ବିବିଧ ଆଲୋକେ,
ରଜନୀରେ ଆଲୋକିତ ହୋଇଥାନ୍ତି ଲୋକେ,
କ୍ଷଣେ ବାୟୁ ବିନା ପ୍ରାଣ ହୁଏ କଲବଲ,
ତା’ ମୂଲ୍ୟକୁ ଧନ ନାହିଁ ଲୋଡ଼ା କଳ ବଳ ।
ବ୍ୟଜନେ ନିମନ୍ତେ ହୁଏ ଧନ ପ୍ରୟୋଜନ,
ତା’ ଘେନି ବ୍ୟଜନ ହୁଏ ଆଦରଭାଜନ ।
ମୂଲ୍ୟବାନ୍ ଲୋକ ବସେ ରାଜଦରବାରେ,
ଅମୂଲ୍ୟ ପ୍ରଜାଏ ଦୂରେ ରହନ୍ତି ବାହାରେ ।
ଅମୂଲ୍ୟ ପଦାର୍ଥ ଯହିଁ ହୁଏ ଉପଗତ,
ସରିଯାଏ ତହିଁ ମୂଲ୍ୟବାନ୍ର ମହତ ।
ମୂଲ୍ୟକ୍ରୀତ ଦ୍ରବ୍ୟ କରେ ଗୃହ ଅଧିକାର,
ଅମୂଲ୍ୟ ଅକ୍ରେୟ ଗଲେ ମନାହୁଏ ଦ୍ୱାର ।
ମନପ୍ରତି
ମନ, ଭ୍ରମୁଛୁ କାହିଁକି ରେ
ନିଜେ ଧନେ କରି ହେଳା,
ଭବସିନ୍ଧୁ ଖେଳା ତେଜି ଧର ବେଳା-
ଥାଉଁ ଏ ଜୀବନ-ଭେଳା ।
ଭୂତରୁ ଜନମି ଅଭୂତରେ ଭ୍ରମି-
ପାରିବା ତୋ’ ଅଧିକାର,
ଭୂତ ପାଇଁ ଶ୍ରମୀ ନୋହି ଅତିକ୍ରମି
ଯାଇ ଧର ଅବିକାର । ୧ ।
ଭାବ ହୋଇ ଧୀର ଭୂତ ଧନ ଚିର-
ସ୍ଥାୟୀ ନୁହେ ଜଗତରେ,
ନିଜେ ହୋଇ ବୀର ଟାଣ ପୃଥିବୀର
ଯଶ-ଧନ ନିରନ୍ତରେ । ୨ ।
ଯେତିକି ଟାଣିବୁ ତେତିକି ଜାଣିବୁ
ହେଉଥିବ ବରଧନ,
ଅମର ଅକ୍ଷୟ ତା’ ପରି ନିଶ୍ଚୟ
ନାହିଁଟି ଅପର ଧନ । ୩ ।
ଭୂତ ଧନେ ବଦ୍ଧ ହୋଇଥିଲେ ଗଧ
ପରି ରହିଥିବୁ ବହି,
ବୁଡ଼ିଗଲେ ନାବ ତୁଟିଯିବ ଭାବ
କେହି ନ ପାରିବ ରହି । ୪ ।
ତୋ’ ଆଦେଶମତେ ଇନ୍ଦ୍ରିୟ ସମସ୍ତେ
କରନ୍ତି ନିଜ କରମ,
ତୁ ନିଜ କରମ ନ କଲେ ଭରମ
ସହିବନି କି ଧରମ ।
ଧନପ୍ରତି
ଧନ, ନୀରବେ ଆସିବୁ ରେ
ଗରବ ନ ଦେବୁ ମନେ,
ବିରତ ନ କରି ଅବିରତ ଥିବୁ
ବିବେକ ଅନୁଗମନେ ।
ପଡ଼ିଲେ ତୋ’ ପାଦ ଦେବି ଧନ୍ୟବାଦ
ତୋଷିମି ମୁଁ ସମାଦରେ,
କିନ୍ତୁ ଏ ଜଗତେ ଅନ୍ୟକୁ ବା ମତେ
ନ ପେଲିବ ପ୍ରମାଦରେ । ୧ ।
କରୁଛିଁ ଆୟାସ ହସି ହସି ଆସ
ହସାଇ ଆସିବା ଭଲ,
ରସାଇବୁ ନାହିଁ ଭସାଇବା ପାଇଁ
କରିବୁ ନା କଲବଲ । ୨ ।
ବଢ଼ାଇବୁ ଶାଖା ତହିଁରୁ ପ୍ରଶାଖା
ହେଉଥିବୁ ପଲ୍ଲବିତ;
କୁ-ସ୍ଥାନ ନ ଯିବୁଁ କୁତ୍ସା ନ ଅର୍ଜିବୁ
ନ ହେବୁ ଅପହ୍ନବିତ । ୩ ।
ଯଶ ଆହରଣେ ବିପଦହରଣ
ନ ହେବୁ ଗତିକୁଣ୍ଠିତ,
ନୋହି ମୋର ଗୁରୁ ହେଉଥିବୁ ଗୁରୁ
ଭାବରେ ଅବଗୁଣ୍ଠିତ । ୪ ।
ଗୁଣ ଅରଜନେ ଗୁଣ ସରଜନେ
ନ ଦେଖିବୁ ନିଜ ପର,
ଗୁଣ ସଙ୍ଗେ ମିଶି- ଗଲେ ଦିଶି ଦିଶି
ଦିଶିବୁ ହୋଇ ଅମର । ୫ ।
ଆତ୍ମକଥା
ପାପ କରିବାକୁ ଯିବି କାହିଁକି ?
ବାପ ଯା’ ଅଛନ୍ତି ଜଗତର ପତି
କେଉଁ କଥା ତାର ନାହିଁ କି ?
ପଞ୍ଚ-ମହାଭୂତ ଘେନି ମୁଁ ଜନିତ
ସେ ଭୂତ ପୋଷଣ ପାଇଁ କି,
ସଦା ମୋ’ ସକାଶେ ଅବନୀ ଆକାଶେ
ସବୁ ନୁହେ ଚିରସ୍ଥାୟୀ କି ? । ୧ ।
ଥାଉଁ ଶତ ଶତ ଆଲୋକିତ ପଥ
ଅନ୍ଧାରିତ ପଥେ ଧାଇଁ କି,
ସାଧୁ ଶୁଭାଶିଷ ଏଡ଼ି ଆଶୀବିଷ-
ଗରଳ ଲୁଚାଇ ଖାଇ କି ? । ୨ ।
ବହୁ ସଦାଚାର ଥାଉଁ କଦାଚାର
ନିକଟକୁ ମନ ଯାଇ କି,
କରି ଅରଜନ ପୋଷି ପରିଜନ
ଥିଲେ କିଛି ଦୁଃଖ ଥାଇ କି ? । ୩ ।
ପାଇଛି ସୁମନ ତୋଷିବି ସୁମନ
ଦୁଷ୍ଟ ସେବି ହେବି ବାଇ କି,
ନିଜେ କଲେ ପାପ ନିଜଲଭ୍ୟ ତାପ
ଜନକ ତହିଁରେ ଦାୟୀ କି ? । ୪ ।
ଅର୍ଚ୍ଚନା
ଜୟତୁ ଜୟ ଶଶି ମଣ୍ଡନ
ଦୁଃଖ ଦୁରିତ ତାପ ଖଣ୍ଡନ
ଜୟ ବିପଦହାରୀ କଇଲାସ ବିହାରୀ
ସୁର ସରିତ ଶିରେ ରଞ୍ଜନ ।
ପ୍ରଚଣ୍ଡ ବିଷଧର ସର୍ବାଙ୍ଗେ ଭୟଙ୍କର
ରିପୁ ଦର୍ଦୁର ଦର୍ପ ଗଞ୍ଜନ । ୧ ।
ଭୀମରୁଦ୍ର ମହେଶ ଯୋଗୀନ୍ଦ୍ର ବ୍ୟୋମକେଶ
ଦବଳ ତନୁ ଦିଗବସନ,
ହିମାଦ୍ରି-ସୁତାକାନ୍ତ ତୁମ୍ଭପଦ ଏକାନ୍ତ
କରୁ ମୋ’ ହୃଦପଦ୍ମେ ଆସନ । ୨ ।
ଭୁଜେ ତୀକ୍ଷ୍ଣ ତ୍ରିଶୂଳ ଭକତ ଅନୁକୂଳ
ପାତକୀ ପାପପୁଞ୍ଜ ମର୍ଦ୍ଦନ
ନିଜେ ମାଖି ବିଭୂତି ଜନେ ଦିଅ ବିଭୂତି
କରନ୍ତି ସୁରାସୁର ବନ୍ଦନ । ୩ ।
ତୁମ୍ଭେ ତ ସଦାଶିବ କର ମୋ’ ସଦା ଶିବ
ପଦକମଳେ ଗଲି ଶରଣ ।
ଅଭୟ ମୃତ୍ୟୁଞ୍ଜୟ ଦିଅ ହୋଇ ସଦୟ
ମାଗୁଛି ଗାଢ଼େ ଧରି ଚରଣ । ୪ ।
ଗଣେଶପୂଜା
ଅଭ୍ୟୁଦୟଦାୟୀ ଗଣେଶ ଗୋସାଇଁ
କର ଆମ୍ଭ ପୂଜା ଗ୍ରହଣ
ହୃଦ-ଦୁର୍ବଳତା ମନର ନୀଚତା
ଉତ୍ସାହରେ କର ହରଣ ।
ଆଳସ୍ୟ ବିସାଳ ସୁଖାଭିଳାଷ,
ଅଧ୍ୟବସାୟରେ ହେଉ ବିନାଶ,
ପଠନ ମନନ ଜ୍ଞାନ ଅରଜନ
କର୍ମେ ଲାଗୁ ଅନ୍ତଃକରଣ ।
ପିଲାଙ୍କ ପାଇ ରଚିତ
ପାପ-ପଥ ଦିଗେ ଚାହିଁଲେ ମତି,
ଅଗ୍ରେ ଉଭା ହୋଇ ରୋଧିବ ଗତି,
ଧରି ଭୟଙ୍କର ପ୍ରାଣ-ଦମ୍ଭହର
ତ୍ରିଶୂଳ ତୀକ୍ଷ୍ଣ ପ୍ରହରଣ ।
ସଦା ଆମ୍ଭ ଧ୍ୟାନ ଆଗରେ ରହି,
ଦେଉଥାଅ ଜ୍ଞାନ ସରଣୀ କହି ।
ଶୁଣ୍ଢେ ଦିଅ ଭାଜି କୁଭାବନରାଜି
ଦନ୍ତେ କର ଲୋଭ ଦାରଣ ।
କରୁଅଛୁ କର ଯୋଡ଼ି ଭକତି,
ହୃଦେ ଦିଅ ତୁମ୍ଭ ଶୁଣ୍ଢ ଶକତି,
ତୁମ୍ଭର ଦଶନ ବଳ ଦିଅ ମନ
କରୁ ଏକାଗ୍ରତା ଧାରଣ ।
ତୁମ୍ଭର ଦଶନ ବଳ ଦିଅ ମନ
କରୁ ଏକାଗ୍ରତା ଧାରଣ ।
ତୁମ୍ଭେ ତ ସକଳ ସିଦ୍ଧନାୟକ,
ଦୟା ବହି ହୁଅ ସିଦ୍ଧିଦାୟକ,
ଦିଅ ତୁମ୍ଭ ଦୀକ୍ଷା ଅନୁରୂପ ଶିକ୍ଷା
ଅଜ୍ଞାନ-ଜଳଧି-ତାରଣ ।
ରଞ୍ଜୁ ଅଛୁ ଅନୁରାଗ ସିନ୍ଦୂରେ,
ବସ ଆମ୍ଭ କ୍ଷୁଦ୍ରସେବା ଇନ୍ଦୁରେ,
ଜଡ଼ତା-ଭୂଧର-ପୃଷ୍ଠେ ବିଜେ କରି
କର ଆଶିଷ ଉଚ୍ଚାରଣ ।
ରାଜମିଳନ
(ଢାଳେ ତ ଢାଳିଲୁ ନାହିଁ କୃପା- ସୁଧାଝରି କି ରେ-ବୃତ୍ତ)
ଶୁଭେ ଆଜ ହୋଇଅଛି ରାଜେ ରାଜ-ସମ୍ମିଳନ
ଦଇବ ଘଟାଇ ଅଛି ସଂଯୋଗ
ମଣି କାଞ୍ଚନ । ଘୋଷା ।
ଦେଖ ଦେଖ ଏହିଠାରେ ସଫଳ ନୀତିବଚନ,
ସିଂହେ ସିଂହ ସମାଯୁକ୍ତ,
ଗଜରେ ଗଜ ବନ୍ଧନ । ୧ ।
ଚନ୍ଦନେ ଚନ୍ଦନ ତରୁ କରୁଅଛି ଆଲିଙ୍ଗନ,
ପରସ୍ପର ସଂଘର୍ଷଣେ
ହେଉଛି ବାରି ବର୍ଦ୍ଧନ । ୨ ।
ଜଳଧରେ ଜଳଧର ମିଳାଇଛି ଅପଘନ,
ଘନେ ଘନ ଘନ ହୋଇ
କରିବେ ହିତସାଧନ । ୩ ।
ଧନ୍ୟ ହେ ମଙ୍ଗଳମୟ ବିଶ୍ୱପତି ଧନ୍ୟ ଧନ୍ୟ,
ଏ ଶୁଭ ସଂଯୋଗ ଚାହିଁ
ହେଉଛୁଁ କୃତାର୍ଥମନ୍ୟ । ୪ ।
‘ଚିତ୍ରୋତ୍ପଳା’
(୧)
ଜୟ ଚିତ୍ରୋତ୍ପଳା ଉତ୍କଳ ପାବନୀଉତ୍କଳ-ହୃଦୟ-ଚାରିଣୀ,ଉତ୍କଳ ଜୀବନ ଶାନ୍ତି ବିଧାୟିନୀଅମୃତ କଲ୍ଲୋଳ ଧାରିଣୀ ।ତୋ’ ପୁଣ୍ୟ ଜୀବନ ଉତ୍କଳ ହିତ-ସାଧନ ନିମନ୍ତେ ଚିର ବହିତ,ବିକଟ ସଙ୍କଟ- ଦଳନଶାଳିନୀଧାରା ଢେଉ ତାପହାରିଣୀ ।
(୨)
ବିଭୁକୃପା ଦ୍ରବି ଅବନୀରେ ସ୍ରବିହୋଇଛି ତୋ’ ଅବତରଣ,ବିଭୁ ନିଦେଶରେ ଆସି ଏ ଦେଶରେକରୁଛୁ କଳ୍ମଷହରଣ ।ବିନତ ବଦନେ ଗମ୍ଭୀର ହୃଦେକରି ଲୀଳାଞ୍ଚିତ ଗମନ ମୁଦେ,କୁଳବତୀ କୁଳ ସଙ୍ଗେ କରି ଠୁଳପୂଜୁଅଛୁ ଅତି ଚରଣ ।
(୩)
ଯେମନ୍ତ ନିର୍ମଳ ତେମନ୍ତ ଶୀତଳତୋହର ପବିତ୍ର ଜୀବନ,ସଭିଙ୍କି ସମାନ ଦେଖି କରୁ ଦାନକି ପଲ୍ଲୀ ନଗରୀ କି ବନ ।ଲୋକ ଉପକାର ଉପଲକ୍ଷରେନାବ ନାବ ବୋଝ ବହୁ ବକ୍ଷରେକେତେ ‘ଦେବ’ ନଦୀ ରହିଛନ୍ତି ସେବିମର୍ତ୍ତ୍ୟେ ନାହିଁ ତୋର ନିଧନ ।
(୪)
ଆଜି ତୋ’ ନାମରେ ତୋହରି ଧାମରେଆଶ୍ରୟ କରି ତୋ’ ଧରମ,ବୁଢ଼ାରଜା ଗିରି ପାଦପଶ ଚିରିଏହି ପତ୍ରିକାର ଜନମ ।କର ତୋହରି ଦୀକ୍ଷାରେ ଦୀକ୍ଷିତକର ତୋହରି ଶିକ୍ଷାରେ ଶିକ୍ଷିତ,ଦିଅ ତୋ ଆୟୁ ତୋହୋ ପରି ପାଉଅମୃତ ନିଧିଙ୍କ ସଙ୍ଗମ ।ମଙ୍ଗଳ ଗୀତିକାରାଜେନ୍ଦ୍ର ଭବନେ ଜନମିଛ ଜେମାବଢ଼ିଅଛ ରାଜକୋଳେ,ସେନେହ ରଜ୍ଜୁରେ ଆବର ଆସନେଦୋଳିଛ ସମ୍ପଦ ଦୋଳେ ।ଲଭିଅଛ ଶିକ୍ଷା ଗୃହ-ଧର୍ମ-ଦୀକ୍ଷାପିତାମାତାଙ୍କ ଯତନେଥିଲ ସୁଖମୟ ସ୍ନେହର ନନ୍ଦିନୀମଣ୍ଡିତ ସ୍ନେହ ରତନେ ।ଲଭିଅଛ ରତ୍ନ- ଭୂଷଣ ସହିତଅମୂଲ୍ୟ ଗୁଣ ଭୂଷଣ,ଆଲୋକିବ ବୋଲି ରତନେ ଭବନ,ଗୁଣର ତେଜେ ଭୁବନ ।ଜନକ ନିଳୟ ଶୈଶବର ଲୀଳାହୋଇଅଛି ଆଜି ଶେଷ,ଶ୍ୱଶୂର ଆଳୟ ସଂସାର ଲୀଳାରେନୂତନ ହେଲ ପ୍ରବେଶ ।ଜାଣନ୍ତି ତୁମ୍ଭର ପିତାରତ୍ନଠାରୁଗୁଣ ଅତି ମୂଲ୍ୟବନ୍ତ,ତେଣୁ ସେ ତୁମ୍ଭଙ୍କୁ କରାଇ ଅଛନ୍ତିବିବିଧ ଗୁଣେ ଅଭ୍ୟସ୍ତ ।ଗୁଣ ବ୍ୟବହାର ସମୟ ଏଥରହେଲା ତୁମ୍ଭ ଉପଗତ,ତୋଷିବ ଶ୍ୱଶୂର- ପୁର-ରାଜ୍ୟ ତୁମ୍ଭଗୁଣ କରି ଫଳବନ୍ତ ।ସୁଖମୟ ହେଉ ମୁଦମୟ ହେଉତୁମ୍ଭର ଶୁଭ ସଂସାର,ନୃସିଂହ ପ୍ରସାଦ ସହ ହେଉ ତୁମ୍ଭସଦନେ ଶୁଭ ସଞ୍ଚାର ।କୌଣସି ରାଜଜେମାଙ୍କ ବିବାହ ଉପଲକ୍ଷେ ଲିଖିତ । ମୁଦ୍ରିତ ହୋଇ ସେ ସମୟରେ ଏହା ବଣ୍ଟନ କରାଯାଇଥିଲା ।ମଙ୍ଗଳଗାନବାଜୁ ଶଙ୍ଖ ଶୁଭ ସ୍ୱନେ, ରେ ସଜନିବାଜୁ ଶଙ୍ଖ ଶୁଭ ସ୍ୱନେ,ନୃସିଂହନାଥଙ୍କ ଶୁଭାଦେଶ ଘେନି,ଶୁଭେ ଏ ରାଜଭବନେ, ରେ ସଜନି । ଘୋଷା ।ବିବୁଧ ମଣ୍ଡଳ ବ୍ରାହ୍ମଣ ସକଳକରନ୍ତୁ ମଙ୍ଗଳ ଗାନ,ରମଣୀ ବଦନ ହୁଳୁହୁଳି ସଙ୍ଗେମିଶୁ ଜୟ-ଗୀତ ତାନ, ରେ ସଜନି । ୧ ।ଜନମୁଖୁ ଉଠି ଜୟ ଜୟ ନାଦ,ଉଛୁଳି ରାଜସଦନେ,ଲଙ୍ଘି ଜନପଦ-ବନ-ତରୁଲତାଉଲ୍ଲସୁ ଗନ୍ଧମାଦନେ, ରେ ସଜନି । ୨ ।ସେ ନାଦ କପିଳ-ଧାରେ ଧୌତ ହୋଇନୃସିଂହ ଚରଣ ବନ୍ଦି,ଆନନ୍ଦ ସହିତ ବିଚରି ଭୁବନେହୃଦେ ହୃଦେ ହେଉ ଛନ୍ଦି, ରେ ସଜନି । ୩ ।ଦେବ ଦ୍ୱିଜ ଗୁରୁ ପ୍ରାଜ୍ଞ ଶୁଭାଶିଷସହିତ କୁସୁମରାଶିନବ ଦମ୍ପତିଙ୍କ ମସ୍ତକେ ବରଷିଦେଉ ଶୁଭ ପରକାଶି, ରେ ସଜନି । ୪ ।
ବୋଡ଼ାସମ୍ବର ରାଜକୁମାରୀ ଶ୍ରୀମତୀ ଲକ୍ଷ୍ମୀକୁମାରୀ ଦେଈଙ୍କ ବିବାହୋପଲକ୍ଷେ ଲିଖିତ । ମୁଦ୍ରିତ ହୋଇ ସେ ସମୟରେ ଏହା ବଣ୍ଟନ କରାଯାଇଥିଲା ।
ହରିବୋଲହରିବୋଲ ହରିବୋଲ ବୋଲିଥାନ୍ତି ଜନେହୃଦେ ଘେନି ହରି କେହି ନ ବୋଲନ୍ତି ଜଣେ ।ଉଠାଇ ଶବଦରୋଳ ହରିବୋଲ ହରିବୋଲଆନନ୍ଦେ ନାଚନ୍ତି କିନ୍ତୁ ନ ଥାନ୍ତି ଭଜନେ,ଉପଦେଶ ଶେଷ ହୁଏ କେବଳ ବଚନେ ।ଉଖୁଡ଼ାର ଅନୁପାତେ ଲୋକ ଉପସ୍ଥିତଲୋକ ଅନୁପାତେ ହୁଏ ଶବଦ ଉତ୍ଥିତ ।ଭୋଗବଣ୍ଟା ହେଲେ ଶେଷ ସରିଯାଏ ଉପଦେଶହରିବୋଲ ରବ ଆଉ ନ ହୁଏ କଥିତ,ଉଖୁଡ଼ା ସହିତ ହୁଏ ସ୍ଥାନରୁ ପ୍ରସ୍ଥିତ ।ମାରିଚ-ବଧ(ହିନ୍ଦୀର ଅନୁବାଦ)ରାବଣ ଆଦେଶେ ମାରୀଚରାମ କୁଟୀର ପାଶେ,ମାୟାମୃଗେ ବେଶେ ଚରଇଧୀରେ ଧୀରେ ଉଲ୍ଲାସେସ୍ୱର୍ଣ୍ଣମୟ ତାର ଶରୀର ତହିଁ ମଣି ଖଚିତ,ଦରଶନ କରି ଜନକ-ସୁତା ହେଲେ ଲୋଭିତ ।ବୋଇଲେ ହେନାଥ,ମୃଗଟି ଆହା କେଡ଼େ ସୁନ୍ଦର,ବିଚିତ୍ର ଅଜିନେ ଶରଧା ହେଉଅଛି ମୋହର ।କୃପାକରି ମୋରେ ସତ୍ୱର ଏହି ମୃଗଟି ମାରି,ମନୋହର ଚର୍ମ ଖଣ୍ଡିକ ଆଣ କୋଦଣ୍ଡଧାରି !ତାହା ଶୁଣି ରଘୁନନ୍ଦନ ଚାହିଁ ଲକ୍ଷ୍ମଣ ପ୍ରତି,ବୋଇଲେ ହେ ବାବୁ, ଥିବଟି ରହି ଜାନକୀ କତି ।ମୃଗ ବଧକରି ଯାବତ ମୁହିଁ ଆସିବି ନାହିଁ,ଜାନକୀଙ୍କି ଛାଡ଼ି ତାବତ ତୁମ୍ଭେ ନ ଯିବ କାହିଁ ।ଜାନକୀ ସମର୍ପି ଲକ୍ଷ୍ମଣେ ରାମ ହୋଇ ବାହାର,ଯେଉଁ ଦିଗେ ଗଲା ହରିଣ ପଛେ ଗଲେ ତାହାର ।ଥରେ ଦୂରେ ଥରେ ନିକଟେଥରେ ହୋଇ ଅଦୃଶ୍ୟ,ବନ ମଧ୍ୟେ ରାମଚନ୍ଦ୍ରଙ୍କୁ ନେଲା ମୃଗ ସାଦୃଶ୍ୟ ।ବହୁ ଦୂର ବନ ମଧ୍ୟକୁ ଯାଇ କୋଦଣ୍ଡଧାରୀ,ନ ପାରିଲେ ବହୁ ଯତନ କରି ମୃଗକୁ ମାରି ।ଅବଶେଷେ ରୋଷେ ବିନ୍ଧିଲେଏକ ସୁତୀକ୍ଷ୍ଣ ଶରଶର ପଡ଼ି ଅଙ୍ଗେ ଜୀବନ ଉଡ଼ିଗଲା ମୃଗର ।ମୃତ୍ୟୁକାଳେ ଉଚ୍ଚେ ଡାକିଲା ମୃଗ ତ୍ରାହି ଲକ୍ଷ୍ମଣ,ହେଲେ ଚମତ୍କୃତ ଏ ରୀତି ଦେଖି ରଘୁନନ୍ଦନ ।
ଏପରି ଅନେକ କବିତା ହିନ୍ଦୀରୁ ଅନୁବାଦ କରି ସେତେବେଳେ ସମ୍ବଲପୁର ଜିଲ୍ଲାରେ ଚଳୁଥିବା ପାଠ୍ୟପୁସ୍ତକମାନଙ୍କରେ କବି ଦେଇଥିଲେ । ନମୁନା-ସ୍ୱରୂପ ଏହା ପ୍ରଦତ୍ତ ହେଲା ।
ମୃଗୟା-ଦର୍ଶନବନ୍ଦଇ ନୃସିଂହ ନାଥ ତୁମ୍ଭ ଶ୍ରୀଚରଣ,ଯେଉଁ ପାଦ କରେ ପାପୀ-ପାତକହରଣ,ଯେଉଁ ପାଦତଳେ ପାପହରଣଝରଣ,ଶିଖରୀଶିଖରୁ ଡେଇଁ ମାଗଇ ଶରଣ ।ବନଲକ୍ଷ୍ମୀ ଘେନି ବନପୁଷ୍ପ ଆଭରଣ,ରହିଛନ୍ତି କରି ଯା’କୁ ମନ ଆବରଣ ।ବିନୟେ ଯା’ ପୂଜାଫଲ ତେଣୁ ଆହରଣ,କରି ସମୀରଣ କରେ ଲୋକେ ବିତରଣ ।ଯା’ ପାଶେ ଅଚଣ୍ଡ ହୋଇ ମାର୍ତ୍ତଣ୍ଡକିରଣ,ଭୟେ କ୍ଷୀଣଦେହେ କରେ ମୃଦୁ ବିଚରଣ ।ତବାଶ୍ରିତ ଲୋକ ଦୁଃଖ ଅନ୍ତରକରଣ,ମାତ୍ର ସିନା ଥାଏ ତାର ପ୍ରବେଶ-କାରଣ ।ସେ ସୁଯୋଗେ ମାଗେ ନିଜ ରତନବରଣ,ପ୍ରପାତ ଅସାରେ କରି ମୁହୁଃ ସଞ୍ଚରଣ ।ପ୍ରଭୁସେବା ଛଳେ ପରଦୁଃଖ ନିବାରଣ,କେବଳ ଜୀବନେ ପୁଣ୍ୟଜ୍ୟୋତି ପ୍ରସାରଣ ।ବହୁଦିନୁଁ ସେହି ଆଶା ପୋଷି ମୋର ମନଲୋଡୁଥିଲା ନାଥ ଥରେ ତବ ଦରଶନ ।ରାଣୀ ଯେବେ ଚାଲିଥାଏ ଧରି ସ୍ୱର୍ଣ୍ଣଝରି,ମାଟି ଘାଟୀ ଧରି ଚାଲେ ତା’ କାଣୀ କିଙ୍କରୀ ।ସେହି ନୀତି ସିନା ମୋର କାହିଁ ସୂର୍ଯ୍ୟକର,କାହିଁ ମୁହିଁ ଦୀନହୀନ ମାନବ ପାମର ।କିନ୍ତୁ ଯେଉଁ ବାତେ ହୁଏ ସୁରଭି ଲୁଣ୍ଠିତ,ତହିଁ ଧୂଳି ଉଡ଼ିବାକୁ ନ ହୁଏ କୁଣ୍ଠିତ ।
କବି ବୋଡ଼ାସମ୍ବର ଅବସ୍ଥାନ କାଳରେ ଏ ଅଞ୍ଚଳରେ ସର୍ବପ୍ରଧାନ ଦର୍ଶନୀୟ ତୀର୍ଥସ୍ଥାନ ‘ନୃସିଂହନାଥ’ ସମ୍ବନ୍ଧରେ ଗୋଟିଏ ଲେଖାରମ୍ଭ କରିଥିଲେ । କିନ୍ତୁ ତାହା ଅସମ୍ପୂର୍ଣ୍ଣ ରହିଯାଇଥିବାରୁ ଓ ବିଷୟଟି ମୁଖ୍ୟତଃ ମୃଗୟାଦର୍ଶନମୂଳକ ଥିବାରୁ ଉପରୋକ୍ତ ନାମରେ ପ୍ରକାଶ ହେଲା ।
ଜଗତ ଅଟଇ ଏକା ସ୍ୱଭାବ ଅଧୀନ,ସ୍ୱଭାବେ ଚାଳିତ ହେବି ହେଲେହେଁ ମୁଁ ଦାନ ।କୁସୁମ ସୁରଭି ଲୋକେ ଇଚ୍ଛନ୍ତି ଆଦରେଧୂଳି ଯାଇ ବଳେ ବଳେ ଲାଗଇ ପାଦରେ ।ପ୍ରଭୁ ଛଡ଼ା କୁସୁମରେ ମଣ୍ଡେ କେ ମଉଳି,କେ ବା ଭକ୍ତିଭରେ ନିଏ ପ୍ରଭୁ-ପାଦଧୂଳି ।ତୁମ୍ଭ ପାଦତଳେ ଯେବେ କରିବି ମୁଁ ସ୍ଥାନ,କାଳେ ପାଇଯିବି ତୁମ୍ଭ ଭକତେ ସମ୍ମାନ ।ଭକତର ମନ ସଙ୍ଗେ ମିଶିଲେ ମୁଁ ଦୀନ,ନିଶ୍ଚେ ତୁମ୍ଭ ପାଦପଦ୍ମେ ହୋଇଯିବି ଲୀନ ।ଭାସ୍କରକିରଣଠାରୁ ଭକ୍ତ ମନ ବଡ଼,ଭକ୍ତ ମନ ଜ୍ଞାନମୟ ରବିରଶ୍ମି ଜଡ଼ ।ରବିରଶ୍ମି ବ୍ୟାପିପାରେ ସଉର-ଜଗତ,ଅଖିଳ ଜଗତବ୍ୟାପୀ ଭକ୍ତ ହୃଦଗତ ।ବାନ୍ଧି ରଖିଛନ୍ତି ମୋତେ ଯେଉଁ କର୍ମଦାମ,ତାହା ଯୋଗୁଁ ଦରଶନେ ହେଲି ସିଦ୍ଧକାମ ।କରମ ଦେଉଛି କେତେ ଦୁଃଖ କେତେ ସୁଖ,ଆୟତ୍ତ ମୋ ନାହିଁ, କର୍ମେ ହେବାକୁ ବିମୁଖ ।ରୁଚି ଅନୁକୂଳ କର୍ମେ ଲୋକେ ସୁଖକର,ପ୍ରତିକୂଳ ରୁଚିର ସେ ଦୁଃଖର ଆକର ।କର୍ମ ଏକା ଦେଇଥାଏ ସମାଜେ ସମ୍ମାନ,ଜୀବନର ଭାର ମାତ୍ର କର୍ମହୀନ ଜ୍ଞାନ ।ଜଗତେ କରମ କରେ ଜୀବନ ପୋଷଣ,ଜ୍ଞାନର ଧରମ ସଦା ଜୀବନତୋଷଣ ।ତପସ୍ୟାର ଫଳ ଯେବେ ଫଳଇ ସଂସାରେ,ପୋଷକ ତୋଷକ ରହିଥାନ୍ତି ଏକାଧାରେ ।ଶାଳଗ୍ରାମ ମହତ୍ତ୍ୱ ନ ବୁଝି ଚମତ୍କାର,ଅସ୍ତ୍ର ଘରଷଣେ କରିଥିଲା ବ୍ୟବହାର ।ଚମତ୍କାର ମୁଖୁ ଶୁଣି ପ୍ରେମମୟ ଗୀତଘର୍ଷଣ ନ ଗଣି ଶାଳଗ୍ରାମ ଥିଲେ ପ୍ରୀତ ।ଯେ ଯେଉଁ କରମେ ହୋଇଥାଉ ନିୟୋଜିତ,ନିଜେ ନିଜ ପ୍ରେମେ ମୁଗ୍ଧ ଥିବାର ଉଚିତ ।କର୍ମ ଭାଗ୍ୟ ଦୁହେଁ ମୋର ହୋଇ ବଳବନ୍ତ,କରାଇଲେ ଆଣି ତବ ଦର୍ଶନେ ସମର୍ଥ ।କର୍ମଲବ୍ଧ ବୃକ୍ଷଯାନେ କରି ଆରୋହଣ,ତୁମ୍ଭଙ୍କୁ ହୃଦୟେ ସ୍ଥାପି ରଚିଲି ଗମନ ।ଏକ ବୃକ୍ଷେ ଚଢ଼ି ଶିବ ହୋଇଥାନ୍ତି ଧନ୍ୟ,ଦ୍ୱି-ବୃଷକ ଯାନେ ହେଲି ମୁଁ କୃତାର୍ଥମନ୍ୟ ।ତଥାପି ବୃଷଙ୍କ ଗତି ହେଲା କଷ୍ଟକର,ବିଚାରିଲି ଶିବଠାରୁ ମୁଁ କି ଗୁରୁତର ।ବୃଷ ବଦଳାଇ କଲି ମହିଷ ଯୋଜନ,ତଥାପି ମୋ’ ହେଲା ପାଦଗତି ପ୍ରୟୋଜନ ।ନିଜ ବଳ ଅବହେଳି ପରର ଭରସାକଲେ, ଲୋକ ସବୁକାଳେ ଲଭଇ ଦୁର୍ଦ୍ଦଶା ।ଖରଶ୍ୱାସେ ଧୀରପାଦେ ହୋଇ ଫେନମୁଖ,ମହିଷ-ଯୁଗଳ କେତେ ଜଣାଇଲେ ଦୁଃଖ ।ଭାବିଲି ଭ୍ରମନ୍ତି ଯମ ଗୋଟିଏ ମହିଷେ,ମୋତେ ନପାରନ୍ତି ନେଇ ଯୁଗଳ ହୋଇ ସେ ।ତହୁଁ ବୁଝିନେଲି ନିଜ ନିଜ ମୂର୍ଖପଣ,ବୃହସ୍ପତି ସଙ୍ଗେ କରେଁ ବୃହତୀ ଗଣନ ।ମନେକଲି ଯେଉଁ ଭାର ବିଧାତା ବିନ୍ୟସ୍ତ,ସହଜେ ତା’ ବହେ ପ୍ରାଣୀ ହୋଇ ଚିରାଭ୍ୟସ୍ତ ।ଯେଉଁ ଭାର ବହିବାକୁ ନୁହଇ ସେ ଯୋଗ୍ୟ,ସେ ଭାର ପଡ଼ିଲେ ତାକୁ ମଣଇ ସେ ରୋଗ ।ସହଜେ ଦୁର୍ବହ ଶିଳା ବହେ ଯେଉଁ ଖର,ସାମାନ୍ୟ ସୂଚିର ଭାର ତାକୁ କଷ୍ଟକର ।ମୋ’ ହୃଦେ ନୃସିଂହନାଥ ଥିଲ ତୁମ୍ଭେ ରହି,ତେଣୁ ଅବା ଗୋ-ମହିଷ ନ ପାରିଲେ ବହି ।ପଥେ ସେହିଦିନ ମୋର ହେଲା ଅବସ୍ଥାନ,ସେଠାରେ ଦେଖିଲି ବନ ଗିରି ଦୃଶ୍ୟମାନ ।ଦିନେ ଯାଇଥିଲି କରି ମୃଗୟା-ଦର୍ଶନ,ଭୟ ଭାବନାରେ କରି ଲୋମହରଷଣ ।ମୃଗୟାବିନୋଦେ ମରିଛନ୍ତି ଯେତେ ଲୋକ,ତାଙ୍କ ଦଶା, ତାଙ୍କ ସ୍ତିରୀ ବାଳକଙ୍କ ଶୋକ,ମୃଗୟାମୂଳକ ବନଗମନ ପଥରେ,ପଡ଼ିଯାଉଥାନ୍ତି ଆସି ମୋ’ ସ୍କୃତିପଟରେ ।ଅବ୍ୟାପାରେ କରିଥିଲା ବ୍ୟାପାର ଯେ କପି,ତାର ଦଶା ଭାବି ପ୍ରାଣ ଯାଉଥାଏ କମ୍ପି ।ପୁଣି ଭାବେଁ ଯେଉଁ ପଥ ମହତେ ଗମିତ,ଅପଥ ହେଲେହେଁ ସୁପଥେ ଗଣିତ ।ପାଞ୍ଚ-ଲୋକ ସଙ୍ଗେ ଥାଇ କରିବି ଦର୍ଶନ,କିରୂପେ କାନନେ ଥା’ନ୍ତି ବନ୍ୟ-ଜନ୍ତୁଗଣ ।ମାରିବାକୁ ଦେଖିବାକୁ ତାଙ୍କ ମୃତ୍ୟୁକ୍ଳେଶ,ହୃଦୟେ ବାସନା ମୋର ରହି ନାହିଁ ଲେଶ ।କୌତୂହଳେ କରିଅଛିଁ ସଦିଚ୍ଛା ପୋଷଣ,ନୃସିଂହ କରିବେ ମୋର ବିପଦ ଶୋଷଣ ।ନିବିଡ଼ କାମନେ ବୃକ୍ଷବକ୍ଷବଦ୍ଧ ଖଟେ,ବସିଲି ମୁଁ ଅନଭ୍ୟାସ ବଶୁଁ ଚଢ଼ି କଷ୍ଟେ ।ଭୂପତି ଅନୁଜ ଧରି ମୃଗୟୁର ବେଶ,ଯାଇଥିଲେ ସଙ୍ଗେ ପାଇ ଅଗ୍ରଜ ନିଦେଶ ।ତାଙ୍କ ପାଇଁ ସେହି ଖଟ ଥିଲା ନିରୂପିତ,ଚଢ଼ି ସେ ବସିଲେ ନଳୀ ଘେନି ମୋ’ ସହିତ ।ନତ ହେଲା ତରୁ ଶାଖା କମ୍ପିଗଲା ଖଟ,ଭଞ୍ଜନ ବ୍ୟଞ୍ଜନ କଲା ରାବି କଟକଟ ।କ୍ଷୀଣବାହୁ ଗ୍ରାମ୍ୟ ଖଟ ସ୍ୱଭାବେ ଦୁର୍ବଳ,ତା’ ପୁଷ୍ଠେ ବସିଲୁଁ ବଳେ ପୃଥୁଳ ଯୁଗଳ ।ତରୁଶାଖା ସଙ୍ଗେ କଥା କଲେ ପରସ୍ପର,ବଳ ଯୋଗାଇବେ ତହିଁ ଏକକୁ ଅପର ।ତରୁଶାଖା ଖଟବାହୁ ଦୁହେଁ ସହୋଦର,ସଜୀବ ନିର୍ଜୀବ ଭେଦ ନ ଥିଲା ତାଙ୍କର ।ତରୁଶିରା ହୋଇଥଲା ଦଉଡ଼ି ପ୍ରସ୍ତୁତ,ତାହାର ବଳହିଁ ନିଜ ବଳେ କଲେ ଯୁତ ।କାଳେ ଭାଙ୍ଗିଯିବ ଖଟ ହେଉଥାଏ ଶଙ୍କା,ଉଶ୍ୱାସି ଆଶ୍ୱାସି ତାକୁ ଧରିଥାଏଁ ଲଙ୍କା ।ପୁଣି ନ ପଡ଼ିବି ଶୁଣି ବନ୍ଧୁକ ଗର୍ଜନ,ବୋଲି କରିଥିଲି ସେହି ଉପାୟ ସର୍ଜନ ।ନୀରବେ ନିଶ୍ଚଳେ ବସି ନେଲୁଁ କିଛିକ୍ଷଣ,ବନ୍ୟ-ଜନ୍ତୁ ଆଗମନ କରି ନିରୀକ୍ଷଣ ।ଯାଇଥିଲେ ଭୂପ, ରାଜପୁରୁଷ ସେ ବନ,ସାଧନ କରିବାଲାଗି ଶ୍ୱାପଦ ନିଧନ ।ଦୂରେ ଦୂରେ ଭିନ୍ନ ଭିନ୍ନ ବୃକ୍ଷର ଉପରେବସିଗଲେ ବଜ୍ରନାଦୀ ନଳୀ ଧରି କରେ ।ଶୁଭିଲା ସୁଦୂରେ ବନେ ମାନବ କୁହାଟ,ତା’ସଙ୍ଗେ ଶୁଭିଲା ଯେହ୍ନେ କାଠେ ବାଜେ କାଠ ।ଶତ ଶତ ଜନେ ସେ ନାଦ ନାଦିତ,ଘନ ଘନ ବନ ବକ୍ଷ କଲା ବିକ୍ଷୋଭିତ ।ନିକଟୁ ନିକଟତର ହେଲା ସେ ଶବଦ,ରହିଲୁଁ ତଳକୁ ଚାହିଁ ହୋଇ ନିସ୍ତବଧ ।ଶ୍ରୁତିକି ଆସିଲା ନଳୀନାଦ ଏକ ଥର,ଅନ୍ୟ ନଳୀ ଗରଜିଲା ମୁହୂର୍ତ୍ତ ଅନ୍ତର ।ଏଣେ ଆମ୍ଭ ଆଡ଼େ ହେଲା ଶବ୍ଦ ସରସର,ଦେଖିଲୁ ଆସୁଛି ଏକ ଭଲୁକପ୍ରବର ।ଭୀତି ବିରକ୍ତିରେ ଥାଏ ପଳାୟନପର,ନ ଥାଏ ତା’ ଗତି ଅତି ଦ୍ରୁତ କି ମନ୍ଥର ।ଆମ୍ଭ ବୃକ୍ଷତଳେ ପଡୁଁ ନ ପଡୁଁ ତା’ ପଦ,ପଡ଼ିଲା ତା’ ଲକ୍ଷେ ଗୋଳୀ ସ୍ୱରୂପେ ଆପଦ ।ଅଗ୍ରସର ନୋହି ରକ୍ଷ କି ଭାବି ଚିତ୍ତରେ,ପଛଘୁଞ୍ଚି ପଶିଗଲା କାନନ ଭିତରେ ।ଶବଦୁ ପ୍ରତୀତ ହେଲା ହେଲା ସେ ପତିତ,କ୍ଷଣ ପରେ ଦେଖାଗଲା ହୋଇ ଅବ୍ୟଥିତବୃକ୍ଷମୂଳେ ଆସି ଦେଲା ଉପରେ ଅନାଇ,ମନେ ମନେ ଡାକିଲି ମୁଁ ନରସିଂହ ତ୍ରାହି ।ଶୁଣିଥିଲି କେନ୍ଦୁଫଳ ଖାଇବାକୁ ଋକ୍ଷ,ଚଢ଼ିଥାଏ ନଭଶ୍ଚୁମ୍ବୀ ଉଚ୍ଚ ଉଚ୍ଚ ବୃକ୍ଷ ।ସହଜେ ସେ ଚଢ଼ି ମୋତେ ପାରିଥାନ୍ତା ଧରି,ରକ୍ଷା ପାଇଗଲି ନର ସିଂହ ନାମ ସ୍ମରି ।ମୋ’ ହୃଦୁ ବାହାରି ତାର ଦୃଷ୍ଟି-ଦରପଣେ,ପ୍ରଭୁ ଉଭା ହେଲେ ବୋଲି ବିଚାରିଲି ମନେ ।ସ୍ୱାଭାବିକ ପ୍ରୀତି ଭୀତି ଏକ ହୃଦେ ଯାହାଜନ୍ମିଥାଏ, ଅନ୍ୟ ହୃଦେ ଜନମଇ ତାହା ।କେବଳ କପଟ ପ୍ରୀତି ନୀଚାଶୟଙ୍କର,ମଧୁର ଦର୍ଶନ ମାତ୍ର ମହାଭୟଙ୍କର ।ଚାଲିଗଲା ସାଧୁ ରକ୍ଷ ହୋଇ ନତମୁଖ,ହୃଦୟରୁ ଦୂରକରି ସଦ୍ୟଲବ୍ଧ ଦୁଃଖ ।ଋକ୍ଷ ବୃକ୍ଷମୂଳେ ଆସି ଚାଲିଯିବାଯାଏ,ବନ୍ଦୁକୀଙ୍କ ଗୋଳୀ ତ୍ୟାଗ ସୁବିଧା ନ ଥାଏ ।ତା’ପରେ ବରାହ ଚାରି ଦେଲେ ଦରଶନ,ଯାଉଥାନ୍ତି କରି ମୃଦୁ ନର୍ତ୍ତିତ ଗମନ ।ବିଚଳିତ ହୋଇଥାନ୍ତି କୁହାଟ ଶ୍ରବଣେ,ଊର୍ଦ୍ଧ୍ୱରୁ ପଡ଼ିବ ଗୋଳୀ ଥିଲା ନାହିଁ ମନେ ।ସହସା ଶ୍ରବଣେ ପାଇ ବନ୍ଦୁକ ନିନାଦ,ସାହସେ ପଳାଇଗଲେ ଜାଣି ପରମାଦ ।କେତେବେଳେ କି ଆପଦ ଆଣଇ ସଂସାର,ତହିଁକି ନ ପାରେ ଥାଇ ପ୍ରାଣୀ ଜ୍ଞାତସାର ।କିନ୍ତୁ ଯହିଁ ଜାଣିପାରେ ବିପଦଲକ୍ଷଣ,ସେ ସ୍ଥଳ ବରଜି ଚାଲିଯାଏ ତତକ୍ଷଣ ।ପ୍ରଭୁଙ୍କ ଅଭୟପଦେ ଯେ ଚିରପ୍ରଣତ,ଆପଦ ଆମୋଦେ ତାର ହୁଏ ପରିଣତ ।ଏହିଠାରେ ପାଇଗଲି ତହିଁର ପ୍ରମାଣ,ଅବନ୍ଧୁ ବନ୍ଦୁକ ମୁଖୁଁ ବରାହଙ୍କ ତ୍ରାଣ ।ତା’ପରେ ଅଇଲା ମୃଗ ବିଶାଳ ବିଗ୍ରହ,ତେଣେ ନଳୀ ନାଦୁଁ ଜାଣି ମୃଗୟୁ ନିଗ୍ରହ ।ସଭୟ ନୟନେ ଦେଲା ଊର୍ଦ୍ଧ୍ୱକୁ ଅନାଇ,ବସିଅଛି ନଳୀଧାରୀ ପ୍ରାଣ ନେବାପାଇଁ ।ତହିଁ ମୋତେ ଭୀତ ମୃଗ ନିଶ୍ଚେ ମଣିଥିବ,ଚିତ୍ରଗୁପ୍ତ ନାମଧେୟ ଶମନ-ସଚିବ ।ଯମଦଣ୍ଡରୂପୀ ନଳୀ କରେ ଧରୁଁ ଧରୁଁ,ପଲକେ ପଳାଇଗଲା ବନ୍ଧୁ ସନ୍ନିଧରୁ ।କାନନ ଚାଳନ ଘୋରରବ କରି ଶେଷପଲ୍ଲୀବାସୀ ପରିବେଶ କଲେ ପରବେଶ ।କା ହସ୍ତେ କୁଠାର ଚଣ୍ଡ ଦଣ୍ଡ କାହା କରେ,ବିରାଜଇ ସାହସର ଜନକ ରୂପରେ ।ରୁକ୍ଷ କେଶ ଅଧକେ କେ ଜୁଡ଼ା ଅଛି ବାନ୍ଧି,ଅଧା କେଶ ହେଉଛନ୍ତି ନୟନେ ବିବାଦୀ ।କାହା ରୁକ୍ଷ କେଶ ହୋଇଅଛି ବିକର୍ତ୍ତିତ,ବେଳ ଜାଣି ଗଣ୍ଡେ ଭାଲେ ହେଉଛି ନର୍ତ୍ତିତ ।କେ ଦକ୍ଷିଣ କର୍ଣ୍ଣମୂଳେ ଅଛି ଖୋଷା ପାରି,ବାମେ କେତେ କେଶ ଝୁଲେ ପହଞ୍ଚି ନ ପାରି ।କା’ କର୍ତ୍ତିତ କେଶ ଅଗ୍ର ଧରି ତାମ୍ର ବର୍ଣ୍ଣ,ଗ୍ରୀବା ପଛ ଧରି ଚୁମ୍ବୁଅଛି ବେନି କର୍ଣ୍ଣ ।କଟି ଆଚ୍ଛାଦନ କରି ମଳିନ ବସନେ,ନିବାରି ଉଦାରଜ୍ୱାଳା ବଗଡ଼ା ଅଶନେ ।ଆସିଥିଲେ କରି ମୃଗ-ମାରର ଉତ୍ସବ,ଦେଖିଲେ କେଉଁଠି କିଛି ପଡ଼ି ନାହିଁ ଶବ ।ଜାଣିଲେ ସକଳ ଶ୍ରମ ହୋଇଅଛି ପଣ୍ଡ,କୁଣ୍ଡାଇଲେ କେହି ତଳେ ବସି ଶୁଷ୍କ-ଗଣ୍ଡ ।ହୃଦୟେ ନୃସିଂହେ ଦେଇ ଶତ ଧନ୍ୟବାଦ,ବାହୁଡ଼ି ଆସିଲି ଲଂଘି ମୃଗୟା ପ୍ରମାଦ ।ତୁଳସୀ-ରାମାୟଣର କିୟଦଂଶକରନ୍ତି ଯେ ନାନା ଅର୍ଥ ବର୍ଣ୍ଣସମୂହର,ନବରସ ସର୍ବ ଛନ୍ଦ ଯା’ର ପରିଚର,ମଙ୍ଗଳଦାୟିନୀ ପୁଣି ମଙ୍ଗଳଦାୟକ,ପ୍ରଥମେ ବନ୍ଦଇଁ ସେହି ବାଣୀ-ବିନାୟକ ।ସିନ୍ଧମୁନିଗଣ ନିତି ସେବି ଯା’ ପୟର,ହୃଦୟ ମଧ୍ୟରେ ଦେଖିପାରନ୍ତି ଈଶ୍ୱର,ଶରଧା ବିଶ୍ୱାସରୂପ ଅଟେ ଯାହାଙ୍କର,ଦ୍ୱିତୀୟେ ବନ୍ଦଇଁ ସେହି ଗଉରୀ ଶଙ୍କର ।ବନ୍ଦେଁ ଶିବରୂପୀ ଗୁରୁ ନିତ୍ୟ ଜ୍ଞାନମୟ,ବକ୍ରବିଧୁ ନିତ୍ୟ ନେଇଥାନ୍ତି ଯା’ ଆଶ୍ରୟ,ସୀତାରାମ ଗୁଣଗ୍ରାମ ଅରଣ୍ୟବିହାରୀ,କବୀଶ୍ୱର କପୀଶ୍ୱର ବନ୍ଦଇଁ ବିଚାରି ।ଉଦ୍ଭବ ସ୍ଥିତି ସଂହାର କରି – କ୍ଳେଶହରୀ,ବନ୍ଦଇଁ ରାମବଲ୍ଲଭା ସୀତାଶ୍ରେୟସ୍କରୀ ।ବନ୍ଦଇଁ ଶ୍ରୀରାମ ହରି ଅଭୟଚରଣ,ଲୋଡ଼ନ୍ତି ବ୍ରହ୍ମାଦି ଦେବଗଣ ଯା’ ଶରଣ,ଅଶେଷ ବିଶ୍ୱର ଯେହୁ ପରମ କାରଣ,ଯା’ ଆଶ୍ରୟେ ହୁଏ ଭବସାଗର ତାରଣ,ଯା’ ମାୟାରେ ଅସତ୍ୟହିଁ ଦିଶେ ସତ୍ୟ ସମ,ରଜ୍ଜୁରେ ଉପୁଜିଥାଏ ଯେହ୍ନେ ଅହି ଭ୍ରମ,ନ ବୁଝି ଅସୁର ମୂଢ଼େ ମରୁଥାନ୍ତି ଭ୍ରମି,କବି ଆରମ୍ଭିଲେ ଗ୍ରନ୍ଥ ସେ ପୟରେ ନମି ।
ସମ୍ଭବତଃ ସମଗ୍ର ତୁଳସୀ ରାମାୟଣ ଗ୍ରନ୍ଥ ଖଣ୍ଡିକ ଏହିପରି ଭାବେର ଅନୁବାଦ କରିବାକୁ କବି ସଙ୍କଳ୍ପ ରଖି କାର୍ଯ୍ୟାରମ୍ଭ କରିଥିଲେ; କିନ୍ତୁ ଏତିକି ଅଂଶ ଲେଖିବା ପରେ ତାଙ୍କର ଜଣେ ବନ୍ଧୁ ସେହି କାର୍ଯ୍ୟରେ ହସ୍ତକ୍ଷେପ କରିଥିବାର ସମ୍ବାଦ ପାଇ ସେଥିରୁ ବିରତ ହେଲେ ।
ନାନା ପୁରାଣ ନିଗମ-ଆଗମ-ସମ୍ମତ,ରାମକଥା ରାମାୟଣେ ଅଛି ଯା ସତତ ।ସ୍ୱାନ୍ତଃ ସୁଖ ଆଶେ ତାହା ଶ୍ରୀ ତୁଳସୀ ଦାସ,କଲେ ମନୋହର ଭାଷା-ପ୍ରବନ୍ଧେ ପ୍ରକାଶ ।ଜୟ ବିନାୟକ ଗଜେନ୍ଦ୍ର ବଦନବୁଦ୍ଧିରାଶିର ଆଳୟ,ସିଦ୍ଧିବିଧାୟକ ସୁଗୁଣ ସଦନଦୟା କର ଦୟାମୟ ।ମୂକହିଁ ବକତା ପଙ୍ଗୁ ହିଁ ପାରଇଲଙ୍ଘି ପର୍ବତ ଗହନକରୁଣାରେ ଯା’ର, କରନ୍ତୁ କରୁଣାସେ କଳିମଳ ଦହନ ।ତରୁଣ ଅରୁଣ ବାରିଜନୟନନୀଳସରୋରୁହ ଶ୍ୟାମ,ଦୀନବନ୍ଧୁ କ୍ଷୀର- ସାଗର ଶୟନକର ମୋ’ ହୃଦୟ ଧାମ ।ହେ ଉମାରମଣ କରୁଣା ସଦନକୁନ୍ଦଇନ୍ଦୁ ସମ ଦେହ,ତ୍ରିଶୂଳଧାରଣ ମଦନ ମର୍ଦ୍ଦନଏ ଦୀନକୁ କର ସ୍ନେହ ।ବନ୍ଦଇଁ ଶ୍ରୀ ଗୁରୁଦେବ ପଙ୍କଜଚରଣ,ଗୁରୁ କୃପାସିନ୍ଧୁ ନରରୂପୀ ନାରାୟଣ,ସେ ଗୁରୁ ବଚନ ରବିକର ପରକାଶିମହା ମହୋ ତପପୁଞ୍ଜ ବେଗେ ଦିଏ ନାଶି ।ବନ୍ଦଇଁ ଶ୍ରୀ ଗୁରୁପଦ-କମଳ-ପରାଗ,ସୁରୁଚି ସୁବାସ ଯହିଁ ରସ ଅନୁରାଗ,ଗୁରୁପଦଧୂଳି ଚାରୁ ବର୍ଣ୍ଣ ସୁଧାମୟ,ଜନମ ମରଣ ଭବ ରୋଗ କରେ କ୍ଷୟ ।ସେ ଧୂଳି ସୁକୃତ ଶମ୍ଭୁ ବିମଳ ବିଭୂତି,ମଞ୍ଜୁଳ ମଙ୍ଗଳପ୍ରଦ ପ୍ରମୋଦ ପ୍ରସୂତି ।ଜନମନ-ଦର୍ପଣର ମଳଚୟ ହରେ,ଶିଷ୍ୟଶିରେ ଲାଗି ଗୁଣ ଗଣ ବଶ କରେ ।ଗୁରୁ ପଦ ନଖ ମଣି ଜିଣି ଜ୍ୟୋତିର୍ମୟଯା’ ସ୍ମରିଲେ ହୁଏ ଦିବ୍ୟ ଦୃଷ୍ଟିର ଉଦୟ ।ଭାଗ୍ୟବାନ ନର ହୃଦେ ହୋଇ ତା’ ପ୍ରକାଶ,ଅଚିରେ କରଇ ମୋହ-ତିମିର ବିନାଶ ।ସୁନିର୍ମଳ ଜ୍ଞାନଚକ୍ଷୁ କରି ଉନ୍ମୀଳନ,ଭବ-ନିଶା ଦୋଷ ଦୁଃଖ କରଇ ଖଣ୍ଡନ ।ଶ୍ରୀରାମଚରିତ ମଣିମାଣିକ୍ୟପଟଳ,କିବା ଗୁପ୍ତ କି ପ୍ରକଟ ଦେଖାଏ ସକଳ ।ଯେସନ ସାଧକସିଦ୍ଧ ରଞ୍ଜି ସୁଅଞ୍ଜନ,ଦେଖଇ କୌତୁକମୟ ମହୀଶୈଳ ବନ,ତେସନ ସୁଜନ ଲଭି ଗୁରୁ- ଉପଦେଶ,ଦେଖଇ କୌତୁକମୟ ଗିରି ବନଦେଶ ।ଗୁରୁ ପଦରଜ ମୃଦୁ ମଞ୍ଜୁଳ ଅଞ୍ଜନ,ନୟନ-ଅମିୟ ଦୃକ ଦୋଷ ବିଭଞ୍ଜନ ।ସେ ଶୁଦ୍ଧ ଅଞ୍ଜନେ ରଞ୍ଜି ବିବେକ ଲୋଚନ,ବର୍ଣ୍ଣଇଁ ରାମଚରିତ ଭବ ବିମୋଚନ ।ବନ୍ଦୁଅଛି ସବିନୟେ ବ୍ରାହ୍ମଣ, ଚରଣ,ହେଉ ମୋହୋ ମୋହ ଜାତ ସଂଶୟ ହରଣ ।ସୁଜନ ସମାଜ ସର୍ବଗୁଣର ଆକର,ପ୍ରଣମଇଁ ପ୍ରେମେ ତାଙ୍କ ଯୋଡ଼ି ବେନିକର ।ସାଧୁଙ୍କ ଚରିତ ଶୁଦ୍ଧ କାର୍ପାସ ସମାନ,ନୀରସ ବିଶଦ ତାର ଫଳ ଗୁଣବାନ ।ନିବାରଇ ନାନା ଦୁଃଖ ସହି ପର ଲାଜ,ତା’ ଯଶ ବନ୍ଦନ୍ତି ଲୋକେ ସୁସଭ୍ୟ ସମାଜ ।ଆନନ୍ଦ ମଙ୍ଗଳମୟ ସଜ୍ଜନ ସମାଜ,ଜଗତେ ଅଟଇ ଗତିଶୀଳ ତୀର୍ଥରାଜ ।ଶ୍ରୀରାମ ଭକତି ତହିଁ ସୁରଧୂନୀ ଧାର,ତହିଁ ମିଶେ ସରସ୍ୱତୀ ଶାଶ୍ୱତ ବିଚାର ।ଭଲ ମନ୍ଦ ଜ୍ଞାନ କଥା ଭାସ୍କରଦୁହିତା,ନାଶନ୍ତି କଳିର ତାପ ହୋଇ ପ୍ରବାହିତା ।ହରିହର କଥା ତାଙ୍କ ମଞ୍ଜୁ ନୀରବେଣୀ,ଦିଅନ୍ତି ମଙ୍ଗଳ ମୁଦ ହୋଇ ଶ୍ରେଣୀ ଶ୍ରେଣୀ ।କୁଳେ କୁଳତୀର୍ଥରାଜ ନିଜ ଧର୍ମସ୍ଥିତି,ବିଶ୍ୱାସ ବିଶାଳ ବଟ ନାଶେ ଯମ-ଭୀତି ।ଦେଶେ ଦେଶେ ହୃଦେ ହୃଦେ ହୋଇ ପ୍ରକାଶିତକରୁଛନ୍ତି ସଦ୍ୟଫଳ ଲୋକେ ପ୍ରଦର୍ଶିତ ।ଅଲୌକିକ ଏହି ତୀର୍ଥରାଜର ମହିମା,ଶେଷ କରିହୁଏ ନାହିଁ ବର୍ଣ୍ଣି ତାର ସୀମା ।ଶୁଣି ବୁଝ ଜନ ହୁଏ ଆନନ୍ଦିତ ମନ,ଅନୁରାଗ କଲେ ହୁଏ ତୀର୍ଥେ ମଜ୍ଜନ ।ସାଧୁ ସମାଜ ପ୍ରୟାଗ ଗୁଣ ଅସାମାନ୍ୟ,ଇହଲୋକେ ଦେଇଥାଏ ଚାରିବର୍ଗ ଦାନ ।ମଜ୍ଜନର ଫଳ ଦେଖ ମିଳଇ ତତ୍କାଳ,କାକ ହୋଇଯାଏ ପିକ ବକ ହିଁ ମରାଳ ।ଏ କଥାକୁ ଶୁଣି ଲୋକେ ଆଶ୍ଚର୍ଯ୍ୟ ନ ମଣ,ଅସମ୍ଭବ ସମ୍ଭବାଇଥାନ୍ତି ସାଧୁଗଣ ।ବାଲ୍ମୀକି ନାରଦ କୁମ୍ଭଯୋନି ଋଷିମାନେ,କି ଥିଲେ କି ହେଲେ କହିଛନ୍ତି ନିଜ ଗାନେ ।ଜଳଚର ସ୍ଥଳଚର ଖେଚର ପ୍ଳବଙ୍ଗ,ଲଭିଥାନ୍ତି ସଦଗତି ଲଭି ସାଧୁସଙ୍ଗ ।ପାଷାଣହିଁ ସାଧୁ ପଦରଜର ପ୍ରସାଦୁଁ,ଦିବ୍ୟ ତନୁ ଲଭିଅଛି ନିସ୍ତରି ପ୍ରମାଦୁ ।ସବୁ ଶାସ୍ତ୍ର ଗାଏ ସାଧୁସଙ୍ଗର ପ୍ରଭାବ,ସାଧୁସଙ୍ଗୁ ବଳି ନାହିଁ ଜଗତରେ ଲାଭ ।ସାଧୁସଙ୍ଗ ବିନା ଭବେ ବିବେକ ଦୁର୍ଲ୍ଲଭ,ରାମ କୃପା କଲେ ତାହା ହୁଅଇ ସୁଲଭ ।ସାଧୁସଙ୍ଗ ଏକା ମୁଦ ମଙ୍ଗଳର ମୂଳ,ସିଦ୍ଧିରୂପ ଫଳ ତାର ସାଧନାଟି ଫୁଲ ।ଶଠହିଁ ସୁଜ୍ଞାନ ଲଭେ ସାଧୁସଙ୍ଗ ପାଇ,ଲୌହ ସ୍ୱର୍ଣ୍ଣ ପାଲଟଇ ସ୍ପର୍ଶମଣି ପାଇଁବିଧିବଶେ ସାଧୁ ଯଦି ରହେ କୁସମାଜେ,ଫଣୀ ମଣି ପରି ନିଜ ଗୁଣ ଘେନି ରାଜେ ।ହରି ହର ବିଧି କବି କୋବିଦ ଭାରତୀ,ସାଧୁଙ୍କ ମହିମା ମୁଖେ ବର୍ଣ୍ଣି ନ ପାରନ୍ତି ।ମୋ’ ଭଳି ମାନବ ସେହି ଗୁଣ ବର୍ଣ୍ଣିବାର,ଶାକ-ବଣିକାର ହସ୍ତେ ରତନ ବେପାର ।ବନ୍ଦଇ ସମଦରଶୀ ସାଧୁ ପଦଦ୍ୱୟେ,ମିତ୍ର-ଅରି ଭାବ ଭବେ ନାହିଁ ଯା’ ହୃଦୟେ,ସମସ୍ତଙ୍କ କରିଥାନ୍ତି ସମ ଉପକାର,ଉଚ୍ଚ ନୀଚ ବୋଲି କେବେ ନ ଥାଏ ବିଚାର ।ଯେସନ ସୁପୁଷ୍ପ ହୋଇ ଅଞ୍ଜଳିରେ ସ୍ଥିତ ।ବାମ ଦକ୍ଷ ବେନିକର କରେ ସୁବାସିତ ।ଦୟାଳୁ ସ୍ୱଭାବ ସାଧୁ ସରଳ ହୃଦୟ,ବିଶ୍ୱବନ୍ଧୁ ରୂପେ ଥରେ ଘେନ ମୋ’ ବିନୟ ।କୃପାକରି ଦିଅ ବାଳ-ହୃଦେ ମୋ’ ସୁମତି,ଶ୍ରୀ ରାମଚରଣ ପଦ୍ମେ ହେଉ ମୋର ମତି ।ସଭୟ ହୃଦୟେ ଏବେ ବନ୍ଦେ ଖଳଗଣ,ବିନା କାର୍ଯ୍ୟେ କରନ୍ତି ଯେ ଶତ୍ରୁତାଚରଣ ।ପର-ଉପକାର ଚାହିଁ ଲଭନ୍ତି ପ୍ରସାଦ,ଭାଙ୍ଗିଲେ ହରଷ ତାଙ୍କ ବନିଲେ ବିଷାଦ ।ହରିହର ଯଶ ଶଶଧରକୁ ସେ ରାହୁ,ଅନିଷ୍ଟସାଧନେ ବୀର ଦଶଶତ ବାହୁ ।ପରଦୋଷ ଦେଖିବାକୁ ସହସ୍ର ଲୋଚନ,ପରହିତ ଘୃତନାଶୀ ମାଛି ତାଙ୍କ ମନ ।ତେଜରେ କୃଶାନୁ ଖଳ ରୋଷେ ମହେଶ୍ୱର,ପାପ ଅପଗୁଣ ଧନେ ଧନୀ ଧନେଶ୍ୱର ।ଖଳର ଉଦୟ କେତୁ ସମ ଭୟପ୍ରଦ,ଖଳ ଦରଶନେ ଲୋକେ ଗଣନ୍ତି ବିପଦ ।ଜଗତଜନକୁ ଖଳ ମହାଶୟ ସଲ,କୁମ୍ଭକର୍ଣ୍ଣ ସମ ଖଳ ଶୋଇଥିବା ଭଲ ।ପରହାନି କରେ ଖଳ ପ୍ରାଣ ଦେଇ ବଳି,କରକା ଦ୍ରବଇ ଯଥା ନାଶି ନାଗବଲ୍ଲୀ ।ପରଦୋଷ ଗାନେ ଖଳ ସହସ୍ରବଦନ,ଶେଷନାଗ ମଣି ତାଙ୍କୁ କରୁଛି ବନ୍ଦନ ।ପରଖଚ ଶୁଣେ ଖଳ ଅୟୁତ ଶ୍ରବଣେ,ବଳି ତେଣୁ ତାକୁ ପୃଥୁରାଜ(୧) ସମ ମଣେ ।ଶକ୍ର ସମ ମଣି ଖଳଠାରେ ମୁଁ ବିନୀତଅବିରତ ଇଚ୍ଛେ ଯେଣୁ ସୁରାଳୟ ହିତ ।ନିପୁଣ ସତତ ବାକ୍ୟ ବଜ୍ର ବରଷଣେ,ସହସ୍ରଲୋଚନ ପରଦୋଷ ଦରଶନେ ।ଜଳେ ଖଳ ମିତ୍ରରହିଁ ଚାହିଁଲେ ଉନ୍ନତି,ଏଣୁ କରେଁ କରଯୋଡ଼ି ଖଳକୁ ବିନତି ।ଯେତେହେଁ ବିନୀତ ହୁଅ ଦେଖାଅ ସଦ୍ଭାବ;ଖଳ କେବେ ନ ଛାଡ଼ଇ ଆପଣା ସ୍ୱଭାବ ।ପାଳିଲେହେଁ ଶିଶୁକାଳୁ ଖଆଇ ପାୟସ,ଛାଡ଼ି ନ ପାରଇ ମାଂସଭୋଜନ ବାୟସ ।ସାଧୁ ଦୁଷ୍ଟ ପଦେ ବନ୍ଦି କରୁଛି ସମ୍ମାନଦୁଃଖ ଦେବାପାଇଁ ଦୁହେଁ ଅଟନ୍ତି ସମାନ ।ସାଧୁର ବିଯୋଗେ ପ୍ରାଣେ ନ ରହଇ ସୁଖ,ଅସାଧୁ ସଂଯୋଗେ ତଥା ହୁଏ ମହାଦୁଃଖ ।ଜଳୌକା ଜଳଜ ଏକ ଜଳରୁ ଜନମ,ହେଲେହେଁ ଦୁହିଁଙ୍କ ଗୁଣ ନ ହୁଅଇ ସମ ।ସୁଧା ସୁରା ଜନମିଲେ ଯେସନ ସାଗରୁ,ସାଧୁ ଅସାଧୁଙ୍କ ଜନ୍ମ ତଥା ଜଗତରୁ ।ସାଧୁ ସୁଧା ସୁଧାକର ସୁରଧୁନୀ ପରିଅସାଧୁ ଗରଳ ବହ୍ନି କର୍ମନାଶା ସରି ।୧ । ପୃଥୁରାଜ-ଭାଗବତ କଥା ଶୁଣିବାକୁ ଦୁଇ ହଜାର କର୍ଣ୍ଣର ଶୁଣିବା ଶକ୍ତି ପାଇବାକୁ ବର ମାଗିଥିଲେ ।ନିଜ ନିଜ ଗୁଣ କରିଥାନ୍ତି ପରକାଶ,ଭଲ କଲେ ଯଶ ମିଳେ ମନ୍ଦେ ସର୍ବନାଶ ।ସୁଗୁଣ ଦୁର୍ଗୁଣ ଭବେ ଜାଣନ୍ତି ସକଳ,ଯେ ଯାହା କରଇ ତାହା ତାକୁ ଲାଗେ ଭଲ ।ଯେ ଭଲ ସେ ଭଲ କରି ପରଶଂସା ପାଏ,ଯେ ମନ୍ଦ ସେ ମନ୍ଦ କରି ନୀଚତାକୁ ଯାଏ ।ଅମୃତ ଖାଇଲେ ଲୋକ ହୁଅଇ ଅମର,ମରଣ ଲଭଇ ସିନା ଖାଇଲେ ଜହର ।ସାଧୁ ଜନ ହୋଇଥାଏ ସଦା ଗୁଣଗ୍ରାହୀ,ଅସାଧୁ ଦୁର୍ଗୁଣ ନିଏ ଜ୍ଞାନ ତାର କାହିଁ ।କେତେ ଲୋକ ଗୁଣ ଦୋଷ ନ ପାରନ୍ତି ବାରି;ଏଣୁ ଗୁଣ ଦୋଷ କିଛି କହିବା ବିସ୍ତାରି ।ଭଲ ମନ୍ଦ ସବୁ କଥା ବିଧାତା-ନିର୍ମିତ,ଗୁଣ ଦୋଷ ସବୁ ଶାସ୍ତ୍ରେ ହୋଇଛି ଚିହ୍ନିତ ।ଦୁଃଖ ସୁଖ ପାପ ପୁଣ୍ୟ ଦିନ ଆଉ ରାତି,ଭଲ ମନ୍ଦ ହେବ ଦୈତ୍ୟ ସୁଜାତି କୁଜାତି ।ଉଚ୍ଚ ନୀଚ ରାଜା ରଙ୍କ ସାଧୁ ଆଉ ଖଳ,ସୁରଧୁନୀ କର୍ମନାଶା ଅମୃତ ଗରଳ ।ସତ୍ୟ ମିଥ୍ୟା ଜନ୍ମ ମୃତ୍ୟୁ ସ୍ୱରଗ ନରକ,ସର୍ଜନା କରିଛି ସବୁ ବ୍ରହ୍ମାଣ୍ଡ-ସର୍ଜକ ।ଦୋଷ ଛାଡ଼ି ଗୁଣ ବାଛି ନିଏ ସନ୍ଥ ଜନ,ହଂସ ଯଥା ଜଳୁ କ୍ଷୀର କରଇ ଗ୍ରହଣ ।ଖଳ ଯେବେ ସ୍ୱାର୍ଥଲୋଭେ ସାଧୁବେଶ ଧରେକାଳନେମୀ ଦଶାନନ ପରି ଶେଷେ ମରେ ।ପ୍ରକୃତ ଯେ ସାଧୁ ବେଶେ ନକରେ ଆଦର,ଯଥା ଋକ୍ଷ ଜାମ୍ବବନ୍ତ ପବନକୁମର ।ସାଧୁସଙ୍ଗ କଲେ ଲାଭ ଖଳ ସଙ୍ଗେ ହାନି,ବେଦେ ଶାସ୍ତ୍ରେ ଅଛି ଏହା ଜାଣିଥାନ୍ତି ଜ୍ଞାନୀ ।ଗଗନେ ଉଡ଼ଇ ଧୂଳି ପବନ ସହିତ,କାଦୁଅ ହୁଅଇ ହେଲେ ଜଳରେ ମିଳିତ ।ରାମ ରାମ ଭାଷେ ଶୁକ ସାଧୁଘରେ ରହି,ଅସାଧୁର ଘରେ ଥିଲେ କୁବାକ୍ୟ ଭାଷଇ ।କୁସଙ୍ଗରେ ଧୂମ ହୁଏ କଳା କଦାକାର,ସାଧୁ କରେ ମସୀ ହୋଇ କରେ ଉପକାର ।ଲୂତାଜାଲେ ଯେଉଁ ଧୂମ ହୁଅଇ ଅଳନ୍ଧୁ,ଗଗନରେ ହୋଇଥାଏ ମେଘ ଲୋକ-ବନ୍ଧୁ ।କୁସ୍ଥାନେ ରହିଲେ ଗ୍ରହେ ଦିଅନ୍ତି କୁଫଳ,ଶୁଭ ସ୍ଥାନଗତ ହେଲେ କରନ୍ତି ମଙ୍ଗଳ ।ଗଙ୍ଗାରେ ପଡ଼ିଲେ ଜଳ ହୁଏ ଗଙ୍ଗାଜଳ,ପଡ଼ିଲେ ଚାଣ୍ଡାଳ କୂପେ ଦୂଷିତ କେବଳ ।ମେଘ ସୃଷ୍ଟିକରେ ବାତ ବାଷ୍ପ ସଙ୍ଗେ ରହି,ଲଭିଲେ ଅନଳ ସଙ୍ଗ ଗୃହ ଦିଏ ଦହି ।ଦେବଛଡ଼ା ବାସ ଶିରେ କରନ୍ତି ବନ୍ଧନ,ପ୍ରେତର ବସନ ଦୂରୁ କରନ୍ତି ବର୍ଜନ ।ସାଧୁ ହେଉ ଖଳ ହେଉ ସର୍ବେ ରାମମୟ,କରଯୋଡ଼ି ବନ୍ଦୁ ଅଛିଁ ହେଉନ୍ତୁ ସଦୟ ।ଦେବାସୁର ନାଗ ନର ଗନ୍ଧର୍ବ କିନ୍ନର,ଏମାନଙ୍କୁ ବନ୍ଦୁଅଛି ଯୋଡ଼ି ବେନି କର ।ଖଗ ମୃଗ ପ୍ରେତ ପିତୃ ସ୍ଥାବର ଜଙ୍ଗମ,କୃପାକର ବନ୍ଦୁଅଛି ମୁଁ ମୂଢ଼ ଅକ୍ଷମ ।ଚାରି ଲକ୍ଷ ଚଉରାଶି ଜାତି ଜୀବଗଣ,ସର୍ବେ ରାମମୟ ବନ୍ଦେଁ ସଭିଙ୍କ ଚରଣ ।କେ ଜଳେ କେ ସ୍ଥଳେ ନଭେ କରିଅଛ ବାସମୋ’ ବିନୟ ଘେନି କର କରୁଣା ପ୍ରକାଶ ।ନାହିଁ ବିଦ୍ୟା ବୁଦ୍ଧି ବଳ କିଛି ଏ ଦାସର,ଭରସା କରିଛିଁ ତୁମ୍ଭ ପଦ-ସାରସର ।ସର୍ବେ ମିଳି ଏକମନେ ହୁଅନ୍ତୁ ସଦୟ,ଘେନ ଘେନ ଘେନ ମୋର ସପ୍ରେମ ବିନୟ ।କରିବାକୁ ଶ୍ରୀରାମଙ୍କ ରଚିତ ବର୍ଣ୍ଣନା,ଲଘୁ ହୃଦୟରେ ମୋର ପୋଷିଛିଁ ବାସନା ।ସ୍ୱଳ୍ପ ମୋର ମତି ତହିଁ ଚରିତ ମହାନ,କବିତାର ରୀତି ପୁଣି କିଛି ନାହିଁ ଜ୍ଞାନ ।ଶକତି କଙ୍ଗାଳ ମୋର ମନୋରଥ ରଜା,ପିପୀଲିକା ସିନ୍ଧୁ ପାରେ ବଳାଉଛି ମଜ୍ଜା ।ସେ ଚରିତ ଉପଯୋଗୀ ଭାଷାଜ୍ଞାନ ନାହିଁ,ଶଣସୂତ୍ର ଲଗାଉଛି ମଣି ଗୁନ୍ଥା ପାଇଁ ।ମୃତ୍ତିକା ପାତ୍ରରେ ସୁଧା ରଖିବି ସଜ୍ଜନ,ଏ ଧୃଷ୍ଟତା ଦରଦ୍ର୍ୟର କରିବେ ମାର୍ଜ୍ଜନ ।ମୋ’ ଭାଷାଦୋଷରେ ରୋଷ ମାନସେ ନ ଧରି,ଶୁଣିବେ ସାଗ୍ରହେ ଶିଶୁ ଭାଷଣର ପରି ।କରୁଛିଁ ତୁମ୍ଭଙ୍କୁ ମୁହିଁ ଜ୍ଞାନେ ପିତା-ଜ୍ଞାନ,ଗଣ ମୋତେ ନିଜ ଶିଶୁ ସନ୍ତାନ ସମାନ ।ଶିଶୁର ବଚନ ଶୁଣି ହସିଥାନ୍ତି ଜନେ,ହସନୀୟ ହେଲେହେଁ ତା’ ପ୍ରୀତିପ୍ରଦ ମଣେ ।ଅବଶ୍ୟ ହସିବେ ଖଳେ ଲଗାଇ ଦୂଷଣ,ତହିଁ ଶ୍ଳାଘ୍ୟ ମଣେ ଯେଣୁ ତାଙ୍କ ତା’ ଭୂଷଣ ।ନିଜ କବିତାକୁ କେ ବା ନ ବୋଲଇ ଭଲ,ସରସ ଥାଉ ବା ଥାଉ ନୀରସ କେବଳ ।ପରର କବିତା ଦେଖି ପ୍ରୀତିଲାଭ କରେ,ସେପରି ସଜ୍ଜନ ଅତି ଅଳ୍ପ ଜଗତରେ ।ମେଘର ଜଳରେ ସର ସରିତ ସମାନ,ବଢ଼ାନ୍ତି ପରର ଗୁଣେ ନିଜର ସମ୍ମାନ ।ଏପରି ଅନେକ ଲୋକ ଅଛନ୍ତି ଜଗତେ,ସାଧୁ ବଢ଼େ ଚନ୍ଦ୍ର ବୃଦ୍ଧି ଚାହିଁ ସିନ୍ଧୁ ମତେ ।ଭାଗ୍ୟ ମୋର ସାନ ତହିଁ ବଡ଼ ଅଭିଳାଷ,ଏ ଯୋଗୁଁ କରିବେ କେହି କେହି ଉପହାସ ।ଶ୍ରୀରାମଚରଣକଞ୍ଜେ ନାହିଁ ଯା’ଙ୍କ ପ୍ରୀତି,ହସିବେ ସେ କବିଗଣ ଚାହିଁ ମୋ’ ଏ ରୀତି ।ସେଥିକି ମୋ’ କାବ୍ୟ ହାସ୍ୟରସମୟ ବୋଲି,ସେ ହାସ୍ୟ ଚନ୍ଦନ ମଣି ଅଙ୍ଗେ ହେବି ବୋଳି ।ରାମଚନ୍ଦ୍ରଚରଣରେ ଅଛି ଯା’ ପୀରତି,ମଧୁର ଲାଗିବ ମଣେ ମୋର ଏ ଭାରତୀ ।ନୁହଇଁ ମୁଁ କବି, ନାହିଁ ଅଳଙ୍କାରଜ୍ଞାନ,ନ ଜାଣଇ ଛାନ୍ଦରୀତି ପ୍ରବନ୍ଧ ବିଧାନ ।ପ୍ରବୀଣ ଚତୁର ନୁହେଁ, ନୁହେଁ ମୁଁ ବିଦ୍ୱାନ,ଗୋଟିଏ କଳା ହିଁ ହୃଦେ ପାଇ ନାହିଁ ସ୍ଥାନ ।ଭାବ-ଭେଦ ରସ-ଭେଦ ଅଛଇ ଅପାର,କବିତାର ଦୋଷଗୁଣ ବିବିଧ ପ୍ରକାର ।ସେସବୁରୁ ଜ୍ଞାନକୁ ମୋ’ ଆସି ନାହିଁ ଏକ,ନ ଥିବେ ମୋ’ଠାରୁ ବଳି ବିଶ୍ୱେ ଅବିବେକ ।ମଙ୍ଗଳ ଭବନ ରାମ ଅମଙ୍ଗଳହାରୀ,ଜପୁଛନ୍ତି ତାଙ୍କୁ ଉମା ସଙ୍ଗେ ତ୍ରିପୁରାରି ।ଉଦାରଚରିତ ପ୍ରଭୁ ଗୁଣର ନିଧାନ,ଯଶ ତାଙ୍କ ଗାଉଛନ୍ତି ନିଗମ ପୁରାଣ ।ରାମନାମହୀନ ହେଲେ ସୁକବି-କବିତା,ଯେତେ ଗୁଣ ଥାଉ ତାହା ନୁହଇ ଶୋଭିତା ।ଯେତେ ଅଳଙ୍କାର ଘେନୁ ଚନ୍ଦ୍ରମୁଖୀ ନାରୀ,ବସ୍ତ୍ର ବିନା ପାରଇ କି ହୋଇ ମନୋହାରୀ !ଗୁଣହୀନ କାବ୍ୟ କରିଥାଉ ମନ୍ଦ କବି,ଥିଲେ ତହିଁ ରାମନାମ ସୁରମ୍ୟ ସୁରଭି,ବିବୁଧମଣ୍ଡଳ ତାକୁ କରନ୍ତି ଆଦର,ସୁରଭିତ କୁସୁମକୁ ଯଥା ମଧୁକର ।ନିର୍ଗୁଣ କବିତ୍ୱେ ମୋର ରାମଯଶ ଭରି,ଅକବି ହେଲେହେଁ ଗଣି ହେବି କବି ପରି ।ସେ ଭରସା କରିଅଛିଁ ହୃଦୟେ ପୋଷଣ,ସୁସଙ୍ଗରୁ ଲୋକେ ପାଇଥାନ୍ତି ବଡ଼ପଣ ।ଚନ୍ଦନର ସଙ୍ଗଗୁଣେ ଧୂମ ସୁବାସିତ,ଦେଖାଯାଏ କରିଥାଏ ଲୋକ ଉଲ୍ଲାସିତ ।ରଚନା ମୋହର ହୋଇଥିଲେହେଁ କୁତ୍ସିତ,ରାମକଥା ଘେନି ହୋଇପାରେ ସୁରୋଚିତ ।ଶ୍ରୀରାମଚରିତ ହୋଇ ମଳୟ ପବନ,କିପାଁ ନ କରିବ ମୋର କାବ୍ୟକୁ ଚନ୍ଦନ ।ମୂର୍ଖମୁଖସୃତ ରାମଚରିତ ଅମିୟ,କାଳୀ ଗାଈ ଦୁଧ ପରି ହେଉ ଲୋକପ୍ରିୟ ।ମଣି ଶୋଭେ ସର୍ପଶିରେ ମାଣିକ୍ୟ ଭୂଧରେ,ଗଜମୋତି ଶୋଭୁଥାଏ ଗଜ ମସ୍ତକରେ ।ରାଜାଶିରେ ବାମା ବକ୍ଷେ ପାଇଲେ ସେ ସ୍ଥାନ,ଅଧିକ ତାହାଙ୍କ ଶୋଭା ହୁଏ ବର୍ଦ୍ଧମାନ ।କବିତା ସେରୂପେ ଜନ୍ମି ସୁକବି ବଦନେ,ଶୋଭା କରେ ବିକଶିତ ଗୁଣଜ୍ଞ ସୁଜନେ ।ଶାରଦା ତ ନ ବାଛନ୍ତି ପଣ୍ଡିତ ମୂରୁଖ,ଭକତର ଭକତିରେ ଲଭିଥାନ୍ତି ସୁଖ ।ଭକତି ଦେଖିଲେ ତେଜି ବ୍ରହ୍ମାର ସଦନ,ଭକତର ହୃଦପଦ୍ମେ ସ୍ଥାପନ୍ତି ଆସନ ।ଶାରଦାଙ୍କ ଭୂଷା ପାଇଁ ନାହିଁ ମୋ’ ସଙ୍ଗତି,ଯାହା ଅଛି ତାହା ଦେଇ କରୁଛିଁ ଭକତି ।ପ୍ରାକୃତ ଜନର ଗୁଣ ଗାନ କଲେ ଲୋଭେ,ମସ୍ତକ ଝୁଣନ୍ତି ଦେବୀ ହୃଦୟର କ୍ଷୋଭେ ।ହୃଦୟସାଗରେ ମତି ଶମ୍ବୁକପଟଳ,ତହିଁକି ଶାରଦା ଦେବୀ ସ୍ୱଚ୍ଛ ସ୍ୱାତୀଜଳ ।ସୁବିଚାର ମେଘ ଯଦି କରଇ ବର୍ଷଣ,ଜନ୍ମଇ କବିତା-ମୋତି କହନ୍ତି ସୁଜନ ।ଶ୍ରୀରାମଚରିତେ ଯେତେ ଦେବୀଙ୍କ ତର୍ପଣ,ଅନ୍ୟେ ନାହିଁ ବୋଲି କହିଥାନ୍ତି ବୁଧଗଣ ।କବିତା ମୁକୁତା ଯୁକ୍ତି ଯନ୍ତ୍ରେ ରନ୍ଧ୍ର କରି,ଗୁନ୍ଥିଲେ ଶ୍ରୀରାମ-କଥା ସୂତ୍ର ମଧ୍ୟେ ଭରି,ସୁମନେ ସୁମନେ ତାହା ହୃଦରେ ମୁଦରେ,ଘେନିଲା ମାତ୍ରକେ ମନ ପ୍ରାଣ ସ୍ନିଗ୍ଧ କରେ ।ଈଶ୍ୱର-ଦ୍ରୋହୀ(୧୯୨୦) (ସେପ୍ଟେମ୍ବର, ୧୯୨୦, ଉତ୍କଳ ସାହିତ୍ୟ)ବିଶ୍ୱପତି ଆଦ୍ୟେ କରି ଖାଦ୍ୟ ସରଜନ,ତହିଁପରେ ସରଜିଲେ ଜୀବଜନ୍ତୁଗଣ ।ଜୀବନଧାରଣ ପାଇଁ ଯେତେ ଦରକାର,ପ୍ରକାଣ୍ଡ ବ୍ରହ୍ମାଣ୍ଡଗୋଟା ତହିଁର ଭଣ୍ଡାର ।ଜୀବନରକ୍ଷଣ ଯୋଗ୍ୟ ଅବୟବମାନ,ଯଥାଯଥ ରୂପେ କରି ଅଛନ୍ତି ନିର୍ମାଣ ।ସେହିରୂପେ ଦେଇଛନ୍ତି ବୁଦ୍ଧି କଉଶଳ,ଯେଉଁ ରୂପେ ହେବ ଯା’ର ଜୀବନେ କୁଶଳ ।ତା’ ଉପରେ ଦେଇଛନ୍ତି ମାନବକୁ ଜ୍ଞାନ,ଜ୍ଞାନର ଉପରେ ପୁଣି ବିବେକର ସ୍ଥାନ ।ବିବେକ ଯେ ଲଭିଥାଏ ସେ ଏକା ମାନବ,ବିବେକବିହୀନ ଜ୍ଞାନ କରଇ ଦାନବ ।ବିଧିଦତ୍ତ ବୃତ୍ତିର ଯେ ଅପବ୍ୟବହାରକରେ, ସେ ଈଶ୍ୱରଦ୍ରୋହୀ ଧିକ୍ ତା’ ବିଚାର ।ସକଳ ମାନବ ଏକ ଈଶ୍ୱର-ସନ୍ତାନ,ବିବେକୀ ବିଚାରେ ତହିଁ ନାହିଁ ବଡ଼ ସାନ ।ନିଜେଦଶ ପରଦେଶ କରେ ଭେଦଜ୍ଞାନ,ସେ ଈଶ୍ୱରଦ୍ରୋହୀ ତାଙ୍କ ଅଧମ ସନ୍ତାନ ।ପରଦେଶ ଧନ ଲୁଟି ନିଜଦେଶ ପୋଷେ,ନ ବିଚାରି ପରଦୁଃଖ ନିଜଦେଶ ତୋଷେ,ପରଦୋଷେ ଅଗ୍ନିଶର୍ମା ନିଜଦୋଷେ ଅନ୍ଧ,ଈଶ୍ୱରଦ୍ରୋହୀ ସେ, ତାର ତହିଁରେ ଆନନ୍ଦ ।ପରଗୁଣ ପ୍ରଶଂସାରେ ଲଜ୍ଜା ଲଭେ ଦ୍ୱେଷେ,ନିଜ ଗୁଣ ପ୍ରଚାରିତ କରେ ଦେଶେ ଦେଶେ,କଣ୍ଟକ ପକାଏ ନେଇ ପରଜ୍ଞାନ-ପଥେ,ସେ ଈଶ୍ୱରଦ୍ରୋହୀ ନିଜେ ଭ୍ରମି ଜ୍ଞାନରଥେ,ନିଜ ଦେଶ ପ୍ରବେଶନେ ପରେ କରେ ମନା,ପର ଦେଶେ କରେ ନିଜ ପ୍ରଭୁତ୍ୱ କାମନା ।ଅଧର୍ମ ଆଚରି କରେ ପର ଦେଶ ଜୟ,ସେ ଈଶ୍ୱରଦ୍ରୋହୀ, ତାର ପ୍ରାଣ ପାପମୟ ।ସମଗୁଣେ ପୂଜା ଘେନେ ନାନା ଉପଚାରେ,ଅନ୍ୟକୁ କଣିକା ଘେନାକଥା ନ ପଚାରେ ।ନିଜ ଲାଭେ ଶତଜିହ୍ୱ, ପରପାଇଁ ମୂକ,ନିଶ୍ଚୟ ଈଶ୍ୱରଦ୍ରୋହୀ ସେହି ବାବଦୂକ ।ନିଜେ କରେ ମଦ୍ୟ ମାଂସ ଅତ୍ୟଧିକ ଗ୍ରାସ,ଚାହୁଁଥାଏ ଅନ୍ନ ବିନା ଅନ୍ୟ ଉପବାସ,ଉପବାସୀଠାରୁ ପୁଣି ଆଶା କରେ ଧନ,ନିଶ୍ଚୟ ଈଶ୍ୱରଦ୍ରୋହୀ ରାକ୍ଷସ ସେ ଜନ ।ଦେଖୁଥାଏ ଅନ୍ୟ ଶୀତ ବାତେ ଥରହର,ବହୁମୂଲ୍ୟ ବାସେ ନିଜେ ହୁଏ ମନୋହର,ତା’ ଉପରେ ମଣ୍ଡିଥାଏ ବିବିଧ ଭୂଷଣ,ସେହିଟି ଈଶ୍ୱରଦ୍ରୋହୀ ଅବନୀ-ଦୂଷଣ ।ଈଶ୍ୱରଙ୍କ ଦତ୍ତ ଧନେ ଈବର ସନ୍ତାନବଞ୍ଚିତ ହେବାର ନୁହଁ ଈଶ୍ୱର-ବିଧାନ,ସେ ଧନକୁ ରଖଇ ଯେ ଆସୁରିକ ବେଳ,ଅସ୍ତ୍ରଶସ୍ତ୍ର-ବିବେଷ୍ଟିତ ଭଣ୍ଡାର କବଳେ,କଦାପି ତା’ ପ୍ରତି ତୁଷ୍ଟ ନୁହଁନ୍ତି ଈଶ୍ୱର,ଈଶ୍ୱରଙ୍କ ଦ୍ରୋହୀ ମଧ୍ୟ ଗଣ୍ୟ ସେହି ନର ।କିନ୍ତୁ ଯାହା ଲଭିବାକୁ ଯେତେ ପରିଶ୍ରମ-ଆବଶ୍ୟକ, ତହିଁ ନିଜେ ଥାଉଁ ଥାଉଁ କ୍ଷମ,ପରିଶ୍ରମ-ଲବ୍ଧ ଧନ ନିଏ ଭୁଜବଳେ,ଗଣନୀୟ ସେ ଈଶ୍ୱରଦ୍ରୋହୀଙ୍କର ଦଳେ ।ବଳ ଥାଉଁ ଥାଉଁ ଶ୍ରମବିମୁଖ ଯେ ଜନ,ନ କରଇ ବିଧିଦତ୍ତ ଧନ ଅରଜନ,ପରଦ୍ରବ୍ୟ ଚାହିଁ ଚାହିଁ ରଖିଥାଏ ଆଶ,ଯଥା ତରୁତଳେ ଶୋଇ ମେଳିବାର ଆସ୍ୟ,ନ ଲୋଡ଼ଇ ଜ୍ଞାନ ସୁଖଲାଭର ଉପାୟ,କରୁଥାଏ ଦୂଷଣୀୟ କର୍ମ ସମୁଦାୟ,ସେ ଈଶ୍ୱରଦ୍ରୋହୀ ଦ୍ରୋହଫଳ ତାର ଦୁଃଖ,ବର୍ତ୍ତମାନ ଭବିଷ୍ୟତେ ନାହିଁ ତାର ସୁଖ ।ମନ୍ଦ କହି ଭଲ କାର୍ଯ୍ୟ କରେ ଯେଉଁ ଜନ,ଈଶ୍ୱର ପ୍ରସାଦ ଲାଭେ ହୁଏ ସେ ଭାଜନ;ଭଲ କହି କର୍ମ ଯେବେ କରେ ବିପରୀତ,ସେହିଟି ଈଶ୍ୱରଦ୍ରୋହୀ ବିଶ୍ୱର ଅହିତ ।ନୃପତି ଶକତି ଲୋକମଙ୍ଗଳ କାରଣ,ଉଚିତ ନୁହଇ ତହିଁ ଦ୍ରୋହ ଆଚରଣ;ରାଜଦ୍ରୋହୀ ଲୋକଦ୍ରୋହୀ ଈଶ୍ୱରଙ୍କ ଦ୍ରୋହୀଧର୍ମ-ତୁଳାଦଣ୍ଡେ ଥା’ନ୍ତି ସମତୁଲ ହୋଇ ।ମଧୁପର ମଧୁଭିକ୍ଷା(୧୯୨୨) (ଡିସେମ୍ବର, ୧୯୨୨ରେ ରଚିତ)ଜୟ ମଧୁମୟ ବିଧୁର ଉଦୟ-ଭୂମି ମଧୁ ବିହାୟସ ହେ,ବିଶ୍ୱ ସମୁଦୟ ତୁମ୍ଭ ମଧୁମୟ,ଦିଅ ମଧୁମୟ ଯଶ ହେ ।ଦିନେ ଦିନକରେ ରାତ୍ରେ ଗ୍ରହ ତାରେମଧୁର ଜ୍ୟୋତି ପ୍ରକାଶ ହେ,ଅଚଳ ଅନିଳ ଜଗତ ଅଖିଳକରିଛ ମଧୁ ଆବାସ ହେ ।କୋକିଳ ନିସ୍ୱନେ ବଲ୍ଲକୀ ନିକ୍ୱଣେଦେଇଛ ମଧୁ ଲେପନ ହେ,ପୁଷ୍ପିତ କାନନେ ଶିଶୁର ଆନନେକରିଛ ମଧୁ କ୍ଷେପଣ ହେଫୁଲ ଫଳ କାଣ୍ଡ ତରୁ ଇକ୍ଷୁଦଣ୍ଡତୁମ୍ଭ ମଧୁ ଛନ୍ତି ବହି,ସରିତ ନିର୍ଝରେ ସରେ ଜଳଧରେତୁମ୍ଭ ମଧୁ ଅଛି ରହି ହେ ।ପ୍ରୀତିର ଲୋଚନେ ଜ୍ଞାନ ଆଲୋଚନେଦେଇଅଛ ମଧୁ ଘାରି,ତୁମ୍ଭ ଶ୍ରୀଚରଣ-କଞ୍ଜେ ଅନୁକ୍ଷଣ‘ମଧୁପ’ ମଧୁ ଭିକାରି ହେ ।ଅର୍ପଣ(୧୯୨୨) (ଡିସେମ୍ବର୧୯୨୨, ଉତ୍କଳ ସାହିତ୍ୟ)ଜୟ ଜଗଦୀଶ ଜୟ ସମ୍ପଦୀଶଜୟ ମୋ’ ଜୀବନ କାରଣମନ ମୋର ଯେବେ ଅପଥେ ଚଳଇକାହିଁକି ନ କର ବାରଣ ?ଯେବେ କରିବାକୁ ତବ ତର୍ପଣ,କରେଁ ତାକୁ ପଦତଳେ ଅର୍ପଣପାପେ ଘୃଣାକରି ଫିଙ୍ଗିଦିଅ କିପାଁତୁମ୍ଭେ ପରା ଜନତାରଣ । ୧ ।ଭବେ ତୁମ୍ଭେ ମହାପାପହରଣବୋଲି ପଶିଲି ଚରଣେ ଶରଣ,ପାପେ ଯଦି ଡରି ଯିବ ଅପସରିକେମନ୍ତେ ହେବ ତା’ ଜାରଣ । ୨ ।ଯଦି ବୋଲିବ ମୋହର ଭରମପାପ ମୋର ଅରଜିତ କରମ,ଅରଜିଛିଁ ଯାହା ଅରପିଲି ତାହାକୃପାବହି କର ଧାରଣ । ୩ ।ମନ ନୁହେ କି ତୁମ୍ଭର ପ୍ରଦାନକ’ଣ ନୁହ ସେ ପ୍ରାଣର ପ୍ରଧାନ,ଦେଇଅଛ ଯାହା ନେବ ନାହିଁ ତାହାଏ କେମନ୍ତ ଅବଧାରଣ ?ଭରସାଦୃଢ଼ ଭରସା କରିଛିଁ ଚରଣେଦିନେ ନାହିଁ ଦିନେ କରୁଣା ଲଭିବିଜୀବନେ ନ ହେଲେ ମରଣେ ।ତୁମ୍ଭ ଚରଣ ଜଗତ ଶରଣକେହି କରୁ ବା ନ କରୁ ବରଣ,ଚିର ଦୁଃଖ ଦେଇ ପାରିବ କି ଚାହିଁଭବସାଗର ସନ୍ତରଣ । ୧ ।ଚାଲିଯାଉଛି ରଜନୀ ବାସରଚଳିଯାଉଛି ମାସ ସଂବତ୍ସରମୋର ଦଶା ଚିର ରହିଥିବ ସ୍ଥିରବାହାର ସେ ମୋ’ ବିଶ୍ୱାସର । ୨ ।ତୁମ୍ଭେ ନିଜ ଯା’କୁ ଅଛ ସରଜି,ତାକୁ କେମନ୍ତେ ପାରିବ ବରଜି,ତୁମ୍ଭର ଦଣ୍ଡନ ମଣିବି ମଣ୍ଡନକେମନ୍ତେ ନ ହେବ ମରଜି । ୩ ।ତୁମ୍ଭେ ମାରିବ ଅଥବା ତାରିବଯାହା ଇଚ୍ଛା ତାହା କରିପାରିବ,ଯାହା କର ତାହା ତୁମ୍ଭ ଇଚ୍ଛା ବୋଲିମୋ’ ଜୀବ ସମୟ ସାରିବ । ୪ ।ପ୍ରଭୁ, ଶୁଣିଅଛି ଏକ ମନ୍ତରତାହା ଭାବୁଛି ବସି ନିରନ୍ତର,ଯେଡ଼େ ଦୋଷ କଲେ ତୁମ୍ଭ ଦେଶୁଁ ବଳେକରି ନ ପାରିବ ଅନ୍ତର । ୫ ।ଭାରତୀ-ଭାବନା(୧୯୨୨-୧୯୨୩)(ଜାନୁୟାରୀ, ୧୯୨୩,ମୁକୁର ପତ୍ରିକାରେ ପ୍ରକାଶିତ ।