ଯୋଗବିଦ୍ୟା
ଚିନ୍ତାମଣି ମହାନ୍ତି · ଭାଗ ୪ / ୧୨
ସମ୍ପୂର୍ଣ୍ଣ ସୂଚୀପତ୍ର
ପଞ୍ଚମ ପରିଚ୍ଛେଦ
ସତ୍ୟଭୂଷଣର ଦେଶସେବା, ଡାକ୍ତରୀ ପଢ଼ା, ରାସାୟନିକ ପରୀକ୍ଷା, ତମ୍ୱାକୁ ସୁନା କରିବାର ପ୍ରୟାସ ଏସବୁ କଥା କ୍ରମେ କ୍ରମେ ଜମିଦାରଙ୍କର କର୍ଣ୍ଣଗୋଚର ହେଲା । ପୁଅ ଉପରେ ସେ ବିରକ୍ତ ହୋଇଉଠିଲେ । ବୃନ୍ଦାବତୀଙ୍କର ଭାବନାର ସୀମା ରହିଲା ନାହିଁ । ସେ ଅବଳାର ବଳ ଅଶ୍ରୁର ଶରଣାପନ୍ନ ହେଲେ । ଦିନେ ଜଣେ ପ୍ରଜା କଲିକତାରୁ ଆସି ସତ୍ୟଭୂଷଣର କାର୍ଯ୍ୟକଳାପ ସାଳଙ୍କାରରେ ଜମିଦାରଙ୍କ ଆଗରେ ବର୍ଣ୍ଣନା କଲା । ସତ୍ୟଭୂଷର ସଙ୍ଗରେ ତାହାର କୌଣସି ପ୍ରକାର ଶତ୍ରୁତା ଥିଲା ନାହିଁ; ସୁତରାଂ ସେ ପ୍ରତିହିଂସା ପ୍ରଣୋଦିତ ହୋଇ କହିନାହିଁ । ସେ କଲିକତାରେ ଥାଇ ଦେଖୁଁ ଦେଖୁଁ ତାହାର ଜମିଦାର ପୁତ୍ର–ଭାବୀ ଜମିଦାର ଏପରି ବାଉଡୁଙ୍ଗିଆ ହୋଇଯିବ, ଏହା ସେ ସହିପାରିଲା ନାହିଁ । ସତ୍ୟଭୂଷରର ହିତ କାମନାରେ ସେ ତାହାର ଦୋଷ ପ୍ରଚାର କରିଥିଲେ । ଏହା ଅବଶ୍ୟ ସୁବନ୍ଧୁର କର୍ତ୍ତବ୍ୟ । ଜମିଦାର ହୁକା ଧରି ଗୁଡ଼ାଖୁ ଟାଣୁଥିଲେ, ପୁଅର କୀର୍ତ୍ତି କାହାଣୀ ଶୁଣି କ୍ରୋଧରେ ଫୁଲି ଉଠିଲେ । ତତକ୍ଷଣାତ୍ କପାଳରେ ଅସ୍ପଷ୍ଟ ଶିରାଗୁଡ଼ାକ ପୂର୍ଣ୍ଣ ରୂପରେ ଆତ୍ମପ୍ରକାଶ କରିଉଠିଲା । ସେ ଜ୍ୱଳନ୍ତ ଆଗ୍ନେୟଗିରି ପରି ଧୁମୋଦ୍ଗାର କରି କହିଲେ, ‘‘ଛିଃ, ଏପରି ପୁଅ ଲକ୍ଷେ ଗଣ୍ଡା ଥାଇ କି କାର୍ଯ୍ୟ ? ପିତୃ ପିତାମହଙ୍କର ନା-ପାଣି ବୁଡ଼ାଇବ, ଆଉ କଅଣ ! ଭଲା ନ ପଢ଼ିଲା ନାହିଁ, ଘରକୁ ଚାଲି ଆସନ୍ତା !’’ ଶେଷ କଥାଟା ଶୁଣି ବେବର୍ତ୍ତାଙ୍କ ଅନ୍ତ ହାଲୁ ହାଲୁ ହେଲା । କାଳେ ଜମିଦାର ସତ୍ୟଭୂଷଣକୁ କଲିକତାରୁ ଘେନି ଆସନ୍ତି, ତାହା ହେଲେ ତ ବେବର୍ତ୍ତାଙ୍କର ସର୍ବନାଶ । ଏଣେ ବହୁ କୁଟୁମ୍ୱ ସମ୍ଭାଳି ତାରାନାଥର ଶିକ୍ଷାବ୍ୟୟ ଚଳାଇବା କି ସହଜ କଥା । ଯାହାହେଉ, ସେ ଉପସ୍ଥିତ ବୁଦ୍ଧି ଖର୍ଚ୍ଚ କରି କହିଲେ, ‘‘ନା ଆଜ୍ଞା, ଆମ ବାବୁ ତ ସୁନାମୁଣ୍ଡେ, ତାଙ୍କର କାହିଁ ଚରିତ୍ର ଦୋଷ ତ କିଛି ଦେଖାଯାଉ ନାହିଁ, ଖାଲି ବାରଆଡ଼କୁ ମନ ଦେଇ ଚଗଲାମି କରନ୍ତି ସିନା ବୟସ ହେଲେ ବୁଦ୍ଧି ବସିଗଲେ ସେସବୁ କୁଆଡ଼େ ଛାଡ଼ିଯିବ । ଯେତେ ହେଲେ ସେ ବାଘର ପିଲା, ଆପେ ଆପେ ଶିକାର ଶିଖିବେ-।’’ ଏହା ଶୁଣି ଜମିଦାରଙ୍କ ଛାତି କୁଣ୍ଡେ ମୋଟ ହୋଇଗଲା । ଅନ୍ଧାକାର ରାତ୍ର ଜ୍ୟୋତ୍ସ୍ନାରେ ତିନ୍ତିଲେ ଯେପରି ଉଜ୍ଜ୍ୱଳ ଦିଶେ, ତାଙ୍କର ମୁଖ ସେହିପରି ହର୍ଷୋଜ୍ଜ୍ୱଳ ଦିଶିଲା । ତହୁଁ ସେ ଗର୍ବସୂଚି ମୃଦୁ ହାସ ବିକାଶ ପୂର୍ବକ କହିଲେ–‘‘ହଁ ବେବର୍ତ୍ତା, ଯାହା ତୁମେ କହିଲ ତାହା ଠିକ୍; ପିଲା କାଳରେ ସମସ୍ତେ ସେହିପରି ହୁଅନ୍ତି । ତୁମେ, ଆମେ କଅଣ ହୋଇ ନ ଥିଲେ ? ଓଃ, କେତେ ଦୁଷ୍ଟାମି ଯାଇଛି । ଭାଟଘର ପିଲା ଭାଟ, ଲାଟ ଘର ପିଲା ଲାଟ । ଯେ ଯାହା, ଶେଷରେ ସେ ତାହାହିଁ ହେବ, ଏଥିରେ ଆଉ ସଂଶୟ କଅଣ ? ଜମିଦାର ଅନ୍ତର୍ଯ୍ୟାମୀ ରାୟ ଟେକାଟେକିରେ ଖୁବ୍ପ୍ରିୟ । ତାଙ୍କୁ ଯେତେ ଟେକାଟେକି କରାଯାଏ ସେ ତେତେ ପ୍ରସନ୍ନ ହୁଅନ୍ତି । ବେବର୍ତ୍ତାଙ୍କ କଥା ଶୁଣି ତାଙ୍କର ତେଡ଼େ ବଡ଼ କ୍ରୋଧ ଦଣ୍ଡକେ ପାଣି ହୋଇଗଲା ।
କାଳର ଗତି ବଡ଼ ବିଚିତ୍ର । କାଳ ଠିକ୍ ସର୍ପ ପରି । ସର୍ପର ଗତି କୁଟିଳ, କାଳର ଗତି କୁଟିଳ । ସର୍ପ ବାୟୁ ପାନକରେ, କାଳ ଆୟୁଃ ପାନକରେ । ସର୍ପ ଯେପରି ଅବିଶ୍ୱାସୀ, କାଳ ବି ସେହିପରି ଅବିଶ୍ୱାସୀ । ସର୍ପର ଦୟାମାୟା ନାହିଁ, କାଳର ଦୟାମାୟା ନାହିଁ । ଯେଉଁ କାଳ କଲିକତା ପ୍ରତି ସତ୍ୟଭୂଷଣର ଆସକ୍ତି ଆଣିଥିଲା, ସେହି କାଳ ପୁଣି ବିରକ୍ତ ଆଣିଦେଲା । ସତ୍ୟଭୂଷଣକୁ ଆଉ କଲିକତା ଭଲ ଲାଗେନାହିଁ । ସେ ଏବେ କିପରି ଗ୍ରାମକୁ ଯାଇ ନିଜର ଉର୍ପାଜିତ ଗୁଣଗୁଡ଼ାକ ସେଠାରେ ପ୍ରକାଶ କରିବ, ସେଥିପାଇଁ ବଡ଼ ବ୍ୟାକୁଳ; ମାତ୍ର ଏହି ବ୍ୟାକୁଳତାର ଯନ୍ତ୍ରଣା ତାକୁ ଅଧିକ ଦିନ ସହିବାକୁ ହେଲାନାହିଁ । ଦେଖୁଁ ଦେଖୁଁ ତିନିବର୍ଷ ଅତୀତ ହୋଇଗଲା । ଡାକ୍ତରୀ ଶେଷ ପରୀକ୍ଷାର ଦିନ ଆସି ଉପସ୍ଥିତ ହେଲା । ସମସ୍ତେ ପରୀକ୍ଷା ଦେଲେ । ଯଥାସମୟରେ ଫଳ ବାହାରିଲା । ତାରାନାଥ ଏବଂ ରଙ୍ଗାଧର ପାସ କଲେ; ମାତ୍ର ସତ୍ୟଭୂଷଣ ନାମ ପାସ ତାଲିକାରେ ମିଳିଲା ନାହିଁ । ତାହା ପରୀକ୍ଷକର ଭୁଲ ହୋଇପାରେ । ପରୀକ୍ଷକମାନେ ଅନେକ ସମୟରେ ଏହିପରି ଭୁଲ କରନ୍ତି । ସେମାନେ ଭୁଲ ନ କଲେ କେହି ଫେଲ ହୁଅନ୍ତେ ନାହିଁ । ସତ୍ୟଭୂଷଣ ଭାବିଲା–‘‘ମୁଁ ନିଶ୍ଚୟ ପାସ କରିଚି, ଏଥିରେ ସନ୍ଦେହ ନାହିଁ । ପରୀକ୍ଷକର ଭୁଲରୁ ହେଉ ବା ଛାପାଖାନାର ଭୁଲରୁ ହେଉ ନାମଟି ଛପା ହୋଇପାରିନାହିଁ । ତାହା ହେଉ, ସେଥିଲାଗି କ୍ଷତି କଅଣ-? ଆଉ ପାସ ନ ହେଲେ ବା କ୍ଷତି କଅଣ ? ପାସ ଫେଲ ଏକା କଥା । ପରୀକ୍ଷାରେ କିଏ ଲେଖି ପାରିଲା ବା କିଏ ଲେଖି ନ ପାରିଲା, ସେଥିପାଇଁ ଯାଏ ଆସେ କଅଣ ? ସମସ୍ତେ ତ ଏକା ପାଠ ପଢ଼ିଛନ୍ତି । ସ୍କୁଲରୁ ଯେ ଯୋଗ୍ୟ ବିବେଚିତ ହୋଇଗଲା ସେ ପରୀକ୍ଷାରେ ଲେଖି ନ ପାରିଲା ବୋଲି କଅଣ ତାହାର ବିଦ୍ୟା ଉଡ଼ିଗଲା ?’’ ସତ୍ୟଭୂଷଣ ଏହିପରି ଅନେକ ଭାବି ମନକୁ ପ୍ରବୋଧ ଦେଲା । ମନକୁ ଆଖି ଠାରିବା ସକାଶେ ଏ ସଂସାରରେ ସାନ୍ତ୍ୱନା ବାଣୀର ଅଭାବ ନାହିଁ । ତାକୁ ଖୋଜିବାକୁ ହୁଏ ନାହିଁ । ସେ ଆପେ ଆପେ ଆସି ପହଞ୍ଚିଯାଏ । ତାରାନାଥ ଏବଂ ରଙ୍ଗାଧର ସଫଳ ମନୋରଥ ହୋଇ ଗୃହାଭିମୁଖୀ ହେଲେ । ସତ୍ୟଭୂଷଣ ମଧ୍ୟ ନିର୍ବିକାର ଚିତ୍ତରେ କଲିକତା ପରିତ୍ୟାଗ କରି ଉଚ୍ଛ୍ରିତ (ଉନ୍ନତ) ମସ୍ତକରେ ସେମାନଙ୍କର ପୁରଶ୍ଚର ହୋଇ ଗୃହଯାତ୍ରା କଲେ । କଲିକତା ପ୍ରତି ତାହାର ପୂର୍ବରୁ ବିରାଗ ଜନ୍ମିଥିଲା; ସୁତରାଂ କଲିକତା ଛାଡ଼ିବାବେଳେ କୌଣସି ପ୍ରକାର ଅତୃପ୍ତ ବାସନାର ତପ୍ତ ହାହାକାର ତାହା ହୃଦୟରେ ଦାଗ ବସାଇ ପାରିଲା ନାହିଁ । ଯଥା–ସମୟରେ ତିନିବନ୍ଧୁ ଆସି ଗ୍ରାମରେ ଉପସ୍ଥିତ ହେଲେ ।
ତାରାନାଥ ଏବଂ ରଙ୍ଗାଧର ଚାକିରୀ କଲେନାହିଁ, ସ୍ୱ ସ୍ୱ ଗ୍ରାମରେ ଔଷଧାଳୟ ସ୍ଥାପନ କରି ବ୍ୟବସାୟ ଆରମ୍ଭ କଲେ । ଅଳ୍ପଦିନ ମଧ୍ୟରେ ସେମାନଙ୍କର ନାମ ବିଖ୍ୟାତ ହୋଇ ଉଠିଲା, ଆୟ ମଧ୍ୟ ଆଶାନୁରୂପ ହେଲା । ଏଣେ ସତ୍ୟଭୂଷଣ ଗ୍ରାମ ଛୁଇଁଲାକ୍ଷଣି ତାହାର ବକ୍ତୃତା–ବ୍ୟାଧି ପୁଣି ସଂକ୍ରମିତ ହେବାକୁ ଲାଗିଲା । ତହୁଁ ସେ ଅନେକ କାର୍ଯ୍ୟର କଳ୍ପନା କରିଗଲା । କିନ୍ତୁ କାହାକୁ ଆଗେ କରିବ, ତାହା ସ୍ଥିର କରି ନ ପାରି ଆଖୁବାଡ଼ିରେ ପଶିଲା ପରି ହେଲା । ସେ ମନେ ମନେ ଭାବିଲା–‘‘ଆରେ ଗୋଟିଏ ଗ୍ରାମୋନ୍ନତି ସମିତି ସ୍ଥାପନ କରିବା ନିତାନ୍ତ ଦରକାର । ସେହି ସମିତିକୁ ମୂଳକରି ତାହାର ଶଖା ପ୍ରଶାଖା ରୂପରେ ଅନ୍ୟ କାର୍ଯ୍ୟ କରିବାକୁ ହେବ ।’’ ତାହାର ଏ କଳ୍ପନା କାର୍ଯ୍ୟରେ ପରିଣତ ହେବାକୁ ଅଧିକ ବିଳମ୍ୱ ହେଲା ନାହିଁ । ଗ୍ରାମର ନିଷ୍କର୍ମା ଯୁବକଦଳକୁ ନେଇ ସମିତି ସ୍ଥାପିତ ହେଲା । ସମିତିର ଉପକାରିତା ବୁଝାଇବା ସକାଶେ ସତ୍ୟଭୂଷଣ ସହକର୍ମ୍ମୀମାନଙ୍କୁ ସାଙ୍ଗରେ ଘେନି ଗ୍ରାମସାରା ବକ୍ତୃତା କରି ବୁଲିଲା । ବିଲରେ, ପୋଖରୀ ତୁଠରେ, ଦୋକାନରେ ଖରା ପୁଇଁବା ସ୍ଥାନରେ–ଯେଉଁଠାରେ ପାଞ୍ଚଜଣ ଲୋକ ଦେଖିଲା, ସେହିଠାରେ ଯାଇଁ ବକ୍ତୃତା ଆରମ୍ଭ କଲା । ଗ୍ରାମୋନ୍ନତି ସମିତି ଯୋଗେ ଗ୍ରାମର ଅସୀମ ଉନ୍ନତି ହେବ; ଦୁର୍ଭିକ୍ଷ, ମଡ଼କ, ରୋଗ, ଦାରିଦ୍ର୍ୟ, ଚୋର, ଖଣ୍ଟ, ଭୂତ, ପ୍ରେତ, ଡ଼ାଆଣୀ, ଚିରକୁଣୀ କେହି ଗାଁରେ ପଶିପାରିବେ ନାହିଁ; ସମସ୍ତଙ୍କ ହାତରେ ଟଙ୍କା ପଇସା ସବୁବେଳେ ଝଣ୍ ଝଣ୍ ହେବ; ଗ୍ରାମଯାକ ପକା କୋଠାରେ ଧବଳମୟ ହୋଇଯିବ, ଆଉ କେହି ମୁର୍ଖ ରହିବେ ନାହିଁ, ସମସ୍ତେ ଭଟ୍ଟାଚାର୍ଯ୍ୟ ପଣ୍ଡିତ ହୋଇଯିବେ-। ବର୍ଷକୁ ବର୍ଷ ଗ୍ରାମର କାହାଣ କାହାଣ ଦୁପଟି, ମନୁସଫ, ଓକିଲ, ଜଜ, ବାରିଷ୍ଟର ବାହାରିବେ । ଗାଁ ଖଣ୍ଡକ କଲିକତା ସହରଠାରୁ ବଳିଯିବ । ବକ୍ତୃତାରେ ଏହିପରି ଅନେକ ଆଶାର ସ୍ୱପ୍ନ ଥାଏ । ସ୍ଥୂଳତଃ ସମିତିଟି ଖଣ୍ଡିଏ ସ୍ପର୍ଶମଣି । ତାହା ସ୍ପର୍ଶରେ ଗ୍ରାମରୂପ ଲୌହ ଶୁଦ୍ଧସୁବର୍ଣ୍ଣରେ ପରିଣତ ହେବ । କେବଳ ଏତିକି ନୁହେଁ, ବକ୍ତୃତାରେ ଆହୁରି ଅନେକ ଉଚ୍ଚଦରର କଥା ଥାଏ । ଏମନ୍ତ କି ଗ୍ରମାବାସୀମାନେ ନିଜର ଅର୍ଥରେ ରେଳ, ଜାହାଜ ପ୍ରଭୃତି ଚଳାଇ ପାରିବାର ଆଭାସ ମଧ୍ୟ ଥାଏ । ଆଉ ଅଧିକ କହିବାର ଆବଶ୍ୟକତା ନାହିଁ । ପାଠକମାନେ ବିରକ୍ତ ହେବେଣି । ଖାଲି ଏତିକି କହିଲେ ଯଥେଷ୍ଟ ହେବ ଯେ, ସ୍ୱୟଂ ସୃଷ୍ଟିକର୍ତ୍ତାଙ୍କର କୌଣସି କାର୍ଯ୍ୟ ଅସାଧ୍ୟ ଥାଇପାରେ; ମାତ୍ର ସମିତିର ଅସାଧ୍ୟ କିଛି ନାହିଁ । ଅର୍ଥାତ୍ ସମିତିରୂପ ଅଭିଧାନରେ ଅସାଧ୍ୟ ଶବ୍ଦ ନାହିଁ । ଗ୍ରାମର ଆବାଳବୃଦ୍ଧ ରୁଣ୍ଡ ହୋଇ ବକ୍ତୃତା ଶୁଣନ୍ତି, ବିସ୍ମୟରେ ସ୍ତମ୍ଭୀଭୂତ ହୋଇ ରହନ୍ତି; କିନ୍ତୁ କେହି ବୁଝନ୍ତି କି ନାହିଁ ତାହା ଆମ୍ଭମାନଙ୍କୁ ଅଜ୍ଞାତ । ତେବେ ସମସ୍ତେ ଯେ ସତ୍ୟଭୂଷଣର ପ୍ରଶଂସା କରନ୍ତି, ଏହା ମିଥ୍ୟା ନୁହେଁ । ସତ୍ୟଭୂଷଣକୁ ସେମାନେ ଗ୍ରାମର କୋଷ୍ଠୀରେ ନୂତନ ଶୁଭଗ୍ରହର ଉଦୟ ବୋଲି ଜ୍ଞାନ କରନ୍ତି । ଅନର୍ଗଳ ବକ୍ତୃତା କରି କରି ଯାତ୍ରା ପିଲାଙ୍କ ପରି ସତ୍ୟଭୂଷଣର ତଣ୍ଟି ପଚିଗଲା । ସ୍ୱର ଫିଟିବା ସକାଶେ କେତେ ଦିନଯାଏ ସେ ମହାବରୀ ବଚ କଳରେ ଯାକିଥିଲା ।
ପୁତ୍ରର ପ୍ରଶଂସା ଶୁଣି ପିତାମାତାଙ୍କର ହୃଦୟ ଆନନ୍ଦରେ ପୂରିଉଠିଲା । ପୁଅ ତ କୌଣସି କୁକର୍ମ ବା ଅକର୍ମ କରୁନାହିଁ–ପବିତ୍ର ଦେଶସେବାରେ ଆତ୍ମନିୟୋଗ କରିଅଛି, ଏହା ତ ଗୌରବର କଥା, ପୁଣ୍ୟର କଥା । ଏହା ପିତାମାତାଙ୍କର ବାଞ୍ଛନୀୟ; କିନ୍ତୁ ଅତିରିକ୍ତ ବକାବକି ଏବଂ ବୁଲାବୁଲିରା ପୁଅର ଦେହ ଦୁର୍ବଳ ହୋଇ ପଡୁଅଛି, ଏହା ଅବଶ୍ୟ ଅସହ୍ୟ । ସତ୍ୟଭୂଷଣ ବକ୍ତୃତାରେ ଏତେ ପ୍ରମତ୍ତ ଅଛି ଯେ, ତାହାର ସ୍ନାନ, ଆହାର, ନିଦ୍ରା ସବୁ ଅନିୟମିତ । ଭୋକ କରେ ବୋଲି ଖାଏ, ନଚେତ୍ ବକ୍ତୃତା ଖାଇ ଯଦି ଭୋକ ବନ୍ଦ ହେଉଥାଆନ୍ତା, ତେବେ ସେ ଆଉ କିଛି ଖାଇବାକୁ ଖୋଜନ୍ତା ନାହିଁ । ଦିନେ ବୃନ୍ଦାବତୀ ପୁଅକୁ କହିଲେ–‘‘ସତ୍ୟ, ତୁ ନ ଖାଇ ନ ପିଇ ତ କଣ୍ଟା ହୋଇଗଲୁଣି–ହାଡ଼ ଚାରିଖଣ୍ଡ ଗଣି ହେଲାଣି, ତୁ ଆଉ ଏତେ ବୁଲ ନା କି ବକାବକି କର ନା-। କଅଣ ଦଶ ସଭା କରୁଛୁ ପରା, ଘରେ ବସି ତାହା କର ।’’ ସତ୍ୟଭୂଷଣ ମା ମୁହଁକୁ ଚାହିଁ ମୃଦୁ ହସି କହିଲା–‘‘ଦଶସଭା କଅଣ ଲୋ ? ଦେଶସେବା କହ ।’’ ବୃନ୍ଦାବତୀ କହିଲେ–‘‘ହଁରେ ସେ ଦଶସଭା ନ ଦେଶ ସଭା କଅଣ, ତାହା ମୋ ନିଆଁ ଲଗା ତୁଣ୍ଡରେ ଆସୁନାହିଁ । ଏତେ ନ ବୁଲିଲେ କଅଣ ସେ ଦଶସଭା ଘରେ ବସି କରିହୁଏ ନାହିଁ । ତୁ ଅଣ୍ଡାଖଣ୍ଡକ ଏତେ ହୁନ୍ଦର କଉଁଠୁ ଶିଖିଲୁରେ-? ତୋ କଥା ମୋତେ ତାଟଙ୍ଗା ଲାଗିଛି । ହଉ, ତୁ ଯାହା କର ପଛେ ଘରେ ବସି କର, ଭୋଗ ରାଗ ସିଧା ସାମଗ୍ରୀ ଯାହା ଲାଗିବ ମୁଁ ସବୁ ତୁଲେଇ ଦେବି ।’’
ସତ୍ୟ–ହଁ, ଘରେ ବସି ଦେଶସେବା କରିବି, ତୁ ଟଙ୍କା ଦେବୁନା ?
ମାତା–କି, ଟଙ୍କା କଅଣ କରିବୁ ?
ସତ୍ୟ–ଔଷଧ କିଣିଆଣି ଗରିବ ଲୋକଙ୍କୁ ବାଣ୍ଟିବି ।
ମାତା–ହଉ ବାପ, ତା ପଛେ କର, ସେ ଖୁବ୍ ଭଲ କାମ । ଦୁଖୀ ରଙ୍କୀଙ୍କର ଉପକାର ହବ । ସେମାନେ କଲ୍ୟାଣ କରିବେ । ଠାକୁରେ ତୋତେ ଆଇଷ ଦେବେ । ଗରିବ କାଙ୍ଗାଳିଙ୍କି ଚାହିଁଲେ ତୋର ଧର୍ମ ହବରେ ବାପ । ମା ମଙ୍ଗଳା ତୋତେ ସେହି ସୁବୁଦ୍ଧି ଦଉନ୍ତୁ, କେତେ ଟଙ୍କା ହେଲେ ହେବ କହ ?
ସତ୍ୟ–ଦୁଇଶ ଟଙ୍କା ହେଲେ ଏବେ କାମ ଚଳିବ ।
ମାତା–ହଉ, ମୋ ବାକ୍ସରୁ ନେ ।
ସତ୍ୟଭୂଷଣ ମାତାଙ୍କ ବାକ୍ସରୁ ଟଙ୍କା ନେଇ କେତେକ ଡାକ୍ତରୀ ଔଷଧ କିଣି ଆଣି ଚିକିତ୍ସା ଆରମ୍ଭ କଲା । ସେ ଗୋଟାଏ ଜ୍ୱରମପା ଯନ୍ତ୍ର ଘେନି ଘରେ ଘରେ ବୁଲି ରୋଗୀ ଖୋଜି ଚିକିତ୍ସା କଲା । ଯାହା ଗୋଡ଼ରେ ଗୋଟାଏ ଘା ଦେଖିଲା, ତାକୁ ଧରିଆଣି ସାବୁନ ଓ ଗରମ ପାଣିରେ ନିଜ ହାତରେ ତାହାର ଘା ଧୋଇଦେଇ ମଲମ ଲଗାଇଦିଏ । କେହି ଦେହରେ ଲୁଗା ଘୋଡ଼ିଥିଲେ ତାକୁ କହେ–‘‘କି, କାହିଁକି ଲୁଗା ଘୋଡ଼ିଛୁ ? ଆସିଲୁ ଆସିଲୁ–ତୋ ଦେହ ଦେଖେ ।’’ ଏହା କହି ସେହିକ୍ଷଣି ତାହାର ଜ୍ୱର ମାପି ବସେ ଏବଂ ଜ୍ୱର ଥାଉ ବା ନ ଥାଉ ତାକୁ ଡାକିନେଇ ଔଷଧ ଗିଳାଏ । ସେ ଇତର ଭଦ୍ରର ଭେଦ ରଖେ ନାହିଁ । ଯେ ହେଉ ପୀଡ଼ିତ ଦେଖିଲେ ତାକୁ ସ୍ୱହସ୍ତରେ ଚିକିତ୍ସା କରେ । ତାହାର ଏହି ଗୁଣ ଦେଖି ଲୋକେ ତାକୁ ଦେବତା ତୁଲ୍ୟ ଭକ୍ତିକଲେ । ଦରିଦ୍ର ବା ନିମ୍ନଜାତୀୟ ଲୋକେ ଧନୀର ସାହଚର୍ଯ୍ୟ ପାଆନ୍ତି ନାହିଁ, ଦୈବେ ପାଇଲେ ଗୋଟାଏ ପରମ ଗୌରବ ଅନୁଭବ କରନ୍ତି । ସେମାନେ ଅଧିକ କିଛି ଖୋଜନ୍ତି ନାହିଁ, ଉଚ୍ଚ ଜାତିଙ୍କଠାରୁ ଟିକିଏ ଉଦାର ସଦୟ ବ୍ୟବହାର ପାଇଲେ ଜୀବନ ଧନ୍ୟ ମଣନ୍ତି ଏବଂ ଦାତାର ପ୍ରତିଷ୍ଠା ପ୍ରଚାରରେ ସହସ୍ରମୁଖ ହୁଅନ୍ତି । ଯାହାଙ୍କୁ ସମାଜ ଦୂରରୁ ଦେଖିଲେ ଘୃଣ୍ୟ ଇତର ପଶୁ ପରି ଦୂର୍ ଦୂର୍ କରେ, ତାଙ୍କୁ ଯେ ଟିକିଏ ଆଶ୍ୱାସନା ଦେଖାଏ ବା ହାତ ଆଉଁସା କରେ, ସେମାନେ ତାକୁ ଦେବତାର ଉପରେ ଆସନ ଦିଅନ୍ତି । ସେମାନେ ଭକ୍ତି ଦେବାକୁ ପ୍ରସ୍ତୁତ; କିନ୍ତୁ ସମାଜ ତାହା ଗ୍ରହଣ କରେ ନାହିଁ କିମ୍ବା ସେମାନଙ୍କର ସାମାନ୍ୟ ପ୍ରାପ୍ୟ ସେମାନଙ୍କୁ ଦିଏ ନାହିଁ । ଏହା ସମାଜର ଦୁର୍ବଳତା ନା ଦୁର୍ଭାଗ୍ୟ ? ମନୁଷ୍ୟ ହୋଇ ମନୁଷ୍ୟକୁ ଘୃଣାକରିବା ରୂପ କୁରୀତି ଯେଉଁ ସମାଜରେ ପ୍ରବେଶ କରେ, ସେ ସମାଜ କୀଟଦଷ୍ଟ କାଷ୍ଠ ପରି ଅନ୍ତଃସାରଶୂନ୍ୟ । ଯେ ନିଜର ହାତଗୋଡ଼କୁ ଘୃଣାକରେ, କାହାର ଦୁର୍ଗତି ଆବଶ୍ୟମ୍ଭାବୀ ଏବଂ ସେ ନିଜକୁ ନିଜେ ଦୁର୍ବଳ କରେ । ସମାଜ ଯାହାକୁ ନିମ୍ନ ଜାତି ବୋଲି ଘୃଣାକରେ, ସେହି ଏକା ସମାଜ-ବୃକ୍ଷର ବଳ୍କଳ । ଗଛରୁ ବଳ୍କଳ ଛାଡ଼ି ଗଲେ ଗଛଟା କେତେଦିନ ବଞ୍ଚିବ ? ଦୁଃଖର ବିଷୟ ଜ୍ଞାନାଭିମାନୀ ସମାଜପତିମାନେ ଏହା ବୁଝି ସୁଦ୍ଧା ବୁଝନ୍ତି ନାହିଁ । ସେମାନଙ୍କର ବିଷନିଃଶ୍ୱାସରେ ସମାଜର ସୁଖର ଉତ୍ସ ଶୁଖିଯିବ । ହାତ ମୁହଁକୁ ଆହାର ଯୋଗାଏ; ମାତ୍ର ମୁହଁ ଯଦି ହାତକୁ ଘୃଣାକରେ ତେବେ ଫଳ ଯାହା ହେବାର ତାହାହିଁ ହୁଏ ।
ସତ୍ୟଭୂଷଣର ଚିକିତ୍ସାଳୟରେ ରୋଗୀ ସଂଖ୍ୟା କ୍ରମଶଃ ବଢ଼ିବାକୁ ଲାଗିଲା । ଔଷଧ, ପଥ୍ୟ, ଶୁଶ୍ରୂଷା ସବୁ ମାହାଳିଆ ମିଳିବାରୁ ଦୂରବର୍ତ୍ତୀ ଗ୍ରାମର ରୋଗୀମାନେ ଆସି ରୁଣ୍ଡ ହେଲେ । ରୋଗୀ ବୃଦ୍ଧି ଅନୁପାତରେ ଖର୍ଚ୍ଚ ମଧ୍ୟ ବଢ଼ିଉଠିଲା । ସତ୍ୟଭୂଷଣ ମା ବାକ୍ସରୁ ଟଙ୍କା ଆଣି ଖର୍ଚ୍ଚ ଚଳାଇବାକୁ ଲାଗିଲା; ମାତ୍ର ସେଥିରେ ଏରୂପ ବିରାଟ ବ୍ୟୟସାଧ୍ୟ କାର୍ଯ୍ୟ କେତେକାଳ ଚଳିବ ? ପିତା ସେଥିପାଇଁ ବ୍ୟୟକରିବାକୁ ଏକାନ୍ତ କୁଣ୍ଠିତ । ସେ ପୁଅର ପ୍ରଶଂସା ଚାହାନ୍ତି; ମାତ୍ର ଟଙ୍କା ଦେଇ ପ୍ରଶଂସା କିଣିବାକୁ ଚାହାନ୍ତି ନାହିଁ । ବିନା ମୂଲ୍ୟରେ ହିମାଳୟ ତୁଲ୍ୟ ପ୍ରଶଂସାସ୍ତୁପ ତାଙ୍କ ଉପରେ ଚାପିଲେ ମନା କରିବେ ନାହିଁ; ମାତ୍ର ଯହିଁରେ ମୂଲ୍ୟ ଆବଶ୍ୟକ, ସେଭଳି ପ୍ରଶଂସାର ରସିକ ସେ ନୁହନ୍ତି । ଔଷଧାଳୟ ପାଇଁ ବାହାରରୁ କାହାରିଠାରୁ କଡ଼ାଏ ସାହାଯ୍ୟ ମିଳିବାର ସୁଦ୍ଧା ଆଶା ନହିଁ । ଏରୂପ ଅବସ୍ଥାରେ ସତ୍ୟଭୂଷଣର ଚାରା କଅଣ ଅଛି ? ଅର୍ଥାଭାବ ହେତୁ ଚାରିମାସ ପରେ ଔଷଧାଳୟର କାର୍ଯ୍ୟ ଆପେ ଆପେ ବନ୍ଦ ହୋଇଗଲା । ତାହା ଅର୍ଥାଭାବର ଦୋଷ, ଅନୁଷ୍ଠାତାର ଦୋଷ ନୁହେଁ ।
ଡାକ୍ତରଖାନା ବନ୍ଦ ହୋଇଗଲା, ରୋଗୀ ଧାଉଡ଼ି ସୁଦ୍ଧା ବନ୍ଦ ହୋଇଗଲା । ସତ୍ୟଭୂଷଣର ଆଉ କିଛି କାମ ନାହିଁ; କିନ୍ତୁ ସେ ନିଷ୍କର୍ମା ହୋଇ ବସି ରହିବାର ପାତ୍ର ନୁହେଁ । କିଛି ଗୋଟାଏ ଦେଶ ସେବା ତାହାର ଦରକାର । ଦିନେ ସମିତିରେ ପ୍ରସ୍ତାବ ହେଲା–‘ଗୋଟାଏ ପଞ୍ଚାଏତ ସଭା ଗଠିତ ହେବ, ସେଥିରେ କେତେଜଣ ସଭ୍ୟ ରହିବେ, ସେମାନେ ମାଲିମକଦ୍ଦମା ସବୁ ଭାଙ୍ଗିଦେଇ ଗରିବ ପ୍ରଜାଙ୍କୁ ଖର୍ଚ୍ଚାନ୍ତ ହେବାରୁ ରକ୍ଷା କରିବେ ।’ ଆଉ ଦିନେ ପ୍ରସ୍ତାବ ହେଲା ଚାନ୍ଦା କରି କେତେଟା ତନ୍ତ ଅଣାଇ ଲୁଗାବୁଣା ଶିଖିବାକୁ ହେବ ।’ ଆଉ ଦିନେ ପ୍ରସ୍ତାବ ହେଲା–‘ଗୋଟାଏ ହାଟ ବସାଇବାକୁ ହେବ, ନ ହେଲେ ଅନ୍ତର୍ବାଣିଜ୍ୟର ସୁବିଧା ହେବ ନାହିଁ ।’ ଏହିପରି ଅନେକ ପ୍ରସ୍ତାବ ହେଲା; ମାତ୍ର କାର୍ଯ୍ୟରେ ଗୋଟାଏ ସୁଦ୍ଧା ଉଧାଇଲା ନାହିଁ । ତହୁଁ ସ୍ତ୍ରୀଶିକ୍ଷା ଉପରେ ଦୃଷ୍ଟି ପଡ଼ିଲା । ସଙ୍ଗେ ସଙ୍ଗେ ସମିତିରେ ପ୍ରସ୍ତାବ ମଞ୍ଜୁର ହୋଇ ଗୋଟାଏ ବାଳିକା ସ୍କୁଲ ବସାଇବାର ଧାର୍ଯ୍ୟ ହେଲା । ମାତ୍ର ପଢ଼ିବ କିଏ ? ଯେଉଁ ପଲ୍ଲୀଗ୍ରାମରେ ଶତକଡ଼ା ଅନେଶତ ଜଣ ପୁରୁଷ ନିରକ୍ଷର, ସେଠାରେ ସ୍ତ୍ରୀଶିକ୍ଷାକୁ କିଏ ଆଦର କରିବ; ସୁତରାଂ ଏ ପ୍ରସ୍ତାବ ସୁଦ୍ଧା ପୂର୍ବ ପ୍ରସ୍ତାବର ଦଶା ଭଜିଲା । ଲୋକେ କୁହାକୁହି ହେଲେ–‘‘ଏ ସବୁ ଆମର କଅଣ ହେବ, ଦାନାକନା ଛଡ଼ା ଆଉ ସବୁ ଆମର ଅଛି । ଖାଲି ଆମ ପେଟକୁ ମୁଠେ ଦାନା ଆଉ ଦେହକୁ ଖଣ୍ଡେ କନା ଯେ ଦେଇପାରିବ, ସେହି ଆମର ପ୍ରକୃତ ବନ୍ଧୁ ।’’ ଲୋକଗୁଡ଼ାଙ୍କର ଏ କି ପ୍ରକୃତି ? ସତ୍ୟଭୂଷଣ ସେମାନଙ୍କୁ କୋଠାବାଡ଼ି, ରେଲ, ଜାହାଜ ଦେବାକୁ ପ୍ରସ୍ତୁତ; କିନ୍ତୁ ସେମାନେ ମାଗୁଛନ୍ତି କଅଣ ନା, ଦାନା-କନା । ସେ ଯାଚୁଛି ପୁରି ମିଠାଇ, ଏ ମାଗୁଛନ୍ତି–କୁଣ୍ଡାପିଠା; ଦୁର୍ଭାଗ୍ୟ ଆଉ କାହାକୁ କହନ୍ତି ? ସତ୍ୟଭୂଷଣର ଉଚ୍ଚ ଧାରଣାକୁ ଏହିପରି ଏକା ପଣ୍ଡ କଲେ; କିନ୍ତୁ ସତ୍ୟଭୂଷଣ ଦମିତ ହେବା ଲୋକ ନୁହେଁ । କେତେଟା ଅନୁଷ୍ଠାନରେ ବ୍ୟର୍ଥ ମନୋରଥ ହେଲା ବୋଲି କଅଣ ସେ ହାତଗୋଡ଼ ଯୋଡ଼ି ନିରୁତ୍ସାହ ହୋଇ ବସିରହିବ ? ‘‘ଉଦ୍ଯୋପୀନଂ ପୁରୁଷସିଂହଂ’’, ‘‘ବରଂ କୋଡ଼ି କଚାଡ଼ି ହେବା ଭଲ; ତଥାପି ସ୍ଥିର ହୋଇ ବସିବା ଭଲ ନୁହେଁ,’’ ‘‘ବସିବାଠାରୁ କାଶିବା ଭଲ,’’ ଏହିପରି ଅନେକ ବଡ଼ ବଡ଼ କଥା ସେ ଶିଖିଛି; ସୁତରାଂ ଶକ୍ତିକୁ କ୍ଳୀବ କରି ରଖିବ କାହିଁକି ? ଏହିପରି ବାଧା ପାଇ ସତ୍ୟଭୂଷଣର ଉତ୍ସାହ ମଲା ନାହିଁ, ପ୍ରତ୍ୟୁତଃ ବଢ଼ିବାକୁ ଲାଗିଲା । ବରକୋଳି ଗଛକୁ ଯେତେ କାଟିବ, ସେ ତେତେ କୁଆଁ ଦେଇ ବଢ଼ିବ । ସତ୍ୟଭୂଷଣ ଏଣିକି ସମାଜ ସଂସ୍କାରରେ ମନୋନିବେଶ କଲା । ସମିତିରେ ପ୍ରସ୍ତାବ ହେଲା–‘ଧନୀ ଘରେ ବିବାହ କରିବାକୁ ହେବ ନାହିଁ ।’ କେତେଜଣ ଯୁବକ ଏ ପ୍ରସ୍ତାବ ଗ୍ରହଣ କରି ପ୍ରତିଜ୍ଞା କଲେ–‘ସେମାନେ ବରଂ ଅବିବାହିତ ରହି ଚିରକୌମାର ବ୍ରତ ଧାରଣ କରିବେ; ମାତ୍ର ସହସ୍ର ପ୍ରଲୋଭନରେ ସୁଦ୍ଧା ଧନିକନ୍ୟାକୁ ବିବାହ କରିବେ ନାହିଁ ।’ ତହୁଁ ପ୍ରତିଜ୍ଞାପତ୍ର ଲିଖିତ ହେଲା, ଯେଉଁମାନେ ସେଥିରେ ସ୍ୱାକ୍ଷର କଲେ, ସେଥି ମଧ୍ୟରେ ସତ୍ୟଭୂଷଣ ପ୍ରଥମ । କେହି କେହି ପଚାରିଲେ–‘‘ଧନିକନ୍ୟା ପ୍ରତି ତୁମ୍ଭମାନଙ୍କର ଏ ଆକ୍ରୋଶ କାହିଁକି, ସେମାନଙ୍କର ଅପରାଧଟା ବା କଅଣ ?’’ ସତ୍ୟଭୂଷଣ ଅଗ୍ରଣୀ ହୋଇ ଉତ୍ତର କଲା–‘‘ଧନିକନ୍ୟା ପ୍ରତି ଆମ୍ଭମାନଙ୍କର ଅଶ୍ରଦ୍ଧା ନାହିଁ କିମ୍ବା ନାରୀଜାତି ପ୍ରତି ତିଳେ ମାତ୍ର ଆକ୍ରୋଶ ନାହିଁ । ନାରୀଜାତି ମାତୃଜାତି, ଦେବୀଜାତି, ସେମାନଙ୍କ ପ୍ରତି ଅଭକ୍ତି ପ୍ରକାଶ କରିବାକୁ କିଏ ସାହସ କରିବ ? ଜାଣୁ ଜାଣୁ ସେ ମହାପାପ କିଏ କାହିଁକି କରିବାକୁ ଯିବ । ତେବେ ଏ କାଳର ନାରୀମାନେ ସମସ୍ତେ ସେହି ଦେବୀଜାତୀୟ କି ନା, ସେ ବିଷୟରେ ମୋର ସନ୍ଦେହ ଅଛି । ସେ ଯାହା ହେଉ ଧନିକନ୍ୟାକୁ ବିବାହ ନ କରିବାର କାରଣ ଏହି ଯେ, ବଡ଼ ଲୋକମାନଙ୍କର ଟଙ୍କା ଅଛି, ସେମାନେ ବେଶି ଦରରେ ଜୋଇଁ କିଣିନେଇ ଝିଅ ଦେବେ, ତେବେ ଗରିବ ଝିଅକୁ କିଏ ବିବାହ କରିବ ? ସମାଜରେ ଗରିବ ହେବା କି ଏଡ଼େ ପାପ ? ଲୋକେ ବଡ଼ଲୋକ ହେବା ପାଇଁ ବଡ଼ଲୋକ ଘରେ ବିବାହ କରନ୍ତି, ନ ହେଲେ ଅନ୍ୟକିଛି କାରଣ ନାହିଁ । ବଡ଼ଲୋକର ଝିଅ ରୂପବତୀ ହେବ, ଗୁଣବତୀ ହେବ ଆଉ ଗରିବର ଝିଅ ନିର୍ଗୁଣା ହେବ, କୁରୁପା ହେବ ବୋଲି ତ ବିଧି ବିଧାନ ନାହିଁ । ବରଂ ତୁଳନାରେ ଅଧିକାଂଶ ସ୍ଥଳରେ ବିପରୀତ ଦେଖାଯାଏ । ଗରିବ ଝିଅ ଯେଉଁ କାର୍ଯ୍ୟକୁ ଆନନ୍ଦ, ସୁଖ ବା ପୁଣ୍ୟ ମଣେ, ଧନିକନ୍ୟା ତାକୁ ଲଜ୍ଜା, ଅପମାନ ଏବଂ ଘୃଣା ଜ୍ଞାନ କରେ । କେତେଟା ଧନିକନ୍ୟା ଶାଶୁ ଶଶୁରଙ୍କୁ ସେବା କରିବାକୁ, ରନ୍ଧାବଢ଼ା କରିବାକୁ, ଗୃହକାର୍ଯ୍ୟ କରିବାକୁ ସୁଖ ମଣନ୍ତି ? ମାତ୍ର ଗରିବ କନ୍ୟା ସେହିସବୁ କାର୍ଯ୍ୟକୁ କର୍ତ୍ତବ୍ୟ ମଣି ଆନନ୍ଦ ଏବଂ ଆଗ୍ରହର ସହିତ କରେ । ଆଉକଥା ଦୂରେଥାଉ ଅନେକ ବିଳାସକ୍ରୋଡ଼ପାଳିତା ଧନିକନ୍ୟା ନିଜର ଗର୍ଭଜାତ ସନ୍ତାନ ସନ୍ତତି ପାଳନରେ ସୁଦ୍ଧା ଉଦାସୀନ । ଜନ୍ମ କଲା ପରେ ଆଉ ତାଙ୍କର କିଛି ଦାୟିତ୍ୱ ନ ଥାଏ । ଧାତ୍ରୀ ହସ୍ତରେ ସନ୍ତାନର ଜୀବନ ଗଠିତ ହୁଏ, ଧାତ୍ରୀ ସ୍ତନ୍ୟରେ ତାହାର ଶରୀର ପୁଷ୍ଟ ହୁଏ ।’’ ସତ୍ୟଭୂଷଣ ଏହିପରି ଅନେକ କଥା କହିଗଲା, ତାହା ସବୁ ଲେଖିବା ତେତେ ଆବଶ୍ୟକ ନୁହେଁ ।