ଜୀବନ ପଞ୍ଜିକା (ପ୍ରଥମ ଭାଗ)
ଚିନ୍ତାମଣି ମହାନ୍ତି · ଭାଗ ୭ / ୧୦ · ଭାଗ ୭
ସମ୍ପୂର୍ଣ୍ଣ ସୂଚୀପତ୍ର
ଲର୍ଡ଼ ଫୁଲାର ସେହି ପ୍ରଦେଶର ଗଭର୍ଣ୍ଣର ହେଲେ । ସେ ଖୁବ୍ କଠୋର ହସ୍ତରେ ଶାସନ କଲେ । ବଙ୍ଗାଳିମାନେ ପ୍ରଥମେ ପ୍ରତିବାଦ କରିଥିଲେ, କିନ୍ତୁ ସେଥିରେ କିଛି ଫଳ ହେଲା ନାହିଁ । ତହୁଁ ବଙ୍ଗାଳିମାନେ ମାତି ଉଠି ବିଦେଶୀ ପଦାର୍ଥ ବୟକଟର ଆନ୍ଦୋଳନ ଲଗାଇଦେଲେ । ଆନ୍ଦୋଳନ କ୍ରମଶଃ ପ୍ରଖର ହୋଇ ଉଠିଲା । ସମସ୍ତେ ବିଲାତି ଛାଡ଼ି ଦେଶୀ ବ୍ୟବହାର କଲେ । ରାଜପକ୍ଷରୁ କଠୋର ଆଇନ ଜାରି ହେଲା । କେତେ ଫାସି ପାଇଲେ, କେତେ ଦ୍ୱୀପାନ୍ତର ଗଲେ, କେତେ ଜେଲ ଖଟିଲେ, ମାତ୍ର ଆନ୍ଦୋଳନ ଦବିଲା ନାହିଁ, ବରଂ ପ୍ରଚଣ୍ଡ ଭାବ ଧାରଣ କଲା । ସେହି ଆନ୍ଦୋଳନ କେବଳ ବଙ୍ଗ ଦେଶରେ ଆବଦ୍ଧ ନ ଥିଲା, ତାହାର ଢେଉ କ୍ରମେ ଭାରତବ୍ୟାପୀ ହେଲା-। ସେହିବର୍ଷ କର୍ଜନ ସାହେବଙ୍କ ଆନୁକୂଲ୍ୟରେ ଗଞ୍ଜାମ ଓଡ଼ିଶା ସଙ୍ଗେ ମିଶିଥାନ୍ତା । ଶୁଭକାର୍ଯ୍ୟ ସଫଳତାର ସମ୍ମୁଖବର୍ତ୍ତୀ ହୋଇଥିଲା, ମାତ୍ର ମାନ୍ଦ୍ରାଜର ତାତ୍କାଳିକ ଲାଟ ଲର୍ଡ଼ ପେଣ୍ଟଲାଣ୍ଡ ସେ ପ୍ରସ୍ତାବ ଭାଙ୍ଗି ଦେଲେ । ଲର୍ଡ଼ କର୍ଜନ ଛୁଟି ନେଇ ବିଲାତ ଯିବାରୁ ପେଣ୍ଟଲାଣ୍ଡ ସାହେବ ବଡ଼ଲାଟ ଗାଦିରେ ବସିଲେ, ସୁତରାଂ ପ୍ରସ୍ତାବ ଭାଙ୍ଗିଦେବା ତାଙ୍କ ପକ୍ଷରେ ସହଜ ହେଲା-। ସେଥିରେ ଓଡ଼ିଆ ଜାତି ହୃଦୟରେ ଘୋର ଆଘାତ ଲାଗିଲା । ଲର୍ଡ଼ କର୍ଜନ ଦେଉଳ ତୋଳି ନାମ ରଖିବାକୁ ଯାଉଥିଲେ, ମାତ୍ର ପେଣ୍ଟଲାଣ୍ଡ ଅନ୍ୟପ୍ରକାରରେ ନାମ ରଖିଗଲେ । ତାଙ୍କର ଏ କୀର୍ତ୍ତି ଓଡ଼ିଆ ଜାତି ପାସୋରିବ ନାହିଁ–ତାହା ପାସୋରିବାର କଥା ନୁହେଁ । ଓଡ଼ିଆ ଜାତିର ଆଶା ଆକାଙ୍କ୍ଷାର ପୂର୍ଣ୍ଣତାରେ ସହାୟତା କରିଥିଲେ ଲକ୍ଷ ଲକ୍ଷ ଓଡ଼ିଆ ମୁକ୍ତ ପ୍ରାଣରେ ଲର୍ଡ଼ ପେଣ୍ଟଲାଣ୍ଡଙ୍କୁ ଆଶୀର୍ବାଦ କରୁଥାନ୍ତେ ଏବଂ ବାହୁ ଉତ୍ତୋଳନ କରି ତାଙ୍କର ଜୟଜୟକାର ଘୋଷଣା କରୁଥାଆନ୍ତେ, ମାତ୍ର ସେ ଯଶ ତାଙ୍କ ଭାଗ୍ୟରେ ନାହିଁ ।
ବଙ୍ଗଭଙ୍ଗ ସମୟରୁ ସ୍ୱଦେଶୀ ଆନ୍ଦୋଳନର ସୂତ୍ରପାତ ହେଲା । ସିଗାରେଟ ପରିବର୍ତ୍ତେ ସମସ୍ତେ ବିଡ଼ି ବ୍ୟବହାର କଲେ । ତାହା ପୂର୍ବରୁ ବିଡ଼ିର ପ୍ରଚଳନ ଥିଲା ନାହିଁ । ଯେଉଁଦିନ ସ୍ୱଦେଶୀ ବ୍ୟବହାର ଚାଲିଲା, ସେହି ଦିନଟି ବିଡ଼ିର ଜନ୍ମଦିନ । ଏହାଦ୍ୱାରା ସ୍ୱଦେଶୀ ପଦାର୍ଥର ଆଦର ହେଲା ସତ୍ୟ, ମାତ୍ର ସର୍ପ ବିଷ ପରିବର୍ତ୍ତରେ ଶଙ୍ଖୁଆ ଧରିଲା ପରି ହେଲା । ଅନେକେ ଚା’ ଛାଡ଼ି ବେଲପତ୍ର, ତୁଳସୀ ପତ୍ର ଶିଝାଇ ପିଇଲେ–ଏହାହିଁ ପ୍ରକୃତ ସ୍ୱଦେଶୀ ଆଦର ।
ନୀଳମଣି ବାବୁ ଶାସ୍ତ୍ରୀଙ୍କ ମାସିକ ପତ୍ରିକାର କଳ୍ପନା ଶୁଣି ଖୁସି ହେଲେ । ଶାସ୍ତ୍ରୀଙ୍କୁ ସେ ସମ୍ୱନ୍ଧରେ ଅନେକ ଉତ୍ସାହ ଉପଦେଶ ଦେଲେ । ମୋତେ କହିଲେ–‘‘ଆମର କୃଷି ପତ୍ରିକା ନାହିଁ, ଖଣ୍ଡେ ବାହାର କରିବାକୁ ମୋର ଇଚ୍ଛା ଥିଲା, ମାତ୍ର ‘‘ମଧୁପ’’ର ଭାର ସମ୍ଭାଳି ଆଉ ଖଣ୍ଡକର ଭାର ବହିବା ସହଜ ନୁହେଁ–ସୁତରାଂ ସେ ଆଡ଼କୁ ମନ ଦେଇ ପାରିଲି ନାହିଁ । ଯଦି ଗୋଟାଏ ସୁଯୋଗ ମିଳିଛି, ତେବେ ଛାଡ଼ିବା ଉଚିତ ନୁହେଁ । ତୁମ୍ଭେ ଯାଇ ପତ୍ରିକା ବାହାର କର । ପତ୍ରିକାର ସ୍ଥାୟିତ୍ୱ ବିଷୟ ଆଗରୁ ଭାବିଲେ କିଛି ହୋଇ ପାରିବ ନାହିଁ । ଯେତେଦିନ ଚଳି ପାରିବ ଚଳୁ, ଗୋଟାଏ ବାଟ ଆଗେ ପଡ଼ୁ–କେହି ହେଲେ ସେ ବାଟରେ ଚାଲିବେ ।’’ ଶାସ୍ତ୍ରୀଙ୍କ ସଙ୍ଗରେ ମୁଁ ବ୍ରହ୍ମପୁର ଗଲି । ଭାବୀ ପତ୍ରିକାର ନାମ ‘‘ସ୍ୱଦେଶ ଲକ୍ଷ୍ମୀ’’ ଦେବାର ସ୍ଥିର ହେଲା । ହିନ୍ଦି, ବଙ୍ଗଳା, ତେଲଗୁ ଭାଷାର କେତେ କୃଷି, ଶିଳ୍ପାଦି ସମ୍ୱନ୍ଧୀୟ ପୁସ୍ତକ ଏବଂ ପତ୍ରିକା ଅଣା ହେଲା । ପ୍ରାଥମିକ ଅନୁଷ୍ଠାନ କରିଦେଇ ମୁଁ ଘରକୁ ଆସିଲି । କେତେ କାମର ବନ୍ଦୋବସ୍ତ କରିଦେଇ ସପ୍ତାହକ ପରେ ଫେରିଗଲି-। ଗୁଆମାଳ ନିବାସୀ ହରମୋହନ ମିଶ୍ର ନାମରେ ମୋର ଜଣେ ଛାତ୍ର ଚାକିରି ଆଶାରେ ମୋ ସଙ୍ଗରେ ଗଲା । ଭାପୁର ବଜାରରେ ଶାସ୍ତ୍ରୀ ଗୋଟିଏ ଭଲ ବସା ଭଡ଼ା ନେଇଥିଲେ-। ବସାଟି ଖୁବ୍ ପ୍ରଶସ୍ତ, ବଜାର ମଧ୍ୟରେ ହେଲେ ସୁଦ୍ଧା ଜନଗହଳର ଉପଦ୍ରବ ନାହିଁ । ତଳେ ଉପରେ ଯଥେଷ୍ଟ ସ୍ଥାନ । ଉପରେ ମୁଁ ଥାଏଁ, ତଳେ ରୋଷାଇ ହୁଏ । ହରମୋହନ କମ୍ପୋଜ ଶିଖି ସାତଟଙ୍କା ବେତନରେ ନିଯୁକ୍ତ ହେଲା । ବ୍ରହ୍ମପୁରର ପୁରୁଣା ବନ୍ଧୁମାନଙ୍କ ସଙ୍ଗରେ ସ୍ୱଦେଶ ଲକ୍ଷ୍ମୀ ସମ୍ୱନ୍ଧରେ ପରାମର୍ଶ ହେଲା, ସମସ୍ତେ ସହାନୁଭୂତି ପ୍ରକାଶ କଲେ । ପର୍ଶୁରାମ ବାବୁ ଶୁଣି ଖୁବ୍ ଖୁସି ହେଲେ । କହିଲେ, ‘‘ଆପଣ ମାସିକ ପତ୍ର ବାହାର କରନ୍ତୁ, ଆପଣଙ୍କ ଆୟ ବୃଦ୍ଧିରେ ମୁଁ ସାହାଯ୍ୟ କରିବି ।’’ କାର୍ଯ୍ୟରେ ମଧ୍ୟ ତାହାହିଁ ହୋଇଥିଲା । ଓଡ଼ିଶା ଗଡ଼ଜାତର ଠିକାଦାରମାନଙ୍କର ଅନେକ ମକଦ୍ଦମା ଗଞ୍ଜାମରେ ହୁଏ । ତାହାର ନଥିପତ୍ର ସବୁ କରଣୀ ଛଟା ଅକ୍ଷରରେ ଲେଖା ହୋଇଥାଏ । ତାହା କେହି ପଢ଼ି ପାରନ୍ତି ନାହିଁ । ପର୍ଶୁରାମ ବାବୁ ସେସବୁ କାଗଜପତ୍ର ମୋତେ ଦିଅନ୍ତି । ମୁଁ ଭଲ ଅକ୍ଷରରେ ଉତାରି ଦିଏଁ । ଗୋଟାଏ ମକଦ୍ଦମାର କାଗଜପତ୍ର ଉତାରି ଦେଲେ ମୁଁ ଚାରି ପାଞ୍ଚଟଙ୍କା ପାଏଁ । ପର୍ଶୁରାମ ବାବୁଙ୍କ କୋଠାକୁ ମୁଁ ପ୍ରତିଦିନ ଯାଏଁ । ସେ ମଧ୍ୟ ମୋ ବସାରେ ହୋଇ ବୁଲିବାକୁ ଯାଆନ୍ତି । ସୌହାର୍ଦ୍ଦ୍ୟ କ୍ରମେ ବଢ଼ି ଉଠିଲା । ସେ ବର୍ତ୍ତମାନ ପୃଥିବୀ ବିଖ୍ୟାତ ବ୍ୟକ୍ତି–ସାର୍ ପରଶୁରାମ ପାତ୍ର, ମୁଁ ଯାହାକୁ ତାହା । ତାଙ୍କୁ ବନ୍ଧୁ ବୋଲି କହିବାକୁ ଏବେ ସଂକୋଚ ବୋଧ କରୁଛି, ମାତ୍ର ଏହା ନିର୍ମଳ ସତ୍ୟ ଯେ–ତାଙ୍କପରି ପ୍ରକୃତ ସୁବନ୍ଧୁ ବାସ୍ତବରେ ଦୁର୍ଲଭ । ତାଙ୍କର ଅସାଧାରଣ ପ୍ରତିଭା ଦେଖି, ଭବିଷ୍ୟତରେ ସେ ଜଣେ ଉଜ୍ଜ୍ୱଳ ନକ୍ଷତ୍ର ହେବେ ବୋଲି ମୁଁ ଯେଉଁ ଧାରଣା କରିଥିଲି, ତାହା ସତ୍ୟ ହୋଇଅଛି ।
ଯଥା ସମୟରେ ‘‘ସ୍ୱଦେଶ ଲକ୍ଷ୍ମୀ’’ ପ୍ରକାଶିତ ହେଲା । ଗଞ୍ଜାମର ରାଜା, ଜମିଦାର ଏବଂ ସାଧାରଣ ବ୍ୟକ୍ତି ତାହାପ୍ରତି ଆନୁକୂଲ୍ୟ ପ୍ରଦର୍ଶନ କଲେ । ବୋର୍ଡ଼ଙ୍କ ଆଦେଶରେ ପ୍ରତ୍ୟେକ ପ୍ରାଇମେରୀ ସ୍କୁଲକୁ ପତ୍ରିକା ପ୍ରେରିତ ହେଲା । ସେଥିର ମୂଲ୍ୟ ଶାସ୍ତ୍ରୀ ବିଲ ପଠାଇ ବୋର୍ଡ଼ରୁ ଆଣିବାର ବ୍ୟବସ୍ଥା କଲେ । ତେଲୁଗୁ ଭାଷାରେ ବୈଷୟିକ ପତ୍ରିକା ଅନେକ ଅଛି । ତାହା ସବୁ ପଢ଼ି ଶାସ୍ତ୍ରୀ ବ୍ୟାସଦେବ ହୁଅନ୍ତି, ମୁଁ ଗଣେଶ ହୁଏ, କିନ୍ତୁ ଗଣେଶଙ୍କ ମୂଷା ହେବାର ସୌଭାଗ୍ୟ ନାହିଁ । ସ୍ୱଦେଶଲକ୍ଷ୍ମୀ ମାସକରେ ପୁସ୍ତକାକାରରେ ବାହାରେ, ମୋତେ ଯଥେଷ୍ଟ ଅବସର ମିଳିଲା । ସେହି ସମୟରେ ମୁଁ ସାତ ଆଠଖଣ୍ଡ କୃଷି ପୁସ୍ତକ ଲେଖିଲି । ଲେଖିସାରି ଖଣ୍ଡକରେ ଖଲିକୋଟ ରାଜା ହରିହର ମର୍ଦ୍ଦରାଜଙ୍କ ନାମରେ ଉତ୍ସର୍ଗ ଲେଖି ତାଙ୍କ ନିକଟକୁ ପଠାଇଦେଲି । ଗୁଣଗ୍ରାହୀ ରାଜା ମହୋଦୟ ଲେଖିଲେ–‘‘ଯେତେ କୃଷି ପୁସ୍ତକ ଲେଖା ହୋଇଅଛି, ସବୁ ପଠାଇ ଦେଲେ ପ୍ରଜାବନ୍ଧୁ ପ୍ରେସରେ ଛପାଇ ଦିଆଯିବ ।’’ ଆଜି ସେ କଥା ସ୍ମରଣ କରିବା ବେଳକୁ ଦେହ ଫୁଲି ଉଠୁଛି । ଏ କାଳରେ ସେ ଭଳି ଉଦାରତା, ବଦାନ୍ୟତା ଦେଖିବାକୁ ମିଳୁନାହିଁ । ଖଣ୍ଡିଏ ଉତ୍ସର୍ଗ କଲି, ସାତ ଆଠଖଣ୍ଡ ଛପାଇ ଦେବାର ଆଦେଶ ହେଲା–ଏହାଠାରୁ ଅଧିକ ଆଉ କଅଣ ହୋଇପାରେ ? ପ୍ରତ୍ୟେକ ପୁସ୍ତକରୁ ହଜାରେ ଲେଖାଏଁ ଛାପା ହେଲା । ପର୍ଶୁରାମ ବାବୁଙ୍କ ଚେଷ୍ଟାରେ ଗଞ୍ଜାମ ଏସୋସିଏସନ ପାଞ୍ଚଶ ପୁସ୍ତକ କିଣି ବିତରଣ କଲେ । ପୁସ୍ତକଗୁଡ଼ିକ ଖୁବ୍ ବିକ୍ରୟ ହେଲା । ଓଡ଼ିଶା ଗଡ଼ଜାତର ଅନେକ ରାଜା ଅଧିକ ସଂଖ୍ୟାରେ ପୁସ୍ତକ କିଣି ରାଜ୍ୟରେ ବାଣ୍ଟିଲେ । ପ୍ରଥମ ସଂସ୍କରଣ ଶେଷ ହୋଇଗଲା । କଟକ ଉତ୍କଳ ସଭାର ସଭାପତି ସ୍ୱର୍ଗୀୟ କଳ୍ପତରୁ ଦାସ ପୁସ୍ତକରେ ଦ୍ୱିତୀୟ ସଂସ୍କରଣ ଛପାଇ ପ୍ରତ୍ୟେକରୁ ପାଞ୍ଚଖଣ୍ଡ ଲେଖାଏଁ କିଣିଥିଲେ । ସେ ମୋର ଜଣେ ପ୍ରଧାନ ଉତ୍ସାହଦାତା ଥିଲେ । ତାଙ୍କଠାରୁ ମୁଁ ଯଥେଷ୍ଟ ସହାୟତା ଲାଭ କରିଅଛି । ମୋର ‘‘ନୀତି କୁସୁମ’’ ଏହି ସମୟରେ ଛାପା ହୋଇଥିଲା । ଏହି ସମୟରେ ଧରାକୋଟ ରାଜାଙ୍କ ଆହ୍ୱାନମତେ ତାଙ୍କୁ ଯାଇ ଗଡ଼ରେ ସାକ୍ଷାତ୍ କଲି । ତାଙ୍କ ପ୍ରେସରେ ମେନେଜର ହୋଇ ରହିବା ସକାଶ ସେ ମୋତେ କହିଲେ । ମୁଁ ସ୍ୱୀକୃତ ହେଲି, ସବୁକଥା ଛିଡ଼ିଲା । ପ୍ରେସରୁ ବିତାଡ଼ିତ ମେନେଜର ଚିନ୍ତାମଣି ମିଶ୍ରଙ୍କର ବ୍ୟାକୁଳତାର ସୀମା ରହିଲା ନାହିଁ । ସେ ମୋତେ ଗୋପନରେ ସାକ୍ଷାତ୍ କରି ତାଙ୍କର ଅବସ୍ଥା ଜଣାଇଲେ ଏବଂ ଏହା ମଧ୍ୟ କହିଲେ ଯେ, ଆପଣ ଆସିଲେ ମୋର ଆଶା ଭରସା ଶେଷ ହୋଇଯିବ । ମୋର ଅନ୍ୟ ଅବଲମ୍ୱନ ନାହିଁ, ଚାକିରି ଖଣ୍ଡି ଗଲେ କୁଟୁମ୍ୱ ଉପବାସରେ ମରିବେ । ବ୍ରାହ୍ମଣର ବ୍ୟସ୍ତତା ଦେଖି ମନରେ ଦୁଃଖ ଜାତ ହେଲା । ସେହି ହେତୁରୁ ରଜା ମହୋଦୟଙ୍କୁ ସ୍ୱୀକୃତ ଦେଇ ସୁଦ୍ଧା ସେଠାରେ ରହିବାକୁ ଇଚ୍ଛା ହେଲା ନାହିଁ । ସ୍ୱଦେଶ ଲକ୍ଷ୍ମୀର ବ୍ୟବସ୍ଥା କରିସାରି ଆସିବି ବୋଲି କହି ବ୍ରହ୍ମପୁର ଆସିଲି ।
ବିଦ୍ୟାରତ୍ନ ଅନେକଥର ବ୍ରହ୍ମପୁର ଆସନ୍ତି । ସଙ୍ଗରେ ଅଧିକ ଲୋକ ଥିଲେ ସ୍ୱତନ୍ତ୍ର ବସା କରନ୍ତି, ଜଣେ ଦୁଇଜଣ ଥିଲେ ମୋ ବସାରେ ରହନ୍ତି । ଦିନେ ମୋତେ କହିଲେ–‘‘ଫକୀରମୋହନ ବାବୁଙ୍କ ‘‘ଉତ୍କଳ ଭ୍ରମଣ’’ ପରି ତୁମ୍ଭେ ଗଞ୍ଜାମ ଭ୍ରମଣ ଲେଖ । ପ୍ରଜାବନ୍ଧୁରେ ତାହା ପ୍ରକାଶ କରିବ-।’’ ମୁଁ କହିଲି–‘‘ଆପଣ ଉପକରଣ ଯୋଗାଇଲେ ମୁଁ ଲେଖିବି-।’’ ସେ ସ୍ୱୀକୃତ ହେଲେ, ସେହିଦିନ ବସି କେତେ ଟୀକା ଟିପ୍ପଣୀ ହୋଇଗଲା । ନାମ ଦେବାକୁ ମୁଁ ମନାକଲି, ନୀଳମଣି କହିଲେ–‘‘ମୋର ବି ମତ, ବର୍ତ୍ତମାନ ପ୍ରଜାବନ୍ଧୁରେ ବେନାମୀ ଭାବରେ ଗଞ୍ଜାମ ଭ୍ରମଣ ବାହାରିବା ଦରକାର । ଅନେକ ସେଥିରେ ଉତ୍ତେଜିତ ହୋଇ ଉଠିବେ–ଅକାରଣ ଶତ୍ରୁ ବୃଦ୍ଧି ହେବ, ସୁତରାଂ ବିପଦର ସମ୍ଭାବନା ।’’ ଏହାପରେ କଥା ହେଲା, ମୁଁ ପ୍ରତି ସପ୍ତାହରେ ପ୍ରଜାବନ୍ଧୁର ଦୁଇସ୍ତମ୍ଭ ପୂର୍ଣ୍ଣ ହେଲାଭଳି ଗଞ୍ଜାମ ଭ୍ରମଣ ଲେଖି ପଠାଇବି, ତାହା କ୍ରମଶଃ ଭାବରେ ପ୍ରକାଶିତ ହେବ । ତହିଁପରଦିନ ବିଦ୍ୟାରତ୍ନ ରମ୍ଭାକୁ ଫେରିଗଲେ ।
ପ୍ରଜାବନ୍ଧୁରେ ଗଞ୍ଜାମ ଭ୍ରମଣ ବାହାରିଲା । ଖଣ୍ଡେ ଖଣ୍ଡେ ଲେଖା ହେଉଥାଏ, ଏଣେ ପତ୍ରିକାରେ ବାହାରୁଥାଏ । ଗଞ୍ଜାମରେ ଗୋଟାଏ ହାଇସ୍କୁଲ ପଡ଼ିଗଲା । ଗଞ୍ଜାମ ଭ୍ରମଣ ପଢ଼ିବାକୁ ଲୋକଙ୍କର ଭାରି ଆଗ୍ରହ ଦେଖାଗଲା । ଏକଘରର ଦୁଇଭାଇ ପ୍ରଜାବନ୍ଧୁର ଗ୍ରାହକ ହେବାର ଦେଖାଯାଇଅଛି । ଅନେକେ ତାହା ଆମୂଳଚୂଳ ଘୋଷି କଣ୍ଠସ୍ଥ କରି ରଖିଲେ । ଖଲ୍ଲିକୋଟର କେତେ ଜଣ ଯୁବକ ଗଞ୍ଜାମ ଭ୍ରମଣ କଣ୍ଠସ୍ଥ କରିଥିବାର ପ୍ରତ୍ୟକ୍ଷ ପ୍ରମାଣ ମୁଁ ପାଇଅଛି । ଲେଖାର ପ୍ରଶଂସା କରି ଲେଖକର ନାମ ଜାଣିବା ସକାଶ ବିଦ୍ୟାରତ୍ନଙ୍କୁ ଅନେକେ ପତ୍ର ଲେଖିଲେ, କେହି କେହି ରମ୍ଭା ପର୍ଯ୍ୟନ୍ତ ଧାଇଁଲେ, ମାତ୍ର ନାମ କେହି ଜାଣି ପାରିଲେ ନାହିଁ । କମ୍ପୋଜକୁ ଯେଉଁ କାଗଜ ଯାଏ, ସେଥିରେ ନାମ ଥାଏ ନାହିଁ । ସୁତରାଂ ପ୍ରେସ୍ କର୍ମଚାରୀଙ୍କର ସୁଦ୍ଧା ଜାଣିବାର ଉପାୟ ଥିଲା ନାହିଁ । ବ୍ରହ୍ମପୁରରେ ପର୍ଶୁରାମ ବାବୁ ଏବଂ ଶାସ୍ତ୍ରୀ ମୋର ଲେଖା ବୋଲି ଜାଣିଥିଲେ-। ପର୍ଶୁରାମ ବାବୁ ପ୍ରତିଭାବାନ୍, ମୋର ଲେଖା ସେ ଅନେକ ପଢ଼ିଛନ୍ତି, ସୁତରାଂ ଲେଖାରୁ ଜାଣିପାରିଲେ । ଶାସ୍ତ୍ରୀ ଜାଣିବା ପାଇଁ ଅନେକ ଚେଷ୍ଟା କଲେ, ମାତ୍ର ମୁଁ ବହଲାଇ ଦେଲି-। ଶାସ୍ତ୍ରୀଙ୍କର ସେଥିରେ ବିଶ୍ୱାସ ହେଲା ନାହିଁ, ସେ କହିଲେ–ଯେତେ କୁହ ପଛେ ପଣ୍ଡିତେ, ତୁମଛଡ଼ା ଲେଖକ କେହି ନୁହେଁ । କଅଣ କରିବି ଅଗତ୍ୟା ତାହାଙ୍କଠାରେ ସ୍ୱୀକାର କରିବାକୁ ହେଲା-। କେତେ ଲୋକ ଆଶୀର୍ବାଦ କଲେ, କେତେ ଜଳି ଉଠିଲେ । ବାରୁଆ ଖାଡ଼ଙ୍ଗା ମାନହାନିରେ ମକଦ୍ଦମା କରିବା ପାଇଁ ପ୍ରଜାବନ୍ଧୁକୁ ରେଜିଷ୍ଟରୀ ନୋଟିସ୍ ଦେଲେ । ବିଦ୍ୟାରତ୍ନ ସେ ନୋଟିସ୍ ମୋ ପାଖକୁ ପଠାଇ ଦେଲେ । କିଛି ଉତ୍ତର ନ ଦେଇ କିଛିଦିନ ନୀରବ ରହିବା ସକାଶ ମୁଁ ତାଙ୍କୁ ଲେଖିଲି । ବାରୁଆ ମାଲିକଦାର ଜଣେ ରଜାପରି ସଙ୍ଗତିବାନ୍ । ସାଧାରଣ ଜାତୀୟ କାର୍ଯ୍ୟରେ ତାଙ୍କର ଉଦାସୀନତା ଦେଖି ଅଭିମାନ କରି ଅନ୍ୟାନ୍ୟ କଥା ମଧ୍ୟରେ ତାଙ୍କୁ ଲେଖା ଯାଇଥିଲା–‘‘ଦେଶଲାଗି ଖର୍ଚ୍ଚ କରି କି ହେବ ଖାଡ଼ଙ୍ଗା, କିଣିଆଣ ଚିତାପାଣ୍ଡୁ ହେବ ଚାରୁ ଆଡ଼ଙ୍ଗା-।’’ ଏତିକିରେ ତାଙ୍କର ମାନହାନି ହେଲା । ପର୍ଶୁରାମ ବାବୁଙ୍କୁ ଯାଇ ପଚାରିଲି, ସେ କହିଲେ–‘‘ଲେଖାରେ ଦୋଷର କଥା କିଛି ନାହିଁ, ଆପଣ ନିଶ୍ଚିନ୍ତ ଥାଉନ୍ତୁ, ମକଦ୍ଦମା ହେଲେ ମୁଁ ଜାଣେ ।’’ ଖାଡ଼ଙ୍ଗାଙ୍କ ନୋଟିସ୍ କଥା ଶାସ୍ତ୍ରୀ ଶୁଣି ମୋତେ ଆହୁରି ବଳ ଦେଲେ, ମୁଁ ଅଶ୍ୱସ୍ତ ହୋଇ ରହିଲି ।
ଶାସ୍ତ୍ରୀ ଯେଉଁଦିନ ଶୁଣିଲେ, ସେହିଦିନ ରେଲରେ ବାରୁଆ ଚାଲିଗଲେ । ଖାଡ଼ଙ୍ଗାଙ୍କୁ କହିଲେ–‘‘ତୁମ୍ଭେ ପ୍ରଜାବନ୍ଧୁକୁ ନୋଟିସ୍ ଦେଇଛ, ଏ ବୁଦ୍ଧି ତୁମକୁ କିଏ ଦେଲା ? ଗଞ୍ଜାମ ଭ୍ରମଣରେ ଯାହା ଲେଖା ଯାଇଛି, ସେଥିରେ ମାନହାନିର କଥା କିଛି ନାହିଁ । ମକଦ୍ଦମା କଲେ ତୁଚ୍ଛାଟାରେ ନିଜେ ନିଜେ ଅପମାନ ପାଇବ । ସେ ନୋଟିସ୍ ଫେରାଇ ଆଣ, ନଚେତ୍ ପ୍ରଜାବନ୍ଧୁରେ ବାହାରିଲେ ଲଜ୍ଜା ରଖିବାକୁ ସ୍ଥାନ ମିଳିବ ନାହିଁ । ଲେଖକ ଗଞ୍ଜାମବାସୀ ନୁହେଁ–ସେ ଜଣେ କଟକର ଟାଣୁଆ ଲୋକ, ସେ ଓଲଟି ତୁମକୁ ପକାଇପାରେ ।’’ ଖାଡ଼ଙ୍ଗା ଏହା ଶୁଣି ଶାସ୍ତ୍ରୀଙ୍କୁ ରମ୍ଭା ଯାଇ ନୋଟିସ୍ ଫେରାଇ ଆଣିବାକୁ ଅନୁରୋଧ କଲେ । ଶାସ୍ତ୍ରୀ କହିଲେ–‘‘ଆଉ ଫେରାଇ ଆଣିବ କଅଣ, ସେହିଠାରେ ଚିରି ପକାଇବି । ତୁମେ ଆଉ କିଛି ନ କରି ତୁନି ହୋଇ ରୁହ ।’’ ଖାଡ଼ଙ୍ଗା ସ୍ୱୀକୃତ ହେଲେ, ଗୁନ୍ନେୟାଶାସ୍ତ୍ରୀ ଆସି ମୋତେ ସବୁ କହିଲେ । ଦୈବାତ୍ ସେଦିନ ବିଦ୍ୟାରତ୍ନ ଆସି ସେଠାରେ ଉପସ୍ଥିତ ଥିଲେ । ଶାସ୍ତ୍ରୀଙ୍କ କଥା ଶୁଣି ଗୋଟାଏ ଆନନ୍ଦ–ହାସ୍ୟର ତରଙ୍ଗ ଖେଳିଗଲା । ଶାସ୍ତ୍ରୀଙ୍କ ପ୍ରତ୍ୟୁତ୍ପନ୍ନମତି ଏବଂ ବିଚିତ୍ର ଚାତୁରୀକୁ ଆମେ ଦୁହେଁ ପ୍ରଶଂସା ନ କରି ରହି ପାରିଲୁଁ ନାହିଁ-।
ପାରଳାରେ କେତେ ଜଣଙ୍କ କଥା ଶେଷରେ ଲେଖା ଯାଇଥିଲା–‘‘ଆଉ କେତେ ଜଣ ଯାଇ କସି ବେଳୁ ପାଚି, ଦେଶ ଦେଶ ବୋଲି ହେଉଛନ୍ତି କୁଦିନାଚି ।’’ ‘‘ଆ–ରେ ବଳଦ ମୋତେ ବିନ୍ଧ୍’’ ନ୍ୟାୟରେ ରାମକୃଷ୍ଣ ମିଶ୍ର ଏ କଥାକୁ ନିଜ ଦେହକୁ ଟାଣି ମାତି ଉଠିଲେ । ରମ୍ଭା ଯାଇ ବିଦ୍ୟାରତ୍ନଙ୍କୁ ଲେଖକର ନାମ ପଚାରିଲେ, ପୁଣି ବ୍ରହ୍ମପୁର ଆସି ମୋତେ ପଚାରିଲେ । ତାଙ୍କ କଥାରୁ ବୋଧ ହେଲା–ମୋ ପ୍ରତି ତାଙ୍କର ପୂର୍ଣ୍ଣ ସନ୍ଦେହ । କିନ୍ତୁ ମୁଁ ଏଣୁତେଣୁ କହି ବହଲା ବହଲି କରିଦେଲି । ଗଞ୍ଜାମ ଭ୍ରମଣ ପାଇଁ ତାରିଣୀ ଚରଣ ରଥଙ୍କ ପରି ଉଚ୍ଚଶିକ୍ଷିତ ବ୍ୟକ୍ତିମାନେ ଆଜୀବନ ମୋ ପ୍ରତି ଗୋଟାଏ ବ୍ୟର୍ଥ ଆକ୍ରୋଶ ବହିଥିଲେ । ମୁଁ ସେମାନଙ୍କୁ ନିନ୍ଦା କରି ନାହିଁ, ଲେଖାର ଭାବ ନ ବୁଝି ସେମାନେ ବୃଥା ଭ୍ରମରେ ପଡ଼ିଥିଲେ । ସେଥିମଧ୍ୟରେ ଅଭିଧାନକାର ନନ୍ଦ ପଣ୍ଡିତେ ବି ଜଣେ । ଏତେ ଲୁଚା ଛପାରେ–ଏତେ କଟକଣାରେ ସୁଦ୍ଧା ମୋର ନାମ ବାହାରି ପଡ଼ିଲା । ଅନେକ ବିଶିଷ୍ଟ ବ୍ୟକ୍ତି ମୋତେ ଧନ୍ୟବାଦ୍ ଦେଇ ପତ୍ର ଲେଖିଲେ । ଗଞ୍ଜାମର ଆଦର୍ଶ ନେତା ସ୍ୱର୍ଗୀୟ ନରସିଂହ ଦାସ ତେତେବେଳେ ସବ୍ରେଜିଷ୍ଟ୍ରାର କାର୍ଯ୍ୟ କରୁଥିଲେ । ଗଞ୍ଜାମ ଭ୍ରମଣ ପଢ଼ି ସେ ମୋତେ ଦେଖିବାକୁ ଆସି କୁଣ୍ଢାଇ ପକାଇଲେ । ନରସିଂହ ବାବୁ ପ୍ରକୃତରେ ନରସିଂହ । ସେ ଯେପରି ନିର୍ଭୀକ, ସେହିପରି ସ୍ପଷ୍ଟବାଦୀ । ଇଂରାଜୀରେ ଅସାଧାରଣ ଦକ୍ଷତା ତାଙ୍କର ଥିଲା । ସେ ଠିକ୍ ସାହେବମାନଙ୍କ ପରି ଇଂରାଜୀ ଉଚ୍ଚାରଣ କରନ୍ତି । ତାଙ୍କୁ ତେଲଙ୍ଗାମାନେ ସୁଦ୍ଧା ଭୟ ଭକ୍ତି କରୁଥିଲେ । ଗଞ୍ଜାମକୁ ଓଡ଼ିଶାରେ ମିଶାଇବା ପାଇଁ ସେ ବ୍ୟାକୁଳ ହେଉଥିଲେ–ସେ ଦିଗରେ ସେ ଅନେକ କାର୍ଯ୍ୟ କରି ଅଛନ୍ତି । ନରସିଂହ ବାବୁ ମୋତେ ଠିକ୍ ସାନ ଭାଇ ପରି ସ୍ନେହ ଏବଂ ଗୁରୁ ପରି ଭକ୍ତି କରୁଥିଲେ । ଗଞ୍ଜାମ ଭ୍ରମଣର ଲେଖକ ବୋଲି ମୁଁ ଚିହ୍ନା ପଡ଼ିଗଲି । ସତ୍ୟକୁ ଗୋପନ କରି ହୁଏ ନାହିଁ । ତାଳେ ପାଣିରେ ସତ୍ୟକୁ ବୁଡ଼ାଇ ରଖିଲେ ସୁଦ୍ଧା ସମୟରେ ସେ ଆପେ ଆପେ ଉପରକୁ ଭାସି ଉଠେ । ଗଞ୍ଜାମ ଭ୍ରମଣ ଲେଖିଲା ପରେ ଗଞ୍ଜାମରେ ମୋର ପ୍ରତିଷ୍ଠା ବଢ଼ି ଉଠିଲା-।
ବ୍ରହ୍ମପୁରର ରତ୍ନାକର ପଟ୍ଟନାୟକ ମୋର ଜଣେ ପ୍ରିୟତମ ବନ୍ଧୁ । ସେ ପି. ଡବ୍ଲଇଉ-ଡି ଅଫିସରେ କାର୍ଯ୍ୟ କରୁଥିଲେ । ରତ୍ନାକର ବାବୁ ଚୈତନ୍ୟ ଧର୍ମାବଲମ୍ବୀ, ବୈଷ୍ଣବ ଧର୍ମର ତତ୍ତ୍ୱଜ୍ଞ-। ଅଫିସରୁ ଫେରିବା ବେଳେ ମୋ ବସାରେ ଆସି ଦୁଇଘଣ୍ଟା ବସନ୍ତି । ଗୀତାର ଆଲୋଚନା ହୁଏ । ତାଙ୍କର ଦକ୍ଷତା ଦେଖି ଗୀତାର ସରଳ ଗଦ୍ୟାନୁବାଦ କରିବାକୁ ମୁଁ ତାଙ୍କୁ କହିଲି-। ତାହା ପରଦିନଠାରୁ ସେ କାର୍ଯ୍ୟରେ ଲାଗିଗଲେ । ବୋଧ ହେଲା–ଯେପରି ପୂର୍ବରୁ ତାଙ୍କର ସେହି ଇଚ୍ଛା ଥିଲା, ମାତ୍ର ସେଥିଲାଗି ସେ କାହାରିଠାରୁ ପ୍ରବର୍ତ୍ତନା ପାଇ ନ ଥିଲେ । ଯେଉଁଦିନ ଯେତିକି ଲେଖିଥାଆନ୍ତି, ସେଦିନ ସନ୍ଧ୍ୟାପରେ ତାହା ଆଲୋଚିତ ହୁଏ । ଅନୁବାଦ ଶେଷ ହେଲା, କେତେବର୍ଷ ପରେ ପୁସ୍ତକାକାରରେ ପ୍ରକାଶିତ ହୋଇଥିଲା । ସେ ଗୀତାଖଣ୍ଡି ଖୁବ୍ ସୁବୋଧ୍ୟ ହୋଇଥିଲା ।
ଜଣେ ତେଲଙ୍ଗା ଯୁବକ ଦିନେ ଆସି ‘‘ଦଣ୍ଡମ୍ ଆୟା’’ ଉଚ୍ଚାରଣ ପରେ କହିଲା–‘‘ମୁଁ କମ୍ପାଉଣ୍ଡରୀ ପାସ୍ କରି କାର୍ଯ୍ୟରେ ନିଯୁକ୍ତ ହୋଇଛି, ମାତ୍ର ଓଡ଼ିଆ ଜାଣି ନ ଥିବାରୁ କାର୍ଯ୍ୟରେ ଯୋଗ ଦେଇ ପାରୁ ନାହିଁ । ଦୟାକରି ଟିକିଏ ଓଡ଼ିଆ ପଢ଼ାଇ ଦେଲେ ପରୀକ୍ଷା ଦେଇ ନୂଆ ଚାକିରୀରେ ଯୋଗ ଦେବି । ଆପଣଙ୍କର ଧର୍ମ ହେବ, ମୁଁ ଗରିବ–ମୋର ପ୍ରାର୍ଥନା ଏତିକି ।’’ ଯୁବକ ଠିକ୍ ଏହିପରି କହି ନ ଥିଲା । ସେ ଯେଉଁ ବିଚିତ୍ର ଓଡ଼ିଆ ଭାଷାରେ କଥା କହିଥିଲା, ତାହାରି ଭାବ ଲିଖିତ ହେଲା । କହିବା ଭଙ୍ଗୀରୁ ବୋଧ ହେଲା, ଯୁବକ ବାସ୍ତବରେ ଅଭାବଗ୍ରସ୍ତ ଏବଂ ଆତୁର । ମନଟା ଆର୍ଦ୍ରହୋଇ ଆସିଲା, ତାକୁ ଓଡ଼ିଆ ଶିଖାଇ ଦେବାକୁ ସ୍ୱୀକୃତ ହେଲି । ଆଉ ତାହାର ଆନନ୍ଦ କହିଲେ ନ ସରେ । ବାରମ୍ୱାର ‘‘ଦଣ୍ଡମ୍ ଆୟା’’ କହି ଭକ୍ତିରେ ଭାଙ୍ଗି ପଡ଼ିଲା । ପ୍ରଥମ ଦିନ ଆସି ସ୍ୱର ବ୍ୟଞ୍ଜନବର୍ଣ୍ଣ ଶିଖିଗଲା । ବର୍ଣ୍ଣବୋଧର ଓଡ଼ିଆ ଅକ୍ଷର ତଳେ ତେଲୁଗୁ ଅକ୍ଷରରେ ଲେଖି ସହଜରେ ଚିହ୍ନିଗଲା । ଯୁବକ ଶିକ୍ଷିତ, କହିଦେଲାକ୍ଷଣି ଧରି ନେଲା । ଦ୍ୱିତୀୟ ଦିନ ଆସି ବନାନ ଶିଖିଲା, ତୃତୀୟ ଦିନ ସାନ ସାନ ଶବ୍ଦ ଦୁଇପୃଷ୍ଠା ପଢ଼ିଗଲା । ସେହିଦିନଠାରୁ ଆଉ ଦେଖା ଦର୍ଶନ ନାସ୍ତି । ପ୍ରାୟ ଛ, ସାତ ମାସ ପରେ ଦିନେ ଅକସ୍ମାତ୍ ବାଟରେ ଦେଖା ହୋଇଗଲା । କୃତଜ୍ଞତା ପ୍ରକାଶ କରି ଯୁବକ କହିଲା–‘‘ପଣ୍ଡିତ ଗାରୁ, ଆପଣଙ୍କ ଦୟାରୁ ଆମେ ଓଡ଼୍ୟାରେ ପାସ୍ ହୋଇଗଲା-।’’ ମନେ ମନେ କହିଲି–ତୋ ମୁଣ୍ଡଗଣ୍ଡି ହୋଇଗଲା–ଓଡ଼୍ୟା କଅଣରେ ମୂର୍ଖ ? ତିନିଟା ଦିନରେ ତୁ ଓଡ଼ିଆରେ ଭଟ୍ଟାଚାର୍ଯ୍ୟ ପଣ୍ଡିତ ହୋଇ ଉଠିଲୁ । ଏଣୁ ତେଣୁ କେତେକ କଥା କହି ସେ ବିଦାୟ ହୋଇଗଲା । ସେ କଥାର ଭାବାର୍ଥ ଏହି ଯେ, ଓଡ଼ିଆ ପରୀକ୍ଷାରେ ପ୍ରବୀଣ ବିବେଚିତ ହୋଇ ଅବାଧରେ କମ୍ପାଉଣ୍ଡର ଚାକିରୀ କରୁଅଛି । ତେଲଙ୍ଗାମାନେ ଏହିପରି ଓଡ଼ିଆରେ ପାସ୍ କରନ୍ତି । ଉପର ଅଧିକାରୀ ତ ସ୍ୱଜାତି, ସେ ଯେଉଁ ଅପୂର୍ବ ଓଡ଼ିଆ କହନ୍ତି, ତାଙ୍କ ପାଖରେ ଦୁଇଟା ଭଙ୍ଗା ଭଙ୍ଗା ଓଡ଼ିଆ ଶବ୍ଦ କହିଲେ ପାସ୍ ନ ହୋଇ ତାର ବାପର ଚାରାନାହିଁ, କୁଆଡ଼େ ଯିବ । ପରୀକ୍ଷକ ପରୀକ୍ଷାର୍ଥୀ ଦୁହେଁ ଧନ୍ୟ–ଦୁହେଁ କୃତାର୍ଥନ୍ମନ୍ୟ ।
ଶାସ୍ତ୍ରୀଙ୍କ ପ୍ରେସ୍ରେ ଜଣେ ସ୍ଥାନୀୟ ଦଳୁଆ ଯୁବକ କମ୍ପୋଜିଟର କାର୍ଯ୍ୟ କରୁଥିଲା । ବୟସ ପ୍ରାୟ ୨୦।୨୧ ବର୍ଷ ହେବ । ଚିତ୍ରକଳାରେ ତାହାର ପାରଦର୍ଶିତା ଅସାଧାରଣ । ଲୁହା ପ୍ରେସ୍କୁ ଦେଖି ସେ ଗୋଟାଏ କାଠ ପ୍ରେସ୍ ନିଜ ହାତରେ ତିଆରି କରିଥିଲା । ସେ ମୋତେ ଆପଣ ବୋଲି ସମ୍ୱୋଧନ କରେ । ଦିନେ ଖଣ୍ଡେ ଛବି ଆଣି ମୋତେ ଦେଖାଇ କହିଲା–‘‘ଭଲ ହୋଇଛି ନା ଦେଖନ୍ତୁ ଆପଣେ, ମୁଁ ଏହାକୁ କରିଛି ।’’ ଛବି ଖଣ୍ଡି ରବି ବର୍ମାଙ୍କ ମେନକା ବିଶ୍ୱାମିତ୍ରର ଅବିକଳ କ୍ଷୁଦ୍ର ସଂସ୍କରଣ । ଯେଉଁଠାରେ ଯେଉଁ ରଙ୍ଗ ଦେବାର ତାହା ଦିଆ ହୋଇଅଛି । ମୁଁ କହିଲି–ତୁମ୍ଭେ କଅଣ ଏହାକୁ ହାତରେ ଆଙ୍କିଛ ? ସେ କହିଲା–‘‘ବ୍ଳକ୍ ଖୋଳି ମୋ କାଠ ପ୍ରେସ୍ରେ ଛାପି ନେଇଛି-। ଆପଣ ଦୟାକରି ଥରେ ଗଲେ ମୋର ପ୍ରେସ୍ ଦେଖନ୍ତେ ।’’ କଥାଟା ଆଶ୍ଚର୍ଯ୍ୟ ବୋଧହେଲା । ଚାରିଟା ବେଳକୁ ଯାଇ ପ୍ରେସ୍ ଦେଖି ଆସିବି ବୋଲି ତାକୁ କହି ମୁଁ ପର୍ଶୁରାମ ବାବୁଙ୍କ ପାଖକୁ ଗଲି-। ଛବିଖଣ୍ଡି ଦେଖାଇ ତାହାର ଇତିହାସ କହିଲି । ସେ ସୁଦ୍ଧା ଆଶ୍ଚର୍ଯ୍ୟ ହେଲେ ଏବଂ ପ୍ରେସ୍ ଦେଖିବାକୁ ଆଗ୍ରହ ପ୍ରକାଶ କଲେ । ସେହିଦିନ ଚାରିଟାବେଳେ ଦୁହେଁ ମିଶି ପ୍ରେସ୍ ଦେଖିବାକୁ ଗଲୁଁ-। ଦେଖିଲୁ କାଠ ପ୍ରେସ୍ଟି ଅବିକଳ ଲୁହାପ୍ରେସ୍ ଅନୁକରଣରେ ପ୍ରସ୍ତୁତ । ଭଙ୍ଗା ଶ୍ଳେଟରେ ବ୍ଳକ ଖୋଳି ସେହି ପ୍ରେସରେ ଛାପା ହୁଏ । ରଙ୍ଗ ବିନ୍ୟାସ ପ୍ରଣାଳୀ ଏପରି ଚମତ୍କାର ଯେ, ଛାପିବା ବେଳେ ଯେଉଁ ରଙ୍ଗ ଯେଉଁଠି ଲାଗିବାର ଲାଗିଯାଏ । ଲୋକଟା ଶିଳ୍ପ ବିଦ୍ୟାରେ ଖଡ଼ି ଛୁଇଁ ନାହିଁ, ଆଧୁନିକ ଶିଳ୍ପଯନ୍ତ୍ର ସ୍ୱପ୍ନରେ ବି ଦେଖିନାହିଁ, ତାହାର ଏ ଶିକ୍ଷାହୀନ ପଟୁତାରେ ପର୍ଶୁରାମ ବାବୁ ମୁଗ୍ଧ ହୋଇଗଲେ । କହିଲେ–ଏ ଯେବେ କୌଣସି ଶିଳ୍ପଶାଳାରେ କିଛି ଦିନ ପଢ଼ି ଆସନ୍ତା, ତେବେ ଜଣେ ବିଖ୍ୟାତ ଶିଳ୍ପୀ ହୋଇ ପାରନ୍ତା । ଯିବାକୁ ଇଚ୍ଛାକଲେ ମୁଁ ନିଶ୍ଚୟ ସାହାଯ୍ୟ କରନ୍ତି । କିନ୍ତୁ ଲୋକଟି ଅସ୍ୱୀକୃତ ହେଲା । କହିଲା–ମୁଁ ଗଲେ ମୋର ପରିବାର କିପରି ବଞ୍ଚିବେ ? ମୋ ଛଡ଼ା ଉପାର୍ଜନ କରିବାକୁ ଆଉ କେହି ନାହିଁ । ବାସ୍ତବିକ୍ କଥା, ଯାହାର କାନ ଅଛି ତାହାର କୁଣ୍ଡଳ ନାହିଁ, ପୁଣି ଯାହାର କୁଣ୍ଡଳ ଅଛି, ତାହାର କାନ ନାହିଁ–ଏହି ତ ଦୁନିଆଁର ହାଲ । ତେବେ ବିଧାତା ଅସ୍ଥାନରେ ଉଚ୍ଚ ପ୍ରତିଭା ଦିଅନ୍ତି କାହିଁକି ? ବଣର ମାଳତୀ ପରି ତାହା ବଣରେ ମଉଳି ଯାଏ ।
ସେ ବର୍ଷ ଗଞ୍ଜାମରେ ଉତ୍କଳ ସମ୍ମିଳନୀର ବାର୍ଷିକ ଅଧିବେଶନ ହେଲା । ବ୍ରହ୍ମପୁରର ବାରାକ୍ସ ପଡ଼ିଆରେ ମଣ୍ଡପ ନିର୍ମିତ ହେଲା । ବାଦାମୀ ରଙ୍ଗର ଜାତୀୟ ‘‘ପାଗ’’ର ଆଦର ତେତେବେଳେ ବିଶେଷ ପରିମାଣରେ ଦେଖାଯାଉଥିଲା । କଟକର ଜଣେ ମୁସଲମାନ ସମ୍ମିଳନୀ ସ୍ଥାନରେ ଜାତୀୟ ପାଗ ବିକ୍ରିକରେ । ଯାହା ମୁଣ୍ଡରେ ଜାତୀୟ ପାଗ ନ ଥାଏ, ଜାତୀୟତାରେ ସେ ଊଣା ବିବେଚିତ ହୁଏ । ଓଡ଼ିଆମାନଙ୍କର ଜାତୀୟ ଚିହ୍ନରୂପେ ତାହା ଧାର୍ଯ୍ୟ ହୋଇଥିଲା । ସମ୍ମିଳନୀ ସଭାରେ ଜାତୀୟ ପାଗର ଢେଉ ଖେଳୁଥିଲା, କିନ୍ତୁ କେତେ ବର୍ଷ ହେଲା ଆଉ ଜାତୀୟ ପାଗର ଆଦର ବା ବ୍ୟବହାର ଦେଖା ଯାଉନାହିଁ । ଏହିପରି ଆମର ଅନେକ କାମ ହୁଏ–ପ୍ରଥମେ ଆଡ଼ମ୍ୱର ଫାଟି ପଡ଼େ, ମାତ୍ର ବହ୍ୱାରମ୍ଭେ ଲଘୁକ୍ରିୟା । କାର୍ଯ୍ୟ ବିଶେଷରେ ଲଘୁକ୍ରିୟା ବି ହୁଏ ନାହିଁ–ଲୋକ ନିଷ୍କ୍ରିୟ ହୁଏ ।
ପ୍ରଥମ ଦିନ ସଭାରେ ଗୋଟାଏ ଅଭିନୟ ପରି ଅଭିନବ କାଣ୍ଡ ଘଟିଗଲା । ବିଦ୍ୟାରତ୍ନଙ୍କର ବହୁ ଗୁଣ ସତ୍ୱେ ପାନ ଦୋଷ ଥିଲା । ସଭା ମଧ୍ୟରେ କଥା କହୁଁ କହୁଁ ତାଙ୍କ ତୁଣ୍ଡରୁ ନିଷିଦ୍ଧ ପାନୀୟର ଆଘ୍ରାଣ ପାଇ ମଧୁବାବୁ ବିଚଳିତ ହୋଇ ଉଠିଲେ । କାନ୍ଦି ପକାଇ କହିଲେ–ମୋର ମାତୃପୂଜା ନଷ୍ଟ ହେଲା, ମୁଁ ଆଜି ଏହିଠାରେ ଏ ସମ୍ମିଳନୀକୁ ପୋଡ଼ି ପକାଇବି । ଏହିପରି ଅନେକ ଆକ୍ଷେପ କରି ନୀରବ ହୋଇ ବସି ରହିଲେ । ବଡ଼ ଖେମଣ୍ଡିର ରାଜା ଉଠି ସେ କଥାକୁ ସମର୍ଥନ କରି କହିଲେ–ଯେଉଁ ପାପିଷ୍ଠ ଅନାଚାର କରିଛି, ସମ୍ମିଳନୀ ସଭାରୁ ତାକୁ ବାହାର କରି ଦିଆଯାଉ । ପୁଣି ପ୍ରାୟଶ୍ଚିତ କରିବା ସକାଶ ବାଧ୍ୟ କରାଯାଉ । ଏହିପରି ତର୍ଜନ ଗର୍ଜନ ଲାଗିଥିବା ବେଳେ ବିଦ୍ୟାରତ୍ନ ସଭାରୁ ଚାଲିଗଲେ । ଶେଷରେ ସୁରଙ୍ଗୀ ରାଜା ଉଠି କହିଲେ–ଏ ଜାତିଆଣ ସଭା ନୁହେଁ, ଏଠାରେ ଦୋଷର ବିଚାର ହୁଏ ନାହିଁ । ଏଠାକୁ ନାନା ଶ୍ରେଣୀର–ନାନା ସମ୍ପ୍ରଦାୟର ଲୋକେ ଆସିବେ–ଓଡ଼ିଆ, ତେଲଙ୍ଗା, ମୁସଲମାନ, ଖ୍ରୀଷ୍ଟାନ ସମସ୍ତେ ଆସିବେ, ସମସ୍ତେ ଗଙ୍ଗାଜଳରେ ପେଟ ଧୋଇ ଆସିବା ପାଇଁ କିଛି ନୋଟିସ ଦିଆଯାଇ ନାହିଁ । କାହାର କି କୁ ଅଭ୍ୟାସ ଥାଇପାରେ, ତାହା ଆଲୋଚନା କରି ଜାତୀୟ କଳଙ୍କ ଘୋଷଣା କରିବା କି ଉଚିତ ? ବରଂ ସେହିପରି ହୀନ ଆଲୋଚନାରେ ମାତୃମଣ୍ଡପ ଅପବିତ୍ର ହୋଇପାରେ ।’’ ଏହିପରି ଆହୁରି ଅନେକ କଥା ଲାଗିଲା । ବଡ଼ଖେମଣ୍ଡିର ରାଜା ଥରକୁ ଥର ଉଠି ପ୍ରତିବାଦ କରୁଥାଆନ୍ତି । ସମ୍ମିଳନୀ ମଣ୍ଡପରେ ଦୁଇରାଜାଙ୍କର ଏହିପରି ଖଣ୍ଡେ ବାକ୍ୟଯୁଦ୍ଧ ଲାଗିଲା । ସମସ୍ତେ ନୀରବ ହୋଇ ଚିତ୍ର ପିତୁଳା ପରି ସଭାରେ ବସିଥାଆନ୍ତି । କେହି ସାହସ କରି କିଛି କହୁ ନଥାନ୍ତି । ମଧୁବାବୁ ମାନକରି ବସିଥାନ୍ତି । କେତେ କ୍ଷଣ ପରେ ଗୌରୀଶଙ୍କର ରାୟ ଉଠି କହିଲେ–‘‘ପୂଜା କେବେ ନଷ୍ଟ ହେଇଯାଏ ନାହିଁ । ତାହାର କୌଣସି ଅଙ୍ଗ ଅପବିତ୍ର ହେଲେ ତାକୁ ସଂସ୍କାର କରିନେବାକୁ ହୁଏ, ମାତ୍ର ପୂଜା ବନ୍ଦ ହୁଏ ନାହିଁ ।’’ ଏହା ଶୁଣି ସଭାରୁ ଘନ ଘନ କରତାଳି ଧ୍ୱନି ଉଠିଲା, ପରେ ଯଥାବିଧି ସମ୍ମିଳନୀ ଆରମ୍ଭ ହେଲା । ତେଲୁଗୁମାନଙ୍କ ମଧ୍ୟରୁ ଅନେକ ବିଶିଷ୍ଟ ବ୍ୟକ୍ତି ସଭାରେ ଯୋଗ ଦେଇଥିଲେ । ମଧୁବାବୁଙ୍କର ଏ ରୂପ ବ୍ୟବହାରକୁ ସେମାନେ ପସନ୍ଦ କରି ନ ଥିଲେ । ବାସ୍ତବରେ ଚିତଉଖିଆ ଛାଡ଼ି ବିନ୍ଦ ଗଣିବା ପରି ଏକଥା । ବ୍ୟକ୍ତିଗତ କଳଙ୍କ ପଦାରେ ପକାଇଲେ ସେ କଳଙ୍କ ଯେ ଜାତିକୁ ସ୍ପର୍ଶ କରିବ–ମଧୁବାବୁଙ୍କ ଭଳି ଚତୁର ବିଚକ୍ଷଣ ବ୍ୟକ୍ତି ଏହା କଅଣ ଜାଣି ନ ଥିଲେ ? ମାତ୍ର ‘‘ମୁନେରପି ମତିଭ୍ରମଃ’’ ବୋଲି ଯେଉଁ କଥା ଅଛି–ତାହା ମିଥ୍ୟା ନୁହେଁ ।
ସେହିଦିନ ରାତିରେ ବିଦ୍ୟାରତ୍ନଙ୍କ ବସାରେ ପରାମର୍ଶ ଲାଗିଲା । ଗୋକୁଳାନନ୍ଦ ଚୌଧୁରୀ, ଗଞ୍ଜାମର କେତେ ଜଣ ନେତା ସେ ପରାମର୍ଶରେ ଯୋଗ ଦେଇଥିଲେ । ବିଦ୍ୟାରତ୍ନଙ୍କ ଅପମାନର ପ୍ରତିକାର ସକାଶ ପରାମର୍ଶ ଲାଗିଲା । ମାତ୍ର ନରସିଂହ ଦାସ ସେଥିରେ ମତ ଦେଲେ ନାହିଁ । କହିଲେ–‘‘କଳଙ୍କକୁ ଘାଣ୍ଟିଲେ ଦୁର୍ଗନ୍ଧ ବାହାରିବ, ସୁତରାଂ ତାକୁ ନ ଘାଣ୍ଟିବା ଭଲ–ସେ ଭିତରେ ପଚି ମିଳାଇ ଯାଉ । ସୁରଙ୍ଗୀ ରାଜା ଯଥେଷ୍ଟ ପ୍ରତିବାଦ କରିଛନ୍ତି । ସେ ସମ୍ୱନ୍ଧରେ ଅଧିକ ଆଉ କିଛି କରିବା ମୋର ମତ ନୁହେଁ ।’’ ବାସ୍ତବରେ ମୁହଁରେ କେହି କହିବାକୁ ତ ସାହସୀ ହେଲେ ନାହିଁ, ପଛରେ ବିଚାର କରି ଫଳ କଅଣ ? ତାହା ଭୀରୁତାର ପ୍ରତିହିଂସା ସିନା ।
ସମ୍ମିଳନୀ ବାସି ଦିନ ସେହି ସମ୍ମିଳନୀ ମଣ୍ଡପରେ ସଂସ୍କାର ସମ୍ମିଳନୀ ବସିଲା । ତେଣେ ଖଲିକୋଟ ବଙ୍ଗଳାରେ କରଣ ସମ୍ମିଳନୀ ହେଉଥାଏ । ମୁଁ ସେଠାକୁ ଯିବାରୁ ସଂସ୍କାର ସମ୍ମିଳନୀରେ ଯୋଗ ଦେଇ ପାରିଲି ନାହିଁ । କରଣ ସମ୍ମିଳନୀରେ ମୁଁ ଗୋଟିଏ ଦୀର୍ଘ ପ୍ରବନ୍ଧ ପାଠ କରିଥିଲି । ସେଥିରେ କରଣ ଜାତିର ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ୍ ସମ୍ୱନ୍ଧରେ ଆଲୋଚନା ହୋଇଥିଲା-। ପ୍ରବନ୍ଧଟି ଗୋକୁଳାନନ୍ଦ ବାବୁ ନେଇଗଲେ । କେତେ ବର୍ଷ ଯାଏ ଉତ୍କଳ ସମ୍ମିଳନୀର ଅଧିବେଶନ ହେଲା–ଅନେକ ପ୍ରସ୍ତାବ ହେଲା–ବଡ଼ ବଡ଼ ବକ୍ତୃତା ହେଲା, ମାତ୍ର ତେତିକିରେ ଶେଷ-। ଏହିପରି ଅସ୍ଥାୟୀ ଅନୁଷ୍ଠାନ ଆମ ଜାତିର ଗୋଟାଏ ଦୁର୍ବଳତା । ଯତ୍ନ, ଚେଷ୍ଟା, ଅଧ୍ୟବସାୟ ବିନା କୌଣସି ଅନୁଷ୍ଠାନ ଟେକିପାରେ ନାହିଁ । ଆମେ ହୁଇପରି ଉଠିଯାଉଁ, ପୁଣି ଦପ୍ କରି ନିଭିଯାଉଁ, ଏ ଦୋଷ କଅଣ ସୁଧୁରିବ ନାହିଁ ?
ଅନେକ ବଡ଼ ବଡ଼ ବକ୍ତା ସମ୍ମିଳନୀରେ ବକ୍ତୃତା କରିଥିଲେ, ମାତ୍ର ଚଣାହଟା ରାମକୃଷ୍ଣ ପଟ୍ଟନାୟକଙ୍କ ବକ୍ତୃତା ସବୁଠାରୁ ଉତ୍କୃଷ୍ଟ ହୋଇଥିଲା । ସଭ୍ୟ ଏବଂ ଦର୍ଶକମାନେ ମନ୍ତ୍ରମୁଗ୍ଧ ପରି ନୀରବରେ ତାଙ୍କ ବକ୍ତୃତା ଶୁଣୁଥିଲେ । ସକଳ ଶ୍ରେଣୀର ଲୋକ ବୁଝିପାରିବା ଭଳି ସରଳଭାଷାରେ ସେ ଦୁଇଘଣ୍ଟା କାଳ ଅନର୍ଗଳ କହି ଚାଲିଯାଉଥିଲେ । କିଛି ଭାବିବା ପାଇଁ ସେ ମୁହୂର୍ତ୍ତେ ମାତ୍ର ଅବସର ନେଇ ନ ଥିଲେ । ଅଭ୍ୟାସ କଲାପରି ଧୀର ଭାବରେ କଥାଗୁଡ଼ିକୁ ସଜାଇ କହି ଯାଉଥିଲେ । ତାଙ୍କ ବକ୍ତୃତା ମଧ୍ୟରେ ଗୋଟିଏ ଶବ୍ଦ ବି ଅନର୍ଥକ ବା ଅଧିକ ନ ଥିଲା । କହିବାର ଭଙ୍ଗୀ ମଧ୍ୟ ଚମତ୍କାର । ତେଲଙ୍ଗାମାନେ ତାଙ୍କ ବକ୍ତୃତା ଶୁଣି ମୁଗ୍ଧ ହୋଇଯାଇ ଥିଲେ । କେତେଦିନ ଯାଏଁ ଗଞ୍ଜାମରେ ତାଙ୍କର ନାମ ଖେଳି ବୁଲିଲା । ସମସ୍ତଙ୍କ ମୁଖରେ ତାଙ୍କର ପ୍ରଶଂସା ଶୁଣାଗଲା । ଓଡ଼ିଶାରେ ଏହିପରି ବକ୍ତା ଆଉ କେତେ ଥିବେ ବୋଲି ମୋର ତେଲଙ୍ଗା ବନ୍ଧୁମାନେ ମୋତେ ପଚାରିଥିଲେ । ମୁଁ ସଂକ୍ଷେପରେ କହିଥିଲି ଅନେକ ଅଛନ୍ତି l ଏହା ଶୁଣି ସେମାନେ ଆଶ୍ଚର୍ଯ୍ୟ ହୋଇଥିଲେ । କେହି କେହି ବକ୍ତୃତା ଦେବାବେଳେ ଘରପୋଡ଼ିଆ ହୁଡ଼ି ଛାଡ଼ନ୍ତି । ତାହା ମନ୍ଦ ନୁହେଁ–ସେଥିରେ ନିଜର ତେଜସ୍ୱିତା ପ୍ରକାଶ ପାଏ । ମାତ୍ର ରାମକୃଷ୍ଣ ବାବୁ ସେ ପ୍ରକୃତିର ବକ୍ତା ନୁହଁନ୍ତି । ତାଙ୍କ ବକ୍ତୃତାରେ ଗୋଟିପୁଅ ପିଲା ପରି ଅଙ୍ଗ ସଞ୍ଚାଳନ, ହାତଗୋଡ଼ ଛଟା ବା ବୀର ଗର୍ଜନ ଥିଲା ନାହିଁ । ଆଜିକାଲି ଚତୁର୍ମାସ୍ୟାରେ ଛତୁ ଫୁଟିଲା ପରି ଯେତେ ବକ୍ତା ବାହାରିଲେଣି, ସେ କାଳରେ ଏତେ ନ ଥିଲେ । ଏକାଳରେ ଖଟପିଲାଠାରୁ ପେଟପିଲାଯାଏଁ ସମସ୍ତେ ବକ୍ତା । ବୋଧହୁଏ, ପିଲାଏ ଖାଇବାକୁ ମାଗୁଁ ମାଗୁଁ ଏଣିକି ବକ୍ତୃତା ଝାଡ଼ି ବସିବେ । ବକ୍ତୃତା ଶିକ୍ଷା ଦେବା ପାଇଁ ଯେବେ ଖାସ୍ ଗୋଟାଏ ବିଶ୍ୱବିଦ୍ୟାଳୟ ହୁଅନ୍ତା, ତେବେ ଛାତ୍ରର ଅଭାବ ହୁଅନ୍ତା ନାହିଁ । ଢିଙ୍କିଶାଳର ବକ୍ତୃତା ତ ସମସ୍ତେ ଶୁଣିଥିବେ l ଆମ ଦେଶର ଗୋଟାଏ ଗୋଟାଏ ଢିଙ୍କିଶାଳ ଗୋଟିଏ ଗୋଟିଏ ବକ୍ତୃତାର ପ୍ରଥମଶ୍ରେଣୀ ବିଶ୍ୱବିଦ୍ୟାଳୟ । ଏତେ ବିଶ୍ୱବିଦ୍ୟାଳୟ ଥାଉଁ ଥାଉଁ ମୁଁ ପୁଣି ଆଉ ଗୋଟାକର ପ୍ରସ୍ତାବ କରୁଛି–ଏହା ମୋର ପ୍ରକାଣ୍ଡ ଭୁଲ ।
ସେ ବର୍ଷ ବ୍ରହ୍ମପୁରରେ କଲେରା, ବସନ୍ତ ଏକ ସମୟରେ ଆରମ୍ଭ ହେଲା । ବସନ୍ତରେ ଅଧିକ ଲୋକ ମରିବାର ଶୁଣାଗଲା । ମୋ ବସା ଆଗରେ ବସନ୍ତ, ବସା ପଛରେ କଲେରା ଲାଗିଲା । ସନ୍ଧ୍ୟା ପୂର୍ବରୁ ବଜାର ଏବଂ ବାଟଘାଟ ଜନଶୂନ୍ୟ ହୋଇଯାଏ । ଲୋକେ ଭୟରେ ବିହ୍ୱଳ ହୋଇପଡ଼ିଲେ । ମୋ ବସା ଆଗରେ ଜଣେ କୁମୁଟି ବସାକରି ରହିଥିଲା । ଲୋକଟି ଗରିବ, ଟିଣାକାମ କରି ଜୀବିକା ନିର୍ବାହ କରେ । ସାଉକାର ପିଲା ହୋଇ ଦୋକାନପାତି ନ କରି ଗୋଟାଏ ଇତର କାମ କରୁଛି ବୋଲି ତାହାର ବଡ଼ଲୋକ ଜାତିଭାଇମାନେ ତାକୁ ଟିକିଏ ହୀନ ଦୃଷ୍ଟିରେ ଦେଖନ୍ତି । କିନ୍ତୁ ତହିଁକି ତାହାର ଭ୍ରୁକ୍ଷେପ ନାହିଁ । ସେ କହେ–‘‘କେହି ତ ସୋଲେ, ବୋଡ଼େ ଦେବ ନାହିଁ–ଖାଲି କହିଲେ କଅଣ ପେଟ ପୂରିବ ?’’ ଯଥାର୍ଥ କଥା, ବାଛିବା ଲୋକ ସଂସାରରେ ଅନେକ ଅଛନ୍ତି–ଅଭାବ ଏକା କରିବା ଏବଂ କରାଇବା ଲୋକର । ଡାକ୍ତରଙ୍କର ସବୁ ପରୀକ୍ଷା ବେଙ୍ଗ ଉପରେ ଯାଏ, ସେହିପରି ବିଧାତାଙ୍କ ପରୀକ୍ଷା ସେହି ନିରୀହ ଗରିବ କୁମୁଟି ପୁଅ ଉପରେ ପଡ଼ିଲା-। ତାହାର ଗୋଟିଏ ବାର ବର୍ଷର ଝିଅ ଏବଂ ସାତ ବର୍ଷର ପୁଅ ବସନ୍ତରେ ଆକ୍ରାନ୍ତ ହେଲେ-। ରୋଗ କ୍ରମେ ପ୍ରବଳ ହୋଇ ଉଠିଲା, ରୋଗୀ ଦୁଇଟିର ଅବସ୍ଥା ସଂକଟାପନ୍ନ ହୋଇ ଆସିଲା । କେହି ସହାୟ ନାହିଁ–ପଦେ ସାନ୍ତ୍ୱନା ଦେବାକୁ ମଧ୍ୟ କେହି ନାହିଁ, ଏଥିରେ ପିତାମାତାଙ୍କ ଦଶା ଯାହା ହୁଏ, ତାହା ହିଁ ହେଲା । ଲୋକଟି କାତର ହୋଇ ତାହାର ପୀଡ଼ିତ ପିଲାଙ୍କୁ ଦେଖିବା ସକାଶ ମୋତେ ଆସି ଡାକିଲା । ତାହା ଘରକୁ ଯାଇ ଦେଖିଲି–ପିଲା ଦୁଇଟି ଶୋଇଛନ୍ତି, କିଏ ମୁଣ୍ଡ, କିଏ ଗୋଡ଼ ବାରି ହେଉ ନାହିଁ । ଲୋକଟି ଝିଅ ଉପରୁ ଲୁଗା ବାହାର କରିଦେଲା, ମୁଁ ଦେଖି ଚମକି ପଡ଼ିଲି । କି ଅସ୍ୱାଭାବିକ ଚେହେରା, ଦେହଯାକ ଜାମୁକୋଳିଆ କଳା ବସନ୍ତରେ ଆଚ୍ଛନ୍ନ–ଦେହରେ ଛୁଞ୍ଚି ବସାଇବାକୁ ଫାଙ୍କ ନାହିଁ, ଗୋଡ଼ ହାତ ଫୁଲ କଦଳୀ ଗଣ୍ଡିପରି, ମୁହଁ ଗୋଟାଏ ହାଣ୍ଡିପରି । ପ୍ରେତରାଜ୍ୟବାସୀ ପରି କି ଭୟଙ୍କର ମୂର୍ତ୍ତି ! ଚେତନା ନାହିଁ, ଅସାଢ଼ ହୋଇ ପଡ଼ି ରହିଛି–କ୍ଷୀଣ ଗତିରେ ନିଃଶ୍ୱାସ ପ୍ରଶ୍ୱାସ ମାତ୍ର ଚାଲିଥାଏ । ମୋତେ କିଛି ବୁଦ୍ଧି ଦିଶିଲା ନାହିଁ, ଆଉ କେତେବେଳେ ବା କିଏ କଅଣ କରିବ ? ମୁଁ ତାକୁ କବିରାଜ ରାଜଗୋପାଳଚାରୀଙ୍କ ପାଖକୁ ଯିବାପାଇଁ କହି ଚାଲି ଆସିଲି । ଆଚାରୀ ବଂଶର ବସନ୍ତ ଚିକିତ୍ସାରେ ଖ୍ୟାତ ଅଛି । ପାତ୍ର ଦୃଷ୍ଟିରେ ସେ ବିନା ମୂଲ୍ୟରେ ଔଷଧ ମଧ୍ୟ ବିତରଣ କରନ୍ତି । ବସାରେ ଯାଇ ଗୋଡ଼ ଦେଲାକ୍ଷଣି ଗୁନ୍ନେୟା ଶାସ୍ତ୍ରୀ ଆସିଲେ । ମୁଁ ବସନ୍ତରୋଗୀକୁ ଦେଖିବାକୁ ଯାଇଥିଲି ଶୁଣି, ଆଗରେ ସାପ ଦେଖିଲେ ଲୋକେ ଯେପରି ତରଛରେ ପଛକୁ ଡିଆଁ ମାରନ୍ତି, ଶାସ୍ତ୍ରୀ ସେହିପରି ଡିଆଁମାରି ଘରୁ ପଳାଇଲେ । ପ୍ରାୟ ପାଞ୍ଚମିନିଟ୍ ପରେ ଗୋଟାଏ ଧୋବା ଏବଂ ଗୁଡ଼ାଏ ଝୁଣା ଗନ୍ଧକ ଆଣି ଉପସ୍ଥିତ । ଝୁଣା ଗନ୍ଧକ ଧୂଆଁ ଦେଇ ମୋତେ ସେ ଧୂଆଁରେ ସ୍ନାନ କରିବାକୁ କହିଲେ । ତାଙ୍କର ବ୍ୟସ୍ତତା ଦେଖି ମୁଁ ସୁନାପୁଅ ପରି ଆଦେଶ ପାଳନ କଲି । ଲୁଗାଖଣ୍ଡ ପାଲଟି ପକାଇଲି, ଧୋବା ତାକୁ ଉକ୍ତ ଧୂଆଁରେ ଶୋଧନ କରି କାଚିବାକୁ ନେଇଗଲା । ସେହିକ୍ଷଣି ପୁଣି ମୋତେ ସ୍ନାନ କରିବାକୁ ହେଲା-। ଏତେ କଠୋର ପ୍ରାୟଶ୍ଚିତ୍ତରେ ମୋର ପାପ ଛାଡ଼ିଲା । ଆଉ ଏପରି ଦୁଃସାହସ ବା ଦୁଷ୍କାର୍ଯ୍ୟ କରିବା ସକାଶେ ଶାସ୍ତ୍ରୀଗାରୁ ବାରମ୍ବାର ମୋ ପ୍ରତି ନିଷେଧାଜ୍ଞା ଜାରି କଲେ । ଅନନ୍ତର ଶାସ୍ତ୍ରୀଙ୍କର ଶାସନ ଏବଂ ଉପଦେଶ ଅଧ୍ୟାୟ ବଢ଼ିଲା । ସେ ଘରକୁ ଗଲେ । ଏହିଠାରୁ ଏକଥା ଶେଷ ହେଲା ନାହିଁ; ଘରକୁ ଯାଇ ତାଙ୍କ ମାଙ୍କ ପାଖରେ କହିଲେ । ସେ ଆସି ତାନେ ବକିଲେ, କହିଲେ–‘‘କେଡ଼େ ପାଇଟି କଲା, ବାପ, ତୁମେ ସେ କୁମୁଟି ଘରକୁ ଗଲ । ଆଉ ସିମିନ୍ତିକା ପାଇଟି କରିବ ନାହିଁ ସେଠିକି କଅଣ ଭଲ ମଣିଷ ଯାଆନ୍ତି । ସେଠି ମାଆ ପରା ବିଜେ ହୋଇଛନ୍ତି । ସେଠିକି ଗଲେ ବଡ଼୍ଡ଼ ତାପୁ ।’’ ଏହିପରି କେତେ କଥା କହିଲେ । କଥାଗୁଡ଼ିକ ମାତୃବାକ୍ୟ ପରି ସ୍ନେହ ବୋଳା । ବୁଢୀ ମୋତେ ଠିକ୍ ପୁଅପରି ସ୍ନେହ କରୁଥିଲେ । ଦିନେ ଦିନେ ମୋ ଖାଇବାବେଳେ ଘରୁ ତରକାରୀ ନେଇ ଦିଅନ୍ତି । ପୁନେଇ ପର୍ବରେ ପିଠାପଣା ଯାହା ହୁଏ ମୋତେ ଡାକିନେଇ ଖୁଆନ୍ତି । ମାତୃ ଜାତିର ହୃଦୟ ଏହିପରି ।
ହରମୋହନ ନାମରେ ଯେଉଁ ଲୋକଟି ମୋ ସଙ୍ଗରେ ଯାଇଥିଲା, ସେ ମୋ ବସାରେ ଥାଏ । ସେ ରୋଷାଇ କରେ । ଖାଇବା ଖର୍ଚ୍ଚ ତାକୁ ଦେବାକୁ ପଡ଼େ ନାହିଁ–ଏ ସୁବିଧା ତାକୁ ଦିଆ ଯାଇଥିଲା । ବସନ୍ତ ଓ ଓଲାଉଠାର ପ୍ରାଦୁର୍ଭାବ ଦେଖି ତାହାର କଲିଜା ପାଣି ହୋଇଗଲା, କେତେବେଳେ ତାର ମନ ଭଲ ରହିଲା ନାହିଁ । ଏହା ତାହାର ଭୟ–ରୋଗର ଲକ୍ଷଣ ବୋଲି ମୁଁ ଜାଣି ପାରିଲି, ଦିନେ ସେ ମୋତେ ଦେହ ଦେଖାଇ କହିଲା–ମୋ ଦେହରେ ଏଗୁଡ଼ାକ କଅଣ ବାହାରିଛି ? ମୁଁ ଦେଖିଲି ପାଞ୍ଚ ଛ’ଟା ଖସ ( ଘିମିରି ) କିମ୍ବା କାଠବ୍ରଣ ପରି ତାହା ଦେଖା ଯାଉଛି, ସମସ୍ତଙ୍କ ଦେହରେ ସେହିପରି ଥାଏ, ସେ ତାକୁ ବସନ୍ତ ବୋଲି ଭୟ କରୁଥାଏ । ମୁଁ ଅନେକ ବୁଝାଇ ଶୁଝାଇ ସାହସ ଦେଇ କହିଲି, ମାତ୍ର ତାହାର ସନ୍ଦେହ ଦୂର ହେଲା ନାହିଁ । ମୁଁ ଉପର ତାଲାରେ ଥାଏଁ, ସେ ତଳେ ଥାଏ । ପ୍ରେସ୍କୁ ଯିବାବେଳ ହେଲେ ଯାଏ । ସେଦିନ ମୁଁ ଖାଇସାରି ଉପରତାଲାକୁ ଯାଇ ଲେଖାଲେଖିରେ ଲାଗିଲି । ଟଙ୍କା ପଇସା ସବୁ ତାହାରି ହାତରେ ଥାଏ । ସେଥିରୁ ସେ ତିନିଟଙ୍କା ଆଠଅଣା ନେଇ ଲୁଚିକରି ଷ୍ଟେସନକୁ ଚାଲିଗଲା । ମୁଁ ପାଞ୍ଚଟା ବେଳେ ତଳକୁ ଆସି ତାକୁ ନ ଦେଖି ପ୍ରେସ୍କୁ ଯାଇଥିବ ବୋଲି ଭାବି ଅପେକ୍ଷା କଲି । ସନ୍ଧ୍ୟା ହେଲା, ତେବେ ସୁଦ୍ଧା ଆସିଲା ନାହିଁ । ମୁଁ ଘରେ ଚାବି ପକାଇ ପ୍ରେସ୍କୁ ଗଲି । ଶୁଣିଲି–ସେଦିନ ସେ ପ୍ରେସକୁ ଆସି ନାହିଁ । ଗୁନ୍ନେୟା ଶାସ୍ତ୍ରୀ କହିଲେ ସେ ନିଶ୍ଚୟ ଭୟରେ ପଳାଇ ଯାଇଛି । ରେଲ ଆସିବା ବେଳ ହୋଇ ନାହିଁ, ଚାଲ ଷ୍ଟେସନକୁ ଯିବା । ପ୍ରେସ୍ ଚାକରକୁ ଗୋଟାଏ ଝଟକା ଡାକିବାକୁ କହିଲେ, ସେ ଯାଇ ଡାକି ଆଣିଲା । ଦୁହେଁ ଝଟକାରେ ବସି ଗଲୁଁ । ଦୁଇ ତିନିଜଣ ପ୍ରେସ୍ କର୍ମଚାରୀ ବି ସଙ୍ଗରେ ଗଲେ । ଝଟ୍ ଚାଲିବାରୁ ବୋଧହୁଏ ଝଟକା ନାମ ହୋଇଅଛି । ଝଟକା ଦଶମିନିଟ ମଧ୍ୟରେ ନେଇ ଷ୍ଟେସନରେ ପହୁଞ୍ଚାଇ ଦେଲା । ତେତେବେଳକୁ ରେଲ ଆସି ପହୁଞ୍ଚିଲାଣି । ହରମୋହନ ଟିକଟ କିଣି ରେଲରେ ଯାଇ ବସିଥିଲା । ପ୍ରେସକର୍ମଚାରୀମାନେ ତାକୁ ଧରି ଆଣିଲେ । ପଚାରିବାରୁ କହିଲା–ଅତିଶୟ ଭୟ ହେବାରୁ ମୁଁ ନ କହି ଚାଲିଆସିଲି । ଆପଣଙ୍କ ଟଙ୍କାରୁ ତିନିଟଙ୍କା ଆଠଅଣା ଆଣିଥିଲି, ସେହିଥିରେ ଟିକଟ କିଣି ଘରକୁ ଯାଉଛି । ଶାସ୍ତ୍ରୀ ଭାରୀ ବିରକ୍ତ ହେଲେ, ତହୁଁ ହରମୋହନ ଫେରିଆସିବାକୁ ବସିଲା, ମାତ୍ର ମୁଁ ମନାକରି କହିଲି–ଟିକଟଖଣ୍ଡ ନଷ୍ଟକରିବାର ଦରକାର ନାହିଁ, ତୁ ଘରକୁ ଯା, ବସନ୍ତ ଓଲାଉଠା ଛାଡ଼ିଗଲେ ମୁଁ ଚିଠି ଲେଖିବି, ରେଲ ଖର୍ଚ୍ଚ ମଧ୍ୟ ପଠାଇବି, ତେବେ ତୁ ଆସିବୁ । ଶାସ୍ତ୍ରୀଙ୍କୁ କହିଲି–ଯେ ଭୟରେ ଲୁଚିକରି ପଳାଇ ଯାଉଛି, ତାକୁ ବାଧ୍ୟକରି ରଖିବା ଭଲ ନୁହେଁ । ଶାସ୍ତ୍ରୀ ଆଉ କଛି କହିଲେ ନାହିଁ । ହରମୋହନ ରେଲରେ ଗଲା, ଆମ୍ଭେମାନେ ଫେରି ଆସିଲୁଁ ।
ହରମୋହନର ଭୟ କଥା ଶୁଣି ପର୍ଶୁରାମ ବାବୁ ହସିଲେ ଏବଂ କହିଲେ–ଆପଣ ତାକୁ ଫେରାଇ ନ ଆଣି ଅତି ଭଲ କରିଛନ୍ତି । ସେ ଭୟରେ ଆକଣ୍ଠମଗ୍ନ, ତାକୁ ଅଟକାଇବା ବିପଜ୍ଜନକ । ଏ ଦୁଇଟି ରୋଗ ବି ଅତି ଭୟରୁ ହୁଏ । ଯାହାହେଉ, ଆପଣଙ୍କର କିଛି ଅସୁବିଧା ହେବ ନାହିଁ । ପ୍ରେସ୍ କର୍ମଚାରୀମାନେ ଅନେକ ସାହାଯ୍ୟ କରିବେ । ଆପଣଙ୍କର ହୋଟେଲରେ ଖାଇବାର ବନ୍ଦୋବସ୍ତ କରିଦେବି । ଆପଣ ହୋଟେଲକୁ ଆସିବେ ନାହିଁ, ହୋଟେଲରେ ପାଚକ ବ୍ରାହ୍ମଣ ଖାଦ୍ୟପଦାର୍ଥ ନେଇ ଆପଣଙ୍କ ବସାରେ ଦେଇ ଆସିବ । ଫଳରେ ତାହାହିଁ ହେଲା । ଗୋସାଣି ନୂଆଗାଁର ସାଧବାଣୀ ନାନୀ ଭାପୁରରେ ହୋଟେଲ କରିଥିଲା । ପର୍ଶୁରାମ ବାବୁ ତାକୁ ଡାକି ମୋର ଆହାର ବ୍ୟବସ୍ଥା କରିଦେଲେ । ସାଧବାଣୀ ନାନୀ ସାମାନ୍ୟ ଲୋକ ନୁହେଁ, ବୁଦ୍ଧିରେ ଓକିଲ ବାରିଷ୍ଟରକୁ ହରାଇଦେଇ ପାରେ । ସେ ନିଃସନ୍ତାନା ବିଧବା, କିନ୍ତୁ ବହୁ ସମ୍ପତ୍ତିର ଅଧିକାରିଣୀ । ସମ୍ପତ୍ତି ନେବାପାଇଁ ତାହାର ପୁତୁରା ଅନେକ ମାଲିମକଦ୍ଦମା କଲା–ତାକୁ ନାନାପ୍ରକାର ବିପଦରେ ପକାଇବାକୁ ଚେଷ୍ଟା କଲା । ସେ ସମ୍ବନ୍ଧୀୟ ମକଦ୍ଦମା ମାନ୍ଦ୍ରାଜ ହାଇକୋର୍ଟଯାଏଁ ଗଲା । ସାଧବାଣୀ ନାନୀ କ୍ରମାନ୍ୱୟରେ ଏକତ୍ରିଶ ନମ୍ବର ମକଦ୍ଦମା ହାଇକୋର୍ଟରେ ଜିଣିଲା । ମୋ ବସାଘର ଖୁବ୍ ବଡ଼, ଏଡ଼େ ବସାରେ ମୁଁ ଏକୁଟିଆ । ଚାରିପାଖରେ ଗୋଳମାଳ, ମୁଁ ମଝିରେ ଥାଏଁ-। ଶାସ୍ତ୍ରୀ କହିଲେ–ଆପଣ ରାତିରେ ବସାରେ ଶୋଇବେ ନାହିଁ, ଖାଇସାରି ମୋ କୋଠା ଉପରେ ଯାଇ ଶୋଇବେ । ଉପାୟାନ୍ତର ନ ଦେଖି ମୋତେ ତାହାହିଁ କରିବାକୁ ହେଲା । ପ୍ରାୟ ଛ’ମାସ ପର୍ଯ୍ୟନ୍ତ ଏହିପରି ଏକୁଟିଆ କଟାଇଲି । ପ୍ରେସ୍କର୍ମଚାରୀଙ୍କ ହେତୁ ମୋର କୌଣସି ଅସୁବିଧା ହେଲା ନାହିଁ-। ଯେତେବେଳେ ଯାହା ଦରକାର ତାହା ସେମାନେ କିଣି ଆଣି ଦେଲେ । ପର୍ଶୁରାମ ବାବୁ ସମୟ ସମୟରେ ଆଚାର, କଲମି ଆମ୍ବ ପ୍ରଭୃତି ଦେଇ ପଠାନ୍ତି । କେବେ କେବେ ଜଳଖିଆ ମଧ୍ୟ ପଠାନ୍ତି-। କିଛିଦିନ ପରେ ମୋତେ ଜ୍ୱର ହେଲା । ପ୍ରଥମରେ ମୁଁ ହେଳା କଲି, ତହୁଁ ଜ୍ୱର ପ୍ରବଳ ହୋଇଉଠିଲା । ବିଦେଶ ଜାଗା, ତହିଁରେ ପୁଣି ଏକୁଟିଆ, ଏ ଅବସ୍ଥାରେ ମନ ଯାହା ହୁଏ, ତାହା କେବଳ ଭୁକ୍ତଭୋଗୀ ଜାଣିବେ । ମନରେ ବଡ଼ ଭୟ ହେଲା, ଜ୍ୱର କଥା ପର୍ଶୁରାମ ବାବୁଙ୍କୁ ଲେଖିପଠାଇଲି । ଘଣ୍ଟାକ ପରେ ସେ ଜଣେ ଡାକ୍ତର ସଙ୍ଗରେ ଘେନି ଆସିଲେ । ଡାକ୍ତରଙ୍କ ବ୍ୟବସ୍ଥାମତେ ଚାକର ଦ୍ୱାରା ଔଷଧ କିଣାଇ ଆଣିଲେ । ମୋତେ ନିର୍ଭୟ ହେବା ସକାଶ ନାନାପ୍ରକାର ସାନ୍ତ୍ୱନା ଦେଇ ସେ କୋର୍ଟକୁ ଗଲେ । ନିୟମିତ ଭାବରେ ମୋତେ ଔଷଧ ଦେବାପାଇଁ ଚାକରକୁ ମୋ ପାଖରେ ରଖିଗଲେ । ବାସ୍ତବରେ ମୁଁ ତାଙ୍କର ଉପକାର ଶୁଝି ପାରିବି ନାହିଁ । ମୁଁ ଡାକ୍ତର ସଙ୍ଗରେ କଥାବାର୍ତ୍ତା କରୁଥିବା ସମୟରେ ମୋର ଅଜ୍ଞାତରେ ମୋର ଲେଖା ଖାତା ଭିତରେ କୋଡ଼ିଏ ଟଙ୍କାର ଖଣ୍ଡେ ନୋଟ ରଖିଦେଇ ଲେଖି ଦେଇଗଲେ–‘‘ପ୍ରିୟ ଚିନ୍ତାମଣି ବାବୁ, କିଛି ମନରେ କରିବେ ନାହିଁ, କୋର୍ଟରୁ ଫେରିଲେ ମୁଁ ଆସିବି ।’’ ଚାରିଟା ପରେ ମୋତେ ଟିକିଏ ଭଲ ଜଣାଗଲା, ଲେଖିବା ପାଇଁ ଖାତା ଖୋଲି ନୋଟ ଏବଂ ଲେଖା ଦେଖି ଆଶ୍ଚର୍ଯ୍ୟ ହେଲି-। ତିନିଚାରିଦିନ ପରେ ସମ୍ପୂର୍ଣ୍ଣରୂପେ ଜ୍ୱର ଛାଡ଼ିଗଲା । ଦିନେ ଯାଇ କହିଲି–‘‘ମୋତେ ଜ୍ୱର ହୋଇଥିବା ସମୟରେ ଜଣେ ଅଦ୍ଭୁତ ଚୋର ମୋ ବସାରେ ପଶିଥିଲେ । କିଛି ନେଇନାହାନ୍ତି, ଅଧିକନ୍ତୁ କୋଡ଼ିଏ ଟଙ୍କା ରଖିଯାଇଥିଲେ । ପର୍ଶୁରାମ ବାବୁ ଶୁଣି ହସି ହସି କହିଲେ–‘‘ଚିନ୍ତାମଣି ବାବୁ, ସଂସାରରେ ଟଙ୍କାପଇସାର ମୂଲ୍ୟଠାରୁ ମନୁଷ୍ୟର ମୂଲ୍ୟ ଅଧିକ ।’’ ଜ୍ୱର ମୋତେ ଏପରି ଦୁର୍ବଳ କରି ପକାଇଥିଲା ଯେ ହୃତଶକ୍ତି ପାଇବାକୁ ପ୍ରାୟ ମାସାଧିକ କାଳ ଲାଗିଥିଲା । ଜଳବାୟୁ ପରିବର୍ତ୍ତନ ସକାଶ ଭଦ୍ରଖ ଆସିଲି । କ୍ଷେତ୍ରମୋହନ ବାବୁ ଗୋଟାଏ ବାଜିକରଣ ଔଷଧ ତୟାର କରିଦେଲେ, ତଦ୍ଦ୍ୱାରା ବିଶେଷ ଉପକାର ହେଲା ।
ପନ୍ଦରଦିନ ପରେ ଜଣେ ରୋଷାଇ କରିବା ଲୋକ ସଙ୍ଗରେ ନେଇ ବ୍ରହ୍ମପୁର ଗଲି । ଲୋକଟି ସ୍ୱଜାତି, ବୟସ ୧୭।୧୮ ହେବ, ମାତ୍ର ବିଦ୍ୟାଶୂନ୍ୟ ଭଟ୍ଟାଚାର୍ଯ୍ୟ । ବିଦ୍ୟାଦେବୀଙ୍କ ସଙ୍ଗରେ ଅପଡ଼ ହେବାରୁ ସେ ପାଠପଢ଼ା ରୂପ ଦୁଷ୍କାର୍ଯ୍ୟ ଛାଡ଼ିଦେଇଅଛି । ଲୋକଟା ଗୋଟାଏ ଅଦ୍ଭୁତ ଜୀବ, ଘରୁ ବାହାରିଲେ କଳି ଛଡ଼ା ଖାଲି ହାତରେ ଫେରେ ନାହିଁ । ଅକ୍ଷର କେତେଟା ଶିଖିଗଲେ ଡିଷ୍ଟ୍ରିବିଉଟ୍ କରି ତିନିଚାରି ଟଙ୍କା ଉପାର୍ଜନ କରିପାରିବ । ଏହି ଆଶାରେ ତାକୁ ଅକ୍ଷର ଶିଖାଇଲି । ଭୁବନେଶ୍ୱରର ବରୁଣ ଗଛପରି ତାହାର ପାଠୋନ୍ନତି ହେଲା । ଅଣଚାଶଟି ବର୍ଣ୍ଣ ଶିଖିବାକୁ ତାକୁ ପ୍ରାୟ ଦୁଇଅଣଚାଶ ଦିନ ଲାଗିଲା । କେଶ୍ ଶିଖାଇ ଦେବାକୁ ହେଡ଼କମ୍ପୋଜିଟରକୁ କହିଲି । କେଶ୍ର ଚିତ୍ର ଖଣ୍ଡେ କାଗଜରେ କାଟି ଦେଇ ଅତି ଆଗ୍ରହରେ ସେ ଶିଖାଇବାକୁ ଲାଗିଲା, ମାତ୍ର ପାଠ ତ କର୍ତ୍ତାଙ୍କର ଜାତକରେ ନାହିଁ, ସୁତରାଂ ପାଠ ଡରେ ତା ପାଖ ପଶିଲା ନାହିଁ । କେଶ୍ ପାଖରେ ଠିଆ କରାଇଦେଇ କ କେଉଁ ଘରେ ଅଛି ପଚାରିଲେ ମାଛ ଅଣ୍ଡାଳିଲା ପରି କେଶ୍ଯାକ ଅଣ୍ଡାଳି କହେ–‘‘ଏଇଠି ତ କେଉଁଠି କହିଦେଇଥିଲେ–ମୋର ହେତୁ ହେଉ ନାହିଁ ।’’ ତାହାପରି ପାକୁଡ଼ି–ଖୋର ଖୁବ୍ ଅଳ୍ପ ଥିବେ । ପାକୁଡ଼ି ପାଇଲେ ସେରେ ଖାଇଦେବ, ପୁଣି ସେତିକି ତାହାର ବାଳଭୋଗକୁ ନିଅଣ୍ଟ । କେବେ କେବେ ବଜାର ସଉଦାରୁ ଶ୍ରାଦ୍ଧ କରି ପାକୁଡ଼ି ଖାଏ । ଦିନେ ଗୋଟାଏ ମନୋହାରୀ ଦୋକାନ ଆଗରେ ଠିଆହୋଇ ବେଲୋରି ହାଣ୍ଡିର ଶୋଭା ଦେଖୁଥିଲା । ଦୂରକୁ କିପରି ସୁନ୍ଦର ଦିଶିବ ବୋଲି ପଛେଇ ପଛେଇ ଦୂରକୁ ଚାଲିଲା । ବାଟରେ ଗୋଟିଏ ପିଲା ତେଲ ଗିନା ଧରି ଯାଉଥିଲା, ଯାଉଁ ଯାଉଁ କୀର୍ତ୍ତିଚନ୍ଦ୍ର ତାକୁ ହାବୁଡ଼ିଲା । ନିଜେ ପଡ଼ିଲା, ପିଲାଟି ପଡ଼ିଲା, ତେଲ ବି ପଡ଼ିଗଲା । ପିଲାଟି କାନ୍ଦି କାନ୍ଦି ତାହା ପଛେ ପଛେ ଆସି ମୋ ବସାରେ ଉପସ୍ଥିତ । କହିଲା–‘‘ମୁଁ ଦାମୁଡ଼ିକର ତେଲ ଧରି ଯାଉଥିଲି, ଏ ପକାଇ ଦେଲା–ମୋ ବାପ ମାରିବ, ମୁଁ କଅଣ କରିବି ?’’ ମୁଁ ତାକୁ ପଇସାଟିଏ ଦେଇ କହିଲି–ଏହି ପଇସାରେ ତେଲ କିଣି ନେଇଯା । ସେ ଲୁହ ପୋଛି ଦେଇ ଖୁସି ହୋଇ ଚାଲିଗଲା । ବେଲୋରି ହାଣ୍ଡି ରସିକକୁ ପଚାରିବାରୁ କହିଲା–ମୁଁ କାହିଁକି ହାବୁଡ଼ିବି, ସେ ତାର ଆପେ ଆପେ ହାବୁଡ଼ି ପଡ଼ି ଯାଇଥିବ । ନିଜେ ନିଜ କାନ୍ଧରେ ବସିଲା ପରି ଏ ସୃଷ୍ଟିଛଡ଼ା କଥା ଶୁଣି ହସମାଡ଼ିଲା, ମନେ ମନେ ତାର ବୁଦ୍ଧିର ପ୍ରଶଂସା କଲି । ଦିନେ ଭାତ ଅଧଥାଳିଏ ବଳିଲା, ତାକୁ ଏବେ କେଉଁଠି ପକାଇବ, କୂଅ ମୂଳରେ ପକାଇଲେ ମୁଁ ବିରକ୍ତ ହେବି–ତହୁଁ ସୂକ୍ଷ୍ମ ବୁଦ୍ଧି ବାହାର କରି ପାଚିରୀ ଡେଇଁ ପଡ଼ିଶା ଘର ବାହାରକୁ ଫିଙ୍ଗି ଦେଲା । ସେତ ତେଲଙ୍ଗା, ଡାମରା କୁଆପରି ମେଳ ବାନ୍ଧି ରାଉ ରାଉ ବାହାରି ଆସିଲେ । ତାଙ୍କୁ ଆଇନ୍ ଦେଖାଇ ମକଦ୍ଦମା କରିବାକୁ ରାଏ ଦେଇବସିଲା । ମୁଁ ହାଡ଼ୀଆଣୀକୁ ଡାକି ଦୁଇପଇସା ଦେଇ ସଫା କରିଦେବାକୁ କହିଲି । ତହୁଁ ଉନ୍ମତ୍ତ ରଣଯାତ୍ରୀଦଳ ଫେରିଗଲେ । ଆମ ନବାବଙ୍କୁ ପଚାରିବାରୁ କହିଲେ–ମୁଁ କାହିଁକି ପକାଇବି କୁଆ ପକାଇଥିବ । କୁଆ ଅଧଥାଳିଏ ଭାତ ଥଣ୍ଟରେ ନେଇ ପକାଇବା ତାକୁ ସମ୍ଭବ ବୋଧ ହେଲା । ଲୋକଟି ଏହିପରି ବୁଦ୍ଧିମାନ୍ । ଆଉ ଦିନେ ଗୋଟାଏ ଦୁଇ ପଇସି ଦେଇ ଚିନି ଆଣିବାକୁ ପଠାଇଲି । ଫେରିଆସି ମୋତେ ଗୋଟାଏ ପଇସା ଦେଇ କହିଲା–‘‘ଦୋକାନ ଖୋଲି ନାହିଁ, ବାଟରେ ଗୋଟାଏ ପଇସା ହଜିଗଲା, ଏହି ଗୋଟାକ ନିଅ ।’’ ଏଥିରେ ମୁଁ ହସିବି କି ରାଗିବି କିଛି ସ୍ଥିର କରି ପାରିଲି ନାହିଁ । ପଚାରିଲି–‘‘ତୁ ତ ଦୁଇପଇସି ଗୋଟାଏ ନେଇଥିଲୁ, ଗୋଟା ପଇସା କାହୁଁ ଆସିଲା ଯେ ଗୋଟାଏ ହଜିଗଲା ?’’ ତହୁଁ ସେ କହିଲା–କେଜାଣି, ମୁଁ ତ ହାତରେ ମୁଠାଇ ନେଇ ଯାଇଥିଲି, ବାଟରେ ଆସୁଁ ଆସୁଁ ଦେଖିଲି ଯେ ଗୋଟେ ଅଛି ।’’ ଏହିପରି ତାହାର ଭାନୁମତୀ ଲୀଳା ଲେଖିଲେ ସରିବ ନାହିଁ । ଏହିପରି ଲୋକଟିକୁ ବା ପଶୁଟିକୁ ନେଇ ମୁଁ କଅଣ କରିବି ବୁଦ୍ଧି ଦିଶିଲା ନାହିଁ । ଶେଷରେ ତାହାଦ୍ୱାରା ଆଉ ବଜାର ସଉଦା ନ କରାଇ ପ୍ରେସ୍ କର୍ମଚାରୀଙ୍କ ଦ୍ୱାରା କରାଇବାକୁ ହେଲା । ତଥାପି ମୋର ନାମ ଧରି ଗୁଡ଼ିଆ ଦୋକାନରୁ ଦଶ ଅଣାର ପାକୁଡ଼ି ଖାଇ ଦେଇଥିଲା । ପରେ ଜାଣି ମୁଁ ତାହା ପରିଶୋଧ କରିଦେଲି ।
ମୟୂରଭଞ୍ଜର କେତେ ଜଣ ଓଡ଼ିଆ କର୍ମଚାରୀ ମିଶି ବାରିପଦାରୁ ଖଣ୍ଡେ ଓଡ଼ିଆ ସମ୍ବାଦପତ୍ର ପ୍ରକାଶର ଆୟୋଜନ କଲେ । ମହାରାଜ ଶ୍ରୀ ରାମଚନ୍ଦ୍ର ଭଞ୍ଜ ଏହି ଅନୁଷ୍ଠାନ ପାଇଁ ଦୁଇଶମାଣ ଭୂମି ଦେଲେ । ତାହାରି ଆୟ ପତ୍ରିକାର ମୂଳଦୁଆ ହେଲା । ସ୍ୱୟଂ ମହାରାଜା ‘‘ମନୋରମା’’ ବୋଲି ପତ୍ରିକାର ନାମକରଣ କଲେ । ପତ୍ରିକା ବାହାରିଲା, ମୟୂରଭଞ୍ଜ ହାଇସ୍କୁଲର ସେକେଣ୍ଡ ପଣ୍ଡିତ ବୈଦ୍ୟନାଥ ଦାଶ ସମ୍ପାଦକ ନିଯୁକ୍ତ ହେଲେ । ବୈଦ୍ୟନାଥ ବାବୁ ଜଣେ ନିର୍ଭୀକ ଟାଣୁଆ ଲେଖକ । ମୟୂରଭଞ୍ଜରେ ବଙ୍ଗାଳିମାନଙ୍କ ପ୍ରଭାବ ବିଷୟରେ ଦୀର୍ଘ ଦୀର୍ଘ ପ୍ରବନ୍ଧ ବାହାରିଲା । କେତେ ରଙ୍ଗ ରହସ୍ୟ, ଲକ୍ଷ୍ୟ ଲକ୍ଷଣାଯୁକ୍ତ ପ୍ରବନ୍ଧ ମଧ୍ୟ ପ୍ରକାଶିତ ହେଲା । ‘‘ମାଧିଆ କାହାଣୀ, ସାଆନ୍ତଘର କଥା’’ ପ୍ରଭୃତି ପ୍ରବନ୍ଧରେ ବଙ୍ଗାଳିମାନଙ୍କର କାଣ୍ଟି ବାହାରିଲା । ବାରିପଦା କମ୍ପି ଉଠିଲା–ବଙ୍ଗାଳିମାନେ ଉତ୍ତେଜିତ ହୋଇ ଉଠିଲେ । ଓଡ଼ିଆ ବଙ୍ଗାଳୀ ମଧ୍ୟରେ ବିଦ୍ୱେଷାନଳ ଜଳି ଉଠିଲା । ମନୋରମା ଲେଖିଲା–ସିନ୍ଧବାଦ ବଣିକ କାନ୍ଧରେ ବସି ଦୈତ୍ୟ ଯେପରି ଗୋଡ଼ରେ ତାହାରି ତଣ୍ଟି ଚିପି ଧରିଲା, ଓଡ଼ିଆଙ୍କ ପ୍ରତି ବଙ୍ଗାଳୀଙ୍କ ବ୍ୟବହାର ଠିକ୍ ସେହିପରି । ଏଥିରେ ବଙ୍ଗାଳିମାନେ ମନୋରମା ନାମରେ ମାନହାନିରେ ମକଦ୍ଦମା କଲେ । ଏହା ମନୋରମାର ନିଜ ଲେଖା ନୁହେଁ–କଲିକତାର ଓ୍ୱାୟାର୍ଲେସ୍ ରେକଡ଼ ନାମକ ଇଂରାଜୀ ମାସିକ ପତ୍ରିକାକୁ ନ ଧରି ମନୋରମା ଉପରେ ବଜ୍ରପ୍ରହାର କରିବାକୁ ବସିଲେ । ଲେଖାର ଦୋଷାଦୋଷ ସମ୍ବନ୍ଧରେ ବୈଦ୍ୟନାଥ ବାବୁ ସମଗ୍ର ଉତ୍କଳର ବିଶିଷ୍ଟ ବ୍ୟକ୍ତିମାନଙ୍କର ମତ ସଂଗ୍ରହ କରି ଧାରାବାହିକ ରୂପେ ପ୍ରକାଶ କଲେ । ଅଧିକାଶଂ ବ୍ୟକ୍ତି ମକଦ୍ଦମାକୁ ବିଦ୍ୱେଷମୂଳକ ବୋଲି ସ୍ପଷ୍ଟ ମତ ପ୍ରକାଶ କଲେ । ମୋର ମତ ମଧ୍ୟ ଲୋଡ଼ା ହୋଇଥିଲା । ମୁଁ ଲେଖିଥିଲି–‘‘ଏ ମକଦ୍ଦମା ମୟୂରଭଞ୍ଜର ବଙ୍ଗାଳୀ ପ୍ରାଧାନ୍ୟର ଗୋଟାଏ ବିଶେଷ ଦୃଷ୍ଟାନ୍ତ ।’’ ବାସ୍ତବରେ ଷେଣ୍ଢ ଧାନ ଖାଇବା ତନ୍ତୀ ବନ୍ଧା ହେବା କରି ଏ ନ୍ୟାୟ ।
ଇଚ୍ଛାପୁର ଯିବାପାଇଁ ସୁରଙ୍ଗୀ ରାଜା ଏକାଧିକ ଥର ପତ୍ର ଲେଖିଥିଲେ, ମୁଁ ‘‘ହଁ ଯିବି, ହଁ ଯିବି’’ କହି ଯାଇ ପାରି ନ ଥିଲି । ଗଞ୍ଜାମ ଭ୍ରମଣ ବାହାରି ସାରିଲା ପରେ ଦିନେ ସେ ଜୟକୃଷ୍ଣକୁ ବ୍ରହ୍ମପୁର ପଠାଇ ଦେଲେ, ସେ ମୋତେ ଇଚ୍ଛାପୁର ନେଇଗଲା, ତେତେବେଳେ ଇଚ୍ଛାପୁରରେ ସୂରଙ୍ଗୀ ରାଜାଙ୍କର ନୂଆ ନଅର ତିଆରି ଲାଗିଥାଏ । ମୁଁ ଯାଇ ରାଜାଙ୍କ ସଙ୍ଗରେ ଦେଖା କଲି । ପ୍ରଥମେ ଗଞ୍ଜାମ ଭ୍ରମଣ କଥା ପଡ଼ିଲା । ରାଜା କହିଲେ–‘‘ଆପଣ ବର୍ଷେ ହେଲା ବ୍ରହ୍ମପୁରରେ ଅଛନ୍ତି, ଥରେ ଇଚ୍ଛାପୁର ଭ୍ରମଣ କରିବାକୁ ଆସିଲେ ନାହିଁ । ଗଞ୍ଜାମ ଭ୍ରମଣ ତ ସରିଲା, ଏବେ ମାନ୍ଦ୍ରାଜ ଭ୍ରମଣ ଆରମ୍ଭ ହେଉ ।’’ ମୁଁ କହିଲି–‘‘ଗଞ୍ଜାମ ଭ୍ରମଣ ମୁଁ ଲେଖିଛି ବୋଲି କିଏ କହିଲା-?’’ ତହୁଁ ରାଜା ହସି ହସି କହିଲେ–‘‘ନା, ଆଉ କେହି କହି ନାହିଁ–ଆପଣଙ୍କ ଲେଖାମାନ ମହାପ୍ରସାଦ ଧରି ଶାଳଗ୍ରାମ ଛୁଇଁ ନିୟମ କରି କହିଛି ।’’ ସେଠାରେ ଚକ୍ରପାଣି ସାମନ୍ତ ଥିଲେ, ସେ ଗଞ୍ଜାମ ଭ୍ରମଣରୁ କେତେ ଧାଡ଼ି ଗାଇଗଲେ । ଖୁବ୍ ଗୋଟାଏ ହାସ୍ୟ କୌତୁକ ଲାଗିଲା । ପୂର୍ବରୁ ରାଜା ପ୍ରହ୍ଲାଦ ଚରିତ ଏବଂ ରୁକ୍ମଣୀ ପରିଣୟ ନାମରେ ଦୁଇଖଣ୍ଡି ନାଟକ ଲେଖିଥିଲେ । ସେଥିର ଗୀତଗୁଡ଼ିକରେ ଉପଧା ନ ଥିଲା । ରାଜା ସେଗୁଡ଼ିକ ଭାଙ୍ଗି ଉପଧା ପକାଇ ଆଉଥରେ ଲେଖୁଥିଲେ । ପାଣ୍ଡୁଲିପି ନିଜେ ପଢ଼ି ମୋତେ ଶୁଣାଇଲେ । କେତେ ସ୍ଥାନରେ ବର୍ଣ୍ଣନା ଅଧିକ ପଲ୍ଲବିତ ହୋଇ ଯାଇଥିଲା, ମୁଁ ତାକୁ ସଂକ୍ଷେପ କରି ଦେବାକୁ କହିଲି । ରାଜା କହିଲେ–ଲେଖା ଶେଷରେ ଆପଣ ଥରେ ଦେଖିଲେ ଭଲ ହୁଅନ୍ତା । ମୁଁ କହିଲି–ପାଣ୍ଡୁ ଲିପି ଡାକରେ ପଠାଇଦେଲେ ମୁଁ ଦେଖିସାରି ଫେରାଇ ଦେବି । ରାଜା କହିଲେ–‘‘ନା, ସେପରି ହେଲେ ଚଳିବ ନାହିଁ । ଆପଣ କେଉଁଠି କାହିଁକି କାଟିଲେ ମୁଁ ତାହା ଜାଣି ପାରିବି କିପରି ? ଆପଣ ଇଚ୍ଛାପୁରରେ କିଛିଦିନ ରହି ମୋ ଆଗରେ ସଂଶୋଧନ କରିବେ, ତା’ହେଲେ ମୁଁ ମୋର ଭ୍ରମ ବା ତ୍ରୁଟି ସହଜରେ ବୁଝି ପାରିବି-।’’ ରାଜାଙ୍କର ଶିଖିବାର ପିପାସା କିପରି ବଳବତୀ ଥିଲା, ତାହା ତାଙ୍କର ଉପରୋକ୍ତ ଉକ୍ତିରୁ ଅନୁମେୟ । ଜଣେ ମୁକୁଟଧାରୀ ରାଜାଙ୍କ ମୁଖରେ ଏରୂପ କଥା ପ୍ରାୟଶଃ ଦୁର୍ଲଭ । ମୁଁ କହିଲି–ଲେଖା ଶେଷରେ ମୋତେ ସମ୍ବାଦ ଦେଲେ ମୁଁ ଆସିବି । ରାଜା ସେଥିରେ ସମ୍ମତ ହେଲେ ।
ଜୟକୃଷ୍ଣ ମୋର ଛାତ୍ର, ତାହା ବସାରେ ରହିବା ପାଇଁ ମୋତେ ବାଧ୍ୟ କରିବାରୁ ମୁଁ ସେହିଠାରେ ରହିଲି । ତେତେବେଳକୁ ଉତ୍କଳବାସୀର ମୁମୂର୍ଷୁ ଅବସ୍ଥା ହୋଇ ଆସିଲାଣି । ମୋ ପରେ ଦାମୋଦର କବିରତ୍ନ ଉତ୍କଳବାସୀର ସମ୍ପାଦକ ହେଲେ । ସେ କର୍ମଚାରୀଙ୍କ ଉପରେ ଭାର ଦେଇ ନିଶ୍ଚିତ ରହିଲେ । କର୍ମଚାରୀମାନେ ତାଙ୍କଠାରୁ ସ୍ୱାଧୀନତା ପାଇ ଯଥେଚ୍ଛ ବ୍ୟବହାର କଲେ-। କେତେ ସପ୍ତାହର କାଗଜ ଡାକରେ ନ ଦେଇ ପୋଡ଼ି ପକାଇ ଟିକଟଯାକ ମାରିନେଲେ, ଦାମୋଦର ବାବୁ ତାହା ଜାଣି ପାରିଲେ ନାହିଁ । ପତ୍ରିକା ନିୟମିତ ରୂପେ ଗ୍ରାହକମାନେ ପାଇଲେ ନାହିଁ, ହିସାବ କିତାବରେ ମଧ୍ୟ ନାନା ଗୋଳମାଳ ହେଲା । ଏହିସବୁ କାରଣରୁ ପତ୍ରିକା ଉପରୁ ରାଜାଙ୍କର ମନ ଚଟିଯାଇଥିଲା, ମାତ୍ର ହଠାତ୍ ବନ୍ଦ କରିଦେଲେ ଗୋଟାଏ ଅଖ୍ୟାତି ହେବ ବୋଲି ତାହା କରି ନ ଥିଲେ । ମୋତେ ଇଚ୍ଛାପୁର ଆସିବାର ଦେଖି କବିରତ୍ନ ଗୋଟାଏ ଅମୂଳକ ଆଶଙ୍କା ପୋଷଣ କଲେ । ତାଙ୍କର ପ୍ରକୃତି ବଡ଼ ଉଶ୍ୱାସ, ସୂତରାଂ ସେ କଥା ପେଟରେ ରଖି ପାରନ୍ତି ନାହିଁ । ସେ ଚାରିଆଡ଼େ ଜୟକୃଷ୍ଣର କୁତ୍ସା ଗାଇ କହି ବୁଲିଲେ–‘‘ଜୟକୃଷ୍ଣ ସଙ୍ଗରେ ମୋର ବନେ ନାହିଁ ବୋଲି ସେ ରାଜାଙ୍କ ପାଖରେ ମୋ ନାମରେ ଖଚ କହି ମୋତେ ତଡ଼ିବାକୁ ଯତ୍ନ କରୁଛି । ସେହି ଏକା ଷଡ଼ଯନ୍ତ୍ର କରି ଚିନ୍ତାମଣି ମହାନ୍ତିଙ୍କୁ ବ୍ରହ୍ମପୁରରୁ ନେଇ ଆସିଛି । ସେ ଉତ୍କଳବାସୀର ସମ୍ପାଦକ ହେବେ, ଜୟା ମୋର ଦାନା ମାରିଲା ।’’ ମୁଁ ଏକଥା ଶୁଣି ଭାବିଲି–ମୁଁ ଇଚ୍ଛାପୁରରେ ଯେତେ ଦିନ ରହିବି କବିରତ୍ନଙ୍କ ଆଶଙ୍କା ତେତିକି ବଢ଼ିବ । ପୁଣି ନିର୍ଦ୍ଦୋଷ ଜୟକୃଷ୍ଣ ପ୍ରତି ମଧ୍ୟ ତାଙ୍କର ଆକ୍ରୋଶ ବଢ଼ିବ । ଅତଏବ ଏଠାରୁ ଶୀଘ୍ର ବାହାରିଗଲେ ମଙ୍ଗଳ, ନଚେତ୍ ବୃଥାରେ ଗୋଟାଏ କଳଙ୍କ ବହିବାକୁ ହେବ । ତେତେବେଳକୁ ମୋର ଇଚ୍ଛାପୁର ଆସିବା ଆଠ ଦଶଦିନ ହୋଇ ଗଲାଣି । କବିରତ୍ନଙ୍କ ବ୍ୟବହାର ଏବଂ ଦୁର୍ବଳ ମନ ବିଷୟରେ ଜୟକୃଷ୍ଣ ସଙ୍ଗରେ ଅନେକ କଥାବାର୍ତ୍ତା ହେଲା-। ମୁଁ ସେହିଦିନ ଯାଇ ରାଜାଙ୍କୁ ବିଦାୟ ମାଗିଲି । ରାଜା କହିଲେ–ଏତେ ତରତର କାହିଁକି, ସ୍ୱଦେଶଲକ୍ଷ୍ମୀ ତ ମାସକ ପରେ ବାହାରିବ, ଆଉ କିଛି ଦିନ ରହନ୍ତୁ । ତାଙ୍କର ଆଗ୍ରହ ଦେଖି ଆଉ କିଛି କହିବାକୁ ମୋର ମୁହଁ ଫିଟିଲା ନାହିଁ ।
ତାହା ପରଦିନ ଜୟକୃଷ୍ଣକୁ ଡକାଇ ନେଇ ପଚାରିଲେ–‘‘ମହାନ୍ତି ଯିବାପାଇଁ ଏତେ ଚଞ୍ଚଳ କାହିଁକି ହେଉଛନ୍ତି ? ଜୟକୃଷ୍ଣ କବିରତ୍ନଙ୍କ ଦୁର୍ଚ୍ଛନା ଦେବାକଥା କହି ସାରି କହିଲା ଆଉ ଦୁଇ ଚାରି ଦିନ ରହିବା ପାଇଁ ମୁଁ ତାଙ୍କୁ ଢେର କହିଲିଣି, ମାତ୍ର ସେ କହିଲେ ‘‘ଦାମୋଦର ବାବୁ ମୋର ଜଣେ ବନ୍ଧୁ ବୋଲି ମୁଁ ଜାଣେ, ମାତ୍ର ମୋ ପ୍ରତି ସେ ଏପରି ସନ୍ଦେହ କରିବେ ବୋଲି ମୁଁ କଳ୍ପନା ସୁଦ୍ଧା କରି ନ ଥିଲି । ମୁଁ ଏଠାରୁ ନ ଯିବା ଯାଏଁ ତାଙ୍କର ସନ୍ଦେହ ଯିବ ନାହିଁ । ସେ ତ ଦାନା ଯିବା ପର୍ଯ୍ୟନ୍ତ ସ୍ୱପ୍ନ ଦେଖି ସାରିଲେଣି, ଆଉ ଦିନେ ଦୁଇଦିନ ରହି ତାଙ୍କର ଆଶଙ୍କା ବଢ଼ାଇବି କାହିଁକି ? ଜଣେ ବ୍ରାହ୍ମଣ ମନରେ ଯଦି ମୋ ସକାଶ ଦୁଃଖ ହୁଏ, ତେବେ ସେ ଦୁଃଖଠାରୁ ମୋର ଦୁଃଖ ବଳି ପଡ଼ିବ ।’’ ରାଜା ଶୁଣି ଆଶ୍ଚର୍ଯ୍ୟ ହେଲେ ଏବଂ ସେହିକ୍ଷଣି କବିରତ୍ନଙ୍କୁ ଡକାଇ ନେଇ ଏହି ମିଥ୍ୟା ଅପବାଦ ରଟନା କରିବା ସକାଶ ବିରକ୍ତି ପ୍ରକାଶ କରି କହିଲେ–‘‘ଚିନ୍ତାମଣି ମହାନ୍ତି ତୁମ୍ଭ ଚାକିରି ଛଡ଼ାଇ ନେବାକୁ ଆସି ନାହାନ୍ତି–ମୁଁ ଡାକିବାରୁ ଆସିଛନ୍ତି । ସେ ଉତ୍କଳବାସୀର ଜନ୍ମଦାତା, ସେ ଇଚ୍ଛାକଲେ ମୁଁ ଏହିକ୍ଷଣି ତାଙ୍କ କାର୍ଯ୍ୟ ତାଙ୍କୁ ଦେବାକୁ ପ୍ରସ୍ତୁତ ଅଛି, ମାତ୍ର ସେ ତାହା କରିବେ ନାହିଁ । ଜଣେ ଭଦ୍ରଲୋକ ନାମରେ ଦୁର୍ନାମ ରଟନା କରିବା କୌଣସି ଭଦ୍ରଲୋକର କାର୍ଯ୍ୟ ନୁହେଁ ।’’ କବିରତ୍ନେ ସେହିକ୍ଷଣି ଲେଉଟି ପଡ଼ିଲେ ଏବଂ ବିସ୍ମୟ ପ୍ରକାଶ କରି କହିଲେ–‘‘ନା ମହାରାଜା, ମୁଁ କିଛି କହିନାହିଁ, ଏସବୁ ନାଟର ସର୍ଦ୍ଦାର ଏକା ଜୟକୃଷ୍ଣ । ଆମ ବନ୍ଧୁ ବନ୍ଧୁ ମଧ୍ୟରେ ମନାନ୍ତର ଜନ୍ମାଇବା ପାଇଁ ସେହି ଏତେ କୂଟ କରିଛି । ଚିନ୍ତାମଣି ବାବୁ ମୋର ଭାଇ ବିଦ୍ୟାରତ୍ନଙ୍କ ପରମ ବନ୍ଧୁ, ସେଥିପାଇଁ ମୁଁ ତାଙ୍କୁ ବଡ଼ ଭାଇ ପରି ଭକ୍ତି କରେଁ । ଜୟା ବଡ଼ ଖଚୁଆ, ସେ ମୋ ନାମରେ ବି ଶ୍ରୀଛାମୁରେ ଖଚ ଚୁଗୁଲି ଫୋଡ଼ୁଥିବ ।’’ ଗୋଟିଏ ନିର୍ଦ୍ଦୋଷ ଗରିବ ପିଲାର ଅପବାଦ ଶୁଣି ରାଜା ବଡ଼ ବିରକ୍ତ ହେଲେ, କବିରତ୍ନେ ଆଉ କିଛି ନ କହି ମୁହଁ ଶୁଖାଇ ଫେରି ଆସିଲେ । ପରେ ଜୟକୃଷ୍ଣଠାରୁ ମୁଁ ଏହା ଶୁଣିଥିଲି ।
ବର୍ଷକ ପରେ ଉତ୍କଳବାସୀର ହିସାବ ବୁଝାଗଲା । ଅନେକ ଦୋଷ ବାହାରିଲା । କେତେ ଗ୍ରାହକ ପତ୍ରିକାର ମୂଲ୍ୟ ପରିଶୋଧ କରିଅଛନ୍ତି, ଅଥଚ ଖାତା ପତ୍ରରେ ସେମାନଙ୍କ ନାମରେ ବାକୀ ଗଡ଼ୁଥିବାର ଦେଖାଗଲା । ସେହି ବାକୀ ଟଙ୍କା ସବୁ କବିରତ୍ନଙ୍କ ଉପରେ ଚଢ଼ିଲା । ପ୍ରତିମାସ ତାଙ୍କ ବେତନରୁ ଦଶଟଙ୍କା ଲେଖାଏଁ କଟା ହୋଇ ବାକୀ ଆଦାୟ କରାଗଲା । ରାଜା ବିରକ୍ତ ହୋଇ ସେହିଠାରୁ ପତ୍ରିକା ବନ୍ଦ କରିଦେଲେ । ପତ୍ରିକା ପାଇଁ ଯେଉଁ ବ୍ୟୟ ହେଉଥିଲା, ସେହି ବ୍ୟୟରେ ଇଚ୍ଛାପୁରରେ ଗୋଟିଏ ସେକେଣ୍ଡରେ (ମାଇନର) ସ୍କୁଲ ସ୍ଥାପନ କଲେ । କେତେ ବର୍ଷ ପରେ ସେହି ସେକେଣ୍ଡରେ ସ୍କୁଲ ମେଟ୍ରିକ୍ୟୁଲେସନ ସ୍କୁଲରେ ପରିଣତ ହେଲା । ଇଚ୍ଛାପୁରରେ ସୁରଙ୍ଗୀ ରାଜାଙ୍କର ତାହା ଗୋଟିଏ ବିମଳକୀର୍ତ୍ତି । ତାଙ୍କର କୃପାଦୃଷ୍ଟି ପଡ଼ି ନ ଥିଲେ ଇଚ୍ଛାପୁର ଅବଧି ଅନ୍ଧକାରରେ ଆଚ୍ଛନ୍ନ ହୋଇ ରହିଥାଆନ୍ତା । ଏହି ହାଇସ୍କୁଲଟି ତାଙ୍କର ନିଃସ୍ୱାର୍ଥ ପରାୟଣତାର ଶୁଭ ସ୍ୱର୍ଣ୍ଣ ସ୍ମୃତି ସ୍ତମ୍ଭ ।
ରାଜାଙ୍କଠାରୁ ବିଦାୟ ନେଇ ବ୍ରହ୍ମପୁର ଆସିଲି । ପୁଣି କିଛିଦିନ ପରେ ଇଚ୍ଛାପୁର ଯିବାକୁ ହେଲା । ସ୍ୱନାମ ଧନ୍ୟ ନରସିଂହ ଦାସ ଇଚ୍ଛାପୁରର ସବ୍ରେଜିଷ୍ଟ୍ରାର ହୋଇ ଆସିଲେ । ତାଙ୍କ ବସାକୁ ଯିବା ସକାଶ ସେ ଅନେକ ଥର ମୋତେ ଆମନ୍ତ୍ରଣ କଲେ । ମୁଁ ଯିବି ଯିବି ହୋଇ ସମୟାଭାବରୁ ଯାଇ ପାରେ ନାହିଁ । ଦିନେ ନରସିଂହ ବାବୁ ନିଜେ ଆସି ମୋତେ ଇଚ୍ଛାପୁର ନେଇଗଲେ । ମୁଁ ତାଙ୍କ ବସାରେ ଚାରିଦିନ ରହିଲି । ନରସିଂହ ବାବୁ ଆଦର ଗୌରବରେ ଭସାଇ ଦେଲେ । ମୁଁ ଜଣେ ମାତ୍ର କୁଣିଆ, ମୋ ପାଇଁ ପ୍ରତିଦିନ ଚାରିସେର ମାଛ ଏବଂ ତିନିସେର ଦୁଧର ବ୍ୟବସ୍ଥା ହେଲା । କିନ୍ତୁ ଖାଉଛି କିଏ, ସେଥିରୁ ଅଧିକାଂଶ ପୂଝାରୀ ଚାକରଙ୍କର ଭୋଗରେ ଲାଗେ-। ତାଙ୍କର ବିପୁଳ ଆୟୋଜନ ଦେଖି ମୁଁ ଭାବେଁ–ବିଧାତା ମୋତେ ଚାରିଟା ପେଟ ଦେଇଥିଲେ ସେ ଆୟୋଜନକୁ ସମାନ ହୋଇପାରନ୍ତା ।
ଦିନେ ସକାଳେ ନରସିଂହ ବାବୁଙ୍କ ବସାରୁ ମୁଁ ପ୍ରେସ୍ ଅଫିସ୍କୁ ଆସୁଥିଲି । ଖଣ୍ଡେ ଦୂର ପରେ ଜଣେ ତେଲଙ୍ଗା ଭଦ୍ରଲୋକ ମୋର ସାଙ୍ଗ ଧରିଲେ । ନୀରବରେ ଦୁହେଁ ଚାଲିଥାଉଁ । ଭଦ୍ରଲୋକଟି ଘନ ଘନ ମୋର ଆପାଦ ମସ୍ତକ ନିରୀକ୍ଷଣ କରୁଥାଆନ୍ତି । କେତେ ବାଟ ଆସିଲା ପରେ ମୋତେ ପଚାରିଲେ–‘‘ଆପଣ କେଉଁଠି ଆସିଲେ ?’’ ମୁଁ କହିଲି–‘‘ସବ୍ରେଜେଷ୍ଟ୍ରାରଙ୍କ ବସାରୁ ।’’ ତହୁଁ ସେ ମୋତେ କୁଣ୍ଢାଇ ପକାଇ କହିଲେ–‘‘ଆପଣ ନରସିଂହ ବାବୁଙ୍କ ବନ୍ଧୁ, ଆପଣଙ୍କ ଘର ବାଲେଶ୍ୱର ଜିଲ୍ଲାରେ, ଏହା ମୁଁ ଜାଣେ । କାଲି ନରସିଂହ ବାବୁ ଆପଣଙ୍କ କଥା ଅନେକ କହୁଥିଲେ । ସେ ମୋର ବନ୍ଧୁ, ଆପଣ ତାଙ୍କର ବନ୍ଧୁ, ଏହି ହିସାବରେ ମୋର ବି ବନ୍ଧୁ ।’’ ମନେ ମନେ କହିଲି–ସମ୍ପର୍କ ମନ୍ଦ ନୁହେଁ । ଜ୍ୟାମିତିର ତୃତୀୟ ସ୍ୱତଃସିଦ୍ଧ ଅନୁସାରେ ଏ ବନ୍ଧୁତ୍ୱ ପ୍ରମାଣିତ ହେଲା । ଏଡ଼େ ଶସ୍ତାରେ ବନ୍ଧୁ ମିଳିବା ତ ଭାଗ୍ୟର କଥା । ନୂତନ ବନ୍ଧୁ ଏଥର ନିଜର ପରିଚୟ ଦେଇ କହିଲେ–‘‘ମୁଁ ଏଠାକାର ଡାକ୍ତର, ଚାଲନ୍ତୁ ଡାକ୍ତରଖାନାକୁ ଯିବା, କଥାବାର୍ତ୍ତା ହେବା, ମୁଁ ଆଜି ଆପଣଙ୍କୁ ଦେଖା କରିବାକୁ ଯିବି ବୋଲି ନରସିଂହ ବାବୁଙ୍କୁ କହିଥିଲି, ଦୈବାତ୍ ବାଟରେ ଦେଖାହୋଇଗଲା । ଭାଇ ମୁଁ ବଡ଼ ବନ୍ଧୁରଙ୍କ ।’’ ମନେ ମନେ କହିଲି–ତା ନ ହେଲେ ଆପଣ ବାଟଘାଟରେ ବନ୍ଧୁ ରୁଣ୍ଡାନ୍ତେ କାହିଁକି ? ପ୍ରକାଶ୍ୟରେ କହିଲି–‘‘ମୋର ବି ଆଜି ସୁପ୍ରଭାତ, ବାହାରିବା ବେଳେ ଶଙ୍ଖଚିଲ ମୁହଁ ଚାହିଁ ଆସିଥିଲି, ଆପଣଙ୍କୁ ବନ୍ଧୁ ରୂପରେ ପାଇ ମୁଁ ନିଜକୁ କୃତାର୍ଥ ମଣୁଅଛି ।’’ ଡାକ୍ତର ଗାରୁ ଭାରୀ ଖୁସି ହୋଇ କେଉଁ କାଳର ପୁରୁଣା ବନ୍ଧୁ ପରି ରସାଳିଆ କଥାରେ ମୋତେ ମୁଗ୍ଧ କରିଦେଇ ହାତଧରି ମୋତେ ତାଙ୍କ ଅଫିସ ଗୃହକୁ ଘେନିଗଲେ । ମୁଁ ଯାଇ ଗୋଟାଏ ଚୌକିରେ ବସିଲି । ଡାକ୍ତର ଲୋକ ପଠାଇ ନାସ, ପିକା, ପାନ ଆଣି ମୋ ପାଖରେ ଗଦା କରିଦେଲେ । ନାସଶୁଙ୍ଗା, ପିକାଖିଆ ମୋ ଜାତକରେ ନାହିଁ, ପାନ ଖଣ୍ଡିଏ ନେଇ ଖାଇଲି । ଡାକ୍ତର ବାବୁଟି ଗଳ୍ପସାଗର, ଅନେକ ଗଳ୍ପ କଲେ । ଅନେକ ସ୍ଥାନର କଥା, ନିଜର ଅସାଧାରଣ ଦକ୍ଷତା, କେଉଁଠାରେ କେଉଁ କଠିନ ରୋଗକୁ ସେ କିପରି ଆଶ୍ଚର୍ଯ୍ୟ ଭାବରେ ଭଲ କରିଥିଲେ, ଏହିପରି ଢେର ଢେର କଥା କହିଲେ । ଶିଷ୍ଟ ଚାଟପିଲା ଅବଧାନଠାରୁ ଉପଦେଶ ଶୁଣିଲା ପରି ମୁଁ ସବୁ ଶୁଣିଯାଉଥାଏଁ । ଭାବିଲି–ବାବୁଟି ଡାକ୍ତର ନ ହୋଇ ଓକିଲ ହୋଇଥିଲେ ସୁନ୍ଦର ହୋଇଥାଆନ୍ତା । ବନେଇଁ ଚୂନେଇଁ କଥା କହିବାର ଶକ୍ତି ଡାକ୍ତର ବନ୍ଧୁଙ୍କର ଅସାଧାରଣ, ତଦ୍ଦ୍ୱାରା ସେ ପୀଡ଼ିତ ମନର ବି ଚିକିତ୍ସା କରିପାରନ୍ତି । ବାସ୍ତବରେ ତାଙ୍କର ବାକ୍ୟାଳାପ ଉପଭୋଗ୍ୟ । ଅନେକ ଅଦେଖା ସ୍ଥାନର କଥା ତାଙ୍କଠାରୁ ଶୁଣିଲି । ସେତକ ମୋର ଅଳ୍ପ ଲାଭ ନୁହେଁ । ତାଙ୍କର ହୃଦୟ ଏବଂ ବ୍ୟବହାର ବଡ଼ ସରଳ । ନିଜର ଘରର କଥା ଏବଂ ପରିବାରର କଥା ଅସଂକୋଚରେ ସେ ମୋ ଆଗରେ କହିଥିଲେ । ମୁଁ ଯେପରି ତାଙ୍କର କେତେକାଳର ସମହୃଦୟୀ ପୁରୁଣା ବନ୍ଧୁ । ପରିବାର ମଧ୍ୟରେ କାହାର କେଉଁ ଦୋଷ, ତ୍ରୁଟି ଅଛି, ତାହା ସେ ଲୁଚାଇ ନ ଥିଲେ । ତାଙ୍କପରି ସରଳପ୍ରାଣ ବ୍ୟକ୍ତି ମୁଁ ଖୁବ୍ ଅଳ୍ପ ଦେଖିଅଛି ।
ଗ୍ରୀଷ୍ମକାଳ, କଥାବାର୍ତ୍ତା ହେଉଁ ହେଉଁ ଖରା ଫୁଟି ଉଠିଲା । ମୁଁ ଆଉ ପ୍ରେସ୍କୁ ଗଲି ନାହିଁ-। ବନ୍ଧୁଙ୍କୁ ବିଦାୟ ମାଗିଲି, ମାତ୍ର ସେ ପଦାର୍ଥଟି ସେ ସହଜରେ ଦେଇ ପକାଇବାର ପାତ୍ର ନୁହନ୍ତି । କହିଲେ–‘‘ସଙ୍ଗରେ ମିଶି ଯିବା, ଖରା ଖୁବ୍ ଟାଣ ହୋଇଛି–ଗିଲାସେ ସରବତ୍ ତିଆରି କରି ଆଣେ-।’’ ଏତିକି ମାତ୍ର କହି ଉଠି ଚାଲିଗଲେ । ପ୍ରାୟ ପାଞ୍ଚମିନିଟ୍ ପରେ ଦୁଇ ହାତରେ ଦୁଇଟା କାଚ ଗ୍ଳାସ୍ ଧରି ଫେରି ଆସିଲେ । ଗୋଟାଏ ଗ୍ଳାସ୍ ମୋତେ ଦେଇ ନିଜେ ଅନ୍ୟଟିର ସଦ୍ବ୍ୟବହାର କଲେ । ପାନୀୟଟି ସ୍ୱାଦୁ–ସୁଗନ୍ଧରେ ବେଶ୍ ଉପାଦେୟ ବୋଧ ହେଲା । ଉଦର ଦେବତା ମଧ୍ୟ ତୃପ୍ତି ଅନୁଭବ କଲେ । କିନ୍ତୁ କି ଆଶ୍ଚର୍ଯ୍ୟର କଥା, ସେ ଅମୃତ ମଧ୍ୟରେ ଯେ ପ୍ରଚ୍ଛନ୍ନରେ ଗରଳ ଥିଲା, ତାହା ମୋର ଅଜ୍ଞାତ । କିଛିକ୍ଷଣ ମୁଣ୍ଡ ଝିମ୍ ଝିମ୍ ଆରମ୍ଭ ହେଲା । କିଏ ଅଲକ୍ଷରେ ମୁଣ୍ଡରେ ହିମାଳୟ ପର୍ବତ ଆଣି ଲଦିଦେଲା । ପେଟ ଘାଣ୍ଟିଚକଟି ହେଲା । ଆଖି ଆଗରେ ବିଜୁଳିପୋକ ଉଡ଼ି ବୁଲିଲା ପ୍ରାୟ ଜଣାଗଲା । ସଦ୍ୟଲବ୍ଧ ବନ୍ଧୁଙ୍କୁ ପଚାରିଲି–‘‘ଆପଣ ମୋତେ କଅଣ ଦେଲେ କି ?’’ ସେ ନିର୍ବିକାର ସ୍ୱରରେ କହିଲେ–‘‘ଆଉ କିଛି ନୁହେଁ–ସରବତ୍ । କାହିଁକି, ଆପଣଙ୍କ ଦେହ କିଛି ହେଉଛି କି ?’’ ଶୀଘ୍ର ଉଠିଆସି ମୋର ହାତର ନାଡ଼ ଦେଖି କହିଲେ–ଓ, ଆଚ୍ଛା ମୁଁ ଆଣି ଦେଉଛି । ଏହା କହି ଗୋଟାଏ ଆଲମାରୀ ଫିଟାଇ ଦୁଇ ତିନି ପ୍ରକାର ଔଷଧ ମିଶାଇ ମୋତେ ଆଣିଦେଲେ । ମୁଁ ତେତକ ବି ପୂର୍ବଦେବତାଙ୍କୁ ନିବେଦନ କଲି, କିଛି ଫଳ ଜଣାଗଲା ନାହିଁ । ମୁଁ ଜୟକୃଷ୍ଣକୁ ଡାକି ପଠାଇଲି, ସେ ଆସିଲା । ତହୁଁ ତାକୁ ସଙ୍ଗରେ ନେଇ ମୁଁ ନରସିଂହ ବାବୁଙ୍କ ବସାକୁ ଯିବାକୁ ବାହାରିଲି । ଡାକ୍ତର ବାବୁ ବି ସଙ୍ଗରେ ଗଲେ । ଖଣ୍ଡେ ଦୂର ଯାଇ ସେହିଠାରୁ ସେ ବାଟ ଭାଙ୍ଗିଲେ, ମୁଁ ଜୟକୃଷ୍ଣ ସଙ୍ଗରେ ଆସି ବସାରେ ପହୁଞ୍ଚିଲି । ପେଟରେ ବେଦନା ଅଧିକ ହେଲା, ସଙ୍ଗେ ସଙ୍ଗେ ପ୍ରବଳ ବାନ୍ତି ଆରମ୍ଭ ହେଲା । ମୁଣ୍ଡରେ ପାଣି ଦେବା, ପଙ୍ଖାରେ ବିଞ୍ଚିବା ପ୍ରଭୃତି ଉପଚାର ଲାଗିଲା । ପ୍ରାୟ ଦୁଇଘଣ୍ଟା ପରେ ଟିକିଏ ଉପଶମ ଜଣାଗଲା–ମୁଁ ଘୋର ନିଦ୍ରାରେ ଘାରି ହୋଇ ଶୋଇ ପଡ଼ିଲି । ନରସିଂହ ବାବୁ ମୋତେ ଅପେକ୍ଷା କରି ବସିଥିଲେ, ମୁଁ ଆସିଲେ ସେ ଖାଇକରି କଚେରୀକୁ ଯାଇଥାଆନ୍ତେ । ମୋର ଏ ଆକସ୍ମିକ ବିକାର ଦେଖି ସେ ନ ଖାଇ ଚାଲିଗଲେ । ତାଙ୍କର ଚାକର ପୂଝାରୀ ଏବଂ ଜୟକୃଷ୍ଣକୁ ଶୁଶ୍ରୁଷାର ଉପଦେଶ ଦେଇ ମୋର ନିଦ ଭାଙ୍ଗିବାକୁ ନିଷେଧ କରିଗଲେ । ଶୀଘ୍ର ସେଦିନର କଚେରୀ କାର୍ଯ୍ୟ ଶେଷ କରି ପ୍ରାୟ ଦୁଇଟା ସମୟରେ ଫେରି ଆସିଲେ । ପ୍ରାୟ ତିନିଟା ବେଳେ ମୋର ଯୋଗନିଦ୍ରା ଭଙ୍ଗ ହେଲା-। ତେତେବେଳେ ବୁଝିପାରିଲି ଯେ, ମୁଁ ସୋମରସପାୟୀ ମହାଯୋଗୀ ଶ୍ରେଣୀକୁ ଉନ୍ନୀତ ହୋଇଅଛି-। ସ୍ନାନ, ଭୋଜନ ଶେଷରେ ନରସିଂହ ବାବୁ କହିଲେ–ଡାକ୍ତରଙ୍କ କୀର୍ତ୍ତି କାହାଣୀ ମୁଁ ଜୟକୃଷ୍ଣ ଠାରୁ ଶୁଣିଛି । ସେ ଆପଣଙ୍କୁ ସରବତ୍ରେ ମଦ ମିଶାଇ ପିଇବାକୁ ଦେଇଥିଲା । ସେ ଅଦ୍ଭୁତ ଜୀବଟିର ବିଶ୍ୱାସ–କି ସ୍ଥାବର, କି ଜଙ୍ଗମ, ଜଗତରେ କେହି ମଦ ନ ଖାଇ ବଞ୍ଚିରହି ପାରେନାହିଁ । କେହି ଆକଣ୍ଠ ଗଙ୍ଗାଜଳରେ ପଶି ମଦ ଖାଏ ନାହିଁ ବୋଲି ଶପଥ କଲେ ବି ସେ ତାହା ବିଶ୍ୱାସ କରେ ନାହିଁ । ଆପଣଙ୍କ ଅବସ୍ଥା ମୋ ଠାରୁ ଶୁଣି ସେ ଆଜି କଚେରୀରେ ବଡ଼ ଲଜ୍ଜିତ ହୋଇଅଛି, ପୁଣି କହିଛି–‘‘ଏହି ପାପର ପ୍ରାୟଶ୍ଚିତ୍ତ ସ୍ୱରୂପ ଆପଣଙ୍କ ଯିବା ଦିନ ସେ ରେଲରେ ଗୋଳନ୍ତର ଷ୍ଟେସନ ଯାଏଁ ଯାଇ ବାଟେଇ ଦେଇ ଆସିବ ।’’ ଭାବିଲି–କି ଜଞ୍ଜାଳ, ଆଉଥରେ ମୋତେ ପାଗଳ କରିବ ନା କଅଣ । ନରସିଂହ ବାବୁଙ୍କୁ କହିଲି–ଆପଣଙ୍କର ଧର୍ମ ହେବ, ମୁଁ କେଉଁଦିନ ଯିବି ତାହା ସେ ନ ଜାଣିଲା ପରି କଟକଣା କରିବେ । ବନ୍ଧୁତାର ଉପଯୁକ୍ତ ଉଚ୍ଚ ପୁରସ୍କାର ମୁଁ ପାଇସାରିଛି–ଆଉ ଅଧିକ ନୁହେଁ । ଏଭଳି ସୁବନ୍ଧୁ ମୋର ଶତ୍ରୁ-ଭାଗ୍ୟରେ ସୁଦ୍ଧା ନ ଘଟୁ–ବିଧାତାଙ୍କ ପାଖରେ ମୋର ଏହି ପ୍ରାର୍ଥନା ।’’ ନରସିଂହ ବାବୁ ନୀରବ ହାସ୍ୟରେ ସମ୍ମତି ପ୍ରକାଶ କଲେ । ମୁଁ ଇଚ୍ଛାପୁରରୁ ଆସିବାଦିନ ଡାକ୍ତର ବାବୁ ଜାଣିପାରିଲେ ନାହିଁ ।
ଇଚ୍ଛାପୁରରେ କେତେଗୁଡ଼ାଏ ସମୟ ବାଜେ ଖର୍ଚ୍ଚରେ ଉଡ଼ାଇ ଦେଇ ବ୍ରହ୍ମପୁର ଆସିଲି । ମନୁଷ୍ୟ ଜୀବନର ଅଧିକାଂଶ ସମୟ ବାଜେ ଖର୍ଚ୍ଚରେ ଯାଏ, ଅଳ୍ପମାତ୍ର କାର୍ଯ୍ୟରେ ଲାଗେ । ସଂସାର ଉତ୍ତାପରେ ଭାଜି ହୋଇ ଟିକିଏ ପାଚି ନ ଆସିବା ଯାଏଁ ମନୁଷ୍ୟ ସମୟର ମୂଲ୍ୟ ବୁଝେ ନାହିଁ । ବୁଝିପାରିଲେ ଅନୁତାପ କରେ, ମାତ୍ର ତାହା ବିଫଳ । ନାନା ଚିନ୍ତା ଭାବନାର ଉତ୍ତାଳ ତରଙ୍ଗ କାହୁଁ ଆସି ସେ ଅନୁତାପକୁ ପୋଛି ଭସାଇ ନେଇଯାଏ । ଜଣେ ନିଶାଖୋର ନିଶା ଛାଡ଼ିବାକୁ ପ୍ରତିଜ୍ଞା କରି ମନେ ମନେ କହିଲା–ଆଜି ଖୁବ୍ ମନବୋଧ କରି ଖାଏଁ, କାଲିଠାରୁ ଆଉ ଛୁଇଁବି ନାହିଁ-।’’ ଏହା କହି ଯଥେଷ୍ଟ ନିଶା ଖାଇଲା । ତହିଁ ପରଦିନ ମଧ୍ୟ ସେହି ପ୍ରତିଜ୍ଞା କରି ଖାଇଲା । ଫଳରେ ତାହାର ନିଶା ଅଭ୍ୟାସ କ୍ରମଶଃ ବଢ଼ି ଉଠିଲା । ମନୁଷ୍ୟ ସେହିପରି ପ୍ରତିଜ୍ଞା କରେ–ଆଜି ଟିକିଏ ମନ ପୂରାଇ ସମୟର ବାଜେ ଖର୍ଚ୍ଚ କରେଁ, କାଲିଠାରୁ ତାକୁ ନିଶ୍ଚୟ କର୍ମରେ ଖଟାଇ ରଖିବି-।’’ ଏହିପରି ପ୍ରତିଜ୍ଞା ଚାଲିଥାଏ, ସମୟ ବି ଚାଲିଥାଏ, ମାତ୍ର କାମ କିଛି ହୁଏ ନାହିଁ । ମୋର ଅନୁଭବ କଥା ମୁଁ କହୁଅଛି । ମୋର ପଢ଼ିବା ସମୟ ଅତି ଦୀନତାପୂର୍ଣ୍ଣ ଥିଲା । ଦିନେ ଦିନେ ଭାତ ଖାଏ ନାହିଁ, ମାତୃଦେବୀ ହାଣ୍ଡି ଅଜାଡ଼ି ଅଧବେଲେ ଭାତ ତୋରାଣୀ ଆଣି ମୋତେ ଖାଇବାକୁ ଦିଅନ୍ତି । ମୁଁ ତେତକ ଖାଇଲେ ତାଙ୍କର ସେଦିନ ଏକାଦଶୀ ହେବ, ଏହା ମୁଁ ଜାଣେ । ଦେହ ଅସୁସ୍ଥ ବୋଲି କହି ନାନା ଆପତ୍ତି ଦେଖାଇ ମୁଁ ଅଧେ ଖାଇ ଅଧେ ଛାଡ଼ିଯାଏଁ । କିନ୍ତୁ ସେ ତାହା ବୁଝି ପାରନ୍ତି । ସନ୍ତାନର ମନୋଭାବ ଜନନୀ ଅନାୟାସରେ ବୁଝି ପାରନ୍ତି । ମାତୃଦେବୀ ବୁଝିପାରି କିଛି କହନ୍ତି ନାହିଁ, ନୀରବରେ ଲୋତକ ଢାଳି ଦିଅନ୍ତି । ମୋର ବ୍ୟଥା ତାଙ୍କ ଚିତ୍ତ ଦର୍ପଣରେ ପ୍ରତିଫଳିତ ହୋଇ ଅଶ୍ରୁରୂପରେ ବାହାରି ପଡ଼େ । ଯାହାର ଅବସ୍ଥା ଏପରି ଶୋଚନୀୟ, ସେ ସମୟର ଅପବ୍ୟବହାର କଲେ ଚଳିବ କିପରି ? ତଥାପି ମୁଁ ସମୟର ଅପବ୍ୟବହାର କରିଅଛି । ସମୟର ମୂଲ୍ୟ ଅମୂଲ୍ୟ ଏବଂ ଶକ୍ତି ଅସୀମ । ସମୟ ପ୍ରଭାବରେ କଅଣ ହୋଇ ନ ପାରେ–ମନୁଷ୍ୟ ଏହି ମୁହୂର୍ତ୍ତରେ କଣ କରିବ ତାହା କିଏ କହିପାରିବ ? ମନୀଷୀ କର୍ମନିଷ୍ଠ ଲୋକେ ଏକ ମୁହୂର୍ତ୍ତରେ ଯାହା ଦାନ କରିଯାଇ ଅଛନ୍ତି, ତାହା ଭାବିଲେ ହୃଦୟ ବିସ୍ମୟରେ ଅଭିଭୂତ ହୋଇଯାଏ । ସମୟର ସଦ୍ବ୍ୟବହାର କରିଥିଲେ ମୁଁ ଅନେକ କାର୍ଯ୍ୟ କରି ପାରିଥାଆନ୍ତି, କିନ୍ତୁ କାହିଁ, ମୋର କାର୍ଯ୍ୟ ଦେଖି ମୁଁ ମଧ୍ୟ ଲଜ୍ଜିତ ହୁଏ । ଦୁଃଖି ସୁଖ ପାଇଲେ ସେ ପୂର୍ବ ଦୁଃଖ ଭୁଲିଯାଏ, ମାତ୍ର ସୁଖୀ ଦୁଃଖ ପାଇଲେ ଭୁକ୍ତ ସୁଖ ଭୁଲିପାରେ ନାହିଁ । ସେହି ଅତୀତ ସୁଖସ୍ମୃତି ତାହା ପ୍ରାଣକୁ ଅନବରତ ଦଗ୍ଧ କରୁଥାଏ । ମନୁଷ୍ୟର ଆୟୁ ସ୍ୱଳ୍ପ, ଏହା ସେ ପାସୋରି ପକାଏ । ତେଣୁ ଆଜିର କର୍ତ୍ତବ୍ୟ କାଲିକୁ ରଖିଦିଏ । ମନୁଷ୍ୟ ନିଜକୁ ଅମର ମଣେ । ଜଗତରେ ସମସ୍ତେ ମରୁଛନ୍ତି, କେହି ଅମର ନୁହେଁ–ଏହା ଜାଣିସୁଦ୍ଧା ସେ ନିଜ ଉପରେ ମୃତ୍ୟୁର ଅଧିକାର ସ୍ୱୀକାର କରେ ନାହିଁ, ଏହାଠାରୁ ଦୁର୍ଭାଗ୍ୟ ଆଉ କଅଣ ହୋଇପାରେ ? ଯାଉ, ସେ ଅନୁଶୋଚନାରୁ କଅଣ ମିଳିବ । ମନୁଷ୍ୟ କ୍ଷୁଦ୍ର, କିନ୍ତୁ ତାହାର ଶକ୍ତି କ୍ଷୁଦ୍ର ନୁହେଁ । ଯେ ଅନନ୍ତ ଶକ୍ତିଧରଙ୍କର ସନ୍ତାନ, ତାହାର ଶକ୍ତି ନଗଣ୍ୟ ନୁହେଁ । ଅନନ୍ତ ଶକ୍ତି ମଧ୍ୟରେ ଶୋଇଅଛି, ତାକୁ ଉଠାଇବା ଦରକାର । କୁମ୍ଭକର୍ଣ୍ଣ ଉଠିଲେ ତାହାର ଅସାଧ୍ୟ କିଛି ନାହିଁ । ଯେଉଁ ମନୁଷ୍ୟ ଜ୍ଞାନ ବିଜ୍ଞାନ ଶକ୍ତି ବଳରେ ପ୍ରାକୃତିକ ମହାଶକ୍ତି ନିଚୟକୁ ନିଜର ଅଧୀନ କରି ପାରୁଅଛି, ସେ ମନୁଷ୍ୟ କଦାପି କ୍ଷୀଣଶକ୍ତି ନୁହେଁ । ପକ୍ଷାନ୍ତରରେ ଏହା କଥାରେ କହିବା ଯେଡ଼େ ସହଜ ହେବ, ଏ ବିଶ୍ୱାସ ମନକୁ ଆଣିବା ତେଡ଼େ ସହଜ ନୁହେଁ–ଏହିଠାରେ ମନୁଷ୍ୟର ଦୁର୍ବଳତା ସ୍ପଷ୍ଟ ପରିଲକ୍ଷିତ ହୁଏ । ସେହି ଦୁର୍ବଳତାର ଦୁର୍ଲଙ୍ଘ୍ୟ ଲୌହ ପ୍ରାଚୀର ଯେ ଲଙ୍ଘନ କରିପାରେ, ସେହି ଏକା ପ୍ରକୃତ ମନୁଷ୍ୟପଦବାଚ୍ୟ, ଯେ ତାହା ନ ପାରେ ସେ ମନୁଷ୍ୟ ନୁହେଁ–ମଣଷ, ମଣ ହେଉଁ ହେଉଁ ତାହାର ଜୀବନ ସରିଯାଏ । ସେ ଖାଲି ମଣ ହେବା ପାଇଁ ବାରମ୍ବାର ସଂସାରକୁ ଆସେ । ତାହାର ଜନ୍ମ ଏବଂ ଜୀବନ ବିଫଳ–ମୁଁ ସେହି ଶ୍ରେଣୀୟ ଜନ୍ତୁ ବିଶେଷ ।
ଇଚ୍ଛାପୁରରୁ ଆସି ସେ ମାସର ସ୍ୱଦେଶଲକ୍ଷ୍ମୀ ବାହାର କରିବାକୁ ହେଲା । ଚାରିଆଡ଼ୁ କୃଷି ପୁସ୍ତକର ବରାତ ଆସୁଥାଏ । ଦିନେ ଦିନେ ଦଶପନ୍ଦରଟା ପର୍ଯ୍ୟନ୍ତ ଭି: ପି: ପାର୍ଶଲ କରିବାକୁ ହୁଏ । ନିଜେ ଯାଇ ଡାକଘରେ ପାର୍ଶଲ ଦେଇଆସେ । ପ୍ରତ୍ୟହ ଯେଉଁସବୁ ବରାତ୍ ଆସେ ସେଥିମଧ୍ୟରେ କିଏ ଆଠଅଣାର–କିଏ ଟଙ୍କାକର–କିଏ ବା କିଛି ଅଧିକ ପୁସ୍ତକ ମାଗିଥାନ୍ତି । କୌଣସି ପାର୍ଶଲର ମୂଲ୍ୟ ଆଠଅଣାରୁ ଊଣା ହୁଏ ନାହିଁ, କିମ୍ବା ତିନିଟଙ୍କାରୁ ଅଧିକ ହୁଏ ନାହିଁ । ଅର୍ଥାଭାବ ସମୟରେ କୃଷିପୁସ୍ତକ ଗୁଡ଼ିକ ମୋର ବଡ଼ ଉପକାର କରିଅଛି । ଦିନେ ଶାସ୍ତ୍ରୀ କହିଲେ–ବ୍ରହ୍ମପୁରରେ ଗୋଟାଏ ସ୍ୱଦେଶୀ ଔଷଧାଳୟ ସ୍ଥାପନ କଲେ ଖୁବ୍ ଚଳିବ, ଆପଣ ଜଣେ ଭଲ କବିରାଜ ଅଣାଇ ଦିଅନ୍ତୁ । ମୂଳମୂଳିକା ପ୍ରଭୃତି ମୁଁ ସୁଲଭରେ ସଂଗ୍ରହ କରିଦେବି । ଔଷଧ ପ୍ରଚାର ଏବଂ ବିକ୍ରୟର ଭାର ମଧ୍ୟ ବହନ କରିବି । ଅପାତତଃ କବିରାଜଙ୍କୁ ବେତନ ଦିଆଯିବ, ଔଷଧାଳୟର ଉନ୍ନତି ଦୃଷ୍ଟିରେ ପଛକୁ ସେ ଲାଭର ଅଂଶ ପାଇବେ ।’’ ଶାସ୍ତ୍ରୀଙ୍କର ଏ ପ୍ରସ୍ତାବରେ ମୁଁ ସ୍ୱୀକୃତ ହୋଇ ଭଦ୍ରଖ ସ୍କୁଲର ଡ୍ରଇଂ ପଣ୍ଡିତ ମହାଦେବ ମିଶ୍ରଙ୍କୁ ପତ୍ର ଲେଖିଲି । ତେତେବେଳେ ଡାକ୍ତର ଶ୍ରୀପତି ସାମନ୍ତରାଏ ଭଦ୍ରଖରେ ଗୋଟାଏ ଆୟୁର୍ବେଦୀୟ ଔଷଧାଳୟ ଖୋଲିଥିଲେ । ଶ୍ରୀପତି ବାବୁ ଜଣେ ଅମୃତହସ୍ତା କବିରାଜ । ମହାଦେବ ମିଶ୍ର ତାଙ୍କରିଠାରୁ ଶିକ୍ଷା କରି ଚିକିତ୍ସା କରୁଥିଲେ । ସେ ବ୍ରହ୍ମପୁର ଯିବାକୁ ସ୍ୱୀକୃତ ହେଲେ । ଏହି ସମୟରେ ମୁଁ ମନୋରମାର ସମ୍ପାଦକ କାର୍ଯ୍ୟରେ ଯିବାରୁ ଶାସ୍ତ୍ରୀଙ୍କର ମନ ଭାଙ୍ଗିଗଲା । ତାଙ୍କର ପ୍ରସ୍ତାବ ଆଉ କାର୍ଯ୍ୟରେ ପରିଣତ ହୋଇପାରିଲା ନାହିଁ ।
ମନୋରମାର ପରିଚାଳନା ସକାଶେ ମୟୂରଭଞ୍ଜର ସ୍ୱନାମଧନ୍ୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦୁଇଶହମାଣ ଭୂମି ଦେଇଥିଲେ । ଉକ୍ତ ଜମି ଷ୍ଟେଟ୍ ନିୟମାନୁସାରେ ରେଜେଷ୍ଟରୀ ହୋଇନଥିଲା । ଏଣେ ମନୋରମା ବଙ୍ଗାଳିମାନଙ୍କ ବିରୁଦ୍ଧରେ ଅଗ୍ନି ବୃଷ୍ଟି କରିଦେଲା-। ସେଥିରେ ବଙ୍ଗାଳୀ କର୍ମଚାରୀମାନେ ଉତ୍ତ୍ୟକ୍ତ ହୋଇଉଠିଲେ । ଫଳରେ ସେମାନଙ୍କ ଷଡ଼ଯନ୍ତ୍ରରେ ଉକ୍ତ ଭୂମିଗୁଡ଼ିକ ଷ୍ଟେଟ୍ସାମିଲ ହୋଇଗଲା । ମନୋରମା ପକ୍ଷରୁ ସେଥିପାଇଁ ଅପିଲ ଦାଏର ହେଲା, ମାତ୍ର ଷ୍ଟେଟ୍ ନିୟମାନୁସାରେ ଜମି ରେଜେଷ୍ଟରୀ ହୋଇ ନଥିବାରୁ ଅପିଲରେ କିଛି ଫଳ ହେଲା ନାହିଁ । ମନୋରମାର ସମ୍ପାଦକ ବୈଦ୍ୟନାଥ ଦାଶ ମୟୂରଭଞ୍ଜରୁ ଚାଲିଆସି ବାଲେଶ୍ୱର ସମ୍ବାଦବାହିକାର ସମ୍ପାଦକ ହେଲେ ।
ମନୋରମା କିଛିଦିନ ବନ୍ଦ ରହିଲା । ଗୋଟାଏ ପ୍ରବଳ ଓଡ଼ିଆ ପତ୍ରିକାର ଏ ଆକସ୍ମିକ ଦୁର୍ଗତି ଦେଖି ପତ୍ରିକାର ଅଂଶୀଦାରମାନେ ସଭା କରି ବ୍ୟାସକବି ଫକୀରମୋହନ ସେନାପତିଙ୍କ ଉପରେ ପରିଚାଳନା ଭାର ନ୍ୟସ୍ତ କଲେ । ଫକୀରମୋହନ ବାବୁ ମୋତେ ସମ୍ପାଦକ ମନୋନୀତ କରି ପତ୍ର ଲେଖିଲେ । ପତ୍ରିକାର ଅବସ୍ଥା ଦୃଷ୍ଟିରେ ମୁଁ ପ୍ରଥମତଃ ଅସମ୍ମତ ପ୍ରକାଶ କଲି, ମାତ୍ର ଫକୀରମୋହନ ବାବୁ ମୋତେ ସାହସ ଦେଇ ଲେଖିଲେ–‘‘ମନୋରମାର ଜମି ଫେରାଇ ଦେବା ସକାଶ ମୁଁ ମୟୂରଭଞ୍ଜ ମହାରାଜାଙ୍କୁ ପତ୍ର ଲେଖି ଅନୁରୋଧ କରିଅଛି । ତୁମ୍ଭେ ଯାଇ ପତ୍ରିକା ଚଳାଅ, ଯଦି ଜମିତକ ନ ମିଳେ ତେବେ ଅନ୍ୟଚେଷ୍ଟା କରାଯିବ । ତୁମ୍ଭେ ଲାଲସାହେବ ହରିଶ୍ଚନ୍ଦ୍ର ଭଞ୍ଜଙ୍କଠାରୁ ଆବଶ୍ୟକୀୟ ଖର୍ଚ୍ଚ ନେଇ ମନୋରମା ବାହାର କର ।’’ ଜଣେ ବିଶିଷ୍ଟ ବ୍ୟକ୍ତିଙ୍କଠାରୁ ଏଭଳି ପତ୍ର ପାଇ ମୁଁ ଆଉ ମନାକରି ପାରିଲି ନାହିଁ, ଶୀଘ୍ର ବ୍ରହ୍ମପୁରରୁ ଭଦ୍ରଖ ଚାଲିଆସିଲି । ସୋମନାଥ ଗୁଜିଦରଡ଼ାର ଗଭର୍ଣ୍ଣମେଣ୍ଟ ଭର୍ଣ୍ଣାକ୍ୟୁଲାର ସ୍କୁଲରୁ ବୃତ୍ତି ନେଇ ମୟୂରଭଞ୍ଜ ହାଇସ୍କୁଲରେ ଯାଇ ପଢ଼ୁଥିଲା । ମୁଁ ତାକୁ ଭଦ୍ରଖରୁ ପତ୍ର ଲେଖିଲି, ସେ ଆସି ମୋତେ ବାରିପଦା ନେଇଗଲା । ମୁଁ ଯାଇ ମନୋରମା ଅଫିସ୍ରେ ବସା କରି ରହିଲି । ଲାଲସାହେବଙ୍କ ପରାମର୍ଶ ଅନୁସାରେ ଦିନେ ଯାଇ ମୟୂରଭଞ୍ଜ ମହାରାଜାଙ୍କ ସଙ୍ଗେ ସାକ୍ଷାତ୍ କରି କହିଲି–‘‘ଶ୍ରୀଛାମୁ ସ୍ୱୟଂ ମନୋରମାର ନାମକରଣ କରିଥିଲେ, ତାହାର ଏପରି ଭାବରେ ଅକାଳ ମରଣ ଘଟିବା ବାଞ୍ଛନୀୟ ନୁହେଁ । ଦୟାକରି ତାକୁ ଜୀବିତ ରଖିବା ହେଉନ୍ତୁ ।’’ ମହାରାଜା କହିଲେ–ଆପଣ ବୋଧହୁଏ ସମସ୍ତ ହାଲ ଜାଣନ୍ତି ନାହିଁ–ଜାଣିଥିଲେ ଏକାର୍ଯ୍ୟରେ ଅଗ୍ରସର ହୁଅନ୍ତେ ନାହିଁ । ମନୋରମା ଦଳ ନଈ ନ ଦେଖୁଣୁ ଲୁଗା ଟେକି ବସିଲେ ବିଶେଷତଃ ବୈଦ୍ୟନାଥ ଦାଶ ମୟୂରଞ୍ଜରେ ଯେଉଁ ଓଡ଼ିଆ ବଙ୍ଗାଳି ବିଦ୍ୱେଷ ବହ୍ମ ଜାଳିଦେଇ ଗଲେ, ସେ ନିଆଁ ଲିଭିବାକୁ ଅନେକଦିନ ଲାଗିବ, ପୁଣି ଲିଭିବ କି ନାହିଁ ତାହା ବି ସନ୍ଦେହ । ଜମି ସମ୍ବନ୍ଧରେ ଯାହା ହୋଇଯାଇଅଛି–ମୋର ଆଉ କିଛି କରିବାର ଉପାୟ ନାହିଁ । ଫକୀରମୋହନ ବାବୁଙ୍କର ପତ୍ର ପାଇଲି, ତାଙ୍କୁ ମୁଁ ଉତ୍ତର ଦେଇଅଛି ।’’ ମହାରାଜାଙ୍କଠାରୁ ଏ ନିରାଶବାଣୀ ଶୁଣି ମୁଁ ଫେରିଆସି ଲାଲସାହେବଙ୍କୁ ସବୁ ଜଣାଇଲି । ସେ କହିଲେ–ଆପଣ ପତ୍ରିକା ବାହାର କରନ୍ତୁ, ଯେପରି ଚଳିବ ତାହାର ଉପାୟ କରାଯିବ ।’’ ତାଙ୍କଠାରୁ ଏହିପରି ଆଶ୍ୱାସନା ପାଇ ମୁଁ ମନୋରମା ବାହାର କଲି । ଆବଶ୍ୟକୀୟ ଖର୍ଚ୍ଚ ସେ ଚଳାଇଲେ ।
ମନୋରମା ବାହାରିବା ପୂର୍ବରୁ ମୋତେ ଡିକ୍ଲେୟାରେସନ୍ କରିବାକୁ ହେଲା । ପ୍ରଥମଶ୍ରେଣୀର ଡେପୁଟୀ ମାଜିଷ୍ଟ୍ରେଟ୍ ଅନୁକୂଳ ଚନ୍ଦ୍ର ମୁଖୋପାଧ୍ୟାୟ ଏମ୍, ଏ, ବିଏଲଙ୍କ ଇଜଲାସରେ ଫାରମ ଦାଖଲ କଲି । ତାଙ୍କ ବଙ୍ଗାଳି ସିରସ୍ତାଦାର ଯଥେଷ୍ଟ ବାଧା ଦେଲେ । ସେ ହାକିମଙ୍କୁ କହିଲେ–‘‘ମହାରାଜାଙ୍କୁ ନ ଜଣାଇ ଡିକ୍ଲେୟାରେସନ୍ କରିଦେବା ଉଚିତ ନୁହେଁ ।’’ ଅନୁକୂଳ ବାବୁ ଜଣେ ସ୍ପଷ୍ଟବାଦୀ ନିର୍ଭୀକଚେତା ଜବରଦସ୍ତ ହାକିମ । ସିରସ୍ତାଦାରଙ୍କ କଥା ସେ ପତ୍ରରେ ପକାଇଲେ ନାହିଁ, କହିଲେ–ମୁଁ ଫାଷ୍ଟକ୍ଳାସ୍ ଡେପୁଟୀମାଜିଷ୍ଟ୍ରେଟ୍, ଡିକ୍ଲେୟାରେସନ୍ର କ୍ଷମତା ମୋର ଅଛି–ପ୍ରତ୍ୟେକ କଥା ମୁଁ ମହାରାଜାଙ୍କୁ ପଚାରିବାକୁ ଯିବି କାହିଁକି ? ଏହା କହି ଫାରମ୍ରେ ଦସ୍ତଖତ କରିଦେଲେ । ସିରସ୍ତାଦାରଙ୍କ ମୁହଁ କଳା ପଡ଼ିଗଲା । ବଙ୍ଗାଳିମାନଙ୍କ ମନରୁ ମନୋରମା ଭୀତି ସେ ପର୍ଯ୍ୟନ୍ତ ଛାଡ଼ି ନ ଥିଲା । ମନୋରମା ପୁଣି ବାହାରିଲେ କାଳେ ପୂର୍ବପରି ଗୋହିପୁରାଣ ଖୋଳାହେବ–ଏହି ଆଶଙ୍କା ଅନେକଙ୍କ ମନରେ ଜାଗ୍ରତ ହୋଇଉଠିଲା । ଅଙ୍ଗଦକୁ ଦେଖି ହନୁମାନ ଜ୍ଞାନରେ ଲଙ୍କାବାସୀମାନେ ଭୟରେ ଅସ୍ଥିର ହୋଇ ଉଠିଲେ । ତାହା ଦେଖି ଅଙ୍ଗଦ ମନେ ମନେ କହିଥିଲା–‘‘ଧନ୍ୟରେ ହନୁମାନ, ତୁ ଏଭଳି ଶିକ୍ଷା ଦେଇ ଯାଇଛୁ ଯେ ଏମାନେ ଆଜିଯାଏଁ ତାହା ଭୁଲିପାରି ନାହାନ୍ତି ।’’ ସେହିପରି ବଙ୍ଗାଳିଙ୍କ ବ୍ୟବହାର ଦେଖି ମୁଁ ମଧ୍ୟ ମନେ ମନେ କହିଲି–‘‘ଧନ୍ୟ ବୈଦ୍ୟନାଥ ନନା, ତୁ ଏପରି ପୁଟ ଦେଇଯାଇଛୁ ଯେ ସେ ରଙ୍ଗ ଅବଧି ଧୋଇ ଯାଇନାହିଁ ।’’ ବୈଦ୍ୟନାଥ ଦାଶ କେବଳ ତେଜସ୍ୱୀ ସମ୍ପାଦକ ଥିଲେ ନାହିଁ–ସେ ସେନାପତି ହେବାଭଳି ଜାତୀୟ ମହାରଥୀ ଥିଲେ । ଦୁଃଖର ବିଷୟ ବର୍ତ୍ତମାନ ସେ ସ୍ୱର୍ଗରେ । ତାଙ୍କପରି ନୈତିକ ସାହସୀ, ନିର୍ଭୀକଚେତା, ସ୍ପଷ୍ଟବାଦୀ ଯୁବକ ଏକାଳରେ ବିରଳ । କେହି କେହି ତାଙ୍କୁ ଉଗ୍ର ବୋଲି ଅଭିହିତ କରିବାର ଶୁଣିଅଛି । ମାତ୍ର ସେ ଉଗ୍ରତା ନୀତି ଏବଂ ମାନବ ଧର୍ମରେ ପୂର୍ଣ୍ଣ । ଅତି ମୃଦୁତା ଅପେକ୍ଷା ମଧୁର ଉଗ୍ରତା କି ଶ୍ରେୟସ୍କର ନୁହେଁ ? ଶାନ୍ତ ପ୍ରକୃତି ଅବଶ୍ୟ ଭଲ, ମାତ୍ର କୋଚିଆ ବା କେଞ୍ଚୁଆ ପରି ନିରୀହ ହେବା ବାଞ୍ଛନୀୟ ନୁହେଁ ।
ବାରିପଦା ଗୋଟିଏ ଦୃଶ୍ୟବହୁଳ ସ୍ଥାନ । ପ୍ରାକୃତିକ ଏବଂ କୃତ୍ରିମ ଦୃଶ୍ୟ ତାକୁ ମହାରାଣୀ ସାଜରେ ସଜ୍ଜିତ କରିଅଛି । ଉପକଣ୍ଠରେ ଧବଳାଙ୍ଗୀ ବଳାଙ୍ଗୀ ମଧୁର କୁଳୁକୁଳୁ ନାଦରେ ହୁଳାହୁଳୀ ଦେଇ ଚାଲିଅଛି । ତୀରସ୍ଥ କ୍ଷୁଦ୍ର କ୍ଷୁଦ୍ର ବନଗୁଡ଼ିକ ତପୋବନର ଶ୍ରୀ ଧାରଣ କରିଅଛି । ଋଷିପ୍ରକୃତି ତୁଲ୍ୟ ସରଳ, ବିଶାଳ ଶାଳତରୁ ଆକାଶଚୁମ୍ବୀ ଚୂଡ଼ା ହଲାଇ ଖେଳୁଅଛି । ବସନ୍ତ କାଳରେ ସେଗୁଡ଼ିକ ପ୍ରବାଳ ପାଟଳ ନବ ପଲ୍ଲବରେ ମଣ୍ଡିତ ହୋଇ ଅପୂର୍ବ ଶୋଭାର ଉତ୍ସବ ସୃଷ୍ଟି କରେ । ଦୂରରେ ଶିଶୁହିମାଳୟ ମେଘାସନ ବିଚିତ୍ର ମେଘ ମୁକୁଟ ପରିଧାନ କରି ସଗର୍ବରେ ଦଣ୍ଡାୟମାନ । ଯେମନ୍ତ କି ଦୃପ୍ତବୀର ନିଜର ସମକକ୍ଷ ପ୍ରତିଯୋଦ୍ଧା ଅନ୍ୱେଷଣ କରୁଅଛି । ମହାରାଜା ରାମଚନ୍ଦ୍ର ବାରିପଦାକୁ ତ୍ରିଦିବବିଭବ ଅମରାବତୀ ତୁଲ୍ୟ ମଣ୍ଡିତ କରିଅଛନ୍ତି । ଉତ୍କଳର କୌଣସି ସହର ବାରିପଦାର ସମକକ୍ଷ ନୁହେଁ । କ୍ଷୁଦ୍ର ସହରଟି ଅଫିସ୍, ଅଦାଲତ୍ ପ୍ରଭୃତି ଯାବତୀୟ ନାଗରିକ ଉପାଦାନରେ ପରିପୂର୍ଣ୍ଣ । ମୟୂରଭଞ୍ଜର ଶାସନନୀତି ଆଦର୍ଶ । ତାହା ଠିକ୍ ମୋଗଲବନ୍ଦୀର ଶାସନ ପ୍ରଣାଳୀ-ଛାଞ୍ଚରେ ଢଳା । ସର୍ବୋଚ୍ଚ ବିଚାରାଳୟ ଜଜ୍କୋର୍ଟ । ତାହା ଉପରେ ମହାରାଜାଙ୍କ ସକାଉନ୍ଶିଲ୍ ବିଚାର ଚୂଡ଼ାନ୍ତ ବିଚାର । ଜେଲଖାନାର କଏଦିମାନେ ଠିକ୍ କୁଣିଆ ପରି ସୁଖ ଭୋଗ କରନ୍ତି । ଦୁଧ ଏବଂ ମାଂସ ପର୍ଯ୍ୟନ୍ତ ସେମାନଙ୍କୁ ଦିଆଯାଏ । ରାଣୀବାଗ୍ ନାମରେ ଗୋଟିଏ ଆଦର୍ଶ ଉଦ୍ୟାନ ଅଛି । କଏଦୀମାନେ ସେଠାରେ ଏବଂ ଛାପାଖାନାରେ କାମ କରନ୍ତି । କାହାରିକୁ କେବେ ପଳାଇଯିବାର ଦେଖାଯାଏ ନାହିଁ । ଏତେ ସୁଖରେ ଥାଇ କାହିଁକି ବା ପଳାଇବାକୁ ଇଚ୍ଛା କରିବେ ? ଜୁବୁଲି ଲାଇବ୍ରେରୀ ଗୋଟାଏ ପ୍ରକାଣ୍ଡ ପ୍ରଦର୍ଶନୀ କ୍ଷେତ୍ର । ସେଥିରେ ରାଜ୍ୟର ନାନାପ୍ରକାର ଶସ୍ୟ, ଧାତୁ, ପଥର ପ୍ରଭୃତି ସୁରମ୍ୟ କାଚାଧାରରେ ସୁରକ୍ଷିତ ହୋଇଅଛି । ସ୍ଥୂଳରେ ଉକ୍ତ ଲାଇବ୍ରେରୀଟି ମୟୂରଭଞ୍ଜର ସଂକ୍ଷିପ୍ତ ସାର । ସମଗ୍ର ମୟୂରଭଞ୍ଜରେ ଯାହା ଅଛି, ଏକା ଜୁବୁଲି ଲାଇବ୍ରେରୀରେ ତାହା ଅଛି । ବାରିପଦାରେ କଣ୍ଟିଆଳୀ ବୋଲି ଖଣ୍ଡେ କ୍ଷୁଦ୍ର ନାଳ ଅଛି, ସେଥିରେ ଅକସ୍ମାତ୍ ବନ୍ୟା ହୁଏ । ବନ୍ୟା ସ୍ରୋତ ମାଡ଼ି ଆସିବା ସଙ୍ଗେ ସଙ୍ଗେ ଛାଡ଼ିଯାଏ । ଟାଉନ ମଧ୍ୟସ୍ଥ ଖଣ୍ଡିଏ କ୍ଷୁଦ୍ର ତିମିରାରେ ଜଳପ୍ରପାତ ଅଛି । ମୁଁ ଏକାଧିକ ଥର ସେହି ପ୍ରପାତରେ ସ୍ନାନ କରିଅଛି । ସ୍ନାନ ପରେ ଶରୀର ସ୍ନିଗ୍ଧ ଏବଂ ମନ ପ୍ରଫୁଲ୍ଲ ହୁଏ । ବାରିପଦାର ଚାଉଳ, ଚୂଡ଼ା, ମୁଢ଼ୀ ଅତି ଉତ୍ତମ । ବଜାରରେ କାଇଅଣ୍ଡା ବିକ୍ରୟ ହୁଏ । ବନ୍ୟ ଜାତିର ଲୋକେ ତାକୁ ମୁଢ଼ୀ ସଙ୍ଗରେ ମିଶାଇ ଖାଆନ୍ତି । ତାହା ସେମାନଙ୍କର ଗୋଟାଏ ଉପାଦେୟ ଖାଦ୍ୟ । ବଜାରରେ ସବୁ ମିଳେ, କେବଳ ମାଛ ଦୁଷ୍ପ୍ରାପ୍ୟ ।
ରଥ ଏବଂ ଛଉ ନାଚ ବାରିପଦାର ପ୍ରଧାନ ପର୍ବ । ରଥ ସମୟରେ ପ୍ରାୟ ପଚାଶ ହଜାର ଦର୍ଶକର ସମାଗମ ହୁଏ । ବାରିପଦାର ରଥ ଖୁବ୍ ବଡ଼ ହୁଏ । ସାଜସଜ୍ଜା ଅମୂଲ୍ୟ, ତାହାର ପଟାନ୍ତର ନାହିଁ । ଛଉ ନାଚ ଗୋଟାଏ ଉତ୍କଟ ବୀର ନୃତ୍ୟ, ତାକୁ ବୀର ତାଣ୍ଡବ କହିଲେ ଠିକ୍ ହେବ-। ନାଚର କୌଶଳ ଉଚ୍ଚକଳାର ନିଦର୍ଶନ, କିନ୍ତୁ ବଡ଼ କଷ୍ଟ । ଶୁଣିଥିଲି ଜୁଆଙ୍ଗ ସ୍ତ୍ରୀମାନେ ପୂର୍ବେ ଛଉନାଟ କରୁଥିଲେ । ସେ ଜାତିର ଲୋକେ ଲୁଗା ପିନ୍ଧନ୍ତି ନାହିଁ । କଟିରେ ପତ୍ରଗୁଚ୍ଛ ଓହଳାଇ ଲଜ୍ଜା ନିବାରଣ କରନ୍ତି । ମାଂସପେଶୀର ପୂର୍ଣ୍ଣ ଗଠନ ପକ୍ଷରେ ଛଉନାଚ ଖୁବ୍ ସହାୟତା କରେ । ତାହା ଗୋଟାଏ ଉଚ୍ଚ ଧରଣର ବ୍ୟାୟାମ ବା କସରତ୍।
ମୟୂରଭଞ୍ଜର ଜଙ୍ଗଲ ସମୁଦ୍ର ପରି ଅଥଳ, ଅକୂଳ । ହାତୀ, ବାଘ ପ୍ରଭୃତି ବଡ଼ ବଡ଼ ଜନ୍ତୁ ଅସଂଖ୍ୟ ଅଛନ୍ତି । ସ୍ୱର୍ଗୀୟ ରମାନାଥ ବାବୁଙ୍କର ‘‘ମୟୂରଭଞ୍ଜ ଭୂଗୋଳ’’ ନାମରେ ଖଣ୍ଡିଏ ପୁସ୍ତକ ମୁଁ ପଢ଼ିଥିଲି । ସେଥିରେ ଲେଖାଅଛି–ବସନ୍ତ କାଳରେ ବ୍ୟାଘ୍ରର ଉପଦ୍ରବ ସର୍ବତ୍ର ଊଣା ହୁଏ । ସେ ସମୟରେ ପର୍ବତ ତଳେ ଧାତୁକୀ ଫୁଲ ଫୁଟେ । ସେହି ଫୁଲ ବାଘ ଦେହରେ ଲାଗିଲେ ଘା ହୋଇଯାଏ । ସେଥିପାଇଁ ବାଘ ପର୍ବତରୁ ଓହ୍ଲାଏ ନାହିଁ । ଧାତୁକୀ ପ୍ରକୃତରେ ବ୍ୟାଘ୍ରଘାତୁକୀ, କି ନୁହେଁ ତାହା ଜାଣେ ନାହିଁ । ଯାହା ଲେଖାଗଲା ତାହା ପୋଥିଗତ ବିଦ୍ୟା । ସମୟ ସମୟରେ ହାତୀପଲ ବାହାରି ଆସି ଚରିବୁଲି ରାତି ଥାଉଁ ଥାଉଁ ବଣକୁ ଚାଲିଯାଆନ୍ତି । ଶୁଣିଥିଲି–ଥରେ ଦଳେ ହାତୀ ବାରିପଦା ଆଡ଼କୁ ଆସିଥିଲେ । ସେମାନଙ୍କ ମଧ୍ୟରେ ଗୋଟାଏ ପୂର୍ଣ୍ଣଗର୍ଭା ହାତୁଣୀ ଥିଲା । ବଳଙ୍ଗ କୂଳସ୍ଥ ଆମ୍ବ ବଗିଚାରେ ସେ ଦୈବାତ୍ ପ୍ରସବ କରି ପକାଇଲା । ଚାରିଟା ଦନ୍ତା ହାତୀକୁ ତାହାର ରକ୍ଷକ କରି ଯୂଥପତି ଯୂଥ ଘେନି ବଣକୁ ଚାଲିଗଲା । ଚାରିଟା ଦନ୍ତାହାତୀ ଦାନ୍ତ ସିସାରି ଚାରିପାଖରେ ଅନବରତ ଠିଆହୋଇ ରହିଲେ । ମନୁଷ୍ୟ ଦେଖିଲେ ଗର୍ଜନ ଛାଡ଼ି ଭୟ ଦେଖାଇଲେ । ହାତୀଗୁଡ଼ିକୁ ଧରିବା ପାଇଁ କେହି କେହି ମହାରାଜାଙ୍କୁ କହିଲେ, ମାତ୍ର ସେ ମନା କଲେ । କହିଲେ–ପିଲାଟା ଚାଲିପାରିଲାକ୍ଷଣି ସେ ବଳେ ବଳେ ବଣକୁ ବାହାରିଯିବେ, ବର୍ତ୍ତମାନ ସେମାନଙ୍କୁ କ୍ରୁଦ୍ଧ କରାଇବା ଭଲ ନୁହେଁ । ପାଞ୍ଚଦିନ କାଳ ଉପବାସରେ ରହି ଦନ୍ତାମାନେ ଜଗି ରହିଲେ । ସଦ୍ୟଜାତ କରଭଟିର ଚାଲିବାର ଶକ୍ତି ହେଲା, ତାକୁ ଏବଂ ପ୍ରସୂତିକୁ ମଝିରେ ଚଲାଇ ଚାରିଦନ୍ତା ଚାରିପାଖ ରକ୍ଷା କରି ଚାଲି ଚାଲି ବଣକୁ ବାହାରିଗଲେ । ବନ୍ୟ ପଶୁମାନଙ୍କର ଏଭଳି ଏକତା, ଆତ୍ମୀୟତା, ଜାତୀୟତା, ଦୟା, ମାୟା, ସହଜାତ, କିନ୍ତୁ ଅନେକ ମନୁଷ୍ୟ ପ୍ରାଣରେ ତାହା ଦୁର୍ଲଭ । ମୟୂରଭଞ୍ଜରେ ଗାଈ ହଳ କରନ୍ତି–ଏହା ଅତି ନିଷ୍ଠୁର ପ୍ରଥା । ସେହି ହେତୁରୁ ଗାଈ ଗୁଡ଼ିକ କ୍ଷୀଣକାୟ ଏବଂ ଦୁର୍ବଳ । ଦୁଧ ଖୁବ୍ ଅଳ୍ପ ଦିଅନ୍ତି । ଦୁଧବେପାରିମାନେ ଦୁଧରେ ଆରାରୋଟ୍ ଗୋଳି ବିକ୍ରୟ କରନ୍ତି ।
ମୟୂରଭଞ୍ଜରେ ଓଡ଼ିଆ ବଙ୍ଗୀଳୀ ବିରୋଧ ପୂର୍ବରୁ ପ୍ରଚ୍ଛନ୍ନରେ ଥିଲା, ମନୋରମା ସମୟରେ ସେ ବିରୋଧ ବହ୍ନି ଦାଉ ଦାଉ ହୋଇ ଜଳି ଉଠିଲା । ତେତେବେଳେ କଲିକତାରୁ ମେଜର କୋମ୍ପାନୀର ପ୍ରୋପ୍ରାଇଟର ପଦ୍ମଲୋଚନ ବାବୁ ‘‘ଓୟାରଲେସ୍ ରେକର୍ଡ଼’’ ନାମରେ ଖଣ୍ଡେ ଇଂରାଜୀ ମାସିକ ପତ୍ରିକା ବାହାର କରୁଥିଲେ । ମୟୂରଭଞ୍ଜସ୍ଥ ବଙ୍ଗାଳୀମାନଙ୍କ ବିରୁଦ୍ଧରେ ସେଥିରେ ଗୋଟାଏ ପ୍ରବନ୍ଧ ବାହାରିଲା । ତାହାର ମର୍ମ ଏହି–‘‘ଆରବ୍ୟ ଉପନ୍ୟାସର ନିର୍ଜନ ଦ୍ୱୀପସ୍ଥ ବୃଦ୍ଧଦୈତ୍ୟ ଯେପରି ସିନ୍ଧବାଦ ବଣିକର କାନ୍ଧରେ ବସି ଦୁଇଗୋଡ଼ରେ ତାହାର ତଣ୍ଟି ଚିପି ଧରିଥିଲା, ଓଡ଼ିଆମାନଙ୍କ ପ୍ରତି ବଙ୍ଗାଳୀଙ୍କ ବ୍ୟବହାର ଠିକ୍ ସେହିପରି ।’’ ସେହି ପ୍ରବନ୍ଧର ଆଂଶିକ ଓଡ଼ିଆ ଅନୁବାଦ ମନୋରମାରେ ବାହାରିଲା । ସେଥିରେ ବଙ୍ଗାଳୀମାନେ ଉତ୍ତେଜିତ ହୋଇ ମନୋରମା ନାମରେ ମୋକଦ୍ଦମା କଲେ । ମନୋରମା ଦଳ ବି ପଶ୍ଚାତ୍ପଦ ହେଲେ ନାହିଁ । ସେମାନେ ଉତ୍କଳର ଅଧିକାଂଶ ବିଶିଷ୍ଟ ବ୍ୟକ୍ତିଙ୍କୁ ପତ୍ର ଲେଖି ସେମାନଙ୍କଠାରୁ ପ୍ରକାଶିତ ପ୍ରବନ୍ଧ ସମ୍ୱନ୍ଧରେ ମତ ଆଣି ମନୋରମାରେ ପ୍ରକାଶ କଲେ । ମୟୂରଭଞ୍ଜର ଓଡ଼ିଆମାନଙ୍କୁ ବିପନ୍ନ ଦେଖି ଉତ୍କଳର ଜାତୀୟ ଜୀବନ ଗର୍ଜ୍ଜି ଉଠିଲା । ପ୍ରାୟ ସମସ୍ତେ ମନୋରମା ସପକ୍ଷରେ ମତ ଦେଲେ । ତେତେବେଳେ କାମପାଳ ମିଶ୍ର କରଞ୍ଜିଆର ସବ୍ଡ଼ିଭିଜନ୍ ଅଫିସର ଥିଲେ । ସେ ମନୋରମାର ପ୍ରଧାନ ପୃଷ୍ଠପୋଷକ ହୋଇ ଠିଆହେଲେ । କାମପାଳ ବାବୁ ନିର୍ଭୀକଚେତା ତେଜସ୍ୱୀ ହାକିମ, ତାଙ୍କୁ ବଙ୍ଗାଳୀମାନେ ଭୟ କରନ୍ତି । ଅଭିଯୁକ୍ତ ପ୍ରବନ୍ଧ ସମ୍ବନ୍ଧରେ ମୋତେ ମଧ୍ୟ ସ୍ୱମତ ବ୍ୟକ୍ତ କରିବାକୁ ପଡ଼ିଥିଲା । ତାହା ପୂର୍ବରେ ଲିଖିତ ହୋଇଅଛି । ଘଟନା କ୍ରମେ ଜଟିଳ, ପୃଥୁଳ ହେବାର ଦେଖି ବଙ୍ଗାଳୀମାନେ ଆଉ ଅଧିକ ଅଗ୍ରସର ହେଲେ ନାହିଁ–ବଳେ ବଳେ ମକଦ୍ଦମା ଉଠାଇ ନେଲେ । କିନ୍ତୁ ବାଲ୍ୟପ୍ରାଣରେ ଆଘାତ ପାଇ ସେହିଦିନଠାରୁ ମନୋରମା ଦୁର୍ବଳ ହୋଇ ପଡ଼ିଲା । ବିପକ୍ଷଦଳର ଷଡ଼ଯନ୍ତ୍ରରେ ଗ୍ରାହକମାନେ ପତ୍ରିକା ଫେରାଇ ଦେବାକୁ ଲାଗିଲେ । ଯାହା ଉପରେ ଯାହା ପ୍ରାପ୍ୟ ଥିଲା, ତାହା ସେମାନେ ଦେଲେ ନାହିଁ । ତଥାଚ ଲାଲସାହେବ ସ୍ୱହସ୍ତରୁ ବ୍ୟୟ ନିର୍ବାହ କରି ମନୋରମାକୁ ବର୍ଷେଯାଏଁ ବଞ୍ଚାଇ ରଖିଲେ । ତହିଁପରେ ତାହାର ଜୀବନ ଦୀପ ମିଞ୍ଜିମିଞ୍ଜି ହୋଇ ଆସି ଲିଭିଗଲା ।
ମୟୂରଭଞ୍ଜରେ ସୁଖେ ଦୁଃଖେ ବର୍ଷେ କାଳ କଟିଗଲା । ସେଠାରେ ଆମ୍ଭ ଭଦ୍ରଖବାସୀ ଅନେକ ଥିଲେ । ସ୍ୱର୍ଗୀୟ ଗୋବିନ୍ଦ ଚନ୍ଦ୍ର ମହାପାତ୍ର ଷ୍ଟେଟ୍ କଲେକ୍ଟର ଥିଲେ । ସେ ଜଣେ ଆଦର୍ଶ ସମାଜ ସଂସ୍କାରକ । ତାଙ୍କର ସଧବା କନ୍ୟାକୁ ସେ ପୁନଶ୍ଚ ବିବାହ କରାଇ ଦେଇଥିଲେ । ତାଙ୍କପରି ନୈତିକ ସାହସୀ ସଂସ୍କାରକ ସମାଜରେ ବିରଳ । ଦେଶଭକ୍ତ ଭଗବାନ ପ୍ରସାଦ ଦାସ କରଞ୍ଜିଆରେ ଓଭରସିଅର ଥିଲେ । ଭଗବାନ ବାବୁ ଅନେକ ଲୋକଙ୍କୁ ଦାନା ଦେଇଅଛନ୍ତି । ଅନେକ ଦୀନ ଦରିଦ୍ର ତାଙ୍କ ପ୍ରସାଦରୁ ବିଭବଶାଳୀ ହୋଇଅଛନ୍ତି । ଚାକିରୀ ଉଦ୍ଦେଶ୍ୟରେ ତାଙ୍କ ପାଖକୁ କେହି ଗଲେ ସେ ପାରୁ ପର୍ଯ୍ୟନ୍ତ ଚେଷ୍ଟାକରି ଯେ କୌଣସି ବିଭାଗରେ ତାକୁ ରଖାଇଦିଅନ୍ତି-। ପର ପାଇଁ ସେ ହାକିମମାନଙ୍କ ଗୋଡ଼ ଧରିବାକୁ ସୁଦ୍ଧା ଅପମାନ ମଣନ୍ତି ନାହିଁ । ଦୁଃଖର ବିଷୟ, ସେ ପରୋପକାରୀ ପୁଣ୍ୟପ୍ରାଣ ବ୍ୟକ୍ତି ଆଉ ଇହଜଗତରେ ନାହାନ୍ତି । ସେହି ସମୟରେ ମହାଭାରତର ଗଦ୍ୟାନୁବାଦ ହେଉଥାଏ । ଅନୁବାଦକମାନେ ବଙ୍ଗବାସୀ ମହାଭାରତ, କାଳୀସିଂହ ମହାଭାରତ (ବର୍ଦ୍ଧମାନ ମହାଭାରତ) ପକାଇ ଅନୁବାଦ କରୁଥାଆନ୍ତି । ପଣ୍ଡିତ କପିଳେଶ୍ୱର ବିଦ୍ୟାଭୂଷଣ ଅନୁବାଦ ସଂଶୋଧନ କରୁଥାଆନ୍ତି । ଶହେ ଶ୍ଳୋକର ଅନୁବାଦର ମଜୁରି ପାଞ୍ଚ ଟଙ୍କା-। ଏହି ଦରରେ ଅନୁବାଦ ଲାଗିଥାଏ । ବିଦ୍ୟାଭୂଷଣେ ଜଣେ ଖ୍ୟାତନାମା ପଣ୍ଡିତ, ‘‘ନମ୍ରନ୍ତି ଫଳୀନୋବୃକ୍ଷାଃ’’–ଏହି ନୀତି ଶ୍ଳୋକର ଜୀବନ୍ତ ଆଦର୍ଶ । ସେ ମୋ ବସାକୁ ଅନେକ ସମୟରେ ଆସନ୍ତି । ସାହିତ୍ୟ ସମ୍ବନ୍ଧରେ ଅନେକ ଆଲୋଚନା ହୁଏ । ପୋଷ୍ଟମାଷ୍ଟର ବୈଷ୍ଣବଚରଣ ପଟ୍ଟନାୟକ, ବାରିପଦାର ଓ ଓଭରସିଅର ଛକଡ଼ି ମହାନ୍ତି, ଜଜ୍କୋର୍ଟର ପେଷ୍କାର (ବର୍ତ୍ତମାନ ସିରସ୍ତାଦାର) ରଘୁନାଥ ମହାପାତ୍ର–ଏମାନେ ମୋର ପୁରୁଣା ବନ୍ଧୁ, ପ୍ରାୟ ପ୍ରତ୍ୟହ ସନ୍ଧ୍ୟା ପରେ ମୋ ବସାକୁ ସମସ୍ତେ ଆସନ୍ତି । ବିବିଧ ବାକ୍ୟାଳାପରେ ସମୟ କଟିଯାଏ । ଯେଉଁଦିନ କେହି ନ ଆସନ୍ତି ସେଦିନ ମୁଁ ମନୋରମା ଅଫିସ ଛାତ ଉପରେ ବସି ମେଘାସନ ପର୍ବତର ଦାବାନଳ ଉତ୍ସବ ଦେଖେଁ । ସଚଳ ଆଲୋକରେଖା ବିଭାଘରର ମସାଲ ଶିଢ଼ୀ ଚାଲିଲା ପ୍ରାୟ ଦେଖାଯାଏ । କ୍ଷଣକ ମଧ୍ୟରେ ପର୍ବତର ଚୂଡ଼ାଗୁଡ଼ିକ ସୁବର୍ଣ୍ଣ ମୁକୁଟରେ ମଣ୍ଡିତ ହୋଇଯାଏ । ପ୍ରକୃତି ଦେବୀ ପର୍ବତକୁ କେବେ ବରବେଶରେ, କେବେ ରାଜବେଶରେ ସଜାଇ ଦିଏ । ପର୍ବତର ସ୍ତରେ ସ୍ତରେ ଆଲୋକରେଖା ବଡ଼ ସୁନ୍ଦର ଦିଶେ । ସତେ ଯେପରି ବୃଦ୍ଧ ଯୋଗୀବର ମେଘାସନ ପୀତଚନ୍ଦନରେ କପାଳରେ ତ୍ରିବଳୀ ଚିତା କାଟିଅଛି । ଅଥବା କେଉଁ ସ୍ୱର୍ଣ୍ଣକାର କଷ୍ଟିପଥରରେ ସ୍ୱର୍ଣ୍ଣରେଖା ଟାଣି ପରୀକ୍ଷା କରୁଅଛି । ଅପୂର୍ଣ୍ଣବିଶ୍ୱାସୀ ହୃଦୟରେ ଧର୍ମଭାବର ପ୍ରତିବିମ୍ବ ବାରମ୍ବାର ଫୁଟି ଉଠି ମିଳାଇଗଲା ପରି କେତେବେଳେ ଦାବାନଳ ଜଳି ଉଠୁଥାଏ, କେତେବେଳେ ବା ଲିଭି ଯାଉଥାଏ । ସିଦ୍ଧସାଧକ ମେଘାସନ ଚକିତ ନେତ୍ରରେ ବିଶ୍ୱର ମହାବିରାଟ ରୂପ ଦେଖି ଘନ ଘନ ଆଖି ବୁଜି ପକାଉଥିଲା ପରି ମନରେ ଭାବ ଉଦୟ ହେଉଥାଏ । ନୈଶଗିରି–ପ୍ରକୃତିର ସେ ମହାଶୋଭାର ପଟାନ୍ତର ନାହିଁ । ତାହା ଶୋଭା ନୁହେଁ–ଶୋଭାର ଅନନ୍ତ ଉତ୍ସ ମହାମେଳା । ସ୍ୱୟଂ ଶୋଭାଦେବୀ ଶୋଭାର ଭାନୁମତୀ ଲୀଳା ସର୍ଜନା କରି ବସିଅଛନ୍ତି । ସେ ମହାଲୀଳା ଦେଖି ସ୍ଥାବର ଜଙ୍ଗମ ସ୍ତବ୍ଧ ଏବଂ ମୁଗ୍ଧ । ବାକ୍ୟରେ ସେ ଅତୁଳଶୋଭାର ସ୍ୱରୂପ ଗଢ଼ି ହେବ ନାହିଁ । ତାହା ବର୍ଣ୍ଣନୀୟ ନୁହେଁ–କେବଳ ଉପଭୋଗ୍ୟ ।