ହସ୍ତାକ୍ଷର
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ପ୍ରବନ୍ଧ (2)
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୪୨୫
- ସ୍ଥିତି
- ସାର୍ବଜନୀନ (Public domain)
ହସ୍ତାକ୍ଷର– ଏହି ବିଷୟରେ ପାଠଶାଳା ଓ ବିଦ୍ୟାଳୟମାନଙ୍କର ଶିକ୍ଷକ ଓ ଛାତ୍ରମାନେ ଯଥୋପଯୁକ୍ତ ମନୋଯୋଗୀ ହେବାର ପ୍ରାୟ ଦେଖାଯାଏ ନାହିଁ । ଶିକ୍ଷକମାନେ ସାଧାରଣତଃ ଛାତ୍ରମାନଙ୍କୁ ‘ହସ୍ତାକ୍ଷର ଲେଖ’ ଏହି ଆଦେଶ ଦେଇ ନିଶ୍ଚିନ୍ତ ହୋଇ ବସିରୁହନ୍ତି । ଛାତ୍ରମାନେ ତହିଁ ବଙ୍କାଟଙ୍କା କରି ମନଇଚ୍ଛା କିଛି ଲେଖନ୍ତି । ଶିକ୍ଷକମାନେ କୌଣସି ଦୋଷ ସଂଶୋଧନ କରି କିପରି ଲେଖିଲେ ଛାତ୍ରମାନଙ୍କର ଅକ୍ଷର ସ୍ପଷ୍ଟ ଓ ସୁନ୍ଦର ହେବ ତାହା ଯେ ନିର୍ଦ୍ଦେଶ କରନ୍ତି ନାହିଁ – ଏହା ବୋଲିବା ବାହୁଲ୍ୟ ଅଟେ ।
ଆମ୍ଭେମାନେ ବିନୀତଭାବରେ ଶିକ୍ଷକମାନଙ୍କୁ ପ୍ରାର୍ଥନା କରୁଅଛିଁ ଯେ ସେମାନେ ଲିଖନର ଗୁରୁତ୍ୱ ଉପଲବ୍ଧି କରି ଉକ୍ତ ବିଷୟପ୍ରତି ସମୁଚିତ ଧ୍ୟାନ ପ୍ରଦଶନ କରିବେ । ଲିଖନ ସମ୍ବନ୍ଧରେ ନିମ୍ନରେ କେତେଗୁଡ଼ିଏ ନିୟମ ଦିଆଗଲା । ଆଶା କରୁଁ, ତାହା ଶିକ୍ଷକମାନେ ପାଳନ କରିବେ ।
୧। ଦେଶୀୟ ଚାଟଶାଳୀମାନଙ୍କରେ ପଢା ଓ ଲେଖା ଏକସମୟେ ଆରବ୍ଧ ହୁଏ । ଏହା ଅତି ଉତ୍ତମ ରୀତି ଅଟେ । ପ୍ରଥମରେ ଶିକ୍ଷକ ଭୂମି ଉପରେ ଗୋଟିଏ ଗୋଟିଏ ଅକ୍ଷର ଲେଖିଦେବେ ଏବଂ ଅକ୍ଷରର ଯେଉଁ ସ୍ଥାନରୁ ଆରମ୍ଭ କରିବାକୁ ହେବ, ସେହି ସ୍ଥାନରୁ ଛାତ୍ରର ହାତ ଧରି ଅକ୍ଷର ଉପରେ ମଡ଼ାଇବାକୁ ଶିଖାଇବେ । ଏଥି ଉତ୍ତାରେ ଛାତ୍ରମାନେ ଅକ୍ଷରକୁ ଲିଭାଇଦେଇ ପୁନର୍ବାର ନିଜେ ସେହି ଅକ୍ଷରକୁ ଲେଖିବେ । ଏହିପରି ସବୁ ଅକ୍ଷର ଲଖି ଶିଖିଲା ପରେ ଶିକ୍ଷକ ଯଥେଚ୍ଛାକ୍ରମେ ଅକ୍ଷରଗୁଡ଼ିକ ଉଚ୍ଚାରଣ କରିବେ । ଛାତ୍ରମାନେ ସେଗୁଡ଼ିକ ଲେଖିଲା ଉତ୍ତାରେ ଶିକ୍ଷକ ସେଥିରେ ଥିବା ଦୋଷ ଦେଖାଇଦେଇ ଛାତ୍ରମାନଙ୍କ ଦ୍ୱାରା ତାହା ସଂଶୋଧନ କରିବେ ।
୨। ପୂର୍ବୋକ୍ତ ପ୍ରକାର ଅକ୍ଷରଗୁଡ଼ିକ ଅଭ୍ୟାସ କଲା ଉତ୍ତାରେ, ଛାତ୍ରମାନଙ୍କୁ କାଗଜ ବା ତାଳପତ୍ରରେ ଲେଖିବାକୁ ଶିଖିଇବେ । ଛାତ୍ରର କିପରି କରିବା ଉଚିତ୍, କିପରି କଲମ ବା ଲେଖନୀ ଧରିବାର ଉଚିତ, ଅକ୍ଷରମାନଙ୍କ ବର୍ଗ ଓ ଦୂରତ୍ୱ କିପରି ହେବା ଉଚିତ, ଇତ୍ୟାଦି ବିଷୟ ଦେଖାଇଦେଇ ତତ୍ସମ୍ୱନ୍ଧୀୟ ଦୋଷ ବାରମ୍ବାର ସଂଶୋଧନ କରିଦେବେ । କାଗଜ ରୁଲ କରିବା ଏବଂ ଧାଡ଼ି ସଳଖ କରି ଲେଖିବା ବିଷୟରେ ଶିକ୍ଷକମାନେ ଛାତ୍ରମାନଙ୍କୁ ଶିକ୍ଷାଦେବେ ।
୩। ସମୁଦାୟ ଅକ୍ଷର ଲେଖିବା ଅଭ୍ୟାସ ହେଲା ଉତ୍ତାରୁ ଅକ୍ଷରମାନଙ୍କରେ ଆକାର ଇକାରାଦି ବନାନ୍ ଚିହ୍ନ, ଯ୍ ର୍ ପ୍ରଭୃତି ଫଳାଦେଇ ଯୋଗକରି ଲେଖିବାକୁ ଶିଖାଇବା ଉଚିତ ।
୪। ଅକ୍ଷର ଲିଖନ ଉତ୍ତାରେ ଶବ୍ଦ ଲିଖନ । ପ୍ରଥମରେ ଯେଉଁ ସହଜ ଶବ୍ଦମାନ ଛାତ୍ରମାନେ ନିତ୍ୟ ବ୍ୟବହାର କରନ୍ତି— ଯଥା; ଗ୍ରାମର ନାମ, ମନୁଷ୍ୟ ଓ ଦେବତାର ନାମ, ତରୁ-ଲତା, ପଶୁ-ପକ୍ଷୀ ଓ ପଦାର୍ଥର ଦେବତାର ନାମ, ସେହିସବୁ ଶବ୍ଦ ଲେଖିବାକୁ ଶିଖାଇବାର ଉଚିତ୍ । ଶିକ୍ଷକ ପ୍ରତ୍ୟେକ ଛାତ୍ରର ହସ୍ତାକ୍ଷର-ପୁସ୍ତକରେ ଏହିପରି କେତେଗୁଡ଼ିଏ ଶବ୍ଦ ପରିପାଟୀରୂପେ ଲେଖିଦେବେ । ଛାତ୍ରମାନେ ତାହାକୁ ଅନାଇ ଲେଖିବେ । ତହିଁ ଉତ୍ତାରେ ପ୍ରତ୍ୟେକ ପୁସ୍ତକକୁ ପରୀକ୍ଷା କରି ଦୋଷମାନ ସଂଶୋଧନ କରିଦେଲାରୁ, ଛାତ୍ରମାନେ ସଂଶୋଧିତ ଅଂଶଗୁଡ଼ିକୁ ପୁନର୍ବାର ଲେଖି ଦେଖାଇବେ ।
୫। ଶବ୍ଦଲେଖା ଶିକ୍ଷା ଉତ୍ତାରେ, ବାକ୍ୟଲିଖନ ଶିଖାଇବାର ବିଧେୟ । ଶିକ୍ଷକ ପ୍ରଥମେ କ୍ଷୁଦ୍ର କ୍ଷୁଦ୍ର ବାକ୍ୟ ଲେଖିବାକୁ ଦେବେ କିମ୍ୱା କୈାଣସି ଆଦର୍ଶଲିପି ପୁସ୍ତକକୁ ଅନାଇ ଲେଖିବାକୁ ଆଦେଶ ଦେବେ । ତହିଁ ଉତ୍ତାରେ କ୍ରମେ କ୍ରମେ ଦୀର୍ଘବାକ୍ୟ ଲେଖିବାର ଏବଂ ଶ୍ରୁତିଲିପି ଅଭ୍ୟାସ କରିବାର ଶିକ୍ଷା ଦେବାର ବିଧେୟ ।
୬। ପ୍ରତ୍ୟେକ ଶ୍ରେଣୀରେ ଲିଖନ ବିଷୟ କ୍ରମୋନ୍ନତ ଶିକ୍ଷାର ନିର୍ଦ୍ଦେଶ କରିବା ଏକାନ୍ତ ଆବଶ୍ୟକ । ଅକ୍ଷର ଓ ଶବ୍ଦମାନ ବଡ଼ ବଡ଼ ଅକ୍ଷରରେ ଲେଖିବା, ତହିଁ ଉତ୍ତାରେ ଅକ୍ଷର ଓ ଶବ୍ଦମାନ ଛୋଟ ଛୋଟ ଅକ୍ଷରରେ ଲେଖିବା, ତହିଁ ଉତ୍ତାରେ ବାକ୍ୟମାନ ଲେଖିବା, ତହିଁ ଉତ୍ତାରେ ବାକ୍ୟମାନ ଲେଖିବା, ତହିଁ ଉତ୍ତାରେ ଅନୁଲିଖନ, ପ୍ରଶ୍ନୋତ୍ତର ଲିଖନ, ପତ୍ରଲେଖନ ପ୍ରଭୃତି ଅନୁଶୀଳନ କରାଇବାର ଉଚିତ୍ ।
୭। ପ୍ରତ୍ୟେକ ଛାତ୍ରର ଖଣ୍ଡିଏ ହସ୍ତାକ୍ଷର-ପୁସ୍ତକ, ଗୋଟିଏ ଦୁଆତ ଏବଂ ଦୁଇ ତିନୋଟି କଲମ ଥିବାର ଉଚିତ୍ । ହସ୍ତାକ୍ଷର-ପୁସ୍ତକକୁ ପରିଷ୍କୃତ ରଖିବାପାଇଁ ଶିକ୍ଷକ ପ୍ରତ୍ୟେକ ଛାତ୍ରକୁ ଉପଦେଶ ଦେବେ ଏବଂ ଉକ୍ତ ପୁସ୍ତକକୁ ପ୍ରତିଦିନ ପରୀକ୍ଷା କରି ଦେଖିବେ ।
ସମ୍ବନ୍ଧିତ ରଚନା
ମନୁଷ୍ୟର ଧର୍ମବୁଦ୍ଧି
ମଧୁସୂଦନ ରାଓ
ଦ୍ୱିତୀୟ ପ୍ରସ୍ତାବ
ମଧୁସୂଦନ ରାଓ
ତୃତୀୟ ପ୍ରସ୍ତାବ
ମଧୁସୂଦନ ରାଓ
ବର୍ତ୍ତମାନ ଶିକ୍ଷାପ୍ରଣାଳୀ
ମଧୁସୂଦନ ରାଓ