ତୃତୀୟ ଛାନ୍ଦ—କଳସା ବୃତ୍ତରେ ୩୭ ପଦରେ ଏ ଛାନ୍ଦଟି ସଂପୂର୍ଣ୍ଣ । — ଦୋଅଡ଼ କଳା — ଯଦୁମଣି ମହାପାତ୍ର · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ତୃତୀୟ ଛାନ୍ଦ—କଳସା ବୃତ୍ତରେ ୩୭ ପଦରେ ଏ ଛାନ୍ଦଟି ସଂପୂର୍ଣ୍ଣ ।
କଥାବସ୍ତୁ—ଲୋମପାଦ ରାଜାଙ୍କ ରାଜ୍ୟର ଦ୍ୱାଦଶ ବର୍ଷ ଅନାବୃଷ୍ଟି ଏବଂ ଜରତା ବେଶ୍ୟାଦ୍ୱାରା ଋଷ୍ୟଶୃଙ୍ଗଙ୍କ ଆଗମନ ବିଷୟ ଏଥିରେ ବର୍ଣ୍ଣିତ ରହିଛି । ଏଥିରେ କବିଙ୍କର ସ୍ୱଭାବଘେନି ବର୍ଣ୍ଣନା ବିଶେଷତ୍ୱ କିଛି ନାହିଁ । ଚିରାଚରିତ ସମସ୍ୟା ହିଁ ଚିତ୍ରିତ ହୋଇଛି ମାତ୍ର ।
ଅଳଙ୍କାର—ସଂପୂର୍ଣ୍ଣ ଛାନ୍ଦଟିକୁ କବି ଆଦ୍ୟ ଯମକରେ ରଚନା କରିଅଛନ୍ତି ।
ଯେପରି—
ଜୀବନହୀନ ଦ୍ୱାଦଶ ସମ୍ୱତ୍ସର ହେଲା
ଜୀବନ ଯିବ ଏଣିକି କି କରିବ ଭଲା ।
ଦ୍ୱିଜକୁଳରେ ପୁଚ୍ଛନ୍ତି କରକ ସଂଯୁକ୍ତେ
ଦ୍ୱିଜୋକ୍ତି ବିଭାଣ୍ଡକକୁ ଅଣାଅ ତୁରିତେ ।
ବନଜ ପିତାଜ୍ଞା ପାଳି ତପେଛନ୍ତି ରହି
ବନଜ ପ୍ରଦତ୍ତ ହେବ ତାଙ୍କ ଆଜ୍ଞା ପାଇ ।
ଶଚିବର ପ୍ରାୟ ରାଜା ମନକୁ ଅଇଲା
ସଚୀବରେ ଆଜ୍ଞାଦତ୍ତ ଏହା କର ଭଲା ।
*ଶବ୍ଦାର୍ଥ । ବିଶ୍ରବାଜ—ବିଶ୍ରବାତନୟ । ଅରି—ଚକ୍ର । ଅରି—ବୈରୀ, ଶୀଘ୍ର ବିନାଶକ (ହୁଅ) । କୌସ୍ତ୍ୱଭୂ—କୌସ୍ତୁଭଧାରଣକାରୀ । ମିତ୍ର—ସୂର୍ଯ୍ୟ ।
ଶବ୍ଦ ପାଣ୍ଡିତ୍ୟ— ଉକ୍ତ ଯମକରେ ଅନ୍ୟ ପ୍ରକାର ମଧ୍ୟ କେତେ ପଦ ଦେଖାଯାଏ । ସେପରି—
ପାଦପରେ ପାଦପରେ ଦେଇ ଅପସର
ବାରାଙ୍ଗନା ବାରାଙ୍ଗନା ମିଳିଲେ ପାଖର ।
ଚତୁର୍ଥ ଛାନ୍ଦ—ରସକୁଲ୍ୟା ରାଗରେ ଛାନ୍ଦଟି ୧୯ପଦରେ ଲେଖା ଯାଇଅଛି ।
କଥାବସ୍ତୁ—ବିଭାଣ୍ଡକ ଋଷ୍ୟଶୃଙ୍ଗଙ୍କ ଅଙ୍ଗସ୍ପର୍ଶରେ ତପସ୍ୱୀଜନ ଅନୁଚିତ ବସ୍ତୁ ଲକ୍ଷ୍ୟ କରି ପୁତ୍ରକୁ ସେ ପ୍ରସଙ୍ଗରୁ ରହିତ ହେବା ବିଷୟରେ ଉପଦେଶ ଦେଇ ପ୍ରାତଃକାଳରେ ବନଗମନ କରନ୍ତେ, ଜରତା ୠଷ୍ୟଶୃଙ୍ଗଙ୍କୁ ନୌକାରେ ନେଇ ଚାଲିଆସିଛି ଏବଂ ଲୋମପାଦ ରାଜ୍ୟରେ ବର୍ଷା ହେବା ପରେ ଶାନ୍ତାର ବିବାହ ଏବଂ ଦଶରଥଙ୍କର ଆମନ୍ତ୍ରଣ ଏଥିରେ ସୂଚିତ କରାଯାଇଛି ।
ରଚନାରେ ପ୍ରଥମ ଦୁଇ ପଦ ପ୍ରାନ୍ତଯମକ ଓ ଅନ୍ୟାନ୍ୟ ୧୭ ପଦ ଆଦ୍ୟ ଯମକରେ ରଚନା କରାଯାଇଛି ।
ବିଭାକର ଅସ୍ତାଚଳ ଭଜୁତ
ବିଭାବରୀ ପବେଶନ୍ତେ ତୁରିତ
ବିଭାଣ୍ଡକ ତପସ୍ଥାନୁ ଆଗତ
ବିଭାବ ମଣି ପୁତ୍ରାଙ୍ଗ ସ୍ପର୍ଶେତ
ବିଭାତ କେମନ୍ତ
ବିରାଗ କଲେ କୋଳରେ ଘେନିତ ।
ପଞ୍ଚମ ଛାନ୍ଦ—ରାଗ କାମୋଦି ( ମତାନ୍ତରରେ ଚକ୍ରକେଳି ) । ୨୭ ପଦରେ ସମ୍ପୂର୍ଣ୍ଣ ।
କଥାବସ୍ତୁ— ଦଶରଥ ଋଷ୍ୟଶୃଙ୍ଗଙ୍କଦ୍ୱାରା ଯଜ୍ଞ କରି ରାମ ଆଦି ପୁତ୍ରମାନଙ୍କୁ ଲାଭ କରିବା ବର୍ଣ୍ଣିତ ହୋଇଛି । ରଚନାରେ ଶବ୍ଦପାଣ୍ଡିତ୍ୟ ରହିଛି । ଭଞ୍ଜଙ୍କ ଲାବଣ୍ୟବତୀ କାବ୍ୟର ପଦ ଅନୁସରଣ କରି ଗାଇଛନ୍ତି— ‘‘ଭ୍ରମେ ଭ୍ରମର ଭ୍ରମୁଛନ୍ତି ଉଲ୍ଲାସେ” ଏବଂ କାଳିଦାସଙ୍କ ‘‘ଦିନେ ଦିନେ ସା ପରିବର୍ଦ୍ଧମାନା”ଅନୁସରଣ କରି ‘‘ଦିନକୁ ଦିନ ସହ ନବ ବର୍ଦ୍ଧନ” ଅବା ରଚିତ ହୋଇଛି ବୋଲି ମନେ ହୁଏ ।
ଷଷ୍ଠ ଛାନ୍ଦ—ରାଗ ଆହାରୀ । ୨୩ ପଦରେ ସଂପୂର୍ଣ୍ଣ ।
କଥାବସ୍ତୁ—ସୀତାଙ୍କର ଜନ୍ମ ଏବଂ ସ୍ୱୟଂମ୍ବର ପ୍ରତିଜ୍ଞା ଏବଂ ରାମଚନ୍ଦ୍ର ଓ ଲକ୍ଷ୍ମଣଙ୍କର ବିଶ୍ୱାମିତ୍ରଙ୍କ ସହିତ ଯଜ୍ଞରକ୍ଷା ପାଇଁ ଗୃହତ୍ୟାଗ ଏଥିରେ ବର୍ଣ୍ଣିତ ହୋଇଛି । କବି ମହାସତୀ ଜନକନନ୍ଦିନୀଙ୍କର ଜନ୍ମ ଓ ଯୌବନ ବିବରଣୀ ପ୍ରଥମରୁ ପାଞ୍ଚଟି ପଦରେ ଅତି ବିଚକ୍ଷଣ ଭାବରେ ବର୍ଣ୍ଣନା କରିଅଛନ୍ତି । ବର୍ଣ୍ଣନାମାଧୁରୀ ପ୍ରତି ଆକୃଷ୍ଟ କରିବାକୁ ଉକ୍ତ ପାଞ୍ଚପଦ ଏଥିରେ ଉଦ୍ଧାର କରିବା ସଙ୍ଗତ ହେଉଛି—
‘‘ଶୁଣ ସୁବିଦୁଷ ସକଳ କଳ୍ବିଷ ଅଙ୍ଗରୁ ହୋଇବ ଦହନ
ଜନକ ମୁନୀଶ କାଶ୍ୟପୀକି ଚାଷ କରନ୍ତେ କର୍କଶ ବହନ
ଖରେ ଯାଉଁ ଯତି ଦେଖି ବିଚାରନ୍ତି ଦୁହିତା ହୋନ୍ତାଏ ମୋ ପରା । ୧ ।
ନଗରୀନର୍ତ୍ତକୀ ବ୍ରହ୍ମଣ୍ୟ ଭକ୍ତିକି ଜାଣି ପ୍ରକାଶର ରଭସେ
ଧରଣୀ ସମ୍ଭୂତା ହେବ ତୁମ୍ଭ ସୁତା ପୂର୍ବୁ ନାଁ ପାର୍ଥବୀ ପ୍ରକାଶେ
ଗତାନ୍ତେ । ବେଧା ବିଧାନରେ ଉତ୍ପତ୍ତି
ସୁଫେଡ଼ା ଫଳାଗ୍ରେ ଦେଖି ଯତି ବ୍ୟଗ୍ରେ ବିଘ୍ନେ ଦୃଷ୍ଟିପାତ ଝଟତି । ୨ ।
କାନ୍ତିକି ଲକ୍ଷିତ ଲକ୍ଷଣେ ସଂଯୁକ୍ତ ଲକ୍ଷଣେ ସୁକ୍ଷେଣ ସୁଗତି
ଦୀନଜନ ନିଧି ପାଇଲା ଅବଧି ସୁଧାପତି ସିଦ୍ଧି ପ୍ରାପତି
ତତ୍କାଳେ, ପବିତ୍ରାଙ୍ଗି ଘେନି ସଦନେ
ସୀମନ୍ତିନୀ-ସୀମନ୍ତିନୀ ଭୂଷା ମମ୍ମେ ‘ହୃଦୟାନନ୍ଦ ସେ ତେସନେ । ୩ ।
ବନଜସମ୍ଭୂତା ପରାୟେ ବର୍ଦ୍ଧିତା ପଦ ନିଉଛାଇ ହୋଇକି
ନୟନ ଚକୋରୀ ସୁଧା ପାନକରି ବେରବେ ସର୍ବେ ଅଲକ୍ଷକି
ସୁମନା ଅଙ୍ଗରେ ସୁଶୋଭା ରଙ୍ଗରେ ବେଳକୁ ବେଳ ସେ ବିଦୀପ୍ତ । ୪ ।
ଧାତ୍ରୀ ଶିରୀ ଧାତ୍ରୀ କୋଳେ ସୁଶୋଭନ୍ତି ଯତି ଯତି ନାରୀ ଆନନ୍ଦ
କୂଳ ପବିତ୍ରାଣୀ ସମ୍ଭୂତା ଏ ପୁଣି ସୁମନା ଦର୍ଶନେ ପ୍ରମୋଦ
ଅଦେହ, ଅଦେହ ନଗ୍ରେ ଯାଙ୍କ ବାସ
ବାସରେ ବାସରେ ମଣ୍ଡିତ ହେବାରେ ସୁବାସ ବାସରେ ପ୍ରକାଶ । ୫ ।
ଶଦ୍ଦାର୍ଥ । କକଶ କାଶ୍ୟପୀ — ଟାଣଭୂମି । ସଭ — ଇନ୍ଦ୍ର । ‘ଖ’ ରେ — ଶୀଘ୍ର, ଆକାଶରେ । ଯତି — ଜନକ ରାଜର୍ଷି । ନଗରୀନର୍ତ୍ତକୀ — ଅପ୍ସରା । ବ୍ରାହ୍ମଣ୍ୟ — ଋଷିଙ୍କ । ଭକ୍ତି — ସ୍ନେହ, ସମାଦର । ରଭସେ — ହର୍ଷରେ । ଚତାନ୍ତେ — ଯିବାପରେ । ବେଧା — ବେଦବିହିତ । ସୁଫେଡ଼ା−କାଠପେଡ଼ି । ଫଳାଗ୍ରେ — ଲଙ୍ଗଳିଲୁହା ମୁନରେ । ବିଘ୍ନେ — ଭାଙ୍ଗି, ଫିଟାଇ । ସୀମନ୍ତିନୀ — ସୀମନ୍ତିନୀ ଭୂଷା — ନାରୀ ଶିରୋମଣି । ବନଜସମ୍ଭୂତା — ଲକ୍ଷ୍ମୀ । ନିଉଛାଇ — ବନ୍ଦାଇ । ବେରବେ — ଅଙ୍କରେ । ଧାତ୍ରୀ ଶିରୀଧାତ୍ରୀ — ଧାଈମାନଙ୍କରେ ଅତି ସୁନ୍ଦରୀ ଧାଈ । ଯତି — ଋଷି, ଜନକ । ଯତିନାରୀ — ଋଷିପତ୍ନୀ, ଜନକରାଣୀ ସୁମନା — ଦେବତାମାନେ । ଅଦେହ — ବିଦେହ ସ୍ୱର୍ଗ । ଅଦେହ ନଗ୍ର — ବିଦେହ ନଗରୀ, ସ୍ୱର୍ଗପୁରୀ, ପାରିଜାତକ ।
ସପ୍ତମ ଛାନ୍ଦ—ରାଗ ରସକୂଲ୍ୟା, ୨୪ ପଦରେ ସମ୍ପୂର୍ଣ୍ଣ ।
କଥାବସ୍ତୁ—ଏହି ଛାନ୍ଦରେ ବିଶ୍ୱାମିତ୍ରଙ୍କ ସହିତ ରାମଚନ୍ଦ୍ର ଅରଣ୍ୟକୁ ଆସି ତାଡ଼କୀ ବଧକରି ଅହଲ୍ୟାକୁ ମୁକ୍ତିଦାନ କରିଅଛନ୍ତି ।
ଅହଲ୍ୟାସ୍ତବକୁ ଧନୁବନ୍ଧରେ ରଚନା କରି କବି ଆଳଙ୍କାରିକ ବିଶେଷତ୍ୱ ଦେଇଅଛନ୍ତି ।
ଅହଲ୍ୟା ରହିଣ ଶ୍ରୀରାମଚରଣ ସ୍ତବ କରନ୍ତି ଆଦରେ ସେ ।
ଧନୁ ଆକୃତିବିଶିଷ୍ଟ କ୍ଷେତ୍ର ଅଙ୍କନ କରି ଭିନ୍ନ ସ୍ଥାନରେ କୌଶଳପୂର୍ବକ ଗୀତ ଓ ବାକ୍ୟ ବିନ୍ୟାସ କଲେ ଚିତ୍ରକାବ୍ୟର ରୀତି ଅନୁସାରେ ଏହି ବନ୍ଧ ପରିଦୃଷ୍ଟ ହେବ ।
ଅଷ୍ଟମ ଛାନ୍ଦ—ରାଗ ଧନାଶ୍ରୀ । ୨୫ ପଦରେ ସମ୍ପୂର୍ଣ୍ଣ । ନୃତ୍ୟ ଓ ଲୀଳା ଗାନରେ ଏହି ବୃତ୍ତଟି ପାଳି ଧରି ଗାଇବାରେ ଏକାନ୍ତ ସୁଶ୍ରାବ୍ୟ ହୋଇଥାଏ । ଏଥିରେ ଭଞ୍ଜଙ୍କ ବର୍ଣ୍ଣିତ ବିଷୟ ହିଁ ଟିକିଏ ସ୍ୱତନ୍ତ୍ର ଭାବରେ ଚିତ୍ରିତ କରାଯାଇଛି ମାତ୍ର । ରାମଚନ୍ଦ୍ର ଗଙ୍ଗା ପାରି ହୋଇ ମିଥିଳା କଟକରେ ପହଞ୍ଚି ଜନକଙ୍କଦ୍ୱାରା ସମାଦୃତ ହେଲେ । କୈବର୍ତ୍ତ ଭାଗ୍ୟବଳରେ ତାରକ ବ୍ରହ୍ମ ଲାଭ କରିଛି ବୋଲି ସେ ଲେଖିଛନ୍ତି । ନଚେତ୍ ନୂତନତ୍ୱ କିଛି ନାହିଁ ।
ନବମ ଛାନ୍ଦ—କୁମ୍ଭ କାମୋଦି ବୃତ୍ତ । ୩୧ ପଦରେ ସମ୍ପୂର୍ଣ୍ଣ ।
କଥାବସ୍ଣ— ଏଥିରେ ସୀତାଙ୍କର ବେଶ ବର୍ଣ୍ଣିତ ହୋଇଛି ।
ସୀମନ୍ତିନୀ—ସୀମନ୍ତିନୀ ସୀମାନ୍ତରେ ସୀମନ୍ତ ଦେଖାନ୍ତେ ଜାହ୍ନବୀ ଅର୍କକା ଏକ ସ୍ଥାନେ ଦୁଜା ଗୋଚର ତେମନ୍ତେ ।
(ନାରୀଶ୍ରେଷ୍ଠା ସୀତାଙ୍କ କେଶରେ ସୁନ୍ଥା ଯାହା ଦେଖାଗଲା, ତାହା ଦେଖିଲେ ଜଣାଗଲା ଯେ ଗଙ୍ଗା ଯମୁନା ଦୁହେଁ ଏକ ସ୍ଥାନରେ ତେମନ୍ତ ଦେଖାଗଲା ।)
ଅନନ୍ତର ହରଧନୁକୂ ମଲ୍ଲମାନେ ସଭାରେ ସ୍ଥାପନ କରିଅଛନ୍ତି । ତାହାର ଏକ ମଞ୍ଜୁଳ ବର୍ଣ୍ଣନା କରାଯାଇଛି ।
ଦଶମ ଛାନ୍ଦ—ପଞ୍ଚମ ବରାଡି ବୃତ୍ତ । ଏହା ୩୩ ପଦରେ ସଂପୂର୍ଣ୍ଣ । ଭଞ୍ଜଙ୍କ ‘‘ବିଚାରଇ ମାଳ ଯମକରେ କବି ମନେ” ବୃତ୍ତରେ ରଚିତ ।
କଥାବସ୍ତୁ—ରାମଚନ୍ଦ୍ର ହରଧନୁ ଭଗ୍ନ କରିଅଛନ୍ତି । ଏ ଛାନ୍ଦରେ ଶବ୍ଦ-ପାଣ୍ଡିତ୍ୟ ଯଥାସମ୍ଭବ ଦେଖାଯାଇଛି ।
ଏକାଦଶ ଛାନ୍ଦ—ରାଗ ପଞ୍ଚମ ବରାଡ଼ି ବୃତ୍ତ ( ବିପ୍ରସିଂହାବାଣୀ) । ୧୮ ପଦରେ ସଂପୂର୍ଣ୍ଣ-।
କଥାବସ୍ତୁ—ଜନକ ନିଜ କନ୍ୟାର ବିବାହ ଲାଗି ଦଶରଥଙ୍କ ନିକଟକୁ ଦୂତ ପ୍ରେରଣ କରିଅଛନ୍ତି ଏବଂ ସେ ପୁତ୍ରମାନଙ୍କର ଧାତ୍ରୀ ଏବଂ ମାତାମାନଙ୍କ ସହିତ ଅନ୍ୟ ଦୁଇ ପୁତ୍ରଙ୍କୁ ସଙ୍ଗରେ ଧରି ସବିଧିରେ ଜନକାଳୟକୁ ବିଜେ କରିଛନ୍ତି ।
ରଚନାର ବୈଶିଷ୍ଟ୍ୟ ଏବଂ ପଦ ପ୍ରୟୋଗରେ ସ୍ୱାଧିକାର ଏଇ ଛାନ୍ଦରେ ବିଶେଷ ଲକ୍ଷ୍ୟ କରାଯାଏ ।
ଦ୍ୱାଦଶ ଛାନ୍ଦ — ମାଳବ ବୃତ୍ତ । ୧୬ ପଦରେ ସଂପୂର୍ଣ୍ଣ ।
କଥାବସ୍ତୁ — ଦଶରଥ କିଛିବାଟ ପଦଯାତ୍ରାରେ ମିଥିଳା ସୀମାଯାଏଁ ଯାଇଛନ୍ତି । ରାମ ଲକ୍ଷ୍ମଣଙ୍କ ସହିତ ପିତାମାତା ଓ ଅନ୍ୟ ଭାଇ ଦୁହେଁ ମିଳିତ ହୋଇଛନ୍ତି ।
ତ୍ରୟୋଦଶ ଛାନ୍ଦ—ରାଗ କାଳୀ । ୫୦ ପଦରେ ସଂପୂର୍ଣ୍ଣ ।
କଥାବସ୍ତୁ — ଦଶରଥ ସ୍ୱତନ୍ତ୍ର ସ୍ଥାନରେ ରହିଲେ ଏବଂ ଜନକ ତାଙ୍କୁ ଦେଖାକଲେ । ବିବାହବିଧ ଘେନି ମଣ୍ଡପାଦି ନିର୍ମ୍ମାଣ ଓ ଜନଗହଳ ଘେନି ଉତ୍ସବାଦି ବର୍ଣ୍ଣିତ ହୋଇଅଛି । ଏଥିରେ ଆଦ୍ୟଯମକ ଓ ଯୋଡ଼ିଯମକ ଅଳଙ୍କାର ଦେଖାଯାଏ ।
ଚତୁର୍ଦ୍ଦଶ ଛାନ୍ଦ — ରାଗ ମଙ୍ଗଳଗୁର୍ଜ୍ଜରୀ । ୫୦ ପଦରେ ସଂପୂର୍ଣ୍ଣ । ଏହି ଛାନ୍ଦରେ ବିବାହବିଧି ବର୍ଣ୍ଣିତ ହୋଇଛି ।
ପଞ୍ଚଦଶ ଛାନ୍ଦ — ରାଗ ଲଳିତ କାମୋଦି । ଏହି ଛାନ୍ଦ ୩୪ ପଦରେ ସଂପୂର୍ଣ୍ଣ ।
କଥାବସ୍ତୁ — ସ୍ୱତନ୍ତ୍ର ଶିବିରରେ ସୀତାଙ୍କର ମଧୁଶଯ୍ୟା ଏହି ଛାନ୍ଦରେ ବର୍ଣ୍ଣିତ ହୋଇଛି । ସୀତାଙ୍କର ବେଶ କବି ପୂର୍ବ ରାତିରେ ବର୍ଣ୍ଣନା କରିଅଛନ୍ତି । ଏଥିରେ ରାମଙ୍କ ରଚନାରେ ସୀତାଙ୍କ ପ୍ରତି ଏକ ଅନ୍ତର୍ଲିପି ଦିଆଯାଇଛି ଏବଂ ସୀତାଙ୍କ ରଚନାରେ ଏକ ଆଦ୍ୟପ୍ରାନ୍ତ ଲୋପ ମଧ୍ୟାକ୍ଷର ଲିପି ରହିଛି । ଏସବୁ ରଚନାରେ ଭାଷାର ସୌନ୍ଦର୍ଯ୍ୟ, ଚାତୁର୍ଯ୍ୟ, ବିଚିତ୍ରତା ଯଥାସମ୍ଭବ ରଖାଯାଇଛି-। ପୂର୍ବୋକ୍ତ ବିଭିନ୍ନ ଛାନ୍ଦରେ ମାଳଯମକ, ମହାଯମକ, ସର୍ବଯମକ, ମଧ୍ୟଯମକ ଆଦି ମଧ୍ୟ ରହିଛି ।
ପଙ୍କରୁହନେତ୍ରୀ ତ୍ରପା ବହି ଗୋ । ୧୭ ।
ରଙ୍କ ହୋଇ ସୀତାଙ୍କୁ ରାମ କୋଳରେ ବସାଇବାରୁ ସେ ଲଜ୍ଜିତ ହେଲେ ।
ସିଂହ କାହିଁ ବାସ ବୁଝ ନାରୀଈଶ
ଟେକ ଚନ୍ଦ୍ରାନନ ତୋଷ ବହି ଗୋ ଯତିନାମ
ଜାଗ୍ରତ ଲୋକେ ଶୁଣି କା ଗାନ ଗୋ ।୧୮।
ମନ୍ଦେ କେ ପାଳିତ ଛନ୍ଦ ନ ଘେନତ
ହୃଦାନନ୍ଦେ ଘନ ହୋଇ ତୋଷ ଗୋ କାମଧର
ତପୀ କି କରନ୍ତି ହୋଇ ସ୍ଥିର ଗୋ ।୧୯।
ଏଥିରୁ ବାହାରିଲା ‘ଜୀବନ ଧନ, ଆଜ ନ କର ମାନ’ ଏହା ରାମ କହି ପ୍ରଦୀପ ଛୁଇଁ ନିୟମ କଲେ — ‘‘ମୋହର କାହାଠାରେ ଦୋଷ ନୋହି” ଅର୍ଥାତ୍ ମୁଁ କାହାଦ୍ୱାରା ଦୂଷିତ କେବେ ହେବିନି ।
ତହୁଁ ମୈଥିଳୀ ତା ପଢ଼ି ବୁଝି ତ୍ରିବର୍ଣ୍ଣରେ ମଧ୍ୟ−ଅକ୍ଷର ଲିପିରେ ଲେଖି ଜଣାଇଲେ । କିଶୋରୀ ଅବସ୍ଥାରୁ ଏପରି ଠାରରେ ନିଜର ସଖୀମାନଙ୍କ ମଧ୍ୟରେ ପ୍ରକାଶ କରିବା ବିଧି ସେକାଳୁ ଏକାଳ ଯାଏ ରହିଆସିଛି । ତଦ୍ଦ୍ୱାରା ଯେପରି ସଂଯମ ଓ ମାଧୁର୍ଯ୍ୟ ଜୀବନ ଘେନି ଦେଖାଯାଏ, ଫରଫର କଥାଭାଷାରେ ତାହା ହୁଏ ନାହିଁ । ଚିରନ୍ତନ ସୌହାର୍ଦ୍ଦ୍ୟର ଏହା ଏକ କୌଶଳ ଅଟେ ।
ଗ୍ରାମ୍ୟ ଗୀତିରେ ଅଛି —’‘କଥା ନ କହିବୁ ଜେମା ମୁହଁକୁ ଚାହିଁ” । ସର୍ବଦା ବଲବଲ ଚାହିଁ କଥାଭାଷା କରିବାଦ୍ୱାରା କେବଳ ସୁନ୍ଦରୀ ନାରୀ ନୁହେଁ, ଯେ—କେହି ଅଶ୍ରଦ୍ଧାର ପାତ୍ର ହେବା ସ୍ୱାଭାବିକ । ତେଣୁ ଯଥାସମ୍ଭବ ସଂଯମ ମଧ୍ୟରେ ଚଳିବାକୁ ସବୁ କାଳ, ଧର୍ମ୍ମରେ ନିର୍ଦ୍ଦେଶ ରହିଛି ।
ବାର୍ତ୍ତା ଶ୍ରବଣାନ୍ତେ କି ବୋଲାନ୍ତି
ବର୍ଣ୍ଣନ୍ୟାସେ ଦେଇଥିବ ମତି ହେ
ଅଦି ପକ୍ୱଶାଳୀ କେହୁ ମର୍ତ୍ତେ
ମୃଗେନ୍ଦ୍ରକୁ ଜନେ କି ଭାଷନ୍ତେ ହେ ।୨୨।
ବିପଦାର୍ଥେ କେଉଁ ନାମ ସ୍ମରି ହେ ।୨୩।
‘‘ତବ ବିନା ଆନେ ନାହିଁ ମୋର ଚିତ୍ତ” ସୀତାଙ୍କ ରଚନାରୁ ଜଣାଯାନ୍ତେ ରାମଚନ୍ଦ୍ର ଆନନ୍ଦିତ ହେଲେ ଏବଂ ତତ୍ପରେ ଉଭୟେ ପ୍ରେମାସକ୍ତ ହେବାର ବର୍ଣ୍ଣନା ଦିଆଯାଇଛି ।
ଷୋଡ଼ଶ ଛାନ୍ଦ — ଚିନ୍ତା ଭୈରବ ରାଗ । ୫୭ ପଦରେ ସଂପୂର୍ଣ୍ଣ ।
କଥାବସ୍ତୁ — ଦଶରଥ ନିଜର ଚାରିପୁତ୍ର ଏବଂ ବଧୂମାନଙ୍କ ସହିତ ନିଜ ଗୃହକୁ ଫେରିଲେ । ପଥରେ ରାମଚନ୍ଦ୍ର ପର୍ଶୁରାମଙ୍କର ଦର୍ପ ଦଳନ କରି ଅଯୋଧ୍ୟାରେ ପ୍ରବିଷ୍ଟ ହେଲେ ।
ଏହି ଷୋଳଛାନ୍ଦ ଖଣ୍ଡପଡ଼ାସ୍ଥ କୁମ୍ଭାରପଡ଼ାର ଜଣେ ବ୍ରାହ୍ମଣଙ୍କଠାରେ ରହିଥିଲା । ସେ ତାହା ବରପଲ୍ଲିର ଚିତ୍ରକାର ଜଣକୁ ବିକ୍ରୟ କରିଥିଲେ । ଏମନ୍ତ କି ପାଞ୍ଚଗଡ଼ର ଜଣେ ଓଡ଼ଚଷା ବୁଢ଼ା ତାହାର ଉତ୍ତରାକାରୀ ରହିଥିଲା । ସେ ତାହା କିପରି ପାଇଥିଲା, ତାର ଇତିହାସ ନାହିଁ । କିନ୍ତୁ ତାର ପୁଅର ପୋଥି ଖଟୁଳିରୁ ଦୁଇଟି ଖେଜା ଆକାରରେ ତାହା ମିଳିଥିଲା । ଯୋଗକୁ ଜଣେ ବ୍ରାହ୍ମଣ ତାହା କାଗଜରେ ଅଶୁଦ୍ଧ ଶୁଦ୍ଧ କରି ଉତୁରାଇଥିଲେ । କି ଦୁର୍ଯୋଗ, ମୂଳ ପୋଥି ଘର ପୋଡ଼ିରେ ମଧ୍ୟ ଦଗ୍ଧ ହୋଇଗଲା ।
କିନ୍ତୁ ହଠାତ୍ ଦେଖିଲି ରଣପୁରର ଜଣେ ପଣ୍ଡିତ ଗୋଟିଏ ବହି ଉକ୍ତ ଷୋଳ ଛାନ୍ଦରେ ପ୍ରକାଶ କରିଅଛନ୍ତି । ସାମାନ୍ୟ ସାମାନ୍ୟ ପ୍ରଭେଦ ଏ ସଂଗ୍ରହ ସହିତ ତାହାର ଦେଖାଯାଏ । ନରସିଂହପୁର ଘଣ୍ଟପଡ଼ାର ଏକ ପୁରାତନ ବୃଦ୍ଧ ପାଲାକାର କିନ୍ତୁ ଉକ୍ତ ଷୋଡ଼ଶ ଛାନ୍ଦ ମଧ୍ୟରୁ ଷଷ୍ଠ ଓ ସପ୍ତମ ଛାନ୍ଦର ପ୍ରାୟ ସମସ୍ତ ପଦ ମୁଖସ୍ଥ କରି ଗାଇପାରୁଥିବାର ଶୁଣି ତାହା ଜଣକଦ୍ୱାରା ମିଳାଇ ଦେଖିଲି କିଛି ଭେଦ ନାହିଁ । ଭିକାରୀ ନାମକ ନୂଆଗଡ଼ ଗଡ଼ର ଜଣେ ବ୍ୟକ୍ତି ମଧ୍ୟ କେତୋଟି ଛାନ୍ଦ ଛପାଇ ଅଶୁଦ୍ଧ ଭାବରେ ପ୍ରଚାର କରିବାର ଦେଖିଲି । ଏମନ୍ତ କି ଆଉ କେତୋଟି ଅଶୁଦ୍ଧ ଛାନ୍ଦ ଛପା ବହି ଥିବାର ମଧ୍ୟ ମୋ ଦୃଷ୍ଟିକୁ ଆସିଛି ।
ସଂପୂର୍ଣ୍ଣ ୫୨ ଛାନ୍ଦ କୌଣସିମତେ ସଂଗ୍ରହ କରି ହେଲା ନାହିଁ । ତେବେ ଏହା ପରେ ଯେଉଁ ଛାନ୍ଦଗୁଡ଼ିକ ମିଳିଅଛି ତନ୍ମଧ୍ୟରେ —
୧—ସୀତାଙ୍କୁ ହରାଇବା ପରେ ରାମଚନ୍ଦ୍ରଙ୍କ ଶୋକ ଏବଂ ବାଳୀବଧ । ଏହାର ରାଗ କାମୋଦି । ଏହା ୨୦ ପଦରେ ସଂପୂର୍ଣ୍ଣ । ଏହାର ମୂଳପଦ ‘ସଲକ୍ଷଣ ଲକ୍ଷଣ’ ।
୨—ସୁଗ୍ରୀବ ରାଜା ହୋଇ ମିତ୍ର ରାମଙ୍କୁ ଭୁଲିଯିବାରୁ ଲକ୍ଷ୍ମଣଙ୍କର କିସ୍କିନ୍ଧ୍ୟା ରାଜପୁରୀ ଗମନ । ଏହାର ରାଗ ଚୋଖୀ । ଏହା ୧୬ ପଦରେ ସଂପୂର୍ଣ୍ଣ । ଏହାର ମୂଳ ପଦ—‘ବନଜଜିତ ବରନ’ ।
୩—ଦୂତମାନଙ୍କ ସହିତ ହନୁମାନର ଲଙ୍କା ଯାତ୍ରା ବିବରଣ । ଏହାର ରାଗ ‘ରଣବିଜେ’ ହରି ଚଉତିଶା । ଏହା ୨୬ ପଦ ମାତ୍ର । ଏହାର ମୂଳ ପଦ ‘ମିତ୍ରକୁ ଏକାନ୍ତେ’ ।
୪—ସୀତା ଭେଟ । ରାଗ ରଣବିଜେ ଚଉତିଶା । ପଦ ୧୭, ଅସଂପୂର୍ଣ୍ଣ ଛାନ୍ଦ ।
୫—ହନୁମାନର ରାବଣକୁ କଟୂକ୍ତି । ରାଗ କାମୋଦି । ୧୦ ପଦରେ ଏ ଛାନ୍ଦ ସଂପୂର୍ଣ୍ଣ ହୋଇଅଛି । ଏହାର ମୂଳ ପଦ ‘ଦ୍ୟୁମଣିଙ୍କ ସମ୍ଭୂତ’ ।
୬—ହନୁମାନଙ୍କର ଲଙ୍କା ଦଗ୍ଧ । ରାଗ କୁମ୍ଭ କାମୋଦି । ଏହା ୩୫ ପଦରେ ସଂପୂର୍ଣ୍ଣ । ଏହାର ମୂଳ ପଦ ‘ବୁଧ ଶୁଦ୍ଧ ବୋଧ ଚରିତ ପ୍ରସିଦ୍ଧ’ ଅଟେ ।
୭—ରାମଙ୍କ ସୈନ୍ୟ ସିନ୍ଧୁ କୂଳରେ ପ୍ରବେଶ । ରାଗ ବଙ୍ଗଳାଶ୍ରୀ । ଏହା ୧୭ ପଦରେ ସଂପୂର୍ଣ୍ଣ । ମୂଳ ପଦ ‘ଦ୍ୱିଜବର ବରଚିତ୍ତ ସ୍ୱଭାବର’ ।
୮—ବିଭୀଷଣ ଶରଣ ବିବରଣ । ଏହା ୩୨ ପଦରେ ସଂପୂର୍ଣ୍ଣ । ରାଗ ବସନ୍ତ ଆହାରି । ମୂଳ ପଦ ‘ପୂର୍ବ ଦେବତା ଶର୍ବରୀ ଭର୍ତ୍ତା ଆଗେ ଦୂତ ବାର୍ତ୍ତା କଲା ପ୍ରକାଶ’ ।
୯—ଲଙ୍କାରେ ପ୍ରାଥମିକ ଯୁଦ୍ଧ ବିବରଣ । ରାଗ ଚୋଖୀ । ୧୦ଟି ପଦରେ ସଂପୂର୍ଣ୍ଣ । ଏହାର ମୂଳ ପଦ ‘କପିବଳଙ୍କ ପ୍ରବଳ ଚହଳ ଶୁଣି ଚପଳ’ ।
ରାମଚନ୍ଦ୍ରଙ୍କର ଯୌବରାଜ୍ୟ ଏବଂ ବନବାସ ବିବରଣକୁ ଯେବେ ୧୮ ଟି ଛାନ୍ଦ ବୋଲି ଧରାଯାଏ, ଯହିଁରେ ସୀତା ଠାବ ଯାଏ ଥିବାର ଅନୁମାନ କରାଯାଇପାରେ, ତେବେ ଲଙ୍କାର ଯୁଦ୍ଧ ଏବଂ ରାବଣବଧ ସାରି ରାମ ଅଯୋଧ୍ୟା ପ୍ରବେଶ କରି ରାଜ୍ୟ ଲାଭ ଯାଏ ୧୮ ଛାନ୍ଦ ହେଲେ, ଗ୍ରନ୍ଥଟି ୫୨ ଛାନ୍ଦରେ ଶେଷ ହେବା ସମ୍ଭବ କରାଯାଏ । କିନ୍ତୁ ଦୁଃଖର ବିଷୟ ସେସବୁ ହଠାତ୍ ମିଳିପାରିଲା ନାହିଁ । ଅଥବା ମିଳିବା ମଧ୍ୟ ଅସମ୍ଭବ ହୋଇପାରେ । ଏହି ୮ଟି ଛାନ୍ଦ ମଧ୍ୟରୁ ପାଲାକାରମାନେ କେତୋଟିର ବହୁପଦ ନିରନ୍ତର ଗାଉଥିବାର ଶୁଣାଯାଏ । ତେଣୁ ‘‘ପୂର୍ବ ଦେବତା ଶର୍ବରୀଭର୍ତ୍ତା ଆଗେ ଦୁତ ବାର୍ତ୍ତା କଲା ପ୍ରକାଶ” ବା ‘ସଲକ୍ଷଣ ଲକ୍ଷଣ’ ଏ ପଦଗୁଡିକ ଏତେ ଲୋକପ୍ରିୟ ଏବଂ ପ୍ରଚାରିତ ଯେ ସାଧାରଣତଃ ସହସ୍ର ଜନ ତୁଣ୍ଡରୁ ସେସବୁ ଶୁଣା ଯାଇଥାଏ । ବାସ୍ତବିକ କବି ଯଦୁମଣିଙ୍କ ରାଘବ ବିଳାସର ବହୁ ଅଂଶ ନ ମିଳୁଥିଲେହେଁ ଏହି ଗୋଟେ ଦୁଇଟି ଛାନ୍ଦରେ ଯେ ସେ ଅମର ହୋଇ ରହିଛନ୍ତି, ଏଥିରେ ସନ୍ଦେହ ନାହିଁ ।
ଏହି ଗ୍ରନ୍ଥର ପ୍ରଥମାଂଶ ପ୍ରତି ଜନସମାଜର ଯେତେ ଆଗ୍ରହ ଥିବାର ଦେଖା ନ ଯାଏ ଶେଷାଂଶ ପ୍ରତି ତାର ଦଶଗୁଣ ଅଧିକ ଆଗ୍ରହ ଥିବାର ଆମେ ଜାଣିଥାଉଁ । ତେଣୁ ମନେ ହୁଏ କବିତ୍ୱର ଶେଷାଂଶ ଅତି ମୂଲ୍ୟବାନ ଏବଂ ଲୋକପ୍ରିୟ ଥିଲା ।
କବିଙ୍କର ଏ ଗ୍ରନ୍ଥଟିର ସମସ୍ତ ଅଂଶ ନ ମିଳିପାରିଲା ବୋଲି ଯେ ତାଙ୍କ ଜ୍ଞାନଗରିମାର ପରିଚୟ ଯେତିକି ମିଳିଛି ତହିଁରୁ ତାହା ବୋଧଗମ୍ୟ ହେଉନି, ସେପରି କେବେ ନୁହେଁ । କାରଣ ‘ପୂର୍ବ ଦେବତା’ ଆଦ୍ୟରେ ଲେଖାଥିବା ଛାନ୍ଦ ଗୋଟିକ ଥିଲେ ମଧ୍ୟ ଆମେ ତାଙ୍କର ଶାଶ୍ୱତ ପ୍ରତିଭା ସେଇଥିରୁ ପାଇଥାନ୍ତୁ ।
ଯେବେ ନ ମିଳୁଥିବା ଛାନ୍ଦଗୁଡିକ କେଉଁଠି କାହାଠି ଥାଏ, ଆଉ ଗୋପନ ନ କରି ପ୍ରକାଶ କରିଦେବା ବିଜ୍ଞତାର କାର୍ଯ୍ୟ ହେବ । କିନ୍ତୁ ଏକଥା ଶୁଣିବ କିଏ ? ଯେଉଁମାନଙ୍କଠାରେ ଏସବୁ ଥିବ ସେ ଘରପୋଡ଼ିରେ ନଷ୍ଟ କରି ଦେବେ ପଛକେ ଛୁଆଁଇ ଦେବେ ନାହିଁ । ଜଣେ ଭଦ୍ରବ୍ୟକ୍ତି ସ୍କୁଲ ମାଷ୍ଟର ନୟାଗଡ଼ର ଇତିହାସ ପାଖରେ ରଖିଅଛନ୍ତି । ମତେ ସାକ୍ଷାତରେ କହିଲେ — ‘‘ଯାହା ଆପଣ ପଚାରିବେ ମୁଁ ତାହା ଲେଖି ପଠାଇଦେବି” । ୧୦।୧୨ ଥର ଚେଷ୍ଟା କଲି — ନାନା ସୁତ୍ରରେ । ତା ସେ କେବେ ଦେଲେ ନାହିଁ । ଯେପରି ନୂଆଗଡ଼ ରାଜବଂଶର ଇତିହାସ ଘେନି ସେ କ’ଣ ଗୋଟାଏ କରି ପକାଇବେ । ଏଇ ତ ଆମ ଶିକ୍ଷିତଙ୍କ ମତିଗତି ।
ପଲ୍ଲୀ ଗାଆଁର ପାଲାକାର, ଛାନ୍ଦ ଗାୟକ, ଠୁଣୁଠୁଣୁକିଆ ପଣ୍ଡିତ ତାଙ୍କ ପାଣ୍ଠି କେବେ କାହାକୁ ଦେଖାଇଦେବେ ? ଏ ଦେଶର ଏପରି ବହୁ ଦୁର୍ମୂଲ୍ୟ ଗ୍ରନ୍ଥ ନଷ୍ଟ ହେଲାଣି । ଏପରି କି ଏବେ ମଧ୍ୟ ହେଉଛି । ସେମାନେ ଛୁଆଇଁଦେବା ଦୂରେ ଥାଉ ଦେଖାଇ ଦେବେନି । ଏପରି ପୋଥି ଲୁଚେଇ ରଖିଥିବା ବ୍ରାହ୍ମଣମାନଙ୍କୁ ଏ ଦିଗରେ ଅନେକେ ଗାଳି ଦେଇଥାନ୍ତି । ଏବେ ପଣ୍ଡିତ ବିନାୟକ ମିଶ୍ରଙ୍କ ସହିତ ଦିନେ ସାକ୍ଷାତ ହେଲା । ଶୁଣିଲି ପଣ୍ଡିତ ମହାଶୟ ରାଘବ ବିଳାସରୁ ୩୭ ଛାନ୍ଦ ପାଇଛନ୍ତି ଏବଂ ତାହା ପ୍ରକାଶିତ କରିବା ଇଛାରେ ଅଛନ୍ତି । ଏହା ଏକ ସୁସମ୍ବାଦ । ମୁଁ ଦେଖିଲି ଗାଁ ଗହଳର କି ବ୍ରାହ୍ମଣ, କି ପାଏକ, କି ଚଷା, କି କରଣ, କି ଗୋପାଳ ସମସ୍ତେ ଲୋପ କରିଦେବେ ପଛେ, ତାଙ୍କ ନିକଟରେ ଥିବା ପୋଥି, ଖେଜା କାହାକୁ ଦେଖାଇ ଦେବେ ନାହିଁ । ଅଶିକ୍ଷା, କୁସଂସ୍କାର ସମୁଦାୟ ଦେଶର ପ୍ରତି ସ୍ତର ମାଡ଼ିବସିଛି । କେତେକ ଅତି ଶିକ୍ଷିତ ଯେ ଏଥିରୁ ସ୍ୱତନ୍ତ୍ର, ତା ମଧ୍ୟ ବିଶ୍ୱାସ କରି ହୁଏନି । ସମ୍ବଲପୁରର ଏକ ପ୍ରାଚୀନ ଇତିହାସ ଜଣେ ଅତି ଉଚ୍ଚଶିକ୍ଷିତ ବ୍ୟକ୍ତି ନିଜେ ଲେଖିବେ ବୋଲି କାହାକୁ ଦେଖାଇ ଦେଲେନି କି ନିଜେ ଲେଖିଲେ ନାହିଁ-। ସେ ମଲେ, ତାଙ୍କ ସାଥିରେ ସେ ଇତିହାସ ମଧ୍ୟ ଲୁଚିଗଲା । ବହୁକଷ୍ଟରେ ରାତି ରାତି ମୁଁ କପି କରି ଆଣିଲି ।
ମୁଁ ନିଜେ ଦେଖିଛି ଖଣ୍ଡପଡ଼ାର ଜଣେ ପଣ୍ଡିତ ବାଣୀଭୂଷଣ ଯେ କି ସକାଳୁ ନିତ୍ୟକର୍ମ ସାରିଦେଇ ବିନା ଶୁଳ୍କରେ ବିଦ୍ୟା ଦାନ ଦେବାକୁ ଦୁଆର ଦୁଆର ତାଙ୍କ ଜୀବ ଥିବାଯାଏ ବୁଲନ୍ତି, ତାଙ୍କର ଏ ଅନୁକମ୍ପାକୁ ଲୋକେ ମୂର୍ଖତା ଦୋଷରୁ ପରିହାସ କରି ଆଜି ଏପରି ହୋଇ ପଡ଼ିଛନ୍ତି ଯେ, ଯେଉଁଠି ସଂସ୍କୃତ ବିଦ୍ୟାର କେନ୍ଦ୍ର ଥିଲା, ପାଞ୍ଚ ପଚିଶ ମହାନ ପଣ୍ଡିତଙ୍କୁ ଘେରି କରଣ, ମାଳୀ, ଚଷା ମଧ୍ୟ ବ୍ରାହ୍ମଣଙ୍କ ସହିତ ନ୍ୟାୟ, ତର୍କ, ଜ୍ୟୋତିଃଶାସ୍ତ୍ର ଚର୍ଚ୍ଚା କରୁଥିଲେ, ଆଜି ଖୋଜିଲେ ସେଠାରେ ଜଣେ ମଧ୍ୟ ମିଳିବେ ନାହିଁ । ଯେ ଜଣେ ଅଧେ ଅଛନ୍ତି ସେ ମଧ୍ୟ ଅବହେଳିତ ।
ସେ କାଳ ପଣ୍ଡିତ ଥିଲେ କ’ଣ ? ପୁଣି ଏବର ଐତିହାସିକ, ସାହିତ୍ୟକ, ପ୍ରତ୍ନତତ୍ତ୍ୱଜ୍ଞ, ଆଦି ପଣ୍ଡିତଙ୍କୁ ସଂଶୟ ମୋଚନ ଲାଗି ପାଞ୍ଚଖଣ୍ଡ ଚିଠି ଲେଖିଲେ, ନୂଆ ପାଞ୍ଚପଇସା ଖର୍ଚ୍ଚ କରିବାକୁ ସେ ଅପମାନ ମଣୁଛନ୍ତି । ଶାସ୍ତ୍ର, ଜ୍ଞାନ, ନୀତି, ଧର୍ମ ଏସବୁ ସହଜଲଭ୍ୟ ନ ହେଲେ ଆପେ ଆପେ ଲୁପ୍ତ ହୋଇଯାଏ । ଏଠାରେ ତାହା ହିଁ ହେଉଛି ।
ଯଦୁମଣିଙ୍କର ଚଉପଦୀ କେତେ ଥିଲା କହିହେବ ନାହିଁ । ଅଥଚ ମୁଁ ବହୁ କଷ୍ଟରେ ସେଥିରୁ ମୋଟେ ୩୦ ଗୋଟି ସଂଗ୍ରହ କରିପାରିଲି । ଓହୋ ! ସେ ସଂଗ୍ରହରେ ମୁଁ ଏପରି ଭାବରେ ଏକ ହୃଦୟହୀନ ଲୋକର ଦ୍ୱାରସ୍ଥ ଦଶ ପଚିଶ ଥର ହୋଇ ନିରସ୍ତ ହେଲି । ସେ ମୋଠୁ ମୁଁ ତାଙ୍କ ରାଜ୍ୟର ଦେବୋତ୍ତର ମାନେଜର ହେତୁ ଏକ ଉପକାର ଯାଚଞ୍ଜା କଲେ । ତାହା ମଧ୍ୟ ମୁଁ କରିଦେଲି-। ଦେଖିଲି ସେ ପୁଣି ମତେ ଠକିଲେ । ଇଚ୍ଛା କରିଥିଲେ ମୁଁ ତାଙ୍କୁ ଯେଉଁ ସୁବିଧା କରି ଦେଇଥିଲି, ତାହା ଖାରଜ କରିଦେଇ ପାରିଥାନ୍ତି । କିନ୍ତୁ ସେପରି ଅନୈତିକତା ମତେ କରି ଆସେନି-। ଲଜ୍ଜାରେ ମୁଣ୍ଡ ତଳକୁ ହେଲା । ପାଠକ ତାଙ୍କର ନାମଟି ଜାଣିବାକୁ ଇଚ୍ଛା କରି ପାରନ୍ତି । ସେ ନରସିଂହପୁର କୋକଳବା ଗ୍ରାମର ପ୍ରଖ୍ୟାତ ଗାୟକ ଜଣେ ଶାସନୀ । ସେ ତ ଦେଲେ ନାହିଁ, ଭାବିଲି ତେବେ ଏ ସଂଗ୍ରହରେ କ’ଣ ଚଉପଦୀ ବା ଖଣ୍ଡଗୀତି ଏକାବେଳେ ଅଭାବ ରହିଯିବ ? ଏପରି ଦୁଶ୍ଚିନ୍ତାରେ ଅଛି, ଗୋଟିଏ ତରୁଣ କୃଷକ ସନ୍ତାନ ମୋର ଏ ବୈକଲ୍ୟ ଅନୁଭବ କରି ଜଣେ ପ୍ରବୀଣ ପାଲାକାରଙ୍କଠାରୁ ସେ ଏପରି ନିଗୂଢ଼ ଚେଷ୍ଟାକଲା, ଯାହା ଫଳରେ ମୁଁ ଆଶାନୁରୂପ ଚଉପଦୀ ତାହାଠୁ ପାଇଗଲି । ଏଥିରେ ଜଣେ ମୂର୍ଖ ନାରୀ ପୋଥିଟିକୁ ସେ ତରୁଣକୁ ଗୋପନରେ ଦିଅନ୍ତି, ପୁଣି ତାହା ସୁବିଧା ଦେଖି ଫେରସ୍ତ ନିଅନ୍ତି । ଏପରି ତିନି ଦିନରେ ସେ ଶ୍ରଦ୍ଧାସ୍ପଦ ଯୁବାଟି କାଗଜରେ ଲେଖି ମତେ ଯେପରି ଏହା ଯୋଗାଇଛନ୍ତି, ତାହା ଭୁଲିବାର ନୁହେଁ । ବହିରେ ଚୌପଦୀ ଅଂଶ ଛପା ସରିବା ପରେ ଆଉ ୨୦ ଟି ଯାଏ ଗୋଟିଏ ସ୍ଥାନରେ ଥିବାର ମୁଁ ସନ୍ଧାନ ପାଇଲି । ସେ ସବୁ ଏହି ସଂସ୍କରଣରେ ଦିଆଯାଇ ପାରିଲା ନାହିଁ । ଦ୍ୱିତୀୟ ମୁଦ୍ରଣରେ ଯୋଗ କରାଯିବ ।
ଏଇ ହେଲା ସତ୍ୟ ସଂଗ୍ରହର ଇତିହାସ । ପ୍ରକୃତ ରଚନା ପ୍ରକାଶ କରିବା ଲାଗି ଚେଷ୍ଟା ନ କରି କେବଳ ଭୂମିକା ଲେଖି ଅଥବା ନିଜର ଶୁଷ୍କ ପ୍ରାଧାନ୍ୟଦ୍ୱାରା ଯାହା ଆମେ କରିଯିବା ତା ଦିନେ ନିଶ୍ଟୟ ଆମ ଯୋଗ୍ୟ ସନ୍ତାନଙ୍କଦ୍ୱାରା ଫିଙ୍ଗା ହେବ, ଏହା ମୋର ବିଶ୍ୱାସ । ଏପରି ଯେତେ ଠକେଇତି କାମ ହୋଇଛି, ସେସବୁ ମାଟିରେ ମିଶିଯାଇଛି । କିନ୍ତୁ ଯାହା ମଣି ପରି ସମୂଜ୍ଜ୍ୱଳ ତାହା ଯେତେ ଲୁଚିଥିଲେହେଁ ଦିନେ ନିଜ ଜ୍ୟୋତିରେ ପ୍ରକାଶିତ ହୋଇଯିବ । ଅଢ଼େଇ ହଜାର ବର୍ଷ ତଳର ବୁଦ୍ଧ ପୁଣି ଚେଇଁ ଉଠିଛନ୍ତି । ବିଶ୍ୱଜଗତ ଅଶୋକଙ୍କ ଅନୁଶାସନ ପଢ଼ି ବିସ୍ମିତ ହେଉଛି — ଓହୋ ! କି ମନସ୍ୱିତା ସେହି ମହାନ ବ୍ୟକ୍ତିଙ୍କଠାରେ ରହିଥିଲା । ଯେ ଏତେବଡ଼ ସଂଭ୍ରାନ୍ତ ଆସନରେ ବସି ଲେଖିଛନ୍ତି — ଲିପିକାର ପ୍ରମାଦରୁ ବା ରଚନା ଦୋଷରୁ ଏବଂ ଶୁଣିବା ବୁଝିବା ଗଲତିରୁ ମୋର ଏ ଅନୁଶାସନରେ ପ୍ରମାଦ ରହିପାରେ କିନ୍ତୁ ମୋର ନୁହେଁ । ବାସ୍ତବିକ ତାଙ୍କର କି ହୃଦୟବତ୍ତା, କି ଦୁରଦର୍ଶିତା ନ ଥିଲା ।
ସେ ଯାହାହେଉ — ରାଘବ ବିଳାସର ଯେଉଁ ୨୪ଟି ଛାନ୍ଦ ସଂଗୃହୀତ ହୋଇଛି ତାହା ଏପରି ଅସଂବଦ୍ଧ ଥିଲା ଯେ ତାହାକୁ ଶୃଙ୍ଖଳାକୁ ଆଣିବାକୁ ବହୁତ କଷ୍ଟ ସ୍ୱୀକାର କରିବାକୁ ହୋଇଛି-। ପୁନଶ୍ଚ ପାଠାନ୍ତର ଏତେ ଅଧିକ ଯେ କେଉଁଟି ଠିକ ଧରିବା ସହଜ ହୁଏ ନାହିଁ । ଧରାଯାଉ ଗୋଟିଏ ଗୋଟିଏ ପଦକୁ ପାଞ୍ଚ ପ୍ରକାର କରି ବିଭିନ୍ନ ସଂଗ୍ରହସ୍ଥଳୀରୁ ମିଳିଛି । ଗୋଟିଏ ସରଳ ପଦକୁ ନଜିରରୂପେ ଦେଲେ ତାହା ସହଜରେ ଜଣାଯିବ ।
‘ନାରୀ ବିହୀନେ ବାରିଧି ଝାସେ ତନୁ ନାଶିବ ବୋଲି ଆସିଥିବ’ । ଏହାକୁ ବିଭିନ୍ନ ପାଲାକାର ତଳ ଲେଖାନୁସାରେ କିପରି ପଢ଼ନ୍ତି ଦେଖାଯାଉ—
ନାରୀ ବିହୀନେ ବାରିଧିନାଶେ ତନୁ ଝାସିବା ଇଚ୍ଛି ଆସିଥିବ,
ନାରୀ ବିହୀନେ ବାରିଧିନୀରେ ତନୁ ଝାସିବ ବୋଲି ଆସିଥିବ ।
ନାରୀ ବିହୀନେ ବାରିଧି ନାଶେ ତନୁ ଝାସିବା ଆଶେ ଆସିଥିବ,
ନାରୀ ବିହୀନେ ବାରିଧୀନୀରେ ତନୁ ନାଶିବା ଆଶେ ଆସିଥିବ ।
ଏଥିରୁ କେଉଁଟି ଯେ କବି ଲେଖିଥିଲେ ସ୍ଥିର କରିବା ମୁସ୍କିଲ୍ ।
ନାଶେ, ଝାସେ, ନୀରେ, ପୁନଶ୍ଚ ଝାସିବା ଇଚ୍ଛି, ନାଶିବ ବୋଲି, ଝାସିବ ବୋଲି, ଝାସିବା ଆଶେ, ନାଶିବା ଆଶେ ଇତ୍ୟାଦି ପ୍ରୟୋଗ ମଧ୍ୟରୁ — ‘ନାରୀ ବିହୀନେ ବାରିଧି ଝାସେ ତନୁ ନାଶିବ ବୋଲି ଆସିଥିବ’ ପ୍ରୟୋଗ ଯୁକ୍ତିଯୁକ୍ତ ବୋଲି ମନେ ହେଉଛି । ପଣ୍ଡିତ ବିନାୟକ ମିଶ୍ର ତାଙ୍କର ଏକ ପ୍ରବନ୍ଧରେ ଏହାହିଁ ଲିପିବଦ୍ଧ କରିଛନ୍ତି । ତା’ଛଡ଼ା ଏପରି ଲିପି ମଧ୍ୟ ଏକ ତାଳପତ୍ର ଖେଜାରୁ ମିଳିଅଛି ।
ଏହାଛଡ଼ା ତାଙ୍କ ବିଭିନ୍ନ ରଚନାରେ ପ୍ରମାଦ ଶତ ଶତ ଯେପରି ଥିଲା ତାହା ମଧ୍ୟରୁ ଗୋଟିଏ ମାତ୍ର ଉଦାହରଣ ଦେଲେ ଜଣାଯିବ ଯେ, ପ୍ରକୃତ ରଚନା କିପରି ଭାବରେ ଭ୍ରଷ୍ଟ ହୋଇ ଯାଇଥିଲା । ଗୋଟିଏ ଛପା ବହିରେ ଏ ଚଉପଦୀଟି ଥିଲା—
ଓଜଶୀଳ ଭୁଜ ଗଜ ଜୀବନ ହରଣେ ଗଜ
ଜଳ ଗ୍ରହଣେ କୁମ୍ଭୀର ମଳଗ୍ରହଣେ କୁମ୍ଭୀର
ରକ୍ଷା କଲ ସିନା କକ୍ଷା ବହି ହେ ମହାପ୍ରଭୁ !
କିନ୍ତୁ ଏହାର ଅର୍ଥ କିପରି ଲୋକେ ସମଝିଲେ ମୁଁ ଜାଣେନି । ମୁଁ ଶତ-ଚେଷ୍ଟାରେ ବ୍ୟର୍ଥ ହୋଇଥିଲି । ହଠାତ୍ ପୋଥିରୁ ପଦ୍ୟଟି ପାଇଯିବାରୁ ସମଝିଲି ।
ଓଜଶୀଳ ଭୋଜଗଜ ଜୀବନ ହରଣେ ତେଜ
ଗଭୀର ଜଳେ କୁମ୍ଭୀର ଗଳ ଗ୍ରହଣେ କୁମ୍ଭୀର
ଜୀବ ରକ୍ଷାକଲ କକ୍ଷା ବହି ହେ ।
ବିଶେଷରେ ଯଦୁମଣି ତାଙ୍କର କବିତାମାନ ଲେଖନ ତାଳପତ୍ରରେ ଲେଖିଥିଲେ । ସେ ଏକା କାହିଁକି ତାଙ୍କର ସମସାମୟିକ ଏମନ୍ତ କି ତାଙ୍କ ପୂର୍ବଜ ଭଞ୍ଜ, ଦୀନକୃଷ୍ଣ, ସାମନ୍ତସିଂହାର ଆଦି ସମସ୍ତଙ୍କର ତାଳପତ୍ର ଓ ଲେଖନ ହିଁ ଲେଖିବାର ଏକମାତ୍ର ଆଧାର ରହିଥିଲା । ଏବ କଥା—୧୯୧୯ ଯାଏଁ ତାଳପତ୍ର ଓ ଲେଖନ ପାଠ ଲେଖି ଶିଖିବାକୁ ଗଡ଼ଜାତ ଅଞ୍ଚଳ ସ୍କୁଲରେ ମଧ୍ୟ ଚଳୁଥିଲା । ସେ ଅଭ୍ୟାସ ଶିଶୁମାନଙ୍କରଠାରେ ହସ୍ତକର୍ମ୍ମ ଭାବରେ ରଖାଯାଇଥିଲା । ଇଂରେଜ ଆସିବା ପୂର୍ବରୁ କାଗଜର ପ୍ରଚଳନ ହୋଇଥିଲେହେଁ, ତାହା ରାଜକୀୟ ଭାବରେ ସ୍ୱଳ୍ପ ମାତ୍ର ଥିଲା । ଯେଉଁ ଗଜପତି ହରେକୃଷ୍ଣ ଦେବ ହରେକୃଷ୍ଣପୁର ଶାସନ ବସାଇଥିଲେ (୧୭୨୫), ତାଙ୍କ ପୁତ୍ର ଗୋପୀନାଥ ଦେବ କାଗଜରେ ଯେଉଁ ସନନ୍ଦ ଲେଖିଥିଲେ ତାହା ମଧ୍ୟ ମୋଠାରେ ରହିଛି । ବୋଧ ହୁଏ ତା ପୂର୍ବରୁ ଓଡ଼ିଶାରେ ମଧ୍ୟ କାଗଜର ପ୍ରଚଳନ ରହିଥିଲା । କିନ୍ତୁ ସର୍ବତ୍ର ଲେଖନ ତାଳପତ୍ର ଥିଲା ପତ୍ର ଏବଂ ମସୀ । ବନ୍ଦୋବସ୍ତର ଭଉଁରିଅମାନ ୧୮୯୬ ବନ୍ଦୋବସ୍ତରେ ତାଳପତ୍ରରେ ଲେଖାଥିବାର ପ୍ରମାଣ ଏବେ ମଧ୍ୟ ଅଛି । ତେଣୁ କାଗଜ ସର୍ବବ୍ୟାପକ ହୋଇ ପାରି ନ ଥିଲା ।
ଯଦୁମଣି ମହାପାତ୍ର ୧୮୬୬ ମସିହାରେ ସ୍ୱର୍ଗାରୋହଣ କରିଥିଲେ । ସେ ବଞ୍ଚିଥିବା ଯାଏ କାଗଜ କଲମ ପ୍ରତି ଆଦର କରି ନଥିଲେ । କାରଣ ତାଙ୍କର ପରବର୍ତ୍ତୀ ରମନା ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ତାଳପତ୍ର ପୋଥିରେ ଲେଖାହୋଇ ରହିଛି । ସେ ମଧ୍ୟ ସୁନ୍ଦର ଭାବେ ତାଳପତ୍ରରେ ଲେଖିପାରୁଥିଲେ । ଏହି ତାଳପତ୍ର ଲେଖିବା ବିଧି ମଧ୍ୟ ପ୍ରତି ଓଡ଼ିଆ ଘରେ ଦଶହରା ଦିନ ୧୦ ବର୍ଷ ତଳେ ହେଉଥିଲା । ଏବେ ଅନେକ ଅଛି ।
ଏବେ ସ୍ୱାଧୀନତା ପାଇବା ପରେ ତାଳପତ୍ର ଯାତକ ବୀର ଶ୍ରୀ ଗଜପତି ଗୌଡ଼େଶ୍ୱର, ଅଙ୍କ, ଶ୍ରୀ ଶୁଭମସ୍ତୁ, ନିମନ୍ତ୍ରଣ ପତ୍ରିକା, ଚିଟୋଉ, ଘଣ୍ଟାକର୍ଣ୍ଣ ରକ୍ଷାମନ୍ତ୍ର ଆଦିକୁ ଅସଭ୍ୟତାର ଦୃଷ୍ଟାନ୍ତ ବୋଲି ଲୋପ କରି ଦିଆଗଲାଣି । ସଭ୍ୟତା ତା ବଦଳରେ କ’ଣ ଆସିଲା ଜାଣି ହେଉନି । ଏଥିରୁ କେହି ତାର୍କିକ ନ ବୁଝନ୍ତୁ ଯେ ଲେଖକ ଏ ସ୍ଫୁଟ୍ନିକ୍ ବା ମନୁଷ୍ୟର ଶୂନ୍ୟମଣ୍ଡଳ ପରିକ୍ରମା ଯୁଗରେ ତାଳପତ୍ର କୁଡ଼ିଆକୁ ଫେରିଯିବାକୁ ସଭ୍ୟତା ମନେ କରୁଛନ୍ତି । ଉଦ୍ଦେଶ୍ୟ ଆମର ସମୂଜ୍ଜ୍ୱଳଅତୀତର ସେହି ସେହି ସୁନ୍ଦର କୃଷ୍ଟି ଓ ସଂସ୍କୃତିମାନ ଏପରି ଅବହେଳାରେ ଫିଙ୍ଗିଦେବା କାହିଁକି ?
ସେ ଯାହାହେଉ ଯଦୁମଣି ମହାପାତ୍ର ତାଳପତ୍ରରେ ତାଙ୍କ ଗ୍ରନ୍ଥ ଲେଖିଥିଲେ । ତାହା କିଏ କିମିତି ଶ୍ରଦ୍ଧାରେ ଛାନ୍ଦେ ଅଧେ ଲେଖି ନେଇଥିଲେ—ତାଳପତ୍ରରେ । ରାଜବାଟୀ ପୋଡ଼ିରେ ତାଳପତ୍ର ପୋଥି ପୋଡ଼ିଗଲା । ମହାପାତ୍ରଙ୍କ କୃତି ମଧ୍ୟ ଅଧା ତିନିପାଆ ପୋଡ଼ିଗଲା ।
ବଡ଼ ସୁଖର ବିଷୟ ଯେ—ପ୍ରଖ୍ୟାତ ଐତିହାସିକ ପଣ୍ଡିତ ବିନାୟକ ମିଶ୍ର ରାଘବ ବିଳାସ ସମ୍ବନ୍ଧରେ ତାଙ୍କର ମତାମତ ଦେବାକୁ ଯାଇ ଠାଏ ଲେଖିଛନ୍ତି—
‘‘ଶ୍ଲେଷାଳଙ୍କାରର ଆଡ଼ମ୍ବର ନ ରଖି ଦୈନନ୍ଦିନ ଭାଷା ବ୍ୟବହାର କଲେ ମଧ୍ୟ ପରିହାସ ପ୍ରଭୃତି କଥାରେ ଚାତୁରୀ, ରଚନାରେ କି ପ୍ରକାର ଫୁଟିପାରେ, ତାହା ମଧ୍ୟ ଯଦୁମଣି ଦେଖାଇଛନ୍ତି । ଯେତେବେଳେ ରାବଣ ପାରିଷଦଗହଣରେ ବସିଥିଲା ସେତେବେଳେ ରାମ ସାଗରକୂଳରେ ପହଞ୍ଚିବାର ସମ୍ବାଦ ଦୂତ ଦେଲା । ତାହା ଶୁଣି ରାବଣ ଯାହା କହିଲା ତହିଁର ପ୍ରତ୍ୟୁକ୍ତି ବିଭୀଷଣ ମୁଖରୁ ‘‘ରାଘବ ବିଳାସ” ରେ ଯଦୁମଣି ଶୁଣାଇଅଛନ୍ତି—
ପୂର୍ବ ଦେବତା ଶର୍ବରୀ ଭର୍ତ୍ତା ଆଗେ
ବନ୍ଧୁ ସିନ୍ଧୁ କୂଳେ ପ୍ରବେଶ ।
ନାରୀ ବିହୀନେ ବାରିଧି−ଝାସେ ତନୁ ନାଶିବ ବୋଲି ଆସିଥିବ ।
ବଦତି ଅନୁଜ ପବନ ତନୁଜ ଆଗମନୁ ଯାଇଛି ଦେଖା
ଟେକିଲା ଗାତ୍ର ସେ ଗୋତ୍ରାନ୍ତକ ଜିତ କୋପେ ପ୍ରଜ୍ୱଳି ଅଗ୍ନିଶିଖା ।
ପ୍ରଶସ୍ତ ମସ୍ତକେ ହସ୍ତେ ନ୍ୟସ୍ତ କରି ବିହିଲା ଏ ଭାଷା ଚନ୍ଦନେ ।
ଅଶୋକ ବନରେ ଶୋକରେ ଥିବା ବଧୂର ସ୍ୱାମୀ ସିନ୍ଧୁକୂଳରେ ପହଞ୍ଚିବାର ବାର୍ତ୍ତା ଦୁତ ପହଞ୍ଚାଇବାରୁ ଅସୁର କୁଳଚନ୍ଦ୍ର (ପୂର୍ବଦେବତା—ଶର୍ବରୀଭର୍ତ୍ତା) ରାବଣ କହିଲା, ‘ପତ୍ନୀ ବିଚ୍ଛେଦଜନିତ ଶୋକ ହେତୁରୁ ସମୁଦ୍ର ଗର୍ଭରେ ଝାସ ଦେବାକୁ ଆସିଥିବ ।’ ବିଭୀଷଣ (ରାବଣଅନୁଜ) କହିଲା ‘‘ହନୁମାନ ଆସିବା ଦିନରୁ ତାହା ଜଣା ପଡ଼ିଲାଣି ।”
ଯେ କାପୁରୁଷ, ସେ ଲାଞ୍ଛନା ସହି ନ ପାରି ଆତ୍ମହତ୍ୟା କରେ । ବୀର ପୁରୁଷ ଲାଞ୍ଛନାର ପ୍ରତିଶୋଧ ନେବାପାଇଁ ଅକ୍ଲାନ୍ତ ଭାବରେ କର୍ମ କରେ । ଛାର ମାଙ୍କଡ଼ଟାଏ ଯାହାର ଦୂତ ହୋଇ ଲଙ୍କା ଛାରଖାର କରିଦେଲା, ତାହାକୁ କାପୁରୁଷ ମଣି ସେ ସମୁଦ୍ରରେ ଝାସ ଦେବା ପାଇଁ ଆସିଥିବ ବୋଲି ଅନୁମାନ କରିବା ଅବିବେକିତାର ପରିଚୟ—ଏହା ବିଭୀଷଣ ରାବଣକୁ ଚେତାଇ ଦେଲା । ଏଥିରେ ରାବଣର କ୍ରୋଧ ଜାତ ହେଲା ।
ଭାଷା ଚାତୁରୀ କବି ପ୍ରତିଭାର ବଡ଼ ଲକ୍ଷଣ । ଏହାର ବିକାଶ ପାଇଁ ଆଳଙ୍କାରିକମାନେ ଏହାର ଶ୍ରେଣୀ ବିଭାଗ କରନ୍ତି । ଭାଷା ଚାତୁରୀକୁ କେହି ସୀମାବଦ୍ଧ କରି ନ ପାରେ । ବିଭୀଷଣ ଶରଣ ପଶିବା ଉତ୍ତାରୁ ରାବଣକୁ ମାରି ବିଭୀଷଣକୁ ଲଙ୍କାର ରାଜତ୍ୱ ଦେବେ ବୋଲି ରାମ ଶପଥ କରିବାରୁ ସୁଗ୍ରୀବ ଓ ରାମଙ୍କ ମଧ୍ୟରେ ଘଟିଥିବା ପ୍ରଶ୍ନୋତ୍ତର ଯଦୁମଣି ‘ରାଘବ ବିଳାସ’ରେ କିପରି ବର୍ଣ୍ଣନା କରି ଅଛନ୍ତି, ତାହାହିଁ ଭାଷା ଚାତୁରୀର ଅନ୍ୟ ଏକ ଉଦାହରଣ ।
କହେ ମିତ୍ର ପୁତ୍ର ହୋଇଲା ବିଚିତ୍ର
ଭଣିଲେ ଜାଣିବା ବିହି ବିହି ନାହିଁ
ସୁଗ୍ରୀବ (ମିତ୍ରପୁତ୍ର— ସୂର୍ଯ୍ୟପୁତ୍ର) କହିଲେ— ‘‘ସୂର୍ଯ୍ୟବଂଶର ପଦ୍ମସ୍ୱରୁପ (ଚିତ୍ର ଭାନୁକୁଳ ମ୍ବୁଜ) ଆପଣଙ୍କ ପକ୍ଷରେ ଏ ଶପଥ ବଡ଼ ବିଚିତ୍ର ଅଟେ । କାରଣ ଆପଣ ଭାବି ଚିନ୍ତି ଏ ଶପଥ କରିନାହାନ୍ତି । ସ୍ୱର୍ଣ୍ଣଭୂମିର ରାଜା (ଜନକ ମହୀନ୍ଦ୍ର) ରାବଣ ସୀତଙ୍କୁ ଫେରାଇ ଆପଣଙ୍କ ପାଦପଦ୍ମରେ ଶରଣ ପଶିଲେ ଆପଣ ବିଭୀଷଣକୁ ରାଜତ୍ୱ ଦେଇ ନ ପାରି ସୂର୍ଯ୍ୟବଂଶରେ ଜାତ ହୋଇ ଶପଥ−ଭଙ୍ଗର କଳଙ୍କ ଅର୍ଜିବେ ।”ରାମ କହିଲେ, ‘‘ସେତେବେଳେ ମୁଁ ବୁଝିବି ଯେ, ବିଧାତା ମୋ ଭାଗ୍ୟରେ ରାଜ୍ୟଭ୍ରଷ୍ଟ−କଷ୍ଟ ଊଣା ହେବା ପାଇଁ ଲେଖିନାହିଁ । ଅର୍ଥାତ୍ ଅଯୋଧ୍ୟାର ରାଜତ୍ୱ ଦେଇ ମୁଁ ଆଜୀବନ ବନବାସୀ ହେବି ।”
ଏହା ତାଙ୍କର ଦ୍ୱିତୀୟ କାବ୍ୟଗ୍ରନ୍ଥ । ସେ ଗୌଡ଼ୀୟ ଧର୍ମ୍ମଦୀକ୍ଷା ଗ୍ରହଣ କରି ନିଷ୍ପାପ ହେବା ମାନସରେ କୃଷ୍ଣ ଚରିତ ଆରମ୍ଭ କରି ଷୋଡ଼ଶ କଳାରେ ଋକ୍ମିଣୀଙ୍କ ଚରିତକୁ ଲେଖିବାକୁ ଭାବନା କରି ଗ୍ରନ୍ଥର ନାମ ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ଦେଇଥିଲେ । ଯେଉଁ ପ୍ରବନ୍ଧ କି କବିତା ପୂର୍ଣ୍ଣଚନ୍ଦ୍ର ପରି ମାଧୁର୍ଯ୍ୟସମ୍ପନ୍ନ ଏବଂ ମନୋହାରୀ, ତାହା ଷୋଳ କଳାରେ ସଂପୂର୍ଣ୍ଣ ହେବ । କିନ୍ତୁ ଆଠ କଳାରେ ରୁକ୍ମଣୀଙ୍କୁ ବିବାହ କରାଇ ସାରି ତେଣିକି କଣ କରିବେ ହୁଏତ ସ୍ଥିର କରି ନ ପାରି ବା ଦାରିଦ୍ର୍ୟର କଷାଘାତରେ କଳ୍ପନା ମଧ୍ୟ ଭୁଲି ଯାଇଛନ୍ତି । ଅନ୍ୟ ଆଠ କଳାରେ ଜରାସନ୍ଧ ବଧଯାଏ ଅଥବା ରୁକ୍ମଣୀଙ୍କ ବିହାର କ୍ରୀଡ଼ା ଆଦି ରସିକ କବି ବର୍ଣ୍ଣନା କରି ସନ୍ତାନସନ୍ତତି ଜନ୍ମ ବିବରଣ ଦେଇଥାନ୍ତେ-। କିନ୍ତୁ ଜଣାଯାଏ ତାହା ସେ ଆଦୌ ଏହି ଆଠ ଛାନ୍ଦ ପରେ ଲେଖି ନାହାନ୍ତି । କାରଣ ତାଙ୍କ ଘରେ ଥିବା ତାଙ୍କ ଲିଖିତ ପୋଥି ଖଣ୍ଡି ଆଠଟି କଳାରେ ସଂପୂର୍ଣ୍ଣ ଅଟେ ।
ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ଖଣ୍ଡିକ ସେ ଲେଖିଥିଲେ, ସାହିତ୍ୟକ ଏବଂ କବି ହିସାବରେ ଅତି ଶ୍ରେଷ୍ଠତମ ଆସନ ଯେ ଉତ୍କଳ ସାହିତ୍ୟ କାହିଁକି ବିଶ୍ୱ ସାହିତ୍ୟରେ ଲାଭ କରିଥାନ୍ତେ, ଏହା ନିଃସନ୍ଦେହ । ତାଙ୍କର ରଚନାର ବିଷୟବସ୍ତୁ ପୁରାତନ ଚର୍ବିତ ଚର୍ବିଣ । ତେଣୁ କେହି କହିପାରେ କି ନୂତନତା ସେଥିରେ ଅଛି ? କିନ୍ତୁ ତାଙ୍କର ଏହି ଆଠଟି କଳା ବା ଛାନ୍ଦ ରଚନାର ପ୍ରତିପଦ ଦୁନିଆର ସମସ୍ତ ରଚନାରୁ ସ୍ୱତନ୍ତ୍ରତା ଦାବି କରେ । ତାଙ୍କର ଲେଖନୀ ଭଙ୍ଗି ଏତେ ସ୍ୱତନ୍ତ୍ର ଯେ ତାହା କେଉଁ ସଂସ୍କୃତ ସାହିତ୍ୟ ସହିତ ମଧ୍ୟ ସାମ୍ୟ ରଖି ନ ଥାଏ, ଅବଶ୍ୟ ତାଙ୍କ ରଚନାରେ ଅତ୍ୟଧିକ ଅଦ୍ଭୁତ ରସର ଅଳଙ୍କାର ଦେଖାଯାଏ, ମାଘ କାବ୍ୟ ଅଧ୍ୟୟନ କରି ସେ ଅତ୍ୟଦ୍ଭୁତ ରସ ପ୍ରତି ଅଧିକ ଢଳି ପଡ଼ିଥିଲେ ବୋଲି ଜଣାଯାଏ । ଯାହାହେଲେ ମଧ୍ୟ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟର ସେ ନିଶ୍ଚୟ ଅନୁସରଣ କରିଛନ୍ତି ।
ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ରର ଆଠଟି କଳା ମଧ୍ୟରୁ ଏହିପରି ବିଷୟବସ୍ତୁ ସୂଚିତ ହୁଏ ।
୧ମ କଳା— ପୁସ୍ତକର ନାମକରଣ ଏବଂ ବିଷ୍ଣୁପଦର ସ୍ୱତନ୍ତ୍ର ମହାତ୍ମ୍ୟ ପୁଣି ଦ୍ୱାରକାପୁରୀର ବର୍ଣ୍ଣନା ଏଥିରେ ରହିଛି । ଏହା ରସକୁଲ୍ୟା ରାଗରେ ୩୬ ପଦରେ ସଂପୂର୍ଣ୍ଣ ।
୨ୟ କଳା—ଦ୍ୱାରକାର ଭାଟ କର୍ତ୍ତୃକ ବିଦର୍ଭର ନଗରୀ କୁଣ୍ଡିକଟକର ମହତ୍ତ୍ୱ ବର୍ଣ୍ଣନା ଏବଂ ବିଦର୍ଭ ରାଜା ଭୀଷ୍ମକଙ୍କ ନିକଟରେ କୃଷ୍ଣଙ୍କର କୀର୍ତ୍ତି, ରୂପ, ଗଠନ ବର୍ଣ୍ଣନାରେ ରୁକ୍ମଣୀଙ୍କର ତାଙ୍କୁ ଭର୍ତ୍ତା ଭାବେ ପାଇବାର ଅଭିଳାଷ । ଏହା ଆଷାଢ଼ ଶୁକ୍ଲ ରାଗରେ ୫୨ ପଦରେ ସମାପ୍ତ ।
୩ୟ କଳା—ଆହାରି ରାଗରେ ୪୪ ପଦରେ ରଚିତ । ବିଦର୍ଭ ଜେମାମଣି ରୁକ୍ମିଣୀଙ୍କର ସଖିଦଳ ସହିତ ବନ ବିହାର ବର୍ଣ୍ଣନା ଏବଂ ଦେବର୍ଷି ନାରଦ ଉକ୍ତ ଜେମାଙ୍କ ସାକ୍ଷାତ ଲଭି କୃଷ୍ଣଙ୍କୁ ବରଭାବରେ ପାଇବାକୁ ତାଙ୍କୁ ଆଶୀର୍ବାଦ ଜ୍ଞାପନ ।
୪ର୍ଥ କଳା—ରାଗ କନଡ଼ା । ୨୨ ପଦରେ ସଂପୂର୍ଣ୍ଣ । କୃଷ୍ଣଙ୍କୁ ଏକ ଉପବନରେ ନାରଦ ଭେଟି, କୌଶଳରେ ତାଙ୍କଠାରେ ରୁକ୍ମିଣୀଙ୍କ ପ୍ରତି ପ୍ରଲୋଭନ ସଂଚାର କରି ବିଦାୟ ନେଲେ ।
୫ମ କଳା—ଚୋଖୀ ରାଗରେ ୩୫ ପଦରେ ଏ କଳାଟି ଲେଖାଯାଇଛି । (ବର୍ଣ୍ଣନା)—ବିଦର୍ଭ ନରପତି ଭୀଷ୍ମକ ନିଜଜେମାଙ୍କ ବିବାହ ପାଇଁ ବ୍ୟଗ୍ର ହେବା ବେଳେ ଏବଂ କୃଷ୍ଣଙ୍କୁ ଜ୍ୱାଇଁ କରିବାକୁ ଇଚ୍ଛା କରନ୍ତେ ତାଙ୍କର ଜ୍ୟେଷ୍ଠପୁତ୍ର ରୁକ୍ମୀ କୃଷ୍ଣଙ୍କର ନିନ୍ଦାକତି ଶିଶୁପାଳଙ୍କୁ ବରଣ କରିବାକୁ ପ୍ରବର୍ତ୍ତାଇଛନ୍ତି । ଫଳରେ ଭୀଷ୍ମକ ପୁତ୍ର ଭୟରେ ନିମନ୍ତ୍ରଣ କରନ୍ତେ ଶିଶୁପାଳ ବରଭାବେ ବିଦର୍ଭକୁ ଆସିଛନ୍ତି । ତା ଦେଖି ରୁକ୍ମିଣୀ କୃଷ୍ଣ ପ୍ରେମରେ ମଜ୍ଜିତ ରହି ଦୁଃଖାଭିଭୂତ ହୋଇ ପଡ଼ିଛନ୍ତି-।
୬ଷ୍ଠ କଳା— କାମୋଦି ରାଗରେ ୩୬ ପଦରେ ସଂପୂର୍ଣ୍ଣ । (ବର୍ଣ୍ଣନା)— ରୁକ୍ମିଣୀ ସଖିମାନଙ୍କ ପ୍ରବର୍ତ୍ତନାରେ ଖଣ୍ଡିଏ ଚିଠି କୃଷ୍ଣଙ୍କୁ ଲେଖିଛନ୍ତି ଏବଂ ତାହା ଜଣେ ବିଶ୍ୱାସୀ ବ୍ରାହ୍ମଣ ନେଇ ଦ୍ୱାରକାରେ ଯଥା ସମୟରେ ପହଞ୍ଚାଇ, କୃଷ୍ଣଙ୍କୁ ରୁକ୍ମିଣୀଙ୍କ ପ୍ରତି ବିଶେଷ ପ୍ରଲୋଭନ ଅଣାଇଛନ୍ତି । ଏପରିକି କୃଷ୍ଣ ଏକାକୀ ରଥ ଏବଂ ସାରଥୀ ସହିତ ବିଦର୍ଭାଭିମୁଖରେ ବାହାରିଛନ୍ତି ।
୭ମ କଳା—କଳହଂସକେଦାର ରାଗରେ ୫୧ ପଦରେ ସଂପୂର୍ଣ୍ଣ । ଏଥିରେ ବର୍ଣ୍ଣିତ ଅଛି ଯେ କୃଷ୍ଣ ଏକାକୀ ବିଦର୍ଭ ଅଭିମୁଖରେ ଚାଲିଯିବା ଖବର ତଦନ୍ତିରୁ ଜାଣି, ବଳରାମ ମହାସମାରୋହରେ ରଥିମାନଙ୍କ ସହିତ ବିଦର୍ଭରେ ପହଞ୍ଚି କୃଷ୍ଣଙ୍କୁ ଭେଟିଛନ୍ତି । ଏବଂ ସେମାନେ ଏକ ଉପବନରେ ବିଶ୍ରାମ କରିଛନ୍ତି । ଏହା ମଧ୍ୟ ଶିଶୁପାଳ, ରୁକ୍ମୀ ଜାଣିପାରିଛନ୍ତି । (ପରଂପରା ଚିତ୍ରଣଠାରୁ କବି ଏଠାରେ ନିଜର ସ୍ୱାତନ୍ତ୍ର୍ୟ ରକ୍ଷାକରି, କୃଷ୍ଣ ଅତ୍ୟନ୍ତ ଗୋପନରେ ରୁକ୍ମଣୀଙ୍କୁ ହରଣ କରି ନେବାକୁ ସମର୍ଥନ କରିନାହାନ୍ତି । ଲୋକଙ୍କ ଜ୍ଞାତସାରରେ ସେ ଆସିଥିବା କଥା ଜଣାଇଁ ଦେଇ କନ୍ୟା ହରଣ କରାଇଛନ୍ତି ।)
୮ମ କଳା—ଏହା ବସନ୍ତ ବୃତ୍ତରେ ୫୭ ପଦରେ ଲେଖାଯାଇଛି । (ବର୍ଣ୍ଣନା)—କୃଷ୍ଣ କାଳେ ନ ଆସିବେ ଏହି ଚିନ୍ତାରେ ବିବାହ ପୂର୍ବଦିନ ରୁକ୍ମିଣୀ ହତଚେତନ ହୋଇଗଲେ । ତା ପରେ ସଖିଏ ଚେତାକରି ଦ୍ୱାରକାରୁ ଫେରିଥିବା ବ୍ରାହ୍ମଣଙ୍କଦ୍ୱାରା ଆନୀତ ସମ୍ବାଦ ଦେବାରୁ ସେ ଧୈର୍ଯ୍ୟ ଧଇଲେ । ଏହାପରେ ଜେମା ବିଧି ବିଧାନରେ ଦିଅଁ ମଙ୍ଗୁଳାକୁ ବିଜେକଲେ । ସେଇଠି କୃଷ୍ଣ ଲୁଚିଥିଲେ । ରୁକ୍ମିଣୀ ଦେବୀ ଦର୍ଶନ କରି ଫେରିବା ବେଳେ ତାଙ୍କୁ ରଥକୁ ନେଇ ଚାଲିଗଲେ । ଫଳରେ ବହୁ ସୈନ୍ୟ ସାମନ୍ତ ତାଙ୍କୁ ତଡ଼ିଲେ । କିନ୍ତୁ ବଳରାମ ସେମାନଙ୍କୁ ଅଟକାଇ ଦେଲେ । ଦର୍ପି ରୁକ୍ମୀ ନମାନି ଚାଲିଯାଇ କୃଷ୍ଣଙ୍କୁ ଭୀଷଣ ଗାଳିଦେଇ ଯୁଦ୍ଧ କରିବାକୁ ବାହାରିଲେ । କିନ୍ତୁ କୃଷ୍ଣ ତାଙ୍କୁ ଏକାନ୍ତ ଅପମାନ ଦେଇ ବନ୍ଦିକଲେ । ପଛରୁ ବଳରାମ ପହଞ୍ଚି ବନ୍ଧୁ ବୋଲି ପୁଣି ଉକ୍ତ ରୁକ୍ମୀଙ୍କୁ ମୁକ୍ତିଦେଲେ । ତା ପରେ କୃଷ୍ଣ ଦ୍ୱାରକାକୁ ଯାଇ ରୁକ୍ମିଣୀଙ୍କୁ ବିବାହ କରି ସୁଖୀ ହେଲେ ।
ଏ ହେଲା ସାଧାରଣ ବିଷୟ ବସ୍ତୁ । ଏ କାବ୍ୟଟି ଯତ୍ନ ସହିତ ପଢ଼ିଲେ ଜଣାଯିବ ଯେ ପ୍ରକୃତ ପାଣ୍ଡିତ୍ୟ ଯାହାକୁ କହନ୍ତି, ତାହା ଯଦୁମଣିଙ୍କଠାରେ ହିଁ ସମ୍ଭବିଥିଲା । ଶାସ୍ତ୍ରୋଜ୍ୱଳା ବୁଦ୍ଧି ଏପରି ଭାବରେ ପ୍ରତିଭା ସମ୍ମିଶ୍ରଣରେ ତାଙ୍କଠାରେ କିପରି ଫୁଟି ଉଠିଥିଲା, ତାହା ଭାବି ହୁଏନାହିଁ । ସେ ସମଗ୍ର ଶାସ୍ତ୍ର — ସମୁଦ୍ରକୁ ଯେପରି ମନ୍ଥନ କରି ତହିଁରୁ ଏ ଅମୃତ ସରସ୍ୱତୀ ଜାତ କରାଇ ଥିଲେ, ତା ସହିତ ପାରିଜାତ କୁଞ୍ଜର ଲକ୍ଷ୍ମୀଙ୍କୁ ମଧ୍ୟ ଜନ୍ମ ଦେଇଥିଲେ । ରୁକ୍ମିଣୀ ଯେ କି ପୂର୍ଣ୍ଣବ୍ରହ୍ମ, ପରମପ୍ରେମିକ, ପରମ ପୁରୁଷ, ପରମ ପଣ୍ଡିତ, ଭାରତ ଇତିହାସର ପରମ ପ୍ରାଣସ୍ଥାନୀୟ, ପରମ ସାମ୍ରାଜ୍ୟ ସଂସ୍ଥାପକ, ପରମ ଦାର୍ଶନିକ, ପରମ ଜ୍ଞାନୀ, ପରମ ଯୋଗୀ, ପରମ ନୀତିବିଦ୍, ପରମ ତ୍ୟାଗୀ, ପରମ ଧର୍ମ୍ମବେତ୍ତା, ସକଳ ସତ୍ୟତତ୍ତ୍ୱଜ୍ଞାତା ଏମନ୍ତକି ସତ୍ୟ ସ୍ୱରୁପ କୃଷ୍ଣଙ୍କର ପ୍ରିୟତମା ପତ୍ନୀ, ଯେ କି ତାଙ୍କର ସଚୀବ, ସଖୀ ପ୍ରିୟଶିଷ୍ୟା, ଗୃହିଣୀ ଏବଂ ଲଳିତକଳା ବିଧାୟିନୀ ଅଟନ୍ତି, ସେ କିପରି ବିଚକ୍ଷଣା ଥିଲେ, ତାହା ହିଁ ଯଦୁମଣିଙ୍କ ରଚନାରେ ଏକାନ୍ତ ଉପାଦେୟ ଭାବରେ ଏ ଗ୍ରନ୍ଥରେ ପ୍ରକଟିତ ହୋଇ ପାରିଛି ।
ଯଦୁମଣି ତାଙ୍କ ଗ୍ରନ୍ଥରେ ବିଚକ୍ଷଣା ରୂପସୀ ରୁକ୍ମିଣୀଙ୍କୁ ଅତ୍ୟୁଚ୍ଚ ଏକ କୋଠା ଉପରେ ତାଙ୍କର ପ୍ରିୟତମ ସଙ୍ଗିନୀଙ୍କ ମେଳରେ ହସଖେଳରେ ମାତିଥିବା ବେଳେ ପାଠକର ଦୃଷ୍ଟି ଆକର୍ଷଣ କରିଛନ୍ତି । ଯେ କି କ୍ରୀଡ଼ାରେ ରତ ଥାଇ ମଧ୍ୟ ନିମ୍ନତଳରେ ହେଉଥିବା ରାଜଦରବାରରେ କଣ ହେଉଛି ତା ଲକ୍ଷ୍ୟ କରୁଥିଲେ । ଶତ ଶତ ଭାଟ ନିଜ ରାଜ୍ୟର ଯୁବକ ରାଜା, ଯୁବରାଜଙ୍କ ପ୍ରଶଂସା କହନ୍ତି, କିନ୍ତୁ ସେଦିନ ନବପ୍ରତିଷ୍ଠିତ ଦ୍ୱାରକାର ଜଣେ ଭାଟ ଏପରି କଥାମାନ କହିଲା ଯହିଁରେ ସେ ଅଭିଭୂତ ହୋଇ ଏପରି ଅପାଙ୍ଗ ଢାଳିଦେଲେ ଯେ, ସଖିଏ ତା ଦେଖି କହିଲେ— ଜେମା ତୁ ଏକା ଶୁଣିନାହୁଁ, ଆମେ ବି ସେ ସୁନ୍ଦର ପୁରୁଷର ପ୍ରଶଂସା ଶୁଣିଛୁଁ । ହେଲେ ସେ ତ ଏଠାରେ ନାହିଁ, ଏହା କଥା ମାତ୍ର । ତୁ ଏପରି ଭାବରେ ଅପାଙ୍ଗ ଢାଳିଲୁ ଯେ ସେ ପୁରୁଷଟି ଏଠି ଥିଲେ ତ ତାହା ଦେଖି ସେ ମରି ଯାଇଥାନ୍ତା । ଏହା ଶୁଣି ଜଣେ ସଖି ବଞ୍ଚାଇ କହିଲା—‘ମରନ୍ତା କିପରି ? ରୁକ୍ମିଣୀର ହାସ୍ୟ ଅମୃତ ଅଛିତ ? ସେଥିରେ ସେ ବଞ୍ଚି ଆସନ୍ତା ନାହିଁକି ?’
‘‘ଅବରୋଧ ପ୍ରିୟ ସଙ୍ଗିସଙ୍ଗରେ
ତୁଙ୍ଗ ଅଟ୍ଟାଳି ଉତ୍ସଙ୍ଗେ ରଙ୍ଗରେ
ଥିଲେ ଯେ ରୁକ୍ମିଣୀ କର୍ଣ୍ଣେ ବାଜିଲା
ଉଲ୍ଲାସ ତା ଭ୍ରୁଲତାରେ ରାଜିଲା
ଚାହିଁ କର୍ଣ୍ଣାୟତ୍ତ କଲେ ଆଖିକୁ” ।
କିନ୍ତୁ କବି ତାପରେ ଅନ୍ୟ କଳାରେ ବର୍ଣ୍ଣନା କରିଛନ୍ତି—
କ୍ଷୀର ସାଗର ଉଦର ଆଦରିଛି ନବ ମୁଦିର ଜ୍ୟୋତି ସଙ୍ଗ
ଚଣ୍ଡୀ ନିଶିଧବ ଧବଳେ ମିଶିଛି ଅଧବଳ ବିଷ କୁରଙ୍ଗ
ଏପରି ବିଦଗ୍ଧ କୀର୍ତ୍ତି ଯାର ଶୁଦ୍ଧ ସେହି ଏହି କଳା ବିଚାର ।
ଦୁଗ୍ଧ ସମୁଦ୍ର ସଂପୂର୍ଣ୍ଣ ଧବଳ ନୁହେଁ । କାରଣ ତା ମଧ୍ୟରେ ବିଷ୍ଣୁଙ୍କ ନୀଳମେଘ ରଙ୍ଗିମା ଅଙ୍ଗ ରହିଛି । ଶିବ ରଜତଗିରିନିଭ ଧବଳ ହେଲେହେଁ ତାଙ୍କ କଣ୍ଠ ନୀଳହେତୁ ସେ ମଧ୍ୟ ଧବଳ ନୁହନ୍ତି । ନିଶିଧବ ଚନ୍ଦ୍ରମା ସଂପୂର୍ଣ୍ଣ ଧବଳ ହେଲେହେଁ, ତାଙ୍କ ଅଙ୍ଗରେ କଳଙ୍କ ଚିହ୍ନ ରହିଛି । କିନ୍ତୁ ପୂର୍ବ ବର୍ଣ୍ଣିତ ନବୀନା ଜେମାମଣି ରୁକ୍ମିଣୀର ହସରେ ଟିକେ ହେଲେ ନୀଳିମା ନାହିଁ । ଅର୍ଥାତ୍ ସେ ମୁଖ, ସେ ଦନ୍ତ, ସେ ମାଧୁର୍ଯ୍ୟରେ କଳଙ୍କର ବିନ୍ଦୁ ମଧ୍ୟ ନାହିଁ । ପୁନଶ୍ଚ ସେ ଏମନ୍ତ ସ୍ୱତଃ ଏବଂ ମାଦକ ଯେ ତା ଦେଖିଲେ ବିଶ୍ୱ ପ୍ରଲୋଭିତ ହୋଇ ପଡ଼ିବ । ଏ କଳାର ବିଚାର ହେଲା ଏହି ଯେ ଯାହାର ବିଦଗ୍ଧ କୀତ୍ତି ଏପରି ଶୁଦ୍ଧ ତା’ରି କଥା ଲେଖାଯାଇଛି । ଏଥିରୁ ଜଣାଯିବ କବି ରୁକ୍ମିଣୀଙ୍କ ସମ୍ବନ୍ଧରେ କିପରି ଉଚ୍ଚଧାରଣା ଦେଇପାରିଛନ୍ତି ?
ତାଛଡ଼ା କବିଙ୍କ ରଚନା ତୃତୀୟ କଳାରେ ବହୁଳ କରି ବର୍ଣ୍ଣିତ ଅଛି ଯେ ରୁକ୍ମିଣୀ ବିଜେହେବାବେଳେ ପଥରେ ବହୁ ଫୁଲପାଖୁଡ଼ା ବିଞ୍ଛିହୋଇ ତା ଉପରେ କେତକୀ ଫୁଲ ଭିତର ଧୂଳି ସିଞ୍ଚା ଯାଇଥିଲା । ଏସବୁ ଅବଶ୍ୟ ଭଞ୍ଜଙ୍କ ଅନୁକରଣ । (ଲାବଣ୍ୟବତୀ)
‘‘ପରିଚାରି ବର୍ଗ ଆଚରିଲେ ମାର୍ଗ ମାର୍ଜନା ସିଦ୍ଧି ବେଗକରି
ଶିଳ୍ପ କଳ୍ପନାରେ କମଳ କୋମଳ ଦଳ ବହଳ କରିପାରି
ତଥି ଉପରେ, କେତକୀ ଗର୍ଭସ୍ଥ ରଜକୁ
ସୁସଞ୍ଚେ ସିଞ୍ଚିସେ କରାଇଲେ ବିଜେ ଅବଳା ସମାଜ ରାଜକୁ । ୫ ।
ଏତଦ୍ବ୍ୟତୀତ ଜେମା ରୁକ୍ମିଣୀ କିପରି ଏକ ଭୂମିରେ ଜନ୍ମିଥିଲେ, ତାର ବର୍ଣ୍ଣନା ଯେପରି ସର୍ବୋତ୍ତମ ହୋଇଛି କୃଷ୍ଣଙ୍କର ଦ୍ୱାରକା ଏବଂ ସେ ନିଜେ କିପରି, ତାହା କବି ଅତି ନିଗୂଢ଼, ଲୋଭନୀୟ ଭାଷାରେ ବର୍ଣ୍ଣନା କରି କବିତ୍ୱକୁ ଏକାବେଳେ ନିଜସ୍ୱ କରି ନେଇଛନ୍ତି । ତାଙ୍କର କବିତାମାନଙ୍କ ମଧ୍ୟରୁ—
‘‘ଲକ୍ଷ୍ମୀ ବିଳାସ ବି-ନ୍ୟାସ ବିନାଲେଶ
‘‘ନେଲେ ହରି ହରି ହରିଣ ନେତ୍ରାକୁ
‘‘ପୁରୋଧା ନନ୍ଦନା ସାରି ବନ୍ଦାପନା
ମଣ୍ଡିଦେଇ ଧଣ୍ଡିଦେଇ ଧଣ୍ଡି-ପ୍ରସାଦ”
‘‘ନନ୍ଦିଘୋଷକୁ ଇନ୍ଦିବର ସୁନ୍ଦର
—ଏପରି ଶତ ଶତ ପଦ ଆଜି ମଧ୍ୟ ଲୋକେ ପ୍ରବଚନ ଭାବରେ ଗାଁ ଗାଁରେ ଗାଇଥାନ୍ତି । ସୁର ଧରି ତାଙ୍କ କବିତା ଗାଇଦେଲେ ସତରେ ଗଛରୁ ଫୁଲ ଝଡ଼ିପଡ଼ିବ । ପଥର ତରଳିଯିବ, ବାଘଭାଲୁ ଥୟହୋଇ ରହିଯିବେ ବୋଲି ପ୍ରବାଦଅଛି ।
ମହେନ୍ଦ୍ର ମଣି ସୁନ୍ଦର ଯଦୁବୃନ୍ଦ ପୁରନ୍ଦର ରୌପ୍ୟ କନ୍ଦର
ନାଥ ଯା ପାଥୋଜ ପଦାଙ୍କେ ପକାନ୍ତି ମଥାମୁଦି ନେତ୍ର ପନ୍ଦର
ଯାହା ରୋମମାଳ ଲତା ଆଳବାଳ ସଦୃଶ ବ୍ରହ୍ମାଣ୍ଡ ମଣ୍ଡଳ (୩/୨୩)
କବି ତାଙ୍କ କବିତାରେ ଆଧୁନିକତାକୁ ମଧ୍ୟ ନିପୂଣ ଭାବେ ଯୁକ୍ତିଯୁକ୍ତ ଭାବରେ ରଖିଛନ୍ତି । କିନ୍ତୁ ସେ ଏ କାବ୍ୟରେ ପ୍ରୟୋଜନୀୟ-ରୀତି ରକ୍ଷାକୁ କେବେହେଲେ ଭୁଲିନାହାନ୍ତି । କାରଣ ରୀତିର ବୈଦର୍ଭୀ ରଚନାରେ ମାଧୁର୍ଯ୍ୟ ବ୍ୟଞ୍ଜିତ ବର୍ଣ୍ଣ ବିନ୍ୟାସ ଓ ଗୌଡ଼ୀ ରଚନାରେ ଓଜ-ପ୍ରକାଶକ ବର୍ଣ୍ଣ ଓ ଆଡ଼ମ୍ବରଯୁକ୍ତ ସମାସ ବହୁଳ ରଚନା ଏମନ୍ତକି ସୁଖବୋଧ, ସାଡ଼ମ୍ବର, ସାଳଙ୍କାର ବର୍ଣ୍ଣନା ଭରି ଦେଇଛନ୍ତି ।
‘‘ଧରାଧର ପୟୋଧରା ଧୀରାବୃନ୍ଦ, ପର୍ବ ଶର୍ବରୀଶ ଗର୍ବ ବିମର୍ଦ୍ଦନ ହାସ, ସ୍ୱର୍ଗସରଣୀ ବିଳାସିନୀ ଗର୍ଭଳସୀ ରାଜହଂସୀ ଗମନ ଶୋଭା” ଇତ୍ୟାଦିକୁ ପାଠକ ପଢ଼ି ଜାଣିବେ । ତାଙ୍କର ଏହି ରଚନାରେ ଅଶ୍ଳୀଳ ବର୍ଣ୍ଣନା ଗୋଟିଏ ଧାଡ଼ି ହେଲେ ସେ ରଖିନାହାନ୍ତି । ଯାହା ବା ଆଦିରସାତ୍ମକ ବର୍ଣ୍ଣନା ରହିଛି, ଏପରି ଶ୍ଲେଷରେ ବ୍ୟଞ୍ଜିତ ଯେ ବରଂ ତା ପଢ଼ି ଜଣେ ଯୋଗୀମଧ୍ୟ ଆନନ୍ଦ ପ୍ରକାଶ କରିବ । ଦ୍ୱିତୀୟ କଳାର ୧୨, ୧୩, ୧୪ ପଦଟିମାନ ପାଠକଲେ ପାଠକ ତାହା ସମଝିବେ ।
ଏହି ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ରର କବି ନିଶ୍ଚୟ ଯେ ସଂସ୍କୃତରେ ପଣ୍ଡିତ ଥିଲେ ଏହା କହିବା ଅନାବଶ୍ୟକ । କିନ୍ତୁ ରଚନାକୁ ସେ ଏପରି ନିଜସ୍ୱ କରିଛନ୍ତି ଯେ, ତାହା ଧରି ଦେବାର ସୁବିଧା ହୁଏ ନାହିଁ । ତେବେ ବହୁ ଆଲୋଚନାର ପରେ ପଣ୍ଡିତମାନେ ତାହା ନିଶ୍ଚୟ ଜାଣିଯିବେ । ସେ ପାଣିନୀଙ୍କ ବ୍ୟାକରଣଠାରୁ ଆରମ୍ଭ କରି ଅଳଙ୍କାର ଶାସ୍ତ୍ର, ଭେଷଜ ଶାସ୍ତ୍ର, ଜ୍ୟୋତିଶାସ୍ତ୍ର, ଭକ୍ତିଶାସ୍ତ୍ର ଏବଂ ନିଗୂଢ଼ ଦର୍ଶନ ଆଦିର ବହୁ ଉଦାହରଣ ଦେଇଛନ୍ତି । ସେ ସବୁ ପାଠକ ତାଙ୍କ ଗ୍ରନ୍ଥ ପାଠ କରି ନିଶ୍ଚୟ ଜାଣିବେ । ଉଦାହରଣ ଦେବା ନିଷ୍ପ୍ରୟୋଜନ ।
କବିତ୍ୱ ଏବଂ ପ୍ରତିଭା ଏକତ୍ର ଘନିଷ୍ଟ ନ ହେଲେ ଏପରି ପ୍ରଜ୍ଞା ଏବଂ କବିତ୍ୱ ପ୍ରକଟିତ ହେବା ଅସମ୍ଭବ ମନେ ହୁଏ । ରୁକ୍ମିଣୀ ପରିଣୟ ବିବରଣ ଆମେ ଦଶଥର ବିଭିନ୍ନ କାବ୍ୟ ପୁରାଣାଦିରୁ ପାଠ କରି ସାରି, ଯେବେ ଯଦୁମଣିଙ୍କ ରଚନା ପାଠକରୁଁ ତେବେ ଆମେ ତାହା ନୂଆ ପଢ଼ିଲୁ ବୋଲି ନିଶ୍ଚୟ ମନେ ହେବ ।
କବି ତାଙ୍କ କାବ୍ୟରେ ଶୃଙ୍ଗାର, କରୁଣ, ଶାନ୍ତ, ରୌଦ୍ର ବୀର, ଅଦ୍ଭୂତ, ହାସ୍ୟ, ଭୟାନକ, ବୀଭତ୍ସ ରସମାନଙ୍କୁ ଯେପରି ଯଥାସ୍ଥାନରେ ଅବସ୍ଥାନ୍ତର ଭେଦରେ ଖଞ୍ଜିଛନ୍ତି ସେପରି ସ୍ଥାୟୀ ଭାବର ଲକ୍ଷଣମାନ ଯଥା ରତି, ଶୋକ, ନିର୍ବେଦ, କ୍ରୋଧ, ଉତ୍ସାହ, ବିସ୍ମୟ, ହାସ୍ୟ, ଭୟ, ଜୁଗୁପ୍ସା ଆଦିକୁ ମଧ୍ୟ ସୁନ୍ଦର ଭାବରେ ଥୋଇପାରିଛନ୍ତି । ତାଙ୍କର ଅପଟାନ୍ତର ବର୍ଣ୍ଣନାରେ ଅର୍ଥାତ ଶବ୍ଦଗୁଣ ମଧ୍ୟରେ— ଶ୍ଲେଷ, ପ୍ରସାଦ, ସମତା, ମାଧୁର୍ଯ୍ୟ, ସୁକୁମାରତା, ଅର୍ଥବ୍ୟକ୍ତି, ଉଦାରତା, ଓଜ, କାନ୍ତି, ସମାଧି ସର୍ବତ୍ର ପୂରି ରହିଛି । ଏମନ୍ତ କି ଭାବ ବର୍ଣ୍ଣନାରେ ହର୍ଷ, ସ୍ମୃତି, ବ୍ରୀଡ଼ା, ମୋହ, ଧୃତି, ଶଦ୍ଧା, ଗ୍ଲାନି, ଦୈନ୍ୟ, ଚିନ୍ତା, ମଦ, ଶ୍ରମ, ଗର୍ବ, ନିଦ୍ରା, ମତି, ବ୍ୟାଧି, ତ୍ରାସ, ସୁପ୍ରି, ବିବୋଧ, ଅମର୍ଷ, ଅବହିତ୍ଥ, ଉଗ୍ରତା, ଉନ୍ମାଦ, ମରଣ, ବିତର୍କ, ବିଷାଦ, ଔତ୍ସୁକ୍ୟ, ଆବେଗ, ଜଡ଼ତା, ଆଳସ୍ୟ, ଅସୁୟା, ଅପସ୍ମାର, ଚପଳତା, ନିର୍ବେଦ, ଦେବପ୍ରୀତି ଆଦି ଖଞ୍ଜିବାରେ ସେ ଅତ୍ୟନ୍ତ ନିପୂଣ ସାମର୍ଥ୍ୟ ପ୍ରକାଶିତ କରିପାରିଛନ୍ତି ।
ଏପରି ବିଚାରବନ୍ତ ଭାବରେ ସେ ନାୟିକାମାନଙ୍କୁ ବର୍ଣ୍ଣନା କରିଛନ୍ତି ଯେ ଜଣାଯାଏ କାମଶାସ୍ତ୍ରରେ ତାଙ୍କର ଅସୀମ ଦକ୍ଷତା ଜନ୍ମିଥିଲା । ଅବଶ୍ୟ ରାଜକୁମାରୀଙ୍କୁ ପଦ୍ମିନୀ ଭାବରେ ଏବଂ ସଖୀମାନଙ୍କ ମଧ୍ୟରେ ଅନ୍ୟାନ୍ୟମାନଙ୍କୁ ଚିତ୍ରିଣୀ, ଶଙ୍ଖିନୀ ଭାବରେ ସେ ଚିତ୍ରିତ କରିଛନ୍ତି ।
ବିଶେଷ ଭାବରେ ଦେଖିବାର କଥା ଯେ ରୁକ୍ମିଣୀ ଯେଉଁ ପତ୍ରଖଣ୍ଡି କୃଷ୍ଣଙ୍କୁ ଲେଖିଛନ୍ତି, ତାହା ସାତଟି ପଦରେ ସଂପୂର୍ଣ୍ଣ । ଏବଂ ଏତେ ପ୍ରଲୋଭନୀୟ ଯେ ବଡ଼ ବଡ଼ ଗ୍ରନ୍ଥକର୍ତ୍ତାମାନଙ୍କର ଯେପରି ଏକ ଏକ ଅଂଶ ତଦ୍ୱାରା ତୁଣ୍ଡେ ତୁଣ୍ଡେ ଜନସମାଜରେ ରହି ଆସିଛନ୍ତି । ଏ ସବୁ ଏବେ ମଧ୍ୟ ଗ୍ରାମେ ଗ୍ରାମେ ତୁଣ୍ଡେ ତୁଣ୍ଡେ ବୋଲା ହେଉଥିବାର ଶୁଣାଯାଏ ।
ରୁକ୍ମିଣୀ କୃଷ୍ଣଙ୍କ ରୂପ, ଗୁଣାଦି ଭାଟଠୁଁ ଶୁଣି ତାଙ୍କଠାରେ ଆତ୍ମାର୍ପଣ କରି ଦେଇଥିଲେ । ଅବଶ୍ୟ କଂସବଧ, ଯୋଗୁଁ ଜରାସନ୍ଧ ଦୌରାତ୍ମ୍ୟରେ ଦ୍ୱାରକାପୁରୀର ନିର୍ମ୍ମାଣ ଆଦି ସେତେବେଳେ ପ୍ରଚାରିତ ହୋଇଥିଲା । କୃଷ୍ଣ ଜଣେ ପରମପୁରୁଷ ଏ ସମ୍ବାଦ ମଧ୍ୟ ଲୁଚି ନଥିଲା । ଶିଶୁପାଳ ଜଣେ ଘୃଣ୍ୟ, ଅତ୍ୟଚାରୀ ନିଷ୍ଠୁର ବ୍ୟକ୍ତି ବୋଲି ରୁକ୍ମିଣୀଙ୍କୁ ମଧ୍ୟ ଜଣାଥିଲା । ତେଣୁ ସେ ନିଜର ଭାଗ୍ୟ ନିଜେ ଗଢ଼ିବାକୁ ଯେତେବେଳେ ଗଲେ, କଣ କରିବେ ନାରୀର ଯେଉଁ ଗର୍ବଟିକକ ତାହା ଜଣେ ଅପରିଚିତ ପୁରୁଷଠାରେ ସମର୍ପି ଦେବାକୁ ବାଧ୍ୟ ହୋଇଥିଲେ । ତେବେ ସେ ତାହା ଅପାତ୍ରରେ ଦାନ କରି ନଥିଲେ । ତାଙ୍କ ଚିଠି ରଚନା ଏହିପରି—
ପଦାଙ୍ଗୁଳିରୁ ଢ଼ାଳି ବ୍ରହ୍ମସଲୀଳ ଶୂଳି
ସିନ୍ଧୁ ସିନ୍ଧୁକ ହେଲା ପୁଚ୍ଛ
ଶକ୍ର ଆର୍ତ୍ତ କର୍ତ୍ତନ କର୍ତ୍ତରୀ କଲବନ
ନର୍ତ୍ତନକାରୀ ହରି ଅଚ୍ଛ ହେ । ୬।୬ ।
ବ୍ୟାଜ ନୁହେ ଏ ଗୀର ତ୍ୟାଗ କରି ନପାର
ମଥା ପୋତିଲେ ବ୍ୟଥା ଲଭିବଟି ସର୍ବଥା
ମିଥ୍ୟା ଏ ନୁହନ୍ତି ଶ୍ରୀବତ୍ସ
ତୁମ୍ଭଙ୍କୁ ଦେଲି ବହ ବହିବା ପାଇଁ ସ୍ନେହ
ବହି ତ ହୋଇଥିଲ କଚ୍ଛା । ୬।୧୨ ।
ପତ୍ର ଲିଖିତ ୭ଟି ପଦର ସାରାଂଶ ହେଳା—’‘ହେ ଯଦୁବର ! ତୁମ୍ଭେ ଦିନେ ସ୍ୱ ଅଙ୍ଗୁଳି ଘାତରେ ଜଗତତ୍ପାବିନୀ ଗଙ୍ଗାଙ୍କୁ ଜନ୍ମାଇ ସେଥିରେ ଶିବଙ୍କ ଗରଳ ଜ୍ୱାଳା ନିବାରଣ କରିଥିଲ । ଦିନେ ମତ୍ସ୍ୟ ରୂପରେ ବ୍ରହ୍ମାଙ୍କ ବେଦକୁ ଅପାର ସମୁଦ୍ରରୁ ଉଦ୍ଧାର କରିଥିଲ, ପୁଣି ଦିନେ ଭୀତ ଇନ୍ଦ୍ରଙ୍କ ଲାଗି ମର୍କଟ ଓ ଭଲ୍ଲୁକଙ୍କ ସଙ୍ଗରେ ରହି ରାବଣ ବଧ କରିଥିଲ ସତ କିନ୍ତୁ ଏ କାର୍ଯ୍ୟରେ ତୁମର ପ୍ରଶଂସା କଣ ହେବ ? କାରଣ ତୁମ୍ଭେ ହରିହର ଏକାତ୍ମା ହେତୁ ଏକତନୁ । ତୁମ୍ଭ ନାଭୀ କମଳରୁ ବ୍ରହ୍ମା ଜନ୍ମିବାରୁ ସେ ତୁମର ତନୁଜ । ଇନ୍ଦ୍ର ଉପେନ୍ଦ୍ର ତୁମ୍ଭେ ଦୁଇଭାଇ ହେତୁ ଇନ୍ଦ୍ର ତୁମାର ଭାଇ । ତା ଛଡ଼ା ପ୍ରଳୟ ଘୁଞ୍ଚାଇ ତୁମ୍ଭେ ମାର୍କଣ୍ଡେୟଙ୍କୁ ଯେ ରକ୍ଷା କରିଥିଲ ସେଥିରେ ମଧ୍ୟ ତମର ପ୍ରଶଂସା ନାହିଁ । କାରଣ ତାଙ୍କୁ ତ ତୁମ୍ଭେ ତୁମଠୁ ସ୍ୱତନ୍ତ୍ର ଜଣେ ବୋଲି କହ ନାହିଁ । ପୁନଶ୍ଚ ଗୋପୀନୀଙ୍କ ପ୍ରେମରେ ମତ୍ତ ଥିବାରୁ ଗୋବର୍ଦ୍ଧନ ଯାହା ଧରିଥିଲ, ଏଥିରେ ବା କି ପ୍ରଶଂସା ତୁମର ଅଛି ? ହସ୍ତୀକୁ ରକ୍ଷା କଲ ବୋଲି ଲୋକେ ପ୍ରଶଂସା କରିଥାନ୍ତି । ମୁଁ ଭାବୁଛି ତୁମ୍ଭେ କାନ୍ତା (ନାରୀ) ସ୍ନେହୀ ଥିବାରୁ ହସ୍ତୀଠାରେ ଧୀର ଗମନ ଦେଖି ତାକୁ ନିଶ୍ଚୟ ରକ୍ଷା କରିଚ । ଏଠି କିଏ କହିପାରେ, କୁବଳୟା ତ ପୁଣି ଏକ ଗଜ ଥିଲା । ତା’ର କ’ଣ ଧୀର ଗମନ ନ ଥିଲା କି ? ତାକୁ ତା ଦାନ୍ତ ଉପାଡ଼ି କିଆଁ ମାଇଲ ? ମନେ ହୁଏ ଯେଉଁ ଗଜକୁ ତୁମେ ରଖିଲ ସେ ରଖ ରଖ ବୋଲି କରୁଣ ଧ୍ୱନି କରିଥିଲା । ଏଥିରୁ ଜଣାଗଲା ତୁମ୍ଭଙ୍କୁ ଭକ୍ତିରେ ନ ଡାକିଲେ ତୁମ୍ଭେ ନାରୀ ସ୍ନେହୀ ଭାବରେ ନାରୀର ଲକ୍ଷଣ ଦେଖି ମଧ୍ୟ ଦୟାର୍ଦ୍ର ହୋଇ ନ ଥାଅ । ବସ୍ତୁତଃ ନାରୀ ପ୍ରତି ପୁରୁଷ ସର୍ବତ୍ର ଆକାଙ୍କ୍ଷୀ ହୋଇଥାଏ । କିନ୍ତୁ କଣ କରିବି ଏପରି ଅସୁବିଧାରେ ମୁଁ ପଡ଼ିଛି ଯେ ତୁମ୍ଭଙ୍କୁ ବୋଧହୁଏ ଭକ୍ତିରେ ନ ଡାକିଲେ ତୁମ୍ଭେ ମୋ ଡାକ ଶୁଣିବ ନାହିଁ । ତେବେ ଶୁଣ— ନାଦେ ସଫା ମତେ ଆଶୀର୍ବାଦ କଲେ ଯେ ମୁଁ ତୁମକୁ ଲଭିବି । ଭାବୁଛି, ସତରେ ତାଙ୍କ ପରି ଦେବର୍ଷିଙ୍କ ବଚନ କଣ ମିଥ୍ୟା ହେବ ?— ମୋ ଜୀବ ବୃକ୍ଷକୁ କଣ ଶିଶୁପାଳ ରୂପକ ଜ୍ୟେଷ୍ଠ ମାସର ଗ୍ରୀଷ୍ମରେ ପୋଡ଼ି ଦିଆଯିବ ? ମୋର ଆଶା, ତୁମ୍ଭେ ନିଶ୍ଚୟ ନବୀନ ମେଘ ହୋଇ ବର୍ଷାଦିନରେ ମୋତେ ବଞ୍ଚାଇବ । ମନେ ରଖ, ଗୋଟିଏ ଅନ୍ତଃପୁରଚାରିଣୀ ଯୁବତୀର ଏହା କେବେ କାପଟ୍ୟ ନୁହେଁ । ମୁଁ ତୁମର ପିଲା ଦିନର କଥା ସବୁ ବହୁତ ଶୁଣିଛି । ତେଣୁ ଜାଣିଛି ଯେ— ତୁମ୍ଭେ କେବେ ଜଣେ ଅସହାୟା ଯୁବତୀ ପ୍ରତି ନିର୍ଦ୍ଦୟ ହେବନି । ତେଣୁ ଗୋଟିଏ ସରଳା ବାଳିକାର ଭାର ତୁମ୍ଭେ ବହନ କର । କାରଣ ମହା ଭାର ବହନରେ ତୁମ୍ଭେ ଯେ ଦିନେ କଚ୍ଛପ ରୁପ ଧରିଥିଲ ? ନ ହେଲେ ମୋର ମୃତ୍ୟୁ ସୁନିଶ୍ଚିତ ଜାଣିବ ।
ରୂପ ଗର୍ବିଣୀ ରମଣୀ କେବେ କାହାକୁ ସ୍ୱାମୀ ରୂପେ ପାଇବା ଲାଗି ନିବେଦନ କରି ନ ଥାଏ । ଅବା ସାବିତ୍ରୀଙ୍କ ପରି ବରଣ କରିଥାଏ । କିନ୍ତୁ ଘଟଣା ଚକ୍ରରେ ମୃତ୍ୟୁ ବରଣ କରିବା ଅପେକ୍ଷା ଏପରି ନିବେଦନ କରିବାକୁ ରୁକ୍ମିଣୀ ସମୀଚୀନ ବୋଲି ମନେ କରିଛନ୍ତି ।
ଏହି କାବ୍ୟ ଗ୍ରନ୍ଥର ବିଭିନ୍ନ ପ୍ରୟୋଗରେ ଏକାକ୍ଷର, ସଡ଼ଷ୍ଠକ, ନିରୋଷ୍ଠକ, ଅବନା ପ୍ରଭୃତି ଶବ୍ଦାଳଙ୍କାରର ଉଦାହରଣ ନ ଥାଇପାରେ; କିନ୍ତୁ ଉପମା, ଅନୁପ୍ରାସ, ଯମକ, ଶ୍ଳେଷ, ଅଦଭୁତୋପମା, ଅନ୍ତର୍ଲିପି, ବହିର୍ଲିପି ଆଦି ଦେଇ ଗ୍ରନ୍ଥକର୍ତ୍ତା ନିଜ ଗ୍ରନ୍ଥରେ ସୌନ୍ଦର୍ଯ୍ୟ, ଚାତୁର୍ଯ୍ୟ ବୈଚିତ୍ର୍ୟ ସୃଷ୍ଟି କରି ପାଠିକା ପାଠକମାନଙ୍କୁ ମୁଗ୍ଧ ଓ ମୋହିତ କରି ପାରିଛନ୍ତି ।
ଏହି ଗ୍ରନ୍ଥରେ କବି ନିଜକୁ ଶୁଦ୍ର ବୋଲି ବର୍ଣ୍ଣିତ କରି ତାଙ୍କର ମୁଖୋଚ୍ଛିଷ୍ଟ ସ୍ୱରୂପ କବିତାମାନ ସର୍ବସାଧାରଣ ଗ୍ରହଣ କରିବାର ଯେଉଁ ଯୁକ୍ତି ଦେଇଛନ୍ତି ତାହା ଏ ଗ୍ରନ୍ଥରେ ବହୁ ସ୍ଥାନରେ ବର୍ଣ୍ଣିତ ହୋଇଅଛି । ସେଥିରୁ ତାଙ୍କର ମାହାତ୍ମ୍ୟ ପ୍ରତିପାଦିତ ହେବ ।
ପୁନଶ୍ଚ ଏହି କାବ୍ୟ ପ୍ରବନ୍ଧ-ପୂର୍ଣ୍ଣଚନ୍ଦ୍ର ଘେନି ସ୍ୱନାମଧନ୍ୟ ପଣ୍ଡିତ ବିନାୟକ ମିଶ୍ର ଯେପରି ଆଲୋଚନା କରିଛନ୍ତି, ପାଠ କଲେ ତାହା ପାଠିକା ଏବଂ ପାଠକମାନେ କବିଙ୍କର ଏକ ବିଶେଷ ମହତ୍ୱ ଉପଲବ୍ଧି କରିପାରିବେ । ତେଣୁ ଏଥିରେ ତାହା ଉଦ୍ଧାର କରାଗଲା ।
‘‘ଶ୍ଲେଷାଳଙ୍କାର, ଯଦୁମଣି ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ରରେ ବହୁଳ ପରିମାଣରେ ବ୍ୟବହାର କରିଅଛନ୍ତି । ବୃକ୍ଷ ଓ ଋଷି ଉଭୟ ନାମବାଚକ ଏକ ଏକ ଶବ୍ଦକୁ ରୈବତ ପର୍ବତର ବର୍ଣ୍ଣନାରେ ବ୍ୟବହାର କରିଅଛନ୍ତି । ଏଠାରେ ପ୍ରଶ୍ନ ଉଠେ, ଏକ ଶବ୍ଦ ବୃକ୍ଷ ଓ ଋଷି ଉଭୟ ନାମବାଚକ ହେବାର କାରଣ କଣ ? ବୌଦ୍ଧ ସନ୍ନ୍ୟାସୀମାନଙ୍କୁ କେତେକ ବୃକ୍ଷ ମୂଳରେ ବାସ କରିବା ପାଇଁ ବୌଦ୍ଧ ଶାସ୍ତ୍ରରେ ନିର୍ଦ୍ଦେଶ ଦିଆଯାଇଅଛି । ଏଣୁ ଅନୁମିତ ହୁଏ ଯେ ଯେଉଁ ଋଷି ଯେଉଁ ବୃକ୍ଷମୂଳରେ ବାସ କରୁଥିଲେ ସେହି ଋଷିଙ୍କ ନାମ ଅନୁସାରେ ସେହି ବୃକ୍ଷର ନାମକରଣ ହୋଇଅଛି । ଏହିପରି ଭକ୍ତ ସୂତ୍ର ପ୍ରଣେତା ଋଷିଙ୍କ ନାମ ଶାଣ୍ଡିଲ୍ୟ ଓ ବେଲଗଛର ନାମ ସାଣ୍ଡିଲ୍ୟ ।
ମାତଙ୍ଗ କୁମ୍ଭ ଅଗସ୍ତୀ ସଂସଗୀ
ଶାଣ୍ଡିଲ୍ୟେ କଉଶିକ ଡ଼ାକେ ବ୍ୟାସ
(ପଣ୍ଡିତ ମିଶ୍ର ତାଙ୍କ ଲେଖାରେ ଏହି ପଦଟି ଦେଇ ନାହାନ୍ତି କିନ୍ତୁ ଏହି ପଦ ଲକ୍ଷରେ ସେ ଲେଖିଥିବାରୁ ଏଠାରେ ଉଦ୍ଧାର କରାଯାଇଛି । ଏହାର ଟୀକା ଗ୍ରନ୍ଥରେ ଦ୍ରଷ୍ଟବ୍ୟ —ଛା ୧−୧୪ ପୃଷ୍ଠା)
‘ନାୟିକାର ବନବିହାର ପ୍ରସଙ୍ଗରେ ଯଦୁମଣି ଯେପରି ଶ୍ଳେଷାଳଙ୍କାର ବ୍ୟବହାର କରିଅଛନ୍ତି, ସେପରି ଅର୍ଥ— ବିଶିଷ୍ଟତାର ଶ୍ଲେଷ ଅନ୍ୟ କୌଣସି କାବ୍ୟରେ ବୋଧହୁଏ ନାହିଁ ।
କେ କହିଲା ନାଗେଶ୍ୱର ପଦ୍ମତୋଳା
ବିଦ୍ୟାରେ ନରେନ୍ଦ୍ର ମୁଁ ଅଟେ
ରଜନୀ କର ଚାଳିଲେ ସେ ନାଗର ଉଗ୍ର ପରିତାପ ହରିବୁ ।
‘‘ନାଗେଶ୍ୱର ଓ ପଦ୍ମଫୁଲ ତୋଳିବା ବିଦ୍ୟା ଏବଂ ନାଗେଶ୍ୱର ବଜାଇବା ଓ ପଦ୍ମତୋଳା ଗାଇବା ବିଦ୍ୟା । ଭୋଗୀ−ବିଳାସୀ ଓ ସର୍ପ, ବିଳାସୀର ଫୁଲ, ସର୍ପର ବାଜାଗୀତ ଲୋଡ଼ା । ରଜନୀକର ଚାଲିଲେ—ଚନ୍ଦ୍ର ଚାଳନା କଲେ ଓ ଧୂଳି ସମୂହ (ରଜନିକର) ମନ୍ତ୍ର ଫିଙ୍ଗିଲେ । ନାଗ−ରସିକର ଓ ସର୍ପର ।
‘‘ଅନ୍ୟାନ୍ୟ କବିଙ୍କ ପରି କେବଳ ଫୁଲ ଓ ଶିବ ଅର୍ଥରେ ଯଦୁମଣି ‘ନାଗେଶ୍ୱର’ ଶବ୍ଦ ବ୍ୟବହାର କରି ନାହାନ୍ତି । ଆହୁରି ଭିନ୍ନ ପ୍ରକାରର ଶ୍ଲେଷ ମଧ୍ୟ ତାଙ୍କ କାବ୍ୟରେ ଦେଖାଯାଏ ।
ଶଙ୍କର ପର−ଜରେ ପଡ଼ିରହିଲେ ଯୋଗ ଆଶାବରୀ ଗଉରୀ
ଲଳିତ ବସନ୍ତ ଭୈରବ ଦେବାରୁ ବହିବ କୋଳାହଳ ପୁରୀ
ମାଳବରେ ଯେ, ହୋଇବ ଶଙ୍କରାଭରଣ
ବିଷ ଆହାରି ହୋଇବୁ ନ ଭେଟିଲେ ମୋହନ ମଙ୍ଗଳ କଲ୍ୟାଣ !
ଶଙ୍କରପର−ଜରେ−କାମଜ୍ୱରରେ, କେବଳ ଆଶକୁ ବରଣ କରିବା ଘେନି (ଆଶାବରୀ) ଗୌରୀ ବା ପାର୍ବତୀ ପଡ଼ି ରହିଥିଲେ । (ସେପରି ପଡ଼ି ରହିଲେ ଏ ନାୟିକା ପାର୍ବତୀ ହେବ । କିନ୍ତୁ ଲଳିତ ବସନ୍ତ ଋତୁ ଭୈରବ (ଭୟ) ଦେବାରୁ ଏ ପୁରୀରେ କୋଳାହଳ ପଡ଼ିଛି । ମାଳ−ଶ୍ରେଷ୍ଠଦ୍ୱାରା ଶିବଙ୍କର ଅଳଙ୍କାର ହେବ । ମଙ୍ଗଳ କଲ୍ୟାଣ ମୋହନଙ୍କୁ ନ ଭେଟିରେ ବିଷାହାରୀ ହେବୁ ବା ବିଷ ଖାଇବୁଁ । ଏହି ସାଧାରଣ ଅର୍ଥ ଛଡ଼ା ଶଙ୍କର ପରଜ ରାଗରୁ କିପରି ଆଶାବରୀ ଓ ଗୌରୀ, ଲଳିତ ବସନ୍ତ ରାଗରୁ ଭୈରବ ପ୍ରଭୃତି ରାଗର ଉତ୍ପତ୍ତି ଘଟେ, ତହିଁର ସୂଚନା ମଧ୍ୟ ଅଛି । ସଙ୍ଗୀତଜ୍ଞମାନେ ଏହାକୁ ଆଲୋଚନା କରିବା ଉଚିତ ।”
(ଓଡ଼ିଆ ସାହିତ୍ୟର ଇତିହାସ ।)
ଯଦୁମଣିଙ୍କର ଚଉପଦୀମାଳା କେତେକ ଅନବଦ୍ୟ କବିତାର ସମଷ୍ଟି । କିପରି ତାହା ସଂଗ୍ରହ କରାଯାଇଛି ତାର ଇତିହାସ ପୂର୍ବରୁ ଦିଆଯାଇଛି ।
୨୮ଟି କବିବାରୁ ୪ଟି କବିତା ଭଜନ ଭାବରେ ଗ୍ରହଣ କରାଯାଏ । ଏହି ଭଜନ ମଧ୍ୟରେ ପୁତ୍ରଶୋକାତୁର ଯଦୁମଣି ‘ଦେଲ ଯାହା ନେଲ ତାହା’ କବିତାଟି ଏକାନ୍ତ ଯୁକ୍ତିଯୁକ୍ତ ଓ ମଧୁର ଭାବରେ ଗାଇଛନ୍ତି । କବିତାଟିର ମର୍ମ୍ମହେଲା—
ଯେପରି କଂସ ଗଜକୁ ମାଇଲ, ସେପରି କୁମ୍ଭୀରଠାରୁ ଗଜ ଏକ ରକ୍ଷା କଲା । ଯେପରି ବଳୀର ଦାନ ବିଭୂତିକୁ ଲୋପକଲ, ସେପରି ଅକିଞ୍ଚନ ସୁଦାମକୁ ପ୍ରଚୁର ଦାନକଲ । ଯେପରି ଗୋପୀଙ୍କ ମହତ୍ୱ ନେଲ, ସେପରି କୃଷ୍ଣାଙ୍କୁ କୁରୁସଭାରେ ମହତ୍ୱ ଦାନକଲ ।
ସେ ଜଗନ୍ନାଥଙ୍କ ନିକଟରେ କବିତାଟି ଦେଲ ଯାହା ନେଲ ତାହା ଏହି ଭାବରେ ଗାନ କରିଥିଲେ । କିନ୍ତୁ ରାଜା ବିନାୟକ ତାଙ୍କୁ କହିଥିଲେ, ତାଙ୍କର କାର୍ଯ୍ୟ କ’ଣ ତୁମ୍ଭପାଇଁ ଯଦୁମଣି ଏତିକିରେ ସରିଗଲା ? ତହୁଁ ସେ ଭାବିଚିନ୍ତି ପରେ ପରେ ‘‘ନେଲ ଯାହା−ଦେଲ ତାହା” ଭାବରେ ପରିବର୍ତ୍ତନ କରି ପ୍ରଚାର କରିଥିଲେ ।
ଅନୁପ୍ରାସ ଖଞ୍ଜିବାରେ ସେ ଜଣେ ବିଚକ୍ଷଣ କବି ଥିଲେ । ଉଦାହରଣ ସୂରୁପ କକା, ବକା, ଦକା ଡକା ଧକ୍କା, ପକ୍କା, ଏକା ଏବଂ ବିରଞ୍ଚି, ବିପଞ୍ଚ, ମଞ୍ଚୁ, କୁଞ୍ଚିଚ୍ଛ, ବିଂଚୁଥିଲି, ସଂକୁଚିତ, କିଂଚିତ, ଗାଞ୍ଚି ପହଞ୍ଚ ଆଦି ପ୍ରୟୋଗ ରେ ସେ ଏପରି ସିଦ୍ଧହସ୍ତ ଯେ କବିତାମାନ ଗାନକରିବାବେଳେ ଅର୍ଥ ବୁଝାବା ନବୁଝ ସ୍ୱତଃ ମୁର୍ଖଠାରେ ମଧ୍ୟ ଆନନ୍ଦ ଫୁଟିଉଠେ ।
ତାଙ୍କ ସ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସେ ଯେଉଁ ସାତଟି କବିତା ଲେଖିଛନ୍ତି, ତନ୍ମଧ୍ୟରୁ ଗୋଟିଏ ପଦ ଏଠାରେ ଦିଆଯାଉଛି ।
ଚିର ଅଚିର ବୟସୀ ତୁ ଏ ଧରାରେ ।୦ ।
ଖକୁ ଖଙ୍ଗ ଯଦୁମଣି ତୋ ଖଟଣି ପରାରେ ।
ଅର୍ଥାତ ରେ ଖଞ୍ଜନା ( ଖଞ୍ଜନା ନାମ ଧାରିଣୀ) ଖଞ୍ଜ ଅର୍ଥାତ୍ ମୁଁ ତୋ ସେବାରେ ନିଯୁକ୍ତ-। ଅଥବା ତୁ ଖଞ୍ଜନ ଖଞ୍ଜା—ଖଞ୍ଜନା ନାମକ ରାଗିଣୀକୁ ଗାନକରି, ମୋର ଗଞ୍ଜନାକୁ ଖଞ୍ଜାଅ—ଶୂନ୍ୟରେ । ମୋ ମନୋବେଦନା ଦୂରକର । ‘ଖ’ କୁ–ସ୍ୱର୍ଗକୁ–ବା ଆକାଶକୁ, ଗଙ୍ଗା—ସମୁଦ୍ରବାସୀ ମାଛ ବିଶେଷ ଯେପରି ଅତି ଅନୁପଯୁକ୍ତ, ସେହିପରି ସେବା ବିଷୟରେ ଅତି ଅନୁପଯୁକ୍ତ ହେଲେ ସୁଦ୍ଧା ଯଦୁମଣି ତୋ ଖଟଣୀ—ଭୃତ୍ୟ ପରା ? ଅର୍ଥାତ ତୁ ସ୍ୱର୍ଗପରି ଅତି ଉଚ୍ଚରେ ହେଲେ ମୁଁ ସମୁଦ୍ରବାସୀ ଜୀବପରି ଅତି ନିମ୍ନରେ । ତଥାପି ସର୍ବଦା ତୋର ଭୃତ୍ୟ ଅଟେ । ତେଣୁ ତୁ ଖଞ୍ଜନା ରାଗିଣୀ ଗାଇ ମୋର ମାନସିକ ଗଞ୍ଜନା ଦୂରକର ।
(ପଣ୍ଡିତ ଗୋପୀନାଥ ମିଶ୍ରଙ୍କ ଟୀକା)
ଏହିସବୁ ସଙ୍ଗୀତ ମଧ୍ୟରେ ତାଙ୍କ ସ୍ତ୍ରୀଙ୍କୁ ସେ ଯେତେ ପ୍ରକାର ବନ୍ଦନା କରିଛନ୍ତି, ତନ୍ମଧ୍ୟରେ ତାଙ୍କର ଗୋଟିଏ କବିତାରେ ଭର୍ଯ୍ୟାଙ୍କ ବହୁ ସଦ୍ଗୁଣକୁ ବହୁ ସୁଖାଦ୍ୟ ସହିତ ତୁଳନା କରି ଲେଖିଛନ୍ତ -
ତୁ ମୋ ପ୍ରୀତି ମୋଦକୀ ପସରାରେ
ମୁଁ ତୋ ଲାଗୁଆ ଗ୍ରାହକ ପରା । ୦ ।
ସନମାନଟି ତୋ ଛେନା କାକରା । ୧ ।
ଇଙ୍ଗିତ ଭଙ୍ଗିତୋ ସୁରସ ଆରିସା
ରୁଷାଣି ଠାଣିଟି ବଲ୍ଲଭ କୋରା । ୩ ।
ପରିରମ୍ଭଣ ତୋ କନ୍ତାରି ଦୋରୁଅ
ମଦନ ତୃଷାହାରୀ ମନୋହରା । ୪ ।
ଅର୍ଥାତ୍–ହେ ସଖି ! ତୁ ମୋର ପ୍ରୀତିରୂପକ ଗୁଡ଼ିଆ ପସରା ଅଟୁ । ମୁଁ ତୋର ଲାଗୁଆ ଗ୍ରାହକ ଅଟେ—ଏହା ଜାଣ ।
ତୁ ଯେତେବେଳ ଗୁମାନ କରୁ ମୁଁ ତାକୁ ଉକ୍ତ ପସବର ଗଡ଼ସାର ମନେକରେ । ଏବଂ ମୋ ପ୍ରତି ଯେତେ ତୁ ସମ୍ମାନ ଦେଉ ମୁଁ ତାହା ଛୋନକାକରା ପରି ମଣେ । ମୋ ପ୍ରତି ତୋର ଇଙ୍ଗିତ ଏବଂ ଭଙ୍ଗକୁ ଖାଣ୍ଟିଘିଅର ଆରିସା ଓ ମୋ ପ୍ରତି ତୁ ସ୍ନେହକଲେ ମୁଁ ତାକୁ ସରପୁଳି ଓ ସାକରା ପ୍ରାୟ ମନେକରେ । ତୋର ଗାଳି−ପଦକ ମୁଁ ମଧୁ ରସାବଳୀ ଓ ରୁଷାଢଙ୍ଗକୁ ବଲ୍ଲଭ କୋରା ପରି ଭାବେ । ମଦନତୃଷା ହରଣକାରିରେ ମନୋହରା ! ତୋର ଆଲିଙ୍ଗନାଦି ପ୍ରୀତିସଂପନ୍ନ କାର୍ଯ୍ୟକୁ ମୁଁ କନ୍ତାରି ଆଖୁଦୋରୁଅ ପରି ମଣେ । ତୋ ଲାବଣ୍ୟ ଜଳଧିର ଭାବହାବ ଆଶାରେ ଯଦୁବଣି ମନ ଟାକରା ହୋଇ ରହିଛି ।
ତାଙ୍କର ସଂଗୀତମାନ ସେ ରାଗ ଓ ତାଳ ସଂଯୋଗରେ ଲେଖି ଥିବାର ଦେଖାଯାଏ । ଏସବୁ କବିତାମାନ ତତ୍କାଳୀନ ମନୋବୃତ୍ତି ଉପରେ ନାରୀପ୍ରତି ଆକାଙ୍କ୍ଷା ରଖି ଅବଶ୍ୟ ଲେଖାଯାଇଛି । ସବୁକାଳେତ ନାରୀହିଁ କବିର ପରମ ଆଶ୍ରୟ ହୋଇଛନ୍ତି । କବି କାହିଁକି ବିଶ୍ୱଜଗତରେ ମଧ୍ୟ ନାରୀ ପରମ ଧର୍ମ୍ମ ବୋଲି କାଳ କାଳ ପୂଜିତ ହେଉଛନ୍ତି । କାଳୀଦାସ ହୁଅନ୍ତୁ, ରାଧାନାଥ ହୁଅନ୍ତୁ, ସବୁଠାରେ ନାରୀର ଅଙ୍ଗଗଠନ, ତାର କୋମଳନା, ତାର ପ୍ରେମ, ତା ପ୍ରତି ଆକାଙ୍କ୍ଷା ବର୍ଣ୍ଣିତ ହୋଇଅଛି । ନାରୀଭିନ୍ନ ବିଶ୍ୱ−ସାହିତ୍ୟରେ ଉଚ୍ଚଙ୍ଗ କବିତା ନାହିଁ । ତେଣୁ ତାଙ୍କ କବିତା ଯେ ଅନୁପାଦେୟ ବା ହେୟ ଏପରି ମତ କେହି ଦେଇ ନ ପାରେ ।
ସମସ୍ତ କବିତାମାନଙ୍କ ମଧ୍ୟରୁ ନୂଆଁଗଡ଼ ରାଜାଙ୍କ ଭଣତିରେ ୬ଗୋଟି, ଖଣ୍ଡପଡ଼ା ରାଜାଙ୍କ ଭଣତିରେ ୬ ଗୋଟି, ନିଜନାମ ଭଣତିରେ ସ୍ୱ ସ୍ତ୍ରୀଙ୍କ ପ୍ରତି ୭ଟି ଏବଂ ଅନ୍ୟପ୍ରତି ୩ଟି ଏବଂ ଘଟଣା ଚକ୍ରରେ୨ଟି ଏପରି ୨୪ଟି ଏବଂ ଭଜନ ୪ଟି ମିଶି ୨୮ ଟି ଲେଖାଯାଇଛି । ଏହା ବ୍ୟତୀତ ଚଉପଦୀ ଅସଂଖ୍ୟ ଥିବ ।
ଏହି ହେଲା ତାଙ୍କର ସମସ୍ତକୃତୀ ରଚନାର ପରିଚୟ ଏବଂ ବିବରଣ । ତାଙ୍କର ଜୀବନ କଥା ସ୍ୱତନ୍ତ୍ର ପ୍ରକାଶିତ ଅଛି, ତାହା ପାଠକଲେ ସେ କଣ ଥିଲେ, ନ ଥିଲେ ତାହା ସମସ୍ତେ ଜାଣିପାରିବେ । ଆଉ ଅଧିକ ତାଙ୍କ ସମ୍ବନ୍ଧରେ କଣ ବା କୁହାଯାଇପାରେ ?
ଏହି ସ୍ୱର୍ଗାଦପି ଗରୀୟସୀ ଉତ୍କଳ ଭୂମି କୋଳରେ ଜନ୍ମି କେତେ ସୁସନ୍ତାନ ଆମ ଜନନୀର ଭାଷା ସମୃଦ୍ଧି ଓ ସଂରକ୍ଷଣ ଲାଗି କେତେ ଅମୂଲ୍ୟନିଧି କାବ୍ୟ କବିତାଦି ଯେ ଦାନକରି ଯାଇଛନ୍ତି, ସେ ସମୂଜ୍ଜ୍ୱଳ ରତ୍ନମାନ ଏବେ ମଧ୍ୟ ଆମେ ଏକତ୍ର ଦେଖିବାର ସୁଯୋଗ ପାଇପାରି ନାହୁଁ । କାଳ ଅନନ୍ତ, ବ୍ୟବଚ୍ଛେଦ ଦୁର୍ନିରୀକ୍ଷ; ସୁତରାଂ ଏହି ପ୍ରାଚୀନତମ ପ୍ରତିଷ୍ଠିତ ଭୂମିର ନିଦର୍ଶନମାନ ଶାସ୍ତ୍ର ମାଧ୍ୟମରେ, କଳା ମାଧ୍ୟମରେ, ଲିପି ମାଧ୍ୟମରେ ସ୍ଥୂଳଦୃଷ୍ଟିର ଅଧିଗମ୍ୟ ନୁହେଁ । ତେଣୁ ଏ ରାଜ୍ୟର ଇତିହାସ ଏବେ ମଧ୍ୟ ଲେଖା ଆରମ୍ଭ ହୋଇନାହିଁ । ଏ ଜାତିର ସଂସ୍କୃତି, ଏ ଜାତି ସାହିତ୍ୟର ଇତିହାସ ଏବେ ମଧ୍ୟ ବିସ୍କୃତଗର୍ଭରେ ଲୁଚି ରହିଛି । ତାର ଆଲୋଡ଼ନ ଲାଗି ସ୍ୱୟଂ ଉତ୍କଳ ସନ୍ତାନ ମଧ୍ୟ ତାର ଜନନୀ ପ୍ରତି ବିଶ୍ୱାସୀ ଓ ପ୍ରୀୟତମ ହୋଇପାରିନି । ଯାହା ହୋଇଚି ତା ସମୁଦ୍ରକୁ ଶଙ୍ଖେ ପଣା ପରି ।
ନିଦିଧ୍ୟାସନ, ନିପୁଣତମ ଉଦ୍ଯୋଗ, ନିଜର ପରଂପରା ପ୍ରତି ବିଶ୍ୱାସ ନ ଆଣି ଆମେ ଉତ୍କଳୀୟ ଏପରି ଦୀନହୀନ କାପୁରୁଷ ହୋଇପଡ଼ିଛୁ । ଯେ ଜଣେ ଆଧୁନିକତମ ଯଦୁମଣି ମହାପାତ୍ର ଏକ୍ଷଣି ଲୋଡ଼ା ହେଉଛନ୍ତି—ଯେ କି ହିମାଳୟଠାରୁ କୁମାରିକା ମଧ୍ୟରେ ଏ ଜାତିର ମହତ୍ୱ ଓ କୀର୍ତ୍ତି ଆଦି ନିର୍ଭୀକ ଏବଂ ଦମ୍ଭୀକ ଏବଂ ଦାମ୍ଭୀକତାର ସହିତ ପ୍ରଚାର କରିପାରିବେ ।
ରଜା କହିଲେ ‘ତୋ’ ଟାକୁ ଯିବୁ—ଯଦୁମଣି କହିଥିଲେ—‘ତୋ ରାଣୀ’ ସାରି ଆସେ । ମୁଣ୍ଡ କଟୁପଛେ ଏପରି ଯେସାକୁ ତେସା ନୀତିରେ ଦମ୍ଭ ନ ଧଇଲେ, ରାଜପୁରୁଷମାନେ ଦିନେ ଯାହା କରୁଥିଲେ ବର୍ତ୍ତମାନ ମଧ୍ୟ ତା କରିବେ । ଯାହା କରୁଛନ୍ତି ତା କରୁଥିବେ । ଆକବରଙ୍କ ପାପ ଇଚ୍ଛା ଦୂରହେଲା, କବି ପୃଥ୍ୱୀରାଜଙ୍କ ସ୍ତ୍ରୀଙ୍କ ସୁନେଲି ତଟି ଆଘାତରେ । ଯଦୁମଣି ରାଜା ପାପ ଇଚ୍ଛା ଦୂର କରିଥିଲେ— ମାସ୍ତୁଲ ଦେଖାଇ ।
ମରଣକୁ ଡରି ଡରି ଏ ଜାତି ଅବିଚାରକ ଧର୍ମାବତାରଙ୍କ ତୁଣ୍ଡରୁ ‘ତୁମେ ବଡ଼ ଭଲ, ତୁମେ ବଡ଼ ଶାନ୍ତ ଶିଷ୍ଟ’ ଶୁଣି ଶୁଣି ଲୋପ ହେବାକୁ ଯାଉଛି । ତାର ସୀମା ବିଲୁପ୍ତ, ତାର ଭାଷା ବିପଦଗ୍ରସ୍ତ, ତାର ସଂସ୍କୃତି ଧ୍ୱଂସପ୍ରାପ୍ତ, ତାର ଧର୍ମ୍ମ, ତାର ମଣିଷ ପରି ବଞ୍ଚିବା ମଧ୍ୟ ଅନିଶ୍ଚିତ ହୋଇପଡ଼ିଛି । ସେ ବିଶ୍ୱଜଗତରେ ଚୁଟିଆ, ମୋଟବୁହା, କୁଲି ଓଡ଼ିଆ ବୋଲି ଏବେ ମଧ୍ୟ ବିଭିନ୍ନ ଗ୍ରନ୍ଥ ମଧ୍ୟରେ ପରିଚିତ ହେଉଛି ।
ହାୟରେ ହାୟ, ଏ କଥା ଏ ଦେଶର ଶିକ୍ଷତ ଯୁବକମାନେ ମଧ୍ୟ ହୃଦୟଙ୍ଗମ କରୁନାହାନ୍ତି-। ଦେଶର ହିତ ଲାଗି, ପରର ମଙ୍ଗଳ ଲାଗି ଯଦୁମଣି ଚିରଦିନ ଦୁଃଖ ଭୋଗି ମରିଛନ୍ତି-। ଏବେ ମଧ୍ୟ ତାଙ୍କ ସ୍କୃତି ଉଦ୍ଘାଟିତ ହୋଇନି । ସେ ଦୁଃଖରେ ମଲେ ସୁଦ୍ଧା ଅମର ହୋଇ ରହିଅଛନ୍ତି । ଅନ୍ତିମ ବୟସରେ ଯେଉଁମାନେ ତାଙ୍କୁ ଅର୍ଥାଗମର ସୁବିଧାରୁ ବଞ୍ଚିତ କରି ଅପମାନିତ କରିଥିଲେ, ସେ ମଲେଣି କେଉଁକାଳୁ, କିନ୍ତୁ ସଦ୍ବୁଦ୍ଧି ପରିଚାଳିତ ସମଦର୍ଶୀ ବିଦ୍ୱାନ ଶୁଦ୍ରକବି ଯଦୁମଣି ଆଜି ଓଡ଼ିଆ ଗାଁ ଗହଳରେ ଘରେ ଘରେ ବନ୍ଦନୀୟ ପୂଜାପୀଠରେ ଆସନ ପାଇ ଚାଲିଛନ୍ତି । ଆହୁରି ପାଇବେ ।
ଉପତ୍ସ୍ୟତେତୁ ମମକୋପି ସମାନ ଧର୍ମ୍ମ ।
କାଳୋ ହ୍ୟୟଂ ନିରବଧିର୍ବିପୂଳା ତ ପୃଥ୍ୱୀ
କାଳ ଅନନ୍ତ, ପୃଥିବୀ ବିପୁଳ, ମୋ ସମାନ ଧର୍ମ୍ମୀ କେହି ଏହି ସଂସାରରେ ଜନ୍ମିବେ । ତାଙ୍କ ଲାଗି ମୁଁ ଏ ପରିଶ୍ରମ କରୁଛି ।
ଯଦୁମଣି ଯେଉଁ ପରିଶ୍ରମ କରିଛନ୍ତି, ସେ ଯେଉଁ ଆତ୍ମଦାନ ଦେଇଛନ୍ତି, ଦିନେ ତାହା ସାଧାରଣ ସର୍ବଜନରେ ଗର୍ବିତ ପୌରଜନରେ ନିଶ୍ଚୟ ସମ୍ମାନିତ ହେବ ।
ସୁଖସ୍ୟାନନ୍ତରଂ ଦୁଃଖଂ ଦୁଃଖସ୍ୟ ନନ୍ତରଂ ସୁଖଂ
ଚକ୍ରବତ୍ ପରିବର୍ତ୍ତନେ ଦୁଃଖାନି ଚ ସୁଖାନି ଚ ।
ସ୍ୱର୍ଗତ ଅଦର୍ଶ ରାଜପୁରୁଷ, ପରମ ନୈଷ୍ଠିକ ଶ୍ରୀବନମାଳୀ କ୍ଷତ୍ରିୟ
ବୀରବର ଚମୁପତି ସିଂହ ମହାପାତ୍ର ଏବଂ
ସ୍ୱଗତ ଆଦର୍ଶମାନବ,ବହୁ ସଦ୍ଗୁଣଭୂଷଣ ପଣ୍ଡିତ କପିଳେଶ୍ୱର
ବଡ଼ପଣ୍ଡା, ତିଗିରିଆ ଦୁର୍ଗଙ୍କ
ଆପଣ ଦୁହେଁ ଥିଲେ ଏକାତ୍ମୀୟ । ଜଣେ ସର୍ବମୟ କର୍ତ୍ତୃତ୍ୱସଂପନ୍ନ ରାଜା ହୋଇ ଶ୍ୟାଳକ ଏବଂ ଜଣେ କୌତ୍ସସାନ୍ୱୟ କୁଳୀନ ଅଭିଜାତ ବ୍ରାହ୍ମଣ ହୋଇ ତାଙ୍କର ଭିଣୋଇଁ । ଏଠି ରହସ୍ୟ ଥିଲା ଏତିକି ଯେ ରାଜାଙ୍କ ଗୁରୁଗୋସେଇଁଙ୍କ ଜେମାଙ୍କୁ ବିବାହକରିବାରୁ ଏହି ସମ୍ବନ୍ଧ ସାଧାରଣ ସମ୍ବନ୍ଧ ପ୍ରାୟ ରହି ଆସିଥିଲା । ପୁନଶ୍ଚ ନାରୀ ହିସାବରେ ‘ଶ୍ରୀମତୀ’ ଶ୍ରୀଙ୍କ ପରି ସର୍ବଗୁଣାଳଂକୃତା ଥିଲେ । ଉକ୍ତ ଶ୍ରୀମତୀଙ୍କ ସାନ କନ୍ୟାଙ୍କୁ ମୁଁ ୧୯୨୯ରେ ବିବାହ କରିବା ପୂର୍ବଦିନ ଘଟଣାଚକ୍ରରେ ଯଦୁମଣିଙ୍କ ଛାନ୍ଦର ଏକ ଶ୍ଲୋକ ହେ ରାଜପୁରୁଷ ! ତୁମଠୁ ଶୁଣିଥିଲି; ପୁଣି ସାତ ମଙ୍ଗଳା ମଧ୍ୟରେ ତୁମର ନିତ୍ୟ ଅତିଥ୍ୟ ଲଭିବାବେଳେ ତୁମ ଦୁହିଁଙ୍କଠାରୁ ଯଦୁମଣିଙ୍କ ତିଗିରିଆ ରହଣି ଗଳ୍ପ ଶୁଣି ଆଚମ୍ବିତ ହେଉଥିଲି ।
ହେ ଚମୁପତି ! ତୁମ୍ଭେ ପରିହାସରେ ପଚାରିଥିଲ— ‘ହଇହେ ବାବୁ ! ପଣ୍ଡିତ, କବି ତ ହୋଇଛ; ବହି ତ ଲେଖୁଛ, ଆଚ୍ଛା ଯଦୁମଣି ମାହାପତ୍ରଙ୍କ କବିତା ଅର୍ଥ କରିପାରିବତ ?
ହେ ବଡ଼ପଣ୍ଡା ! ତୁମ୍ଭେ କହିଥିଲ—‘ଯାଃ, ଅର୍ଥ କରିବେ କ’ଣ, ଯଥାର୍ଥ ଭାଷ୍ୟ ଦେଇ ତାକୁ ଏକାଠି ଗୁନ୍ଥି ଗ୍ରନ୍ଥାବଳୀ କରିଦେବେ । କ’ଣ ବିଚାରିଛନ୍ତି କି ? ରାଜଗୁରୁ ବର୍ଦ୍ଧନ ମହାପାତ୍ରଙ୍କ ଅନ୍ୱୟଟି ସେ ?’
ଚମୂପତି, ତା’ଶୁଣି ତୁମ୍ଭେ କହିଥିଲ—‘ସତେ ! ତେବେ ଏ ଦକ୍ଷତା କେବେ ଦେଖିବା ?’
ହେ ଅଦୂଷିତ ସରଳ ମହାନ ଜୀବନ ଯୁଗଳ ! ତୁମ ଦୁହିଙ୍କ କଥା ଏବେ ମନେ ପଡ଼ୁଛି । ତୁମମାନଙ୍କ ପାଖରୁ ଦୂରେଇ ହୋଇ ଯଦୁମଣିଙ୍କ ରଚନା ଆଦିକୁ ମୁଁ ସଂଗ୍ରହ କରିବାକୁ ଯେପରି ସେତେବେଳେ ଲଜ୍ଜାର ବିଷୟ ଭାବୁଥିଲି । କିନ୍ତୁ ସେ ଲଜ୍ଜା ଦିନେ ଦୂର ହୋଇଗଲା ।
ଏବେ ଏତେ ଦିନେ ତା ସତ୍ୟ ହେଲା । ହେ ଗ୍ରନ୍ଥ ଯୁଗଳ ! ସାଥି ହୋଇ ପରଲୋକରେ ତୁମର ଭାବନା ଏବଂ ଆକାଙ୍କ୍ଷା ପୂରଣ ହୋଇଥିବାରୁ ସନ୍ତୋଷ ଲାଭ କର ।
ଏ କାର୍ଯ୍ୟ କିପରି ସମ୍ଭବ ହେଲା ?
ଏକଥା କିପରି ସମ୍ଭବ ହେଲା, ଏକ୍ଷଣି ଆଦୌ ଭାବି ହେଉ ନାହିଁ । କବିମଣି ଯଦୁମଣି ମହାପାତ୍ରଙ୍କୁ ମୁଁ କେବେ ଭୁଲରେ ମଧ୍ୟ ଜାଣେନା । ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ରର ‘ଶୁଦ୍ର ମୁଖୁଁ ଏ ହୋଇଛି ବାହାର, ରୌଦ୍ରତା ବହି କେହି ନ ବିଚାର’—ଏହା ତିଗିରିଆର ବରେଣ୍ୟ କପିଳେଶ୍ୱର ବଡ଼ପଣ୍ଡାଙ୍କ ତୁଣ୍ଡରୁ ଏବଂ ‘ନେଲେ ହରି ହରି ହରିଣ ନେତ୍ରାକୁ ବିହରିଗଲା ଏହି ହୁରି’ ଏହି ପଦକ ଉକ୍ତ ତିଗିରିଆର ମହନୀୟ ରାଜପୁରୁଷ ବନମାଳୀ କ୍ଷତ୍ରିୟ ବୀରବର ଚମୁପତି ମହାପାତ୍ରଙ୍କ ତୁଣ୍ଡରୁ ଶୁଣି ମୁଁ ତାହା ମୁଖସ୍ଥ କରି ଗାଏ ।—ବେଶ୍, ଏତିକିରେ ଯଦୁମଣିଙ୍କ ସହିତ ମୋର ପରିଚୟ ଶେଷ । ତାଙ୍କର ଅନେକ ହାସ୍ୟ କବିତା ଶୁଣିଥିବି । କିନ୍ତୁ ସେ ପ୍ରତି ମୋର ଆଦର ନ ଥାଏ ।
ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ରର ଉକ୍ତ ଦୁଇଟି ପଦ ଯେଉଁ ଘଟଣାରୁ ମୁଁ ଶୁଣି ତତ୍ପ୍ରତି ମନଯୋଗ ଆଣିଥିଲି, ସେ ଘଟଣାଟି ସଂକ୍ଷେପରେ କହିଲେ ଏଠାରେ ଭଲ ହେବ । ମୁଁ ୧୯୨୯ରେ ଖଦଡ଼ପିନ୍ଧା ଏକ ପୂର୍ଣ୍ଣ ସ୍ୱାଧୀନତାପିପାସୀ ସମାଜସଂସ୍କାରକ ଯୁବକ ଭାବରେ ତିଗିରିଆ ଦୁର୍ଗରେ ବିବାହ କରିବା ଘଟଣା ସେ ସମୟରେ ଚମକ୍ ଆଣିବା ସ୍ୱାଭାବିକ । କାରଣ ବର ସ୍ୱୟଂ କନ୍ୟା ଦେଖି ଆସିବାଠାରୁ ନିଜର ନିଷ୍ଠାପର ଆଭିଜାତ୍ୟ ବର୍ଜ୍ଜନ କରି ଗାଡ଼ି କେତେ ଖଣ୍ଡରେ ସାମଗ୍ରୀ ଧରି ବିବାହ କରି ଆସିବା ବାସ୍ତବିକ୍ ନୂତନ ଜଣାଯାଉଥାଏ । ତିଗିରିଆ ଗଡ଼ର ଶ୍ରୀଯୁକ୍ତ ମଧୁସୂଦନ ପଟ୍ଟନାୟକ ଏହା ତତ୍କାଳର କେବଳ ସମର୍ଥନ କରନ୍ତି । ମୁଁ ଏତେ ନିଷ୍ଠୁର ଥିଲି ଯେ ସମଗ୍ର ଗ୍ରାମରେ ଅନୁରୋଧ ଉପରୋଧ ଭାଙ୍ଗି ସଂସ୍କାର ପ୍ରତି ଜିଗର କରି ଏହି ଘଟଣାରେ ବ୍ୟଥିତ ଥିବା ମୋର ବଡ଼ମାଆଙ୍କୁ ମୋ ବିବାହର ଦଶମଙ୍ଗଳା ଦିନ ହରାଇଲି ପଛରେ, ରାଜଗୁରୁ ସାଟୋପରେ, ବରବେଶରେ କଦାପି ଘରୁ ଆସି ନ ଥିଲି ।
ତିଗିରିଆ ଦୁର୍ଗ ସମ୍ଭ୍ରାନ୍ତ କରଣବହୁଳ ଏକ ଜନପନ । ଘରେ ଘରେ ଚର୍ଚ୍ଚା ଚାଲିଥାଏ କପିଳଶ୍ୱର ବଡ଼ପଣ୍ଡାକୁ ଦୁର୍ବୁଦ୍ଧି ଘୋଟିବାରୁ ସେ ତାରପରା କନ୍ୟାଟିକୁ ଭସେଇଦେଲା । କନ୍ୟାର ନାମ କନକ ମଞ୍ଜରୀ । ସତରେ ପାଗଳା ବାବାଜୀ କଥାରେ ସେ ଅତୁଲ୍ୟ ରୂପବତୀ ଜେମା । ପୁରୀ ଜଗନ୍ନାଥଙ୍କ ପଣ୍ଡାଠୁ ଶୁଣିଲି ସେ ରାଜରାଜେଶ୍ୱରୀ କନ୍ୟା । ସେହି କନ୍ୟାର ବର କିନ୍ତୁ ନରସିଂହପୁରରେ ଥିବା ବତ୍ସସାନ୍ୱୟ ଗଜପତିଙ୍କ ରାଜଗୁରୁ ବଂଶଜ ହୋଇ ପଦରେ ଚାଲି ବିଭା ହୋଇ ଆସିବ, ତାକୁ କେହି ଯୁକ୍ତିଦେବାର ପାତ୍ର ନାହାନ୍ତି,ଏହି ବିଷୟଟି ଉକ୍ତ ଜନପଦକୁ ବିବ୍ରତ କରିଥାଏ ।
ବିବାହ ପୂର୍ବଦିନ ରାତ୍ରରେ ଯୁବାର ଏହି ଜିଗର ଭାଙ୍ଗିବା ଲାଗି ଅଭିଜାତ ଶିରୋମଣୀ ମହାମାନ୍ୟ ପରମପୂଜ୍ୟ ବୃଦ୍ଧ ରାଜା ଗୁଣ୍ଡଚା ମଣ୍ଡପକୁ ବିଜେ ହେଲେ । ତାହା ହେରା ପଞ୍ଚମୀର ପୂର୍ବ ଦିବସ । ମୋତେ ସେଠାକୁ ଡକାଇ ଆଣିଲେ । ନିକାଞ୍ଚନରେ ତାଙ୍କଠୁ ଗୁରୁ ଗମ୍ଭୀର ଧ୍ୱନିରେ ବାଣୀ ଫୁଟି ଉଠିଲା—
‘ଓ ହୋ, କି କଥା ୟେ । କାହାର ପରଂପରା ନାହିଁ ବା ନ ଥିଲା ହେ ? ୟେ କି ସମାଜ ସଂସ୍କାର ?’
ତାଙ୍କର ଗମ୍ଭୀର ମୂର୍ତ୍ତି ଦେଖି ମହାଦାମ୍ଭିକ ଯୁବକ ମୁଁ, ଭୟରୁ ନୁହେଁ,ଏକ ଅହୈତୁକି ମମତା ଘେନି ମୋର ସ୍ୱେଚ୍ଛାଚାରିତାର ଦୁର୍ଗ ଭୁଷୁଡ଼ି ପଡ଼ିଲା । କିନ୍ତୁ ପିତୃହୀନ ସନ୍ତାନର ଜିଗର ସର୍ବତ୍ର ବଡ଼ ବେଶୀ ଦେଖାଯାଏ ।
ଭବିଷ୍ୟତ୍କୁ ଶ୍ୱଶୁର ନାମରେ ଯେ ଚିହ୍ନିତ ହେବେ, ସେ କହିଲେ—ଜାଣନ୍ତି ଆଜ୍ଞ ! ଅତି ଉଚ୍ଚକୁଳରେ ଜନ୍ମିଛନ୍ତି ।
ରାଜା କହିଲେ—‘ସାନ ଜୁଆଇଁଙ୍କର ଏଦା ବଂଶୋଚିତ ହେଉନି ।’ ଏହା କହି ସେ ମୋର ଓଠ ମୁଖ ଆଉଁସି ଦେଲେ । ପୁଣି କହିଲେ— ‘ହେଉ ତୁମ କଥା ରହୁ—ଆମ କଥା ରହୁ । ମୋର ମାନ ରଖ ।’
ମୁଁ କହିଲି—‘ବେଦୀକୁ ନ ଯାଉଣୁ କଣ ବର କେହି ହୁଏ ?’ ରାଜା ମୋର ଚିତ୍ତ ବଦଳିଛି ମନେକରି, କି ଆଶ୍ଚର୍ଯ୍ୟ, ସେଠାରେ ସାଧାରଣ ବ୍ୟକ୍ତି ପରି ସ୍ୱର ଧରି ଗାଇଦେଲେ—
ନେଲେ ହରି ହରି ହରିଣ ନେତ୍ରାକୁ
ପୁଣି କହିଲେ—ଆହେ ଚଞ୍ଚଳମନା ! ଜୁଆଇଁ ତ ହୋଇନ, କେଉଁ ସାହସରେ ଆମ ଜେମାକୁ ଦେଖି ଚାହିଁ ବିବାହ କରିବି ବୋଲି କହି ଯାଇଥିଲ ? ପୁଣି ପନ୍ଦର କ୍ରୋଶ ବାଟ କେଉଁ ଆଶା ଧରି ଧାଇଁଚ ? ବାବୁ, ତମ ଚୁଟିକଟାଙ୍କ କଥା ଆମକୁ ଜଣା । ତମ ମନ ଯେ—ଦାଣ୍ଡରେ ସିଧା ଚାଲିଯାଇ ହାତଧରି ନେଇ ଚାଲିଯାନ୍ତ । ଏୟାତ ? ସତରେ କପିଳ ବଡ଼ପଣ୍ଡାଠେଇ ବିଶ୍ୱାସ ନାହିଁ । ସେ ତାହା କରିପାରନ୍ତି । କିନ୍ତୁ ମୁଁ ଥିବାଯାଏ ତ କେବେ କରାଇ ଦେବିନି ।’
ତାଙ୍କରି କଥା ରହିଲା । ବିବାହ ସରିଲା । ନିତି ଡକରା ଆସିଲା— ‘ଛାମୁଁଙ୍କ ପାଖକୁ ଆସନ୍ତୁ ।’ ନାନା ଭଳିର ଜଳଖିଆ ଖୁଆନ୍ତି ନିତିକୁ ନିତି । ସବୁଦିନ ନାନା ଶାସ୍ତ୍ରଚର୍ଚ୍ଚା ମଧ୍ୟରେ ଯଦୁମଣି କଥା ମଧ୍ୟ କହନ୍ତି । ଏମନ୍ତ କି ବଡ଼ପଣ୍ଡା ମଧ୍ୟ ସେ ଚର୍ଚ୍ଚାରେ ଯୋଗଦେଇ କେତେ ପଦ ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ରରୁ ଗାନ କରନ୍ତି ।
ଯଦୁମଣିଙ୍କ ସହିତ ପରିଚୟର ଏହା ହିଁ ପ୍ରାଥମିକ ସମସ୍ୟା ହେଲେହେଁ— ଏ କଥା କୋଉ କାଳ କଥା, କୁଆଡ଼େ ମନରେ ଲୁଚିଗଲା । ଅବଶ୍ୟ ମୁଁ ସେତେବେଳେ ଗର୍ବିତ ହୋଇ ତିଗିରିଆର ସେ ଦୁଇ ଜଣ ମନସ୍ୱୀଙ୍କୁ କହିଥିଲି—ମୁଁ ଇଚ୍ଛାକଲେ ଯଦୁମଣି ମହାପାତ୍ରଙ୍କ କାବ୍ୟ କବିତାର ଏକ ସୁଚାରୁ ସଂଗ୍ରହ କରି ଦେଇପାରେ ।
ଯଦୁମଣିଙ୍କ ସଂପର୍କରେ ଏପରି ଦୃଢ଼ତା ଦେଖାଇ କହିବାର ତାତ୍ପର୍ଯ୍ୟ ଥିଲା ଏହି ଯେ—ଦୁଇ ଜଣ ସେ କାଳର ବୃଦ୍ଧ ବିଜ୍ଞଜନଙ୍କ ନିକଟରେ ନିଜର ଅର୍ବାଚୀନ ବଡ଼େଇ ଦେଖେଇହେବା । କିନ୍ତୁ ଯଦୁମଣିଙ୍କ ସମ୍ବନ୍ଧରେ ଅ’ ଆ’ ମୋତେ ପ୍ରକୃତରେ ଯେପରି ସେତେବେଳେ ଜଣା ନ ଥିଲା, ସେପରି ମୁଁ ତାଙ୍କୁ ବାସ୍ତବିକ ଶ୍ରଦ୍ଧା ମଧ୍ୟ କରିପାରୁ ନ ଥିଲି । ୧୯୪୭ ପରେ ଏ ଶ୍ରଦ୍ଧା ଆପେ ସମଗ୍ର ମନ ଉପରେ ପ୍ରଭାବିତ ହେଲା ।
ଦିନେ କଟକର ପଡ଼ୋଶୀ ଭାବରେ ସ୍ୱନାମଧନ୍ୟ ଅଧ୍ୟାପକ ଗୌରୀକୁମାର ବ୍ରହ୍ମା ମତେ ଗଡ଼ଜାତର ବ୍ୟକ୍ତି ବୋଲି କହି ବସିଲେ—‘ଆପଣ ସଂଗ୍ରାହକ ଭାବରେ ଯେ ସିଦ୍ଧି ଦେଖାଇଲେ, ତାହା ଯଦୁମଣି ମହାପାତ୍ରଙ୍କଠାରେ ପ୍ରୟୋଗ କଲେ ହୁଅନ୍ତା ନାହିଁ କି ?’ ସେ କହିଲେ—‘ମୋର ମନେ ହେଉଛି ସେ କେବଳ ଜଣେ ରଙ୍ଗରସିକ ନ ଥିଲେ, ସେ ଜଣେ ବିଜ୍ଞ ପଣ୍ଡିତ ମଧ୍ୟ ଥିଲେ ।’
ମୁଁ ତାଙ୍କୁ ତୁରନ୍ତ ନାହିଁ କଲି ଏହି କାରଣରୁ ଯେ—
‘ବ୍ରହ୍ମା, ମୁଁ ତାଙ୍କ ସମ୍ବନ୍ଧରେ କିଛି ମାତ୍ର ଜାଣେନି । ମୋଦ୍ୱାରା ତାହା ହୋଇପାରିବ ନାହିଁ । ମୋର ମଧ୍ୟ ସେ ଯୋଗ୍ୟତା ନାହିଁ ।’
ସେ ତଥାପି କହିଲେ—‘ତେବେ ଆପଣ ମୋ କଥାଟା ମନେ ରଖିଥାନ୍ତୁ ।’
ତେବେହେଁ ମୁଁ ସେ କଥା ସଂପୂର୍ଣ୍ଣ ମନକୁ ନେଲି ନାହିଁ । କିନ୍ତୁ ‘‘ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର” ଛାପା ବହି ଖଣ୍ଡେ ସଂଗ୍ରହ କରି ପଢ଼ିବା ଆରମ୍ଭ କରି ଦେଖିଲି ସେ ମୂଳ ରଚନା ଏବଂ ଟୀକାରୁ ମୁଁ କିଛି ବୁଝି ସନ୍ତୋଷ ଲଭି ପାରୁନି । ମୋର ଜଣେ ଗ୍ରାମ୍ୟ ବନ୍ଧୁ ରଘୁନାଥ ରାୟଗୁରୁଙ୍କଠାରୁ ତାଙ୍କ ହାତଲେଖା ପାଣ୍ଡୁଲିପି ଆଣି କିଛି ସମଝିଲି, କିନ୍ତୁ ସେଥିରେ ତୃପ୍ତି ମଧ୍ୟ ଲଭିପାରିଲି ନାହିଁ । ବର୍ଷେ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଡ଼ିଗ୍ରୀ ଉତ୍ସବକୁ ଆସିଥିବା ବଲାଙ୍ଗିର ରାଜେନ୍ଦ୍ର କଲେଜର ଜଣେ ସଂସ୍କୃତ ଅଧ୍ୟାପକଙ୍କ ସହିତ ୭ ଡିସେମ୍ବର ୧୯୫୯ ରେ ହଠାତ୍ ରେଲରେ ଦେଖାହେଲା । ସେ ଯଦୁମଣି ମହାପାତ୍ରଙ୍କର ବହୁ ପଦକୁ ଏପରି ଅର୍ଥ କରୁଥାନ୍ତି, ମତେ ସତରେ ଅତ୍ୟନ୍ତ ଭଲ ଲାଗିଲା-। କିନ୍ତୁ ଘରକୁ ଫେରି ତା’ ସବୁ ଭୁଲିଗଲି । ମୋଦ୍ୱାରା ବାସ୍ତବିକ୍ ହେବ ନାହିଁ ସିଦ୍ଧାନ୍ତ କରି ସେ ଆଲୋଚନା ଏକାବେଳେ ଛାଡିଦେଲି ।
ଏପରି ଭାବରେ କେତେକାଳ ଚାଲିକଲା । ବର୍ଷେ ବସନ୍ତ ପଞ୍ଚମୀ ପୂର୍ବଦିନ ତା ୧୧−୨−୫୯ ବୁଧବାର ଏକ ହତାଶ ଜୀବନ ଘେନି ବକ୍ସିବଜାର ମାର୍କେଟ ପାଖ ଦେଇ ରିକ୍ସାରେ ଚାଲିଯାଉଥାଏ । ଏପରି ଦୁଃଖପ୍ରଦ ଦିବସ, ଏପରି ଅସହାୟତା ଅନୁଭବ କରିନି କେବେହେଲେ ଜୀବନରେ ଦିନକ ପାଇଁ । ପ୍ରିୟତମା କନକ ମଞ୍ଜରୀ ମୋତେ ନିରନ୍ତର ଜାଗ୍ରତ ପ୍ରହରୀ ପରି ଜଗି ରହିଥାନ୍ତି । ସର୍ବଦା ଭରସା ଦେଇ ଚାଲିଥାନ୍ତି—‘ତୁମେ ଏତେ ଅଧୈର୍ଯ୍ୟ ହୁଅନି, ନିଶ୍ଚୟ ତୁମର ଅସୁବିଧା ଦୂର ହେବ ।’ ବାସ୍ତବିକ କିପରି ଯେ ତାଙ୍କ କଥା ସତ୍ୟ ହୁଏ, ମୁଁ ସ୍ତମ୍ଭୀଭୁତ ହୋଇଥାଏ । ମୁଁ ଶୁଷ୍କ ମୁଖରେ ନିରାଶ ହୃଦୟରେ ଜଣେ ପରିଚିତଙ୍କ ପାଖକୁ ସମସ୍ତ ଲଜ୍ଜା ବିସର୍ଜନ ଦେଇ ଏକ ପରାମର୍ଶ ମାଗି ଯାଉଛି, ପଛରୁ ଶୁଭିଲା—
‘ଚକ୍ରଧର ବାବୁ । କ’ଣ ଏମିତି ଚାଲିଯିବେ କି ?’ —ଯେ ଡାକିଲେ ସେ ମୋର ଜଣେ ବହୁଦିନର ପୁରାତନ ହିତୈଷୀ ବନ୍ଧୁ ଓ ଗୁରୁଜନ । ପଛକୁ ଅନାଇଁ ଦେଖିଲି ସତ୍ୟବାଦୀ ପ୍ରେସର ଜେନେରାଲ ମ୍ୟାନେଜର ଶ୍ରୀଯୁକ୍ତ ଫକୀରଚରଣ ଦାସ । ଆମର ଫକୀର ବାବୁ । ସବୁଦିନେ ସମାନ ଗଠନ । ସମାନ ବ୍ୟବହାର । ସମାନ ଢଙ୍ଗଢ଼ାଙ୍ଗ । ସମାନ ବେଶଭୂଷା । ସ୍ପଷ୍ଟଭାଷୀ । ସ୍ୱଳ୍ପଭାଷୀ । କେହି କହିପାରନ୍ତି ବଢ଼େଇ କରି କହୁଛି । କିନ୍ତୁ ଏହା ହିଁ ସତ୍ୟ—ନିରାଟ ସତ୍ୟ । ସେ ଡାକିବା ମାତ୍ରେ ମନରେ ଭାବିନେଲି ‘ଲଜ୍ଜା−ନିବାରଣ’ ମୋର ଲଜ୍ଜା ଏତଦ୍ଦ୍ୱାରା ନିବାରଣ କଲେ କି-?
ଆମ ବଂଶର ଏକ ପ୍ରବଚନକୁ ମୋ ଜନନୀ ସର୍ବଦା କହିଥାନ୍ତି—‘ସଦୈ ରଙ୍ଗ ରଙ୍ଗ ।’ ଯେଉଁ ରଙ୍ଗ ସର୍ବଦା ସମାନ ତାହା ହିଁ ବିରଣୀୟ । ଆଜି ଯାନବାହନରେ ଫୁଲମାଳରେ, କାଲି ନିର୍ଧୂମ ଖରାରେ ଖାଲି ପାଦରେ ଝାମ୍ପି ମୁଣ୍ଡରେ, ଏହା ପୂର୍ବ ଅଭିଜାତ ପସନ୍ଦ କରୁ ନ ଥିଲେ । ଆମର ଫକୀର ବାବୁ ହେଲେ—‘ସଦୈ ରଙ୍ଗ ରଙ୍ଗ ।’
ଶ୍ରୀଯୁକ୍ତ ଫକୀର ବାବୁ କହିଲେ—‘କାଲି ଆପଣ ଏଠି ଅଛନ୍ତି ?’ ମୁଁ ହଁ କରିବାରୁ କାନ୍ଦିଲେ—’‘ସମାଜ ତରଫରୁ ମୋର ନିମନ୍ତ୍ରଣ, କାଲି ଆପଣ ଟିକିଏ ନିଶ୍ଚୟ ଆସିବେ । କଣ ନିମନ୍ତ୍ରଣ ପତ୍ର ପଠାଇବି ?”
ମୁଁ ନତ ବଦନରେ କହିଲି—‘ନିମନ୍ତ୍ରଣ ପତ୍ର ଏହାଠୁ କଣ ଅଧିକ ହେବ?’ ମୁଁ କଣ ଭାବି ଘରକୁ ଫେରିଆସିଲି ସେଦିନ । ଆଉ କାହିଁ ଗଲି ନାହିଁ ।
ପ୍ରଖ୍ୟାତ ‘ସମାଜ’ ସହିତ ମୁଁ ୧୯୨୭।୨୮ ରୁ ସଂପୃକ୍ତ । ମାନନୀୟ ରାଧାନାଥ ରଥଙ୍କ ସହିତ ପିଲାଦିନୁଁ ମୋର ଘନିଷ୍ଠ ସଂପର୍କ । ତାଙ୍କୁ ମୁଁ ନିରନ୍ତର ପୂଜ୍ୟ ଭାବରେ ଦେଖିଆସିଛି । ‘ସମାଜ’ର ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ଶ୍ରୀହର୍ଷ ବାବୁ, ଉଦୟନାଥ ବାବୁ ପ୍ରଭୃତି ମତେ ଯଥେଷ୍ଟ ଶ୍ରଦ୍ଧା କରିଥାନ୍ତି । ଏ ନିମନ୍ତ୍ରଣରେ ଯୋଗ ଦେଇ ବହୁ ବିଜ୍ଞ ବନ୍ଧୁଙ୍କର ଦର୍ଶନ ଲାଭ କରି ଆନନ୍ଦିତ ହେଲି । କିନ୍ତୁ ଅର୍ଥ କଷ୍ଟ ଏପରି ଯନ୍ତ୍ରଣାଦାୟକ ଯେ ବାଣୀକଣ୍ଠ ନିମେଇ ହରିଚନ୍ଦନଙ୍କ ମୋ ପ୍ରତି ଅତୀବ ଶ୍ରଦ୍ଧା ଏବଂ ତାଙ୍କର ସଙ୍ଗୀତ ଧ୍ୱନି ମଧ୍ୟ ମୋତେ ଶୁଣିବାକୁ ଅଲଣା ଲାଗୁଥାଏ । ଉତ୍କଳର ବହୁ ସମ୍ମାନାସ୍ପଦ ବ୍ୟକ୍ତିଙ୍କର ଦର୍ଶନ ମିଳିଲା । ଶ୍ରୀଯୁକ୍ତ ରାଧାନାଥ ରଥ, ଶ୍ରୀଯୁକ୍ତ ବୈକୁଣ୍ଠନାଥ ପଟ୍ଟନାୟକ, ଶ୍ରୀଯୁକ୍ତ କାଳିନ୍ଦୀଚରଣ ପାଣିଗ୍ରାହୀ ମତେ ଦୁଃଖ ସୁଖ ପଚାରିଲେ । ମହାପ୍ରସାଦ ଭୋଜନ ହେଲା । ଏତେ ସତ୍ତ୍ୱେ ମୁଁ ନିରାଶ ମନଧରି ରହିଥାଏ ।
ହଠାତ୍ ଫକୀରବାବୁ ନିକାଞ୍ଚନ ଦେଖି ଡାକି କହିଲେ—’‘ଆପଣ ପାରିବେ ବୋଲି ମୁଁ ‘‘ଦାସ ବ୍ରଦର୍ସ”ଙ୍କୁ ଜବାବ୍ ଦେଇ ଦେଇଛି । ଚିଠି ଲେଖିଥାନ୍ତି, କିନ୍ତୁ ଦେଖା ତ ହୋଇଗଲା ଆଜି ତ ସୁବିଧା ହେବନାହିଁ । କାଲି ସକାଳ ନଅଟା ପରେ ଆପଣ ଏଠିକୁ ଆସିଲେ ସବୁ ତୁଟିଯିବ । ଆପଣ ଯଦୁମଣି ମହାପାତ୍ରଙ୍କ କାର୍ଯ୍ୟାବଳୀ ସଂଗ୍ରହ କରି ଗ୍ରନ୍ଥାବଳୀଟିଏ ନିଶ୍ଚୟ କରିବେ ।”
ସତ ଯେ, ଆଚ୍ଛା କଥାରେ ପଡ଼ିଲି । କହିଲି—‘କାଲି କହିବି ।’
ଘରକୁ ଫେରିଲି । କନକ ମଞ୍ଜରୀ କହିଲେ—‘ନିଶ୍ଚୟ କରିବାକୁ ହେବ । ତେବେ କଣ ପିଲାଏ ପରିକ୍ଷା ଦେବେ ନାହିଁ, ନାଁ ଲେଖାଇବେ ନାହିଁ ? ଏତେ ବାଟ ନିଜ ଦମ୍ଭରେ ଚାଲି ଆସିଲ । ଏଇଠି ଅଟକି ଯିବ ? ତୁମେ ଚୁକ୍ତି କରି ଟଙ୍କା ଆଣ । ଦେଖ, ତୁମର ସବୁ ସଫଳ ହୋଇଯିବ । ସେ ଅସମୟରେ ଆମକୁ ଯାହା ଦେବେ, ତା ଆମର ଲକ୍ଷେ ଟଙ୍କା । ଦେଖ, ଏହା ଦେବତାର ଆଶୀର୍ବାଦ ।’
ଦିନ ତମାମ, ରାତ୍ର ତମାମ ଦୁଶ୍ଚିନ୍ତାରେ ଥାଏ । କ୍ରୋଧରେ ଅନ୍ଧ ହୋଇ କହିଲା—ମୁଁ ଯେଉଁ ବିଷୟ ଭଲ ପାଏନି ପୁଣି ଜାଣେନି, ସେଥିପାଇଁ ମୁଦ୍ରା ନେଇ ଆସିବି ? ଶେଷକୁ ଡକାଏତ ହେବି ତ ?
ପତ୍ନୀ କହିଲେ—ହଁ, ହଁ, ମୋ ପାଇଁ ତୁମକୁ ଡକାଏତ ହେବାକୁ ହେବ । ମିଥ୍ୟାବାଦୀ ହେବାକୁ ହେବ । ତୁମେ ନିର୍ଭୀକ ଭାବରେ ଚୁକ୍ତି ସଂପାଦନ କର । ମୁଁ ନିଶ୍ଚିତ କହୁଛି, ମୁଁ ଥିବା ଯାଏ ତୁମ ଚରିତ୍ରରେ କଳଙ୍କର ଦାଗ ତ ଦାଗ ବିନ୍ଦୁ ମଧ୍ୟ କେବେ ସ୍ପର୍ଶ କରିବ ନାହିଁ । ସାହସୀ ହୁଅ । ଯାହା ଆମେ ନିରନ୍ତର ତ୍ୟାଗ କରି ଚାଲିଚୁଁ, ସେ ଆମ ପାଖକୁ ବାରମ୍ବାର ଆସୁଛି । ତେଣୁ ଏଥିରେ ଆମର ଜୟ ସୁନିଶ୍ଚିତ ।
ଦେଖିଲି—‘ଦାସ ବ୍ରଦର୍ସ’ର ପ୍ରୋପ୍ରାଇଟର ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ଦାସ ଏବଂ ମାନେଜର ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ମିଶ୍ର ଆଗରୁ ଆସି ବସିଛନ୍ତି । ଫକୀର ବାବୁଙ୍କ କଥା ତ ପାଟିରୁ ବାହାରିଲେ ହେଲା । ଚୁକ୍ତି ହୋଇଗଲା । ନଗଦ ମୁଦ୍ରା ଧରି ପର୍ବତଭାରା ମୁଣ୍ଡରେ ବହି ଯୁବକସୁଲଭ ଉନ୍ମାଦନା ଘେନି ଚାଲିଲି ଭୁବନେଶ୍ୱର, ଖୋର୍ଦ୍ଧା, ସୁନାଖଳା, ବୋଲଗଡ଼, ବାଉଁଶିଆପଡ଼ା, ଗୋବିନ୍ଦପୁର, ଇଟାମାଟି, ନୂଆଗଡ଼, ମାନ୍ଧାତାପୁର, ଓଡ଼ଗାଁ, ଶରଣକୁଳ, ରଣପୁର, ଆଠଗଡ଼, ଗଞ୍ଜାମ ଦଶପଲ୍ଲା, ଖଣ୍ଡପଡ଼ା, ବାଘମାରୀ, ପୁରୀ, ତିଗିରିଆ, ବଡ଼ମ୍ବା, ନରସିଂହପୁର, ବୌଦ, ଅନୁଗୁଳ, ଢେଙ୍କାନାଳ ଇତ୍ୟାଦି ସର୍ବତ୍ର ଖୋଜି ଚାଲିଲି ।
ଯଦୁମଣିଙ୍କ ଅଣନାତି ଦାଶରଥି, ଚନ୍ଦ୍ରଭାନୁ, ଉଦେଭାନୁ ତିନି ଭାଇ, ତାଙ୍କ ସାଇର ଶିକ୍ଷିତ ଯୁବକ ବେଣୁଧର, ନରସିଂହପୁରର ଜଣେ ଟୋଲ ଛାତ୍ର ନବଘନ ଏପରି ବହୁ ପ୍ରିୟଜନ ସାମଗ୍ରୀ ଯୋଗାଇଲେ । ଯଦୁମଣିଙ୍କ ହାତଲେଖା ପୋଥି, ଚିତ୍ରିତ ମୂର୍ତ୍ତି, ତାଙ୍କର ଜମିର ସରକାରୀ ଦସ୍ତାବିଜର ନକଲ ସବୁ ଦେଖିଲି ।
ବାସ୍ତବିକ୍ ଚାହୁଁ ଚାହୁଁ ଚାରି ମାସ ମଧ୍ୟରେ ନାନା ସମ୍ଭାର ମିଳିଗଲା । କି ଆଶ୍ଚର୍ଯ୍ୟ ! ବିଚିତ୍ର ଭାବରେ ମୁଁ ଛିଡ଼ା ହୋଇଗଲି । ଯାହା ଭାବି ନ ଥିଲି, ତାହା ହୋଇ ଚାଲିଲା ।
ଗୋଟିଏ ଗୋଟିଏ ଜଟିଳ ପଦ ପାଇଁ ମତେ ସକାଳୁ ସଞ୍ଜଯାଏ ଭାବିବାକୁ ହୁଏ । ପୁଣି ତାର କିନାରା ମିଳିଯାଏ । କିପରି ମିଳେ ଭାବି ମୁଁ ଆଶ୍ଚର୍ଯ୍ୟ ହୋଇଥାଏ । ଏପରି କଠୋର ପରିଶ୍ରମ କିପରି ମୁଁ କଲି ତାହା ଆଜି ଭାବି ସ୍ତମ୍ଭୀଭୂତ ହେଉଛି ।
ଏହା ହିଁ ହେଲା ସଂଗ୍ରହର ଇତିହାସ । ପୁଣି ଟୀକା କରିବାରେ, ସଠିକ ଭାବରେ ପଦମାନ ଜାଣିବାରେ ମୁଁ କିପରି ପରିଶ୍ରମ କଳି ତାହା ଏକ୍ଷଣି ଭାବିପାରୁନି । ଏପରି ଅଶୁଦ୍ଧ ଗ୍ରନ୍ଥ, ଅଶୁଦ୍ଧ ପଦସବୁ ମିଳିଲା ଯେ ଦିନେ ଦିନେ ମୁଁ ବାତୁଳ ପରି ହୋଇଯାଏ । କନକ ମଞ୍ଜରୀଙ୍କର କି ମେଧା, ସେ ମୋର ସଂଶୟ ଦୂର କରିଦିଅନ୍ତି । ଅନ୍ୟାନ୍ୟ କୋଷ ଗ୍ରନ୍ଥ ଅପେକ୍ଷା ମହନୀୟ ଗୋପାଳଚନ୍ଦ୍ର ପ୍ରହରାଜଙ୍କ ଭାଷାକୋଷ ଏଥିରେ ମୋତେ ବହୁ ସାହାଯ୍ୟ କରିଛି ।
ଏ କାର୍ଯ୍ୟରେ ଉତ୍କଳର ବହୁ ଜନମାନବ ମତେ ଉତ୍ସାହିତ କରିଛନ୍ତି । ଏ ଦେଶର ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ସ୍ୱନାମଧନ୍ୟ ପ୍ରଖ୍ୟାତ କବି ଡକ୍ଟର ମାୟାଧର ମାନସିଂ ଯେଉଁଦିନ ଏଗ୍ରନ୍ଥର ପ୍ରକାଶକଙ୍କୁ କହିଥିଲେ ଯେ—
‘ଆପଣ ବିଶ୍ୱସ୍ତ ଏବଂ ଉପଯୁକ୍ତ ବ୍ୟକ୍ତିଙ୍କ ହାତରେ ସେ ଭାର ଅର୍ପଣ କରିଛନ୍ତି ।’ ତାହା ଶୁଣି ମୁଁ ଅସୀମ ଶକ୍ତିରେ ଜାଗିଉଠିଥିଲି ।
ଯଦୁମଣିଙ୍କର ରଚନା ମଧ୍ୟରେ ଅନେକ ବାକ୍ୟ ଆଧୁନିକ ପାଠକ ପାଠିକାମାନଙ୍କୁ ଅଶ୍ଲୀଳ ନିଶ୍ଚୟ ବୋଧ ହେବ । କିନ୍ତୁ ବହୁ ବିଚାରରେ ତାହା ଲୁଚାଇ ଦିଆଯିବା ଅସମୀଚୀନ ବୋଲି ହେବାରୁ ଯେପରି ପ୍ରଚଳିତ ଅଛି, ସେପରି ରଖାଯାଇଅଛି ।
ଶ୍ରଦ୍ଧେୟ ଫକୀର ବାବୁ ଏ ଗ୍ରନ୍ଥର ମୂଳରୁ ଶେଷଯାଏ ମତେ ସାହାଯ୍ୟ, ସହାନୁଭୂତି, ନିର୍ଦ୍ଦେଶ ଏବଂ ଧୈର୍ଯ୍ୟ ଦେଇଥିବାରୁ ତାଙ୍କ ନିକଟରେ ମୋର ଗଭୀର କୃତଜ୍ଞତା ଜଣାଉଛି ।
ଏମନ୍ତ କି ପ୍ରକାଶକ ଶ୍ରଦ୍ଧେୟ ଦାସ ବ୍ରଦର୍ସଙ୍କର ବଚନରକ୍ଷା ମଧ୍ୟ ଏହି କାର୍ଯ୍ୟର ଉଦ୍ୟମର ସଫଳତା ଯେ ଆଣିଦେଇଛି, ତେଣୁ ସେ ମୋର ବିଶ୍ୱାସ ଏବଂ ଶ୍ରଦ୍ଧା ଗ୍ରହଣ କରନ୍ତୁ । ଲେଖକ ତାର କଠୋର ପରିଶ୍ରମ ତୁଳନାରେ ଏଯାଏ ଏ ଦେଶରେ ପ୍ରକୃତ ମୂଲ୍ୟ ପାଏନି । ତେଣୁ ପ୍ରକାଶକ ବହୁଭାବରେ କୃତକାର୍ଯ୍ୟ ହେଲେ ଉଦାରତାପ୍ରଯୁକ୍ତ ଲେଖକ ପ୍ରତି ଦୃଷ୍ଟି ଆଣିବା ସ୍ୱଭାବିକ ମନେ ହୁଏ ।
ଯେଉଁମାନେ ମୋତେ ଏ କାର୍ଯ୍ୟରେ ପଦେ କଥା କହି ମଧ୍ୟ ଉତ୍ସାହିତ କରିଛନ୍ତି, ସେମାନଙ୍କୁ ଧନ୍ୟବାଦ ଅର୍ପଣ କରୁଅଛି ।
ବିଶେଷରେ ମୋର ଅର୍ଦ୍ଧାଙ୍ଗିନୀ ଭାର୍ଯ୍ୟା—କାୟାର ଛାୟା, ଚନ୍ଦନର ଗନ୍ଧ ରଙ୍ଗର ରଙ୍ଗିମା, ନୈଶାନ୍ଧକାରର ଦୀପ ଶିଖା, ଚନ୍ଦ୍ରମାର କୌମୁଦୀ, ମେଘର ତଡ଼ିତ୍, ତାଙ୍କୁ ବା କ’ଣ କୃତଜ୍ଞତା ଜଣାଇବି ? ସେ ଏ ଲେଖାର ମୂଳରୁ ଶେଷଯାଏ ମତେ ତାଙ୍କର ନିପୁଣ କୃତିତ୍ୱରେ ମୁଗ୍ଧ କରି ଏହାକୁ ଯଥାସମ୍ଭବ ମନୋହାରୀ କରିପାରିଛନ୍ତି । ଏପରି କି ସେ ଏଥିରୁ କିୟଦଂଶର ପାଣ୍ଡୁଲିପି ଲେଖିଛନ୍ତି ।
ତା ଛଡ଼ା ମୋର ପିଲାଏ ଏହି ରଚନାଟିକୁ ନକଲ କରିଦେଇ ମୋର ଶ୍ରମ ଲାଘବ କରିନାହାନ୍ତି କେବଳ, ମୋର ତ୍ରୁଟି ବିଚ୍ୟୁତି ମଧ୍ୟ ଧରାଇ ଦେଇଛନ୍ତି । ବିଭିନ୍ନ ପୁସ୍ତକାଳୟରେ କେଉଁଠି ଯଦୁମଣି ସମ୍ବନ୍ଧରେ ଲେଖାଟିଏ ବା ସମାଲୋଚନାଟିଏ ପାଇଲେ ତାହା ମତେ ଯୋଗାଇଛନ୍ତି । ଶୂଦ୍ର ବଢ଼େଇ କୁଳ ଚନ୍ଦ୍ରମାର ଆଶୀର୍ବାଦ ଲାଭକରି ସେମାନେ ଯେ ‘ଆମେ ସବୁଠୁ ବଡ଼’ ଏପରି ଧାରଣା ପରଂପରା ଦୋଷରୁ ଭୁଲି ନାହାନ୍ତି, ତାହା ଏବେ ଭୁଲିଯାନ୍ତୁ ଏବଂ ସମସ୍ତଙ୍କ ସହିତ ଜଣେ ଜଣେ ହୋଇ ସୁଖୀ ହୁଅନ୍ତୁ ।
ଏହି ସଂଗ୍ରହ ଯଦୁମଣିଙ୍କ ସମ୍ୱନ୍ଧରେ ସଂପୂର୍ଣ୍ଣ ବୋଲି ଏପରି ବାବଦୂକତା ଦେଖାଇବା ମୋ ମତରେ ଅସମୀଚୀନ ଅଟେ । ଏହା ଗୋଟିଏ ମାତ୍ର ବର୍ଷର ପରିଶ୍ରମ । ଏ ଗ୍ରନ୍ଥ ପ୍ରକାଶିତ ହେବା ପରେ ଆଉ ଯାହା ଥିବ, ତାହା ନିଶ୍ଚୟ ସମୟକ୍ରମେ ପ୍ରକାଶିତ ହେବାର ସୁଯୋଗ ଆସିଯିବ-।
ମନୁଷ୍ୟ ମାତ୍ରେ ଓ ଦୋଷସଂପନ୍ନ । ତେଣୁ ଏହି ଜାତୀୟ ଉଦ୍ୟମରେ ଯେଉଁ ତୃଟି ବା ଦୋଷ ପରିଲକ୍ଷିତ ହେବ, ତାହା ପାଠିକା ପାଠକମାନେ ସୌଜନ୍ୟ ଯୋଗୁଁ କ୍ଷମାଦେଇ ଗୁଣ ମାତ୍ର ଗ୍ରହଣ କରିବେ ।
ସଜ୍ଜନା ଗୁଣମିଚ୍ଛନ୍ତି, ଦୋଷମିଚ୍ଛନ୍ତି ଦୁର୍ଜନା
ଦ୍ୱିରେଫା ମଧୁ ମିଚ୍ଛନ୍ତି, ବ୍ରଣ ମିଛନ୍ତି ମକ୍ଷିକା ।
୧୭୯୧ ମସିହାରେ ପୂଣ୍ୟଶ୍ଲୋକ ରାଜା ବୃନ୍ଦାବନ ସ୍ୱର୍ଗାରୋହଣ କଲେ । ରାଜା ହେଲେ ବଡ଼ ପୁଅ ‘ଧନଞ୍ଜୟ’ ଆଠଗଡ଼ ଗାଦିରେ । ନୂତନ ରାଜାଙ୍କ ରାଜତ୍ୱର ଆରମ୍ଭରୁ ଦୁର୍ଭିକ୍ଷ ଏପରି ହେଲା ଯେ, ରାଷ୍ଟ୍ର ଅସମ୍ଭାଳ ହୋଇ ଉଠିଲା । ମହାରଣା ମୁକୁନ୍ଦର ପରିବାର ଖାଦ୍ୟ ସଂଗ୍ରହ କରିପାରିଲେ ନାହିଁ । ଦିନୁଁଦିନ ଦୁଶ୍ଚିନ୍ତା ମାଡ଼ି ଆସିଲା । ସେ ଭଗବତ ଧ୍ୟାନରେ ଦିନେ ସଂପୂର୍ଣ୍ଣ ଉପବାସୀ ରହିବା ପରେ ହଠାତ୍ ନୟାଗଡ଼ ମାନଧାତାଙ୍କର ଏକ ଡକରା ଚିଟୋଉରୁ ଧନଞ୍ଜୟ ମୁକୁନ୍ଦଙ୍କୁ ନୂଆଗଡ଼ ପଠାଇଦେଲେ । ଗୋଟିଏ ନୂତନ ମୂର୍ତ୍ତି ପଥରରେ ଗଢ଼ିବା ଲାଗି ତାଙ୍କୁ ଏହି ଡକରା ହୋଇଥିଲା ।
ମୁକୁନ୍ଦ ମହାପାତ୍ର ନିଜର ଜାୟା ଶୋଭା ଓ ୧୦ ବର୍ଷର ପୁତ୍ର ଯଦୁମଣି ସହିତ଼ ୧୧୯୯ ସାଲ ଭାଦ୍ର ଶୁକ୍ଳ ଦ୍ୱାଦଶୀ ବାମନ ଜନ୍ମ ଦିନ ‘‘ସର୍ବସିଦ୍ଧା-ତ୍ରୟୋଦଶୀ” କହି (୧୯୭୧ ମସିହା ସେପ୍ଟେମ୍ବର ୯ ତାରିଖରେ) ପୂଣ୍ୟତମ ଆଠଗଡ଼ର କେତକୀ ଝର ନାଗେଶ୍ୱର ବନ, ଗୋଟିଖଡ଼ିକା ସାହି ଏବଂ ଯଦୁକୃଷ୍ଣ ନିମ୍ବାର୍କ ଦେବତା ପୀଠ ତ୍ୟାଗ କରି ନୂତନ ଭାଗ୍ୟ ଅନ୍ୱେଷଣରେ ଚାଲି ଆସିଲେ । ଏଇଠି ସେ ରାଜଗୃହରୁ ସଞ୍ଚା ବସା ପାଇ ପରମ ସୁଖରେ ଜୀବନ କଟାଇଲେ ।
ଯେଉଁ ନୂଆଗଡ଼ରେ ରାଜକବି ପୁରୁଷୋତ୍ତମ ମାନ୍ଧାତା ଦିନେ ନିଜ ଜାୟାଙ୍କ ଲାଗି ‘ଶୋଭାବତୀ’ ନାମକ କାବ୍ୟ ଲେଖି ଅମର ହୋଇଥିଲେ, ଯେଉଁ ନୟାଗଡ଼ର ଶରଣକୂଳ ନିବାସୀ ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା ପ୍ରେମ ଲହରୀ, ଯୁଗଳ ରସାମୃତ ଲହରୀ, ପ୍ରେମ କଳ୍ପଲତା, ନିସ୍ତାର ନୀଳମଣି ଆଦି ସୁମଧୂର ଜନପ୍ରିୟ ବୈଷ୍ଣବ କବିତାମାନ ଲେଖି ଗ୍ରାମେ ଗ୍ରାମେ ଘରେ ଘରେ ପ୍ରସିଦ୍ଧି ଲଭିଥିଲେ, ଯେଉଁ ନୂଆଗଡ଼ର ଆଦି ବିଗ୍ରହ ଢେଙ୍କଣା ମାଳୀସାହି ବିରାଜିତ ମଣି ବିଗ୍ରହ ରଘୁନାଥଙ୍କ ପାଦପଦ୍ମ ତଳେ ଦିନେ କବିସମ୍ରାଟ ଉପେନ୍ଦ୍ରଭଞ୍ଜ ତାଙ୍କର ପ୍ରିୟତମା ବିଶ୍ୱ ଶୋଭାରାଣୀ ଲାବଣ୍ୟବତୀ ନାମରେ ଲାବଣ୍ୟବତୀ ମହାକାବ୍ୟ ରଚନା କରିଥିଲେ, ସେଇ ପୁଣ୍ୟତମ ଭୁମିକୁ ଶିଶୁ ଯଦୁମଣି ଚାଲିଆସିଲେ । ସେ ଏଇଠୁ ନୂଆଗଡ଼ ରାଜ୍ୟରେ ଅଧିବାସୀ ବୋଲି ପରିଚିତ ହେଲେ । ଆଠଗଡ଼ର ମୃତ୍ତିକା ଏବଂ ନୂଆଗଡ଼ର ପାଣି ପବନ, ଆଲୋକରେ ଯଦୁମଣି ବୃକ୍ଷଟି ପୁଷ୍ପିତ, ଫଳବନ୍ତ ହୋଇଥିଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।
୧୭-୯-୧୭୯୩ ଖ୍ରୀ: ରେ ବୀରକିଶୋର ଦେବଙ୍କର ୭୧ ଅଙ୍କ ଶେଷ ହେଲା । ତାଙ୍କ ପରେ ଦିବ୍ୟସିଂହ ଦେବ ଗଜପତି ଭାବରେ ଦେଶରେ ପରିଗଣିତ ହେଲେ । ଚାଟଶାଳୀ ପାଠ ଶେଷ ହେବାରୁ ଯଦୁମଣି ନୂତନ ସୁନିଆ ଦିନ ସଂସ୍କୃତ ପାଠ ଜଣେ ସଂସ୍କୃତ ପଣ୍ଡିତ ବିଦ୍ୟାକର ମହାପାତ୍ର (ଘଡ଼ୁଆଳ ପଣ୍ଡିତ)ଙ୍କ ଚଉପାଢ଼ୀରେ ପଢ଼ିବାକୁ ପିତାଙ୍କୁ ଜଣାଇଲେ । ତାଙ୍କର ପିତା ମାନ୍ଧାତାପୁରକୁ ଯାଇ ସବୁ ସୁବିଧା କରିଦେଇ ଆସିଲେ । ତେଣୁ ୧୨ ବର୍ଷ ବୟସରେ ସେ ସଂସ୍କୃତ ଶିକ୍ଷା ଆରମ୍ଭ କରି ପ୍ରଥମେ ଆମର କୋଷ ମୁଖସ୍ଥ କରିସାରି ତାପରେ ବ୍ୟାକରଣ ଅଧ୍ୟୟନ କଲେ-। ସେ ଉକ୍ତ ମଉପାଢ଼ୀରେ ପଢ଼ିବା ବେଳୁ ନାନା ବ୍ୟଙ୍ଗ କବିତା ଗଢ଼ି ନିଜ ସାଥୀ ପିଲାଙ୍କୁ ଚିଡ଼ାଉଥିଲେ । ଏପରି କି ଗ୍ରାମର ନରନାରୀଙ୍କ ନାମରେ ମଧ୍ୟ ବ୍ୟଙ୍ଗ କବିତା ମୁଖେ ମୁଖେ ଗଢ଼ି ଗାଉଥିଲେ । ତାଙ୍କ ସାହିର ଗୋଟିଏ ବୃଦ୍ଧାକୁ ସେ ଚିଡ଼ାଉଥିଲେ ଗାଇ ଗାଇ—
ସରୁ ଅରୁଆ ଓ ଓରିଆ ଚାଉଳ, ମୁଗ, ହରଡ଼, ଚଣା ଆଦି ବିଭିନ୍ନ କିସମର ଡାଲି, ଖାଣ୍ଟି ତେଲ, ଘିଅ, ଦହି, ଦୁଧ, ଓଖର ଛେନା, ବିଭିନ୍ନ ଶାକ ସବ୍ଜି, ନଡ଼ିଆ, କଦଳୀ, ବିଭିନ୍ନ କିସମର ବଡ଼ି, ଆଚାର, ବିଭିନ୍ନ ଜଳଖିଆ, ରଜାଘରୁ ଭାସିଆସେ— ତାଙ୍କ ଘରକୁ । ଗୋଟିଏ ବୋଲି ପୁଅ । ଠାକୁରଙ୍କ ଭୋଗ କନ୍ଦ ପଣା କୁଣ୍ଡକ ପଇସାଏ, ଯହିଁରେ ଫୁଲିଏ ଓଖର ଛେନା ଥିବ । ଠାକୁର ଭୋଗ ଖୁରୁମୁଆଁ ଅଣାକର କିଣିଲେ ବଂଶଯାକ ଖାଇପାରିବେ ନାହିଁ । ସେତେବେଳେ ଟଙ୍କାକୁ ଧାନ ୬୪ ତାମ୍ବି, କଟକୀ ମାପରେ ୯୬ ସେର । ଖାଣ୍ଟି ଗୁଆ ଓ ମଇଁଷି ଘିଅ ଯଥାକ୍ରମେ ଟଙ୍କାରେ ୬୦ ଓ ୭୦ ପଳ । ମୁକୁନ୍ଦ ମହାପାତ୍ରଙ୍କୁ ସଂଚା, ପଡ଼ି, ବର୍ତ୍ତନ, ନୂତନ ବସ୍ତ୍ର ନାନା ସୂତ୍ରରେ ନାନା ଉପଢୌକନ ଦିଆ ଯାଉଥିଲା । ବାଳକ ଯଦୁମଣି ଏଇଠି ଶୈଶବର ଉପବାସ ଦୁଃଖ ଭୁଲି ଯାଇଥିଲେ । ପରମ ସୁଖରେ କାଳ ଯାପନ କରୁଥିଲେ । ସାଥିମାନଙ୍କୁ ଆମ୍ବ ଦିନରେ ମୁଲ୍ୟବାନ ଆମ୍ବ, ଛେନା ଖଜା, ଖୁରୁମୁଆଁ, ପିଠା ଆଦି ଜିନିଷ ଯେପରି ବାଣ୍ଟୁଥିଲେ, ସେପରି ଗୁରୁଦେବ ବ୍ରାହ୍ମଣ ପଣ୍ଡିତଙ୍କୁ ମଧ୍ୟ ନାନା ଜିନିଷ ଆଣିଦେଇ ଗୁରୁ ମାଆଙ୍କୁ ସନ୍ତୁଷ୍ଟ କରୁଥିଲେ ।
ରାଧାମୋହନ ମୂର୍ତ୍ତି ଓ ମନ୍ଦିର ନିର୍ମାଣ ୩ ବର୍ଷ ମଧ୍ୟରେ ଶେଷ ହେଲା । ଯୁବକ ରାଜା ବିନାୟକ ମାନ୍ଧାତା ମୁକୁନ୍ଦ ମହାପାତ୍ରଙ୍କର ଚାରୁକଳା କୁଶଳତାରେ ମୁଗ୍ଧ ହୋଇ ତାଙ୍କୁ ସ୍ଥାୟୀ ଭାବରେ ରଖିନେଲେ । ମୂର୍ତ୍ତି ପ୍ରତିଷ୍ଠା ପରେ ଅନ୍ୟାନ୍ୟ ବିଭିନ୍ନ ମୂର୍ତ୍ତି, ଚିତ୍ରଣ ବରାଦ ଦେଉଥିଲେ । ତେଣୁ ମୁକୁନ୍ଦ ମହାପାତ୍ରେ ସୁଖରେ ଚଳି ଯାଉଥିଲେ । ଏଣେ ଯଦୁମଣି ବିଦ୍ୟାଶିକ୍ଷାରେ ସଂସ୍କୃତ ଆଦିରେ ଯଥା ସମ୍ଭବ ଜ୍ଞାନ ଅର୍ଜନ କରି କିପରି ଜଣେ ଭଞ୍ଜଙ୍କ ପରି କବି ହେବେ, ଏପରି ଆଶା ପୋଷଣ କରି ଚାଲିଲେ । ଚାଟଶାଳୀରେ ପଢ଼ୁ ପଢ଼ୁ ପଦ ଯୋଡ଼ି କବିତା ମଧ୍ୟ ରଚନା କରି ଚାଲିଲେ ।
ତାଙ୍କୁ ସେତେବେଳକୁ ବୟସ ୧୬ ବର୍ଷ । ଗୁରୁଙ୍କୁ ଏହା କହନ୍ତେ ସେ ଘୁମୁସର ପଞ୍ଚମୁଖ ଭଗବାନ କବିରାଜ ବାହିନୀପତିଙ୍କ ନିକଟକୁ ପଠାଇଲେ । ବ୍ରାହ୍ମଣମାନେ ସେତେବେଳେ ସେ ଅଞ୍ଚଳରେ ଶୂଦ୍ର ରଚିତ କବିତାରେ ଘୃଣା ପ୍ରକାଶ କରୁଥିଲେ । ଶାରଳା ଦାସ ନିଜକୁ ଶୂଦ୍ରମୁନି ବୋଲି ଅଭିହିତ କରୁଥିଲେ ମଧ୍ୟ, ତାଙ୍କର ମହାକାବ୍ୟ ଘରେ ଘରେ ପୂଜିତ ହେଉଥିଲେହେଁ ବ୍ରାହ୍ମଣମାନେ ତତ୍ପ୍ରତି ଘୃଣା କରିବାର ଦେଖାଯାଉଥିଲା । ଫଳରେ ସଙ୍କୋଚ ଶୂଦ୍ର ବାଳକମାନଙ୍କର ସ୍ୱତଃ ଆସୁଥିଲା । ଚତୁଃପାଠୀରେ ଅଳ୍ପ ଶିକ୍ଷିତ ଅଥବା ନାମଧାରୀ କୁହାଳିଆ ବ୍ରାହ୍ମଣ ପହଞ୍ଚି ପଚାରୁଥିଲେ— ‘ମହାଶୟ ! ଏଉଟି କିଏ ?’ ହଁ, ସେ ଅମୁକ ଶାସନର ଗାର୍ଗ ଗୋତ୍ରୀୟ ଅମୁକ ଷଡ଼ଙ୍ଗୀଙ୍କ ପୁଅ ।— ସେଉଟି ? ସେ ବୈଦିକ ଭରଦ୍ୱାଜ ମିଶ୍ରଙ୍କ ନାତି ।— ‘ୟେ’-? ସେଉଟି ଗୋଟିଏ ବର୍ଦ୍ଧକୀ (ବଢ଼େଇ) ସନ୍ତାନ । ସଙ୍ଗେ ସଙ୍ଗେ ଉତ୍ତର ହେଲା— ‘ହଁ, ହଁ କାଳସ୍ୟ କୁଟୀଳା ଗତିଃ । ଦେବଭାଷା ସଂସ୍କୃତ ବର୍ତ୍ତମାନକୁ ଶୂଦ୍ର କଣ, ଅଚ୍ଛବ ପିଲାଏ ତ ଶିକ୍ଷା କଲେଣି ! କିସ ପୁଣି ଦେଖା ନ ଯାଏ ବଞ୍ଚିଥିଲେ ଜୀବରେ ।’
ଅଥଚ ‘ଶୃଣ୍ବନ୍ତୁ ବିଶ୍ୱେ ଅମୃତସ୍ୟ ପୁତ୍ରାଃ,’ ‘ଜଗତଃ ପିତରୌ ବନ୍ଦେ’ ଏସବୁ ଯେଉଁ ଜାତିର ଧ୍ୱନି ସେହି ଜାତିରେ ଅଶିକ୍ଷାର ମୋହ ଏ କୁରୁଚିର ପ୍ରଚାରକ ଭାବରେ ଅଳ୍ପ ଦିନ ତଳୁ ରହି ଆସିଥିଲା । ମାନଧାତାପୁରର ପଣ୍ଡିତ ବିଦ୍ୟାକର ମହାପାତ୍ର ବୈୟାକରଣିକ ନିଜର ପ୍ରିୟତମ ଶିଷ୍ୟକୁ ପଞ୍ଚମୁଖ ରାମ ବାହିନୀପତିଙ୍କ ନିକଟକୁ ଯିବାର ସମସ୍ତ ସୁବିଧା ବତାଇ ଦେଲେ । ଏହି ବ୍ରାହ୍ମଣ ପଣ୍ଡିତଙ୍କର ଉଦାରତା ହିଁ ଯଦୁମଣିଙ୍କୁ ଏତେ ମହାନ୍ କରିପାରିଥିଲା ।
ବାଥକ ଯଦୁମଣି ଘୁମୁସର ତାଲୁକାର ବିଷ୍ଣୁଚକ୍ର ଗ୍ରାମକୁ ବାହାରିଲେ । ନିଜର ଖାଇବା ବାସନ, ଢାଳ, ପୋଥିପତ୍ର ଚୁଡ଼ା ଚାଉଳର ଗଣ୍ଡିରା ମୁଣ୍ଡାଇ କବିତ୍ୱ ସିଦ୍ଧିଲାଭ ଉଦ୍ଦେଶ୍ୟରେ ଗ୍ରାମରୁ ଗ୍ରାମାନ୍ତର ପଚାରି ପଚାରି ଚାଲିଲେ । ତାଙ୍କର ପିତାମାତା ସଙ୍ଗରେ ଜଣେ ଲୋକ ଯିବାକୁ ତାଙ୍କୁ ବାଧ୍ୟ କଲେହେଁ ଗୁରୁଙ୍କ କଥିତମତେ ସେ ଏକାକୀ ସାଧନାରେ ସିଦ୍ଧି ଲଭିବାକୁ ସାହସ ଧରି ଚାଲିଲେ ।
ତାଙ୍କର ବାସ ସ୍ଥାନ ଇଟାମାଟି ଏକାନ୍ତ ରମଣୀୟ ସ୍ଥାନ ଥିଲା । ସୁଦୂର ପ୍ରସାରି ତୋଟା, ପଡ଼ିଆ, ବିଲମାଳରେ ଚଉଦିଗ ପୂର୍ଣ୍ଣ । ତାଙ୍କର ଗ୍ରାମ ଗୋଟିଏ ବିଶିଷ୍ଟ ଜନପଦ । କାଳେ କାଳେ ତାହା ନୂଆଗଡ଼ ରାଜ୍ୟର ଧନୀକ ବ୍ୟବସାୟୀଙ୍କର କେନ୍ଦ୍ରଭୂମି ଥିଲା । ବିରାଟ ଅଠରଶହ ପରିବାର ଥିବା ଜନପଦର ଚଉଦିଗରେ ଏତେ ପତିତ ଭୂମି ଯେ ଟିକିଏ ସଂକୋଚ ଜଣାଯାଏ ନାହିଁ । କୂପ, ପୁଷ୍କରିଣୀ ପର୍ଯ୍ୟାପ୍ତ । ଏକାନ୍ତ ସ୍ୱାସ୍ଥ୍ୟକର ପରିବେଶ । ପଧାନ ସାହିର ମୁଣ୍ଡରେ ମୁକ୍ତ ଏକ ବିସ୍ତୃତ ଭୂମିକୁ ଲାଗି ତାଙ୍କ ପିତାଙ୍କ ବାସ୍ତୁ ଭୂମି ଅତି ରମଣୀୟ । ପରମ ସୁଖରେ ଥିବାବେଳେ ନିଜର ସିଦ୍ଧି ବା ଭାଗ୍ୟ ପରୀକ୍ଷା ଲାଗି ସେ ସ୍ଥାନ ଛାଡ଼ି ଚାଲିଯିବା ହେତୁ ମୁକୁନ୍ଦଙ୍କ ଗୃହ ଶୂନ୍ୟ ଶୂନ୍ୟ ଦେଖାଗଲା-। ମାଆ କହନ୍ତି—ପୁଅ ତାଙ୍କର ବାୟା ବାତୁଳ ହୋଇଛି ।
ଯଦୁମଣି ପଥ ପଚାରି ବିଷ୍ଣୁଚକ୍ରରେ ପହଞ୍ଚିଲେ । ଘୋର ଅରଣ୍ୟ ସମାଚ୍ଛାଦିତ ଭୁଖଣ୍ଡ । ସେତେବେଳେ ଘୁମୁସରରେ ରାଜା ଥିଲେ ଲକ୍ଷ୍ମଣ ଭଞ୍ଜଙ୍କ ପୁଅ ଶ୍ରୀକର ଭଞ୍ଜ । ସେ ସେହି ସମୟରେ ବିଷ୍ଣୁଚକ୍ର ଗ୍ରାମ ଅଦୂରବର୍ତ୍ତୀ ଏକ ଦୁର୍ଗରେ ଛାଉଣୀ ପକାଇ ରହିଥିଲେ । ତାଙ୍କର ନିଜ ପୁତ୍ର ଯୁବରାଜ ଧନଞ୍ଜୟଙ୍କ ସହିତ ଅପଡ଼ ହୋଇଥିଲା । ଯୁବରାଜ ବାପଙ୍କ ବିରୁଦ୍ଧରେ ନାନା ଷଡ଼ଯନ୍ତ୍ର କରି ପ୍ରଜାମାନଙ୍କୁ ମତାଉ ଥିବାରୁ ରାଜା ବିଭିନ୍ନ ଅଞ୍ଚଳରେ ଶିବିର ସ୍ଥାପନ କରି ରହି ପ୍ରଜାମାନଙ୍କର ମନୋଭାବ ପରିବର୍ତ୍ତନ କରାଉଥିଲେ । ପଞ୍ଚମୁଖ ବାହିନୀପତିଙ୍କ ପ୍ରତି ରାଜାଙ୍କର ସନ୍ତୋଷ ନ ଥିଲା । ସେ ଯୁବରାଜଙ୍କର ପକ୍ଷ ଧରୁଥିବାର ଶୁଣାଯାଉଥିଲା । ତଥାପି ବାହିନୀପତି ତାନ୍ତ୍ରିକ ସିଦ୍ଧ ପୁରୁଷ ଥିବାରୁ ତାଙ୍କୁ କୌଣସି ପ୍ରକାର କଟୂକ୍ତି ବା ତାଙ୍କ ସମକ୍ଷରେ ପ୍ରଶ୍ନ ମଧ୍ୟ ରାଜା ଉଠାଉ ନ ଥିଲେ ।
କିଶୋର ଯଦୁମଣିଙ୍କର ସ୍ୱଭାବ ସିଦ୍ଧ ମନୋହର ବପୁଟି ଯେ କେହି ଲୋକର ଆକର୍ଷଣୀୟ ଥିଲା । ଗୁରୁକୁଳ ଯାତ୍ରୀ ଏହି କିଶୋରଟିକୁ ରାଜା ଶ୍ରୀକର ଦେଖି ପାଖକୁ ଡାକି ସମସ୍ତ କଥା ବୁଝିଥିଲେ ଏବଂ କହିଥିଲେ ଯେ—ତୁମ୍ଭେ ଭକ୍ତ ବ୍ରାହ୍ମଣଙ୍କ ଠାରୁ ଶିକ୍ଷା ଗ୍ରହଣ କରି ମନ୍ତ୍ରସାଧନା କରିବ ସତ୍ୟ, କିନ୍ତୁ ସମୟେ ସମୟେ ସେଥିରେ ଲୋକ ବାତୁଳ ହେବାର ଦେଖାଯାଉଛି । ମୋର ଯୁବରାଜ ମଧ୍ୟ ପାରଳାନିବାସୀ ଯୋଗେଶ ପରମଗୁରୁ ତନ୍ତ୍ରସିଦ୍ଧଙ୍କ ନିକଟରେ ଏହିପରି ମନ୍ତ୍ରସାଧନା କରି ବାତୁଳ ହୋଇଥିଲା ।
ଏସବୁ ଶୁଣି ଯଦୁମଣିଙ୍କ ମନରେ ଭୟ ସଞ୍ଚାରିତ ହୋଇଥିଲା । ସେ ଉପେନ୍ଦ୍ର ଭଞ୍ଜଙ୍କ ପରି କୌଣସି ମନ୍ତ୍ରରେ ସିଦ୍ଧି ଲଭିବା ଆଶାରେ ଆସିଥିଲେ । କିନ୍ତୁ ପ୍ରଖ୍ୟାତ ଘୁମୁସର ରାଜାଙ୍କଠାରୁ ଏପରି କଥା ଶୁଣି ଭୟକରିଗଲେ । ସେହି ଶିବିରରେ ଦୁଇଦିନ ରହି ଉପେନ୍ଦ୍ରଙ୍କ ଛାନ୍ଦ ଗାଇ—ଅର୍ଥକରି ସମସ୍ତଙ୍କୁ ମୁଗ୍ଧ କିରଦେଲେ । ଫଳରେ ରାଜା ଶିଶୁଟିର କିଛି ଉପକାର କରିବାକୁ ଇଛା କଲେ । କିନ୍ତୁ ଯଦୁମଣି ମୂକପରି ରହି କୌଣସି କଥା କହିଲେ ନାହିଁ । ହଠାତ୍ ରାଣୀଙ୍କର ଭଉଣୀଜ୍ୱାଇଁ ସୁରଙ୍ଗୀରାଜା ଗଡ଼ରେ ପହଞ୍ଚିବା ଖବର ଆସିବାରୁ ଛାଉଁଣୀ ଭାଙ୍ଗିଗଲା । ରାଜା ଯଦୁମଣିଙ୍କୁ ପାଞ୍ଚଗୋଟି ଟଙ୍କା ମାତ୍ର ବିଦାକି ଦେଲେ । ସେ ଉକ୍ତ ଶିବିରରେ ଏ ଦୁଇ ଦିନ ଭୋଜନ କରି ରହିଥିଲେ । ହଠାତ୍ ଶିବିର ରାତ୍ର ଥାଉ ଭାଙ୍ଗିଗଲା ।
ଯଦୁମଣି କ’ଣ କରିବେ କ’ଣ କରିବେ ଭାବି ଗୋଟିଏ ବହୁଶାଖାଯୁକ୍ତ ଆମ୍ବ ଗଛ ମୂଳରେ ବସି ରହିଲେ । ବିଷ୍ଣୁଚକ୍ର ଗ୍ରାମକୁ ଯିବେ ନା ଘରକୁ ଫେରି ଆସିବେ ? ତାଙ୍କ ଜନନୀର କାତର ମୁଖ ବାରମ୍ବାର ଆଖିରେ ତାଙ୍କର ନାଚି ଉଠିଲା ।
କିନ୍ତୁ ହଠାତ୍ ଅଭୁତପୂର୍ବ ଘଟଣା ଘଟିଲା । ସେ ଯାହାଙ୍କ ନିକଟକୁ ଏତେ କ୍ଲେଶ ସହି ଆସିଥିଲେ ସେହି ଗୁରୁଦେବ ଜଣେ ଶିଷ୍ୟ ସହିତ କଥୋପକଥନ ହୋଇ ଯାଉ ଯାଉ ଯଦୁମଣିଙ୍କର ସୁନ୍ଦର ଅବୟବଟିକୁ ଦେଖି ଦୟାର୍ଦ୍ର ହୋଇ ଛିଡ଼ା ହୋଇଗଲେ । ସେ କଥାଭାଷା ହୋଇ ଆସୁଥିଲେ-। ଘଟଣା ଚକ୍ରରେ କଥା ମଧ୍ୟରେ ଶ୍ଲୋକଟିଏ ଗାଇଲେ —
କନ୍ୟା ପିତୃ ଗୃହେ ନୈବ ସୁଚିରଂ ବାସ ମର୍ହତି
ଲୋକାପବାଦଃ ସୁମହାନ୍ ଜାୟତେ ପିତୃ ବେଶ୍ମନି ।
ଯଦୁମଣି ମାନ୍ଧାତା ପୁରରେ ବିଦ୍ୟାଧ୍ୟୟନ ସମୟରେ ଶ୍ଲୋକାନ୍ତରେ ଅତି ପ୍ରବୀଣ ଥିଲେ । ସେ କାଳାକାଳ ପାତ୍ରାପାତ୍ର ଉପରେ ଦୃଷ୍ଟି ନ ଦେଇ ଅନ୍ତେବାସୀମାନଙ୍କ ସହିତ ଥିବା ପରି ହଠାତ୍ କହିଲେ ଓ ଗାଇଲେ—
ବେଶ୍ମନି,— ତେବେ ‘ନି’ ତ ? ହେଉ ।
ଯତ୍ ପାଡ୍ୟତେ ରାମ କବେଶ୍ଚ ପତ୍ନ୍ୟା ।
ତଦ୍ ଗନ୍ଧ ମାଘ୍ରାୟ ଚକାର ରାମ
ହୁଁ ହଁ ହୁଁ ହୁଁ ହୁଁ ହୁଁ ହୁଁ ହୁଁ ହୁଁ ହୁଁ ହୁଁ ।
ପଥଚାରୀ ଗୁରୁଶିଷ୍ୟ ଏକ ଅର୍ବାଚୀନ ବାଳକର ଏପରି ଅସମ୍ଭାବିତ କାଣ୍ଡ ଦେଖି ସ୍ତମ୍ଭିତ ହୋଇଥିଲେ । କିନ୍ତୁ ତତ୍ପ୍ରତି ଦୃଷ୍ଟି ନ ଦେଇ ଗଳ୍ପ କରି ଚାଲିଥିଲେ । ଶକୁନ୍ତଳା ଚରିତରେ ମହାଭାରତ, ପଦ୍ମପୁରାଣ ଓ କାଳୀଦାସ ରଚନାର ତୁଳନାତ୍ମକ ଆଲୋଚନା ହେଉଥିଲା । ଶିଷ୍ୟର କୌଣସି ପ୍ରଶ୍ନର ଉତ୍ତରରେ ପୁରଶ୍ଚରଣ ବିଶାରଦ ପଞ୍ଜମୁଖ ପୁଣି ଗାଇଲେ—
ବିଶ୍ୱାସୀ ଚ ଘୃତାଚୀ ଚ ଷଡେ ବାପ୍ସରାସାଂବରାଃ
ତାସାଂ ଚ ମେନକା ନାମ ବ୍ରହ୍ମଯୋନିର୍ବରାପସ୍ରା ।
ପୁଣି ବାଳକ ଯଦୁମଣି କହି ଉଠିଲେ—
ରାମାଭିଷେକେ ମଦବିଦବିହ୍ୱଳାୟା
କକ୍ଷସ୍ଥିତୋ ହେମ ଘଟ ସ୍ତରୁଣ୍ୟାଃ ।
ବୃଦ୍ଧ ବାହିନୀପତି ଶିଶୁର ଏକାଣ୍ଡ ଦେଖି ହସି ପକାଇଲେ । ପାଖକୁ ଡାକି କୁଶଳ ସମ୍ବାଦ ପଚାରି, ବୁଝିଲେ ଯେ ସେ ତାଙ୍କରି ନିକଟକୁ ଆସିଛି । ପଣ୍ଡିତଙ୍କ ସ୍ନେହବତ୍ସଳତାରେ ଯଦୁମଣି ସବୁ ଭୟ ଭୁଲି ଯାଇଥିଲେ । ଗୁରୁ କହିଲେ— ବତ୍ସ !
ଗୁରୋର୍ଗରଃ ପଞ୍ଚ ଦିନାନ୍ୟଧୀତ୍ୟ
ବେଦାନ୍ତ ଶାସ୍ତ୍ରାଣି ଦିନକ୍ରୟଂ ଚ ।
ସମାଗତାଃ କୁକକୁଟ ମିଶ୍ର ପାଦାଃ ।
ତୋତେ ଦେଖି, ତୋ କଥା ଶୁଣି ମୁଁ ତୋ ସହିତ ମଧ୍ୟ ପରିହାସିକ ହୋଇ ପଡ଼ିଛି । ମୀମାଂସା ଶାସ୍ତ୍ରକୁ ଗୁରୁଙ୍କ ଉପଦେଶରେ ପାଞ୍ଚ ଦିନ ମଧ୍ୟରେ ଶେଷ କରି, ତିନି ଦିନରେ ବେଦାନ୍ତ ଶାସ୍ତ୍ର ପଢ଼ା ଶେଷ କରି, ତର୍କ ଶାସ୍ତ୍ରକୁ ଆଘ୍ରାଣ ମାତ୍ର କରି କୁକ୍କୁଟ ପକ୍ଷି ନାମରେ ନାମିତ କୁକ୍କୁଟମିଶ୍ରପାଦ ସମାଗତ ହେଲେ । ଏଣୁ ତାଙ୍କୁ ପ୍ରଧାନ ଉପାଧ୍ୟାୟ ଆସନ ଦିଆଯାଉ । ତୁ ସେହିପରି ସମାଗତ ନୋହୁତ ? ଯାହାହେଉ ତୋର ପ୍ରଚ୍ଛନ୍ନ ହାସ୍ୟରସ ମତେ ମୁଗ୍ଧ କରି ଦେଇଛି । ‘ଅକମ୍ପଂ ହସିତଂ ଶ୍ରେଷ୍ଠଂ ମୀଳିତାକ୍ଷ ମଘାପହଂ । ଅସକୃଦ୍ ହସିତଂ ଦୁଷ୍ୟେତ୍ ତତ୍ତୂନ୍ମାଦସ୍ୟ ଲକ୍ଷଣଂ-।’ ସ୍ପନ୍ଦନହୀନ ହାସ୍ୟହିଁ ଶ୍ରେଷ୍ଠ । ଆଖିବୁଜି ହସିଲେ ପାପ ଦୁର ହୁଏ । ବାରମ୍ବାର ହସିଲେ ବଡ଼ ଦୋଷ । କାରଣ ତାହା ଉନ୍ମାଦ ବା ବାତୁଳର ସ୍ୱଭାବ ଅଟେ ।
ଏହାପରେ ଯଦୁମଣିଙ୍କ ଠାରୁ ସମସ୍ତ ଘଟଣା ଜାଣିସାରି, ପୁଣି କହିଲେ—‘‘ଶମୀ କଦମ୍ବ ନିଂବାମ୍ର ମଧୁକା ବୃକ୍ଷ ଶାଖିନଃ ।”
—’‘ଯେତେବେଳେ ଆମ୍ର ବୃକ୍ଷ ତଳେ ତୋତେ ଭେଟିଛି, ତୋର ସାହସିକ ଶ୍ଲୋକାନ୍ତରେ ହାସ୍ୟରସ ଶୁଣିଛି, ତୋତେ ନିଶ୍ଚୟ ତୋର ଉଦ୍ଦେଶ୍ୟ ସଫଳ ଲାଗି ଯତ୍ନ କରିବି ।”
ଶେଷରେ ମନ୍ତ୍ର ପ୍ରୟୋଗ ପାଇଁ ବାହିନୀପତି କୃତସଂକଳ୍ପ ହେଲେ । ଜଣେ ସିଦ୍ଧ ସାଧୁ ସେ ସମୟରେ ସେଠାରେ ପହଞ୍ଚିଲେ । ପହଞ୍ଚି ଏସବୁ କଥା ଶୁଣି ସେ ଯଦୁମଣିଙ୍କୁ ପଚାରିଲେ—ବତ୍ସ ! ବଂଶ ଚାହଁ ନା ନାମ ଚାହଁ ? ଯଦୁମଣି କହିଲେ—ନାମ ଚାହେଁ । ତହୁଁ ସେ ଭଗବାନ କବିରାଜଙ୍କୁ ହୟଗ୍ରୀବ ମନ୍ତ୍ର ଦେବାକୁ କହିଗଲେ । ଆଶ୍ୱିନ ମାସର ଶେଷପାଦରେ ଯଦୁମଣି ଏଠାରେ ପହଞ୍ଚିଥିଲେ । ତେଣୁ ସେ କିପରି ଉପଯୁକ୍ତ ହେବେ ତାହା ଗୋଟିଏ ପକ୍ଷ ମଧ୍ୟରେ ଗୁରୁ ପ୍ରଥମେ ପରୀକ୍ଷା କରି ନେଲେ ।
ଯଦୁମଣି ଗୁରୁଙ୍କ ପ୍ରତି ଏପରି ଭକ୍ତି, ଶ୍ରଦ୍ଧା ଏବଂ ଶୁଶ୍ରୂଷା କଲେ ଯେ ଗୁରୁ ଦିନେ କହିଲେ- ବତ୍ସ ! ତୁ ଶୂଦ୍ର କୁଳରେ ଜନ୍ମ ଲଭିଥିଲେ ହେଁ ପାବନ ମନ୍ତ୍ର ଗ୍ରହଣ ପାଇଁ ଏକାନ୍ତ ଉପଯୁକ୍ତ ଅଟୁ । ସାଧଙ୍କୁ କଥା ରଖିବି । କାରଣ —
—ନଦେୟ ମର୍ଥ ଲୁବ୍ଧାୟ ପିଶୁନାୟାସ୍ଥିରାୟ ତ
ଭକ୍ତି ଶ୍ରଦ୍ଧା ବିହୀନାୟ ଶୁଶ୍ରୂଷା-ବିମୁଖାୟ ଚ ।
ହୟଗ୍ରୀବ ମନ୍ତ୍ର ସାଧନାର ପ୍ରାଥମିକ ଚର୍ଚ୍ଚା
ବର୍ତ୍ତମାନ ଦୀକ୍ଷା ଗ୍ରହଣର ଶୁଭ ସମୟ ସମାଗତ ।
ବୈଶାଖେ ଶ୍ରାବଣେ ବାପି ଆଶ୍ୱଗନେ କାର୍ତ୍ତିକେଽଥବା
ଫାଲ୍ଗୁନେ ମାର୍ଗଶୀର୍ଷେ ବା କୁର୍ଯ୍ୟାନ୍ ମନ୍ତ୍ରସ୍ୟ ଦୀକ୍ଷଣମ୍ ।
ଏହା କାର୍ତ୍ତିକ ମାସ, ବିଶେଷରେ ଶରତ ଋତୁ ଥିବାରୁ
ଶରତ୍ କାଳେ ଚ ମନ୍ତ୍ରସ୍ୟ ଦୀକ୍ଷାଶ୍ରେଷ୍ଠ ଫଳପ୍ରଦା
ଫାଲ୍ଗୁନେ ମାର୍ଗଶୀର୍ଷେ ଚ ଜ୍ୟେଷ୍ଠେ ଦୀକ୍ଷା ତୁ ମଧ୍ୟମା
ଆଷାଢ଼େ ଶ୍ରାବଣେ ମାଘେ କନିଷ୍ଠା ସଭିରାଦୃତା
ନିନ୍ଦିତଶ୍ଚାଧିମାସସ୍ତୁ ପୌଷୋ ଭାଦ୍ରପଦସ୍ତଥା ।
ଅତି ଭଲ ସମୟ ହୋଇଅଛି । ତୁ ତୋର ଉଦ୍ଦେଶ୍ୟ ଜ୍ଞାପନ କଲେ ମୁଁ ତିଥି ବାର ସ୍ଥିର କରିବି ।
ଗୁରୁ ଏହା କହନ୍ତେ ଯଦୁମଣି କରଯୋଡ଼ି ଜଣାଇଲେ— ମୁଁ କବିତ୍ୱ ଆଶାରେ ଆସିଛି ଆଜ୍ଞା । ତହୁଁ ଗୁରୁ କହିଲେ—
ମୁକ୍ତିକାମୈଃ କୃଷ୍ଣ ପକ୍ଷେ ଭୂତିକାମୈଃ ସିତେସଦା ।
ତେବେ ଭୂତି କାମନା ଥିବାରୁ ଶୁକ୍ଲପକ୍ଷ ପ୍ରଶସ୍ତ ଅଟେ ।
ପୂର୍ଣ୍ଣିମା ପଞ୍ଚମୀ ଚୈବ ଦ୍ୱିତୀୟା ସପ୍ତମୀ ତଥା
ତ୍ରୟୋଦଶୀ ଚ ଦଶମୀ ପ୍ରଶସ୍ତାଃ ସର୍ବକାମଦାଃ
ରବୌ ଗୁରୌ ବିଧୌ ଦୀକ୍ଷା କର୍ତ୍ତବ୍ୟା ବୁଧ ଶୁକ୍ରୟୋଃ
ତ୍ରୟୋଦଶୀ ଦିନ ଦୀକ୍ଷା ନେଲେ ଭଲ ହେବ । ବିଶେଷରେ ତୁଳା ମାସ ଚାଲୁଥିବାରୁ ଅତି ଭଲ ହେବ ।
ମେଷ କର୍କଟ କନ୍ୟାସୁ ତୁଳାୟାଂ ବୃଶ୍ଚିକେ ତଥା
ମକରେ କୁମ୍ଭକେ ଚେବ ଦୀକ୍ଷା ସର୍ବ ଶୁଭାବହା ।
କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ ବା ଦଶମୀରେ ବାର ଭଲ ହେଉ ନାହିଁ । ତେଣୁ ନବମୀ ଶୁକ୍ରବାରରେ ଦୀକ୍ଷା ଦିଆଯିବ ।
କାର୍ତ୍ତିକେ ନବମୀ ଶୁକ୍ଲା ତୀର୍ଥ କୋଟି ଫଳାନି ଚ ।
ଯଦୁମଣି ନିଷ୍କମ୍ପ ପ୍ରଦୀପ ଭଳି ଗୁରୁ ଦେବତାଙ୍କ ପାଦ ପଦ୍ମରେ ଚିତ୍ତ ରଖି ଶୁଣିଲେ—ପ୍ରତ୍ୟହ କିପରି ତିନି ଥର ସ୍ନାନ କରିବେ । କାରଣ ଅସ୍ନାତସ୍ୟ ଫଳଂ ନାସ୍ତି । ତା’ପରେ ତିଳକ କିପରି ଧାରଣ କରିବେ । କାରଣ ସେ ହୟଗ୍ରୀବ ବିଷ୍ଣୁ ମନ୍ତ୍ର ଗ୍ରହଣ କରିବା ସ୍ଥିର ହେବାରୁ— ‘ଶଙ୍ଖ ଚକ୍ରଂ ଭୂଜଦ୍ୱନ୍ଦେ ଶାର୍ଙ୍ଗବାଣଂ ଚ ମୂର୍ଦ୍ଧନି’ କିପରି କରିବେ ଶିଖିନେଲେ ।
ଏହି କଠୋର ସାଧନାରେ ଭିକ୍ଷା କରିବାକୁ ହେବ । ଯେଉଁ ଭିକ୍ଷା ସଂଗୃହୀତ ହେବ, ତାହାଦ୍ୱାରା ହବିଷ୍ୟ କିପରି କରିବାକୁ ହେବ, ତାହା ମଧ୍ୟ ଶିଖିନେଲେ ।
ଭକ୍ଷଂ ହବିଷ୍ୟଂ ଶାକାନି ବିହିତାନି ପଳଂ ପୟଃ
ଚରୁ ମୂଳ ଫଳଂ କ୍ଷୀର ଦଧି ଭିକ୍ଷାନ୍ନ ସକ୍ତବଃ ।
ଭିକ୍ଷନ୍ନଂ ଶୁଦ୍ଧମାନୀୟ କୃତ୍ୱା ଭାଗ ଚତୁଷ୍ଟୟଂ
ଏକୋଭାଗୋ ଦ୍ୱିଜେ ଭକ୍ତୋ ଗୋ ଗ୍ରାସେ ଚ ଦ୍ୱିତୀୟକଂ
ଅତିଥିଭ୍ୟ ସ୍ତୃତୀୟସ୍ତୁ କୃତ୍ୱା ଗ୍ରାସ ବିଧିଂ କ୍ରମାତ୍ ।
ଭୋଜନ କୁକ୍କୁଟାଣ୍ଡ ପ୍ରମାଣରୁ ଥରକେ ଅଧିକ କରିବ ନାହିଁ ।
କୁକ୍କୁଟାଣ୍ଡ ପ୍ରମାଣଂ ତୁ ଗ୍ରାସମାନଂ ବିଧୀୟତେ
ଅଷ୍ଟୌ ଗ୍ରାସାନ୍ ଗୃହସ୍ଥଶ୍ଚ ବ୍ରହ୍ମଚାରୀ ଯଥେଷ୍ଟତଃ ।
ତେଣୁ କୁକ୍କୁଟାଣ୍ଡ ପରିମାଣର ଗ୍ରାସ ସେ ବ୍ରହ୍ମଚାରୀ ଥିବାରୁ ଯଥେଷ୍ଟ । ଏହାହିଁ ହବିଷ୍ୟ ବେଳେ ଭୋଜନ ଲାଗି ବ୍ୟବସ୍ଥା ଥିଲା । କିନ୍ତୁ ସେ ଖାଇ ସନ୍ତୋଷ ଲଭି ପାରୁ ନଥିଲେ ।
ଦେବାଳୟରେ ସେ ମନ୍ତ୍ର ଜପ କରିବାକୁ ସିଦ୍ଧାନ୍ତ କରାଯାଇଥିଲା—
ଗୃହେ ଶତ ଗୁଣଂ ବିଦ୍ୟାଦ୍ଗୋଷ୍ଠେ ଲକ୍ଷ ଗୁଣଂ ଭବେତ୍
କୋଟି ଦେବାଳୟେ ପୁଣ୍ୟମନନ୍ତଂ ଶିବ ସନ୍ନିଧୌ ।
ଆସନ ଖଣ୍ଡିଏ ସେ ବ୍ୟାଘ୍ରଚର୍ମ୍ମର ନ ପାଇ ପାରିବାରୁ ବାଉଁଶ ତଲେଇଟିଏ ପକାଇ ଜପ କରିଥିଲେ । ଆସନ ସମ୍ବନ୍ଧରେ ତାଙ୍କର କୌଣସି ଧାରଣା ନ ଥିବାରୁ ସେ ଫଳରେ ‘‘ବଂଶାସନେ ଦରିଦ୍ରତ୍ୱଂ” ଚିରଦିନ ଦାରିଦ୍ର୍ୟ ଭୋଗ କରିଥିଲେ ।
କାର୍ତ୍ତିକ ଶୁକ୍ଳ ଅଷ୍ଟମୀ ଦିନ ଗୁରୁଦେବ ଯଦୁମଣିଙ୍କୁ ନିଜ ଆସନ ନିକଟରେ ବସାଇ କହିଥିଲେ—’‘ବତ୍ସ! ବିଦ୍ୟାର ଦେବତା ହେଉଛନ୍ତି ହୟଗ୍ରୀବ । ତାଙ୍କର ମନ୍ତ୍ର ତୁମେ ବୟାଳିଶ ଲକ୍ଷ ଥର ଜପ କରିବାକୁ ହେବ । ତେବେ ଯାଇ ସିଦ୍ଧ ଲଭିବ । ଉକ୍ତ ହୟଗ୍ରୀବ ମନ୍ତ୍ର ମଧ୍ୟ ବୟାଳିଶ ଅକ୍ଷର ବିଶିଷ୍ଟ ଅଟେ । କିନ୍ତୁ ଉକ୍ତ ହୟଗ୍ରୀବ ମନ୍ତ୍ରର ଏକାଦଶାକ୍ଷର ମନ୍ତ୍ର ପ୍ରୟୋଗ ଅଛି । ସେଥିରେ ଚାରି ଲକ୍ଷ ଜପ କରାଯାଏ । ତାହା ସେପରି ଦୃଢ଼ ନୁହେଁ । ଅତ୍ୟନ୍ତ ଶୁଦ୍ଧପୂତ ନ ହେଲେ ଦେବତାର ଦର୍ଶନ ସମ୍ଭବ ହୁଏ ନାହିଁ । ତେଣୁ ତୁମ୍ଭେ କଣ କରିବ ମୋତେ ଜଣାଅ ।”
ଯଦୁମଣି ବୟାଳିଶି ଅକ୍ଷର ବିଶିଷ୍ଟ ମନ୍ତ୍ର ଜପ କରିବାକୁ ଉତ୍ସାହିତ ହୋଇ ତାହା ଗ୍ରହଣ କରିବାକୁ ବ୍ୟାକୁଳ ହୋଇ ଉଠିଥିଲେ ।
ଗୁରୁ କହିଥିଲେ — ବତ୍ସ ! ମୁଁ ତୋତେ ପରୀକ୍ଷା କରିବାକୁ ସମ୍ବତ୍ସର କାଳ ବିତେଇ ଦେଇଥାନ୍ତି । କାରଣ ଶାସ୍ତ୍ର ପ୍ରମାଣ ଅନୁସାରେ—
ଜ୍ଞାନେନ କ୍ରିୟୟା ବାପି ଗୁରୁଃ ଶିଷ୍ୟଂ ପରୀକ୍ଷୟେତ୍
ସମ୍ବତ୍ସରଂ ତଦର୍ଦ୍ଧଂ ବା ତଦର୍ଦ୍ଧଂ ବା ପ୍ରଯତ୍ନତଃ ।
କିନ୍ତୁ ତୋର ସୁଦର୍ଶନ ଅବୟବ ଏବଂ ସେବା ଶୁଶ୍ରୂଷାରେ ମୁଁ ମୋହିତ ହୋଇଛି—ଅତି ଶୀଘ୍ର । ତେବେ ତୁ ଗୁରୁଙ୍କୁ ପରମେଶ୍ୱର ବୋଲି ମନେ କରିବୁ ।
ଶ୍ରୀ ଗୁରୁଃ ପରମେଶାନି ଶୁଦ୍ଧବେଶୋ ମନୋହରଃ
ସର୍ବଲକ୍ଷଣ ସଂପନ୍ନଃ ସର୍ବାବୟବ ଶୋଭିତଃ ।
କ୍ରିୟାଚାରି ଶିଷ୍ୟ ଶୂଦ୍ର ହେଲେ, କିଛି ଚିନ୍ତା ନାହିଁ । ମୁଁ ତୋଠାରେ ସନ୍ତୋଷ ରହିଅଛି । ତୁ ସିଦ୍ଧିଲାଭ କର । ‘‘ଶିଷ୍ୟ ଶୂଦ୍ରଂ କ୍ରିୟାବିଦଂ ।”
ଏହାପରେ ଗୁରୁଦେବ ମଧୁକୈଟଭ ବଧାର୍ଥେ ବିଷ୍ଣୁଙ୍କର ହୟଗ୍ରୀବ ଅବତାର ବର୍ଣ୍ଣନା ମୁଖସ୍ଥ କରିବାକୁ ଆଦେଶ କଲେ ।
ସୁ ନାସିକେନ କାୟେନ ଭୂତ୍ୱା ଚନ୍ଦ୍ର ପ୍ରଭସ୍ତଦା
କୃତ୍ୱା ହୟଶିରଃ ଶୁଭ୍ରଂ ବେଦାନାମାଳୟଂ ପ୍ରଭୁଃ
ତସ୍ୟ ମୂର୍ଦ୍ଧା ସମପ୍ରଭତ୍ ଦ୍ୟୈାଃ ସନକ୍ଷତ୍ର ତାରକା
କେଶାଶ୍ଚାସ୍ୟାଭବଦ୍ଦୀର୍ଘା ରବେରଂଶୁ ସମପ୍ରଭାଃ
କର୍ଣ୍ଣାବାକାଶ ପାତାଳେ ଲଲାଟଂ ଭୂତଧାରିଣୀ
ଗଙ୍ଗା ସରସ୍ୱତୀ ଶ୍ରୋଣ୍ୟୌ ଭ୍ରୁବାବାସ୍ତାଂ ମହୋଦଧୀ ।
ଚକ୍ଷୁଷୀ ସୋମ ସୂର୍ଯ୍ୟୌତେ ନାସା ସନ୍ଧ୍ୟା ପୁନଃଶ୍ରିତା
ପ୍ରଣବ ସ୍ତ୍ୱୁଥ ସଂସ୍କାରୋ ବିଦ୍ୟୁ ଜ୍ଜିହ୍ୱା ଚ ନିର୍ମ୍ମିତା
ଦନ୍ତାଶ୍ଚ ପିତରୋ ରାଜନ୍ ସୋମପା ଇତି ବିଶ୍ରୁତାଃ
ଗୋଲୋକୋ ବ୍ରହ୍ମଲୋକଶ୍ଚ ଓଷ୍ଠାବାସ୍ତାଂ ମହାତ୍ମନଃ
ଗ୍ରୀବା ଚାସ୍ୟାଭବ ଦ୍ରାଜନ୍ କାଳ ରାତ୍ରିର୍ଗୁଣୋତ୍ତରା
ଏତନ୍ ହୟ ଶିରଃ କୃତ୍ୱା ନାନା ମୂର୍ତ୍ତିଭିରାବୃତ୍ତମ୍ ।
ଅର୍ଥାତ୍—ଭଗବାନ ନିଜକୁ ନାନା ମୂର୍ତ୍ତିଦ୍ୱାରା ଆବୃତ କରି ହୟଶିରଃ (ହୟଗ୍ରୀବ) ଅବତାର ଧାରଣ କରିଥିଲେ । ତାଙ୍କ ଶରୀର ସୁନ୍ଦର ନାସାଯୁକ୍ତ ହୋଇଥିଲା । ତାଙ୍କର ଚନ୍ଦ୍ର ସଦୃଶ ପ୍ରଭା ଓ ସମସ୍ତ ବେଦର ଆଳୟ ସ୍ୱରୂପ ଶୁଭ୍ର ବର୍ଣ୍ଣ ହୟଶିରଃ (ଅଶ୍ୱ ମସ୍ତକ) ହୋଇଥିଲା । (ସେ) ମସ୍ତକ ସମସ୍ତ ନକ୍ଷତ୍ର ତାରକାଯୁକ୍ତ ଆକାଶ ହେଲା । କେଶଗୁଡ଼ିକ ସୂର୍ଯ୍ୟକିରଣ ସଦୃଶ ଦୀର୍ଘ ଥିଲା-। ସେ ମୂର୍ତ୍ତିର ଆକାଶ ଓ ପାତାଳ ଉଭୟ କର୍ଣ୍ଣ । ଭୂତଧାରିଣୀ (ପୃଥିବୀ) ଲଲାଟ । ଗଙ୍ଗା ଓ ସରସ୍ୱତୀ ଉଭୟ ଶ୍ରେଣୀ । ପୂର୍ବ ପଶ୍ଚିମ ସାଗର ଦ୍ୱୟ (ମହୋଦଧି) ଭ୍ରୁଯୁଗ୍ମ । ଚନ୍ଦ୍ର ସୂର୍ଯ୍ୟ ଚକ୍ଷୁଦ୍ୱୟ ଓ ସନ୍ଧ୍ୟା ନାସିକା ହୋଇଥିଲେ । ପ୍ରଣବ ସେ ଶରୀରର ସଂସ୍କାର ଥିଲା । ବିଦ୍ୟୁତ୍ ଜିହ୍ୱା ରୂପ ହୋଇଥିଲା । ସୋମପା ପିତୃମାନ ଦନ୍ତ ହୋଇଥିଲେ । ସେ ମହାତ୍ମାଙ୍କର ଉଭୟ ଓଷ୍ଠ ହୋଇଥିଲେ ଗୋଲୋକ ଓ ବ୍ରହ୍ମଲୋକ । ଗୁଣାଧିକ୍ୟା କାଳରାତ୍ରି ଗ୍ରୀବା ହୋଇଥିଲା ।
ଯଦୁମଣି ଏହି ବର୍ଣ୍ଣନା ଅତି ଶୀଘ୍ର ଧରିନେଇ ତାହା ମୁଖସ୍ଥ କରି ଦେଇଥିଲେ ।
ଅଷ୍ଟମୀ ନିଶା ଅତୀତ ହେବା ପରେ ବ୍ରହ୍ମ ମୁହୂର୍ତ୍ତରେ ସ୍ନାନାଦି କରି ଶ୍ରୀ ଗୁରୁଦେବଙ୍କ ଚରଣାମୃତ ପାନକରି ଯଦୁମଣି ମନ୍ତ୍ରଗ୍ରହଣ ଲାଗି କଠୋର ନିଷ୍ଠା ଅବଲମ୍ବନ କଲେ । ଯଥା ସମୟରେ ମନ୍ତ୍ର ପୁରଶ୍ଚରଣ କର୍ମ୍ମ କରାହେଲା । ଗୁରୁଦେବ ଏହି ପ୍ରକାରେ ମନ୍ତ୍ର ଦାନ କଲେ ।
ଅସ୍ୟ ହି ଚତ୍ୱାରିଂଶ ଦକ୍ଷରୋ ହୟଗ୍ରୀବ ମନ୍ତ୍ରସ୍ୟ
ବିନିଯୋଗାୟ ନମଃ ସର୍ବାଙ୍ଗେ ଇତି ଋଷ୍ୟାଦି
ଏବଂ ନ୍ୟାସ ବିଧିଂ କୃତ୍ୱା ଧ୍ୟାୟେତ୍
ଜାନୁହୟ ନ୍ୟସ୍ତ କରଂ ଭଜାମଃ ।
ହଂସଃ ସୋଽହଂ ବିଶ୍ୱତୀର୍ଣ୍ଣ ସ୍ୱରୂପାୟ ଚିନ୍ମୟାନନ୍ଦ ରୁପିଣେ
ତୁଭ୍ୟଂ ନମୋ ହୟଗ୍ରୀବ ବିଦ୍ୟରାଜାୟ ବିଷ୍ଣବେ ସ୍ୱାହା ହଂସଃ ସୋଽହଂ ।
ଇତି ଦ୍ୱିଚତ୍ୱାରିଂଶଦକ୍ଷରେ ହୟଗ୍ରୀବ ମନ୍ତ୍ରଃ । (ତନ୍ତ୍ରାସାରେ)
ତତଃ ପୀଠାଦୌ ସର୍ବତୋଭଦ୍ର ମଣ୍ଡଳେ
‘ଓଁ ମଂ ମଂଡୂକାଦି ପରତତ୍ତ୍ୱାଂତ ପୀଠ ଦେବତାଭ୍ୟୋ ନମଃ”
ଇତି ପୀଠଦେବତାଃ ସଂପୂଜନ ନବପୀଠ ଶକ୍ତିଂ ପୂଜୟେତ୍ ।
ମଧ୍ୟେ — ଓଁ ଅନୁଗ୍ରହାୟୈ ନମଃ । ଇତି ପୂଜୟେତ୍ ।
ତତଃ ସ୍ୱର୍ଣ୍ଣାଦି ନିର୍ମ୍ମିତ ଯନ୍ତ୍ରଂ ମୂର୍ତ୍ତି ବା ତାମ୍ରାପାନ୍ତ୍ରେ ଘୃତେନାଭ୍ୟଜ୍ୟ ତଦୁପରି ଦୁଗ୍ଧଧାରାଂ ଜଳଧାରଂ ଚ ଦତ୍ତ୍ୱା ସ୍ୱଚ୍ଛ ବସ୍ତ୍ରେଣ ସଂଶୋଷ୍ୟ
‘‘ଓଁ ନମୋ ଭଗବତେ ହୟଗ୍ରୀବାୟ ସର୍ବ ଭୂତାତ୍ମନେ
ବାସୁଦେବାୟ ସର୍ବାତ୍ମ ସଂଯୋଗ ପଦ୍ମପୀଠାତ୍ମନେ ନମଃ”
ଇତି ମନ୍ତ୍ରେଣ ପୁଷ୍ପ ଦ୍ୟାସନଂ ଦତ୍ତ୍ୱା ପୀଠମଧ୍ୟେ ସଂସ୍ଥାପ୍ୟ ପ୍ରତିଷ୍ଠାଂ ଚ କୃତ୍ୱା ପୁନାର୍ଧ୍ୟାତ୍ୱା (ହଂ ସୂ) ଇତି ବୀଜମନ୍ତ୍ରେଣ ମୂର୍ତ୍ତି ପ୍ରକଳ୍ପ୍ୟ ପାଦ୍ୟାଦି ପୁଷ୍ଠଂ ତୈ ରୂପଚାରୈଃ ସଂପୂଜ୍ୟ ଦେବାଜ୍ଞାଂ ଗୃହୀତ୍ୱା ଆବରଣ ପୂଜାଂ କୁର୍ଯ୍ୟାତ୍ ।
ଓଁ ସବିନ୍ମୟଃ ପରେ ଦେବଃ ପରାମୃତ ରସପ୍ରିୟ
ଅନୁଜ୍ଞାଂ ଦେହି ମେ ଦେବ ପରିବାରାର୍ଚନାୟ ତେ ।
ଇତି ପଠିତ୍ୱା ପୁଷ୍ପାଞ୍ଜଳିଂ ଚ ଦତ୍ତ୍ୱା ଆବରଣ ପୂଜାମାରଭେତ୍ ।
ଷଟ୍ କୋଣ କେସରେଷୁ ଆଗ୍ନେୟାଦି ନ୍ତ୍ରମେଣ ମଧ୍ୟ ଦିକ୍ଷୁ ଚ ଷଡ଼ଂଗାନି ପୂଜୟେତ୍ । ଇତି ପ୍ରଥମା ବରଣମ୍ ।
ତତୋଽଷ୍ଟ ଦଳେ ପୂଜ୍ୟ ପୂଜକୟୋରନ୍ତରାଳେ ପ୍ରାଚୀଂ ତଦନୁସାରେଣ ଅନ୍ୟା ଦିଶଃ ପ୍ରକଳ୍ପ୍ୟ —
ଓଁ ସର୍ବନ୍ୟାୟଶାସ୍ତ୍ରେଭ୍ୟୋ ନମଃ
ଓଁ ସର୍ବଧର୍ମଶାସ୍ତ୍ରେଭ୍ୟୋ ନମଃ
ଓଁ ସର୍ବପୂରାଣଶାସ୍ତ୍ରେଭ୍ୟୋ ନମଃ
ତତଃ ପୁଷ୍ପାଞ୍ଜଳିମାଦାୟ ମୂଳମୂଚ୍ଚାର୍ଯ୍ୟ
ଓଁ ଅଭୀଷ୍ଟସିଦ୍ଧିଂ ମେ ଦେହି ଶରଣାଗତବତ୍ସଳ
ଭକ୍ତ୍ୟା ସମର୍ପୟେ ତୁଭ୍ୟଂ ଦ୍ୱିତୀୟା ବରଣାର୍ଚନମ୍ ।
ଇତି ପଠିତ୍ୱା ପୁଷ୍ପାଞ୍ଜଳିଂ ଚ ଦତ୍ତା ପୂଜିତ ସ୍ତର୍ପିତା ସଂତୁ ଇତି ବଦେତ୍ ।
ଅନ୍ୟାବରଣଂ ସର୍ବଂ ପୂର୍ବବତ୍ ସଂପୂଜ୍ୟ ଜପଂ କୁର୍ଯ୍ୟାତ୍ ।
ଅସ୍ୟ ପୁରଶ୍ଚରଣଂ ଦ୍ୱିଚତ୍ୱାରିଂଶଲ୍ଲକ୍ଷ ଜପଃ ।
ବର୍ଣ୍ଣ ଲକ୍ଷଂ ଜପେନ୍ମନ୍ତ୍ରଂ କୁନ୍ଦ ପୁଷ୍ପୈର୍ମଧପ୍ଲୁତୈଃ
ଦଶାଂଶଂ ବୈଷ୍ଣବେ ବହ୍ନୌ ଜୁହୁୟାନ୍ମନ୍ତ୍ର ସିଦ୍ଧୟେ
ଏବଂ ଯୋ ଜଗତେ ଦେବଂ ସକ୍ଷଦ୍ବାଗୀଶ୍ୱରୋଭବେତ୍
ବିଲ୍ୱୈଃ ଫଳୈଃ କୃତୋ ହୋମଃ ଶ୍ରୀକରଃ ପରିଗୀୟତେ ।
କୁନ୍ଦ ପୁଷ୍ପାଣି ଜୁହୁୟା ଦିଚ୍ଛନ୍ ବାକ୍ଶ୍ରିୟ ମବ୍ୟୟମ୍
ମନୁନା ନେନ ସଂଜପ୍ତଂ ଘୃତଂ ବ୍ରାହ୍ମୀରସେ ଶୃତମ୍
କବିତାମାହାରେତ୍ ପୁଂସାମନର୍ଗଳ ବିଜୃମ୍ଭିତାମ୍
ବଚା ମନେନ ସଂଜପ୍ତାଂ ଭଷୟେତ୍ ପ୍ରାତରନ୍ୱହମ୍ ।
ସର୍ବବେଦାଗମାଦୀନାଂ ବ୍ୟାଖ୍ୟାତା ଜାୟତେଽଚିରାତ୍
ମନୋରସ୍ୟ ସମୋ ନାସ୍ତି ଜ୍ଞାନୈଶ୍ଚର୍ଯ୍ୟ ପ୍ରଦୋଽପରଃ ।
ଏହି କ୍ରମରେ ସେ ମନ୍ତ୍ର ଦେବାଳୟ ମଧ୍ୟରେ ପ୍ରତିଦିନ ଜପ କରିବାକୁ ଲାଗିଲେ । ଭାଷା କରି ହବିଷ୍ୱ କରି ଠିକ୍ ବିଧି ରକ୍ଷା କରି ଚାଲିଥାନ୍ତି ।
ଜପ ଆଉ ଦଶ ଲକ୍ଷ ବାକୀ ଅଛି ଯଦୁମଣିଙ୍କୁ ଜ୍ୱର ଗ୍ରାସ କଲା । ସେ ଏକାନ୍ତ ଅସମ୍ଭାଳ ହୋଇ ନିଷ୍ଠା ତ୍ୟାଗ କରି ଏମନ୍ତ କି ଜପବିଧି ମଧ୍ୟ ତ୍ୟାଗ କରିବାକୁ ବାଧ୍ୟ ହେଲେ । ଏହା ମଧ୍ୟରେ ଶହେ ଦଶ ଦିନ ସେ ଦମ୍ଭ ଧରି ଚାଲିଥିଲେ । ବିଫଳ ହେବାରୁ ଗୁରୁଙ୍କ ମନରେ ବହୁ ଦୁଃଖ ହେଲା-।
ପୁଣି ଶରୀର ସୁସ୍ଥ ହେବାରୁ ଗୁରୁଦେବ ପ୍ରିୟ ଶିଷ୍ୟକୁ କବିତା ଲାଭ ଲାଗି ହୟଗ୍ରୀବଙ୍କର ଏକାଦଶାକ୍ଷର ମନ୍ତ୍ର ପ୍ରୟୋଗ ଦୀକ୍ଷା ଦାନ କଲେ ।
ଏହି ମନ୍ତ୍ରଟି ହେଉଛି— ‘‘ଓଁ ହୟଗ୍ରୀବାୟ ନମଃ ସ୍ୱାହା ଓଁ”
ଧ୍ୟାନ ହେଲା— ଧବଳ ନଳିନନିଷ୍ଠଂ କ୍ଷାରଗୌରଂ କରାଗ୍ରୈ—
ର୍ଜପବଳୟ ସରୋଜେ ପୁସ୍ତକାଭୀଷ୍ଟ ଦାନୈଃ
ଦଧତମମଳ ବସ୍ତ୍ରାକଳ୍ପଦାନାଭିରାମଂ
ତୁରଗ ବଦନ ବିଷ୍ଣୁଂ ନୌମି ବିଦ୍ୟଧ୍ରଜିଷ୍ଣୁମ୍ ।
ପ୍ରଜ୍ଞା ହୟ, ମୋଧ ହୟ, ସ୍ମୃତି ହୟ, ବିଦ୍ୟା ହୟ, ଲକ୍ଷ୍ମୀ ହୟ,
ବାଗୀଶୀ ଦ୍ୱୟ, ବିଦ୍ୟାବିଶାଳ ହୟ, ନାମ ବିମର୍ଦନ ହୟୈ ।
ଲକ୍ଷ୍ମୀ ସରସ୍ୱତୀ ରତି ପ୍ରୀତି କୀର୍ତ୍ତି କାଂତି ତୁଷ୍ଟି ପୁଷ୍ଟିଭିଃ
ଅସ୍ୟ ପୁରଶ୍ଚରଂ ଲକ୍ଷ ଚତୁଷ୍ଟୟଂ ଜପଃ ।
ଏ ଜପ ଆଷାଢ଼ ଶୁକ୍ଳ ଦଶମୀ ଦିନ ଶେଷ ହେଲା । ଯଦୁମଣି ତନ୍ଦ୍ରା ମଧ୍ୟରେ ସ୍ପଷ୍ଟ ଅବା ଦେଖିଲେ ଅଶ୍ୱମୁଖ ବିଶିଷ୍ଟ ବିଷ୍ଣୁ, ଶଂଖ, ଚକ୍ର, ଗଦା ଓ ପଦ୍ମ ଧରି ତାଙ୍କ ସମ୍ମୁଖରେ ଉଭା ହୋଇଛନ୍ତି । ସେ ଏ ମୂର୍ତ୍ତି ଦେଖି ହସି ଉଠିଲେ । କହିଲେ—
ହେ ପ୍ରଭୁ! ତୁମକୁ କି ବର ମାଗିବି ? ତୁମେ ଆଗେ କହ, ତୁମ ଚାରି ହାତରେ ଚାରିଟି ପଦାର୍ଥ ସର୍ବଦା ରହିଛି । ତୁମେ ନାକ ତ ସର୍ବଦା ସୁଡ଼ୁ ସୁଡ଼ୁ କରୁଚ । ସିଂଘାଣି କିପରି ପୋଛୁଚ ?
ଦେବତା ହସି ଉଠିଲେ । କହିଲେ—ବତ୍ସ! ତୁ ନିଶ୍ଚୟ ପଣ୍ଡିତ ବୋଲାଇବୁ । ତୋର ସାଧାନା ସଂପୂର୍ଣ୍ଣ ନ ହେଲେହେଁ ତୁ ମୋର ଯେତେବେଳେ ପରିହାସ କରିଚୁ ତୁ ଜଣେ ନିର୍ଭୀକ ହାସ୍ୟରସିକ ଭାବରେ ଧରିତ୍ରୀ ତଳ୍ପରେ ପ୍ରତିଷ୍ଠି ଲାଭ କରିବୁ । ହେଇ ଦେଖ ! ତୋର ପରିହାସରେ କୁପିତ ହୋଇ ମୋର ବାମାଙ୍ଗରୁ ପଦ୍ମାଳୟା ଲକ୍ଷ୍ମୀ ଚାଲିଗଲେଣି । ସରସ୍ୱତୀ, ରାତି ପ୍ରୀତି, କୀର୍ତ୍ତି କାନ୍ତ, ତୁଷ୍ଟି ତୋତେ ନିଶ୍ଚୟ ବରଦାୟକ ହେବେ ।
ତନ୍ଦ୍ରା ଭାଙ୍ଗିଯିବା ପରେ ସାଧକ ଯଦୁମଣି ଟଳି ପଡ଼ିଲେ । ତାଙ୍କର ଚୈତନ୍ୟ ଲୋପ ହୋଇଗଲା । ସେ କେତେବେଳୁ ପଡ଼ିଥିଲେ, ଜାଣନ୍ତି ନାହିଁ ।
ଯଦୁମଣି ଗୃହତ୍ୟାଗ କରି ଆସିବା ଦିନୁଁ ତାଙ୍କ ପିତାମାତାଙ୍କର ମନରେ ଆଦୌ ସୁଖ ନ ଥିଲା । ତାଙ୍କର ଜନନୀ ରୂପବତୀ ହେଲେହିଁ ବୁଦ୍ଧିମତୀ ନଥିଲେ । ତେଣୁ ଏକମାତ୍ର ପୁତ୍ରର ଏପରି ଅସାଧ୍ୟ ଚେଷ୍ଟାକୁ ରହିତ କରି ପାରି ନଥିଲେ ।
କ ଈପ୍ସିତାର୍ଥ—ସ୍ଥିର ନିଶ୍ଚୟଂ ନମଃ
ପୟଶ୍ଚ ନିମ୍ନାଭିମୂଖଂ ପ୍ରତିପୟେତ୍ ?
ସେ ବା କ’ଣ କରନ୍ତେ ? ଯଦୁମଣି ବା କୋଉ ମାନିବା ଜନ୍ତୁ ? ଯାହା ହେଉ ମାସ ପରେ ମାସ ଗତି କରି ଚାଲିଲା । ଅଶିଣ ମାସରୁ ପିଲା ଗଲା ଯେ ଜଗନ୍ନାଥେ ରଥରେ ବସିଲେଣି, ତାର ଦେଖା ନାହିଁ । ମୁକୁନ୍ଦ ମହାପାତ୍ରଙ୍କ ମାମୁଁପୁଅ ଭାଇ ‘ରଥୀ ଭାସ୍କରେ’ ଗୁଣ୍ଡିଚା କାମ ସାରି ନୂଆଗଡ଼ ଆସି ଭାଉଜଙ୍କ ଗୁଣଗ୍ରାମ ଶୁଣି ଅସମ୍ଭାଳ ହୋଇ ଯାଇଥିଲେ । ହେରା ପଞ୍ଚମୀ ଦିନ ଭାଇ ଭାଉଜଙ୍କୁ ସାଥିରେ ଧରି ପୁତୁରାର ଅନ୍ୱେଷଣରେ ବାହାରିଲେ ।
ମାନ୍ଧାତାପୁର ମହାପାତ୍ରଙ୍କଠାରୁ ତଥ୍ୟ ବୁଝି ସେମାନେ ଘୁମୁସର ରାଜ୍ୟର ବିଷ୍ଣୁଚକ୍ର ଗ୍ରାମରେ ପହଞ୍ଚି କନ୍ଦାକଟା ଆରମ୍ଭ କରିଦେଲେ । ବାହିନୀପତିଙ୍କର ଅନ୍ୟ ଶିଷ୍ୟମାନେ ସନ୍ଧାନ ଦେବାରୁ ସେମାନେ ଗୋସାଣୀ ମନ୍ଦିରରେ ହତ−ଚୈତନ୍ୟ ଯଦୁମଣିଙ୍କୁ ଦେଖି ଅସମ୍ଭାଳ ହୋଇଯାଇଥିଲେ । ତାଙ୍କୁ ବହୁ କଷ୍ଟରେ ଚେତା କରି ସାରି ସାଙ୍ଗରେ ଘେନି ଏକମୁହାଁ ଗ୍ରାମକୁ ଫେରି ଆସିଲେ ।
ସେତେବେଳେ ଯଦୁମଣିଙ୍କ ଶରୀରରେ ହାଡ଼ ଛଡ଼ା ମାଂସ ଏକ ପଳ ମଧ୍ୟ ନଥିଲା । ରାଥୀ ଭାସ୍କରେ କିଛିଦିନ ଇଟାମାଟିରେ ରହି ତାପରେ ତରୁଣ ଯଦୁମଣିକୁ ସାଥିରେ ଗୋଟିଏ ବଳଦ ଗାଡ଼ିରେ ଧରି ନିଜ ଗ୍ରାମରେ ପହଞ୍ଚିଥିଲେ ।
ସିଦ୍ଧିଲାଭ କରିବାକୁ ସେକାଳେ ବହୁ ବିଦ୍ୟାବନ୍ତ ମଧ୍ୟ ଏ ପ୍ରକାର ମନ୍ତ୍ରୀଦୀକ୍ଷା ଗ୍ରହଣ କରି ଜୀବନକୁ ପଳେ ପଳେ ପରେ ଧ୍ୱଂସ କରିଦେବା ବା ଅଶିକ୍ଷିତ କେହି କେହି ଠାକୁରଙ୍କ ମନ୍ଦିରରେ ଜିଭ କାଟି, ବେକ କାଟି, ଗୃହାରିଆ ଚଉଦ ଦିନ, ଏକୋଇଶି ଦିନ, ମାସାବଧି ନିର୍ଜଳ ଉପବାସୀ ଭାବରେ ପଡ଼ିବା ବିଧି ପ୍ରତିଦ୍ଧି ଲଭି ଅସୁଥିଲା । କାବ୍ୟ କବିତାରେ, ବୈଦ୍ୟ ବ୍ୟବସାୟରେ ଶିଳ୍ପ ଶାସ୍ତ୍ରରେ, ସଙ୍ଗୀତ ବିଦ୍ୟାରେ, ପୁରାଣ ପାଠରେ କହି ଉନ୍ନତି କଲେ ଲୋକେ ତାହା ସମ୍ବନ୍ଧରେ ଏପରି ଗଳ୍ପମାନ ସୃଷ୍ଟି କରୁଥିଲେ, ଯାହା କି ପରବର୍ତ୍ତୀ ବ୍ୟକ୍ତିମାନଙ୍କୁ ଏକାନ୍ତ ପ୍ରଲୁବ୍ଧ କରୁଥିଲା । ଭଞ୍ଜଙ୍କର ରାମତାରକ ମନ୍ତ୍ରଦୀକ୍ଷାର ସିଦ୍ଧିରେ ଯଦୁମଣି ଏକାନ୍ତ ଆକୃଷ୍ଟ ହୋଇ ଏପରି ଏକ ଅସାଧ୍ୟ ସାଧନା କରିବାକୁ ଯାଇ ଜୀବନ ପ୍ରାୟ ହରାଇଥିଲେ । ନିର୍ଜ୍ଜନ ଶୂନ୍ୟ ମନ୍ଦିର ମଧ୍ୟରେ ହାତ−ଚୈତନ୍ୟ ହୋଇ ପଡ଼ି ପଡ଼ି ହୁଏ ତ ତାଙ୍କର ପ୍ରାଣବାୟୁ ନିର୍ଗତ ହେବା ବିଚିତ୍ର ନ ଥିଲା । କିନ୍ତୁ ଦୈବର ବିଧାନ ଅନ୍ୟ ପ୍ରକାର ଥିବାରୁ ସେଥର ବଞ୍ଚି ଯାଇଥିଲେ ।