ଧ୍ୟାୟୀ ଯେହୁ ପାରିବ
ଭୀମ ଭୋଇ · ଭାଗ ୨ / ୨ · ଭାଗ ୨
ସମ୍ପୂର୍ଣ୍ଣ ସୂଚୀପତ୍ର
(୩୩)
କଳିଯୁଗରେ ମୋତେ କରିଛ ଜାତ ।କି ବୁଦ୍ଧି ମୁଁ କରିବି କହ ନିଅତ ହେ । ୧ ।ଖଳକୂଟ ଉପୁଜି ହେ ଗୁରୁବ୍ରହ୍ମ ।ଖଣ୍ଡ ଖଣ୍ଡ ହେଲାଣି ଏକାନ୍ତ ଧର୍ମ ହେ । ୨ ।ଗୁରୁଗୋସାଇଁ ଯେଣୁ ଅନ୍ତର ହେଲ ।ଜ୍ଞାନ ହେଜି ଅନବୀ ଘୋଟିଛି କାଳ ହେ । ୩ ।ଘରେ ବାହାରେ ସଭାଆଡ଼େ ଅନର୍ଥ ।ଘଟରେ ରହୁନାହିଁ ଚେତା ଆୟତ ହେ । ୪ ।ଅଲେଖ ମହିମାକୁ ଭଜ ବୋଇଲେ ।ଅନାସ୍ତା କରି ଛାଡ଼ି ପଳାଇ ଗଲ ହେ । ୫ ।ଚିରାନନ୍ଦ ପୁରୁଷ କିସ ନ ଜାଣ ।ଚାହାନ୍ତେ ଧର୍ମ ହେଲାଣି ରଣଭଣ ହେ ।୬।ଛତ୍ରୀବାନା ଯେ ଉଡ଼ୁଥିଲା ହେ ପ୍ରଭୁ ।ଛାଇତଳ ମୋ ଏବେ ଭାଙ୍ଗିଲା ସବୁ ହେ । ୭ ।ଜାଲପରାଏ ବେଢ଼ି ଯାବତ ରୀତି ।ଜାଗ୍ରତେ ଘୋଟୁଅଛି ଯୁଗ ପ୍ରକୃତି ହେ । ୮ ।ଝାମ ମାରୁଛି ଥୟ ନୋହୁଛି ମନ ।ଝର ଝର ଅଶ୍ରୁତ ବହେ ନୟନ ହେ । ୯ ।ନିଷ୍କାମ ଧର୍ମ ଗୋଟା ହେଲାଣି ନିନ୍ଦା ।ନିଜ ସତ୍ୟ ଧର୍ମରେ ପଡ଼ୁଛି ଧନ୍ଦା ହେ । ୧୦ ।ଟାଣ ମୋ ନାହିଁ ରକ୍ଷା ନୁହଇ କିଛି ।ଟେଣ୍ଟା କଥା ପ୍ରଭୁଙ୍କ ପଛେ ରହିଛ ହେ । ୧୧ ।ଠାକୁର ବିଜେ ଅନ୍ତେ ଏ ତତ୍ତ୍ୱ ବାନା ।ଠିକେ କହେ ଭୀମା ଯେ ଲାଗୁଛି ବଣା ଯେ । ୧୨ ।ଡୋଳେ ଦେଖନ୍ତେ ଲାଗି ଗଲାଣି ଫାସ ।ଡାକ ଶୁଣି ଜୀବର ତୁରିତେ ଆସ ହେ । ୧୩ ।ଢାଉରଙ୍ଗ ଦେଖିଣ ପଳାଇ ଗଲ ।ଢାଙ୍କୁଣୀ ଦିଆହୋଇ କାହିଁ ରହିଲ ହେ । ୧୪ ।ଅନ୍ତର ହେଲ ଯହୁଁ ଅନାଦି ଗୁରୁ ।ଅନୁଷଣରେ ଶୁଣି ଦିନ ନ ସରୁ ହେ । ୧୫।ତିନିପୁର ଯାକ ଯେ ଶୂନ୍ୟ ହେଉଛି ।ତେଣୁ ଏ କଳିଯୁଗ ଘୋଟି ଆସୁଛି ହେ । ୧୬ ।ସ୍ଥାନ ସ୍ଥିତି ଭାଙ୍ଗିଲା ହେଲା ଅଶୁଭ ।ଥୟ ନ ହୁଏ ମନ ଥିଲା କି ଯୋଗ ହେ ।୧୭।ଦୟାବନ୍ତ ପୁରୁଷ ଅନାଦି ମୂଳ ।ଦେଖା ହୋଇଣ ଏବେ ଗୋପ୍ୟ ହୋଇଲ ହେ ।୧୮।ଧର୍ମରାଜା କରିଣ ରହିଲ କାହିଁ ।ଧରଣୀ ମଧ୍ୟେ ବାନା ଅଛ ଉଡ଼ାଇ ହେ । ୧୯ ।ନର ଦେହରେ ଖେଳୁଥିଲ ସଂସାରେ ।ବୁଦ୍ଧ ରୂପ ତେଜିଲକେବଣ ଠାରେ ହେ ।୨୦।ପଥେ ବସାଇ କିଛି କହିଲି ନାହିଁ ।ପୃଥ୍ୱୀ ପ୍ରଳୟ ହେଲା ଡାକୁଛି ମୁହିଁ ହେ । ୨୧ ।ଫଟାକରମ ମୋର ନୋହେ ସଳଖ ।ଫୁଲା ପଣିଆ ଚିତ୍ତ ବୁଦ୍ଧି ଅଳପ ହେ । ୨୨ ।ବାଧିଗଲାଣି ମୋର ପିଣ୍ଡ ପ୍ରାଣକୁ ।ବ୍ରହ୍ମ ପ୍ରକାଶ ହେବ କେତେବେଳକୁ ହେ । ୨୩ ।ଭୂତ ଭବିଷ୍ୟ ଶୁଣି ମନରେ ଭ୍ରମ ।ଭୀମ ଅର୍କ୍ଷିତ କହେ ମାରୁଛି ଝାମ ହେ ।୨୪।ମହିମାକୁ ଭଜି ମୁଁ ନାମ ବହିଲି ।ମନ୍ଦ ବୁଦ୍ଧିରେ ପଡ଼ି ଅପ୍ରାଧ କଲି ହେ । ୨୫ ।ଯାବତ ଖଳକୁଟ ଭିଆଣ ହୋଇ ।ଜାଗିଲା ଧର୍ମ ଗୋଟା ଯାଉଛି ବୋହି ହେ । ୨୬ ।ରହିନାହିଁ ଧରମ ହେଲା ଅନ୍ୟାୟ ।ରଉରବରେ ପୋଡ଼ୁଅଛି ହୃଦୟ ହେ । ୨୭ ।ଲାଗର ପଣ ବୁଦ୍ଧି ହେଲା ମୋ ଯହୁଁ ।ଲଘୁ ଦଶା ମୋହର ନ ସରେ ତହୁଁ ହେ । ୨୮ ।ବେଳୁ ବେଳ ହେଲାଣି ଅଦଭୂତ୍ କଥା ।ବୁଦ୍ଧି ହରିଲା ଯହୁଁ ପଡ଼ିଲା ପୋଥା ସେ । ୨୯ ।ଶ୍ରଦ୍ଧାରେ କରିଥିଲ ଭକତ ଦାସ ।ସରିଲା ବୁଦ୍ଧି ବୟ କରିବା କିଶ ହେ ।୩୦।ସୁଖ ନାହିଁନା ମୋର ଦିବା ରଜନୀ ।ଶୁଖି ଯାଉଛି ହିଆ ଗୁଣକୁ ଗୁଣି ହେ ।୩୧।ଶୂନ୍ୟ ପୁରୁଷ ଯେଣୁ ଅନ୍ତର ହେଲ ।ସବୁ ଦିନକୁ ଭାଳି ହୋଇଲା ସଲ ହେ ।୩୨।ହେଳା ମୋ ହୋଇବାରୁ ସରିଲା ସବୁ ।ହାତେ ନ ମାରି ଭାତେ ମାରିଲ ପ୍ରଭୁ ହେ ।୩୩।କ୍ଷମା ସାଗର ଥିଲେ କ୍ଷିତି ମଧ୍ୟରେ ।ଭଣେ ଭୀମ ଅର୍କ୍ଷିତ ଗୁରୁପୟରେ ହେ । ୩୪ ।
(୩୪)
କ୍ଷୀନ ରୂପରେ ଧର୍ମ ସ୍ଥାପିଛ ଯେବେ ।ଖାଲି ହେଲାଣି ପୃଥ୍ୱୀ ସମ୍ଭାଳ ଏବେ ହେ ॥
ହେଳା ଏତିକି ରହିଯାନ୍ତୁ ଅସିଳ ।ହିତେ ପିଣ୍ଡ ବ୍ରହ୍ମାଣ୍ଡ କର ଶୀତଳ ହେ । ୨ ।ଶୂନ୍ୟ ପୁରୁଷ ସ୍ୱାମୀ ଅନାଇଁ ଦେଖ ।ସମସ୍ତ ଜୀବଜନ୍ତୁ ସମ୍ଭାଳି ରଖ ହେ । ୩ ।ସଚରାଚର ହୋଇଲେଣି ଉଚ୍ଛନ୍ନ ।ସୁସ୍ଥକର ବ୍ରହ୍ମାଣ୍ଡ ବିନତୀ ଘେନି ହେ । ୪ ।ସାରିବାକୁ ବସିଛ ମନୁଷ୍ୟ ବୀଜ ।ଶ୍ରୀଗୁରୁଦେବ ସ୍ୱାମୀ ବିଚାରି ବୁଝ ହେ । ୫ ।ବହିଲାଣି ତପତି ଏ ତିନିପୁରୀ ।ବାରାନିଧି ପରାଏ ରଖ ଆବୋରି ହେ । ୬ ।ଲାଗିଲା ସତ୍ୟଯୁଗେ ଘଟିଲା ଆସି ।ଲିଭାଅ ଅଗ୍ନି ଶୂନ୍ୟସ୍ୱରୂପ ବାସୀ ହେ । ୭ ।ରାଜ୍ୟ ଭାଷିଲା ଦେଶ ହେଲାଣି ଶୂନ୍ୟ ।ରହୁ ରହୁ ସଂସାର ନ କର ଆନ ହେ । ୮ ।ଜଳିଗଲାଣି ନବଖଣ୍ଡ ମେଦିନୀ ।ଜଳ ପବନ ସିଞ୍ଚ ହେ ଅନ୍ତର୍ଯ୍ୟାମୀ ହେ । ୯ ।ମହୀମଣ୍ଡଳ ହୋଇ ଗଲାଣି ହତ ।ମହିମା ଭଜି କହେ ଭୀମ ଅରକ୍ଷିତ ହେ । ୧୦ ।ଭାଳେଣୀ କରି ନର ମାନବକୁଳ ।ଭାସି ଗଲେଣି ଦେଖ ଅନାଦି ମୁଳ ହେ । ୧୧ ।ବ୍ରହ୍ମାଣ୍ଡେ ଉଠିଲାଣି କ୍ରନ୍ଦନ ଶ୍ରେଣୀ ।ବ୍ରହ୍ମପୁରୁଷ ଦିଅ ଟୋପାଏ ପାଣି ହେ । ୧୨ ।ଫଳ ଭାଙ୍ଗିଲା ଫଳ ହେଲାଣି ଊଣା ।ଫେଡ଼ି କଷଣ ବାରେ କରି କରୁଣା ହେ । ୧୩ ।ପଡ଼ିଲାଣି ବିପତ୍ତି ସାକ୍ଷୀ ଯୋଗରୁ ।ବାରେ ଉଦ୍ଧାର କର ଅଲେଖ ଗୁରୁ ହେ ।୧୪।ନାମ ହେଲାଣି ଜମ୍ଭୁଦ୍ୱୀପ ଭୁବନ ।ନର ନାରୀଙ୍କୁ ପ୍ରଭୁ କର କାରଣ ହେ ।୧୫।ଧରିତ୍ରୀ ଆକାଶରେ ନାହିଁନା ନୀର ।ଧର୍ମବନ୍ତ ପୁରୁଷ ବିଚାର କର ହେ ।୧୬।ଦହନ ହୋଇଲାଣି ମେଦିନୀ ରସା ।ଦୟାକର ଅନନ୍ତ ହେଉ ବରଷା ହେ । ୧୭ ।ଥରି ଗଲାଣି ପିଣ୍ଡବ୍ରହ୍ମାଣ୍ଡ ଆଦି ।ଥୟ କରିକରତା ରଖ ସମ୍ପାଦି ହେ । ୧୮ ।ତପତ ଉଠିଲାଣି ତିନି ତ୍ରିଲୋକ୍ୟ ।ତ୍ରାହିକର ଆତୁର ହେଲେଣି ଲୋକ ହେ । ୧୯ ।ଆନନ୍ଦ ଦିଶିଲାଣି ଏ ଚଉଦିଗ ।ଅନାଦି ଗୁରୁ କର ଜଳ ସଂଯୋଗ । ୨୦ ।ଡୁବିଲାଣି ସଂସାରେ ଅକାଳ ଭୁତ ।ଢଳି ଯାଉଛି ମହୀ କର ସଚେତ ହେ ।୨୧।ଡିଗିରି କରି ଭାରା ଓହ୍ଲାଅ ଥରେ ।ଡରେ ଭୀମ ଅରକ୍ଷିତ ଗୁରୁ ଛାମୁରେ ହେ । ୨୨ ।ଠଉର ନାହିଁ ଘୋଟିଲା ଚାହୁଁ ଚାହୁଁ ।ଠାବେ ରଖ ବ୍ରହ୍ମାଣ୍ଡ ହେ ମହାବାହୁ ହେ । ୨୩ ।ଟଳ ଟଳ ହେଲାଣି ଜନ ଜଗତ ।ଟେକି ରଖ ବ୍ରହ୍ମାଣ୍ଡ ହେ ଅବଧୂତ ହେ । ୨୪ ।ନିର୍ଗତ ହୋଇଲାଣି ନରହେ ପଣ ।ନର ଦେବଙ୍କୁ ରକ୍ଷାକର ଆପଣ ହେ । ୨୫ ।ଝଡ଼ିଯିବ ସକଳେ ନ ରହେ କିଛି ।ଝଟତି କ୍ଷମା ଦୟା କଲେ ହେଉଛି ହେ । ୨୬ ।ଯୁଗ ଘଟିଲା ଆବୋରିଲାଣି କାଳ ।ଜାଗ୍ରତ କରି ସ୍ୱାମୀ ବ୍ରହ୍ମାଣ୍ଡ ପାଳ ହେ । ୨୭ ।ଛାନିଆ ହୋଇଲାଣି ହେତୁ ବୁଡ଼ାଇ ।ଛପାଇ ପାଦତଳେ ରଖ ଘୋଡ଼ାଇ ହେ । ୨୮ ।ଚମକ ପଡ଼ିଲାଣି ତିନି ବ୍ରହ୍ମାଣ୍ଡ ।ଚକ୍ର ଘୋଡ଼ାଇ ରଖ ଏ ନବଖଣ୍ଡ ହେ । ୨୯ ।ଅନଳ ଉଠିଲାଣି ପୋଡ଼ିବେ ସର୍ବେ ।ଅନନ୍ତ ଗର୍ଭେ ରଖ ରହିବେ ତେବେ ହେ ।୩୦।ଘାତ ପଡ଼ିଗଲାଣି ଏ ଚଉଦିଶ ।ଘଟ ବ୍ରହ୍ମାଣ୍ଡ, ରଖ କଟାଇ ଦୋଷ ହେ । ୩୧ ।ଗଡ଼ି ଗଲେଣି ତିନିଭୁବନ ଯାକ ।ଗୁରୁ ଗୋସାଇଁ ସ୍ୱାମୀ କର ବିକେକ ହେ । ୩୨ ।ଖଳ ବଳ ହେଲେଣି ଚଉଦପୁର ।କ୍ଷମା ସାଗର ପ୍ରଭୁ ବିଚାର କର ହେ । ୩୩ ।କଣ୍ଟ ପୂରିଲା ବୋଲି ପ୍ରଭୁଙ୍କୁ କହି ।କହେ ଭୀମ ଅର୍କ୍ଷିତ ଶରଣ ଯାଇ ହେ ।୩୪ ।
(୩୫)
କରୁଣା ସାଗର ହରି କମ୍ବୁ ଚକ୍ରପାଣି,କର ଧରି ରାଧିକାକୁ କହେ ଚକ୍ରପାଣି,କଦମ୍ବ ମୂଳରେ ବସି,ନାଗର, କଲ ବଂଶୀଧ୍ୱନି,ରସ ଯା ଚାଲି ଯାରେ । ୧ ।କରତି ହେଉଛି ଛାତି କାମନା କାତିରେ,କଲବଲେ ଦିନ ବଞ୍ଚୁଅଛି ମୁଁ ରାତିରେ,କରୁଣା ନୋହୁଛି କିମ୍ପା,ନାଗରୀ, ତୋ ହୃଦ ଭିତରେ,ରସ ଯା ଚାଲି ଯାରେ । ୨ ।ଖରାବେଳେ ଖରତରେ ଗଲି ନୀର ପାଇଁ,ଖଳ ଖଳ ଶ୍ରମଝାଳ ଯାଉଅଛି ବହି,ଖଗପତି ନାଥ ହୋଇ,ନାଗର, ଖଣ୍ଡି ଲତ ନାହିଁ,ରସ ଯା ଚାଲି ଯାରେ ।୩।ଖିନ ହୋଇ ଖଟିଲଇଁ ତୁମ୍ଭରି ଚରଣ,ଖୋଣ୍ଟଇକି ପେଷି କେତେ ଦେଇଛ କଷଣ,ଖଣ୍ଟପଣେ ଖୁଣ୍ଟାମୂଳେ,ନାଗର, ଲୁଚିଛ ଆପଣ,ରସ ଯା ଚାଲି ଯାରେ । ୪ ।ଗରବ ଗଞ୍ଜି ମାରୁଛ ଗୁରୁପ୍ରାୟ ହୋଇ,ଗାଢ଼ ପୀରତି ଦେଖିଲେ ଗାରିମା ଭାଙ୍ଗଇ,ଗାରିମା ପଣେ ଜଗତ,ନାଗରୀ; କେ ପାରିବ ରହି,ରସ ଯା ଚାଲି ଯାରେ । ୫ ।ଗଡ଼ି ଯାଉଅଛି ପ୍ରାଣ ହଜିଲାଣି ମୋର,ଗୋଡ଼ ନ ଚଳଇ ଗୋରୀରୂପ ଦେଖ ତୋର,ଗରଳ ବିଷ ଘାରିଲା,ନାଗରୀ, ଝାଡ଼ି କୋଳେ ଧର;ରସ ଯା ଚାଲି ଯାରେ । ୬ ।ଘୋଟିଲା ମଦନ ବାଧା ଘଟ ଦେଲି ଛାଡ଼ି,ଘୁମାଇ ପଡ଼ିଲେ ଥରେ ଭୂମିଗତେ ପଡ଼ି,ଘନ ଘନ ହୋଇ ମାରେ;ନାଗର, କାମଜଳେ ବୁଡ଼ି,ରସ ଯା ଚାଲି ଯାରେ । ୭ ।ଘୋଟି ଘନମେଘ ଘୋର ବରଷା କରୁଛି;ଘଡ଼ି ଘଡ଼ି ହୋଇ ବଢ଼ି ମାଡ଼ି ଆସୁଅଛିଘାଟିଆ ହୋଇ ପାରିଲେ,ନାଗର, ଘାଟ ମିଳୁଅଛି,ରସ ଯା ଚାଲି ଯାରେ । ୮ ।ଅନୁସରିଥିଲି ତୋତେ ପୀରତି ନିମନ୍ତେ,ଅଙ୍ଗୁଝାଳ ବୁହାଇ ଅନ୍ତର କଲୁ ମୋତେ,ଆଶାରେ ଅନାଇଁ ଥିଲି,ନାଗର, ତୋ କଣ୍ଟ ପର୍ଯ୍ୟନ୍ତେ,ରସ ଯା ଚାଲି ଯାରେ । ୯ ।ଅନୁମାନ କରିଥିଲି ଯମୁନାର କୂଳେଅଙ୍ଗେ କଳାମେଘ ଶାଢ଼ୀ ବେଢ଼ାଇବା ବେଳେ,ଆରତ ହୋଇଲିଦେଖି,ନାଗରୀ, ମୋର ବେନି ଡୋଳେ,ରସ ଯା ଚାଲି ଯାରେ । ୧୦ ।ଚାଲି ଚରଣ ତୁମ୍ଭର ଚନ୍ଦ୍ରମା ପରାଏ;ଚୋଲିକଥା ଉରେ ରୁଣୁଝୁଣୁ ଶୋଭାପାଏ,ଚାଲିଯିବା ଛଟକରେ;ନାଗର, ସ୍ତ୍ରୀରୀମନ ମୋହେ,ରସ ଯା ଚାଲି ଯାରେ । ୧୧ ।ଚମତ୍କାର ହୋଇଲି ମୁଁ ବାଙ୍କଚୂଳ ଚାହିଁ,ଚମକି ପଡ଼ିଲି ଚିଆ ଚୈତନ୍ୟ ବୁଡ଼ାଇ,ଚତୁରୀ ହୋଇ ରାଧିକା,ନାଗରୀ; ଦେହେ ଜ୍ଞାନନାହିଁ ୧୧୨।ରସ ଯା ଚାଲି ଯାରେ ଛଇଳି ରାଧିକା ବୋଲି,ଛଡ଼ରଙ୍ଗେ ବାଇ; ଛବିକରି ଦଣ୍ଡି ଗୁଣା ଦେଉଛୁ ହଲାଇ,ଛାର ପୀରତି ନିମନ୍ତେ,ନାଗରୀ, ତନୁଷୀନ ହୋଇ,ରସ ଯା ଚାଲି ଯାରେ । ୧୩ ।ଛନ୍ନ ଛନ୍ନ ହେଉଅଛି ବୁକୁଧର ଛାତି,ଛାଟି ନେଉଅଛି ମନ ପଚିଶ ପ୍ରକୃତି,ଛଇଳ କେତେ କରୁଛ,ନାଗରୀ, ଅବଳା ଯୁବତୀ,ରସ ଯା ଚାଲି ଯାରେ । ୧୪ ।ଯତନେ ରତ୍ନ ପଲଙ୍କ ଥିଲି ମୁଁ ସଜାଇ;ଜାଇ, ଯୁଈ, ଚମ୍ପା, ମଲ୍ଲୀ, ପୁଷ୍ପଗୁନ୍ଥି ଥାଇଁ,ଜାଗ୍ରତେ ବସିଣ ଥିଲି,ନାଗର; ନ ପାରିଲ ଯାଇ,ରସ ଯା ଚାଲି ଯାରେ । ୧୫ ।ଜାନୁ ଯୌବନ ମୁଁ ସାଜିଥିଲି ଯତ୍ନକରି,ଏ ଯୁବା ବୟସ ମୋର ଫୁଲ ସଙ୍ଗେସରି,ଯୌବନ ଦେହକୁ ମୋର,ନାଗର, କେତେ ଥିବି ଧରି,ରସ ଯା ଚାଲି ଯାରେ । ୧୬ ।ଝଟ ଝଟ ଆସନ୍ତେ ମୁଁ ପଡ଼ିଗଲି ଝୁଣ୍ଟି,ଝର ଝର ହୋଇ ରୁଧିର ଯାଉଅଛି ଫୁଟି;ଝଞ୍ଜକା ଝଗଡ଼େ ପଡ଼ି,ନାଗର, ଗଲି ମୁଁ ଲେଉଟି,ରସ ଯା ଚାଲି ଯାରେ । ୧୭ ।ଝାଇଁ ବାଟି ଲେପ ଦେଲେ ପ୍ରାସଯିବ ଅଙ୍ଗ,କଦମ୍ବ ମୂଳରେ କରିଅଛି ମହୁପାଗ,ଝାଡ଼କୁ ଦେଖିବୁ;ନାଗରୀ, ମହୁଭଙ୍ଗା ଢଙ୍ଗ;ରସ ଯା ଚାଲି ଯାରେ । ୧୮ ।ନିରାଣ ହୋଇଲି ନିରନ୍ତରେ ପଇଚାହିଁ,ନିତିପ୍ରତି ମାରୁଅଛ ପୀରତି ଲଗାଇ;ନିଶେ ହାତ ଦେଉଅଛ,ନାଗର, ପୁରୁଷ ବୋଲାଇ,ରସ ଯା ଚାଲି ଯାରେ । ୧୯ ।ନିରାଶ ହୋଇଲି ନିଶି ନିଦ୍ରାକୁ ହରାଇ,ନାହିଁ ବୋଇଲେ ନିଶ୍ଚୟେ ହାରିବ କହ୍ନାଇ,ନିଶ୍ଚିନ୍ତେ ଦିନ ସାରୁଛ,ନାଗର; ଗୋପୀଘରେ ରହି,ରସ ଯା ଚାଲି ଯାରେ । ୨୦ ।ଟାଣୁଅଛି ପଞ୍ଚଶର ଅନଙ୍ଗ ପଡ଼ୁଛି,ଟଳ ଟଳ ପିଣ୍ଡମୋର ଟଳି ପଡ଼ୁଅଛି,ଟିଆକୁ ଟାକିବା ଯାଏ,ନାଗରୀ, ଜୀବ ଯାଉଅଛି,ରସ ଯା ଚାଲି ଯାରେ । ୨୧ ।ଟେଣ୍ଡୁଆଳ ଟେଣ୍ଡୁଅଛି କୂଅପାଣି ଦେଖି;ଟକେ ମାତ୍ର ସମ୍ଭାଳି ନୋହୁଛି ଆଗୋ ସଖି;ଟେଳା ପରାଏକ କରି,ନାଗରୀ, ଦେଉଛୁ ଉପେକ୍ଷି,ରସ ଯା ଚାଲି ଯାରେ । ୨୨ ।ଠାକୁର ବିଜୟ ବୋଲି ଆଜିର ନିଶିରେ,ଠିକେ ଅଙ୍ଗ ସଜାଡ଼ିଛୁ ଚୂଆ ଚନ୍ଦନରେ;ଠକି ଦେଇ ନ ଆସିଲ,ନାଗର,ପାଶୋରୀ ମନନେ,ରସ ଯା ଚାଲି ଯାରେ । ୨୩ ।ଠିକେ ଠାରି କହିଥିଲ ଯେଉଁ ନବରଙ୍ଗେ,ଠକ ଜ୍ୱାରେ ଶୋଇଥିଲି କେହି ନାହିଁ ସଙ୍ଗେ,ଠଉରି ନୋହୁଛି ଅଙ୍ଗେ,ନାଗର, ଫୁଟିଗଲା ଅଙ୍ଗେ,ରସ ଯା ଚାଲି ଯାରେ । ୨୪ ।ଡରି ନ ଆସିଲ ଅନ୍ଧାର ରାତିକି,ଡିଙ୍ଗର ଲୋକକୁ ଦେଖି ବିଚାରିଲି ମୁଁ କି;ଡାକି ଡକାଇ ଆଣିଛି;ନାଗରୀ, ମୋ ମନ ପ୍ରୀତିକି,ରସ ଯା ଚାଲି ଯାରେ । ୨୫ ।ଡାଳ ତଳେ ଡୋରିହୋଇ ବସିଥାଅ ଧନ,ନାହିଁ ଦେଉଅଛି ଜାଣ ଶୀତଳ ପବନ ।ଡହଳ ବିକଳ କମ୍ପା,ନାଗର, ଦିଅ ପ୍ରୀତି ଦାନ,ରସ ଯା ଚାଲି ଯାରେ । ୨୬ ।ଢମଢମାଳିଆ ତୁମ୍ଭ ଛବି ପଣ ଦେଖି;ଢାଙ୍କୁଣୀ ଭିତରୁ ରସ ବହି ଯାଉଅଛି,ଢାଳେ ମୂର୍ଚ୍ଛା ନଯାଇଛି,ନାଗର, ବୋଲେ ଚାନ୍ଦମୁଖୀ;ରସ ଯା ଚାଲି ଯାରେ । ୨୭ ।ଢାଙ୍କୁଣୀ ଭିତରୁ ବହୁଅଛି ପ୍ରେମରସ;ଢାଳହେ ମୋହର ଦେଖ ନ ପୂରିଲା ଆଶ ।ଢୋକେ ଢୋକି ଦେଇ କିହୋ,ନାଗର, ଛାଡ଼ି ପ୍ରୀତିଆଶ,ରସ ଯା ଚାଲି ଯାରେ ।୨୮।ଅନୁକ୍ଷଣେ ଝୁରି ଝୁରି ମରୁଅଛି ଏବେ,ଅତାସ୍ତନ କରି ମୋତେ ନ ରଖିବୁ ଯେବେ;ଅଣହେଳା କଲେ ଜଣେ,ନାଗରୀ, ଭାସିଲି ସୋହତେ,ରସ ଯା ଚାଲି ଯାରେ । ୨୯ ।ଅନ୍ତର ନ କରି ମୋତେ ଅନାଇଁ ତୁ ଦେଖ,ଆଣି ତୋ ମୁଖ ମୋ ମୁଖ ଏକାଠାରେ ଯୋଖ;ଅନୁସରି ଅଛି ଆଜ,ନାଗରୀ, କାମ ବାଧା ଦୁଃଖ,ରସ ଯା ଚାଲି ଯାରେ ।୩୦।ତରଳି ଯାଉଛି ଦେହ ମଦନ ଆରତେ,ତିନି ଭୁବନରେ ଠାବ ମିଳୁନାହିଁ ମୋତେସ୍ତୀରୀ ରସବତୀ ହୋଇ,ନାଗର, ସମ୍ଭାଳିବ କେତେ,ରସ ଯେ ଚାଲି ଯାରେ । ୩୧ ।ତିଆରି ହୋଇଛି ତନୁତ୍ରିଗୁଣକୁ ଘେନି,ତ୍ରିଭୁବନ ମୋହୁଅଛି ସ୍ତିରୀଙ୍କ ମୋହିନୀ,ତେଣୁ କବିତ ପଣ୍ଡିତ,ନାଗର, ନ ପାରିଲେ ବର୍ଣ୍ଣି,ରସ ଯା ଚାଲି ଯାରେ । ୩୨ ।ଥରହର ହେଉଅଛି ଥୟକର ଅଙ୍ଗ;ଥରେ ତୋର ବେନିଯାନୁ ଯଉବନଅଙ୍ଗ,ତଥିପରେ ବସିକରି,ନାଗର, ପ୍ରୀତି କ୍ରୀଡ଼ାରଙ୍ଗ,ରସ ଯା ଚାଲି ଯାରେ । ୩୩ ।ଥାନ ମାଡ଼ି କରି ବସିଥିବି ତୋହଠାରେ;ଥୋଇଥିବି ବେନି ହସ୍ତ ମନ ଆନନ୍ଦରେ,ଥରକୁ ଚୁମ୍ବିବ,ନାଗରୀ, ଚୁମ୍ବି ତୋ ମୁଖରେ,ରସ ଯା ଚାଲି ଯାରେ । ୩୪।ଦରିଆରେ ଭାସିଗଲା ପ୍ରାୟେ ଲାଗୁଅଛି ।ଦାରୁଣ ପ୍ରକୃତି ବାଧା ଦେହେ ଦଣ୍ଡୁଅଛି,ଦର ଦର ହୋଇ ରସ,ନାଗର, ବହି ପଡ଼ୁଅଛିରସ ଯା ଚାଲି ଯାରେ । ୩୫ ।ଦାନ ବୋଲି ଯୁବା ଅଙ୍ଗ ଦୟା ମୋତେ ହେଉ,ଦୁଃଖ ପାଉଅଛି ମୁଁ ଯେ ଦୀନବନ୍ଧୁ ଥାଉଁ,ଦାଉ ସହି ସ୍ତିରୀ ଜନ,ନାଗର, ଧିକ ଜୀବଯାଉ,ରସ ଯା ଚାଲି ଯାରେ । ୩୬।ଧଇର୍ଯ୍ୟ ପଣରେ ଧରିଥାଅ ଆଉ ଥରେ,ଧରଣୀ ବାସୁକୀ ଯେହ୍ନେ ବହି ଥାଇ ଶିରେ,ଧରି ଧୀରେ ଚୁମ୍ବ ଦେଇ,ନାଗରୀ, ଭିଡ଼ିଧରି କୋଳେ,ରସ ଯା ଚାଲି ଯାରେ । ୩୭ ।ଧ୍ୟାୟି ଯେବେ ଅଛୁ ସଖି ମୋତେ ଅନୁସରି,ଧୀରେ ଦୃଢ଼େ ଧରି ତୋତେ ଥିବି ମୁଁ ଆବୋରି,ଧକା ଫୁଟୁଅଛି ଦେହୁ,ନାଗରୀ, ବହି ଶ୍ରମବାରି,ରସ ଯା ଚାଲି ଯାରେ । ୩୮ ।ନବଘନ ରୂପ ଗୋଟି ନବୀନ ମୂରତି,ନୟନେ ଦେଖି ସହିବ କେବଣ ଯୁବତୀ,ପ୍ରୀତି ଦେବାକୁ ମୋ ମନ,ନାଗର, ଷୋଳଘଡ଼ି ରାତି,ରସ ଯା ଚାଲି ଯାରେ । ୩୯ ।ନବଗୁଣେ ରସବତୀ ହୋଇଅଛି ମୁହିଁ,ନୂତନ କାଳରୁ ମୋର ପତି ସଙ୍ଗ ନାହିଁ,ନିୟମ କରି କହୁଛି,ନାଗର, ଦେହକୁ ଅନାଇ,ରସ ଯା ଚାଲି ଯାରେ ।୪୦।ପତିପଦେ ଲୋଟୁଅଛି ଜୀବନକୁ ରଖ,ସର୍ବାଙ୍ଗରୁ ପ୍ରେମ ଝାଳ ବହେ ଜକ ଜକ,ପାଟ ପଣତରେ ମୋରନାଗରୀ, ପୋଛିଦିଅ ମୁଖ,ରସ ଯା ଚାଲି ଯାରେ ।୪୧।ପୀରତି ଫଳ ଭିତରେ ସୁଧା ଅଛି ଦେଖ,ପରାଣ ଛାଡ଼ି ଯାଉଛି ପ୍ରୀତି ଦେଇ ରଖ;ପ୍ରତ୍ୟକ୍ଷେ କାମ ଲହରୀ,ନାଗରୀ, ନାବ ଆଣି ଯୋଖ,ରସ ଯା ଚାଲି ଯାରେ ।୪୨।ଫୁଲ ଫୁଟି ଫଳ ପଚିଅଛି ସୁରଙ୍ଗରେ,ଫାଡ଼ି ଚାଖି ଦେଖ ଥରେ ବାସନା ଭିତରେ,ଫାଉଲା କେତେ କହୁଚ,ନାଗର, ଚାଖି ଦେଖ ଥରେ,ରସ ଯା ଚାଲି ଯାରେ ।୪୩।ଫରୁଆ ଭିତରେ କେତେ ରଖିଛି ଅମିୟ,ଫିଟିଯାଉଅଛି ଛାତି ଚମକୁଛି ଦେହ,ଫୁଲ ଫୁଟି ବାସୁଅଛି,ନାଗର, ତୋଳି ତୋଷ ହୁଅ,ରସ ଯା ଚାଲି ଯାରେ ।୪୪।ବୃନ୍ଦାବନେ ବୁଲି ବୁଲି ମରୁଅଛି ମୁହିଁ,ଭାବନା ଲାଗିଛି ମୋର ଛଡ଼ାଅ ଗୋ ସହି,ବେନି ଜାନୁ ପଲ୍ୟଙ୍କରେ,ନାଗରୀ, ମଉଷଧି ଦେଇ,ରସ ଯା ଚାଲି ଯାରେ ।୪୫।ବର୍ଣ୍ଣମାଳା ଦେଇ ମୋତେ ବରଣ ତୁ କର,ବେନି ଭୁଜ ବଢ଼ାଇଣ ଆଲିଙ୍ଗନ କର,ଆନନ୍ଦ ହୋଇଣ ବସ,ନାଗରୀ, ପଲଙ୍କ ଉପର;ରସ ଯା ଚାଲି ଯାରେ ।୪୬।ଭାଷାକୁ ଅନାଇଥିଲି ବେନି କରଯୋଡ଼ି;ଭରସାପାଇ ଉଠିଲି ଲାଜଭୟ ଛାଡ଼ି,ଭାବନା ଥିବାରୁ ସିନା,ନାଗର, ଧଇଲାକି ଭିଡ଼ି,ରସ ଯା ଚାଲିଯାରେ ।୪୭।ଭାସିଗଲେ ରାଧାକୃଷ୍ଣ ଆନନ୍ଦ ସାଗରେ,ଭାରା ସମର୍ପିଲେ ଭାବଗ୍ରାହୀଙ୍କ ଛାମୁରେ,ଭାବେ ଗଦ ଗଦ ହୋଇ,ନାଗର, ଭାସି ନିରନ୍ତରେ,ରସ ଯା ଚାଲି ପାରେ ।୪୮।ମନରେ ମନ ମିଶାଇ ମରଣେ ନିବାଇ,ମାତିଗଲେ ମତ୍ତଗର୍ବେ ପଡ଼ିଗଲେ ସେହି,ମୋହନ ବଂଶୀ ଥିବାରୁ,ନାଗର, କଲ ଛତାଛାଇ,ରସ ଯା ଚାଲି ଯାରେ । ୪୯।ମନରେ ନ ଧରିବ ଆହେ ସାଧୁ ସୁଜ୍ଞଜନ;ମନ୍ତ୍ର ମହୌଷଧି ଜାଣନ୍ତି କାମୀ ଲୋକମାନ,ମନ ଭୁଲିଗଲେ କିହୋ,ନାଗର, ନୁହଇ ସେ ଭିନ୍ନ,ରସ ଯା ଚାଲିଯାରେ ।୫୦।ଯୁବା ଦେହ ଧରିଛନ୍ତି ରାଧିକା ଯୁବତୀ,ଜାଣି ଯୋଗେ ଭେଟାଭେଟି ହେଲେ ପତି ପତ୍ନୀ,ଜନମ ଯୈାବନ ତାଙ୍କ,ନାଗରୀ, ପୀରତିରେ ମାତି,ରସ ଯା ଚାଲି ଯାରେ ।୫୧।ଜାଣନ୍ତି ବିବିଧ ପ୍ରୀତି ଜଗତ ଜୀବନ,ଯତନେ ମିଶାଇ ଦୁଗ୍ଧ ମଧୁର ସମାନ,ଜାତି ସୁଲକ୍ଷଣୀ ରାଧା,ନାଗରୀ, ଚତୁରୀ ସିଆଣ,ରସ ଯା ଚାଲିଯାରେ ।୫୨।ରଖିଥିଲ ଆପେ ରାଧା ଅରଜିଲା ଧନ,ରମଣରେ ଦେଇ କରାଇଲ ପ୍ରେମପାନ,ରଙ୍ଗ ଫରୁଆ ଦେଖିବେ,ନାଗର, ଅମୁଲ୍ୟ ରତନ;ରସ ଯା ଚାଲିଯାରେ ।୫୩।ରସବତୀ ହୋଇଅଛି ବୃଷଭାନୁ ଝିଅ,ନାଗରୀଙ୍କ ସଙ୍ଗେ ମାତିଛନ୍ତି ନନ୍ଦପୁଅ,ଋଷିମାନଙ୍କୁ ଭୁଲାଇ,ନାଗର, ରତି କାମ ହୁଅ,ରସ ଯା ଚାଲିଯାରେ ।୫୪।ଲାବଣ୍ୟକରି ବଚନ କହେ ଧୀରବାଣୀ;ନବଯଉବନ ବେଶେ ପିଆଇ ଏ ପାଣି,ଲୋଭ କରି ରହିଛନ୍ତି,ନାଗର, ଦିବସ ରଜନୀ,ରସ ଯା ଚାଲି ଯାରେ ।୫୫।ଲୋଭକରି ବସାଇଲେ ଲାବଣ୍ୟ ପସରା,ଲୋଭଯୋଗେ କୃଷ୍ଣ ଚନ୍ଦ୍ର ପଡ଼ିଗଲେ ଧରା,ଲାଳସେ ମୂର୍ଚ୍ଛି ନ ପାରି,ନାଗର, ନ ଯାଏ ପାସୋରାରସ ଯା ଚାଲିଯାରେ ।୫୬।ବହୁଛି ବସନ୍ତ ବୃନ୍ଦାବନେ ଲତାଭାଗେ,ବସି କ୍ରୀଡ଼ା କରୁଛନ୍ତି ନାଗରୀଙ୍କ ସଙ୍ଗେ,ବାରି ନୁହେ ବେନି ଅଙ୍ଗ,ନାଗରୀ, ଏକାନ୍ତ ସଂଯୋଗେ,ରସ ଯା ଚାଲିଯାରେ ।୫୭।ବରଷୁଛି ପ୍ରେମଧାରା ଯୁଗଳ ମଧ୍ୟରେ,ବହୁଅଛି ବାରାନିଧି ବାର ଯୋଜନରେ,ବେଦ ପଢ଼ି ଶ୍ରୀଅଙ୍ଗକୁ,ନାଗରୀ, ବହିତ ନ ପାରେ,ରସ ଯା ଚାଲିଯାରେ ।୫୮।ଶ୍ରଦ୍ଧାରେ ଶ୍ରବଣେ ଶୁଣି ତୋଷ ହେବେ ପ୍ରାଣୀ,ସର ସର ବହୁଅଛି ରଜରସ ପାଣି,ସାଉଁଟି ରାଧାକୁ ଧରି,ନାଗର, ଭିଡ଼ାଭିଡ଼ି ବେନି,ରସ ଯା ଚାଲି ଯାରେ ।୫୯।ସୁରଙ୍ଗେ ସୁରଙ୍ଗେ ବେଢ଼ି ମନବାଞ୍ଛା ପୂର୍ଣ୍ଣେ,ଶିରେ କରଯୋଡ଼ି ବେନି କୋଟି ଦେବ ଗଣେ,ଶୂନ୍ୟରେ ରହି ଦେଖନ୍ତି;ନାଗର, ପୁଷ୍ପକ ବିମାନେ,ରସ ଯା ଚାଲି ଯାରେ ।୬୦।ଶୁଖିଲା ବସନ ତିନ୍ତିଗଲା ପ୍ରେମଝାଳେ,ସୁଖ ସାଗରେ ବୁଡ଼ିଲେ ଏକାନ୍ତ ନିରୋଳେ,ସଙ୍ଗ ହୋଇ ବସିଛନ୍ତି,ନାଗର, ଏକାନ୍ତ ନିରୋଳେରସ ଯା ଚାଲି ଯାରେ ।୬୧।ସକଳ ବିଷୟମାନ ଦୂରକୁ ନିବାରି,ଶ୍ଲୋକ ଢଗ ମରାମରି ଅର୍ଥ କରାକରି;ସଳଖ ପଲଙ୍କେ ବସି,ନାଗରୀ, ଯେହ୍ନେ ଶୁକସାରୀ,ରସ ଯା ଚାଲି ପାରେ ।୬୨।ସ୍ୱପନରେ ଭେଟିଲଇଁ ଆଜର ନିଶିରେ,ଲକ୍ଷେ ଚମ୍ପା ଚଢ଼ାଇଲି ସଦାଶିବ ଠାରେ,ସଫଳେ ଭେଟ ପାଇଲି,ନାଗର, କଦମ୍ବ ମୂଳରେ,ରସ ଯା ଚାଲି ଯାରେ ।୬୩।ଶୋଇଛନ୍ତି ରାଧାକୃଷ୍ଣ ପଲଙ୍କ ଶଯ୍ୟାରେ,ବେନିହସ୍ତ ଦେଇଛନ୍ତି ଉରର ଉପରେ;ମୁଖେ ଦେଇଣ କହନ୍ତି,ନାଗର, ହସନ୍ତି ସୁସ୍ୱରେ,ରସ ଯା ଚାଲି ଯାରେ ।୬୪।ହରିଙ୍କି ଯେତେବେଳରୁ ପାଇଲା ସୁନ୍ଦରୀ;ହର୍ଷେ ସମର୍ପିଲା ଜାନୁ ଯୌବନ ଚତୁରୀ,ହିଆରେ ହିଆ ଲଗାଇ,ନାଗରୀ, ଧରି ଭିଡ଼ିକରି;ରସ ଯା ଚାଲି ଯାରେ ।୬୫।ହାନିଲାଭକୁ ବେହାର କଥାକୁ ନିବାରି,ହୋଇଛି କି ନ ହୋଇଛି ଜାଣିରେ ସୁନ୍ଦରୀ,ହରସ ରସରେ ଦେଲି,ନାଗରୀ, ନାରୀ ସୁଖସାରି,ରସ ଯା ଚାଲି ଯାରେ ।୬୬।କ୍ଷଣେ ମାତ୍ର ଜାଣି ଲଭିଅଛି ଏ ସଂସାରେ,ରାଧାକୃଷ୍ଣ ମିଳନ ଯେ ହୋଇଲେ ସଧୀରେ;ଅଙ୍ଗକୁ ବେନି ଯୁଗଳେ,ନାଗର, ରଖ ଅନୁଜ୍ୱଳେ,ରସ ଯା ଚାଲି ଯାରେ ।୬୭।କ୍ଷମାନିଧି କହୁଛନ୍ତି ହରଷେ ଗୋବିନ୍ଦ,ଖେଡ଼ଘରେ ରାସକଲେ ଚଉଷଠି ବନ୍ଧ,କ୍ଷୀରନୀର ପୀରତିରେ,ନାଗର, ଭଣେ ଭୀମ କନ୍ଧ,ରସ ଯା ଚାଲି ଯାରେ ।୬୮।
(୩୬)
କଳଙ୍କି ଉଦୟ ବେଳ ହୋଇଲାଣି ନାଶଯିବ କଳିକାଳ ।କଳା ଧଳା ବେନି ଅଶ୍ୱରେ ଚଢ଼ିଣ କରିଯିବେ କେତେ ଗୋଳ ଯେ ।ହେଉଥିବ ରଣ ସଜ୍ଜା ।ହଜାର ହଜାର ଖସିଯାଉ ଥିବେ ବାଜିବ ଡ଼ିଣ୍ଡିମ ବାଜା ଯେ ।୧।ଖଣ୍ଡା ବାରହାତ ନେମାଳ ମଠରୁ ଆଦିମାତା ଦେବ ନେଇ ।ଖଣ୍ଡ ଖଣ୍ଡ କରି ମ୍ଳେଚ୍ଛ ସଂହାରିବେ ଖଣ୍ଡା ଦାଢ଼କୁ ବୁଲାଇ ଯେ ।ଖଚୁଆ ପଡ଼ିବେ ଧରା ।ଖରାବେଳେ କେତେ ତରା ଉଇଁଥିବେ ଦେଖିବ ଏ ସୃଷ୍ଟି ସାରା ଯେ ।୨।ଗଣ୍ଡା ଗଣ୍ଡା ମେଣ୍ଢା ମୁଣ୍ଡ ଛିଡ଼ୁ ଥିବ ଧଣ୍ଡାମାଳ ପରି ତହିଁ ।ଗୁପତରେ ପ୍ରଭୁ ଖେଳ କରୁଥିବେ ଭକ୍ତଙ୍କୁ ରଖିବା ପାଇଁ ଯେ ।ଗର୍ଜ୍ଜନ ଘାତ ପଡ଼ିବ ।ଗଙ୍ଗା ଯମୁନା ଯେ ଏକତ୍ର ହୋଇଣ ଚାରିଦିଗେ ବହିଯିବ ଯେ ।୩।ଘଡ଼ ଘଡ଼ି ତହିଁ ଡାକ ପଡ଼ିଯିବ ଘରେ ଘରେ ଯୋଗ୍ନୀ ଗୋଳ ।ଘୁମାଇ ପଡ଼ିବେ ଯେତେ ନରବଂଶ ଘୋଟିବ ଘୋର ଅନ୍ଧାର ଯେ ।ଘେନିଥିବେ ଖଣ୍ଡା କାତିଘଡ଼ଘଡ଼ି ଶବ୍ଦେ ମୁଣ୍ଡ ଛିଡ଼ୁଥିବ ସପ୍ତଦିନ ସପ୍ତରାତ୍ରି ଯେ ।୪।ଉଦୟ ବଟର ଉତ୍ତରୁ ଆସିବେ ପଞ୍ଚୁପାଣ୍ଡବ ନକୁଳ ।ଅମାସ୍ୟା ନିଶିରେ ଚନ୍ଦ୍ର ଉଇଁଥିବ ପୃଥ୍ୱୀ ଦିଶିବ ଉଜ୍ଜ୍ୱଳ ଯେ ।ଉମାପତି ଥିବେ ତହିଁ ।ଉଚ୍ଚାରିବେ ସ୍ତୁତି ଭକ୍ତଙ୍କୁ ଘେନିଣ ଗାଦି ମନ୍ଦିରରେ ରହି ଯେ ।୫।ଚଣ୍ଡୀ ଚାମଣ୍ଡାଇ ଚମକାଇ ଦେଇ ରକତ ପିଇଣ ଯିବେ ।ଚୋର ଥେଣ୍ଟ ଖଣ୍ଟ ଖଚୁଆ ମିଛୁଆ ଯୋଗ୍ନୀ ମୁଖରେ ପଡ଼ିବେ ଯେ ।ଚମକିବ ଚଉଦିଗ ।ଚତୁରପଣ କାହାରି ନ ରହିବ ହେବ ଆଦିମ ତା ଭାଗ ଯେ ।୬।ଛାତି ଦମ୍ଭ କରି ଯେହୁଥିବ ରହି ଦେଖିବେ କଳଙ୍କି ଖେଳ ।ଛତ୍ର ଟେକିଦେବେ ନିଜ ଗୁରୁଦେବ ଅନନ୍ତ ହେବେ ଭୂପାଳ ଯେ ।ଛାନିଆ ନହୁଅ କେହି ।ଛନ୍ନଛନ୍ନ କଳିଯୁଗ ହୋଇଲାଣି ଗଲାବେଳେ ଦେବ କହି ଯେ ।୭।ଜଗା ଜଗି ବେଳ ଆସିଲାଣି ଭାଇ ଯୋଗ୍ନୀ ହସ୍ତରେ ଖପର ।ଜବାବ ମାଗିବା ବେଳେ ଆଦି ମାତା ଥରିଯିବ ତିନିପୁର ଯେ ।ଯୁଗ ଶେଷବେଳ ଏହି ।ଜବାବ ନଦେଲେ କାନ୍ତାନିମାନେ ଯେ କବଳ କରିବେ ନେଇ ଯେ ।୮।ଝଡ଼ ତୋଫାନ ଯେ ସପ୍ତଦିନ ହେବ ଝାମ୍ପି ଘେନିଯିବେ କାଳ ।ଝାଡ଼ ବାଡ଼ ଭାଙ୍ଗି ସୈନ୍ୟ ଚାଲୁଥିବେ ଆସୁଛି ଦେଖିବା ବେଳ ଯେ ।ଝାଉଁଳି ପଡ଼ିବ ନାହିଁ ।ଝଞ୍ଜକା ଭିତରୁ ଯେ ବଞ୍ଚି ରହିବ ବିହନ ହୋଇବ ସେହି ଯେ ।୯।ନର ନାରୀ ଆଠ ପଦ୍ମ ରହିଥିବେ ନୂଆ ହୋଇବ ସର୍ଜନା ।ନିତ୍ୟସ୍ଥଳ ଖେଳ ମର୍ତ୍ତ୍ୟରେ ହୋଇବ ଦେଖିବ ନୟନ ସିନା ଯେ ।ନୂତନ ଦିଶିବ ଅଙ୍ଗ ।ନାମ ଆଶ୍ରିତ ଯେତେ ଭକ୍ତ ତୁମ୍ଭର ନୋହିବେ ପୀରତି ଭଙ୍ଗ ଯେ ।୧୦।ଟାକି ବସିଅଛି ଦାଉରେ ପଡ଼ିଲେ ମୀନ ପ୍ରାୟେ ଟେକି ନେବ ।ଟମକ ବାଦ୍ୟରେ ନବଖଣ୍ଡ ମହୀ ଉଲ୍କା ପାତରେ କମ୍ପିବ ଯେ ।ଟିକେ ମାତ୍ର ଦେଖ ରହି ।ଟାଣପଣ କାର ଗର୍ବ ନ ରହିବ ଅଛି ବନଶୀ ବଢ଼ାଇ ଯେ ।୧୧।ଠାବେ ଠାବେ ଗୋଳ କନ୍ଦଳ ଉଠିବ ଠୁଳଶୂନ୍ୟ ପରିଯନ୍ତେ ।ଠିଆ ହୋଇ ମାତା ପରୀକ୍ଷା ମାଗିବେ ଭକ୍ତଙ୍କୁ ପୋଛି ପଣତେ ଯେ ।ଠିକେଣ ଶ୍ରୀଗୁରୁ ବାଣୀ ।ଠକାଠକି କଥା ନୁହଇ ସୁଜନେ ଭୀମ ଅରକ୍ଷିତ ଭଣି ଯେ ।୧୨।ଡ଼ୁବିବ ବ୍ରହ୍ମାଣ୍ଡ ପୃଥ୍ୱୀ ନବଖଣ୍ଡ ଡ଼ାକି କହୁଅଛି ଶୁଣ ।ଡ଼କାୟତମାନେ କର୍ମ ଆଦରିବେ କଳିର ଏତିକି ଗୁଣ ଯେ ।ଡାଙ୍କେଣୀ ହୋଇବେ ଛିଡ଼ା ।ଡାକ ହାକ କରି ମ୍ଳେଚ୍ଛ ସଂହାରିବେ ଗଡ଼ୁଥିବେ କେତେ ମଡ଼ା ଯେ ।୧୩।ଢାଙ୍କୁଣୀ ଫିଟିବ ଅନନ୍ତ ଗାଦିରେ ଢଳୁଥିବେ ବ୍ରହ୍ମରୁପ ।ଢୋଲ ଟମକ ନିଶାଣ ବାଜୁଥିବ ଦେଖିବେ ସମସ୍ତ ଲୋକ ଯେ ।ଢାଙ୍କି ରଖିବେ ଶ୍ରୀଗୁରୁ ।ଢେଙ୍କାନାଳ ଠାରୁ ଭକ୍ତ ସଂଖ୍ୟା ହେବ ଲେଖା ହୋଇଛି ଆଦ୍ୟରୁ ଯେ ।୧୪।ଅନନ୍ତ ଠାକୁର ବିଜେ କରିଥିବେ ଅନ୍ତର୍ଯ୍ୟାମୀ ନାରାୟଣ ।ଅମୃତ ବରଷା ସ୍ୱର୍ଗରୁ ହୋଇବ ଅନନ୍ତ ମଧ୍ୟ କ୍ଷେତ୍ରେଣ ଯେ ।ଆଦିମାତା ଥିବେ ରହି ।ଅଚେତା ଭକ୍ତଙ୍କୁ ଚେତା କରାଇବେ ଅମୃତ ଲୋଚନେ ଚାହିଁ ଯେ ।୧୫।ତାରିବାକୁ ଗୁରୁ ଆସିଲେ ଶୂନ୍ୟରୁ ତରଣୀରେ ବସ ଯାଇଁ ।ତରାଇ ହସ୍ତରେ କାତ ରହିଅଛି ତୀରକୁ ଦେବ ଲଗାଇ ଯେ ।ତାରିବା ପଥକୁ ଧର ।ତରତର କଳିଯୁଗ ହୋଇଲାଣି ତତ୍ତ୍ୱ ମନରେ ବିଚାର ଯେ ।୧୬।ଥର ଥର କରି କେତେ ବୁଝାଇବି ଥୟରେ ବିଚାର କର ।ଥାଟ ପହଞ୍ଚିବେ ଦକ୍ଷିଣ ଦିଗରୁ ପିଇବେ କଞ୍ଚା ରୁଧିର ଯେ ।ଥୟସ୍ଥିତ ନ ରହିବ ।ସ୍ଥାନ ଛାଡ଼ି ଦେବତାଏ ପଳାଇବେ ମହା ଅନର୍ଥ ହୋଇବ ଯେ ।୧୭।ଦୁର୍ଗା ସସ୍ରଭୁଜେ ଖପର ଧରିଣ ଖର ନିଶ୍ୱାସ ଛାଡ଼ିବେ ।ଦ୍ୱାପର ଯୁଗରୁ ଅନାହାରରେ ଛନ୍ତି ରକ୍ତ ପିଇ ଶାନ୍ତ ହେବେ ଯେ ।ଦୟା ଧର୍ମ ତାଙ୍କ ନାହିଁ ।ଦେଖିବ ଯେ ଦୃଢ଼ ଭକ୍ତ ରହିଅଛି,କୋଳେ ବସାଇବେ ନେଇ ଯେ ।୧୮।ଧାର ଧାର ହୋଇ ଧରଣୀ ମଣ୍ଡଳେ,ରକ୍ତ ନଦୀ ବହିଯିବ ।ଧମକାଇ ଦେଇ କଳିଙ୍ଗ ଅସୁର ଧର୍ମ ସଙ୍ଗେ ବାଦୀ ହେବ ଯେ ।ଧନୀଏ ହୋଇବେ ଛିଡ଼ା ।ଧାନ ଟଙ୍କା କେତେ ଦୁର୍ଭିକ୍ଷେ ବାଣ୍ଟିବେ ଚରିଯିବେ ହସ୍ତୀ ଘୋଡ଼ା ଯେ ।୧୯।ନୂତନ ସର୍ଜନା ବ୍ରହ୍ମାଣ୍ଡ ହୋଇବ । ନିତ୍ୟ କଳି ଖେଳ ଏହି ।ନିଜେ ଗୁରୁଦେବ ଶାଢ଼ୀ ବାନ୍ଧି ଦେବେ ଅନନ୍ତଙ୍କ ଶିରେ ନେଇ ଯେ ।ନାରୀଏ ମଉନେ ଥିବେ ।ନୂତନ ବସନ ଶ୍ରୀଫଳ ନେଇଣ ଶ୍ରୀଛାମୁରେ ବନ୍ଦାଇବେ ଯେ ।୨୦।ପଚାରି ବୁଝିବାବେଳେ ଆଦିମାତା ଭକ୍ତ ହେବେ ଛନ୍ନ ଛନ୍ନ ।ପରୀକ୍ଷା ନ ଦେଇ କେତେ ଯତି ସତୀ ପଡ଼ିଯିବେ ମୋହେ ଜାଣ ଯେ ।ପରମ ଭକ୍ତଙ୍କ ମେଳେ ।ପଣନ୍ତରେ ପୋଛି ନିଜ ପୁତ୍ରପରି ନେଇ ବସାଇବେ କୋଳେ ଯେ ।୨୧।ଫରଫର ଉଡ଼ୁଥିବ ବୀରବାନା ଫନ୍ଦା ବୃତ୍ତି ହେବ ନାଶ ।ଫୁଲାପଣେ ଜ୍ଞାନ କାର ନ ରହିବ । ଫାଟିବ ଦକ୍ଷିଣ ଦେଶ ଯେ ।ଫି ସାଦ ରହିବ ନାହିଁ ।ଫରାସୀମାନେ ଯେ ଯୁଦ୍ଧେ ଧାଡ଼ି ଦେବେ, ହାରିଣ ଯିବେ ପଳାଇ ଯେ ।୨୨।ବଳୀ ଇନ୍ଦ୍ର ହେବ ସତ୍ୟ ଉପୁଯିବ ବାଜୁଥିବ ଭେରୀ ତୂରୀ ।ବନ୍ଦାପନା ଅର୍ଘ୍ୟସ୍ଥାଳି ଘେନିକରି ବନ୍ଦାଇବେ ଅପସରୀ ଯେ ।ବାନା ଉଡ଼ିବ ନୂତନ ।ବୀରବେଶ ହେଦେ ଅନ୍ନ୍ତକୋଟି ସାଧୁ, ଚଉଷଠି ସିଦ୍ଧଗଣ ଯେ ।୨୩।ଭାରତ ଖମ୍ବରେ ଭାରଦା ରହିଛି, ଭ୍ରତଖଣ୍ଡ ଭୂମି ଏହି ।ଭୈରବୀ ଡ଼ାକରେ ଅଧେ ନାଶଯିବେ, କହୁଛି ମୁହିଁ ବୁଝାଇ ଯେ ।ଭାରତ ଯୁଦ୍ଧ ହୋଇବ ।ଭଜି ଶ୍ରୀଗୁରୁଙ୍କୁ ଭଣେ ଭୀମଭୋଇ, ଆଜ୍ଞା ହେଲେ ପାପୀ ଯିବ ଯେ ।୨୪।ମଲା ମଲା ଡାକ ସାତଥର ହେବ ମରିବେ କର୍ମ ଆଦରି ।ମାତାଙ୍ଗୀ ହୋଇଣ ନାରୀଏ ନାଚିବେ, ମୋହିନୀ ରୂପକୁ ଧରି ଯେ ।ମହିମା ଆଶ୍ରୟ କର ।ମହିଷା ଯୁଦ୍ଧରେ ଏହି ଆଦିମାତା ଧରି ଥିଲାଟି ଖପର ସେ ।୨୫।ଜାରି ହେବ ତହିଁ ନବଖଣ୍ଡ ମହୀ ଯୁଗଶେଷ ବେଳ ଜାଣି ।ଜଗନ୍ନାଥ ସ୍ୱାମୀ ସତ୍ୟ ଅହିଂସରୁ ଧରା ହୋଇବେ ସେ ପୁଣି ଯେ ।ଯମଦୂତେ ଥିବେ ରହି ।ଜାନୁୟାରୀ ମାସେ ଏ କଥା ହୋଇବ, କହିଲି ମୁହିଁ ବୁଝାଇ ଯେ ।୨୬।ରଡ଼ିଘାତେ ତିନିପୁର ଝଡ଼ିଯିବ କାଳିକା ପ୍ରତାପ ହେବ ।ରବି ହେଙ୍ଗୁଳ ଆକାଶୁ ବରଷିବ; ନଦୀ ରକତ ହୋଇବ ଯେ ।ରାହୁ ଗ୍ରାସିବ ବ୍ରହ୍ମାଣ୍ଡ ।ରବି ଚନ୍ଦ୍ର ଦୁହେଁ ଅଦୃଶ୍ୟ ହୋଇବେ; ଶୃଗାଳ ଡାକ ପ୍ରଚଣ୍ଡ ଯେ ।୨୭।ନିଳଗିରିଠାରୁ ଋଷିକୁଲ୍ୟା ଯାଏ ବଇତ୍ରଣୀ ଆଦି କରି ।ନାରୀମାନେ ତହିଁ ହୁଳହୁଳି ଦେବେ; ପୂରିବ ଏ ବସୁନ୍ଧରୀ ଯେ ।ଲବଣ ଅମୃତ ହେବ ।ନକୁଳ ବୀର କୁନ୍ତକୁ ବୁଲାଇଣ, ସୈନ୍ୟଙ୍କୁ ବିନାଶୁ ଥିବ ହେ ।୨୮।ବିନତା ସୁତ ଯେ ବହି ଘେନିଯିବ, ଭଣ୍ଡାର ହୋଇବ ଶୂନ୍ୟ ।ବାଛି ବାଛି କରି ଭକ୍ତଙ୍କୁ ରଖିବେ, ଅନ୍ତର୍ଯ୍ୟାମୀ ଭଗବାନ ଯେ ।ବ୍ରହ୍ମ ଅନଳେ ଜାଳିବେ ।ବାରଣ ବେଳକୁ ଭକ୍ତଙ୍କୁ ନେଇଣ, ଆଦିମାତା ଚେତାଇବେ ଯେ ।୨୯।ଶନିଶ୍ଚର ସତାଇଶ ଯେ ନକ୍ଷତ୍ର, ଉଦେ ହେବେ ସେ କାଳର ।ଶବର ହସ୍ତରେ ଶର ଦେଇଥିବେ, ସୈନ୍ୟ ବଧିବେ ଅପାର ଯେ ।ଶର ପିଢ଼ରେ ଅର୍ଜ୍ଜୁନ ।ଗୋଟିଏ ମ୍ଳେଚ୍ଛ ଛାଡ଼ିଣ ନ ଦେବେ, କହିଲି ସତ୍ୟ ବଚନ ଯେ ।୩୦।ଷୋଳ ମଣ୍ଡଳୀ ଯେ ପରୀକ୍ଷା ହୋଇବ ଶଙ୍କର ତହିଁରେ ଥିବେ ।ସାନ ଲୋକମାନେ ପରୀକ୍ଷା ଦେଇଣ ବିବେକୀ ସେ ବୋଲାଇବେ ଯେ ।ସମ୍ବଲପୁରରେ ଠୁଳ ।ସୁଧର୍ମା ସଭାରେ ସନକ ଜନକ ଚୌବନ ଅଙ୍କରେ ମେଳ ଯେ ।୩୧।ଶନିବାର ଦିନ ସତ୍ୟ ଉପୁଜିବ, ସାନ ବଡ଼ ସବୁ ସରି ।ଅମୃତ ବରଷା ସ୍ୱର୍ଗରୁ ହୋଇବ, ଦିବସ ନୋହିବ ବାରି ଯେ ।ସୁରପତି ଇନ୍ଦ୍ର ଆସି,ଶୂନ୍ୟ ବିମାନରେ ଅର୍ଘ୍ୟ ବନ୍ଦାଇବେ, ପ୍ରଭୁ ହେଉଥିବେ ଖୁସି ।୩୨।ହରଷ ହୋଇବେ ଭକତ ସକଳ, ହରିବେ ପ୍ରଜାଙ୍କ ଦୁଃଖ ।ହରିବୋଲ ହୁଳହୁଳି ଶବଦରେ, ପୂରିବ ଏ ତ୍ରଇଲୋକ୍ୟ ଯେ ।ହନୁମନ୍ତ ବ୍ରହ୍ମା ହେବେ ।ହର ଗୌରୀ ଏକାମ୍ର କାନନରେ, ବ୍ରହ୍ମବିଦ୍ୟା ଆରମ୍ଭିବେ ଯେ ।୩୩।କ୍ଷୟ ଯିବ ପାପ ଅନାଦି ଅଲେଖ, ଖିଆଲ ନ ମଣ କେହି ।କ୍ଷମେ ଭୀମ ଭୋଇ ଶରଣ ମାଗୁଛି ପ୍ରଭୁ ଶ୍ରୀ ଛାମୁରେ ଯାଇ ଯେ ।ଖରାପ ବୁଦ୍ଧି ମୋହର ।ଖଣାର ଭିତରେ ପଡ଼ି ଜଣାଉଛି, ଧରି ଶ୍ରୀଗୁରୁ ପୟର ଯେ ।୩୪।
(୩୭)
କାହିଁଗଲେ ମୁଁ ବଞ୍ଚିବି ଦିନ, କଳିଯୁଗ ଏମନ୍ତ ଭିଆଣ,କରତା ପୁରୁଷ କାରଣ ନକଲେ,କଣ୍ଟା ଦୁଆରେ ଦେଲେଣି ଜାଣ ହେ ମହିମା ।୧।ଖାତ ଭିତରେ ପକାଇ ମୋତେ, ଖ୍ୟାତି ଗଞ୍ଜଣା ଦେଲେ ସମସ୍ତେ,କ୍ଷମାଦି ସାଗର ଉଦ୍ଧାର ନକଲେ,ଖତ ହୋଇଲୁଟି ଆମ୍ଭେ ଜାଣ ହେ ମହିମା ।୨।ଗୋଡ଼ ପୋତୁ ଅଛନ୍ତି ଗାତରେ, ଗାଈ ପ୍ରାୟେ ଗଡ଼ାଇ ଭୂମିରେ,ଗୁରୁଦେବ ସ୍ୱାମୀ ଉଦ୍ଧାର ନ କଲେଜ୍ଞାନ ହଜିଲା ଦଣ୍ଡ ଶାସ୍ତିରେ ହେ ମହିମା ।୩।ଘିଞ୍ଚି ନେଉଛନ୍ତି ବଳେ ଧରି, ଘୋଟି ଅଛନ୍ତି ଚଉପାହାରି;ଘେନି ମୋ ବିନତି ପରୀକ୍ଷା ନ ଦେଲେ,ଘଣ୍ଟି ପକାଇବେ ନିଶ୍ଚେଁ ମାରି ହେ ମହିମା ।୪।ଅନାଇଛି ମୁହିଁ ଆକାଶକୁ, ଅଣାକାରଙ୍କ ପାଦତଳକୁଅଣରୂପ ପ୍ରଭୁ ତ୍ରାହିକରି ନିଅ ;ଆସି ଉଦ୍ଧାର ଆମ୍ଭମାନଙ୍କୁ ହେ ମହିମା ।୫।ଚଳୁ ନାହିଁ ମୋ ଚରଣ ବେନି; ଚର୍ମ ଦେହେ ପଡ଼ିଛି ବାନ୍ଧେଣି;ଚାଲିଆସି ପ୍ରଭୁ ଝଟତିରେ ବୁଝ;ଚିଦାନନ୍ଦ ଅବ୍ୟକତ ମଣି ହେ ମହିମା ।୬।ଛଟପଟ ହେଲାଣି ଜୀବନ; ଛାଟ ପିଟି ଦେବାରୁ କଷଣ,କ୍ଷମାନନ୍ଦ ପ୍ରଭୁ ପ୍ରତ୍ୟକ୍ଷରେ ଦେଖ;ଛାଡ଼ୁ ଅଛି ମୋ ପିଣ୍ଡୁ ପରାଣ ହେ ମହିମା ।୭।ଜଗି ବସି ଅଛନ୍ତି ନିର୍ବନ୍ଧେ; ରଜ୍ଜୁ ଲାଗିଅଛି ମୋର କନ୍ଧେ;ଜଗତ କରତା ଯୋଗୀବେଶ ଧରି;ଜାଣି ବିଜୟ କଲ ବ୍ରହ୍ମାଣ୍ଡେ ହେ ମହିମା ।୮।ଝାଞ୍ଜି ସହିଥିବି ମୁହିଁ କେତେ; ଝଗଡ଼ାରେ ପଡ଼ିଣ ନିରତେ;ଝଞ୍ଜକାରୁ ପ୍ରଭୁ ତ୍ରାହିକରି ନିଅ,ଝଡ଼ି ପଡ଼ୁ ଅଛି ମୁଣ୍ଡ ଛିଡ଼ି ହେ ମହିମା ।୯।ନିରଞ୍ଜନ ପ୍ରଭୁ ଆଶ୍ରାକରି; ନିଶି ଦିବସରେ ଅନୁସରି,ନିଗମ ପଥ ଏ ନବୁଝିଣ ନରେ,ନିନ୍ଦା କରୁଛନ୍ତି ମାନକରି ହେ ମହିମା ।୧୦।ଟଳ ଟଳ ହେଲାଣି ମୋ ପିଣ୍ଡ; ଟେକି କଚାଡ଼ି ଦେବାରୁ ଦଣ୍ଡ,ଟିକେ ବୁଝାମଣା ନ କଲେ କରୁଣା;ଟାଣ ଭାଙ୍ଗି ହେବ ଖଣ୍ଡ ଖଣ୍ଡ ହେ ମହିମା ।୧୧।ଠେଙ୍ଗା ଧରିଛନ୍ତି ଜଗି ରହି, ଠିଆ ମଝିଦାଣ୍ଡରେ କରାଇ;ଠିକେ ଭଣେ ଭୀମ ଠାକୁରଙ୍କ ବିନୁବର୍ତ୍ତିବାକୁ ବୁଦ୍ଧି ଦିଶୁନାହିଁ ହେ ମହିମା ।୧୨।ଡରୁଅଛି ପଞ୍ଚଆତ୍ମା ଜୀବ; ଡାକ ନ ଶୁଣ ପ୍ରାଣବଲ୍ଳଭ;ଡିଙ୍ଗରଙ୍କ ହସ୍ତେ ପକାଇଛ ମୋତେ;ଦଣ୍ଡ କେତେଦିନ ଯାଏ ଥିବ ହେ ମହିମା ।୧୩।ଢ଼େଉ ସହୁଥିବି ମୁହିଁ କେତେ, ଢଳ ଢଳ କରାଉଛ ମୋତେ;ଢଙ୍ଗ ରଙ୍ଗ କଥା ଅନ୍ତର୍ଗତେ ଜାଣି;ଢାଳେ ଉଦ୍ଧରିଣ ଧର ବେଗେ ହେ ମହିମା ।୧୪।ଅନନ୍ତ ପୁରୁଷ ଶୂନ୍ୟହରି; ଅନାଇଛି ମୁହିଁ ଆଶ କରି;ଅଣହେଳା ମୋତେ ନ କରିଣ ପ୍ରଭୁ;ଅନୁବ୍ରତେ ଥିବ ଦୟାକରି ହେ ମହିମା ।୧୫।ତମ ତମ ମୁଁ ସହିବି କେତେ, ତାନ ପକାଉଛନ୍ତି ସମସ୍ତେ;ତ୍ରିଗୁଣ ସଂସାର ମାୟାରେ ପ୍ରଚାର,ତାକି ନୋହୁଛି ଆଗ ପଛନ୍ତେ ହେ ମହିମା ।୧୬।ଥୋଇ ଅଛନ୍ତି ବନ୍ଦୀ ମନ୍ଦିରେ; ସ୍ତମ୍ଭିଭୂତ ଲାଗୁଛି ମନରେ;ସ୍ଥାବର ପରାୟେ ବସିଛି ଏକାନ୍ତେ;ନାମ ଭରସା କରି ଶୂନ୍ୟରେ ହେ ମହିମା ।୧୭।ଦୁଃଖୀଜନବନ୍ଧୁ ଅଟ ପ୍ରଭୁ; ଦୁଃଖ ଜାଣୁଥିବ ମୋର ସବୁ,ଦୂରୁଦଶ ଦଣ୍ଡ କରି ଖଣ୍ଡ ଖଣ୍ଡ;ତାହା ନିବାର କରିବ ସବୁ ହେ ମହିମା ।୧୮।ଧର୍ମପରାଣୀ ଅଟଇ ମୁହିଁ; ଧନ୍ୟ ଧନ୍ୟ କଳିଯୁଗ ଏହି;ଧର୍ମାଧି ପୁରୁଷ ଉଦ୍ଧାରଣ କର;ଧର ଧର ହୃଦେ ଦୟାବହି ହେ ମହିମା ।୧୯।ନାମ ନିରାଶ ହେଲାଣି ମହୀ; ନାରାୟଣ ପ୍ରଭୁ ପାଇ ଥାଇ;ନରଦେହ ବହି ଏ ମର୍ତ୍ତ୍ୟମଣ୍ଡଳେ,ନିଷ୍ଠାଧର୍ମ ସ୍ଥାପିଦେଲା ମହୀ ହେ ମହିମା ।୨୦।ପଛେ ପଣ୍ଡିତ ବ୍ରାହ୍ମଣ କବି, ପଦ୍ମପୁଷ୍ପରେ ଅଛନ୍ତି ଲାଗି,ପରମପୁରୁଷ ବିଚାରିଣ ବୁଝ,ପାପ ପୁଣ୍ୟକର ଅନୁଭବି ହେ ମହିମା ।୨୧।ଫାନ୍ଦ ପକାଇଛନ୍ତି ଜଗତେ, ଫିସାଦିଆରେ ଅଣଆୟତେ,ଫାଉ କରୁଛନ୍ତି କଳିଯୁଗ ନରେ,ଫାନ୍ଦ ପୋତୁଅଛନ୍ତି ମିଛରେ ହେ ମହିମା ।୨୨।ବନ୍ଦୀ ମନ୍ଦିରେ ଦେଇ କବାଟ, ବନ୍ଦୀ କରୁଛନ୍ତି ନଟକୂଟ,ବୀର ବଧୂ ବାନା ଉଦ୍ଧାର ନ କଲେ;ବୁଦ୍ଧି ଭାଜି ହଜିଲାଣି ଆଣ୍ଟ ହେ ମହିମା ।୨୩।ଭୀମ ଅରକ୍ଷିତ କହୁଅଛି;ଭୟ କାତରେ ଦେହ କମ୍ପୁଛି;ଭାସି ଯାଉଅଛି ଅକୁଳ ସମୁଦ୍ରେ;ଭାବେ ଉଦ୍ଧରି ଧରିବ ବାଛି ହେ ମହିମା ।୨୪।ମାରୁଛନ୍ତି ମନ୍ଦ କଥା କହି, ମାଡ଼ ନ ପାରଇ ଦେହ ସହି,ମହିମା ନାମକୁ ମନର ଭିତରେ,ହୃଦପଦ୍ମେ ଅଛି ମୁହିଁ ଧ୍ୟାୟି ହେ ମହିମା ।୨୫।ଜୀବନକୁ ନାହିଁ ମୋର ଆଶ, ଜ୍ୱର ଚିନ୍ତାରେ ଦେହ ଅଳସ,ଯମ ପରାଏକ ଲାଗୁଛନ୍ତି ମୋତେ,ଜାଣି ବିଜୟେ କରିଣ ଆସ ହେ ମହିମା ।୨୬।ରଖ ରଖ ମୋର ପିଣ୍ଡ ପ୍ରାଣ, ରସା ମେଦିନୀରେ ନାରାୟଣ,ରକତ ଦେଖିଣ ପ୍ରତେଯିବେ ନର,ରହି କରୁଛି ମୁହିଁ ଜଣାଣ ହେ ମହିମା ।୨୭।ଲଘୁଦଶା ପକାଇଛ ମୋତେ, ଲୋଭ ମାୟାରେ ଅଣଆୟତ୍ତେ,ନାଗରା ପଣିଆ ବୁଦ୍ଧି ମାନ ଦେଇ,ଲାଗିଛନ୍ତି ମରିବା ପର୍ଯ୍ୟନ୍ତେ ହେ ମହିମା ।୨୮।ବହୁ ମହିମା ପରା ଅପାର, ବେଗେ ବୁଝାମଣା ଏବେ କର,ବଣା ହେଉଛନ୍ତି ବିଷୟା ମଦରେ,ବଡ଼ପଣରେ ଅଜ୍ଞାନୀ ନର ହେ ମହିମା ।୨୯।ଶୂନ୍ୟ ଶୂନ୍ୟ ମହାଶୂନ୍ୟରୂପୀ, ସଂଖ୍ୟା କରି କେ ପାରିବ ଲେଖି,ସକଳ ଶରୀରେ ଅଲେଖଙ୍କ ବାସ;ସର୍ବଘଟେ ରହିଅଛୁ ବ୍ୟାପୀ ହେ ମହିମା ।୩୦।ଷଡ଼ତନ୍ତ୍ର ଉପରେ ବିହାର, ସାକ୍ଷୀ ରୂପେ ଅଛ ଅଣାକାର,ଶରଣ ସମ୍ଭାଳି ରଖ ଏ ଭୃତ୍ୟକୁ;ଶିର ଢଳିଛି ଗୁରୁ ପୟର ହେ ମହିମା ।୩୧।ସାଧି ମାରୁଛନ୍ତି ଶତ୍ରୁ ପଣେ; ସ୍ୱାମୀ ଦଣ୍ଡ ଦେଇ ଅକାରଣେଶାନ୍ତଶୀଳ ଦୟା ହୃଦରେ ବହିଛ,ସତ୍ୟ ବୁଝାମଣା କର ବେଗେ ହେ ମହିମା ।୩୨।ହିତକାରୀ ଏ ନୁହନ୍ତି କେହି, ହିଂସା ଅହଙ୍କାର ଦେହବହି;ହରିହର ବ୍ରହ୍ମାଧରିତ୍ରୀ ଆକାଶ,ସାକ୍ଷ୍ୟ ଅଛନ୍ତି ମୁଁ ଦେଲି କହି ହେ ମହିମା ।୩୩।ଖଣ୍ଡ ଖଣ୍ଡ ହେଲାଣି ମୋ ଦେହୀ, ଖଳ ବଳ ରୁଧିର ବହଇ,କ୍ଷମାଦି ସାଗର ଉଦ୍ଧାରଣ କର,କ୍ଷମେ ଭରେ ଭୀମସେନ ଭୋଇ ହେ ମହିମା ।୩୪।
(୩୮)
କରତାଙ୍କୁ ଭଜ ବୋଲନ୍ତେ କଳି ହୋଇ ଧାଇଁଲା ।କାମ କ୍ରୋଧ ହିଂସା ମୋହକୁ ହୃଦୟରେ ବହିଲା ।୧।କ୍ଷମାଧି ସାଗର ପ୍ରଭୁଙ୍କୁ ସର୍ବେ ଡାକ ହେ ଉଚ୍ଚେ ।ଖଳ ଖଳ ହସି ବୋଲନ୍ତି ତୁମ୍ଭ ମହିମା ମିଛେ ।୨।ଗୁରୁଦେବ ଉଦେ ହୋଇଲେ କେହି ଚିହ୍ନିଲେ ନାହିଁ ।ଜ୍ଞାନ ଜାଣୁ ଆମ୍ଭେ ବୋଇଲେ ମନେ ଗରବ ବହି ।୩।ଘଟେ ଘଟେ ପୂରି ଅଛନ୍ତି ମୀନ ରୂପର ପରି ।ଘର-ଦ୍ୱାରମାନ ଛାଡ଼ିଲେ ନିଶ୍ଚେ ଗଲେରେ ବୁଡ଼ି ।୪।ଅଲେଖ ମହିମା ନାମ ହେ ଚାରିଯୁଗରେ ସତ୍ୟ ।ଅଳପକେ ନାଶ ଯିବରେ ନିଶ୍ଚେ ହୋଇବ ଭୂତ ।୫।ଚିଦାନନ୍ଦ ଯେଉଁ ପୁରୁଷ ସର୍ବ ଜୀବ କରତା ।ଚାତୁରୀ କରିଣ କହୁଛ ଏ ଯେ କେବଣ କଥା ।୬।ଛଡ଼ ବେଦପୁର ବାସୀଙ୍କି ସର୍ବେ ଭଜ ହେ ଚେତି ।ଛୋକାର ବଚନ ଗୋଟାକୁ ତୁମ୍ଭେ କରୁଛ ପୋଥି ।୭।ଯୋଗୀବେଶ ଧରି ଅଛନ୍ତି ତିନି ବ୍ରହ୍ମାଣ୍ଡ ରଖି ।ଯାଇ ଆସି କରି ଦେଖୁଛ ତୁମ୍ଭ ଗୁରୁ ସ୍ୱାମୀଙ୍କି ।୮।ଝାଡ଼ର ଭିତରେ ଧରିଣ ପ୍ରଭୁ କରିବେ ପାରି ।ଝଞ୍ଜକାରେ ପଡ଼ି ସମସ୍ତେ ଯାଉ ଅଛରେ ବୁଡ଼ି ।୯।ନାମ ବ୍ରହ୍ମ ଆଶ୍ରେ କରହେ ଦୋଷ କରିବେ କ୍ଷମା ।ନାହିଁ ବୋଲି କରି ଡାକହେ ତୁମ୍ଭ ଗୁରୁ ମହିମା ।୧୦।ଟାଣେ ଭଜିଥିଲେ ଯମ ହେ ଦଣ୍ଡେ ନାହିଁନା ଜୀବ ।ଟୋକା ପରିଯନ୍ତେ କେହୁ ହୋ ସର୍ବ ଘରେ ଭୁଞ୍ଜିବ ।୧୧।ଠିକ ଠିକ ପଦ ଯୋଡ଼ନ୍ତେ କେହୁ ନାହିଁ ସହିଲେ ।ଠକୁଅଛି ଭୀମ ଅର୍କ୍ଷିତ ଜଗତରେ ବୋଇଲେ ।୧୨।ଡୋଳେ ଦେଖ ତିନି ବ୍ରହ୍ମାଣ୍ଡେ ନିଜ ରୂପରେ ବିଜେ ।ଡରାଇ କହୁଛ ଆମ୍ଭଙ୍କୁ ତୁମ୍ଭ ମହିମା ଭଜେ ।୧୩।ଢାଙ୍କୁଣୀ ଭିତରେ ରହିବ କିଛି ନଥିବ ଶଙ୍କା ।ଢଳିଯିବୁ ପଛେ ନଭଜୁ ତୁମ୍ଭ ମହିମା ଦୀକ୍ଷା ।୧୪।ଅଲେଖ ମହିମା ନାମ ହେ ଘୋର କଳିଯୁଗରେ ।ଅସୁଖ ଲାଗୁଛି ଆନ୍ଧଙ୍କୁ ପଞ୍ଚଭୂତ ଆତ୍ମାରେ ।୧୫।ତରିବ ଯେମନ୍ତେ ସମସ୍ତେ ନାହିଁ କାର ଅହନ୍ତା ।ସ୍ତିରୀମାନେ ଭଜୁ ଅଛନ୍ତି ଏଯେ କେବଣ କଥା ।୧୬।ଥଳେ ଜଳେ ପୂରି ଅଛନ୍ତି ଘଟେ ନିରାଶ ନାହିଁ ।ସ୍ଥିତିକରି ଗୁରୁଦେବଙ୍କୁ ତୁମ୍ଭେ ରଖିଛ କାହିଁ ।୧୭।ଦଇବ କରତା ଅଟନ୍ତି ପ୍ରଭୁ ଶ୍ରୀଗୁରୁ ଦେବେ ।ଦେଖିବୁ ଯେମନ୍ତେ ସ୍ୱରୂପ ତେବେ ଭଜିବୁ ଆମ୍ଭେ ।୧୮।ଧର୍ମାଦି ପୁରୁଷ ଅଲେଖ ନାମ ଅଟେ ନିର୍ଗୁଣ ।ଧରିଅଛୁ ଆମ୍ଭେ ସମସ୍ତେ ଭାଗବତ ପୁରାଣ ।୧୯।ନିନ୍ଦି ନୁହେଁ ନାମ ବ୍ରହ୍ମକୁ ତୁମ୍ଭେ ନ ଚିହ୍ନି ବୁଝ ।ନୟନ ନାସିକା ଅଗ୍ରକୁ ତୁମ୍ଭେ ଚିହ୍ନିଣ ହେଜ ।୨୦।ପରମ ଭକତି ଜରହେ କିଛି ନାହିଁ ବିଚାର ।ପାପକର୍ମ ଗୋଟା ଅର୍ଜ୍ଜୁଛ କରି ଅଣ ଆଚାର ।୨୧।ଫଣି ମଣି ଜ୍ୟୋତିଧାରୀଙ୍କି ସର୍ବେ ଭଜହେ ଚେତି ।ଫୁଲାପଣ କରି କହୁଛ ତୁମ୍ଭେ କରି ଅରଷ୍ଟି ।୨୨।ବ୍ରହ୍ମାଣ୍ଡ କରତା ବଚନ ତୁମ୍ଭେ ନୁହ ଅଧମ ।ବାଉନ ପାଟକ ଜାତିକୁ ତୁମ୍ଭେ କରିଛ ସମ ।୨୩।ଭୀମ ଅରକ୍ଷିତ କହୁଛି ମୁଣ୍ଡେ ପଡ଼ିବ ଗିରି ।ଭଜିଣ ଗୁରୁଙ୍କୁ ଧ୍ୟାୟିବ ପୁଅ ଭାରିଯା ଧରି ।୨୪।ମହିମାକୁ ଭଜ ଗୋଷ୍ଠୀରେ ଆମ୍ଭେ ମିଶାଇ ନେବୁ ।ନ ଭଜିବୁ ପଛେ ମହିମା ଆମ୍ଭେ ଜାତିରେ ଥିବୁ ।୨୫।ଜଗତନାଥଙ୍କୁ ଭଜ ହେ ସର୍ବେ ସର୍ବଜ୍ଞାନ ଦିଶିବ ।ଜାତି ଗୋତ୍ର ସବୁ ଛାଡ଼ିଲେ କାହିଁ ମିଶି ନୋହିବ ।୨୬।ଋଷିଗଣ ସାଧୁମାନେ ଯେ ଯୁଗେ ରହିବେ ।ରକତ ମାଏଁ ସ ଦେହ ସେ କାହିଁ ବୈଷ୍ଣବ ହେବେ ।୨୭।ଲଭି ନୁହେଁ ନାମ ବ୍ରହ୍ମକୁ ତୁମ୍ଭେ ନ ବୋଲ ବୋଝା ।ଲୋଭେ ନାହିଁ ପାରି ଛାଡ଼ିବୁ ଧନ ପୁଅ ଭାରିଯା ।୨୮।ବେଦ ବେଦାନ୍ତରେ ଖୋଜ ହେ ସବୁ ସ୍ୱହସ୍ତେ ଅଛି ।ଖୋଜି ଖୋଜି ଭୁତ ହୋଇଲୁ ନାହିଁ ପାଇଲୁ କିଛି ।୨୯।ସାର ବ୍ରହ୍ମ ଗୁରୁଦେଇଙ୍କୁ ତୁମ୍ଭେ ନୁହ ଛାନିଆଁ ।ସର୍ବ ଜାତିସମ କରୁଛ ତୁମ୍ଭେ ଖ୍ରଷ୍ଟିଆନିଆଁ ।୩୦।ସମୁଦ୍ର ପରାୟ ଅଟନ୍ତି ପ୍ରଭୁ ମହିମା ସେହୁ ।ସୁଖେ ଥିବୁ ଆମ୍ଭେ ଦରିଦ୍ର ଦୁଃଖ ପାଇବ କେହୁ ।୩୧।ସତ୍ୟାଦି ସାଗର ପ୍ରଭୁଙ୍କୁ ସର୍ବେ ଲଗାଅ ଧ୍ୟାନ ।ଶୂନ୍ୟ ଶୂନ୍ୟ ମହାଶୂନ୍ୟକୁ ପ୍ରତେ ନ ଗଲା ମନ ।୩୨।ହରତା କରତା ଅଟନ୍ତି ପ୍ରଭୁ ଶ୍ରୀଗୁରୁଦେବ ।ହୀନିମାନ ହୋଇ ସଂସାରେ କେହୁ ମାଗି ଖାଇବ ।୩୩।ଖଚୁଆ ମେଳରେ ପଡ଼ିଣ ଚିତ୍ତ ନୋହୁଛି ଥୟେ ।କ୍ଷମାସାଗରଙ୍କୁ ସୁମରି ଭୀମ ଅର୍କ୍ଷିତ କହେ ।୩୪।
(୩୯)
ଅଲେଖ ପୁରୁଷ ଭକ୍ତ ଭାବେ ବଶ୍ୟ ଚାରିଯୁଗ ମଧ୍ୟେ ଅରୂପ,ନିଜେ ଗୁରୁଦେବ ଅଖିଳ ନିମନ୍ତେ ଆସିଛନ୍ତି ଶୂନ୍ୟ ପୁରୁଷ ।ଗୁରୁ ହେ । ଅଶେଷ ବ୍ରହ୍ମାଣ୍ଡ ଭାଷିଲା ।ହୋଇ ଖଳ ବଳ ଏ ମହୀ ମଣ୍ଡଳ ନାଶିଲା ପରାୟେ ଦିଶିଲା ।୧।ତେଣୁକରି ମୋର ହୃଦେ ଦମ୍ଭ ନାହିଁ ହେଉଛି ମୁଁ ବଡ଼ ନିର୍ମାକ୍ଷୀ,ଜନ୍ମରୁ ମରଣ ଆଜ ପରିଯନ୍ତେ ଅରୂପ ଗୁରୁ ମୋର ସାକ୍ଷୀ ।ସୁଜନେ । କିମ୍ପାଇ ଏତେ କର୍ମ କଲ ।ମୁକତି ସମ୍ପତ୍ତି ପ୍ରାୟେ ମଣୁଥିଲୁ ଏବେ ଯା ହୋଇଲୁ ବିଫଳ ।୨।ଦିବାନିଶି ମୋତେ ରୋଦନ ମାଡ଼ୁଛି କ୍ଷୀନ୍ନ ରୂପକୁ ଅନୁସରି;ଅଭୟ ବ୍ରହ୍ମ ପଦାର୍ବିନ୍ଦ ନ ପାଇ ଏବେ ମରୁଛି ଝୁରି ଝୁରି ।ସୁଜନେ । ଅନ୍ଧାର ହେଲାଣି ଜଗତ ।ଅନ୍ତର୍ଯ୍ୟାମୀଗୁରୁ ଗୋପ୍ୟାନ ହୋଇଲେ ଅନାସ୍ତ ହୋଇଲେ ଭକତ ।୩।କେତେଦିନେ ପ୍ରଭୁ ଦର୍ଶନ ମିଳିବ ସମ୍ଭାଳି ନୋହୁଛି ଧଇର୍ଯ୍ୟ ।ଦିବସ ରଜନୀ ଭାଳେଣି ପଡ଼ୁଛି ନ ଦେଖି ଶ୍ରୀମୁଖ ଅମ୍ବୁଜ ।ସୁଜନେ । ଭାସିଲା ଆମ୍ଭର ଭରସା ।ବାହ୍ୟ ଅନ୍ତର ନେତ୍ରରେ ଦେଖୁଥିଲୁ କରିଥିଲୁ ବଡ଼ ସାହସା ।୪।ଅରୂପ ହୋଇଲ ନିଗମେ ରହିଲ କି ବୋଲି କରିବୁ ପରତେ ।କଳିଯୁଗ ନରେ ଗୁରୁଙ୍କୁ ନ ଚିହ୍ନି ନିନ୍ଦା କରୁଛନ୍ତି ଜଗତେ ।ସୁଜନେ । ସବୁଠାରୁ ହେଲୁ ନିରାଶ ।ଗୁରୁଶୂନ୍ୟ ଧର୍ମ ଆମ୍ଭେ କଲୁ ନାଶ କାହାକୁ ଲଗାଇବୁ ଦୋଷ ।୫।ଭକତବତ୍ସଳ ମହିମା ସାଗର ଆତଙ୍ଗେ ଡ଼ାକିଲେ ଶୁଣିବେ,ଅଲେଖ ଗୁରୁଙ୍କୁ ଅନ୍ତରେ ଭାବିଲେ ନିଗମ ମନ୍ଦିରେ ଜାଣିବେ ।ସୁଜନେ । ଧୀର ସମୀର ଧ୍ୟାଇ ବସ ।ତତ୍ତ୍ୱ ମନଜାଣି ଭକତଙ୍କୁ ଘେନି ନିଶ୍ଚୟେ ଗୁରୁ ଦେବେ ଦୃଶ୍ୟ ।୬।ଏକପାଦେ ଆଶା ଲଗାଇ ଭରସା ନିଗମ ନିଷ୍କାମ ମନ୍ଦିରେ,କାମନା କଳ୍ପନା ମନରୁ ଛଡ଼ାଇ ଲୋଡ଼ିଲେ ନିଷ୍କାମ ବୁଦ୍ଧିରେ ।ସୁଜନେ । ଅଳପେ ପ୍ରକାଶ ହୋଇବେ ।ଅତି ମନ ନିଷ୍ଠା ଯେ ଜନ କରିବେ ସଧୀରେ ଗୁରୁଙ୍କ ପାଇବେ ।୭।ଆସନେ ଦର୍ଶନ ଦେବେ ଶୂନ୍ୟବ୍ରହ୍ମ ତେଡେ ଭକତ ଯେ ହୋଇବ,ବୁଦ୍ଧ ନିଜରୂପ ଅତି ତପୋବନ୍ତ ଅଲେଖ ଗୁରୁଙ୍କୁ ଦେଖିବ ।ସୁଜନେ । ମାନବ ଶରୀର ନୁହନ୍ତି ।ଏ ଘଟରୁ ଛାଡ଼ି ଅନ୍ୟଘଟ ଧରି ଚାରିଯୁଗେ ଖେଳୁଅଛନ୍ତି ।୮।ଦମ୍ଭେ ଦରିଥାଅ କାତର ଯେ ନୁହ ନିଶ୍ଚୟେ ଭେଟିବ ଗୁରୁଙ୍କୁ,ମ୍ଳେଚ୍ଛ ସଂହାରଣ ନିମନ୍ତରେ ଗୁରୁ ଗୋପ୍ୟାନ କଲେ ସତ୍ୟ ଧର୍ମକୁ ।ସୁଜନେ । ଶ୍ରୀଗୁରୁ ଲବଣ୍ୟ ମୂରତି ।ଜଗନ୍ନାଥ ପ୍ରଭୁ କଳଙ୍କି ସ୍ୱରୂପେ ପ୍ରକାଶ ହୋଇବେ ଧରତି ।୯।ମହାଘୋର କଳିଯୁଗ ହେଲା ଯହୁଁ ପ୍ରଳୟ ହୋଇଲା ଶ୍ରୀଅଙ୍ଗ,ଶୂନ୍ୟର ପୁରୁଷ ଶୂନ୍ୟେ ଖେଳ କଲେ ସମାଧି ହେଲା ଜ୍ୟୋତିଲିଙ୍ଗ ।ସୁଜନେ । ଶୂନ୍ୟ ଗୁରୁଙ୍କୁ ସର୍ବେ ଡାକ ।ନରଅଙ୍ଗେ ମିଶି ଖେଳ କରୁଛନ୍ତି ଯାହାର ନାହିଁ ରୂପରେଖ ।୧୦।ଯେ ଯହିଁରେ ଅଛ କୁହନାହିଁ ମିଛ ଅନ୍ତର୍ଗତରେ କର ଲୟେ,ନିର୍ଗୁଣକୁ ଧ୍ୟାଇ ସର୍ବେ ଥାଅ ରହି ଅବଶ୍ୟ କରିବେ ବିନୟେ ।ସୁଜନେ । ମନରେ କର ସତ୍ୟବ୍ରତ ।ମନକୁ ନିଷ୍କାମ କଲେ ଏକଚିତ୍ତ ଗୁରୁ ହୋଇବେ ପରାପତ ।୧୧।ଭକତବତ୍ସଳ ଅନାଦି ପୁରୁଷ ସର୍ବଘଟେ ପୁରି ଅଛନ୍ତି,ଅନ୍ତର୍ଗତରେ ଅନୁଭବେ ବୁଝିଲେ କ୍ଷୟ ବୃଦ୍ଧି ଗୁରୁ ନୁହନ୍ତି ।ସୂଜନେ । ଧର ଏତେବେଳେ ନିଷ୍କାମେ ।ଦେଖିବ ନିଶ୍ଚୟେ ବାକ୍ୟ ମିଛ ନୁହେଁ ଜ୍ଞାନଚକ୍ଷୁ ବେନି ନୟନେ ।୧୨।କେହି ଯେ ନଛାଡ଼ ମାୟାରେ ନପଡ଼ ନିର୍ବେଦେ ସର୍ବେ କର ଦୃଢ଼,ଅଲେଖ ପୁରୁଷ ଭକ୍ତଭାବେ ବଶ୍ୟ ଭେଦ ମାର୍ଗରରେ ସର୍ବେ ଲୋଡ଼ ।ସୁଜନେ । ସୁମର ମନ ଅରୂପକୁ ।ଏ ପିଣ୍ଡ ବ୍ରହ୍ମାଣ୍ଡ ଅନୁମାନେ ଭେଦ ସର୍ବେ ଡାକ ଶୂନ୍ୟ ଗୁରୁଙ୍କୁ ।୧୩।ଏବେଳେ ଅରୂପ ରୂପରେଖ ନାହିଁ ନିଗମରେ କଥା ରହିବ ।ନିଗମ ଭିତରେ ମନକୁ ରଖିଲେ ସେ ଏକା ଗୁରୁଙ୍କ ପାଇଲ ।ସୁଜନେ । ଶୂନ୍ୟ ଗୁରୁଙ୍କ ପାଦଗତ ।ଶୂନ୍ୟ ହୋଇଛନ୍ତି ଏ ତିନି ବ୍ରହ୍ମାଣ୍ଡେ । ଭଣେ ଭୀମ ଭୋଇ ଅର୍କ୍ଷିତ ।୧୪।
(୪୦)
କଳିକାଳ କାଟ ହୋଇଲାଣି ଆସି କମ୍ପୁଥିବ ଜମ୍ବୁଦ୍ୱୀପ ।କରତା ବିଜୟେ କରିବେ ଏ ଥର ନବଘନ ଶ୍ୟାମରୂପ ଯେ । ୧।କ୍ଷୀରସିନ୍ଧୁ ବାସୀ କ୍ଷିତି ମଧ୍ୟେ ଆସି ଗୁପତ ଖେଳ ନିମନ୍ତେ ।ଖଟିଥିବେ ସର୍ବେ ଖଳାର ଭିତରେ ବିଜେ ଅନାଦି ଅନନ୍ତେ ଯେ ।୨।ଗରବ ଗଞ୍ଜିବେ ଜ୍ଞାନ ମଜ୍ଜାଇବେ ଗତି ପତି ଦଇତାରି ।ଗୋପପୁରଯାଏ ଲୀଳା ଆରମ୍ଭିବେ ଗୋପୀବୃନ୍ଦ ସଙ୍ଗେ ଧରି ଯେ ।୩।ଘେନି ଭକ୍ତବୃନ୍ଦ ଘୋଟି ବେଢ଼ିଥିବେ ଘୋଟି ଆସିଲାଣି ଯୁଗ ।ଘାଘୁରି ଘଣ୍ଟି ଚାମର ହସ୍ତେ ଧରି ସଜହୁଅ ବେଗ ବେଗ ଯେ ।୪।ଅଲେଖପୁରୁଷ ଅନ୍ତର୍ଯ୍ୟାମୀନାଥ କରିବେ ଅନନ୍ତ ଖେଡ଼ ।ଅସତ୍ୟ ନୁହନ୍ତି ଅଲେଖ ମହିମା ଚାରିଯୁଗ ଦୀକ୍ଷା ବଡ଼ ଯେ ।୫।ଚାରିଯୁଗ ମଧ୍ୟେ ଚାଲି ଆସୁଅଛି ଯେଉଁପରି ବିଧିମତ ।ଚର୍ମନେତ୍ରେ ଚାହିଁ ସ୍ୱଦେହେ ଲଭିବେ ପ୍ରଭୁଙ୍କ ଯେତେ ଭକତ ଯେ ।୬।ଛନ୍ନ ଛନ୍ନ ହୋଇ ଛାଡ଼ି ଦିଅନାହିଁ ଅଛି ତିନିଗୋଟି ଦିନ ।ଛବିକି ଦେଖାଇ ଛାଉଳି କରାଇ କଷୁଛନ୍ତି ଭକ୍ତମନ ଯେ ।୭।ଜଗିଥିବ ରହି ଯୁଗ ଶେଷ ଧ୍ୟାୟି ଜୀବନକୁ ପିଣ୍ଡେ ରଖି ।ଜାରି ହୋଇଲାଣି ଜମ୍ବୁଦ୍ୱୀପ ମହୀ ଆସି ରହିଲାଣି ବାକି ଯେ ।୮।ଝୀନ ବାସ ପିନ୍ଧି ଝୁମାରି ଝୁମାରି ଢଳି ଢଳି ନାଚୁଥିବେ ।ଝୁରା ଝୁମ୍ପରୁ ଝଡ଼ି ପଡିବ ପୁଷ୍ପ ଅର୍ଘ୍ୟସ୍ଥାଳୀ ବନ୍ଦାଇବେ ଯେ ।୯।ନିକଟ ହେଲାଣି ନିଷ୍କାମରେ ଧର ନିଶତେ ନଦିଅ ଛାଡ଼ି ।ନାରୀମାନେ ନାନାବର୍ଣ୍ଣେ ନାଚୁଥିବେ ପିନ୍ଧିରଙ୍ଗ ପାଟଶାଢ଼ୀ ଯେ ।୧୦।ଟାକିଥିବ ଯେବେ ଟୀଆପରିଯନ୍ତେ ଦେଖିବ ଆଖି ପୂରାଇ ।ଟିକେ ସମ୍ଭାଳିଲେ ଯେଉଁ ଖେଳ ହେବ ଚାରିଯୁଗ ମଧ୍ୟେ ନାହିଁ ଯେ ।୧୧।ଠକ ନୁହେଁ ଠିକ ବଚନ କହୁଛି ଯୁଗ ଯୁଗାନ୍ତରେ ସତ୍ୟ ।ଭଣେ ଭୀମ ହୀନ ପାମର ଅଜ୍ଞାନ ଗୁପତ ଲୀଳା ବିଦିତ ଯେ ।୧୨।ଡର ଭୟ କର ଦୂର, ଧରିଆ ସ୍ୱାମୀ ପୟର,ଢାଉ ଢାଉ ରୂପ ରୂପ ସେ ରାମାବର ଯେ ।୧୩।ଢୋକିଲାଣି ଆସି କଥା, ମନରେ ନ କର ଚିନ୍ତା,ଢମ ପସରାକୁ ଛାଡ଼ ସେ ଛାଡ଼, ବ୍ରଜବନିତା ଯେ ।୧୪।ଅନାଦି ହୋଇବେ ରାଜା, ଖଟିବେ ଦାସ ପରଜା ।ଅନୁଷଣେ ବୀରତ୍ୱର ସେ ତୂର; ବାଜିବ ବାଜା ଯେ ।୧୫।ତିନି ପୁର ହେବେ ରୁଣ୍ଡ, ପୂରି ଜମ୍ବୁଦ୍ୱୀପ ଖଣ୍ଡ ।ଦଲ ଦଲ କମ୍ପୁଥିବ ସେ ଥିବ ସପ୍ତ ବ୍ରହ୍ମାଣ୍ଡ ଯେ ।୧୬।ସ୍ଥିତି ପାଇବେ ସମସ୍ତେ, ବାଞ୍ଚା କରିଛନ୍ତି ଯେତେ,ଥାଅ ସର୍ବେ ସଜ ହୋଇ, ସେ ହୋଇ ନାମ ଆଶ୍ରିତେ ଯେ ।୧୭।ଦୁଃଖ ଫିଟିବ ଏଥର, ତରଳି ଯିବ ପଥର ।ଦହାହେବ ସମୁଚିତ୍ତେ, ସେ ଚିତ୍ତେନୁହ କାତର ଯେ ।୧୮।ଧର୍ମ ଚାରିଯୁଗେ ବସି, ଚୌଦିଗେ ଇନ୍ଦ୍ର ବରଷି ।ଧରଣୀରେ ସର୍ବ ଖଣ୍ଡ, ସେ ଖଣ୍ଡ ପଡ଼ିବ ଖସି ଯେ ।୧୯।ନବୀନ ଯୁବତୀମାନ ଖଟିବେ ସ୍ୱାମୀ ଗହନ ।ନାମବ୍ରହ୍ମେ ଚିତ୍ତ ଦେଇ ସେ ଦେଇ, ବଞ୍ଚିବେ ଦିନ ଯେ ।୨୦।ପୁଣ୍ୟ ପରକାଶ ହେବ, ପାତକ କ୍ଷୟ ହୋଇବ ।କଳିକାଳ ନାଶ ଯାଇ ସେ ଯାଇ; ସତ ବସିବ ଯେ ।୨୧।ଫୁରୁଣା ସ୍ତିରୀ ପୁରୁଷ । ସର୍ବଥା ବସନ୍ତ ମାସ ।ଫଟାଘର ଦ୍ୱାରମାନ ସେମାନ, ହେବ ଉଆସ ଯେ ।୨୨।ବେଦ ମତରେ ଚାଲିବେ, ସାତୁକ୍ୟ ଧର୍ମ ପାଳିବେ ।ବରି ପୁରୁଷଙ୍କୁ ସ୍ତିରୀ ସେ ସ୍ତିରୀ, ଇଚ୍ଛାରେ ନେବେ ଯେ ।୨୩।ଭୀମ ଅରକ୍ଷିତ କହେ, ଏ ମାନ ହେବ ନିଶ୍ଚୟେ ।ଭାଷା ଯେ ତିନିପୁରକୁ ଶୁଭିବ ସେ ଜୟେଜୟେ ଯେ ।୨୪।ମହିମା ପ୍ରକାଶ ମହୀମଣ୍ଡଳରେ ମିଛ ନୁହେଁ କଥା ସତ୍ୟ ।ମନର ଭିତରେ ଯାହା ବାଞ୍ଚି ଅଛି ହେବ ତାହା ପରାପତ ଯେ ।୨୫।ଜଣେ ଜଣେ ଯାଚି ଦେଉଥିବେ ବର ଯୁଗ ଶେଷଟୀଆ ମୁଣ୍ଡେ ।ଯୋଗ ଭୋଗ ଗୋପଲକ୍ଷ୍ମୀ ପରାପତ ଲେଖାଅଛି କର୍ମକାଣ୍ଡେ ଯେ ।୨୬।ରହସ୍ୟ ଦ୍ୱାରକା ରାହାସମଣ୍ଡଳ ନିବାରିବେ କୁଶଧର ।ରାଜାପଣେ ବସି ଅଭିଷେକ ହେବେ ସେ ଅନାଦି ଯୋଗେଶ୍ୱର ଯେ ।୨୭।ଲଭିବେ ଲାବଣ୍ୟ ରୂପକୁ ସମସ୍ତେ ଲାଗିଥିବେ ସଙ୍ଗେ ସଙ୍ଗେ ।ଲୟେ କରିଥିଲେ ପ୍ରଭୁ ପାଦପଦ୍ମେ ଲୀନ ହେବେ ନିଜ ଅଙ୍ଗେ ସେ ।୨୮।ବୀରବଧୂ ବାନା ଜଗତେ ଉଡ଼ିବ ବଡ଼ ବଡ଼ ବୋଲାଇବେ ।ବୁଦ୍ଧି ବିବେକ ପଣ୍ଡିତ ପଣରେ ସେ ପଣଧନେ ବଡ଼ ହେବେ ଯେ ।୨୯।ସରିଲାଣି ଆସି ସର୍ବ ଅପକର୍ମ କଳିକାଳ ଯଶ ରୀତି,ସାର ହେବ ଶିରୀ ସମ୍ପଦ ଲଭିବେ ନବଖଣ୍ଡଦ୍ୱୀପ ପୃଥ୍ୱୀ ଯେ ।୩୦।ସତ୍ୟ ପଶିଲାଣି ସଂସାର ଭିତରେ କେହି ନ ପାରିଛ ଜାଣି ।ଶୁଭରେ ଏଥର ପଡ଼ିବ ବ୍ରହ୍ମାଣ୍ଡେ ସତ୍ୟାଦି ସାଗର ଧୂନି ଯେ ।୩୧।ସୁବର୍ଣ୍ଣ ମନ୍ଦିର ହୋଇବ ତିଆରି ଶୂନ୍ୟକର୍ତ୍ତାଙ୍କ ଆଜ୍ଞାରେ ।ଶୁଣିଥାଅ ସର୍ବେ ସାଧୁ ସନ୍ଥ ଜନ ଦେଖିବ ଚର୍ମନେତ୍ରରେ ଯେ ।୩୨।ହରିହର ବ୍ରହ୍ମା ଚରଣେ ଖଟିବେ ଛାମୁରେ ଖଟିବେ ଦାସ ।ହେବ ଯେତେ କଥା ଶ୍ରୀଗୁରୁ ଜାଣନ୍ତି ଅଲେଖ ଶୂନ୍ୟ ପୁରୁଷ ଯେ ।୩୩।କ୍ଷୀନ ରୂପଧରି ଗୃପତେ ଖେଳନ୍ତି କ୍ଷମା ମହିମା ଅଶେଷ ।ଖେଳ ଆରମ୍ଭିବେ ଅଳପ ଦିନରେ ଭଣେ ଭୀମ ଭକ୍ତଦାସ ଯେ ।୩୪।
(୪୧)
କଳିଯୁଗେ କର୍ତ୍ତା ଗତି ମୁକ୍ତି ଦାତା ବୁଦ୍ଧିରୂପେ ବିଜେ କଲେ,କ୍ରିୟାକର୍ମ କାଟି ଭକତମାନଙ୍କୁ ମହାନିତ୍ୟ ଧର୍ମ ଦେଲେ ଯେ,କଳି ହୋଇଲାଣି ଶେଷ,ଆଉ ରହିଛି ତିନି ଦିବସ ଯେ ।୧।ଖଳଲୋକମାନେ ସର୍ବେ ନାଶଯିବେ ଟମକ ବାଜୁଛି ମହୀ,ଖଣ୍ଡାଜାତ ହେବ ନେମ୍ବାଳ ମଠରେ ଦୁଷ୍ଟ ନିବାରିବାପାଇଁ ଯେ;କ୍ଷିତି ମଧ୍ୟରେ ଅନାଦି,ରାଜା ହୋଇବେ ବ୍ରହ୍ମାଣ୍ଡ ସାଧି ଯେ ।୨।ଗେ ହୀରା ଟିକରା ଯୁଦ୍ଧ ହେବ ତହିଁ ବହିବ ରକତ ନଦୀ ।ଗଡ଼ାଗଡ଼ି ହୋଇ ମଡ଼ା ଭାସୁଥିବ ସମ୍ବଲପୁରକୁ ଭେଦି ଯେ,ଗାଢ଼ ସଂଗ୍ରାମ ହୋଇବ,ଗର୍ଜି ରକତ ନଦୀ ବହିବ ଯେ ।୩।ଘୋଡ଼ା ହାତୀ ତହିଁ ହୋଇଯିବେ ଛାଇ ରବି ଶଶୀ ନ ଦିଶିବ;ଘୁ ଘୁ ନାଦ ଦେଇ ରକତର ନଈ ଦଶଦିବସ ବହିବ ଯେ,ଘୋଟି ଆସୁଥିବ ମାଡ଼ି,ଯେହ୍ନେ ଚଳଇ ସିନ୍ଧୁ ଲହଡ଼ି ଯେ ।୪।ଉତ୍ତରୁ ରୁଧିର ଦକ୍ଷିଣ ଦିଗକୁ ବହିବ ପ୍ରଚଣ୍ଡ ହୋଇ,ଉଠି ଆସୁଥିବ ସାତତାଳ ଉଚ୍ଚେ ଭୂମଣ୍ଡଳ ହେବ ଛାଇ ଯେ,ନିଶତରେ କ୍ଷତ୍ରୀୟମାନେ,ଭବେ ପଳାଇବେ ଏଣେ ତେଣେ ଯେ ।୫।ଚିତ୍ତ ବୃତ୍ତି ଦେଇ ପ୍ରଭୁପାଦେ ଧ୍ୟାୟି ରହିଥାଅ ଲେଞ୍ଚ ପଣେ,ଭକତ ବେଦନା ଶୂନ୍ୟବାସୀ ବିନା ବୁଝିବାକୁ ନାହିଁ ଜଣେ ଯେ,ଚେତି ପାରିଥିବ ଯେବେ,ଚିତ୍ତ ଅବଶ୍ୟ ପୂର୍ଣ୍ଣ କରିବେ ଯେ ।୬।ଛପ୍ନାକୋଟି ଜୀବ ପଡ଼ି ପାଉଛନ୍ତି ଧ୍ୟାୟି ଯେବଣ ପାଦକୁ,ଛତ୍ରତଳେ ରହି ଚିହ୍ନି ନ ପାରୁଛ ବେନିନେତ୍ରେ ଦେଖୁ ଦେଖୁ ଯେ,ଛିଡ଼ି ପଡ଼ିବଟି ଶିର,ଯେହ୍ନେ ବସନ୍ତେ ଝଡ଼େ ପତର ଯେ ।୭।ଯୋଗୀ ବେଶ ହୋଇ ବ୍ରହ୍ମଣ୍ଡ ଗୋସାଇଁ ମର୍ତ୍ତ୍ୟକୁ ବିଜୟେ କଲେ ।ଜାଗିଥାଅ ବୋଲି ଭଜତମାନଙ୍କୁ ମହାନିତ୍ୟ ଧର୍ମ ଦେଲେ ଯେ;ଜାଗି ନ ପାରୁଛ କେହି,ଯୋଗୀ ନୁହେଁ ବ୍ରହ୍ମାଣ୍ଡ ଗୋସାଇଁ ଯେ ।୮।ଝଡ଼ିବ ପାତକ ସାତ ଜନ୍ମଯାକ ପ୍ରଭୁନିଜ ରୂପ ଦେଖି,ଝଟକ ବିଜୁଳି ରୂପ ଦରଶନେ କଳିଯୁଗ ଯିବ ଶଙ୍କି ଯେ,ଝାଡ଼ବତୀ ଲଗାହେବ,ଶୁଷ୍କତରୁ ପଲ୍ଳବି ଉଠିବ ଯେ ।୯।ନିନ୍ଦା ଗର୍ବ ସହି ଲେଞ୍ଚ ପ୍ରାୟେ ହୋଇ ପ୍ରଭୁପାଦେ ଥାଅ ପଡ଼ି,ନିକଟ ହେଲାଣି ଲୀଳା କରିବାକୁ ନିଶି ଅଛି ପାଞ୍ଚଘଡ଼ି ଯେ,ନିଶ୍ଚେ ପ୍ରକାଶ ହୋଇବ,କଳି ଭାଙ୍ଗି ସତ୍ୟ ଉଦେ ହେବ ଯେ ।୧୦।ଟେକି ଦେଇଛନ୍ତି ଅଲେଖ ବାନାକୁ ଟାଣ ଭାଙ୍ଗିବାର ପାଇଁ,ଟେକିଦେଲେ ମଥା ସରିଯିବ କଥା ଟିକେ ମାତ୍ର ଥାଅ ସହି ଯେ,ଟାହି ଟମାଳିଆ ଯେତେ,ଟୋପ ଗାଡ଼େ ପଡ଼ିବେ ସମସ୍ତେ ଯେ ।୧୧।ଠାବ ଦେଇ ଭକ୍ତମାନଙ୍କୁ ରଖିବେ ଠିକ ଯାଏ ଟାକିଥାଅ,ଠିକେ ଭୀମସେନ ଗୀତରେ କହିଲେ ଅନାଦି ଗୁରୁଙ୍କପୁଅ ଯେ,ଠିକ ପୁରୁଷ ଅଲେଖ,ଠକିଦେଇ ଚାଲିଗଲେ ଦେଖ ଯେ ।୧୨।ଡରି ମରିଲେଣି ଧର୍ମକୁ ସମସ୍ତେ ସୁରାପାନେ ହେଲେ ବଶ,ଡିଙ୍ଗରଙ୍କ ସଙ୍ଗ ଛାଡ଼ିଦେଇ ସର୍ବେ ଶ୍ରୀଗୁରୁଚରଣେ ରସ ସେ,ଡାକି ଗୁରୁ କହୁଛନ୍ତି,ଭକ୍ତେ କେହି ନ ପାରୁଛ ଚେତି ଯେ ।୧୩।ଢିଙ୍କୀ ବାଜା ଜଗତରେ ବନ୍ଦ ହେବ ବଳି ଇନ୍ଦ୍ର ହେବାଯାଏ;ଢେଙ୍କାନାଳ ଗଡ଼େ ଢାଙ୍କୁଣୀ ଫିଟିବ ଢୁଳାଇ ପଡ଼ିବ ଘାଏ ଯେ,ଢାଳି ସତାମୃତ,ଦେଇ ଭକ୍ତକୁଳ ରଖିବେ ବଞ୍ଚାଇ ଯେ ।୧୪।ଅମୃତ ବରଷା ସ୍ୱର୍ଗରୁ ହୋଇବ ଢେଙ୍କାନାଳ ଯୋରନ୍ଦାରେ,ଅଖିଳ ବ୍ରହ୍ମାଣ୍ଡ କରତା ଯାହାକୁ ଛତ୍ରଦେବେ ଶ୍ରୀହସ୍ତରେ ଯେ,ଓଡ଼ିଶାର ନରସାଇଁ,ବାରଅଙ୍ଗେ ଯିବେ କାଟପାଇ ଯେ ।୧୫।ତର ତର ଚିତ୍ତ ନ ହୁଅ ଭକତ ପ୍ରଭୁ କରିଛନ୍ତି ବିଜେ,ତିନିଦିନ ଗଲେ ବୁଝାମଣା ହେବ ଗୋସିଂହ ଦୈତ୍ୟର ରାଜ୍ୟେ ଯେ;ଛନ୍ତି ଏକଇ ଭକତ,ତାଙ୍କୁ ଶ୍ରୀହସ୍ତରେ ଦେବେ ଛତ୍ର ଯେ ।୧୬।ଥୟ ସ୍ଥିତିନାହିଁ କ୍ଷତ୍ରୀକୁଳେ ତହିଁ ଥୋଇ ଅଛନ୍ତି ଗୋସାଇଁ,ଚକ୍ରବର୍ତ୍ତୀପଣେ ଶାଢ଼ୀ ବାନ୍ଧି ଦେବେ ମହାନିତ୍ୟ ଧର୍ମ ଦେଇ ଯେ,ଥୟ ହୋଇଲେ ବ୍ରହ୍ମାଣ୍ଡ,ଶତ୍ରୁ ଉପରେ ହୋଇବେ ଷଣ୍ଢ ଯେ ।୧୭।ଦୀନବନ୍ଧୁ ନାମ ସତ୍ୟକୁ ନ ଲଙ୍ଘି ଭକ୍ତିଭାବେ ଚିତ୍ତ ଥିଲେ,ଦୁରିତ ନାଶିବ ପ୍ରଭୁଙ୍କୁ ଦେଖିବ ପୂର୍ବରୁ ସୁକୃତ ଥିଲେ ଯେ,ଦୁଃଖ ଛାର କି ରହିବ,ଦୟାନିଧିପାଦେ କର ଭାବ ଯେ ।୧୮।ଧର୍ମକୁ ସମସ୍ତେ ବିମୁଖ ହେଲେଣି ସୁରାପାନେ ହେଲେ ବଶ,ଧରଧର ଏତେବେଳେ ସଜ ଅଛି ପଶ୍ଚାନ୍ତେ ନ ଦେବ ଦୋଷ ଯେ,କହୁଅଛି ସମସ୍ତଙ୍କୁ,ଧର୍ମ ଛାଡ଼ିଲା ଏବେ ତୁମ୍ଭଙ୍କୁ ଯେ ।୧୯।ନାହିଁ ଦାନ ଧ୍ୟାନ ନାହିଁ ଜପତପ ନାହିଁ ତୀର୍ଥବ୍ରତ କିଛି,ନିତି ନାମ ବ୍ରହ୍ମେ ବିହରି ପାରିଲେ ଏ ଜୀବକୁ ମୋକ୍ଷ ଅଛି ଯେ,ସର୍ବେ ବ୍ରହ୍ମରୁ ଜନମ,ବ୍ରହ୍ମ ମଧ୍ୟେ ନାହିଁ ଭିନ୍ନ ଭିନ୍ନ ଯେ ।୨୦।ପ୍ରାତକାଳୁ ଉଠି ସ୍ନାହାନ ସାରିଣ ଗୋମୟ ମାର୍ଜନ ହେବ,ପ୍ରଭୁ ପାଦେ ଶିର କମଳ ସମର୍ପିରେଣୁ ଆଶ୍ରିତରେ ଥିବ ଯେ,ପାଇ ପବିତ୍ର ଜଳେଣ;ମହା ଆନନ୍ଦେ ବଞ୍ଚିବ ଦିନ ଯେ ।୨୧।ଫୁଲାପଣେ ଥାଇ ମିଛେ ନୁହବାଇ ଫିଟିବ ଥରେ ଢାଙ୍କୁଣୀ,ଫରଫର ବୀର ବାନା ଉଡୁଅଛି କେହି ନ ପାରୁଛି ଜାଣି ଯେ,ଫନ୍ଦାବୃତ୍ତି ଯିବନାଶ,ଫାଟିଯିବ ଏ ଦକ୍ଷିଣ ଦେଶ ଯେ ।୨୨।ବ୍ରାହ୍ମଣୀମାନେ ଯେ ଧର୍ମକୁ ଛାଡ଼ିଣ ବେଶ୍ୟାବୃତ୍ତି ଆଚରିଲେ,ବ୍ରାହ୍ମଣ ଗାୟତ୍ରୀ ମନ୍ତ୍ରକୁ ଛାଡ଼ିଣ ବାଣିଜ୍ୟ ବେପାର କଲେ ଯେ,ବିକିଲେଣି ଜିରା ଭାଙ୍ଗ,ମୀନ ମାରିବାକୁ ହେଲେ ଆଗ ସେ ।୨୩।ଭାସିଯାଉଅଛି ନବଖଣ୍ଡମହୀ ଅସଂଖ୍ୟ ପାତକ ହେଲା,ଭଣେ ଭୀମ ହୀନ ପାମର ଅଜ୍ଞାନ କଳିଯୁଗ ଏହା କଲା ଯେଭକ୍ତପଣେ ଅଛ ଯେହୁ,ଡାକ ଅଲେଖଙ୍କୁ ପୃଥ୍ୱୀ ରହୁ ଯେ ।୨୪।ମାଡ଼ି ଆସିଲେଣି ନବକୋଟି ଯୋଗ୍ନୀ ଆଜ୍ଞାପାଇ ବ୍ରହ୍ମାଣ୍ଡକୁ ।ମନ୍ଦାଇଲା ମାଛ ପ୍ରାୟେ ମରି ଯିବେ ବେନି ନେତ୍ରେ ଦେଖୁ ଦେଖୁ ଯେ,ମହିମାଙ୍କୁ କର ଲୟେ,ମନ ନିବେଶି ଶ୍ରୀଗୁରୁପାୟେ ଯେ ।୨୫।ଯୋଗୀବେଶ ହୋଇ ମହିମା ଗୋସାଇଁ ବିଜୟେ କଲେ ମର୍ତ୍ତ୍ୟକୁ,ଜାଣି ନ ପାରୁଛ ଜଗତରେ କେହି ବେନି ନେତ୍ରେ ଦେଖୁ ଦେଖୁ ଯେ,ଜାଲ ବେଢିଛି ନୟନ,ଯେହ୍ନେ ପାରାଛଡ଼ା ଦରପଣ ଯେ ।୨୬।ରବି ଚନ୍ଦ୍ର ଦୁହେଁ ମର୍ତ୍ତ୍ୟକୁ ଆସିବେ ରାତ୍ର ହୋଇଯିବ ମହୀ,ସାତଦିନଯାଏ ଅନ୍ଧକାର ହେବ ପଥ ନ ଦିଶିବ କାହିଁ ଯେ,ଯୋଡ଼ାଯୋଡ଼ି ପଦ ନୋହି;ସ୍ୱାମୀ ଶ୍ରୀମୁଖ ବଚନ ଏହି ଯେ ।୨୭।ଲକ୍ଷେକ ସୁବର୍ଣ୍ଣ କୁମ୍ଭ ବସିଥିବ ଲକ୍ଷେ ଛତ୍ର ଟଣା ହେବ,ଲକ୍ଷେ ରାଜନକୁ ଶାଢ଼ୀ ବାନ୍ଧିଦେବେ ଶ୍ରୀହସ୍ତରେ ଗୁରୁଦେବ ଯେ,ଲୀଳା ଅସଂଖ୍ୟ ହୋଇବ ।ସ୍ୱର୍ଗ ଅପସରି ଆସିଥିବ ଯେ ।୨୮।ବାଜୁଥିବ ଲକ୍ଷେ ଲକ୍ଷେ ବୀର ବାଜା ବିନତା ନନ୍ଦନ ଥିବେ,ପ୍ରଭୁଙ୍କ ଭଣ୍ଡାରୁ ଅଢ଼ାଇ ବେଳହିଁ ଧନ ବହି ଆଣି ଦେବେ ଯେ,ବ୍ରହ୍ମାଣ୍ଡରେ ଅଛି ପୂରି,ସ୍ୱାମୀ ରଖିଛନ୍ତି ମୁଦମାରି ଯେ ।୨୯।ସମ୍ବଲପୁରରୁ ପ୍ରସାଦ ଚଳିବ ଲକ୍ଷ୍ମୀ ବିଜେ କରିଛନ୍ତି,ସର୍ବ ଭକ୍ତମାନେ ହୋଇବେ ଯେ ମେଳ ଅଲେଖଙ୍କ ପୁତ୍ରନାତି ଯେ,ଆଦିକନ୍ଦ ଥିବେ ତହିଁ,କଳିଯୁଗରେଟି ଭୀମ ଭୋଇ ଯେ ।୩୦।ସଭା ହେବ ତହିଁ ଲକ୍ଷେ ରାଜାଥାଇ ପଡ଼ିବ ଧର୍ମର ନ୍ୟାୟ,ମନମୋଟ ପଣେ ରହିଅଛୁ ଯେତେ ବୁଝିବା ସେ ରହରହ ଯେ,ପଡ଼ିବଟି କଷାକଷି,ସର୍ବ ଧର୍ମହେବ ବଛାବଛି ଯେ ।୩୧।ଶଙ୍କର ତହିଁରେ ବିଜେ କରିଥିବେ ପଚାରିବେ ବ୍ରହ୍ମଜ୍ଞାନ,ସର୍ବ ଭକ୍ତି ପ୍ରାତି ଅଲେଖ ଭକତି ବାକ୍ୟ କରିବେ ବଖାଣି ଯେ,ସର୍ବମନ ହେବ ତୋଷ,ସଦଜ୍ଞାନ ଦେବେ ଉପଦେଶ ଯେ ।୩୨।ହରିବୋଲ ହୁଳହୁଳି ଶବଦରେ କମ୍ପୁଥିବ ତ୍ରିଭୁବନ,ହରି ଅରଜୁନ ବିଜେ କରିଥିବେ ବ୍ରହ୍ମଆଦି ହନୁମାନ ଯେ,ହେବ କଳଙ୍କି ପରୀକ୍ଷା,ସର୍ବ ଧର୍ମ ହେବ ତହିଁ ରକ୍ଷା ଯେ ।୩୩।କ୍ଷୟ ଯିବ କଷ୍ଟ ଥିବ ଯାର ଘଟ ବୃଦ୍ଧାଅଙ୍ଗ ଯୁବା ହେବ,କହେ ଭୀମଭୋଇ ଅଜ୍ଞାନ ପାମର ଏକାକ୍ଷର ହୃଦେ ଭାବ ଯେ,କ୍ଷଣେ ବିଳମ୍ବ ନ କର,ଖେଳ ଲାଗିଛି ଜମ୍ବୁଦ୍ୱୀପର ଯେ ।୩୪।