ଚଉପଦୀମାଳା
୧୭୮୧–୧୮୬୬
- ସଂକଳନ: ସାତ କଳା
- ପଢ଼ିବା ସମୟ
- ୭ ମିନିଟ୍
- ଶବ୍ଦ
- ୧୦୫୭
- ସ୍ଥିତି
- ସାର୍ବଜନୀନ (Public domain)
ଯଦୁମଣିଙ୍କର ଚଉପଦୀମାଳା କେତେକ ଅନବଦ୍ୟ କବିତାର ସମଷ୍ଟି । କିପରି ତାହା ସଂଗ୍ରହ କରାଯାଇଛି ତାର ଇତିହାସ ପୂର୍ବରୁ ଦିଆଯାଇଛି ।
୨୮ଟି କବିବାରୁ ୪ଟି କବିତା ଭଜନ ଭାବରେ ଗ୍ରହଣ କରାଯାଏ । ଏହି ଭଜନ ମଧ୍ୟରେ ପୁତ୍ରଶୋକାତୁର ଯଦୁମଣି ‘ଦେଲ ଯାହା ନେଲ ତାହା’ କବିତାଟି ଏକାନ୍ତ ଯୁକ୍ତିଯୁକ୍ତ ଓ ମଧୁର ଭାବରେ ଗାଇଛନ୍ତି । କବିତାଟିର ମର୍ମ୍ମହେଲା -
ଯେପରି କଂସ ଗଜକୁ ମାଇଲ, ସେପରି କୁମ୍ଭୀରଠାରୁ ଗଜ ଏକ ରକ୍ଷା କଲା । ଯେପରି ବଳୀର ଦାନ ବିଭୂତିକୁ ଲୋପକଲ, ସେପରି ଅକିଞ୍ଚନ ସୁଦାମକୁ ପ୍ରଚୁର ଦାନକଲ । ଯେପରି ଗୋପୀଙ୍କ ମହତ୍ୱ ନେଲ, ସେପରି କୃଷ୍ଣାଙ୍କୁ କୁରୁସଭାରେ ମହତ୍ୱ ଦାନକଲ ।
କିନ୍ତୁ -
ପାତଳୀ ମୁକୁଟ ଶ୍ରେଣୀ
ଶିରୋମଣି ଯଦୁମଣି
ମନ ତିଳେ ନେଇ ନ ପାରିବ
ଏହା ଉଦ୍ଧାରଣେ ଯେବେ
ଚିତ୍ତ ଦେଇପାର ଲବେ
ତେବେସିନା ଦାତା ବୋଲାଇବ
ନୀଳାଚଳ କଳାକର
ନେଲ ଯାହା ଦେଲେ ତାହା
ଏଥକୁ କିପାଇଁ ମହା−
ଦାତା ପଣେ ପତକା ବାନ୍ଧିଛ ?
ସେ ଜଗନ୍ନାଥଙ୍କ ନିକଟରେ କବିତାଟି ଦେଲ ଯାହା ନେଲ ତାହା ଏହି ଭାବରେ ଗାନ କରିଥିଲେ । କିନ୍ତୁ ରାଜା ବିନାୟକ ତାଙ୍କୁ କହିଥିଲେ, ତାଙ୍କର କାର୍ଯ୍ୟ କ’ଣ ତୁମ୍ଭପାଇଁ ଯଦୁମଣି ଏତିକିରେ ସରିଗଲା ? ତହୁଁ ସେ ଭାବିଚିନ୍ତି ପରେ ପରେ ‘‘ନେଲ ଯାହା−ଦେଲ ତାହା” ଭାବରେ ପରିବର୍ତ୍ତନ କରି ପ୍ରଚାର କରିଥିଲେ ।
ଅନୁପ୍ରାସ ଖଞ୍ଜିବାରେ ସେ ଜଣେ ବିଚକ୍ଷଣ କବି ଥିଲେ । ଉଦାହରଣ ସୂରୁପ କକା, ବକା, ଦକା ଡକା ଧକ୍କା, ପକ୍କା, ଏକା ଏବଂ ବିରଞ୍ଚି, ବିପଞ୍ଚ, ମଞ୍ଚୁ, କୁଞ୍ଚିଚ୍ଛ, ବିଂଚୁଥିଲି, ସଂକୁଚିତ, କିଂଚିତ, ଗାଞ୍ଚି ପହଞ୍ଚ ଆଦି ପ୍ରୟୋଗ ରେ ସେ ଏପରି ସିଦ୍ଧହସ୍ତ ଯେ କବିତାମାନ ଗାନକରିବାବେଳେ ଅର୍ଥ ବୁଝାବା ନବୁଝ ସ୍ୱତଃ ମୁର୍ଖଠାରେ ମଧ୍ୟ ଆନନ୍ଦ ଫୁଟିଉଠେ ।
ତାଙ୍କ ସ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସେ ଯେଉଁ ସାତଟି କବିତା ଲେଖିଛନ୍ତି, ତନ୍ମଧ୍ୟରୁ ଗୋଟିଏ ପଦ ଏଠାରେ ଦିଆଯାଉଛି ।
ପୟୋଧରାରେ
ଚିର ଅଚିର ବୟସୀ ତୁ ଏ ଧରାରେ ।୦ ।
ଖଞ୍ଜା ତୋ ଖଞ୍ଜନା
ଖଞ୍ଜାଅ ଗଞ୍ଜନା
ଖକୁ ଖଙ୍ଗ ଯଦୁମଣି ତୋ ଖଟଣି ପରାରେ ।
ଅର୍ଥାତ ରେ ଖଞ୍ଜନା ( ଖଞ୍ଜନା ନାମ ଧାରିଣୀ) ଖଞ୍ଜ ଅର୍ଥାତ୍ ମୁଁ ତୋ ସେବାରେ ନିଯୁକ୍ତ-। ଅଥବା ତୁ ଖଞ୍ଜନ ଖଞ୍ଜା - ଖଞ୍ଜନା ନାମକ ରାଗିଣୀକୁ ଗାନକରି, ମୋର ଗଞ୍ଜନାକୁ ଖଞ୍ଜାଅ - ଶୂନ୍ୟରେ । ମୋ ମନୋବେଦନା ଦୂରକର । ‘ଖ’ କୁ–ସ୍ୱର୍ଗକୁ–ବା ଆକାଶକୁ, ଗଙ୍ଗା - ସମୁଦ୍ରବାସୀ ମାଛ ବିଶେଷ ଯେପରି ଅତି ଅନୁପଯୁକ୍ତ, ସେହିପରି ସେବା ବିଷୟରେ ଅତି ଅନୁପଯୁକ୍ତ ହେଲେ ସୁଦ୍ଧା ଯଦୁମଣି ତୋ ଖଟଣୀ - ଭୃତ୍ୟ ପରା ? ଅର୍ଥାତ ତୁ ସ୍ୱର୍ଗପରି ଅତି ଉଚ୍ଚରେ ହେଲେ ମୁଁ ସମୁଦ୍ରବାସୀ ଜୀବପରି ଅତି ନିମ୍ନରେ । ତଥାପି ସର୍ବଦା ତୋର ଭୃତ୍ୟ ଅଟେ । ତେଣୁ ତୁ ଖଞ୍ଜନା ରାଗିଣୀ ଗାଇ ମୋର ମାନସିକ ଗଞ୍ଜନା ଦୂରକର ।
(ପଣ୍ଡିତ ଗୋପୀନାଥ ମିଶ୍ରଙ୍କ ଟୀକା)
ଏହିସବୁ ସଙ୍ଗୀତ ମଧ୍ୟରେ ତାଙ୍କ ସ୍ତ୍ରୀଙ୍କୁ ସେ ଯେତେ ପ୍ରକାର ବନ୍ଦନା କରିଛନ୍ତି, ତନ୍ମଧ୍ୟରେ ତାଙ୍କର ଗୋଟିଏ କବିତାରେ ଭର୍ଯ୍ୟାଙ୍କ ବହୁ ସଦ୍ଗୁଣକୁ ବହୁ ସୁଖାଦ୍ୟ ସହିତ ତୁଳନା କରି ଲେଖିଛନ୍ତ -
ତୁ ମୋ ପ୍ରୀତି ମୋଦକୀ ପସରାରେ
ମୁଁ ତୋ ଲାଗୁଆ ଗ୍ରାହକ ପରା । ୦ ।
ଗୁମାନକୁ ତୋର ଗୁଡ଼ସାର ମଣେ
ସନମାନଟି ତୋ ଛେନା କାକରା । ୧ ।
ଇଙ୍ଗିତ ଭଙ୍ଗିତୋ ସୁରସ ଆରିସା
ସମାଦର ସରପୁଳି କାକରା । ୨ ।
ଗାଳି ପଦକ ତୋ ମଧୁରସାବଳୀ
ରୁଷାଣି ଠାଣିଟି ବଲ୍ଲଭ କୋରା । ୩ ।
ପରିରମ୍ଭଣ ତୋ କନ୍ତାରି ଦୋରୁଅ
ମଦନ ତୃଷାହାରୀ ମନୋହରା । ୪ ।
ଲାବଣ୍ୟ ଜଳଧି ଭାବହାବ ଲାଭ
ଆଶେ ଯଦୁମଣି ମନଟାକରା । ୫ ।
ଅର୍ଥାତ୍–ହେ ସଖି ! ତୁ ମୋର ପ୍ରୀତିରୂପକ ଗୁଡ଼ିଆ ପସରା ଅଟୁ । ମୁଁ ତୋର ଲାଗୁଆ ଗ୍ରାହକ ଅଟେ - ଏହା ଜାଣ ।
ତୁ ଯେତେବେଳ ଗୁମାନ କରୁ ମୁଁ ତାକୁ ଉକ୍ତ ପସବର ଗଡ଼ସାର ମନେକରେ । ଏବଂ ମୋ ପ୍ରତି ଯେତେ ତୁ ସମ୍ମାନ ଦେଉ ମୁଁ ତାହା ଛୋନକାକରା ପରି ମଣେ । ମୋ ପ୍ରତି ତୋର ଇଙ୍ଗିତ ଏବଂ ଭଙ୍ଗକୁ ଖାଣ୍ଟିଘିଅର ଆରିସା ଓ ମୋ ପ୍ରତି ତୁ ସ୍ନେହକଲେ ମୁଁ ତାକୁ ସରପୁଳି ଓ ସାକରା ପ୍ରାୟ ମନେକରେ । ତୋର ଗାଳି−ପଦକ ମୁଁ ମଧୁ ରସାବଳୀ ଓ ରୁଷାଢଙ୍ଗକୁ ବଲ୍ଲଭ କୋରା ପରି ଭାବେ । ମଦନତୃଷା ହରଣକାରିରେ ମନୋହରା ! ତୋର ଆଲିଙ୍ଗନାଦି ପ୍ରୀତିସଂପନ୍ନ କାର୍ଯ୍ୟକୁ ମୁଁ କନ୍ତାରି ଆଖୁଦୋରୁଅ ପରି ମଣେ । ତୋ ଲାବଣ୍ୟ ଜଳଧିର ଭାବହାବ ଆଶାରେ ଯଦୁବଣି ମନ ଟାକରା ହୋଇ ରହିଛି ।
ତାଙ୍କର ସଂଗୀତମାନ ସେ ରାଗ ଓ ତାଳ ସଂଯୋଗରେ ଲେଖି ଥିବାର ଦେଖାଯାଏ । ଏସବୁ କବିତାମାନ ତତ୍କାଳୀନ ମନୋବୃତ୍ତି ଉପରେ ନାରୀପ୍ରତି ଆକାଙ୍କ୍ଷା ରଖି ଅବଶ୍ୟ ଲେଖାଯାଇଛି । ସବୁକାଳେତ ନାରୀହିଁ କବିର ପରମ ଆଶ୍ରୟ ହୋଇଛନ୍ତି । କବି କାହିଁକି ବିଶ୍ୱଜଗତରେ ମଧ୍ୟ ନାରୀ ପରମ ଧର୍ମ୍ମ ବୋଲି କାଳ କାଳ ପୂଜିତ ହେଉଛନ୍ତି । କାଳୀଦାସ ହୁଅନ୍ତୁ, ରାଧାନାଥ ହୁଅନ୍ତୁ, ସବୁଠାରେ ନାରୀର ଅଙ୍ଗଗଠନ, ତାର କୋମଳନା, ତାର ପ୍ରେମ, ତା ପ୍ରତି ଆକାଙ୍କ୍ଷା ବର୍ଣ୍ଣିତ ହୋଇଅଛି । ନାରୀଭିନ୍ନ ବିଶ୍ୱ−ସାହିତ୍ୟରେ ଉଚ୍ଚଙ୍ଗ କବିତା ନାହିଁ । ତେଣୁ ତାଙ୍କ କବିତା ଯେ ଅନୁପାଦେୟ ବା ହେୟ ଏପରି ମତ କେହି ଦେଇ ନ ପାରେ ।
ସମସ୍ତ କବିତାମାନଙ୍କ ମଧ୍ୟରୁ ନୂଆଁଗଡ଼ ରାଜାଙ୍କ ଭଣତିରେ ୬ଗୋଟି, ଖଣ୍ଡପଡ଼ା ରାଜାଙ୍କ ଭଣତିରେ ୬ ଗୋଟି, ନିଜନାମ ଭଣତିରେ ସ୍ୱ ସ୍ତ୍ରୀଙ୍କ ପ୍ରତି ୭ଟି ଏବଂ ଅନ୍ୟପ୍ରତି ୩ଟି ଏବଂ ଘଟଣା ଚକ୍ରରେ୨ଟି ଏପରି ୨୪ଟି ଏବଂ ଭଜନ ୪ଟି ମିଶି ୨୮ ଟି ଲେଖାଯାଇଛି । ଏହା ବ୍ୟତୀତ ଚଉପଦୀ ଅସଂଖ୍ୟ ଥିବ ।
ଏହି ହେଲା ତାଙ୍କର ସମସ୍ତକୃତୀ ରଚନାର ପରିଚୟ ଏବଂ ବିବରଣ । ତାଙ୍କର ଜୀବନ କଥା ସ୍ୱତନ୍ତ୍ର ପ୍ରକାଶିତ ଅଛି, ତାହା ପାଠକଲେ ସେ କଣ ଥିଲେ, ନ ଥିଲେ ତାହା ସମସ୍ତେ ଜାଣିପାରିବେ । ଆଉ ଅଧିକ ତାଙ୍କ ସମ୍ବନ୍ଧରେ କଣ ବା କୁହାଯାଇପାରେ ?
ଏହି ସ୍ୱର୍ଗାଦପି ଗରୀୟସୀ ଉତ୍କଳ ଭୂମି କୋଳରେ ଜନ୍ମି କେତେ ସୁସନ୍ତାନ ଆମ ଜନନୀର ଭାଷା ସମୃଦ୍ଧି ଓ ସଂରକ୍ଷଣ ଲାଗି କେତେ ଅମୂଲ୍ୟନିଧି କାବ୍ୟ କବିତାଦି ଯେ ଦାନକରି ଯାଇଛନ୍ତି, ସେ ସମୂଜ୍ଜ୍ୱଳ ରତ୍ନମାନ ଏବେ ମଧ୍ୟ ଆମେ ଏକତ୍ର ଦେଖିବାର ସୁଯୋଗ ପାଇପାରି ନାହୁଁ । କାଳ ଅନନ୍ତ, ବ୍ୟବଚ୍ଛେଦ ଦୁର୍ନିରୀକ୍ଷ; ସୁତରାଂ ଏହି ପ୍ରାଚୀନତମ ପ୍ରତିଷ୍ଠିତ ଭୂମିର ନିଦର୍ଶନମାନ ଶାସ୍ତ୍ର ମାଧ୍ୟମରେ, କଳା ମାଧ୍ୟମରେ, ଲିପି ମାଧ୍ୟମରେ ସ୍ଥୂଳଦୃଷ୍ଟିର ଅଧିଗମ୍ୟ ନୁହେଁ । ତେଣୁ ଏ ରାଜ୍ୟର ଇତିହାସ ଏବେ ମଧ୍ୟ ଲେଖା ଆରମ୍ଭ ହୋଇନାହିଁ । ଏ ଜାତିର ସଂସ୍କୃତି, ଏ ଜାତି ସାହିତ୍ୟର ଇତିହାସ ଏବେ ମଧ୍ୟ ବିସ୍କୃତଗର୍ଭରେ ଲୁଚି ରହିଛି । ତାର ଆଲୋଡ଼ନ ଲାଗି ସ୍ୱୟଂ ଉତ୍କଳ ସନ୍ତାନ ମଧ୍ୟ ତାର ଜନନୀ ପ୍ରତି ବିଶ୍ୱାସୀ ଓ ପ୍ରୀୟତମ ହୋଇପାରିନି । ଯାହା ହୋଇଚି ତା ସମୁଦ୍ରକୁ ଶଙ୍ଖେ ପଣା ପରି ।
ନିଦିଧ୍ୟାସନ, ନିପୁଣତମ ଉଦ୍ଯୋଗ, ନିଜର ପରଂପରା ପ୍ରତି ବିଶ୍ୱାସ ନ ଆଣି ଆମେ ଉତ୍କଳୀୟ ଏପରି ଦୀନହୀନ କାପୁରୁଷ ହୋଇପଡ଼ିଛୁ । ଯେ ଜଣେ ଆଧୁନିକତମ ଯଦୁମଣି ମହାପାତ୍ର ଏକ୍ଷଣି ଲୋଡ଼ା ହେଉଛନ୍ତି - ଯେ କି ହିମାଳୟଠାରୁ କୁମାରିକା ମଧ୍ୟରେ ଏ ଜାତିର ମହତ୍ୱ ଓ କୀର୍ତ୍ତି ଆଦି ନିର୍ଭୀକ ଏବଂ ଦମ୍ଭୀକ ଏବଂ ଦାମ୍ଭୀକତାର ସହିତ ପ୍ରଚାର କରିପାରିବେ ।
ରଜା କହିଲେ ‘ତୋ’ ଟାକୁ ଯିବୁ - ଯଦୁମଣି କହିଥିଲେ - ‘ତୋ ରାଣୀ’ ସାରି ଆସେ । ମୁଣ୍ଡ କଟୁପଛେ ଏପରି ଯେସାକୁ ତେସା ନୀତିରେ ଦମ୍ଭ ନ ଧଇଲେ, ରାଜପୁରୁଷମାନେ ଦିନେ ଯାହା କରୁଥିଲେ ବର୍ତ୍ତମାନ ମଧ୍ୟ ତା କରିବେ । ଯାହା କରୁଛନ୍ତି ତା କରୁଥିବେ । ଆକବରଙ୍କ ପାପ ଇଚ୍ଛା ଦୂରହେଲା, କବି ପୃଥ୍ୱୀରାଜଙ୍କ ସ୍ତ୍ରୀଙ୍କ ସୁନେଲି ତଟି ଆଘାତରେ । ଯଦୁମଣି ରାଜା ପାପ ଇଚ୍ଛା ଦୂର କରିଥିଲେ - ମାସ୍ତୁଲ ଦେଖାଇ ।
ମରଣକୁ ଡରି ଡରି ଏ ଜାତି ଅବିଚାରକ ଧର୍ମାବତାରଙ୍କ ତୁଣ୍ଡରୁ ‘ତୁମେ ବଡ଼ ଭଲ, ତୁମେ ବଡ଼ ଶାନ୍ତ ଶିଷ୍ଟ’ ଶୁଣି ଶୁଣି ଲୋପ ହେବାକୁ ଯାଉଛି । ତାର ସୀମା ବିଲୁପ୍ତ, ତାର ଭାଷା ବିପଦଗ୍ରସ୍ତ, ତାର ସଂସ୍କୃତି ଧ୍ୱଂସପ୍ରାପ୍ତ, ତାର ଧର୍ମ୍ମ, ତାର ମଣିଷ ପରି ବଞ୍ଚିବା ମଧ୍ୟ ଅନିଶ୍ଚିତ ହୋଇପଡ଼ିଛି । ସେ ବିଶ୍ୱଜଗତରେ ଚୁଟିଆ, ମୋଟବୁହା, କୁଲି ଓଡ଼ିଆ ବୋଲି ଏବେ ମଧ୍ୟ ବିଭିନ୍ନ ଗ୍ରନ୍ଥ ମଧ୍ୟରେ ପରିଚିତ ହେଉଛି ।
ହାୟରେ ହାୟ, ଏ କଥା ଏ ଦେଶର ଶିକ୍ଷତ ଯୁବକମାନେ ମଧ୍ୟ ହୃଦୟଙ୍ଗମ କରୁନାହାନ୍ତି-। ଦେଶର ହିତ ଲାଗି, ପରର ମଙ୍ଗଳ ଲାଗି ଯଦୁମଣି ଚିରଦିନ ଦୁଃଖ ଭୋଗି ମରିଛନ୍ତି-। ଏବେ ମଧ୍ୟ ତାଙ୍କ ସ୍କୃତି ଉଦ୍ଘାଟିତ ହୋଇନି । ସେ ଦୁଃଖରେ ମଲେ ସୁଦ୍ଧା ଅମର ହୋଇ ରହିଅଛନ୍ତି । ଅନ୍ତିମ ବୟସରେ ଯେଉଁମାନେ ତାଙ୍କୁ ଅର୍ଥାଗମର ସୁବିଧାରୁ ବଞ୍ଚିତ କରି ଅପମାନିତ କରିଥିଲେ, ସେ ମଲେଣି କେଉଁକାଳୁ, କିନ୍ତୁ ସଦ୍ବୁଦ୍ଧି ପରିଚାଳିତ ସମଦର୍ଶୀ ବିଦ୍ୱାନ ଶୁଦ୍ରକବି ଯଦୁମଣି ଆଜି ଓଡ଼ିଆ ଗାଁ ଗହଳରେ ଘରେ ଘରେ ବନ୍ଦନୀୟ ପୂଜାପୀଠରେ ଆସନ ପାଇ ଚାଲିଛନ୍ତି । ଆହୁରି ପାଇବେ ।
ଭବଭୂତିଙ୍କ ଭାଷାରେ -
ଉପତ୍ସ୍ୟତେତୁ ମମକୋପି ସମାନ ଧର୍ମ୍ମ ।
କାଳୋ ହ୍ୟୟଂ ନିରବଧିର୍ବିପୂଳା ତ ପୃଥ୍ୱୀ
କାଳ ଅନନ୍ତ, ପୃଥିବୀ ବିପୁଳ, ମୋ ସମାନ ଧର୍ମ୍ମୀ କେହି ଏହି ସଂସାରରେ ଜନ୍ମିବେ । ତାଙ୍କ ଲାଗି ମୁଁ ଏ ପରିଶ୍ରମ କରୁଛି ।
ଯଦୁମଣି ଯେଉଁ ପରିଶ୍ରମ କରିଛନ୍ତି, ସେ ଯେଉଁ ଆତ୍ମଦାନ ଦେଇଛନ୍ତି, ଦିନେ ତାହା ସାଧାରଣ ସର୍ବଜନରେ ଗର୍ବିତ ପୌରଜନରେ ନିଶ୍ଚୟ ସମ୍ମାନିତ ହେବ ।
ସୁଖସ୍ୟାନନ୍ତରଂ ଦୁଃଖଂ ଦୁଃଖସ୍ୟ ନନ୍ତରଂ ସୁଖଂ
ଚକ୍ରବତ୍ ପରିବର୍ତ୍ତନେ ଦୁଃଖାନି ଚ ସୁଖାନି ଚ ।
ସମ୍ବନ୍ଧିତ ରଚନା
ନାଟ୍ୟରସୂର ଉଦାହରଣ
ଯଦୁମଣି ମହାପାତ୍ର
ଚିଲିକା ହ୍ରଦ
ମଧୁସୂଦନ ରାଓ
ଆମଘରର ହାଲ୍ଚାଲ୍
ଗୋପାଳ ଚନ୍ଦ୍ର ପ୍ରହରାଜ
ଜୀବଜନ୍ତୁ
ମଧୁସୂଦନ ରାଓ