ଚତୁର୍ଥ ପଟ
୧୯୦୦–୧୯୩୮
- ସଂକଳନ: ଚିତ୍ରପଟ
- ପଢ଼ିବା ସମୟ
- ୧୧ ମିନିଟ୍
- ଶବ୍ଦ
- ୧୭୦୨
- ସ୍ଥିତି
- ସାର୍ବଜନୀନ (Public domain)
“ଏ ମାୟା ସଂସାର କିଛି ନାହିଁ ଏଥି ସକଳ ଅସାର” “ତୋ ଦୟା ଥାଉରେ ଧନ ହେଲି ମେଲାଣି ଅରୁଣାଧରୀ ନୟନୁ ନ ବୁହା ପାଣି ।” ସ୍ଫୀତ ବଦନରେ ସୁଠାମଠାଣିରେ ଗାନ କରୁ କରୁ ଜଗନ୍ନାଥ ନଦୀକୂଳରେ ଉପସ୍ଥିତ ହେଲେ । ବରଷା କାଳର ନଦୀ ଏ କଳ ସେ କୂଳ ଖାଉଛି । ପଠା ଚଡ଼ା ସବୁ ବୁଡ଼ିଯାଇ ଏକ ବୃହତ୍ ନୀର ଆସ୍ତରଣ ବକ୍ରଗତିରେ ଦୁଇକୂଳ ମଧ୍ୟରେ ପଡ଼ିରହି ହୃଦୟରେ ଅପୂର୍ବ ଅନନ୍ତ ଭାବରାଶି ଜାଗ୍ରତ କରାଇ ଦେଉଅଛି । ନଦୀର ଜଳରାଶି ସ୍ଥାନେ ସ୍ଥାନେ ନିର୍ମଳ ସ୍ୱଚ୍ଛ ଶୁଭ୍ର, ସ୍ଥାନେ ସ୍ଥାନେ ନୀଳାଭ ଓ ସ୍ଥାନେ ସ୍ଥାନେ ଘନ କଳା ଥିଲାପରି ଦିଶୁଥିଲା । ସ୍ଥାନେ ସ୍ଥାନେ ଆବର୍ତ୍ତ ଘୂର୍ଣ୍ଣନରେ ଜଳ ଚକ୍ରାକାରରେ ଭାଙ୍ଗି ଭାଙ୍ଗି ପଡ଼ୁଥିଲା । ଢେଉ ଉପରେ
ଢେଉ, ତରଙ୍ଗ ଉପରେ ତରଙ୍ଗ, ସ୍ତର ଉପରେ ସ୍ତର । ଜଳ ଖେଳିଖେଳି ଭାଙ୍ଗି ଭାଙ୍ଗି ପବନରେ ନାଚି ନାଚି ନଦୀବକ୍ଷରେ ଏକ ଅପୂର୍ବ ସୌନ୍ଦର୍ଯ୍ୟର ହାଟ ବସାଇ ଦେଇଥିଲା । କଲ୍ଲୋଳିନୀର କଳତାନ, ସୁ’ ସୁ’ ବହୁ ଦୂରରୁ ଶୁଣାଯାଉଥିଲା । ନଦୀର ଅନ୍ୟ ତୀର ଅସ୍ପଷ୍ଟ ଭାବରେ ଦେଖା ଯାଉଥିଲା । ଦୂରବର୍ତ୍ତୀ ପର୍ବତଗୁଡ଼ିକ ଘନନୀଳ ଉଚ୍ଚ ସ୍ତୂବ ମାତ୍ର ପରି ଦିଗ୍ବଳୟରେ ମିଶି ଯାଇଥିଲେ । ସେ ପାରିର କ୍ଷୁଦ୍ର କ୍ଷୁଦ୍ର ଗୃହଗୁଡ଼ିକ ଛୋଟ ହୋଇ ଦେଖାଯାଉଥିଲା ।
ନଦୀକୂଳରେ ଅନେକ ଯାତ୍ରୀ ନୌକା ଉଦ୍ଦେଶ୍ୟରେ ସହଗମନ ଉଦ୍ବେଗୀ । ଜଗନ୍ନାଥ ନୌକାଭଡ଼ା ସ୍ଥିରକରି ନୌକାଉପରକୁ ଡେଇଁ ପଡ଼ିଲେ । ଆଜି ତାହାଙ୍କ ମନରେ ଏକ ଅପୂର୍ବ ଆନନ୍ଦ ଓ ଦୁଃଖ - ଏହି ଉଭୟ ଭାବରେ ତରଙ୍ଗ ଖେଳୁଅଛି । ସେ ଆବେଗଭରେ ଗାନ କରୁ କରୁ ଆକାଶର ବିସ୍ତୁତ ନୀଳିମା ତଥା ନଦୀବକ୍ଷର ଅପୂର୍ବ ଶୋଭା ଦେଖି ମୁଗ୍ଧ ହେଉଥିଲେ । ନୌକା ଘାଟ ଛାଡ଼ିଦେଲା ।
ଆଜି ଗେହ୍ଳେଇର ଭାରି ଆନନ୍ଦ । ହୃଦୟ କ୍ଷଣେ କ୍ଷଣେ ସ୍ପନ୍ଦିତ ହୋଇ ଉଠୁଛି । ସେ ଆନନ୍ଦ ମନରେ କଉଶୁଲୀ ଓ ଗଣ୍ଡେଇକୁ କାର୍ଯ୍ୟର ବରାଦ୍ ଦେବାରେ ଲାଗିଅଛି । ବହୁଦିନପରେ ପୁଅ ପରୀକ୍ଷାରେ ପାଶ୍କରି ତା’ ଦୀନକୁଟୀରକୁ ଆଲୋକିତ କରିବାକୁ ଆସିଅଛି । ଆଜି ତାହାର ଗୁଣବନ୍ତ, ପୁତ୍ର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛି, କେତେ ଇଂରାଜୀ ପଢ଼ିବି । ସେ ସେତେବଡ଼ ଜାତି ନୋହିଲେ ସୁଦ୍ଧା ତା’ ପୁଅ ଆଜି ଜଣେ ବାବୁ ! ହାକିମ ହେବ । ଗେହ୍ଳେଇ ନବନବ ଆଶା ସ୍ୱପ୍ନରେ ବିଭୋର । ସେ ଯେ ଜଗନ୍ନାଥର ମାତା - ଏହିକଥା ଭାବି ସେ ତା ଜନ୍ମ ସାର୍ଥକ ମଣୁଅଛି । ବହୁ ଭାଗ୍ୟକୁ ସେ ଜଗନ୍ନାଥକୁ ଗର୍ଭରେ ଧରିଥିଲା । ପୁତ୍ରବତୀର ହୃଦୟ ଆନନ୍ଦରେ, ଗର୍ବରେ ଫୁଲି ଉଠୁଛି । ସେ ଆଜି ଆଉ କଉଶୁଲୀ ଓ ଗଣ୍ଡେଇର କାର୍ଯ୍ୟଉପରେ ରନ୍ଧନ ଉପରେ ନଜର ଦେଇ ପାରୁନାହିଁ । ଆପେ ଏ କାମ ସେ କାମ କରି ପକଉଚି । ଆଜି ତିନିତିଅଣ ନ’ଭଜା, ସେ ନିଜେ ରାନ୍ଧିବାକୁ ବସିଗଲା । ତାର ପୁତ୍ର ଆଜିକି ଦୁଇ ବର୍ଷ ହେବ କଟକରେ ପଢୁଥିଲା । ଏଥି ମଧ୍ୟରେ ଘରକୁ ଆସିବାର ସୁବିଧା ପାଇ ନ ଥିଲା । ଦୁଇବର୍ଷ ସେ କେଉଁଠି ଖାଇଥିବ, ମନମତ କିଏ ବା ରାନ୍ଧି ପରଷିଥିବ, ତା ବିଛଣା କିଏବା ପାରି ଦେଇଥିବ । ଦୂରଦେଶ, ପରଦେଶରେ ପୁଅ ତାର କେତେ ଅନିଭୋଗ ପାଇ ନ ଥିବ । ଗେହ୍ଳେଇ ଆନନ୍ଦଉଲ୍ଲାସରେ ନାନା କଥା ଭାବୁଅଛି । ଥରେ ଥରେ ବାହାରକୁ ଅନାଉଛି ସାମାନ୍ୟ ଶଦ୍ଦରେ ଚମକିପଡ଼ୁଛି । ଜଗନ୍ନାଥର ଶୈଶବର ବହୁସ୍ମୃତି ତା ହୃଦୟପଟରେ ବିଭାସିତ ହେଉଅଛି । ସେହି ବାଳକ ନାଥିଆ ବୁଲି ବୁଲି ପାଠ ଅଭ୍ୟାସ କରୁଥିଲା । କ୍ଷୁଧା ସମୟରେ କିପରି କରୁଣକଣ୍ଠରେ ମାଆ ପାଖରେ ଖାଇବାକୁ ଅଳି କରୁଥିଲା । ଗ୍ରାମର ସବୁ ବାଳକଙ୍କ ଠାରୁ ସେ ଶିଷ୍ଟ ଓ ସୁଶୀଳ ବୋଲି ଖ୍ୟାତି ଲାଭ କରିଥିଲା । କାହା ସହିତ କଳି ନାହିଁ, କଜିଆ ନାହିଁ । ପାଠହିଁ ତା’ର ସାର ।
କହ୍ନେଇ ଅବଧାନ କେତେ ପ୍ରଶଂସା କରନ୍ତି । ପିତାର ଆଦରର ନାଥିଆ ଆଜି ବଡ଼ ବାବୁ ହୋଇ ତାହାର କ୍ଷୁଦ୍ର କୁଟୀର ଆଲୋକିତ କରୁଅଛି । ଦାସୀ କଉଶୁଲୀ ଓ ଗଣ୍ଡେଇ ଉଭୟେ ସାଆନ୍ତ ପୁଅର ଆଗମନ ଖବର ପାଇ ଆନନ୍ଦିତ । କିଏ ଚାଉଳ ବାଛୁଚି, କିଏ ଦୁଧ ଆଉଟୁଚି, କିଏ ମାଛ ବାଛୁଚି, ପରିବା କାଟୁଚି - ସତେ ଯେପରି ଆଜି ନାଥିଆକୁ ପେଟଭରି ଖାଇବାକୁ ଦେବା ସେମାନଙ୍କର ଏକମାତ୍ର ଲକ୍ଷ୍ୟ ।
ବହୁଯତ୍ନରେ ଘରଦ୍ୱାର ଲିପାପୋଛା କରିଛନ୍ତି । ନାଥିଆ ଅପରିଷ୍କାର ଗୃହରେ ରହିପାରିବ ନାହିଁ । ସେ ବଡ଼ ସୁକୁମାର । କହୁ କହୁ ମାତୃସ୍ନେହ ଉଛୁଳି ଉଠୁଛି । ଭାଇ ଭୋବନାର ମଧ୍ୟ କାମରେ ବିଶ୍ରାମ ନାହିଁ । ବାଡ଼ିବଗିଚାର ତତ୍ତ୍ୱନେବାରେ ସେ ବ୍ୟସ୍ତ । କଟକରେ ମାଇନର ପାଶ୍ କଲାପରେ ତାର ଆଉ ପାଠପ୍ରତି ସ୍ପୃହା ରହିଲାନି । ସେ ଜଗନ୍ନାଥ ପରି ବୁଦ୍ଧିମାନ ଥିଲା ଏବଂ ମାନସିକ ଶ୍ରମଠାରୁ ଶାରୀରିକ ଶ୍ରମ ଅଧିକ ଭଲ ପାଉଥିଲା । ବାଡ଼ିବଗିଚା କରିବା, ଗୋରୁ ଗାଈର ଧନ୍ଦା ବୁଝିବା ଏବଂ ପୈତୃକ ବ୍ୟବସାୟ ସେ ଭଲ ପାଉଥିଲା । ଭାଇର ଆଗମନ ଦେଖି ସେ ଭାରି ଖୁସୀ-। ଭାଇତାର ବଡ଼ବାବୁ ହୋଇଠି, କଟକରେ ପାଶ୍ କରିଛ - ଏହା ଭାବି ସେ ଆନନ୍ଦିତ । ଆହା - ଭାତୃସ୍ନେହ କୁଟୀରରେ ମିଳିପାରେ । କିନ୍ତୁ ସ୍ୱାର୍ଥପର ନାଗରିତ ଜୀବନରେ ଅଳ୍ପ ଦୃଷ୍ଟ ହୁଏ ।
ସମ୍ବନ୍ଧିତ ରଚନା
ଚିଲିକା ହ୍ରଦ
ମଧୁସୂଦନ ରାଓ
ଆମଘରର ହାଲ୍ଚାଲ୍
ଗୋପାଳ ଚନ୍ଦ୍ର ପ୍ରହରାଜ