ବୋଝ ବୋହିବା
କବିବର · ୧୮୪୮–୧୯୦୮ · ରାଧାନାଥ ଯୁଗ
- ପଢ଼ିବା ସମୟ
- ୧୩ ମିନିଟ୍
- ଶବ୍ଦ
- ୨୧୨୮
- ସ୍ଥିତି
- ସାର୍ବଜନୀନ (Public domain)
ତୁମ୍ଭେ ଦିନେ ଘୋଡ଼ାଗାଡ଼ି ଚଢ଼ି ବୁଲିବାକୁ ବାହାରିଲ । ତୁମ୍ଭର ଘୋଡ଼ା ଅତି ଉତ୍ତମ ଘୋଡ଼ା, କାମ ଭଲ କରେ । ମାତ୍ର ସେଦିନ ସେ ସେପରି ଚାଲୁ ନାହିଁ । ପାହାରେ ଚାବୁକ ଦେଲେ ସେ ଯେମନ୍ତ ବେଗରେ ଦୌଡ଼ଇ, ଆଜି ଦଶ ପାହାର ଦେଲଣି, ତଥାଚ ସେ ଭଲ ଚାଲୁ ନାହିଁ । ତାହାର ଦୋଷ ନାହିଁ । ତୁମ୍ଭେ ପାଞ୍ଚୁଅଛ ଯେ ସବୁଦିନ ଯେ କାମ କରେ ଆଜି ତ ସେହି କାମ କରୁଅଛି, ତେବେ କାହିଁକି ? ମାତ୍ର ବାସ୍ତବ ତାହା ନୁହେଁ । ଅନ୍ୟ ଦିନଠାରୁ ଆଜି ତା ଉପରେ ଗୁରୁତର ବୋଝ ଦିଆହୋଇଅଛି । ଗାଡ଼ି ଅଖରେ ତୁମ୍ଭର ଚାକରମାନେ ତେଲ ଦେଇ ନାହାନ୍ତି । ଯେବେ ଦେଇଥିବେ, ଦେବା ପରି ଦେଇ ନାହାନ୍ତି । ତେଣୁ ଘୋଡ଼ାର ବୋଝ ଦୁଇଗୁଣ ହୋଇଅଛି । ତୁମ୍ଭେ ଅନୁସନ୍ଧାନ ଦ୍ୱାରା ଏହା ଭଲ ରୂପରେ ଜାଣିଲ । ଘରକୁ ନେଉଟି ଯାଇ ଚାକରମାନଙ୍କୁ ତିରସ୍କାର କଲ ।
ତୁମ୍ଭର ଘୋଡ଼ାକୁ ଯେମନ୍ତ ଅସୁବିଧା ହୋଇଥିଲା, ମହୀରେ ଅନେକ ଲୋକ ସେହିପରି ଅସୁବିଧାର ଅଧୀନ ଅଟନ୍ତି । କାହାର ଶାରୀରିକ ଅସୁବିଧା, କାହାର ମାନସିକ ଅସୁବିଧା, କାହାର ଅବା ଅବସ୍ଥାଗତ ଅସୁବିଧା । ଏହି ଅସୁବିଧାମାନ ସେମାନଙ୍କର କାର୍ଯ୍ୟକ୍ଷେତ୍ରରେ ମହତ୍ ପ୍ରତିବନ୍ଧକ ହୁଅନ୍ତି । ଅସୁବିଧା ନଥିଲେ ସେମାନେ ଯେତେ କାର୍ଯ୍ୟ କରିଥାନ୍ତେ, ସେହି ଅସୁବିଧା ଥିବା ହେତୁରୁ ସେମାନେ ସେତେ କରି ପାରୁ ନାହାନ୍ତି । ଏହି ଅସୁବିଧା ଅନ୍ୟ ଲୋକେ ଦେଖନ୍ତି ନାହିଁ । ଯେ କରେ, ସେ ଦେଖେ । ଅନ୍ୟ ଲୋକେ ନ ବୁଝି ତାହାର ତାର୍ଯ୍ୟକୁ ନିନ୍ଧା କରନ୍ତି । ତା’ ହାତ ଜଖମ ହୋଇଯାଇଅଛି, ଅଥଚ ସେ କାମ କରୁଅଛି । ତୁମେ ତ ଜଖମ ଦେଖିଲ ନାହିଁ, କାମ ଦେଖି ବିରକ୍ତ ହେଲ । ତା’ ଦୁଇଗୋଡ଼ ଦଉଡ଼ିରେ ବନ୍ଧ । ସେ ପାରୁପର୍ଯ୍ୟନ୍ତେ ଦଉଡ଼ୁଅଛି ଦଉଡ଼ି ପ୍ରତି ତୁମ୍ଭର ଦୃଷ୍ଟି ନାହିଁ । ତୁମ୍ଭେ କେବଳ ତାହାର ଦଉଡ଼ିବା ଦେଖି ହସିଲ । ବାସ୍ତବ ସେମାନେ ଯାହା କରନ୍ତି, ଅସୁବିଧାର ଅଧୀନ ହୋଇ କରନ୍ତି । ଗୋଟିଏ ଭଲ ଘୋଡ଼ା ଯେମନ୍ତ ଦଉଡ଼ି ନପାରିଲା, ଗଧ ତା’ଠାରୁ ଭଲ ଦୌଡ଼ିଲା । ତୁମ୍ଭେ ଗଧକୁ ପ୍ରଶଂସା କଲ, ଘୋଡ଼ାର ଦୁଃଖ ବୁଝିଲ ନାହିଁ । ଘୋଡ଼ାର ବୋଝ ଅଧିକତର, ସେ ଯେତେ ନେଇନପାରିବ ତହିଁରୁ ଅଧିକ ।
ଲୋକେ ଏହିପରି ବଳର ଅତିରିକ୍ତ ବୋଝ ଘେନି ସଂସାରକ୍ଷେତ୍ରରେ ଦୌଡ଼ନ୍ତି । ପାରୁପର୍ଯ୍ୟନ୍ତେ କ୍ଳେଶ ସ୍ୱୀକାର କରନ୍ତି । ତୁନି ହୋଇ ଆପଣା କାର୍ଯ୍ୟ ଆପେ କରୁଥାନ୍ତି, ଆପଣା ଦୁଃଖ କାହାରିଠାରେ ପ୍ରକାଶ କରନ୍ତି ନାହିଁ । ଏପରି ମଧ୍ୟ କେତେ ଲୋକ ଅଛନ୍ତି ଯେ ସେମାନଙ୍କୁ ଆଦୌ ସୁବିଧା ଘଟେ ନାହିଁ । ତାହା ତ କେହି ବୁଝିବେ ନାହିଁ । କାମ କରି ପାରିଲେ ନାହିଁ ବୋଲି ହସିବେ । ଗୋଟିଏ ଘୋଡ଼ାର ଗୋଡ଼ ଗଛରେ ବନ୍ଧାହୋଇଅଛି । ଜଣେ ସେଠାରେ ଛିଡ଼ା ହୋଇ ସେ ଦୌଡ଼ୁ ନାହିଁ ବୋଲି ତାକୁ ଚାବୁକ ମାରୁଛି । ତୁମ୍ଭେ ଦେଖି ହସିଲ, ଦୁଃଖିତ ମଧ୍ୟ ହେଲ । ତୁମ୍ଭେ ତ ସେହିପରି କରିଥାଅ । ଲୋକଙ୍କର ଅସୁବିଧା ତ ବୁଝିବ ନାହିଁ, କେବଳ କାର୍ଯ୍ୟ ଦେଖି ହସିବ । ଭଲ ଦୌଡ଼ିବା ତେଣିକି ଥାଉ, ସେ ଘୋଡ଼ା ଚାଲି ତ ପାରିବ ନାହିଁ । ଅସୁବିଧାର ଅଧୀନ ହୋଇ କାର୍ଯ୍ୟ କରିବାର କଷ୍ଟକର । ସୁବିଧା ଆଦୌ ନ ଘଟିବା ଆହୁରି କଷ୍ଟକର । ବଳର ଅତିରିକ୍ତ ବୋଝ ନେବାର କଷ୍ଟକର । ଗଛରେ ଗୋଡ଼ ବନ୍ଧାଥିବାର ଆହୁରି କଷ୍ଟକର । ହ୍ରସ୍ୱଦୃଷ୍ଟି ଓ ଅନ୍ଧର ଯେ ପ୍ରଭେଦ, ଏ ଦୁହିଁଙ୍କର ସେହି ପ୍ରଭେଦ । କେହି କେହି ସଂସାରକ୍ଷେତ୍ରରେ କଷ୍ଟରେ ବିଚରଣ କରନ୍ତି । କେହି ଅବା ବିଚରଣ କରିବାକୁ ଆଦୌ ସମର୍ଥ ନୁହନ୍ତି । ସ୍ଥୂଳରେ ଏହା କହିଲେ ହେଲା ଯେ କେହି ବଳର ଅତିରିକ୍ତ ବୋଝ ବହନ୍ତି, କାହାରି ଅବା ବୋଝ ମୁଣ୍ଡେଇବାକୁ ମୂଳୁଁ କ୍ଷମତା ନାହିଁ ।
ତୁମ୍ଭେ ସଂସାରକ୍ଷେତ୍ରରେ ଅକ୍ଳେଶରେ ବିଚରଣ କରୁଅଛ, ଆପଣା କାର୍ଯ୍ୟ ଉତ୍ତମରୂପେ କରି ଯଶୋଭାଜନ ହେଉଅଛ । ଯେମାନେ ସବୁ ବିଷୟରେ ଅଗ୍ରଗଣ୍ୟ ଅଟନ୍ତି, ସେମାନଙ୍କ ଦଳରେ ଭୁକ୍ତ ହୋଇଅଛ । ଯେମାନେ ତୁମ୍ଭ ପଛରେ ପଡ଼ିଅଛନ୍ତି, ସେମାନଙ୍କ ଗୋଡ଼ ଭାଙ୍ଗିଯାଇଅଛି, ଆଉ ଉଠିବାକୁ ସାମର୍ଥ୍ୟ ନାହିଁ । ସେମାନଙ୍କ ପ୍ରତି ଦୟା ବହି ସେମାନଙ୍କର ଦୁଃଖ ବୁଝ । ଦେଖ, ତୁମ୍ଭ ପଛରେ ଜଣେ ଆସୁଛି, ତାହାର ବୋଝ ବଳର ଅତିରିକ୍ତ-ଅଧକୋଶ ପଛକୁ ପଡ଼ିଛି । ତାକୁ ଟିକିଏ ଦୟା କର । ଆହୁରି ଦୂରକୁ ଚାହିଁ ଦେଖ, ସେହି ଲୋକଟି ମୂଳୁଁ ଆସିପାରୁନାହିଁ । ପଚିଶ ମହଣ ବୋଝର ଗୋଟିଏ ପଥରରେ ତା ଗୋଡ଼ ବନ୍ଧା ହୋଇଛି । ସେ ପାରୁପର୍ଯ୍ୟନ୍ତ ଟାଣୁଛି, ପଥର ହଲିବାକୁ ନାହିଁ । ସେ ଥକିଲା, ଅସାଧ୍ୟ ଜାଣି ତୁନି ହୋଇ ବସିଲା । ତୁମେ ତ ବିବେଚକ ଅଟ । ସେମାନଙ୍କ ପରି ତୁମ୍ଭର ଦଶା ହୋଇଥିଲେ ହୁଏତ ତୁମ୍ଭର ଗୋଡ଼ ଭାଙ୍ଗିଯାଇଥାନ୍ତା, ହୁଏତ ତୁମ୍ଭେ ମୂଳୁଁ ଆସିପାରିନଥାନ୍ତ । ତୁମ୍ଭେ ତୁମ୍ଭର ଛିଦ୍ର ଜାଣ । ସେହି ଛିଦ୍ରରେ ସୁଲକ୍ଷିତ ଅଥବା ଲକ୍ଷ୍ୟହୀନ ଗୋଟିଏ କାଣ୍ଡ ଭେଟିଥିଲେ ତୁମ୍ଭେ ବହୁଦିନ ପୂର୍ବରୁ ଧରାଶାୟୀ ହୋଇଥାନ୍ତ । ତୁମ୍ଭେ ସଂସାରକ୍ଷେତ୍ରରେ ଅନେକ ଉନ୍ନତି କଲଣି, ଅନେକ ଦୂର ଆସିଲଣି, ଲକ୍ଷ୍ୟର ନିକଟବର୍ତ୍ତୀ ହେଲଣି । ମାତ୍ର ତୁମ୍ଭେ ବେଶ୍ ଜାଣ ଯେ ଯେଉଁ ବୋଝ ତୁମ୍ଭେ ମୁଣ୍ଡେଇଛ, ସେଥିରୁ ଦୁଇ ମହଣ ଅଧିକ ହୋଇଥିଲେ ତୁମ୍ଭେ କେଭେଁ ଏତେଦୂର ଯାଏ ଆସିନଥାନ୍ତ, ହୁଏତ ମୂଳୁଁ ଉଠି ପାରନ୍ତ ନାହିଁ । ତୁମ୍ଭର ହୃଦୟ ଅତି ମୃଦୁ, ଶରୀର ଅତି କ୍ଷୀଣ । ଯେବେ ଦୁର୍ଭାଗ୍ୟକ୍ରମେ ତୁମ୍ଭେ ସୈନିକଦଳରେ ନାମ ଲେଖାଇ କୌଣସି ଯୁଦ୍ଧକୁ ଯାଇଥାନ୍ତ, ସେ ଯୁଦ୍ଧରୁ ଫେରି ନ ଥାନ୍ତ । ତୁମ୍ଭେ ଧାର୍ମିକ ବୋଲି ପ୍ରତିଷ୍ଠିତ ହୋଇଅଛ । ମାତ୍ର ଅବିବେକ ଲୋକେ ଯେମାନଙ୍କୁ ପାପୀ ବୋଲି ଘୃଣା କରନ୍ତି, ସେମାନଙ୍କ ପରି ପ୍ରଲୋଭନରେ ପଡ଼ିଥିଲେ ତୁମ୍ଭର କି ଦଶା ହୋଇଥାନ୍ତା ! ତୁମ୍ଭର ମନ ତୁମ୍ଭକୁ କହିଦେଉଥିବ । ସୌଭାଗ୍ୟକ୍ରମେ ପ୍ରଲୋଭନରେ ତୁମ୍ଭେ ପଡ଼ି ନାହଁ । ତୁମର ଚରିତ୍ର ଅକଳଙ୍କିତ ଅଛି । ମାତ୍ର ଏହା ବୋଲି ପାପୀଙ୍କି ଘୃଣା କରିବ ନାହିଁଟି ! ବହୁତରେ ହେଉ ଅଳ୍ପରେ ହେଉ; ତୁମ୍ଭକୁ ସ୍ୱୟଂ ସେହି ଘୃଣାର ଅଂଶୀ ହେବାକୁ ହେବ । ଏହା ନିଷ୍ଠା ଜାଣିଥିବ ।
ସମ୍ବନ୍ଧିତ ରଚନା
ମନୁଷ୍ୟର ଧର୍ମବୁଦ୍ଧି
ମଧୁସୂଦନ ରାଓ
ଦ୍ୱିତୀୟ ପ୍ରସ୍ତାବ
ମଧୁସୂଦନ ରାଓ