ଭ୍ରାନ୍ତି
କୁନ୍ତଳା କୁମାରୀ ସାବତ · ଭାଗ ୩ / ୫
ସମ୍ପୂର୍ଣ୍ଣ ସୂଚୀପତ୍ର
( ୭ )
ଆଜିକି ମାସେ ହେଲା ଅନୁର ଆଦୌ ସ୍ଫୂର୍ତ୍ତା ନାହିଁ, ଦିବାରାତ୍ର ଯେପରି କି କୌଣସି ବିଶେଷ ଚିନ୍ତାରେ ମଗ୍ନ, ତାହାର କି ଚିନ୍ତା ସେ ନିଜେ ବୁଝିପାରୁ ନାହିଁ । କି ଏକ ଭୀଷଣ ନୈରାଶ୍ୟ ଅନ୍ଧକାର ତାହାର ସମଗ୍ର ହୃଦୟକୁ ଆବୃତ କରି ରଖିଅଛି । ଆଜିକାଲି ସେ ସର୍ବଦା ସଦରରେ ଥାଏ, ଭିତରକୁ ମଧ୍ୟେ ମଧ୍ୟେ ଆସେ; କିନ୍ତୁ ତାହା ଅତି ଅଳ୍ପକ୍ଷଣ ସକାଶେ । ଶେଫାଳୀ ମଧ୍ୟ ବାଲ୍ୟକାଳ ପରି ତାକୁ ଦେଖିବାକୁ ବିଶେଷ ଉଦ୍ବିଗ୍ନା ନୁହେ । ମାଳତୀର କୌଶଳ ସଫଳ ହୋଇଅଛି ।
ଆଜି ପର୍ବ ଦିବସ । ସ୍ୱହସ୍ତରେ ନାନାବିଧ ମିଷ୍ଟାନ୍ନ ପ୍ରସ୍ତୁତ କରି ଅନୁକୁ ଭୋଜନରେ ବସାଇ ପରିବେଷଣପୂର୍ବକ ଇନ୍ଦୁମୁଖୀ ଅନ୍ତରାଳରେ ରହିଲେ । ଶେଫାଳୀ ନିକଟରେ ବସି ନୀରବରେ ଅନୁ ପ୍ରତି ମାତାଙ୍କର ଆଦର ଲକ୍ଷ୍ୟ କରୁଥିଲା ଏବଂ ଭବିଷ୍ୟତ୍ରେ ନବଗ୍ରାମର ଜମିଦାରପୁତ୍ର ନଟବର ଯେ ଏହି ଆଦରର ଅଧିକାରୀ, ଏହାହିଁ ଭାବୁଥିଲା ।
ଅନୁର ଭୋଜନ ସାଙ୍ଗ ହେଲା ପରେ, ଚତୁର ଅନୁ ଇଚ୍ଛା କରି ଶେଫାଳୀକୁ ପାନ ମାଗିଲା-। ଦାସୀ ଆସି ପାନ ଦେଇଗଲା, ଅନୁ ତାହା ଗ୍ରହଣ ନ କରି ପୁନଃ ପୁନଃ ଶେଫାଳୀକୁ ମାଗିବାକୁ ଲାଗିଲା । ଶେଫାଳୀ ବିରକ୍ତ ହୋଇ କହିଲା; “ଆଗରେ ଥୁଆ ହୋଇଛି, ନିଅ ।” ଅନୁ ବାଧ୍ୟହୋଇ ଗ୍ରହଣ ଗଲା, ଉଦ୍ଦେଶ୍ୟ କରି କହିଲା, “ନଟବର ଆର ସପ୍ତାହରେ ଆସିବ-ଘୋଡ଼ାଦୌଡ଼ ଦେଖିବାକୁ । ପାନ ଭାଙ୍ଗି ପଠାଇବୁ-ଗୋଲି ସଜାଡ଼ି ଦେବୁ । ଦୁଃଖର କଥା, ଆମ ଗାଁରେ ତ ମଦଖଟି ନାହିଁ ।” ଏହା କହି ଦ୍ରୁତ ବେଗରେ ବାହାରକୁ ଚାଲିଗଲା ।
ଅନୁର ପରିହାସ ଶେଫାଳୀର ପ୍ରାଣରେ ବଡ଼ ବାଧିଲା । ଅନୁ ସତ୍ୟବାଦୀ, କେବେ ତ ମିଥ୍ୟା କହେ ନାହିଁ । ତେବେ କଣ ସତେ ନଟବରର ଗୁଲି ମଦ ସହିତ ସମ୍ବନ୍ଧ ଅଛି-ନା, ଏ ଥଟ୍ଟା ପରିହାସ ? ଶେଫାଳୀ ବଡ଼ ଭାବନାରେ ଶଯ୍ୟା ଗ୍ରହଣ କଲା ।
କାହାକୁ କିଛି ପଚାରିବାକୁ ସାହସୀ ହେଲା ନାହିଁ ।
ଅନୁ ମାତୃତୁଲ୍ୟା ଇନ୍ଦୁମୁଖୀକୁ ପ୍ରଣାମ କରି କଚେରୀ ଗୃହରେ ଉପସ୍ଥିତ ହେଲା । କଚେରୀର ଲୋକ ଗହଳ ଭାଙ୍ଗି ଗଲାଣି, ସାନନ୍ଦ ଦାସ ଖାତାପତ୍ର ସଜାଡ଼ି ରଖୁଅଛନ୍ତି-“ହରି ହରି” କହି ବୃଦ୍ଧ ହରିହର ଆସନରୁ ଉଠିଲେ, ଅନୁ ପ୍ରଣାମ କଲା । ଆଦର କରି ବୃଦ୍ଧ ଆଶୀର୍ବାଦ କଲେ, କିଛିକ୍ଷଣ କଥାବାର୍ତ୍ତା ପରେ ପରୀକ୍ଷା ଛଳରେ ରଚାରିଲେ, “ବାବୁ ବି.ଏ. ପାଶ୍ କଲ, ବି. ଏଲ୍. ପାଶ୍ କଲ, ଅତଃପର କର୍ତ୍ତବ୍ୟ ବିଚାର କରିଅଛ ?” ଅନୁ କି ଉତ୍ତର ଦେବ ଭାବି–ପାରିଲା ନାହିଁ । “ଆପଣଙ୍କ ଇଚ୍ଛା” ଏତିକି କହି ତୁନି ହୋଇ ରହିଲା । ବାଳକର ନମ୍ର ସ୍ୱଭାବରେ ହରିହର ମୁଗ୍ଧ ହେଲେ । ସସ୍ନେହରେ ତାହାର ପୃଷ୍ଠ–ଦେଶରେ ହସ୍ତ ସ୍ଥାପନ କରି କହିଲେ, ବାବା, ଏଥର ସଂସାରର କାର୍ଯ୍ୟ କରିବା ତୁମର କର୍ତ୍ତବ୍ୟ ନୁହେଁ କି ? ତୁମ୍ଭର ଆଚରଣ ଓ ପଢ଼ା ପଢ଼ିରେ ଆମ୍ଭେମାନେ ସମସ୍ତେ ଅତି ସନ୍ତୁଷ୍ଟ । ଯୋଗ୍ୟ ପିତାର ଯୋଗ୍ୟ ପୁତ୍ର, ସେଥିପାଇଁ ଉପଯୁକ୍ତ ପୁରସ୍କାର ପାଇବ । କାଲିଠାରୁ କଚେରୀରେ କାର୍ଯ୍ୟାଦି ଦେଖ ।’ ‘ଆଜ୍ଞା’ କହି ଅନୁ ବିଦାୟ ହେଲା । ଜାମାତା ଓ ଦୁହିତାର ମିଳନଜନିତ ଶତ ସୁଖର କଳ୍ପନା କରି ବୃଦ୍ଧ ହରିହର ଅନ୍ତଃପୁରାଭିମୁଖରେ ପ୍ରସ୍ଥାନ କଲେ ।
ଅନୁ କଚେରୀ ପଥରୁ କିୟଦ୍ଦୂର ଆସି ଅଛି, ହଠାତ୍ ସାନନ୍ଦ ବାବୁ ଅନ୍ତରାଳରୁ ତାହାର ହସ୍ତ ଟାଣି ଧରିଲେ । “ଠିଆ ହୁଅ ଠିଆ ହୁଅ, ଅନୁ ବାବୁ ।” କଥାବାର୍ତ୍ତା କରୁ କରୁ ଉଭୟେ ଅନଙ୍ଗର ପ୍ରକୋଷ୍ଠରେ ପ୍ରବେସ କଲେ । କଥାବାର୍ତ୍ତାର କିୟଦଂଶ ଏହିପରି-
ଅ-ଆପଣ କହୁଛନ୍ତି ମୁଁ ପୋଷ୍ୟ ପୁତ୍ର ହୋଇଥିଲି । ତେବେ ସେ କଥାଟା ଗୁପ୍ତ ହେଲା କାହିଁକି ? ବାବାଙ୍କର ତ ଆଉ ପୁତ୍ର ସନ୍ତାନ ନାହିଁ ?
ସା-ପୁତ୍ର ସନ୍ତାନ ନ ଥିଲେ କଣ କନ୍ୟା ସନ୍ତାନ ନାହିଁ ? ପୋଷ୍ୟପୁତ୍ର କି କେବେ ଜୁଆଇଁ ହୁଏ ? ସେ ତ ପୁତ୍ର ତୁଲ୍ୟ । ତେବେ ଅକାରଣ ସେ ସମ୍ପତ୍ତିର ଅଧିକାରୀ ହେବେ, ନାତି ଜଣ ଅଧିକାରୀ ହୋଇ ନ ପାରେ ?
ଅନୁ ଏତେ କଥା ଭାବି ନ ଥିଲା, ଏବେ ବୁଝିଲା- ସେ ପୋଷ୍ୟପୁତ୍ର ହୋଇଥିଲା; କିନ୍ତୁ କନ୍ୟା ଜନ୍ମ ପରେ ସେ ଅଧିକାରରୁ ବଞ୍ଚିତ ହୋଇଅଛି; ଅଥଚ ଭଗିନୀସମ୍ପର୍କୀୟା ଶେଫାଳୀ ସହିତ ବିବାହ ମଧ୍ୟ ହେବ ନାହିଁ । ସେ ସ୍ତମ୍ଭିତ ହୋଇ ଶୁଣିଲା ପୁଣି ସାନନ୍ଦ ଦାସ କହିଲେ-“ଭାଇ ଭଉଣୀର ବିବାହ ହୋଇ ନ ପାରେ, ଆମ ଶାସ୍ତ୍ର ବିରୁଦ୍ଧ; ସେଥିପାଇଁ ନୂଆଗାଁ ସାଅନ୍ତ ପୁଅଙ୍କ ସହିତ ଜେମାଙ୍କର ବିବାହ ନିର୍ବନ୍ଧ ସ୍ଥିର ହେଲାଣି । ମୁଁ ତୁମ୍ଭଙ୍କୁ ଗୋପନରେ କହୁଛି ।” ଅତି ମୃଦୁ ସ୍ୱରରେ କହିଲେ “ତୁମ୍ଭର ପିତା ଏଠାର ଦେବାନ ଥିଲେ, ଖୁବ୍ ସମ୍ପତ୍ତି ବାଡ଼ି କରି ଯାଇଥିଲେ । ତାଙ୍କର କିଏ ଥିଲା ? ଏଠି ସାତବର୍ଷ କାର୍ଯ୍ୟ କରିଅଛନ୍ତି । ଆଉ ଆଜି ତୁମ୍ଭେ ଦାଣ୍ଡର ଭିକାରୀ । ନା, ନା, ତୁମ୍ଭର ଏତିକି ଭଲ ହୋଇଛି, ଆମ ସାଆନ୍ତ ଅତି ସଦାଶୟ ପିଲାକାଳୁ ତୁମ୍ଭଙ୍କୁ ମା ବାପ ଛେଉଣ୍ଡ ଜାଣି ମନୁଷ୍ୟ କରି ତୁମ୍ଭର ବାବାଙ୍କ ପଦ ଦେବେ । ତୁମ୍ଭେ ଶୁଣିଲ ତ, ପୁରସ୍କାର ପାଇବ । ସେ କଣ ? ଦେବାନ ପଦ ।”
ଏହିପରି ନାନା ଗଳ୍ପ ହେଲା । ରାତ୍ରୀ ଏଗାରଟା ବାଜିଲା, ଚନ୍ଦ୍ର ଡୁବିଲା । ଆକାଶ ମେଘରେ ଆଚ୍ଛନ୍ନ । ସାନନ୍ଦ ସ୍ୱଅଭୀଷ୍ଟ ସାଧନର ପ୍ରଥମ ଅଙ୍କ ସମାପ୍ତ କରି ମହୋଲ୍ଲାସରେ ଗୃହକୁ ପ୍ରସ୍ଥାନ କଲା । ଅନୁ କ୍ଳାନ୍ତଦେହ ଓ ଭଗ୍ନମନରେ ଶଯ୍ୟା ଗ୍ରହଣ କଲା । ତାହାର ଜୀବନବ୍ୟାପୀ ବହୁ ଆଶା−ଗଠିତ ଆକାଶସୌଧ ହଠାତ୍ ଭାଙ୍ଗି ପଡ଼ିଲା । ସାନନ୍ଦ ପରିବାରର ପ୍ରତ୍ୟେକ କଥା ଜ୍ୱଳନ୍ତ ସତ୍ୟ ତୁଲ୍ୟ ତାହା ଦୃଷ୍ଟିରେ ପ୍ରତିଭାତ ହେଲା । କାରଣ ଶେଫାଳୀର ବ୍ୟବହାର, ହରିହର ବାବୁଙ୍କର କଥା, ଏସବୁ ତ ତାହାର ପ୍ରଧାନ ପ୍ରମାଣ । ଆଉ ନଟବର ସହିତ ଆଦରର ଧନ ଶିଉଳୀର ବିବାହ ତ ସର୍ବୈବ ସତ୍ୟ, ଏଥିରେ ତ ସନ୍ଦେହର କିଛି କଥା ନାହିଁ । ଅନୁ ଭାବନାରେ ମଗ୍ନ ହେଲା, ନିଦ୍ରାଦେବୀଙ୍କର ସାକ୍ଷାତ୍ ନାହିଁ । ଗଭୀର ରାତ୍ରୀ, କକ୍ଷତଳେ ଅନ୍ଧକାର, ଅନଙ୍ଗର ହୃଦୟରେ ମଧ୍ୟ ଘୋର ଅନ୍ଧକାର । ଆଜିକି ସେ ବହୁ ବର୍ଷର କଥା-ଅତି ବାଲ୍ୟକାଳର କଥା । ଦଣ୍ଡେ ଶେଫାଳୀକୁ ନ ଦେଖିଲେ ତାହାର ତୃପ୍ତି ହେଉ ନ ଥିଲା । ଦିନ ମଧ୍ୟରେ ପନ୍ଦରଥର ସାକ୍ଷାତ୍ ହେଲେ ମଧ୍ୟ ଶେଫାଳୀ ଆଉଥରେ ଆସିବାକୁ କହୁଥିଲା । ଆଜି ସେ ସବୁ ଅତି ପୁରୁଣା କଥା, ଅସାର କଥା, ତାହାର ସ୍ମରଣରେ କି ଲାଭ ? ମାତ୍ର ଅନୁ ସ୍ମରଣ କଲା । ସେ କୋମଳ ଅଧରରେ ମଧୁର ହାସ୍ୟ ସ୍ମରଣ କଲା । ମଧ୍ୟାହ୍ନର ଛୁଟି ହୋଇଥିଲା; ଖେଳଛୁଟି ହୋଇଥିଲା । ହଠାତ୍ ଶେଫାଳୀକୁ ଦେଖିବାର ଇଚ୍ଛା ପ୍ରବଳ ହେଲା, ତରତର ହୋଇ ସ୍କୁଲରୁ ଦୌଡ଼ି ଆସିଲା, ଅସାବଧାନରେ ଚିକ୍କଣ ମର୍ମର ପାବଚ୍ଛରୁ ପାଦ ଖସିଗଲା । ଅନୁ ପଡ଼ିଗଲା, ଆଉ ମନେ ନାହିଁ; ଆହା, ସେତେବେଳେ ଅନାଥ ହତଭାଗା କିପାଁନ ମଲା ।
ସନ୍ଧ୍ୟାକାଳରେ ଜ୍ଞାନୋଦୟ ହେଲା, ଦେଖିଲେ, ଦେବୀତୁଲ୍ୟ ଅପ୍ସରୀତୁଲ୍ୟ ସୁନ୍ଦରୀ ଶେଫାଳୀ ନିକଟରେ ବସିଅଛି । ଦିନ ନାହିଁ, ରାତି ନାହିଁ, ଶେଫାଳୀ ନିକଟରେ ବସିଅଛି । ସେତେବେଳେ ଶେଫାଳୀ ପ୍ରାଣର ଅତି ନିକଟରେ । ହାୟ ! ସେ ଦିନ, ଆଉ ଏ ଦିନ । ସେତେବେଳେ କଥାରେ ସୁଖ, ଗୀତରେ ସୁଖ, ଭ୍ରମଣରେ ସୁଖ, କଳହରେ ମଧ୍ୟ ସୁଖ । ପିଲା କାଳରେ ବୃଦ୍ଧ ଦୀନବନ୍ଧୁଙ୍କ ପୃଷ୍ଠଦେଶରେ ଚଢ଼ି ବାଳକ ବାଳିକା ଖେଳୁଥିଲେ । ନାତି ନାତୁଣୀଙ୍କୁ ଥଟ୍ଟା କରି ବୃଦ୍ଧ କେତେଥର ବିବାହ କରାଇ ଦେଉଥିଲେ, କେତେଥର ହରଗୌରୀ ବୋଲି ଡାକୁଥିଲେ, ମାତ୍ର ସେ ଦିନ, ଆଉ ଏ ଦିନ । ଏତେଦିନ ପରେ, ଏତେ ଦୀର୍ଘକାଳ ପରେ, ଅନୁ ଶୁଣୁଅଛି, ଶେଫାଳୀ ତାହାର ଭଗିନୀ; ଅଥଚ ଶେଫାଳୀ ଦିନେ ଭାଇ ବୋଲି ଡାକିଲା ନାହିଁ । ଯେଉଁ ଆଶାର ପ୍ରଲୋଭନ ଏତାବତ୍କାଳ ତାକୁ ଭୁଲାଇ ରଖିଥିଲା; ଯେଉଁ ମୋହରେ ଚିରଜୀବନ ପରିଚାଳିତ ହୋଇଥିଲା, ଆଜି ସହସା ତାହା ଭଗ୍ନ ହେଲା । ଅନୁର ଚତୁର୍ଦ୍ଦିଗ ଅନ୍ଧାକାର,ତାହାର ମୁଣ୍ଡ ଘୂରିଲା । ଏତେଦିନ ପରେ ସ୍ନେହମୟୀ ଶେଫାଳୀର ଅନୁପମ ମୂର୍ତ୍ତି ମାନସ– ପଟରୁ ପୋଛିବାକୁ ହେବ ଭାବି ସେ ଅତ୍ୟନ୍ତି କାତର ହେଲା; କାରଣ ସେ ଭଗିନୀ, ସେ ପରର ସ୍ତ୍ରୀ । ଭଉଣୀ ସହିତ ବିବାହ ଅସମ୍ଭବ । କ୍ରୂର ଆଶା ! ଆଜି ତୁ କେଉଁଠାରେ ? ଅନୁ କି ମୂର୍ଖ । ତୋହର ଆଶ୍ରୟ ଗ୍ରହଣ କରିଥିଲା । ଯୁବକର ଦାରୁଣ ଅଭିମାନ ହେଲା । ଦୁଇ ନୟନରୁ ଅବିରଳ ତୃପ୍ତ ଅଶ୍ରୁଧାରା ପ୍ରବାହିତ ହୋଇ ଉପାଧାନ ସିକ୍ତ କଲା । ସାନନ୍ଦ ଦାସର ପ୍ରତ୍ୟେକ କଥା କର୍ଣ୍ଣକୁହରରେ ବାଜି ଉଠିଲା-“ଶେଫାଳୀ ଭଉଣୀ, ଶେଫାଳୀ ଭଉଣୀ- ନଟବର–ନଟବର ଶେଫାଳୀର ସ୍ୱାମୀ ।” ଆଉ ଅନୁ ଚିରଜୀବନ ଶେଫାଳୀକୁ ପୂଜା କରି, ପ୍ରାଣରେ ଧାରଣ କରି, ଅନୁ ତାହାର କିଛି ନୁହେ । ନିଶାଖୋର କୁଚରିତ୍ର ନଟବର ଅତୁଲ୍ୟ ଶେଫାଳୀ କୁସୁମର ମାଳା ହସି ହସି ଗଳାରେ ଲମ୍ୱାଇ ଚାଲିଯିବ, ଆଉ ଅଭାଗା ଅନୁ ଭିକାରୀ ପରି ଷ୍ଟେଟରେ ଖଣ୍ଡେ ଚାକିରି ଘେନି ରହିବ । ହରହର ବାବୁଙ୍କୁ ଅନ୍ତେ ଶେଫାଳୀ ଓ ନଟବର ହେବେ ତାହାର ପ୍ରଭୁ, ସେ ହେବ ବେତନଭୋଗୀ ଭୃତ୍ୟ । ଏତେ ଲାଞ୍ଛନା ଅପେକ୍ଷା ମୃତ୍ୟୁହିଁ ଶ୍ରେୟଃ । ତାହାର ଏଡ଼େ ମହତ୍, ଏଡ଼େ ବିଶାଳ ଆଶାର କି ଏହା ହିଁ ଚରମ ପରିଣତି ?
ଅନୁର ଅନେକ କଥା ମନେ ପଡ଼ିଲା । କଟକର ବୋର୍ଡିଂ, କଲିକତାର ମେସ୍, ନିଜର କଠିନ ପରିଶ୍ରମ, ଦିବସ ରଜନୀ ଏକାନ୍ତ ଧ୍ୟାନରେ ପଠନଶ୍ରମ, କାହା ସକାଶେ ଏତେ କରିଥିଲା ? ଅଭାଗା ହଠାତ୍ ସବୁ ସୁଖରୁ ବଞ୍ଚିତ ହେଲା । ହରିହର ଓ ଇନ୍ଦୁମୁଖୀ ତେବେ କାହିଁକି ତାକୁ ପୁତ୍ରାଧିକ ସେହ୍ନ କଲେ, ଯତ୍ନ କଲେ । ତାହାର ପଢ଼ାସକାଶେ ରାଶି ରାଶି ଅର୍ଥ ସାରିଲେ, ପୋଷ୍ୟପୁତ୍ରତ୍ୱରୁ ବଞ୍ଚିତ କଲେ, ଶେଷକୁ ଶୋଫାଳୀ–ରତ୍ନକୁ ଅନ୍ୟକୁ ଦେଲେ; ଅଥଚ ତାହା ଅନାଥ ବାଳକଠାରୁ ସମ୍ପୂର୍ଣ୍ଣ ଗୋପନ ରଖି, ତାହାର ହୃଦୟରେ ଅଯଥା ଆଶାବୀଜ ରୋପଣ କଲେ । ଏବେ ପୁଷ୍ପିତା ଆଶାଲତା ନିଷ୍ଠୁରଭାବରେ ଛେଦନ କଲେ କି ତାଙ୍କର ସ୍ନେହର ପରାକାଷ୍ଠା ହେବ ? ଭାବୁ ଭାବୁ ଅନୁର ଶ୍ରାନ୍ତ ଚକ୍ଷୁ ତନ୍ଦ୍ରାତୁର ହୋଇଗଲା । ପରିଶେଷରେ ଚିରଶାନ୍ତିଦାୟିନୀ ନିଦ୍ରା ତାହାର ସମସ୍ତ ବେଦନା ଦୂର କଲା । ସେ ଉଠିବା–ବେଳେ ଦେଖିଲା; ଜଳାକବାଟିର ଛିଦ୍ରବାଟେ ରୌଦ୍ର ପ୍ରବେଶ କରୁଅଛି । ବେଳ ଅନେକ । ଉଠି ଠିଆ ହେଲା; କିନ୍ତୁ ଆଜି ତାହାର କିଛି ଶକ୍ତି ନାହିଁ-। ପାଦ ଚଳୁ ନାହିଁ । ବହୁଦିନର ପୀଡ଼ିତ ବ୍ୟକ୍ତି ପରି ଧୀର ଦୁର୍ବଳ ପଦକ୍ଷେପରେ ନଦୀସ୍ନାନକୁ ବାବାରିଲା ।
( ୮ )
ଗତି ରାତ୍ରିର ଭୀଷଣ ପ୍ରଳୟ ପରେ ପ୍ରକୃତି ଉଜ୍ଜ୍ୱଳ ମୂର୍ତ୍ତି ଧାରଣ କରି ନବୀନ ପ୍ରଭାତକୁ ଆଲିଙ୍ଗନ କଲା । ଚରାଚର ହସି ଉଠିଲେ, ବାଳାର୍କ କିରଣ–ରଞ୍ଜିତ କୁସୁମଦାମ–ଦଳବିକାଶ ଛଳରେ ହସି ହସି ସୌରଭ ବିସ୍ତାର କଲେ ।
ଦଶଟା ବାଜିଲାଣି ଅନୁର ଦେଖା ନାହିଁ । ସେ ତ ଅତି ପ୍ରଭାତରୁ ନଦୀସ୍ନାନକୁ ଯାଏ । ଆଜି ମଧ୍ୟ ଯାଇଥିବ; କିନ୍ତୁ କାହିଁ, ଦିବା ଦଶଘଟିକା ଉତ୍ତୀର୍ଣ୍ଣ–ପ୍ରାୟ, ସୂର୍ଯ୍ୟ ମୁଣ୍ଡ ଉପରେ । ଏତେବେଳ ହେଲାଣି, ପ୍ରାତର୍ଭୋଜନ ସକାଶେ ଅନୁ ତ ଅନ୍ତଃପୁରକୁ ଆସିଲା ନାହିଁ । ବ୍ୟସ୍ତ ହୋଇ ଇନ୍ଦୁମୁଖୀ ସଦରକୁ ସମ୍ୱାଦ ଦେଲେ । ସେଠାରେ ମଧ୍ୟ ଅନୁର ନାହିଁ, ଆହୁରି ଘଣ୍ଟାଏ ଅପେକ୍ଷା କଲେ, ମାତ୍ର ଅନୁର ଦର୍ଶନ ନାହିଁ । କ୍ରମେ ବାରଟା ବାଜିଲା । ଏକ, ଦୁଇ, ତିନି କରି ଛଅ ବାଜିଲା ସନ୍ଧ୍ୟା ଲାଗିଲା, ଦେବମନ୍ଦିରରେ ଆରତିଘଣ୍ଟା ବାଜି ଉଠିଲା, ମାତ୍ର ଅନୁର ଦେଖା ନାହିଁ । ହରିହର ବାବୁ ଗ୍ରାମରେ ଅନୁପସ୍ଥିତ । ଭୀତା ତ୍ରସ୍ତା ଇନ୍ଦୁମୁଖୀ ସାନନ୍ଦ ଦାସ ନିକଟକୁ ସମ୍ୱାଦ ପ୍ରେରଣା କଲେ, କେହି ଅନୁକୁ ଦେଖି ନାହାନ୍ତି । ସାରା ଗ୍ରାମଟି ଅନ୍ୱେଷଣ ହେଲା; ମାତ୍ର ତାହାର ଉଦ୍ଦେଶ୍ୟ ମିଳିଲା ନାହିଁ । ବୁଲି ବୁଲି ରାତ୍ରି ଦଶଘଟିକା ସମୟରେ ଶ୍ରାନ୍ତ ଧାଉଡ଼ିଆ ଖବର ଦେଲା, ଅନୁ ବାବୁ ମିଳିଲେ ନାହିଁ । ଇନ୍ଦୁମୁଖୀ କାନ୍ଦିବାକୁ ଲାଗିଲେ । ଭୀତା ଶେଫାଳୀ ମାତା ନିକଟରେ ଠିଆ ହୋଇ କମ୍ପିବାକୁ ଲାଗିଲା । ତାହାର ନୟନରେ ଅଶ୍ରୁ, ହୃଦୟରେ ଭୟ ଓ ଦୁଃଖ । ହରିହର ବାବୁ ଗ୍ରାମକୁ ପ୍ରତ୍ୟାବୃତ୍ତ ହୋଇ ଏହି ଦୁଃସମ୍ୱାଦ ଶ୍ରବଣରେ ହତବୁଦ୍ଧି ହୋଇ ପଡ଼ିଲେ । ହଠାତ୍ ଅନୁର ଏବଂବିଧ ଆଚରଣର କୌଣସି କାରଣ ସେ ଅବଧାରଣ କରି ପାରିଲେ ନାହିଁ । ଅନୁ ତାଙ୍କର ଭାବୀ ଜାମାତା, ପୁତ୍ରାଧିକ ଅନୁରକ୍ତ ଓ ବାଧ୍ୟ, ସେ କାହିଁକି ହଠାତ୍ ବିଶ୍ୱାସଘାତକତା କରି ପଳାୟନ କରିବ ? ତେବେ କୌଣସି ଦୃଷ୍ଟଲୋକ କି ଚକ୍ତାନ୍ତ କରି ତାହାର କିଛି ଅନିଷ୍ଟ ଘଟାଇଲା ? ସେ ଅତ୍ୟନ୍ତ ଭୀତ ହୋଇ ପୁଲିସରେ ସମ୍ୱାଦ ଦେଲେ । ହୁଲିୟା ଜାରି ହେଲା, ମାତ୍ର ଅନୁର କୌଣସି ସନ୍ଧାନ ମିଳିଲା ନାହିଁ ।
ଇନ୍ଦୁମୁଖୀ ବହୁତ ରୋଦନ କଲେ । ଶେଫାଳୀର କୋମଳ ହୃଦୟ ଅତ୍ୟନ୍ତ ଅଧୀର ହେଲା, ମାତାଙ୍କର ଶୀର୍ଣ୍ଣ ବଦନକୁ ଚାହିଁ ତାହାର ଅତିଶୟ କଷ୍ଟ ହେଲା, ସେ ମଧ୍ୟ କାନ୍ଦିଲା; କିନ୍ତୁ ଦିନ ପରେ ଦିନ, ମାସ ପରେ ମାସ ଗଲା, ଅନୁ ମିଳିଲା ନାହିଁ, ଶେଫାଳୀର ବିବାହ ଆୟୋଜନ ସ୍ଥଗିତ ହେଲା । କନ୍ୟାକୁ ଉଦ୍ଦେଶ୍ୟ କରି ମାତା ବିଳାପ କରିବାକୁ ଲାଗିଲା । ଶେଫାଳୀ ବୁଝିଲା, କାହା ସହିତ ବିବାହର ଆୟୋଜନ ହେଉଥିଲା-କିଏ ସେ ବର । ସେ କଳ୍ପିତ ନବଗ୍ରାମର ଜମିଦାର ପୁତ୍ର ନଟବର ନୁହେ । ସେ ତାହାରି ଆବାଲ୍ୟସଙ୍ଗୀ ଏକାନ୍ତ ଅନୁରକ୍ତ ଅନଙ୍ଗମୋହନ; ଧୀର, ଦୃଢ଼ମନା, ସୁଚରିତ୍ର ଅନଙ୍ଗମୋହନ । ମାଳତୀର ମୁଖରେ ଚୂନ କାଳି ଲାଗିଲା । ଅଭାଗିନୀର ଆଶା−ସୌଧ ଭଗ୍ନ ହେଲା, ଅନ୍ୟକୁ ନିରାଶ କରିବାକୁ ଯାଇଁ ଆପେ ବଞ୍ଚିତା ହେଲା, ମଧ୍ୟ ଗୁପ୍ତ କଥା ଧରାପଡ଼ି ସାନନ୍ଦର କଠୋର ଶାସ୍ତି−ବିଧାନ ହେଲା । ମାଳତୀ ପରିବାର ଜମିଦାର ଆବାସରୁ ବିତାଡ଼ିତ ହେଲେ । ଦୁଃଖିନୀ ଶେଫାଳୀର ପ୍ରଫୁଲ୍ଲ ପଦ୍ନତୁଲ୍ୟ ବଦନ ଶୁଖି କଳା ପଡ଼ିଥିଲା । ଚକ୍ଷୁକୋଣରେ ଗାଢ଼ କାଳିମା ଅଙ୍କିତ ହେଲା । ବୃଦ୍ଧ ହରିହର ଓ ଇନ୍ଦୁମୁଖୀ ଏତେବଡ଼ ଆଶାରେ ନିରାଶା ହୋଇ ଅବସନ୍ନ ହୋଇପଡ଼ିଲେ । ଏକମାତ୍ର କନ୍ୟାର ଏତାଦୃଶ ଭାଗ୍ୟବିପର୍ଯ୍ୟୟ ହଠାତ୍ ନିର୍ମଳ ଆକାଶରେ ପ୍ରଳୟର ମେଘତୁଲ୍ୟ ସେମାନଙ୍କର ସୁଖସୂର୍ଯ୍ୟକୁ ଗ୍ରାସ କଲା, ମାତ୍ର ତଥାପି କାଳ ବହିଗଲା । କାଳ କ ’ଣ କାହାପାଇଁ ଅପେକ୍ଷା କରେ ? କାହାର ସୁଖ ଦୁଃଖକୁ ଅନାଏ ?
( ୯ )
ବିଶେଶ୍ୱରଙ୍କ ମସ୍ତକସ୍ଥିତା ଜହ୍ନବୀ ବଡ଼ ଗୌରବରେ ତାଙ୍କ ମନ୍ଦିରର ପାଦ ଧୌତ କରି ପ୍ରବାହିତା । ନଦୀବକ୍ଷରେ ଅସଂଖ୍ୟ ନୌକା, ଶୁଭ୍ର ପାଲ ବିସ୍ତାର କରି ସାନ୍ଧ୍ୟସମୀର ସେବନଛଳରେ ତୀର–ଦେଶରେ ଶାୟିତ, ତହିଁ ମଧ୍ୟରେ ନାବିକମାନେ
ଆନନ୍ଦରେ ଗୀତ ଗାଉ ଗାଉ ରନ୍ଧନ କାର୍ଯ୍ୟରେ ବ୍ୟାପୃତ । ପବିତ୍ରତୋୟା ଜାହ୍ନବୀର ସୁନୀଳ ଜଳରାଶି କଳକଳରବରେ ପ୍ରବାହିତ । ତୀରରେ ଅସଂଖ୍ୟ ବିପଣି, ଘାଟରେ ଜନତାର ଭିଡ଼, ଅସଂଖ୍ୟ ଲୋକ ରାଜମାର୍ଗରେ ଯାତାୟାତ କରୁଅଛନ୍ତି । କିଏ ପଚାରେ କାହା କଥା ? ସମସ୍ତେ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ । ବିଶାଳ କାଶୀନଗରୀ ବିଶ୍ୱନାଥଙ୍କ ମନ୍ଦିର ବିକ୍ଷୋପରି ବହନ କରି ହିନ୍ଦୁଙ୍କର ପବିତ୍ରତମ ତୀର୍ଥ ମଧ୍ୟରେ ପରିଗଣିତ; ତାହାର ଅପାର ସୌନ୍ଦର୍ଯ୍ୟ, ଅଶେଷ ମନୋହାରିତ୍ୱ, ବିଶଳ ବିପଣି ଓ ମନ୍ଦିରର ସମାବେଶ, ଅସଂଖ୍ୟ ରାଜମାର୍ଗ ଦର୍ଶକକୁ ମୋହିତ କରୁଅଛି ।
ସନ୍ଧ୍ୟାକାଳ । ସୂର୍ଯ୍ୟଦେବ ପଶ୍ଚିମାଞ୍ଚଳରେ ଅସ୍ତମିତ, ନାନାବର୍ଣ୍ଣାନୁରଞ୍ଜିତ ମେଘମାଳା−ଜାହ୍ନବୀର ବିପୁଳ ଜଳ−ଦର୍ପଣରେ ପ୍ରତିବିମ୍ୱିତ । ଧୀରେ ଧୀରେ ଅନ୍ଧକାର ଯେପରି ଆକାଶରୁ ଓହ୍ଲାଇ ଆସୁଅଛି, କ୍ରମେ ଯେପରି ତାହାର ବିରାଟକାୟା ସମଗ୍ର ନଗରୀକୁ ଆଚ୍ଛନ୍ନ କରିପକାଇବ । ପ୍ରତି ମନ୍ଦିରରେ ଆରତିର ଧ୍ୱନି, ଘଣ୍ଟା ନିନାଦରେ କର୍ଣ୍ଣ ବଧିରପ୍ରାୟ ।
ଗଙ୍ଗାତୀରରେ ଅସଂଖ୍ୟ ଲୋକ, ସାଧୁ ,ସନ୍ନ୍ୟାସୀ, ଯୋଗୀ, ସନ୍ନ୍ୟାସିନୀ ଓ ସ୍ନାନାର୍ଥିରେ ପ୍ରତ୍ୟେକ ଘାଟ ପରିପୂର୍ଣ୍ଣ । କିଏ ସ୍ତବାବୃତ୍ତି କରୁଅଛି, କିଏ ମନ୍ତ୍ର−ପାଠନିରତ, କିଏ ବା ମାଳା ଜପୁଅଛି । କେତେ ଭେକଧାରୀ ସର୍ବାଙ୍ଗ ଭସ୍ମାବୃତ କରି ନାମାବଳୀର ଅସଂଖ୍ୟ ଛାପା ଘେନି ଶିଷ୍ୟବୃନ୍ଦଙ୍କଠାରୁ ଅର୍ଥ ସଂଗ୍ରହରେ ତତ୍ପର । କେତେକ ଭକ୍ତ ମୁଣ୍ଡିତମସ୍ତକା ବିଧବା ରମଣୀ ବିଶ୍ୱେଶ୍ୱରଙ୍କରୁ ଉଦ୍ଦେଶ୍ୟ-କରି ପ୍ରମାଣ−ପୂର୍ବକ ପୂଜାନିରତ, ଆକାଶମାର୍ଗରେ ବିହଙ୍ଗମ−କୋଳାହଳ-।
ଏହିପରି ସମୟରେ ଜଣେ ଯୁବକ ଗଙ୍ଗାତଟରେ ସମାସୀନ; ଉଦ୍ଭ୍ରାନ୍ତ ନୟନରେ ପ୍ରକୃତି ଶୋଭା ପର୍ଯ୍ୟବେକ୍ଷଣନିରତ, ମାତ୍ର ସେଥିରେ ତାହାର ସ୍ଫୂର୍ତ୍ତି ନାହିଁ । ପ୍ରାଣହୀନ, ଉତ୍ସାହୀନ ଭାବରେ ଲୋକଙ୍କର ଚରଣଗତି ମାତ୍ର ଲକ୍ଷ୍ୟ କରୁଅଛି ।
ବିଶାଳ କାଶୀନଗରୀ । କେତେ ଲୋକ ଯାତାୟାତ କରନ୍ତି କିଏ କାହାର ଖବର ରଖେ ? ଯୁବକ ସମ୍ପୂର୍ଣ୍ଣ ଏକାକୀ, ଆପଣାର ଚିନ୍ତାରେ ମଗ୍ନ; କିନ୍ତୁ ନୟନ ଆକାଶରେ । ତାହାର ଚିନ୍ତା ଅପାର, ଅଶେଷ । ଆରତିର ଧ୍ୱନି କର୍ଣ୍ଣରେ ପ୍ରବେଶ କରି ସୁଦ୍ଧା ଚିନ୍ତା−ସ୍ରୋତ ଭଗ୍ନ ହେଉ ନାହିଁ; ଅଲକ୍ଷ୍ୟରେ ହସ୍ତ ଯୋଡ଼ିକ ବଦ୍ଧାଞ୍ଜଳି ହୋଇ କପାଳ ସ୍ପର୍ଶ କରୁଅଛି ମାତ୍ର । ତାହାର ଚିନ୍ତା ବିଶାଳ ! ବିଶାଳ ବିଶାଳ ଜାହ୍ନବୀ–ବକ୍ଷଠାରୁ ବିଶାଳ, ଅନନ୍ତ ଅମ୍ୱରଠାରୁ ଅନନ୍ତ, ଅପାର ସମୁଦ୍ରଠାରୁ ଅପାର, ସୁଦୂର ତାରାଠାରୁ
ସୁଦୂର । ତାହାର ସ୍ୱପ୍ନ ଅତୀତ; ଅତୀତ ଜଗତର ଏକ ନୈରାଶ୍ୟଜଡ଼ିତ ସ୍ୱପ୍ନ ! ଆଶା ଓ ବିଶ୍ୱାସର ଏକ ଅସ୍ପଷ୍ଟ ଆଲୋକଚିତ୍ର । ଆଜି ତାହା ନାହିଁ । ମାତ୍ର ତାହା ଦିନେ ଥିଲା । ଦିନେ ଯୁବକ ଦେଖିଥିଲା, ହସିଥିଲା, କାନ୍ଦିଥିଲା, ହସାଇଥିଲା, କନ୍ଦାଇଥିଲା । ଆଜି ତାହା ନାହିଁ-ଆଜି ସୁଦୂର ନୟନାନ୍ତରାଳରେ ପ୍ରେତ–ଜଗତରେ ତାହାର ଅସ୍ତିତ୍ୱ ବିଲୀନ ।
ବସନ୍ତରେ ଫୁଲ ଫୁଟିଥିଲା, କାନନରେ କୋକିଳ ଗାଇଥିଲା, ଆମ୍ର ବକୁଳ-ମୁକୁଳାନ୍ତରାଳରେ ଅଳିର ଝଙ୍କାର ଶୁଣିଥିଲା, ମାତ୍ର ଆଜି ସେ ବସନ୍ତ ନାହିଁ । ସେ ଆକାଶକୁସୁମ ଝଡ଼ି ଯାଇଅଛି । ପ୍ରେମପିକ ନୀରବ ହୋଇଅଛି । ଆଜି ଭୀଷଣ ନିଦାଘ, ନିର୍ମମ ନିଷ୍ଠୁର ନିଦାଘ ଆଜି, ତାହାର ହୃଦୟପ୍ରାନ୍ତର ମରୁଭୂମି ।
ସେଠାରେ ଜଳ ନାହିଁ କେବଳ ନୈରାଶ୍ୟ ମରୀଚିକା, ସେଠାରେ ଭରସା ନାହିଁ; କେବଳ ଅନ୍ତର୍ଦାହର ଭୀଷଣ ଅନୁଭୂତି । ଜ୍ୱାଳାମୟ ହୃଦୟର ଦାରୁଣ ସ୍ପନ୍ଦନ । ଯୁବକର ଚକ୍ଷୁପଟରେ କିଛି ନାହିଁ, ସବୁ ଶୂନ୍ୟ, ସବୁଆଡ଼ୁ ଶୂନ୍ୟ; ତାହାର ସମ୍ମୁଖରେ କେବଳ
ମାତ୍ର ବିଭୀଷିକା, ମାତ୍ର ଅତୀତର-ମଧୁର ଅତୀତର ସମୁଦାୟ କ୍ଳେଶମଧ୍ୟରେ ମର୍ମାନ୍ତିକ ଯନ୍ତ୍ରଣା ମଧ୍ୟରେ ଯୁବକର ସାନ୍ତ୍ୱନାସ୍ଫୂତ୍ତି ନିହିତ-ସାନ୍ତ୍ୱନା ସୁଧାର କଣିକାଟିଏ ଲୁକ୍କାୟିତ । ଯୁବକ ଦେଖୁଅଛି–ଯୁବକ ଶୁଣୁଅଛି । କ’ଣ ଦେଖୁଅଛି କ’ଣ ଶୁଣୁଅଛି, ସେହି ଜାଣେ । ତାହାର ଆକାଶ−ନିବିଷ୍ଟନୟନ ଦୂରାଗତ ତାରାଲୋକ ଲକ୍ଷ୍ୟ କରୁଛି କି ନାହିଁ ସନ୍ଦେହ । ତାହାର ସ୍ତବ୍ଧ ଶ୍ରବଣ, ଜାହ୍ନବୀର ମଧୁର କଳନିନାଦ ଉପଭୋଗ କରୁଅଛି । ମଧୁର ଯୌବନର ଅତୀତ ଆଶାର ଭଗ୍ନଚିତ୍ର, ଆଉ ଭଗ୍ନବୀଣାର ଛିନ୍ନତାରରେ ଏକ ବେସୁରାରାଗିଣୀ । ଯୁବକ ନିବିଷ୍ଟ ମନରେ ଚିନ୍ତାନିରତ । ତାହାର ହୃଦୟରେ ଏକ ଅପୂର୍ବ ଲାବଣ୍ୟମୟୀ ମୂର୍ତ୍ତି । ସେ ମୂର୍ତ୍ତି କ୍ଷଣେ ହସୁଅଛି, ଆକାଶ ଅଙ୍କସ୍ଥିତ ବିମଳ ଚନ୍ଦ୍ରମାତୁଲ୍ୟ କ୍ଷଣେ ହସୁଅଛି; ପୁଣି ପରକ୍ଷଣରେ ରୋଷ−ଜଜରିତ ବଦନରେ ଭ୍ରୂକୁଟି− କୁଟିଳ ନେତ୍ରରେ ଚାହୁଁଅଛି । ପରକ୍ଷଣରେ ସବୁ ଅନ୍ଧକାର; କିନ୍ତୁ ଅନ୍ଧକାରକୁ ଉଜ୍ଜ୍ୱଳ କରି ସେ ମୂର୍ତ୍ତି ଜଳି ଉଠୁଅଛି; କି ସାଧ୍ୟ ଅନ୍ଧକାର ତାହାକୁ ଘୋଡ଼ାଇ ରଖିବ ? ସେ ଦୀପ୍ତ ଆନନ୍ଦ, ନୈରାଶ୍ୟର ଘନ ଅନ୍ଧକାରରେ ଉଜ୍ଜ୍ୱଳ । ଯୁବକ ଦେଖୁଅଛି, ଭୁଲୁଅଛି, ନୟନରୁ ଅବିରଳ ଅଶ୍ରୁ ଝରୁଅଛି । ପୁଣି ପରକ୍ଷଣରେ ଆତ୍ମସଂଯମ କରି ଭାବୁଅଛି, କାହିଁକି କାହିଁକି ଏ ଚିନ୍ତା, ଏ ବିଳାପ, ଯେ ମୋହର ନୁହେ, ମୋହର ହେବ ନାହିଁ, ଯାହାର ଚିନ୍ତା ମଧ୍ୟ ପାପ, ପୁଣି ତାହାରି ଧ୍ୟାନ ତାହାରି ରୂପସୁଧାପାନ, ପ୍ରଭୁ ଶକ୍ତି ଦିଅ, ହେ ବିଶ୍ୱନାଥ ହେ କାଶୀନାଥ, ଶକ୍ତି ଦିଅ, ରକ୍ଷାକର ପ୍ରଭୁ-! ଯୁବକ ପୁଣି ଭାବିଲା, ଭାବନାରେ ଦୋଷ କ’ଣ ? ନିଷ୍ଠୁର ନିୟତି ତାହା ପ୍ରତି ବାମ, ମାତ୍ର ସେଥିରେ ତାହାର କି ଦୋଷ ? ଯୁବକ ନାନାକଥା ଭାବୁଅଛି-ଭବିଷ୍ୟତ୍, ବର୍ତ୍ତମାନ, ଅତୀତ । ଭବିଷ୍ୟତ୍ ଅନ୍ଧକାର−ମୟ, ଅଜ୍ଞାତ । ବର୍ତ୍ତମାନ ନୈରାଶ୍ୟ−କୁହେଳୀସମାଚ୍ଛନ୍ନ ! ଯୁବକ ଅନାଥ, ଆପଣାର କହିବାକୁ ତ୍ରିଜଗତରେ କେହି ନାହିଁ । ବାସ ନାହିଁ, କାର୍ଯ୍ୟ ନାହିଁ, ଯୁବକ ଅନାଥ । ଅଛି କେବଳ ଏକମାତ୍ର ସମ୍ୱଳ ବିଦ୍ୟା, ଆଉ କିଛି ନାହିଁ, ମାତ୍ର ଅଛନ୍ତି ମସ୍ତକୋପରି, ବିଶାଳ ଆକାଶୋପରି ଅନାଥର ନାଥ ବିଶ୍ୱର ସହାୟ ଭଗବାନ୍ । ବର୍ତ୍ତମାନ ତାହାଙ୍କ ଛଡ଼ା ଯୁବକର ଆଉ କେହି ନାହିଁ, ଅତୀତ-ଦୁଃଖର, ସ୍ମୃତିରେ ପୂର୍ଣ୍ଣ, ବାଲ୍ୟକାଳରୁ ମାତୃହୀନ, ମାତା ବୋଲି ଜାଣି ନାହିଁ, ଜ୍ଞାନତଃ ମା’ ବୋଲି ସମ୍ୱୋଧନ କରି ନାହିଁ । ଅତ୍ୟଳ୍ପ ବୟସରେ ପିତୃହୀନ । ପିତାଙ୍କର ମୁଖ ଛାୟାତୁଲ୍ୟ ଅସ୍ପଷ୍ଟ ପ୍ରତୀୟମାନ । ତତ୍ପରେ ପିତୃମାତୃତୁଲ୍ୟ ପୋଷଣକର୍ତ୍ତା ଓ ସ୍ନେହଦାତ୍ରୀ । ସେମାନଙ୍କର ବିଶାଳ ସେହ୍ନ, ଅଭାଗା ଭୁଲି ପାରୁ ନାହିଁ । ନିଜର ବିରାଟ ଅଯୋଗ୍ୟତା ସ୍ମରଣ କରି ହୃଦୟ କ୍ଷୁବ୍ଧ । ଯୁବକ ଅଧୀର, ଅଶାନ୍ତ, ଉଦ୍ଭ୍ରାନ୍ତ; ରାତ୍ରିର ଗଭୀରତା ପ୍ରତି ତାହାର ଦୃଷ୍ଟି ନାହିଁ, ଦୂରାଗତ ଝିଲ୍ଲିସ୍ୱନ ପ୍ରତି ତାହାର କର୍ଣ୍ଣ ନାହିଁ, ନୟନ ଓ ଶ୍ରବଣ ଉଭୟେ ଅନ୍ତରର ଅନ୍ତରତମ ରାଜ୍ୟରେ, ଯୁବକ ଧ୍ୟାନମଗ୍ନ । ସହସା କାହାର ଶୀତଳ କରସ୍ପର୍ଶ । ଯୁବକର ଧ୍ୟାନ ଭଗ୍ନ ହେଲା, ସେ ଉଠି ଠିଆ ହେଲା, ଆଗନ୍ତୁକ କର ଆକର୍ଷଣ କରି କହିଲା, “ଚାଲ ବାଞ୍ଛା ଦା, ରାତି ଯେ ୮ ଟା ହେଲାଣି । ଦାଦା ତୁମକୁ ନ ଦେଖି ମୋତେ କହିଲେ, ଯା’ ତ ରମେଶ ଦେଖିବୁ, ବାଞ୍ଛାନିଧି ବାବୁ କାହାନ୍ତି ? ମୁଁ ଖୋଜି ଖୋଜି ତୁମକୁ ନଦୀତଟରେ ଦେଖିଲେ । କ’ଣ ଏତେ ଚିନ୍ତା କରୁଛ ଭାଇ ?”
ଦୀର୍ଘନିଶ୍ୱାସ ସହ ବାଞ୍ଛାନିଧି କହିଲା, “ରମେଶ, ତୁମେ ବାଳକ, ତୁମର ଚିନ୍ତା କ’ଣ ? ତୁମର ପିତା ମାତା, ଦାଦା ବର୍ତ୍ତମାନ । ମୋପରି ହତଭାଗ୍ୟ ଅନାଥ ପିତୃମାତୃହୀନ ନିଃସହାୟ ହୋଇଥିଲେ ତୁମର ବି ଚିନ୍ତା ହୁଅନ୍ତା !” ରମେଶ ପରମ ସ୍ନେହରେ ବାଞ୍ଛାନିଧିର କର ମର୍ଦନ କରି କହିଲା, “ବାଞ୍ଛା ଦା, ଚିନ୍ତା କର ନା, ଭଗବାନ୍ ଅଛନ୍ତି । ଦାଦାଙ୍କର କଥା ଗୋଟାଏ, ତୁମେ ନିଶ୍ଚୟ ଚାକିରି ପାଇବ । ଆମରି ବନାରସୀ ଦୋକାନରେ ତୁମପରି ଲୋକ ରହିବା ତ ଦାଦାଙ୍କର ଭାରି ଇଚ୍ଛା ।”
ଏକ ଗଭୀର ଦୀର୍ଘନିଃଶ୍ୱାସ ସହ ବାଞ୍ଛାନିଧି କହିଲା, “ତା ତ ତୁମ ଦାଦାଙ୍କର ଅନୁଗ୍ରହ-।” ତାହାର ମୁଖର କଥା ନ ସରୁଣୁ ଯୁବକଦ୍ୱୟ ସଂକୀର୍ଣ୍ଣ ଗଳି ପଥରେ କ୍ଷଣକେ ଅଦୃଶ୍ୟ ହୋଇଗଲେ