ବରଗଛ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ଶିଶୁବୋଧ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୪୨
- ସ୍ଥିତି
- ସାର୍ବଜନୀନ (Public domain)
ବରଗଛ ଖୁବ୍ ବଡ଼ ଗଛ ଅଟେ । ଏହାର ଡାଳମାନ ବହୁତ ଦୂର ଚାଲିଯାଏ । ଏପରି ଅନେକ ବଡ଼ ବରଗଛ ଅଛି; ଯାହା ତଳରେ କେତେ ବାଟୋଇ ଖରାବେଳେ ଓ ରାତ୍ରିକାଳରେ ଆଶ୍ରା ନେଇ ରହନ୍ତି । ବରଗଛର ଡାଳମାନଙ୍କରୁ ଅନେକ ସିଅ ବାହାରି ତଳକୁ ତଳକୁ ଓହ୍ଲାଇଆସି ଶେଷରେ ମାଟିକୁ ଭେଦି ସେଥିରେ ପଶିଯାଏ । ସେହି ସିଅମାନଙ୍କୁ ଓହଳ ବୋଲାଯାଏ । ବରଗଛ ବଡ଼ ଚାନ୍ଦୁଆପରି ଓ ତାହାର ଓହଳଗୁଡ଼ିକ ଖମ୍ବ ପରି ଦିଶେ । ଏ ଗଛ କେତେ ପ୍ରାଣୀର କେତେ ଉପକାର କରେ । ଖରାବେଳେ ଏହାର ଛାୟାରେ ବସିଲେ ଆମ୍ଭମାନଙ୍କର ଦେହ ଶୀତଳ ହୋଇଯାଏ । ଶତ ଶତ ପକ୍ଷୀ ଏହାର ଡାଳରେ ବସି ଏହାର ସୁନ୍ଦର ନାଲିଆ ଫଳ ଖାଇ ମିଷ୍ଟ ସ୍ୱରରେ ଗାନ କରନ୍ତି । ଗୋରୁ, ମହିଷ ପ୍ରଭୃତି କେତେ ଜନ୍ତୁ ଏହାର ଛାୟାରେ ଶୋଇ ପାକୁଳି କରନ୍ତି ।
ଚାଲ ବୁଲିଯିବା ନଦୀର ତଟ,
ଅଛି ଯହିଁ ବଡ଼ ପୁରୁଣା ବଟ ।
ତରୁ ମଧ୍ୟେ ରାଜା ଅଟଇ ବର,
ପତ୍ର-ଛତ୍ର ତା’ର କେଡ଼େ ସୁନ୍ଦର ।
ଛାୟା ତା’ର ଆହା କି ସୁଶୀତଳ,
କି ସୁନ୍ଦର ଦିଶେ ତାହାର ଫଳ ।
ବଡ଼ ଖରା ଏବେ ବୈଶାଖ ମାସ,
ବଟ ତରୁତଳେ ବସିବା ଆସ ।
ସମ୍ବନ୍ଧିତ ରଚନା
ମନୁଷ୍ୟର ଧର୍ମବୁଦ୍ଧି
ମଧୁସୂଦନ ରାଓ
ଦ୍ୱିତୀୟ ପ୍ରସ୍ତାବ
ମଧୁସୂଦନ ରାଓ