ଆନ୍ଦ୍ରୋକ୍ଲିସ୍ ଓ ସିଂହ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ସାହିତ୍ୟ ପ୍ରସଙ୍ଗ
- ପଢ଼ିବା ସମୟ
- ୪ ମିନିଟ୍
- ଶବ୍ଦ
- ୬୦୩
- ସ୍ଥିତି
- ସାର୍ବଜନୀନ (Public domain)
ପ୍ରାଚୀନକାଳରେ ଯବନମାନଙ୍କ ଦେଶରେ ଆନ୍ଦ୍ରୋକ୍ଲିସ୍ ନାମକ ଜଣେ ମନୁଷ୍ୟ କୈାଣସି ଧନୀଲୋକର ଗୃହରେ କ୍ରୀତଦାସରୂପେ ଥିଲା । ତାହାର ପ୍ରଭୁ ତାହା ପ୍ରତି ଏତେ ନିଷ୍ଠୁର ବ୍ୟବହାର କରୁଥିଲେ ଯେ, ସେ ଅବଶେଷରେ ତାହା ସହି ନ ପାରି ଏବଂ ପ୍ରତିକାରର କୈାଣସି ଉପାୟ ନ ଦେଖି ମନରେ ବିଚାରିଲା, ‘‘ଏପରି ଘୋର କ୍ଲେଶରେ ରହିବା ଅପେକ୍ଷା ମରଣ ସହସ୍ର ଗୁଣେ ଭଲ । ମୁଁ ଏଠାରୁ ପଳାଇଯିବି । ଧରାପଡ଼ିଲେ ମରଣ ନିଶ୍ଚିତ; ଶ୍ୱାପଦସଙ୍କୁଳ ଅରଣ୍ୟକୁ ପଳାଇଗଲେ ହିଂସ୍ରଜନ୍ତୁର ଗ୍ରାସରେ ପଡ଼ିବା ସମ୍ଭାବ୍ୟ । ଏଠାରେ ଏପରି ନିଦାରୁଣ ଯନ୍ତ୍ରଣା ସହିବା ଅପେକ୍ଷା ବନରେ ଶ୍ୱାପଦଦ୍ୱାରା ନିହତ ହେବା ବରଂ ଭଲ ।’’
ଏହି ସଂକଳ୍ପ କରି ସେ ପ୍ରଭୁଗୃହରୁ ପଳାଇଗଲା ଏବଂ ନଗରର ଅଦୂରବର୍ତ୍ତୀ ନିବିଡ଼ ବନମଧ୍ୟରେ ଲୁଚିରହିଲା ସେ ଏକ ସଂକଟରୁ ପାରହୋଇ ବନମଧ୍ୟରେ ଦ୍ୱିତୀୟ ସଂକଟରେ ପଡ଼ିଲା-। ଦିନଯାକ କଣ୍ଟକମୟ ଘୋର ଦୁର୍ଗମ ଅରଣ୍ୟରେ ବୁଲିବାରୁ ତାହାର ଦେହ କ୍ଷତବିକ୍ଷତ ହୋଇଗଲା । କ୍ଷୁଧାରେ ଅସ୍ଥିର ଏବଂ କ୍ଲାନ୍ତିରେ ନିତାନ୍ତ ମ୍ରିୟମାଣ ହୋଇ ସେ ବନମଧ୍ୟସ୍ଥ ଗୋଟାଏ ଗୁହାମଧ୍ୟରେ ଆଶ୍ରୟ ଗ୍ରହଣ କଲା ।
ଉକ୍ତ ଗୁହାରେ କିଛିକ୍ଷଣ ପଡ଼ିରହିଲା ପରେ ସେ ଗୋଟାଏ ଭୀଷଣ ଗର୍ଜ୍ଜନ ଶୁଣିବାକୁ ପାଇଲା । ସେହି ଶବ୍ଦ କୈାଣସି ବଡ଼ ଶ୍ୱାପଦର ଗର୍ଜ୍ଜଡ଼ ବୋଲି ଜାଣିପାରି ସେ ଭୟରେ କାତର ହେଲା । ପଳାଇଯିବା ଅଭିପ୍ରାୟ ସେ ଗହ୍ୱରର ମୁଖ ପର୍ଯ୍ୟନ୍ତ ଆସି ଦେଖିଲା ଯେ, ଗୋଟାଏ ପ୍ରକାଣ୍ଡ ସିଂହ ତାହା ଆଡ଼କୁ ଆସୁଅଛି ଓ ପଳାଇବାର ବାଟ ନାହିଁ । ସିଂହହସ୍ତରେ ନିଜର ନିଧନ ଅବଶ୍ୟମ୍ଭାବୀ ବୋଲି ବିଚାରି ସେ ଭୟରେ ସ୍ତମ୍ଭିତ ହୋଇ ଚିତ୍ରାର୍ପିତପ୍ରାୟ ରହିଅଛି, ଏପରି ସମୟରେ ସେ ଆଶ୍ଚର୍ଯ୍ୟାନ୍ୱିତ ହୋଇ ଦେଖିଲା ଯେ, ସିଂହ ଧୀରେ ଧୀରେ ପଦବିକ୍ଷେପ କରି ଆସୁଅଛି ଏବଂ ତାହାର କୈାଣସି ପ୍ରକାର କ୍ରୋଧ ବା ହିଂସା ଲକ୍ଷିତ ହେଉନାହିଁ । ସହସା ସିଂହ ଏକପ୍ରକାର ଆର୍ତ୍ତରବ କରି ସେହି ମନୁଷ୍ୟର ସମ୍ମୁଖରେ ଉପସ୍ଥପିତ ହେଲା ।
ଆନ୍ଦ୍ରୋକ୍ଲିସ୍ ସ୍ୱଭାବତଃ ସ୍ଥିରମତି ଥିବାରୁ ସେ ସିଂହ ଆଡ଼କୁ ଅନାଇ ଦେଖିଥିଲା ଯେ, ତାହାର ଗୋଟିଏ ପାଦର ଗତି ବିକଳ ହୋଇଅଛି ଓ ସେହି ହେତୁରୁ ସେ ଖଲେଇ ଖଲେଇ ଚାଲୁଅଛି । ସେ ଆହୁରି ନିରୀକ୍ଷଣ କରି ଦେଖିଲା ଯେ, ସେ ପାଦଟି ଫୁଲିଅଛି । ସିଂହର ପାଦରେ କ୍ଷତ ବା ଜଖମ ହୋଇଥିବାର ଅନୁମାନ କରି ଏବଂ ତାହାର ଶାନ୍ତଭାବ ଦେଖି ସେ ଭୟ ପରିହାରପୂର୍ବକ ସିଂହ ନିକଟକୁ ଯାଇ ବୈଦ୍ୟ ରୋଗୀର ହସ୍ତସ୍ଥ ନାଡ଼ୀ ଦେଖିବା ପରି ଉକ୍ତ ପାଦକୁ ହସ୍ତରେ ଧରିଲା ଏବଂ ବୁଝିପାରିଲା ଯେ, ସେହି ପାଦରେ ଗୋଟାଏ ଅତି ବଡ଼ କଣ୍ଟା ପଶିଥିବାରୁ ତାହା ଫୁଲିଯାଇଅଛି । ଆନ୍ଦ୍ରୋକ୍ଲିସ୍ ସେହି ପାଦ ପରୀକ୍ଷା କଲାବେଳେ ସିଂହ କୈାଣସି ପ୍ରକାର କ୍ରୋଧର ଲକ୍ଷଣ ପ୍ରକାଶ କରିବା ଦୂରେ ଥାଉ, ଅନୁନୟର ଭାବ ପ୍ରକାଶ କରି ଯେହ୍ନେ କଣ୍ଟାଟି କାଢିଦେବା ପାଇଁ ପ୍ରାର୍ଥନା କରିବାକୁ ଲାଗିଲା । ଅନନ୍ତର ଆନ୍ଦ୍ରୋକ୍ଲିସ୍ କଣ୍ଟାଟି କାଢିଦେଲା ଏବଂ ଯେଉଁ ସ୍ଥାନ ଫୁଲିଥିଲା ତାହାକୁ ଚିପିଦେବାରୁ ସେଥିରୁ ବହୁପରିମାଣ ପୂଯ ବାହାରିଲା ।
ପୂଯ ନିଷ୍କାସନାନନ୍ତର ପାଦପୀଡ଼ାର ଉପଶମ ହୁଅନ୍ତେ ସିଂହ ଲମ୍ପ ଝମ୍ପ ହୋଇ କୃତଜ୍ଞ ଓ ସାହ୍ଲାଦଭାବ ପ୍ରକାଶ କରି ତାହାର ସୁବୃହତ୍ ଲାଙ୍ଗୁଳ ହଲାଇ ଆନ୍ଦ୍ରୋକ୍ଲିସ୍ର ହସ୍ତପଦ ଲେହନ କରିବାକୁ ଲାଗିଲା । ସେହି ମୁହୂର୍ତ୍ତରୁ ସିଂହ ତାହା ପ୍ରତି ପରମାତ୍ମାଭାବ ପୋଷଣ କରି ତାହାର ଆହାର ନିମି୍ତ୍ତ ପ୍ରତିଦିନ ମୃଗୟାଲବ୍ଧ ମାଂସ ଆଣିଦେବାକୁ ଲାଗିଲା । ଏହି ପ୍ରକାରେ ଉକ୍ତ ଲୋକ ସିଂହର ଆତିଥ୍ୟ ସମ୍ଭୋଗ କରି କିଛିକାଳ କଟାଇଲା ।
ଏଥିଉତ୍ତାରେ ଆନ୍ଦ୍ରୋକ୍ଲିସ୍ ଦିନେ ଅରଣ୍ୟମଧ୍ୟରେ ଅସାବଧାନଭାବରେ ବୁଲୁଥିବା ସମୟରେ ତାକୁ ଖୋଜୁଥିବା କେତେକ ସିପାହିଙ୍କ ହସ୍ତରେ ଧରାପଡ଼ିଲା ଏବଂ ସେ ଦେଶର ଆଇନ୍ ଅନୁସାରେ ପ୍ରଭୁଗୃହରୁ ପଳାଇଯିବା ଅପରାଧରେ ତାହା ପ୍ରତି ଏହି ଦଣ୍ଡାଜ୍ଞା ହେଲା ଯେ, ବହୁ ଦିବସର ଅନଶନ ଦ୍ୱାରା ଏକାନ୍ତ ବୁଭୁକ୍ଷିତ ଗାଟିଏ ଭୀଷଣ ସିଂହମୁଖରେ ତାହାକୁ ନିକ୍ଷେପ କରିବାକୁ ହେବ । ନିର୍ଦ୍ଦିଷ୍ଟ ଦିବସ ଉପସ୍ଥିତ ହୁଅନ୍ତେ ସେହି ଅସହାୟ ଲୋକଟି ଗୋଟିଏ ସୁବୃହତ୍ ପ୍ରାଙ୍ଗଣକୁ ଆନୀତ ହେଲା । ସେଠାରେ ସହସ୍ର ସହସ୍ର ଲୋକ ଆନ୍ଦ୍ରୋକ୍ଲିସ୍ର ସେହି ଭୟଙ୍କର ଶାସ୍ତି ଦେଖିବା ନିମିତ୍ତ ରୁଣ୍ଡ ହୋଇଥିଲେ । ସହସା ଗୋଟାଏ ଭୟାବହ ଗର୍ଜ୍ଜନ ଶ୍ରୁତିଗୋଚର ହେଲା ଏବଂ ଗୋଟାଏ ପ୍ରକାଣ୍ଡକାୟ ସିଂହ ପିଞ୍ଜରରୁ ବାହାରି କ୍ରୋଧରେ ସଟାକେଶ ଫୁଲାଇଦେଇ, କରାଳ ରକ୍ତବର୍ଣ୍ଣ ଚକ୍ଷୁରୁ ଯେହ୍ନେ ଅଗ୍ନୁସ୍ଫୁଲିଙ୍ଗ ବିକିରଣ କରି ଏବଂ ଭୟଙ୍କର ମୁଖବ୍ୟାଦାନ କରି ଆନ୍ଦ୍ରୋକ୍ଲିସ୍ ଆଡ଼କୁ ମୂର୍ତ୍ତିମନ୍ତ ମୃତ୍ୟୁ ସ୍ୱରୂବ ଧାଇଁଆସିଲା । ତତ୍କ୍ଷଣାତ୍ ଘୋରାଦ୍ଭୁତ ଭାବରଯେ ଜନସଂଘ ସ୍ତମ୍ଭିତ ଓ ଅବାକ୍ ହୋଇଯାଇ ଆନ୍ଦ୍ରୋକ୍ଲିସ୍ର ନିଦାରୁଣ ବଧ ପ୍ରତୀକ୍ଷା କରିବାକୁ ଲାଗିଲେ । କିନ୍ତୁ କି ଅଭାବନୀୟ ବିସ୍ମୟର ବ୍ୟାପାର ଉପସ୍ଥିତ ହେଲା ! ସିଂହ ସେ ହତଭାଗ୍ୟ ଲୋକର ପ୍ରାଣ ସଂହାର ନ କରି ଓଲଟି ତାହାର ପାଦକୁ ବିଶ୍ୱସ୍ତ ସ୍ନେହୀ କୁକୁର ଯେପରି ପ୍ରଭୁପାଦରକୁ କୃତଜ୍ଞତାଭରେ ଲେହନ କରେ, ସେହିପରି ଚାଟିବାକୁ ଲାଗିଲା ଏବଂ ଅପହୃତ ପୁତ୍ରକୁ ପୁଣି ଫେରିପାଇଲେ ମାତା ଯେପରି ସ୍ନେହାନନ୍ଦରେ ଅଧୀରା ତଦ୍ବତ୍ ସ୍ନେହ ପ୍ରକାଶ କରିବାକୁ ଲାଗିଲା-।
ନଗରର ଶାସନକର୍ତ୍ତା ଏହି ଆଶ୍ଚର୍ଯ୍ୟ ବ୍ୟାପାର ଦେଖି ଆନ୍ଦ୍ରୋକ୍ଲିସ୍କୁ ଡ଼ାକି ପଚାରିଲେ, ‘‘ଆରେ ହତଭାଗ୍ୟ ! ତୁ ମୃତ୍ୟୁକୁ ଲଂଘିବା ପାଇଁ ସିଂହଉପରେ ମନ୍ତ୍ରପ୍ରଭାବ ବିସ୍ତାର କରିଅଛୁ; ସତ୍ୟକଥା କହ, ତୋର ପ୍ରାଣଦଣ୍ଡ ଅଲଂଘନୀୟ ।’’ ତହୁଁ ଆନ୍ଦ୍ରୋକ୍ଲିସ୍ ତାହାର ଅରଣ୍ୟବାସର ସମୁଦାୟ ବୃତ୍ତାନ୍ତ କହିଲା । ଉପସ୍ଥିତ ଲୋକବୃନ୍ଦ ତାହା ଶୁଣି ଯୁଗପତ୍ ବିସ୍ମୟ ଓ ଆନନ୍ଦରେ ନିମଜ୍ଜିତ ହେଲେ ଏବଂ ସମସ୍ତେ ଏକବାକ୍ୟରେ ଶାସନକର୍ତ୍ତାଙ୍କୁ କହିଲେ,‘‘ଆନ୍ଦ୍ରୋକ୍ଲିସ୍କୁ କ୍ଷମା କରନ୍ତୁ ।’’ ଶାସନର୍ତ୍ତା ଜନମଣ୍ଡଳୀର ପ୍ରାର୍ଥନା ପୂର୍ଣ୍ଣକଲେ ଏବଂ ଆନ୍ଦ୍ରୋକ୍ଲିସ୍ର ପ୍ରାଣଦାତା ସିଂହକୁ ଆନ୍ଦ୍ରୋକ୍ଳିସ୍ ହସ୍ତରେ ସମର୍ପଣ କଲେ ।
ସମ୍ବନ୍ଧିତ ରଚନା
ମନୁଷ୍ୟର ଧର୍ମବୁଦ୍ଧି
ମଧୁସୂଦନ ରାଓ
ଦ୍ୱିତୀୟ ପ୍ରସ୍ତାବ
ମଧୁସୂଦନ ରାଓ
ତୃତୀୟ ପ୍ରସ୍ତାବ
ମଧୁସୂଦନ ରାଓ
ବର୍ତ୍ତମାନ ଶିକ୍ଷାପ୍ରଣାଳୀ
ମଧୁସୂଦନ ରାଓ