ଅନନ୍ତମୂରତି ଅଣାକାର
ଭୀମ ଭୋଇ · ଭାଗ ୨ / ୨ · ଭାଗ ୨
ସମ୍ପୂର୍ଣ୍ଣ ସୂଚୀପତ୍ର
(୧୦)
କର୍ତ୍ତାଙ୍କ ଛାମୁରେ କରଯୋଡ଼ି ଶିରେ ନିତି କରୁଛି ଜଣାଣ ।କର ପ୍ରତିକାର ଭକତ ତୁମ୍ଭର ହୋଇଲେଣି ହୀନିମାନ ଯେ ।କିମ୍ପା ଗୁପତେ ଅଛ ।କଥା କାହିଁ ପାଇଁ ନ ଶୁଣୁଛ ।୧।କହନ୍ତି ଅଲେଖ ରହି ଶୂନ୍ୟଶିଖ କିଛି ନ କରରେ ଭୟ ।କରମୂଳେ ଆଣି ଭକ୍ତଙ୍କୁ ରଖିବି ଉଦ୍ଧରି ନେବି ନିଶ୍ଚୟରେ ।କଥା ଅଟଇ ସତ ।କାଳ ମୁଖେ ଦୁଷ୍ଟେ ହେବେ ହତ । ୨।କ୍ଷମାସାଗର ଅଲେଖ ଅବଧୂତ ତୁମ୍ଭପରା ପ୍ରଭୁ ଥାଉଁ ।ଖଳ କଥା ଶୁଣି ହୃଦ ହୁଏ ହାଣି ସମ୍ଭଳି ନୋହୁଛି ଆଉ ଯେ ।ଖେଦି ମାରୁଅଛନ୍ତି ।ଖୋଜି ଭକ୍ତେ ଠାବ ନପାବନ୍ତି ।୩।ଖଟିଥାଅ ଧ୍ୟାଇ ଅଭୟ ପାଦକୁ ଖେଦ ନ କରି ମନକୁ ।ଖଣ୍ଡ ଖଣ୍ଡ ହୋଇ ଖପର ଦାଢ଼ରେ ଛେଦିବି ଦୁଷ୍ଟ ବଳକୁରେ ।ଖାଲ ଢ଼ିପରେ ପଡ଼ି ।ଖର୍ବ ଖର୍ବ ସର୍ବ ଯିବେ ମରିରେ ।୪।ଗୁରୁଙ୍କ ଛାମୁରେ ଜଣାଣ କରୁଛି ପାଦପଦ୍ମ ତଳେ ପଡ଼ି ।ଗରବିତାପଣେ ଧାଇଁ ଦୁଷ୍ଟ ଗଣେ ଗର୍ଜି ହେଉଛନ୍ତି ଝାଡ଼ି ଯେ !ଗଞ୍ଜୁଛନ୍ତି ବହୁତ ।ଗାଳି ଭର୍ଚ୍ଛ ନାରେ ଅପ୍ରମିତ ।୫।ଗୋପନରେ ଅଛି, ନ ଭାଳରେ କିଛି ସହିଥାଅ ଗାଳି ଦ୍ୱନ୍ଦ୍ୱ ।ଗୋଧର୍ମ ଦାଣ୍ଡରେ ସଭିଙ୍କୁ ରଖିବି ଯେତେକ ଭକତ ବୃନ୍ଦରେ ।ଗର୍ବ ଗଞ୍ଜିବି ନିଶ୍ଚେ ।ଗହଣିଆ ଭକ୍ତ ଥିବେ ପଛେ ।୬।ଘରଦ୍ୱାର ଦୂର କରିଣ ତୁମ୍ଭର ଚରଣେ ଲଗାଇ ଆସ ।ଘଡ଼ିଏ ବିଶ୍ରାମ ନାହିଁ ବନ ଗ୍ରାମ ବୁଲୁଛନ୍ତି ତୁମ୍ଭ ଦାସ ଯେ ।ଘେରି ଘଉଡ଼ିଦ୍ୟନ୍ତି ।ଘନ ଘନ ରଡ଼ି ଛାଡ଼ୁଛନ୍ତି ।୭।ଘଉଡ଼ିଲେ ନର କି ହେବ ମୋହର ଏଥକୁ ନ ଭାଳ କିଛି ।ନିବାରିବା ପାଇଁ କଳିଯୁଗ ଭାରା ଶୂନ୍ୟଲୀଳା ଲଗାଇଛିରେ ।ନିନ୍ଦାସ୍ତୁତି ମୋ ସମ ।ନ ଜାଣି ନିନ୍ଦନ୍ତି ନରାଧମ ।୮।ଉଦେ ହୋଇଅଛ ଧର୍ମରକ୍ଷା ଅର୍ଥେ ସ୍ୱୟଂ ବୁଦ୍ଧ ବଇଷ୍ଣବ ।ଆପଣେ ଆପଣ ଆପେ ନିରିମାଣ ଶୂନ୍ୟବ୍ରହ୍ମ ଗୁରୁଦେବ ଯେ ।ଅନୁସରିଛି ଧ୍ୟାଇ ।ଆଉ ଅନ୍ୟରେ ଭରସା ନାହିଁ ।୯।ଅଣାକାରବ୍ରହ୍ମ କହୁ ଅଛୁ ଆମ୍ଭେ ଆରତ ନୁହରେ ବଳା ।ଆଠପଦ୍ମଭକ୍ତ ବ୍ରହ୍ମାଣ୍ଡେ ରଖିବି ଶୂନ୍ୟେ ଲଗାଇବି ଲୀଳାରେ ।ଆଉ ଯେତେ ସଂସାର ।ଅବଶ୍ୟ ହୋଇବ ନାରଖାର । ୧୦।ଚମକ ପଡ଼ୁଛି ଚଉଦ ବ୍ରହ୍ମାଣ୍ଡ ହାଟବାଟ ଜଳତୁଠେ ।ଚାହୁଁ ଚାହୁଁ ବଣା ହେଲେଣି ସରବେ ପଡ଼ି ମାୟାଛନ୍ଦ କୂଟ ଯେ ।ଚୋର ଚଣ୍ଡାଳ ବୋଲି ।ଚାରିଦିଗେ ଦେଉଛନ୍ତି ଗାଳି ।୧୧।ଚନ୍ଦ୍ରସୂର୍ଯ୍ୟ ମୋର ଆଜ୍ଞା ଘେନି କରି କରନ୍ତି ଫେରି ପହରା ।ଚାହିଁଥାଅ ସର୍ବେ ଯେ ଯାହା କହନ୍ତି ଅବଶ୍ୟ ପଡ଼ିବେ ଧରାରେ ।ଚାହିଁଛନ୍ତି ସକଳେ ।ଚାରିଦିଗେ ଅଷ୍ଟ ଦିଗପାଳେ ।୧୨।ଛନକା ପଶିଲା ପରାଏ ଜଗତ ହେଉଛନ୍ତି ଛନ୍ନ ଛନ୍ନ ।ଛନ୍ଦ କୂଟ ଲାଞ୍ଚମିଛେ ଧନ ଖାଇ କରୁଛନ୍ତି ଗର୍ବ ମାନ ଯେ ।ଛାଡ଼ି ସତ୍ୟ ବଚନ ।ଛନ୍ଦେ ହେଉଛନ୍ତି ତମ ତମ ଯେ ।୧୩।ଛଡବେଦ ପରେ ରହି ଶୂନ୍ୟବ୍ରହ୍ମ ବୋଲନ୍ତି ଶୁଣରେ ପୋଏ ।ଛାତି ଦମ୍ଢକରି ରହିଥାଅ ସର୍ବେ ଆଉ ଅଳ୍ପଦିନ ଯାଏରେ ।ଛଣା ହେଉଛି ଜ୍ଞାନ ।ଛନ୍ଦେ ନ ପଡ଼ ସୁଜ୍ଞାନୀ ଜନ ॥୧୪।ଯୁଗ କରତା ଅଭୟ ବରଦାତା ଶରଣ ପଞ୍ଜର ଗୁରୁ ।ଯୋଗୀନ୍ଦ୍ର ଜ୍ୟୋତି ସଚିଦାନନ୍ଦ ପତି ଅବ୍ୟକତ ମହାମେରୁ ଯେ ।ଜାଣ ସକଳ ଧର୍ମ ।ଜଗତକୁ କିମ୍ପା କର ଭ୍ରମ ।୧୫।ଜାତ ମୁଁ କରିଛି ଆଜ୍ଞା ମୁଁ ଦେଇଛି ମୋତେ ସେବାକର ବୋଲି ।ଜାଣିଶୁଣି କରି ଆଜ୍ଞାକୁ ପାଶେରି ଅମଡ଼ାରେ ଗଲେ ଚାଲିରେ ।ଜୀବ ନାହିଁ ମୋ କିସ ।ଯେଝାକର୍ମେ ସର୍ବେ ଯିବେ ନାଶ ।୧୬।ଝଗଡ଼ା ଜଞ୍ଜାଳ ଝଞ୍ଜକାରେ ପଡ଼ି ଝୁମାଇଁ ହେଲେଣି ମନେ ।ଝର ମକରନ୍ଦ ଛାଡ଼ି ଗୁରୁ ପାଦ ବାଳୁତ ପରାଏ ଜନେ ହେ ।ଝଟତିରେ ତା ହେଉ ।ଝଗଡ଼ାରେ ବି ଭୟ ନଥାଉ । ୧୭।ଝଡ଼ିବେ ଯେତେକ । ଝବୁଡ଼ି ଆଲୋକ ଦୁଷ୍ଟବଳ ଯେତେ ହେବେ ।ଝାଡ଼ ପର୍ବତ ନଦୀ ବନ ଗ୍ରାମରେ ଯେ ଠାବେ ଯେ ଯହିଁଥିବେରେ ।ଝଡ଼ି ଯିବେ ପ୍ରମାଣ ।ଝଞ୍ଜକାରେ ହୋଇ ରଣଭଣ ।୧୮।ଆପ ମହିମାରେ ଉଦେ ହୋଇଅଛ ଅରୂପ ବ୍ରହ୍ମ ମୂରତି ।ନ ଚିହ୍ନିଲେ କେହି ତୀର୍ଥବ୍ରତେ ବାଇ ରୂପ ରଙ୍ଗେ ଚାଲୁଛନ୍ତିରେ ।ନାନା ପଥେ ଭ୍ରମିଲେ ।ନାମ ଭଜନକୁ ନିନ୍ଦା କଲେ ।୧୯।ନିନ୍ଦା କଲେ ନର କି ହେବ ମୋର ଏଥୁ ନ ଭାଳ କିଛି ।ନିବାରିବା ପାଇଁ କଳିଯୁଗ ଭାରା ଶୂନ୍ୟ ମହାଶୂନ୍ୟେ ଅଛିରେ ।ନିଜ ମହିମା ଦେଖ ।ନିଦା ବ୍ରହ୍ମ ମୁଁ ଗୁରୁ ଅଲେଖ ।୨୦।ଟାହି ମାରୁଛନ୍ତି ଟମାଳି ମଣନ୍ତି ନିନ୍ଦା କରୁଛନ୍ତି ମୂଢ଼େ ।ଟାକି ଅଛୁ ପ୍ରଭୁ ତୁମ୍ଭ ଶ୍ରୀ ଆଜ୍ଞାକୁ ଅନୁସରି ଅଛୁ ଦୃଢ଼େ ଯେ ।ଟହ ଟହ ହସନ୍ତି ।ଟାଣେ ଜଡ଼ା ସମାନେ ଭାଷନ୍ତି ।୨୧।ଟାଣ ଭାଙ୍ଗିବାକୁ ଆସିଅଛୁ ଆମ୍ଭେ ଟିକଏ ସମ୍ଭାଳ ବାବୁ ।ଟାହିକଲା ଲୋକ ଭାଙ୍ଗିଯିବ ବେକ ଅବଶ୍ୟ ଦେଖିବୁ ସବୁରେ ।ଟାହି କରିବ ଯେହି ।ଟିକାକରେ ସାଧ୍ୟ ହେବ ମହୀ ।୨୨।ଠାକୁରଙ୍କ ଆଗେ ଠିଆହୋଇ ଏବେ ପାଦପଦ୍ମେ ଜଣାଉଛି ।ଠଉରି ନୋହି ତେଣୁ ଜଣାଉଛି ଦେବକୂଟ ପଡ଼ୁଅଛି ଯେ,ଠାକୁର ଅନ୍ତର୍ଯ୍ୟାମୀ ।ଠିକେ ଦୟାକର ଗୁରୁ ସ୍ୱାମୀ । ୨୩।ଠିଆ ହୋଇ ଗୁରୁ ଠାରି କହୁଛନ୍ତି ଠିକେ ଶୁଣରେ କୁମର ।ଠୁଳ ଶୂନ୍ୟ ପରେ ରହି ଅନାମରେ ଆସନ କମ୍ପୁଛି ମୋରରେ ।ଠକେ ବାଞ୍ଚିତ ଚିତ୍ତେ ।ଠକି ରହ ଆଉ ଦିନା କେତେ ।୨୪।ଡରେ ଘନ ଘନ କମ୍ପେ ପିଣ୍ଡ ପ୍ରାଣ ଡାକି କହୁଛି ନିରତେ ।ଡାହାଣୀ ପିଚାସୀ ଭୂତପ୍ରେତ ଆସି ଡରାଉ ଅଛନ୍ତି ମୋତେ ।ଡର ଛେଦ ହେ ଗୁରୁ ।ଡିଙ୍ଗରଙ୍କ ଗାରିମା ଯେ ସରୁ ।୨୫।ଡାକି କହୁଅଛି ନିଷ୍କାମ ଭକ୍ତଙ୍କୁ ଯେତେ ଅଛି ମୋତେ ଭାବି ।ଡର ଭୟ ଦୁରକରି ରହିଥାଅ ଡୋର କଉପୀନ ଦେବିରେ ।ଢାକିଦେଉଛି କହି ।ଡିଙ୍ଗରକୁ ନ ରଖିବି ମହୀ ।୨୬।ଢୋକୁଛନ୍ତି ସର୍ବେ କାଳଚୁଟ ବିଷ ଅମୃତ ରସକୁ ଛାଡ଼ି ।ଢଳିପଡ଼ୁଛନ୍ତି ଧାଡ଼ି ଧାଡ଼ି ହୋଇ ମେଦିନୀ ଉପରେ ମାଡ଼ି ହେ ।ଢଙ୍ଗ ରଙ୍ଗରେ ମାତି ।ଢମପଣେ ହାସ୍ୟ କରୁଛନ୍ତି ।୨୭।ଢୋକୁଛନ୍ତି ସର୍ବେ କାଳିଆ ଗରଳ ଏଥର ଯିବେରେ କାହିଁ ।ଢଳିବେ ସମସ୍ତେ କାଳଚକ୍ରବାତେ ବର୍ତ୍ତିବାକୁ ଆଶା ନାହିଁରେ ।ଢଳି ପଡ଼ିବେ ସର୍ବେ ।ଢମପଣିଆ ଜଣେ ନ ଥିବେ । ୨୮।ଅନାଥ ପରାଏ ଅନୁସରି ଅଛୁ ଅସୁରଙ୍କ ଧାପ ଦେଖି ।ଆସି କହୁଛନ୍ତି ଆମ୍ଭର କତିକି ଡରେ ବୁଜି ବେନି ଆଖି ଯେ ।ଅନ୍ଧ ପ୍ରାଏ ବସିଛି ।ନାମ ବ୍ରହ୍ମଙ୍କୁ ଆଶ୍ରେ କରିଛି । ୨୯।ଅଣାକାର ଧୁନି ଯେଉଁଦିନ ଆଣି ସ୍ତାପିଦେଲୁ ମର୍ତ୍ତ୍ୟପୁରେ ।ଅସୁର ମେଳଛ ନିବାରିବାପାଇଁ ସ୍ୱୟଂ ବିଜେ ରବି ତଳରେ ।ଆଠପଦ୍ମ ଭକତ ।ରଖି ନାଶିବି ଦୁଷ୍ଟ ସମସ୍ତରେ ।୩୦।ତ୍ରିଲୋକ୍ୟନାଥଙ୍କ ପାଦପଦ୍ମ ବିନା କିଛି ନ ରୁଚଇ ମୋତେ ।ଚରଣ ଧରୁଛି ପାଦେ ଜଣାଉଛି ତ୍ରାହିକର ଦୟାଚିତ୍ତେ ଯେ ।ତତ୍ତ୍ୱ ସନ୍ଦେଶ କହ ।ତୁମ୍ଭ ପାଦତଳେ ନେଇ ଥୁଅ ।୩୧।ତରତର ନୁହ ସହି ରହିଥାଅ ଡେରିଅଛି ଦିନାକେତେ ।ତିନି ବ୍ରହ୍ମାଣ୍ଡକୁ ଲେଉଟାଇ ଦ୍ୟନ୍ତି ସିନ୍ଧୁ ମଧ୍ୟରେ ଅଦ୍ଭୁତରେ ।ତିଳ ପ୍ରାୟକ ମୋତେ ।ତାହା ସହିଛି ଭକ୍ତ ନିମନ୍ତେ । ୩୨।ଥର ଥର ହୋଇ ଥରୁଛି ଜୀବନ ଆଜ୍ଞାକୁ ଟାକି ରହିଛି ।ଥଳକୂଳ ବୋଲି ନ ଜାଣିଲି କିଛି ଅଥଳେ ଭାଷି ଯାଉଛି ଯେ ।ଥୋକାଏ ଯେ ରଖ ପାଦେ ।ଥୟ ନ ଲାଗୁଛି ଅପ୍ରମାଦେ ।୩୩।ଥାଅରେ ଭକତେ ସମ୍ଭାଳି ଜଗତେ ଦୁଃଖ ଦରିତ ଖଣ୍ଡିବି ଥୋଇବିସଭିଙ୍କୁ ଏକାମ୍ବର ବନେ ବାନା ଘୋଡ଼ାଇ ରଖିବିରେ ।ଥୟ କରିବି ପୃଥ୍ୱୀ ।ଥିବ ସମସ୍ତେ ମୋ ପଛ କତି ।୩୪।ଦୁଷ୍ଟଦଳନ ବାନାକୁ ବହିକରି ବୁଝନ୍ତୁ ତୁମ୍ଭର ଦାସ ।ଦାତା ଦେବା ଅନ୍ନ ଭୁଞ୍ଜିଲା ବେଳକୁ ଦିଅନ୍ତି ଧୂଳି ପାଉଁଶ ଯେ ।ଦୁଷ୍ଟ ଦାନବ ଆସି ।ଦ୍ୟନ୍ତି ଘଉଡ଼ି ଦୁର୍ଭାଷ ଭାଷି ଯେ ।୩୫।ଦେଖୁଅଛୁ ଆମ୍ଭେ ଶୂନ୍ୟମାର୍ଗେ ରହି ଯେ ଯାହା ଅଛନ୍ତି କହି ।ଦୁଷ୍ଟଦାନବଙ୍କୁ ନ ରଖିବି ମଞ୍ଚେ ମେଳଛ ନିନ୍ଦୁକ ଯେହିରେ ।ଦୃଢ଼ ପ୍ରତିଜ୍ଞା ମୋର ।ଦୟାଧର୍ମ କରିବି ପ୍ରଚାର ।୩୬।ଧରିନେଇ କେହି ଧରମ ଦାଣ୍ଡରୁ ବନ୍ଦିରେ ଦ୍ୟନ୍ତି ପକାଇ ।ଧର୍ମକୁ ନ ମାନି ଧାମ ଭାଙ୍ଗୁଛନ୍ତି କୁକଥା ବଚନେ କହି ଯେ ।ଧର୍ମବନ୍ତ କରତା ।ଧର୍ମେ ବୁଝ ଶୂନ୍ୟବ୍ରହ୍ମ ବେତ୍ତା ।୩୭।ଧର୍ମରେ ଏ ମହୀ ରଖିବାର ପାଇଁ ଆସିଅଛୁ ଆମ୍ଭେ ଧାଇଁ ।ଧର୍ମେ ନ ଚାଲିଣ ଧାମ ଯେ ଭାଙ୍ଗିବ ଭର୍ତ୍ସନା ବଚନ କହିରେ ।ଧର୍ମ ଯେହୁ ନିନ୍ଦିବେ ।ଧୂଳି ପ୍ରାଏ ଚୂର୍ତ୍ତ ହୋଇ ଯିବେରେ ।୩୮।ନିଦ୍ରା ନ ମାଡ଼ଇ ଅନ୍ନ ନ ରୁଚଇ ଦେଖି ଭକତଙ୍କ ଦୁଃଖ ।ନିଜ ଗୁରୁ ହୋଇ ତୁମ୍ଭେ ନ ରଖିଲେ ବୁଡ଼ିବ ତୁମ୍ଭର ଭେକ ଯେ ।ନିଜ ମହିମା ମେରୁ ।ନେଇ ଭକ୍ତଙ୍କୁ ରଖ ଦୁସ୍ତରୁ ।୩୯।ନିଜ ଗୁରୁ ଆମ୍ଭେ ଡାକି କହୁଅଛୁ ଶୁଣରେ କୁମରମଣି ।ନୋହିଲେ ଯିବ ଏ ତ୍ରିପୁର ସଂସାର କାଳଚକ୍ରେ ହେବ ହାଣିରେ ।ନାହିଁ ନୋହିବ ବାସ ।ନିଶ୍ଚେ ହୋଇବ ପୃଥ୍ୱୀ ଉଶ୍ୱାସ ।୪୦।ପ୍ରଭୁପଣେ ପୂରି ରହିଛ ଆପଣ ପରମ ତୁମ୍ଭର ଦାସ ।ପରାପର ନୁହ ପୂରି ରହିଥାଅ ଆଉ ମୁଁ କହିବି କିସ ଯେ ।ପୂର୍ଣ୍ଣାନନ୍ଦ ମହିମା ।ପ୍ରଭୁ ପଣକୁ ଏକା ଉପମା ।୪୧।ପ୍ରତ୍ୟେ କରି ମୋର ପାଦପଦ୍ମ ଧ୍ୟାଇ ଅନୁସରି ରହିଥାଅ ।ପ୍ରଳୟ ପ୍ରକୃତି ବାଧା ନ ଲାଗିବ ପରାପର ସମ ଚାହିଁରେ ।ପାଶୋରିବ ନାହିଁ ଚିତ୍ତୁ ।ପ୍ରଚେ କରିଦେବି ପୂର୍ବ ହେତୁ ।୪୨।ଫେଡ଼ିକହ ପ୍ରଭୁ କେତେ ଦିବସରେ ଆସିବ ଏ ଧରତୀକି ।ଫୁରୁଣା ହୋଇବୁ କର୍ଣ୍ଣମୂଳେ ଶୁଣି ନୟନ ଗୋଚର ଦେଖି ଯେ ।ଫେଡ଼ିଦିଅ ସଂଶୟ ।ଫୁଟୁ ମନୁଭ୍ରାନ୍ତି କହିଦିଅ ।୪୩।ଫେଡ଼ି ଶୂନ୍ୟବାସୀ କହନ୍ତି ଆଶ୍ୱାସୀ ଅବତାର ଆମ୍ଭେ ନୋହୁ ।ଫେରୁଥାଉ ଏହିପରି ଚାରିଯୁଗେ ବୁଦ୍ଧ ଶରୀରଟି ବହୁରେ ।ଫେରୁ ଏ ବସୁନ୍ଧରୀ ।ଫେଡ଼ି କହି ଦେଉଛୁ ବିସ୍ତାରି ।୪୪।ବାଇ ପ୍ରାୟ ହୋଇ ଜଣାଣ କରୁଛ କୋପ ନ କରିବ ଚିତ୍ତେ ।ବାରମ୍ଭାର ପାଦ ଗତେ ଜଣ ଉଛି ତ୍ରାହିକର ପ୍ରଭୁ ମୋତେ ଯେ ।ବ୍ରହ୍ମଗୁରୁ ଅନାଦି ।ବ୍ରହ୍ମାଣ୍ଡ ରଖ ପ୍ରଭୁ ସମ୍ପାଦି । ୪୫।ବୁଦ୍ଧରୂପ ଧରି ଇଚ୍ଛାରେ ବିହରି ଏ ବ୍ରହ୍ମାଣ୍ଡେ ବୁଲୁଥାଏ ।ବୃକ୍ଷର ବକଳ ପିନ୍ଧାଇ ଭକ୍ତଙ୍କୁ ଭାବରେ ଦର୍ଶନ ଦିଏରେ ।ବହି ବୁଦ୍ଧ ଶରୀର ।ବ୍ୟୟ ଆୟ ନାହିଁନା ମୋହର ।୪୬।ଭୟ ନିବାରଣ ଭକତ ତାରଣ ଅଖିଳ କରତା ଗୁରୁ ।ଭାବ ଭକ୍ତି କଥା କେମନ୍ତ ବାରତା ଆଜ୍ଞା ହେଉ ଶ୍ରୀମୁଖରୁ ଯେ ।ଭାବେ କହ ଗୋସାଇଁ ।ଭକ୍ତ କେମନ୍ତ ଲୋକଙ୍କୁ କହି ଯେ ।୪୭।ଭକତ ଲକ୍ଷଣ ଅଟଇ ନିର୍ଗୁଣ କାହାକୁ ଅନ୍ତର ନାହିଁ ।ଭାଇ ବନ୍ଧୁ ପ୍ରାଏ ସମାନରେ ଚାହିଁ ଏକ ଆତ୍ମା ମଣୁଥାଇରେ ।ଭଜୁଥାଇ ମୋ ନାମ ।ଭାବେ ମୋ ପାଦେ ପଶେ ଶରଣ ।୪୮।ମହାମହିମା ମେଦିନୀ କେଉଁ ରୂପେ କଲ ହେ ପ୍ରଭୁ ଭିଆଣ ।ମହା ସଂଶୟ ଲାଗିଲା ଗୁରୁ ମୋତେ ବୁଝାଇ କହ ଆପଣ ଯେ ।ମହାପୁରୁଷ ହୋଇ ।ମାୟାଜାଲ କଲ କାହିଁ ପାଇଁ ଯେ ।୪୯।ମହାଶୂନ୍ୟ ଶିଖେ ରହିଅଛୁ ଏକା ନିଶ୍ୱାସୁ ମରୁତ ହେଲା ।ମେରୁ ମନ୍ଦରକୁ ମଣିଲୁ ମେଦିନୀ ମନୁ ବ୍ରହ୍ମା ବୋଲାଇଲାରେ ।ମନୁ ଜଗତ ହେଲା ।ମାୟା ଆଦିଶକ୍ତି ବୋଲାଇଲା ।୫୦।ଜଣାଣ କରୁଛି ଚରଣ ଧରୁଛି ପଡ଼ୁ୍ରଛି ପାଦତଳ ।ଜଗତରେ ପ୍ରଭୁ କେମନ୍ତ ପ୍ରକାରେ ସତ୍ୟ ଧର୍ମକୁ ସ୍ଥାପିଲେ ଯେ ।ଜାଣି ନ ଥିଲେ କେହି ।ଜଗତକୁ ମାୟା ଥିଲା ମୋହି ।୫୧।ଯେଉଁ ଦିନୁ କଳି ଦଶସସ୍ର ବର୍ଷ ଭୋଗ ହୋଇଗଲା ପୂର୍ଣ୍ଣ ।ଜଗନ୍ନାଥ କ୍ଷେତ୍ରେ ପ୍ରବେଶ ହୋଇଲୁ ବୁଦ୍ଧ ଶରୀର ବହିଣ ସେ ।ଜଗନ୍ନାଥ ଜାଣିଲା ।ଜାଣି ମୋ ଚରଣ ସେବାକଲା ।୫୨।ରଚିଲ ବ୍ରହ୍ମାଣ୍ଡ ପୃଥ୍ୱୀ ନବଖଣ୍ଡ କେଉଁଠାରୁ କଲ କିସ ।ରହିଥିଲ କେଉଁଠାରେ ମଠ କରି କାହିଁରେ ତୁମ୍ଭ ପ୍ରବେଶ ଯେ ।ଋଷି କାହୁଁ ହୋଇଲେ ।ରହି କେଉଁଠାରେ ସେବାକଲେ ।୫୩।ରହି ନାହିଁ କାହିଁ କପିଳାସେ ଯାଇଁ ଗୋବିନ୍ଦ ଦାସ ଭେଟିଲା ।ରତ୍ନ ବସ୍ତ୍ର ଆୟ ଅଳଙ୍କାର ତେଜି ଶୂନ୍ୟ ଘରୁ ବାନା ନେଲାରେ ।ଋଷି ଭକ୍ତେ ହୋଇଲେ ।ରହି ଆଜ୍ଞା ସେବାରେ ଖଟିଲେ ।୫୪।ଲୋଡ଼ି ଶୂନ୍ୟପଦ କରିଛି ସମ୍ପଦ ଅବନା ମନ୍ଦିରେ ଭେଦ ।ଲୟଦ୍ୱାରେ ପ୍ରଭୁ ଯାହା କହିଦେଲ ତାହା ମୁଁ କଲି ସମ୍ପାଦ ଯେ ।ଲେଖି ନୁହେ ମହିମା ।ଲୟେ ନ ଜାଣିଲେ ବେଦବ୍ରହ୍ମା ।୫୫।ଲୟ କରି ଦେଖ ମହାଶୂନ୍ୟ ଶିଖ ଉପରେ ରହିଛି ଏକା ।ହୋଇବ କାରଣ ଅନୁମାନେ ଚିହ୍ନ ଫିଟିବ ସକଳ ଦକାରେ ।ଲମ୍ବ ଛୋଟ ମୋ ନାହିଁ ।ଲାଗି ଦେଖ ଅଲଗାରେ ଥାଇ ।୫୬।ବଡ଼ ହୋଇ ପ୍ରଭୁ ତୁମ୍ଭଠାରୁ ଆଉ ଏ ବ୍ରହ୍ମାଣ୍ଡେ କେହି ନାହିଁ ।ବିନତି କରିଣ ପାଦେ ଜଣାଉଛି ବ୍ରହ୍ମଜ୍ଞାନୀ କେ ବୋଲାଇ ଯେ ।ବଚନରେ କୁହସାର ।ବ୍ରହ୍ମଜ୍ଞାନୀଙ୍କ କେଉଁ ବିଚାର ।୫୭।ବୋଲନ୍ତି ଅଲେଖ ମନେ କରି ଏକ ବ୍ରହ୍ମଜ୍ଞାନୀ ଯେ ବୋଲାଇ ।ବାଚ୍ଛନ୍ଦ ବିଚାର ସବୁ ସମାଚାର, ଧର୍ମଦାଣ୍ଡେ ଭିକ୍ଷା ଖାଇରେ ।ବାରଣ ନାହିଁନା ତାର ।ବିଶ୍ରାମ କରେ ଗ୍ରାମ ବାହାର ।୫୮।ଶ୍ରୀ ସ୍ୱାମୀ ହେ; ବ୍ରହ୍ମା ସବୁଠାରେ ସମ ଏ ଘଟେ ଅଛକି ରହି ।ସ୍ୱୟଂ ବ୍ରହ୍ମ ହୋଇଅଛ ତୁମ୍ଭେ ମହୀ କେଉଁ ଦୃଷ୍ଟିରେ ନ ଚାହିଁ ଯେ ।ସର୍ଜି କିମ୍ପର ବ୍ରହ୍ମାଣ୍ଡ ।ଶାନ୍ତି ନ କରୁଛ ଦେଇ ମଣ୍ଡ । ୫୯।ଶ୍ରୀ ଅଲେଖ କହେ ଶୁଣରେ ତନୟେ ପଚାରିଲୁ ମୋତେ ଯାହା ।ଶହେ ଶୂନ୍ୟ ତାରା ଚନ୍ଦ୍ରକିରଣ ଯେ ଏ ଅଟେ ମୋହର ଛାୟାରେ ।ଶୂନ୍ୟ ପବନ ପରି ।ସେହି ନିତ୍ୟରୁ ସର୍ବେ ସଞ୍ଚରି ।୬୦।ସେହି ନିତ୍ୟପୁରେ କାଳକାମ ନାହିଁ କାହୁଁ ହୋଇଲା ଜନମ ।ସ୍ୱାମୀ ମୋତେ କହ ସଂଶୟ ଫିଟାଅ ସେ ସନ୍ଧି ଭେଦ ମରମ ।ସେହି କାଳ କାମିନୀ ।ସୁଜ୍ଞାନୀଙ୍କୁ ନ ପାରଇ ଜିଣି । ୬୧।ଶ୍ରୀ ଅଲେଖ କହେ ବଟମୂଳ ଠାଏ କାମାକ୍ଷୀ ଜଗିଛି ଦ୍ୱାର ।ସେ ଦେବୀ ଯାହାକୁ ବାଟ ଛାଡ଼ିଦେବ ସେ ଯୋଗୀ ସିଦ୍ଧ ଅମରରେ ।ସେ କ୍ଷେତ୍ରଜ୍ଞ ପ୍ରମାଣ ।ସତ୍ୟ ଶାନ୍ତି ଦୟା ଧର୍ମେ ପୂର୍ଣ୍ଣ ।୬୨।ଶରଣ ପଶୁଛି ତିରଣ ଧରୁଛି ପଡ଼ୁଅଛି ପାଦଗତେ ।ସ୍ୱୟଂବ୍ରହ୍ମ ହୋଇ କାଳକାମ ଦୁଇ ଜାତକଲ କି ନିମନ୍ତେ ଯେ ।ସେତ କାଳ କଳ୍ପନା ।ଶିବ ବ୍ରହ୍ମାଙ୍କ କରଇ ବଣା ।୬୩।ସଦଗୁରୁ ଆମ୍ଭେ ନିମଗନେ ଅଛୁ ଶୂନ୍ୟେ ଲଗାଇଛୁ ଲୀଳା ।ସାତ ବଖରାକୁ ବତିଶ ପାବଚ୍ଛ ଚାରି ଦିଗେ ଦିଶେ ମେଳାରେ ।ସତ ଅଷ୍ଟ ଉତ୍ତର ।ସେହି ମହାନିତ୍ୟର ଭିତର । ୬୪।ହରତା ହେଉଛ ଅନାଦି ପୁରୁଷ ହତ୍ୟା ଲାଗିବ ତୁମ୍ଭଙ୍କୁ ।ହରିହର ବ୍ରହ୍ମା ଧରତି ଆକାଶ ଚାହିଁଛନ୍ତି ଶ୍ରୀ ଆଜ୍ଞାକୁ ଯେ ।ହିତକାରୀ ଗୋସାଇଁ ।ହେଜି ତିଆରି କରିଛ ମହୀ । ୬୫।ହାକି କହୁଅଛି ଶୁଣରେ କୁମର ହୁକୁମ ମୋହର ଗାଢ଼ ।ହରିହରବ୍ରହ୍ମା ଭେଟ ନ ପାଇଲେ ହଜି ରହିଛି ନିଗୁଢ଼ରେ ।ହରି ଲୀଳାଟି ସତ୍ୟ ।ହଂସ ଧରିଛି ବେନି ମରୁତ । ୬୬।କ୍ଷମା ଦୟାସିନ୍ଧୁ ଭକ୍ତ ପ୍ରାଣବନ୍ଧୁ ଶ୍ରୀଚରଣ ତଳେ ଧ୍ୟାଇ ।କ୍ଷିତିପରେ ଆସି ବିଜେ କରିଅଛ କ୍ଷମେ ଭଣେ ଭୀମ ଭୋଇ ଯେ ।କ୍ଷମାକର ମୋ ଦୋଷ ।କ୍ଷଣେ ଜଣାଉଛି ହୀନ ଦାସ ।୬୭।କ୍ଷିର୍ଣ୍ଣରୂପ ଧରି ଇଚ୍ଛାରେ ବିହରି ଶୂନ୍ୟେ ତୋଳାଇବୁ ଗାଦି ।ଖେଳ ଲାଗିଅଛି ଅମନ ମନ୍ଦିରେ ଦୁଷ୍ଟ ଦାନବଙ୍କ ବାଦିରେ ।ଖଟିଥାଅ ମୋ ପାଶ ।ଖଣ୍ଡି ଦେବି ଜନ୍ମ ମୃତ୍ୟୁ ଦୋଷ ଯେ ।୬୮।
(୧୧)
କଳିଯୁଗେ କରତା ବିଜେ ଏ ରବିତଳେ ।କାଳରୁ ଉଦ୍ଧରିବେ ଭଜିଲେ ଏତେବେଳେ ।କରଯୋଡ଼ି କର ସେବା ହୋ । ଭକତି ଅଭୟ ପାଦତଳେ ହୋ ।୧।କ୍ଷିରସିନ୍ଧୁ ବେହାରୀ କ୍ଷିତିର ମଧ୍ୟେ ସତେ ।ଖଣ୍ଡିବେ ପାପ ଭାରା କରିଛ ଯେତେ ।ଖେଳ କଉତୁକ ହୋ । ନ ମଣ ବିଚାର ଅନ୍ତର୍ଗତେ ହୋ ।୨।ଗୁରୁ ବିଜେ କରିଛନ୍ତି ଅନାଦି ଯୋଗେଶ୍ୱର ।ଗର୍ବିତା ନାହିଁ ବହ ସୁଜ୍ଞାନୀ ସାଧୁନର ।ଗୁରୁ ପ୍ରଭୁ ବ୍ରହ୍ମ ହୋ । ମୂରତି ମର୍ତ୍ତରେ ଅବତାର ହୋ ।୩।ଘର ଦ୍ୱାର ତେଜିଣ ଭଜିବ ଯେଉଁ ଜନ ।ଘଟ ମଧ୍ୟେ ଭେଦାଇ କହିବେ ବ୍ରହ୍ମଜ୍ଞାନ ।ଘେନିଣ ଭକତ ବୃନ୍ଦ ହୋ । ହୋଇବେ କଳଙ୍କି ରୁପ ଜାଣ ହୋ । ୪ ।ଅଲେଖ ନିରଞ୍ଜନ ବୋଲନ୍ତି ଯାହାକୁ ।ଆପେ ସର୍ଜିଅଛନ୍ତି ଏ ପିଣ୍ଡ ବ୍ରହ୍ମାଣ୍ଡକୁ ।ଏବେ କଳିଯୁଗେ ସେହି ହୋ । ବିଜେ ଏ ନେତ୍ରରେ ଦେଖ ତାଙ୍କୁ ହୋ ।୫।ଚନ୍ଦ୍ରମା ପରାଏକ ଉଦୟ ହୋଇଛନ୍ତି ।ଚାହିଁଲେ ପୂର୍ବ ଦିଗେ ଫିଟିବ ମନୁ ଭ୍ରାନ୍ତି ।ଚଉକତି ବ୍ରହ୍ମ ତେଜ ପଡ଼ୁଛି ଏ ନବଦ୍ୱୀପା ପୃଥ୍ୱୀ ହୋ ।୬।ଛପନା କୋଟି ଜୀବଙ୍କୁ ତାରିବାର ପାଇଁ ।ଛଳେ ବୁଦ୍ଧ ଅବତାର ବୈଷ୍ଣବ ଗୋସାଇଁ ।ଛାଡ଼ିଛନ୍ତି ନିଜ ନାମ ମହିମା ଧରମ ଡାକ ଦେଇ ହୋ ।୭।ଜାଗ୍ରତ ଚିତ୍ତେ ଭଜ ଜଗତ କରତାଙ୍କୁ ।ଯୁଗଶେଷ ହେଲାଣି ନେତ୍ରରେ ଦେଖୁ ଦେଖୁ ।ଜାତି ଯିବ ବୋଲି ନରେ ନ ବୋଲି ସୁଜ୍ଞାନ ଧରମକୁ ହୋ ।୮।ଝଟକୁ ଅଛି ହଂସ ଅବନା ମନ୍ଦିରରୁ ।ଝରୁଛି ମକରନ୍ଦ ଅଭୟ ଶ୍ରୀପୟରୁ ।ଝଳି ଦିଶୁଅଛି ବ୍ରହ୍ମ ସ୍ୱରୂପ ଅନାଦି କଳ୍ପତରୁ ହୋ ।୯।ନିରଞ୍ଜନ ପୁରୁଷ ସେ ଠୁଳ ଶୂନ୍ୟ-ବାସୀ ।ନିନ୍ଦିତ କର ନାହିଁ ବ୍ରହ୍ମରେ ହେବ ଦୋଷି ।ନିଶି ଦିବସରେ ନାମ ମହିମା, ଭଜନ କର ବସି ହୋ ।୧୦।ଟେକି ଧରି ଅଛନ୍ତି ଏ ପିଣ୍ଡ ବ୍ରହ୍ମାଣ୍ଡକୁ ।ଟାଣ ଶୂନ୍ୟ ବାନାରେ ଘୋଡ଼ାଇ ସମସ୍ତଙ୍କୁ ।ଟାକିଥିବ ଯେହୁ ଟିଆ ପର୍ଯ୍ୟନ୍ତେ ଦେଖିବ ମହିମାକୁ ହୋ ।୧୧।ଠାକୁର ଆସି ଅଛନ୍ତି ନବଖଣ୍ଡ ମହୀ ।ଠାବ ନ ମିଳୁଅଛି ଅଛନ୍ତି ଠିଆ ହୋଇ ।ଠିକେ କହେ ଭୀମସେନ ଅର୍କ୍ଷିତ ଦର୍ଶନ କର ଯାଇଁ ହୋ ।୧୨।ଡାକ ଦେଉ ଅଛନ୍ତି ଶରଣ ପଶ ଆସି ।ଡିଙ୍ଗର ଦୁଷ୍ଟ ସନ୍ଥ ଯେ ଅଛ ମୁନି ଋଷି ।ଦଣ୍ଡ ପଡ଼ୁଅଛି କଳି ଯୁଗରେ ପାପରେ ଯିବ ଭାସି ହୋ ।୧୩।ଢାଙ୍କି ପକାଉଅଛି ଏ ପିଣ୍ଡ ବ୍ରହ୍ମାଣ୍ଡକୁ ।ଢାଳି ଶୂନ୍ୟ ବାନାରେ ଘୋଡ଼ାଇ ସମସ୍ତଙ୍କୁ ।ଢାଉ ରଙ୍ଗେ ପଡ଼ି ନାଶ ନ କର ଦୁର୍ଲଭ ଜନମକୁ ହୋ ।୧୪।ଅଣାକାର ସ୍ୱରୂପୀ ଅନାଦି ଶୂନ୍ୟ ରୂପୀ ।ଅନାଇଲେ ସର୍ବତ୍ରେ ରହିଣଛନ୍ତି ବ୍ୟାପୀ ।ଆଶ୍ରୟ କର ହେ ସେହି ପାଦକୁ ଏ ପିଣ୍ଡ ପ୍ରାଣ ବିକି ହୋ ।୧୫।ତତ୍ତ୍ୱ କରି ଧଇଲେ ବିଚାରି ହୃଦୟରୁ ।ତରିଯିବ ସମସ୍ତେ ଏ ଘୋର ନରକରୁ ।ସ୍ତିରୀ ବାଲ୍ୟ ବୃଦ୍ଧ ଯୁବା ସମସ୍ତ ଉଦ୍ଧାରି ନେବେ ଗୁରୁ ହୋ ।୧୬।ଥାଉଁ ଥାଉଁ ଏ ଘଟରେ ହେତୁ ଚେତା ବୁଦ୍ଧି ।ଥୟ କର ମନକୁ ଲଭିବ ସର୍ବ ସିଦ୍ଧି ।ସ୍ଥିତି ନ ମିଳିବ ନିଶ୍ଚେ ପଛକୁ ଘୋଟିଲେ ଭବନଦୀ ହୋ ।୧୭।ଦାସ ଦାସୀ ହୋଇଣ ଚରଣେ ସର୍ବେ ଖଟ ।ଦିବାନିଶି ଭଜିଲେ ଫିଟିବ ଦୁଃଖ କଷ୍ଟ ।ଦୟା ହୋଇବ ଯେବେ ଶ୍ରୀଛାମୁରୁ ପାଇବ ନିଶ୍ଚେ ଭେଟ ହୋ ।୧୮।ଧର୍ମବନ୍ତ ପୁରୁଷ ସେ ମହାଶୂନ୍ୟ ଦେହୀ ।ଧରଣୀ ମଣ୍ଡଳରେ ମାନବ ରୂପ ହୋଇ ।ଧର ଧର ଏବେ ସେହି ପାଦକୁ ମୁକତି ଦେବେ ସେହି ହୋ ।୧୯।ନବଖଣ୍ଡ ମେଦିନୀରେ ମହିମା ଶବଦ ।ନାମ ବ୍ରହ୍ମ ପଦକୁ ହୃଦରେ କର ଭେଦ ।ନିଶି ଦିବସରେ ଯେହୁ ଭଜିବ ହୋଇବ ଅଙ୍ଗ ସିଦ୍ଧ ହୋ ।୨୦।ପୂର୍ଣ୍ଣନନ୍ଦ ପୁରୂଷ ପରମ ଗୁରୁଦେବ ।ପୂର୍ବ ହେତୁ ସୁମରି ଚରଣେ କର ଭାବ ।ପାତକକୁ ନାଶି ସେହୁ ତାରିବେ ଛପନା କୋଟି ଜୀବ ହୋ ।୨୧।ଫୁକାବନ୍ଧ ପରେ ଫଣି ମଣିର ଉପରେ ।ଫୁଟିଅଛି ଜ୍ଞାନ-ବ୍ରହ୍ମ ବିଜୟ ସେ ଠାବରେ ।ଫୁଲ କେଶର ଉପରେ ଶୟନ ଅବନା ମନ୍ଦିରେ ହୋ ।୨୨।କେଦ ମାନେ ପାବଚ୍ଛ ହୋଇ ଅଛନ୍ତି ଯହିଁ ।ବୈକୁଣ୍ଠ ଭୁବନ ତାହାକୁଟି କହି ।ବାରଣ ନ ଯାଇ ଦିବା ରଜନୀ ଏମନ୍ତ ପୁର ସେହି ହୋ ।୨୩।ଭରସି ପେଲି ପଶ ନ ଡର ଅନ୍ଧାରକୁ ।ଭୟ ଭ୍ରାନ୍ତି ତ୍ୟାଗ କରି ବଳାଅ ମନକୁ ।ଭୀମ ଅରକ୍ଷିତ ଡାକି କହୁଛି ବୁଝାଇ ସମସ୍ତଙ୍କୁ ହୋ ।୨୪।ମନୁଷ୍ୟ ଜନ୍ମ ହୋଇ ଶ୍ରୀଗୁରୁ ସେବା କର ।ମାୟା ମୋହକୁ ତେଜି ନାମ ବ୍ରହ୍ମକୁ ଆଶ୍ରେ କର ।ମୃତ୍ୟୁ ଦେବ ଛାର କିଶ କରିବ ହୋଇବ ଅଜ୍ରାମ୍ବର ହୋ ।୨୫।ଜୀଇବ ପଥ ଧର ତରିବ ଭବ ବାରି ।ଜଳେ ବୁଡ଼ି ମର ନାହିଁ ପଥର ବାନ୍ଧି କରି ।ଜୀବ ଥାଉଁ ଥାଉଁ ଏହି ପିଣ୍ଡରେ ନାମରେ ହୁଅ ପାରି ହୋ ।୨୬।ରଙ୍ଗ ପସରାରେ ଭୁଲି ନ ମର ସୁଜ୍ଞଜନ ।ନାମ ବ୍ରହ୍ମ ପଦକୁ ହୃଦରେ କର ଧ୍ୟାନ ।ରଖ ରଖ ସର୍ବେ ଧର୍ମ କୀରତି ସଂସାରରେ ଯଶ ଗୁଣ ହୋ ।୨୭।ଲକ୍ଷେ ଯୁଗ ଗଲାଣି ବାହାରି ଏହିପରି ।ଲୋଭ ମୋହ ନ ଛାଡ଼ି ଅନେକ ଗଲେ ମରି ।ଲାଗି କର ନିତି ସେବା ଭକତ ଅଭୟ ପାଦ ଧରି ହୋ ।୨୮।ବ୍ରହ୍ମ ବୋଲିବାର କଥା ସମସ୍ତେ ବୋଲୁଛନ୍ତିୁ ।ବଡ଼ିମା ପଣରେ କେହି ଭେଟ ନ ପାଆନ୍ତି ।ବହି ଗୁରୁ ଆଜ୍ଞା ଶିର ଉପରେ ନାମରେ ହୁଅ ପ୍ରୀତି ହୋ । ୨୯।ସ୍ୱର୍ଗପୁରେ ବସିବ ଅମୃତ ଭୋଗ ଭୁଞ୍ଜି ।ଶିରୋମଣି ଠାକୁର ସକଳ ଦେବେ ଖଞ୍ଜି ।ଶିର ପାଦତଳେ ନେଇ ଲଗାଅ ବେଦର ସାର ଭୁଞ୍ଜି ହୋ ।୩୦।ଶୂନ୍ୟର ପୁରୁଷ ଆସି ଅଛନ୍ତି ମର୍ତ୍ତ୍ୟକୁ ।ସକଳ ଛାଡ଼ି ଭଜ ଅଲେଖ ମହିମାଙ୍କୁ ।ସତ୍ୟ ରୂପୀ କର ବିଶ୍ୱାସ ସେ ଶୂନ୍ୟ ସ୍ୱରୂପକୁ ହୋ ।୩୧ ।ସୁତ ବିତ୍ତ ଧନକୁ ପ୍ରଦାନ କର ବଳେସମର୍ପି ଦିଅ ନେଇ ଶ୍ରୀଗୁରୁ ପାଦତଳେ ।ସତେ ପୁରୁଷକୁ ଆପେ ତାରିବ ପୂର୍ବର ଭାଗ୍ୟ ଥିଲେ ହୋ ।୩୨।ହରଷେ ନାମ ଧ୍ୱନି ହୃଦରେ କର ଭାବ ।ହୋଇଅଛ ଜନମ ଛପନା କୋଟି ଜୀବ ।ହଜାଅ ନାହିଁ ଯେ ନିଜ ନାମକୁ ପଶ୍ଚାନ୍ତେ ବଣା ହେବ ହୋ ।୩୩।କ୍ଷିର୍ଣ୍ଣ ବୁଦ୍ଧ ଅବତାରେ ସତ୍ୟାଦି ଧର୍ମ ସ୍ଥାପି ।ଖେଳ ଭିଆଇଲେ ସେ ଅନାଦି ଶୂନ୍ୟରୂପୀ ।କ୍ଷମେ ଭଣେ ଭୀମସେନ ଅର୍କ୍ଷିତ ଏ ପିଣ୍ଡ ପ୍ରାଣ ବିକି ହୋ ।୩୪।
(୧୨)
କର୍ମ ଆଦରି ଥାଅ ସର୍ବେ,କଳଙ୍କିରୂପ ପ୍ରଭୁ ହେବେ ।୧।କ୍ଷିତିରେ ରହି ଧର୍ମଧର,କ୍ଷମା କରିବେ ମହୀଭାର ।୨।ଗୁରୁ ଗୋପ୍ୟାନ ହୋଇଛନ୍ତି,ଗାରିମା ପଣ ବୁଝୁଛନ୍ତି ।୩।ଘେନି ସଙ୍ଗତେ ଜ୍ଞାନ ଧର୍ମ,ଘଟ ସମାଧି ହେଲେ ବ୍ରହ୍ମ । ୪।ଅବନା ମଣ୍ଡଳରେ ଯାଇ,ଅଜ୍ଞାତ ରୂପେ ଛନ୍ତି ରହି ।୫।ଚାରୁ ଚରଣ ବ୍ରହ୍ମାଣ୍ଡକୁଚେତାଇ ଦେଲେ ଭକତଙ୍କୁ ।୬।ଛାଡ଼ି ନ ଯାଅ ଧରିଥାଅ,ଛ ବେଦ ପରେ ମଦଥୁଅ ।୭।ଯାଣୁତ ଅଛ ଯୁଗ କଳି,ବୁଝିଛ ହୋଇ ମହାବଳୀ ।୮।ଝାଡ଼ ପର୍ବତ ଗ୍ରାମ ବନଝିମଣ୍ଡେ ରହୁ ନାହିଁମନ ।୯।ନିଷ୍କାମଭାବେ ଯେହୁ ଥିବ,ନାରାୟଣଙ୍କୁ ସେ ଦେଖିବ ।୧୦।ଟିଆକୁ ଟାକି ଥିଲେ ରହି,ଟୁରା ଛେଉଣ୍ଡା ପ୍ରାଏ ହୋଇ ।୧୧।ଠାକୁର ଉଦେ ହେବେ ମହୀ,ଠିକେ କହଇ ଭୀମଭୋଇ ।୧୨।ଡୋର କୌପୁନୀ ନ ଓହ୍ଲାଅ,ଡାକି କହୁଛି ପିନ୍ଧି ଥାଅ ।୧୩।ଢେଉକୁ କରି ମହାଭୟେ,ଢଳି ନ ପଡ଼ି ମାୟା ମୋହେ ।୧୪।ଅଣ ଅକ୍ଷର କର ଲୟେ,ଅନାଦି କରିବେ ବିଜଏ ।୧୫।ତିନି ବରଷ ଅଛି କଣ୍ଟ,ତହୁଁ ସେ ବଦଳିବେ ଘଟ ।୧୬।ସ୍ଥାପି ଆସୁଛି ଆଗତକୁ,ସ୍ଥିତି ସେ ଦେବେ ଭକତଙ୍କୁ ।୧୭।ଦଇବ ଭିଆଣ ଏ କଥା,ଦେହରୁ ନ ବୁଡ଼ାଅ ଚେତା ।୧୮।ଧରିଥା ଧର୍ମପଥକୁ,ଧ୍ୟାୟିଣ ଏକା ଅକ୍ଷରକୁ ।୧୯।ନିଶ୍ଚୟେ ପ୍ରଭୁ ଉଦେ ହେବେ;ନବୀନ ରୂପ ପ୍ରକାଶିବେ ।୨୦।ପୃଥୀରେ ପାପ ହେଲା ଯହୁଁପ୍ରଳୟ ହେଲେ ବ୍ରହ୍ମ ତହୁଁ ।୨୧।ଫେଡ଼ିଲେ ସତ୍ୟାଦି ଧର୍ମକୁ,ପୂର୍ଣ୍ଣ ନୋହିଲା କାମନାକୁ । ୨୨।ବୀର କଳଙ୍କି ରୂପ ହେବେ,ବୁଦ୍ଧ ସମାଧି ଉଠାଇବେ ।୨୩।ଭଗତେ ପାଇବେ କଷଣ,ଭାବି କହଇ ଭୀମ ହୀନ । ୨୪।ମହିମା ଉଠିବେ ସାକ୍ଷାତେ,ମାନିବେ ତ୍ରିପୁର ଜଗତେ ।୨୫।ଜଗତ୍ର ଜନ ପିତା ସେହି,ଯୁବାକୁ ଯୋଗୀ ବେଶ ହୋଇ । ୨୬।ରସା ମେଦିନୀ ପାପଭାରା,ରକ୍ଷା ନୋହିଲା ଧର୍ମ ଧାରା ।୨୭।ଲାଗିଲା ସତ୍ୟରେ କଳଙ୍କ,ଗୋପ୍ୟ ହୋଇଲେ ବୁଦ୍ଧରୂପ ।୨୮।ବଦଳ ହେଲେ ନିଜ ପିଣ୍ଡ,ବୋବାଳି ଉଠିବ ବ୍ରହ୍ମାଣ୍ଡ ।୨୯।ସାରି ସକଳ ବିଧିମାନ,ଶୂନ୍ୟକୁ ବିଜେ ସ୍ୱାମୀ ଜାଣ ।୩୦।ଶକତା ଭଗତ ଯେ ହେବ,ପ୍ରଭୁଙ୍କୁ ଦର୍ଶନ କରିବ ।୩୧।ଶୂନ୍ୟ ହୋଇଛି ଏ ବ୍ରହ୍ମାଣ୍ଡ,ସତ୍ୟକୁ ପଡ଼ୁଅଛି ଦଣ୍ଡ ।୩୨।ହୀନ ଅବସ୍ଥା ଭକ୍ତେ ପାଇ,ହାଡ଼ି ଚାଣ୍ଡାଳ ପ୍ରାଏ ହୋଇ ।୩୩।କ୍ଷମା ମହିମା ପାଦ ବିନ୍ଦ;କ୍ଷମେ ଭଣିଲା ଭୀମ କନ୍ଧ ।୩୪।
(୧୩)
ଖରାପ ହୋଇଗଲେ ପିଣ୍ଡ,ଖତମ ହୋଇବ ବ୍ରହ୍ମାଣ୍ଡ ।୧।ହରି ଯେ ନୁଆରି ରଚନା,ହରଷେ କରିବେ ସ୍ଥାପନା ।୨।ଶୁଭ କରିବେ ଶୂନ୍ୟଦେହୀ,ଶଙ୍ଗ ଚତ୍ରାଦି ଗଦା ବହି ।ସମ୍ଢାଳି ଧରିବେ ସେ କ୍ଷିତି,ଶିରୁ ଉଶ୍ୱ ସି ବସୁମତୀ ।୪।ଶୁର ସିଦ୍ଧଙ୍କୁ ଦେବେ ଠାବ,ସତ୍ୟାଦି ବସାଇବେ ଯୁଗ । ୫।ବିଦିତ ହୋଇଲେ ସଂସାର,ବୁଝିବେ ବ୍ରହ୍ମାଣ୍ଡ ଠାକୁର ।୬।ଲାବଣ୍ୟ ରୂପ ପ୍ରଭୁ ହେବେ,ଲୁଚି ଗୁପ୍ତରେ କରାଇବେ ।୭।ରବିତଳରେ ଯେତେ କଥା,ରହିବ ଯୁଗେ ୨ ପୋଥା ।୮।ଯୁଗ କରୁଛି ନଟ କୁଟ,ଜୀବନେ ପଡ଼ୁଛି ଶଙ୍କଟ ।୯।ମହିମା ହୋଇବେ ଉଦୟେ,ଭୀମ ଅର୍କ୍ଷିତ ଫେଡ଼ି କହେ ।୧୦।ଭୟରେ ନ ପଳାଅ ଛାଡ଼ି,ଭଜ ସାତ୍ତ୍ୱିକ କର୍ମେ ଜଡ଼ି ।୧୧।ବୈକୁଣ୍ଠ ଭୁବନେ ବସିବ,ବ୍ରହ୍ମ ଅଙ୍ଗରେ ଲୀନ ହେବ ।୧୨।ଫଣି ମଣି ଶିଖରେ ହର,ଫୁକା ମଣ୍ଡଳରେ ବିଦାର ।୧୩।ପୂର୍ଣ୍ଣାନନ୍ଦଟି ସେହୁ ଅଟେ,ପରଚେ ହୁଅ ଆପ ଘଟେ । ୧୪।ନନ୍ଦ ଅଦ୍ଭୁତ ନାମ ତାର,ନିଷ୍କାମ ନିର୍ଗୁଣେ ବିହାର ।୧୫।ଧର୍ମ ସେ ଅଟଇ ସାକ୍ଷାତେ,ଧର ନିର୍ଗୁଣ ଯୋଗପଥେ ।୧୬।ଦୟାଳୁ ପୁରୁଷ ଅଟନ୍ତି,ଦର୍ଶନେ ଦୃଶ୍ୟ ହେଉଥାନ୍ତି । ୧୭।ଥରକୁ ଥର ଭକ୍ତ ପାଶେ,ତମ୍ବ ବନ୍ଧନ ଭାବ ବଶେ । ୧୮।ତିନି ବ୍ରହ୍ମାଣ୍ଡ ସୁଖ ଛାଡ଼ି,ନିତ୍ୟ ସାତ୍ତ୍ୱିକ କର୍ମେ ଜଡ଼ି । ୧୯।ଆଦିଟି ଜଗନ୍ନାଥ କହି,ଅନାଦି ଅରୂପ ଅଟଇ ।୨୦।ଢମରେ ବୁଡ଼ିଛନ୍ତି ପ୍ରାଣୀ;କାଳ ଚକ୍ରକୁ ସତ୍ୟମଣି ।୨୧।ଡରି ନ ମର କରି ଶୋକ,ଡାକି କହଇ ଭୀମ ମୂର୍ଖ ।୨୨।ଠିକଣା ହେଲେ ସତ୍ୟଯୁଗ,ଠାବ ପାଇବେ ସର୍ବ ଜୀବ । ୨୩।ଟଳି ପଡ଼ୁଛି ଏ ବ୍ରହ୍ମାଣ୍ଡ,ଟିକାକେ ପଡ଼ୁଅଛି ଦଣ୍ଡ ।୨୪।ନିନ୍ଦା ହୋଇଲେ କଳିଯୁଗ,ନାମ ଭଜିବ ଯେ ରହିବ ।୨୫।ଝଡ଼ି ପଡ଼ିବେ ନର ବୃନ୍ଦ,ଝାମ୍ପିବ କାଳ ମାୟା ଦ୍ୱନ୍ଦ ।୨୬।ଜଗତେ ବିପରୀତ କଥା,ଯୁଗରେ ନ ରହିବ ଚେତା ।୨୭।ଛାନିଆଁ ହୋଇଯିବେ ଛାଡ଼ି,ଛନକାମାୟା ମୋହେ ପଡ଼ି ।୨୮।ଚେତାହିଁ ନ ରହିବ ପିଣ୍ଡେ,ଚମକ ପଡ଼ିବ ବ୍ରହ୍ମାଣ୍ଡେ ।୨୯।ଓଁ କାର ବହିଥିବା ଲୋକ,ଅନ୍ଧ ପରାଏ ହେବେ ମୁକ ।୩୦।ଘୋଟିବ ତିନି ବ୍ରହ୍ମାଣ୍ଡରେ,ଘାଣ୍ଟିବ ସବୁରି ହୃଦରେ ।୩୧।ଜ୍ଞାନବନ୍ତରେ ଯେହୁଥିବେସର୍ବଥା ଗାରିମା ବହିବେ ।୩୨।ଖରାପ ହେବ ସଦବୁଦ୍ଧି,ଖେଳିବ ଘଟରେ କୁବୁଦ୍ଧି ।୩୩।କ୍ରିୟା କର୍ମରେ ହେବେ ହତ,କହଇ ଭୀମ ଅରକ୍ଷିତ । ୩୪।
(୧୪)
କର୍ମଦେବ ଯାକୁ କହି ।କପୋଳ ଦୁଆରେ ଅଛଇ ରହି ।କରତା ପୁରୁଷ ସେହି ।ମନ ନାମ ଭଜ ।ଏ ସଜରୁ ନାହିଁ ସଜ । ୧।କ୍ଷିତିରେ କର ଭଜନ ।କ୍ଷମା ସାଗରଙ୍କୁ ହୃଦରେ ଚିହ୍ନ ।କ୍ଷୀର ସିନ୍ଧୁବାସୀ ଜାଣ ।୨।ଗୁରୁଦେବଛନ୍ତି ପାଶେ ।ଗର୍ଭ ଭିତରକୁ ଚାହାଁ ତୁ ଆପେ ।ଜ୍ଞାନ ଲଭିବୁ ସାକ୍ଷାତେ ।୩।ଘଣ୍ଟି ପ୍ରକୃତି ହୃଦୟ ।ଘୋଟି ରହିଅଛି ମାୟା ବିଷୟ ।ଘୋରବନ ଅଟେ ଦେହ ।୪।ଅନନ୍ତ ଯାହାକୁ କହି ।ଓଁ କାର ଅକ୍ଷର କଣ୍ଠେ ଅଛଇ ।ଅଣ ଆକାର ତା ଦେହୀ ।୫।ଚିହ୍ନିଲୁ ନାହିଁ କାହିଁକି ।ଚର୍ମ ନୟନରେ ଚାହାଁ ନିରେଖି ।ଚନ୍ଦ୍ର ସୂର୍ଯ୍ୟ ଛନ୍ତି ସାକ୍ଷୀ ।୬।ଛନ୍ଦି ନିର୍ମାଣ କରିଛି ।ଛଡ଼ଚକ୍ର ତୋର ଦେହରେ ଅଛି ।ଛଡ଼ ବେଦ ବୋଲାଇଊଛି ।୭।ଜଗତ ନାଥଙ୍କୁ ଭଜ ।ଯୁବା ଦେହେ ତୋର ପ୍ରକୃତି ତେଜ ।ଜ୍ୟୋତିରୂପ ଦେବରାଜ । ୮।ଝଟକ ବିଜୁଳି ତାପ ।ଝଳି ଦିଶୁଅଛି ଦେହରେ ଦେଖ ।ଝାଉଁ ଝାଉଁ ବ୍ରହ୍ମରୂପ ।୯।ନିଷ୍ଠା କରିଅଛୁ ତୁହି ।ନାମ ବ୍ରହ୍ମ ବୋଲି ଯାହାକୁ କହି ।ନିର୍ବିକାର ଅଟେ ସେହି ।୧୦।ଟାଣ କରିଅଛୁ ତାକୁ ।ଟିଆ କଣ୍ଟ କରି ଅଛୁ ଯାହାକୁ ।ଟେକି ଧରିଛି ପିଣ୍ଡକୁ ।୧୧।ଠିକଣାରେ ଧର ତୁହି ।ଠୁଳ ଶୂନ୍ୟରୂପ ତାଳୁ ଅଟଇ ।ଠିକେ କହେ ଭୀମ ଭୋଇ । ୧୨।ଡରୁ ତୁ ଅଛୁ ଭୟରେ ।ଡିଙ୍ଗର ଜନଙ୍କୁ ଦେଖି ବାହ୍ୟରେ ।ଡେଇଁ ପଡ଼ୁଛୁ ମାୟାରେ ।୧୩।ଢ଼ମାଳିରେ ଅଛୁ ମାତି ।ଢାଉ ଢାଉ ତୋର ଦେହରେ ଜ୍ୟୋତି ।ଢମ ନାଗର ତୋ ଜାତି । ୧୪।ଅଣରୂପ ଅଣାକାର ।ଅଣି ଠାବ କରୁ ଦେହରେ ତୋର ।ଅନହତ ଧୂନି ଘର ।୧୫।ତରିବାକୁ କର ଗଣ୍ଠି ।ତତ୍ତ୍ୱପଦ ବୋଲି ଯାହା କହିଟି ।ତାକ ତରକ ବୁଦ୍ଧିଟି ।୧୬।ଥୋଇଛୁ ଧନ ଭଣ୍ଡାର ।ସ୍ଥାନକୁ ଆବୋରି ଜାଗ୍ରତେ ଧର ।ସ୍ଥିତି ଅଟେ ତୋ ଶରୀର ।୧୭।ଦରଶନ କଲୁ ନାହିଁ ।ଦେବତା ବୋଲିଣ ଯାହାକୁ କହି ।ଦେହରେ ପୂରିଛି ସେହି ।୧୮।ଧର୍ମ ଲାଗିଅଛି ସଙ୍ଗ ।ଧ୍ୟାନ ଧାରଣାରେ ରଖ ତୁ ଅଙ୍ଗ ।ଧରି ଥାଅ ନାବ ମଙ୍ଗ ।୧୯।ନିତି ପ୍ରତି ଭାବ କଲା ।ନବଘନ ରୂପ ଯହୁ ବହିଲା ।ନର ଦେହକୁ କହିଲା ।୨୦।ପୁଣ୍ୟକୁ ବାଞ୍ଛିତ କର ।ପିଣ୍ଡରୁ ପରାଣ ନାହିନା ଆର ।ପରମ କରିଛି ଘର ।୨୧ ।ଫୁଲ ଫୁଟିଛି ନ ଜାଣୁ ।ଫନ୍ଦା କରିଅଛୁ ଯେବଣ ଦିନୁ ।ଫଳ ଅଟେ ତୋର ତନୁ ।୨୨।ବାଚ୍ଛନ୍ଦ କରୁଛୁ ନିତି ।ବିକାର ତୋ ଦେହେଁ ମନ ପ୍ରକୃତି ।ବାଉନ ପାଟକ ଜାତି ।୨୩।ଭଜୁଛୁ ଯାହାକୁ ତୁହି ।ଭାବ ପୀରତିଟି ଭାଷା ଅଟଇ ।ଭୀମ ଅରକ୍ଷିତ କହି ।୨୪।ମନ ଅଟେ ଯେଉଁ ଜନ ।ମଦନ ଆରତେ ପ୍ରେମର ଚ୍ଛନ ।ମତ୍ତ ଗରବଟି ଜାଣ । ୨୫।ଜୀବଟି ଯାହାକୁ କହି ।ଯୋନି ଦୁଆରରେ ଜନମ ହୋଇ ।ଯମ ଘର ଅଟେ ସେହି ।୨୬।ରାଗ ରିସ ଯାହା କହି ।ଗଉରବ ନଦୀ ଆସୁଛି ବହି ।ରକତ ମାଏଁସ ଦେହୀ । ୨୭।ଲଭିବାକୁ ନାହିଁ କିଛି ।ଲାଭ ବଣିଜକୁ ଧର ତୁ ବାଛି ।ଲକ୍ଷଣ ତୋ ଦେହେ ଅଛି ।୨୮।ବିଅର୍ଥେ ଭ୍ରମି ନ ମର ।ବୁଝାମଣା କରି ହେତୁରେ ଧର ।ଦେହ ଅଦେହେଁ ବିହର । ୨୯।ଶିରୀ ବୋଲି ଯା କହିଛି ।ଶରଣ ପଶତୁ ଧ୍ୟାନରେ ନିତି ।ଶିର ପରେ ଶିରୀ ଅଛି ।୩୦।ଶୂନ୍ୟମୟ ଅନ୍ତର୍ଯ୍ୟାମୀ ।ଶ୍ରବଣ ତଟରେ ନିଗମ ଭୁମି ।ସଜ୍ୟ ପଦ ଗୁରୁ ସ୍ୱାମୀ ।୩୧।ଶୁଣୁଛୁ କଥା ଯେତେକ ।ସହି ପାରିଲେ ତୁ କଷଣ ଦୁଃଖ ।ସନ୍ତୋଷ ଭାବଟି ସୁଖ ।୩୨।ହାନି ଲାଭକୁ ବିଚାର ।ହରଣ ନ କରି ମନରେ ଧର ।ହିତ ଅଟେ ତୋ ଶରୀର ।୩୩।କ୍ଷିତି ବୋଲି ଯାହା କହି ।କ୍ଷମା ମହିମାଙ୍କ ଚରଣେ ଧ୍ୟାଇ ।କ୍ଷମେ ଭଣେ ଭୀମ ଭୋଇ ।୩୪।
(୧୫)
ଖେଳ ଦେଖ ଖିନ ନାଳେ ।କ୍ଷୟ ବୃଦ୍ଧି ନାହିଁ ବରଜ ବାଳେ ।ଖେଳୁଛି କଦମ୍ବ ମୂଳେ ।ମନ ନାମ ଭଜ ଏ ସଜରୁ ନାହିଁ ସଜ ।୧।ହେତୁରେ ତୁ ଧର ଏବେ ।ହରି ନାମ ଆଶ୍ରେ କରିବୁ ଯେବେ ।ହୃଦ ଫୁକାବନ୍ଧ ଠାବେ ।୨।ଶୂନ୍ୟ ବୋଲି ଯାହା କହି ।ଶ୍ରବଣ ତଟରେ ନିଗମ ଭୂଇଁ ।ସାରବ୍ରହ୍ମ ଅଟେ ସେହି ।୩।ଶ୍ରୁତିରେ ସାଧିତୁ ଦେଖ ।ଶ୍ରବଣ ଜ୍ଞାନରେ କରି ବିବେକ ।ଶୁକ୍ଳବର୍ଣ୍ଣ ତାର ରୂପ ।୪।ଶରଦ ଉଷୁମ ନାହିଁ ।ସରୋବରୁ ନଦୀ ଆସୁଛି ବହି ।ସ୍ନାନକର ତହିଁ ଯାଇଁ ।୫।ବାରାନିଧି ଯେ ସାଗର ।ବାରେଣୀ ପଡ଼ିଛି ତ୍ରିବେଣୀ ଧାର ।ବାମ ଡାହାଣ ଉପର ।୬।ଲାଗିଣ କର ଭକତି ।ଲବଣ ସିନ୍ଧୁରେ କର ତୁ ପ୍ରୀତ ।ଲଭ ଲାବଣ୍ୟ ମୂରତି ।୭।ରୂପଟି କୃଷ୍ଣ ହୋଇଲା ।ରାହାସ ମଣ୍ଡଳେ କରୁଛି ଲୀଳା ।ରାଧାଟି ଧବଳ ଡୋଳା ।୮।ଜୀଇବୁ ଯେମନ୍ତେ ତୁହି ।ଜୀବ ପରମର ବାରଣ ନାହିଁ ।ଯୁଗଳରେ ମିଶା ନେଇ ।୯।ମାନି ଭୀମଭୋଇ ଖଟେ ।ମାୟା ଦେଖାଉଛି ଅନେକ ବାଟେ ।ବ୍ରହ୍ମଟି ମହିମା ଅଟେ ।ମନ ନାମ ଭଜ ଏସଜରୁ ନାହିଁ ସଜ ।୧୦।ଭରସା କରି ତୁ ଧର ।ଭାବଗ୍ରାହୀ ଛନ୍ତି ହୃଦ ଭିତର ।ଭାବେ ପରଶନ କର । ୧୧।ବୁଝିବୁ ଯେବେ ବିଚାରି ।ବାମ ଡାହାଣକୁ ଭୁଜ ଅଟେ ଚାରି ।ବେଦ ବୋଲି ତାକୁ ଠାରି ।୧୨।ଫୁଲ ଫୁଟିଅଛି ତହିଁ ।ଫୁକା ମଣ୍ଡଳରେ ହୋଇଛି ଛାଇ ।ଫଣି ମଣି ଶିଖେ ସେହି ।୧୩।ପବିତ୍ର ମଣ୍ଡଳେ ବାସ ।ପୂର୍ଣ୍ଣବ୍ରହ୍ମଟି ଅନାଦି ପୁରୁଷ ।ପରମ ହୋଇଛି ଦାସ ।୧୪।ନାମ ସେହିଠାରୁ କ୍ଷରି ।ନୟନ ତ୍ରିକୁଟୁ ଆସୁଛି ବାରି ।ନିଜ ନାମ ଅନୁସରି ।୧୫।ଧରି ସଙ୍ଗେ ଭକ୍ତ ଗଣ ।ଧରଣୀ ହୃଦୟ ଏ ବୃନ୍ଦାବନ ।ଧପ ଧପ ରାତ୍ର ଦିନ ।୧୬।ଦୟାଳୁ ପୁରୁଷ ସେହି ।ଦେଇଛନ୍ତି ପ୍ରଭୁ ପାଦ ବଢ଼ାଇ ।ଦାନ ଦିଅ ପ୍ରାଣ ନେଇ ।୧୭।ଥଳ ମହାନିତ୍ୟ ରାଷ୍ଟ୍ର ।ଥରକୁ ଥର ହେଉଅଛି ନାଟ ।ଥବିର ଚିତ୍ତେ ଉଚ୍ଚାଟ ।୧୮।ତତ୍ତ୍ୱ ଯେବେ କରିଥିବୁ ।ତିଳ ଚୋପାର କବାଟ ଫେଡ଼ିବୁ ।ତାଣ୍ଡବ ନୃତ୍ୟ ଦେଖିବୁ ।୧୯।ଅଣାକାର ଯାକୁ କହି ।ଅନୁଭବ ଦୃଷ୍ଟି ଯହିଁକି ନାହିଁ ।ଅବନା ଭୂମିଟି ସେହି ।୨୦।ଢଳ ଢଳ ଜ୍ୟୋତି ରୂପ ।ଢାଙ୍କୁଣୀ ଫିଟାଇ ପ୍ରତକ୍ଷେ ଦେଖ ।ଢାଳି ମକରନ୍ଦ ଭକ୍ଷ ।୨୧।ଡୋଳାରେ ଦେଖିବୁ ଯାଇଁଡଗରା ହଂସ ପରମ ଅଟଇ ।ଡାକି କହେ ଭୀମ ଭୋଇ ।୨୨।ଠିଆ ହୋଇ ଠାରୁ ଅଛି ।ଠୁଳ ଶୂନ୍ୟପରେ ଯେହୁ ବସିଛି ।ଠାବକର ତାଙ୍କୁ ବାଛି ।୨୩।ଟାକି ଅଛି ଭକତଙ୍କୁ ।ଟେକି କରି ଭଜ ଗୁରୁ ଦେବଙ୍କୁ ।ଟେକି ନେବେ ଉପରକୁ ।୨୪।ନିସତ ନ ହୁଅ ତୁହି ।ନିରନ୍ତର ଥାଅ ସେବା ଲଗାଇ ।ନିଦା ବ୍ରହ୍ମ ଅଟେ ସେହି ।୨୫।ଝଟକୁଛି ରୂପ ତହିଁ ।ଝାଡ଼ ଖଣ୍ଡ ଯେବେ ପାରବୁ ଡେଇଁ ।ଝିଙ୍କି ନେବେ ଶୂନ୍ୟ ଦେହୀ ।୨୬।ଜାଗି ଧର ଆତ୍ମା ଲିଙ୍ଗ ।ଜୀବନକୁ କର ବ୍ରହ୍ମରେ ସଙ୍ଗ ।ଯୁବା ହୋଇଥିବ ଅଙ୍ଗ ।୨୭।ଛଟକେ ଦେଖ ତୁ ରହି ।ଛଳି ଦେବେ ତୋତେ ଜଣାତ ନାହିଁ ।ଛେକ ତୁ ଆଗରେ ଯାଇଁ ।୨୮।ଚମକୁ ଅଛି ଶରୀର ।ଚିଆଁ ଚଇତନ ଯହିଁରେ ଘର ।ଚର୍ମ ନାସିକା ଭିତର ।୨୯।ଅଲେଖା ଯାହାକୁ କହି ।ଲେଖା ସଂଖ୍ୟା କରି ନୁହଇ ଯେହି ।ଅଣ ଅକ୍ଷରଟି ସେହି ।୩୦।ଘେନି ନାହୁଁ ସଙ୍ଗେ ପତି ।ଘରର ଘରଣୀ ଯୁବା ଯୁବତୀ ।ଘାଟରେ କାନ୍ଦୁଛି ନିତି । ୩୧।ଜ୍ଞାନ ବୋଲି ଯାକୁ କହିଗତ ଜନ୍ମେ ଯାର ବାସନା ଥାଇ ।ଗତି ମୁକତି ବି ସେଇ ।୩୨।ଖାଇବା ପିଇବା କଲା ।ଖୋଳ ସ୍ୱରୂପେ ଉଦର ସ୍ଥାପିଲା ।କ୍ଷୁଧା ତୃଷା ତେଣୁ କଲା ।୩୩।କି କର୍ମ କରିବି ମୁହିଁ ।କରତା ପୁରୁଷ ଚରଣେ ଧ୍ୟାଇ ।କହେ ଭୀମସେନ ଭୋଇ ମନ ନାମ ଭଜଏ ସଜରୁ ନାହିଁ ସଜ ।୩୪।
(୧୬)
କୁମ୍ଭୀପଟ କରି ଭେକ ।କରୁଛନ୍ତି ଖେଳ ଗୁରୁ ଅଲେଖ ।ସୁମନରେ କଞ୍ଚିରେ ଫେଡ଼ି କୋଲପ ।୧।ଖଳ କୂଟେ ନୁହ ଭୋଳ ।କ୍ଷିରସିନ୍ଧୁ ଆଜ୍ଞା ଯତନେ ପାଳ ।ସୁମନରେ । ଖଟ ତାଙ୍କ ପାଦ ତଳ ।୨।ଗଗନ ଲିଙ୍ଗ ଉପର ।ଗୋଲା ହାଟ ଅଛି ତଥି ଉପର ।ସୁମନରେ । ଗହ ଗହ ନିରନ୍ତର ।୩।ଘଟରେ କର ବିବେକ ।ଘନରେ ଯେସନେ ବିଜୁଳି ରୁପ ।ସୁମନରେ । ଘୋଟି ଅଛନ୍ତି ଅଲେଖ ।୪।ଓଲଟ ବୃଷ ଉପର ।ଉଭା ହୋଏ ହଂସ ଏକ ପାଦର ।ସୁମନରେ । ଅନୁଭବ ସୁତ୍ରେ ଧର ।୫।ଚଞ୍ଚଳ ଚିତ୍ତ ନିବାର ।ଚିଆଁ ଚଇତନ ଅମନେ ଭର ।ସୁମନରେ । ଚାରୁ ଚରଣ ସୁମର ।୬।ଛନ୍ଦ କପଟକୁ ତେଜ ।ସ୍ୱଚ୍ଛନ୍ଦେ ଗୁରୁଙ୍କ ଚରଣେ ଭଜ ।ସୁମନରେ । ଛଡ଼ ବେଦ ପରେ ଖୋଜ ।୭।ଜ୍ୟୋତିର୍ମୟ ବ୍ରହ୍ମରୂପ ।ଯବନେ କବାଟ ଫିଟାଇ ଦେଖ ।ସୁମନରେ । ଦିଶୁଅଛି ଜକ ଜକ ।୮।