ସାବତ ପୁଅ
ପଣ୍ଡିତ · ୧୮୮୬–୧୯୫୬
- ସଂକଳନ: ଗଳ୍ପମାଳା
- ପଢ଼ିବା ସମୟ
- ୧୬ ମିନିଟ୍
- ଶବ୍ଦ
- ୨୬୦୫
- ସ୍ଥିତି
- ସାର୍ବଜନୀନ (Public domain)
ଘନଶ୍ୟାମଙ୍କ ଭାର୍ଯ୍ୟା ରତ୍ନମଣି ମଲାବେଳେ ନିଜର ମାସେ ପାଞ୍ଚଦିନର ପିଲା ଦୁଃଖିଶ୍ୟାମକୁ ସାନ ଭଉଣୀ ହେମମଣି ହାତେ ଦେଇ କହିଗଲେ, ‘‘ହେମ, ଏ ପିଲାଟି ତୋର; ମୁଁ ତ ଗଲି, ୟାକୁ ଛେଉଣ୍ଡ କରିବୁ ନାହିଁ ।’’ ଏଡ଼େ ବଡ଼ ସମ୍ପଦର ଜୀବନବ୍ୟାପୀ ଭାର ଅର୍ପଣ କରିବା ରତ୍ନମଣି କ’ଣ ଏତେ ଅଳ୍ପ କଥାରେ ସାରିଥାନ୍ତେ ? ମାତ୍ର ପାଟି ପଡ଼ିଗଲା, ଆଉ କହିପାରିଲେ ନାହିଁ; ଚାହୁଁଚାହୁଁ ପ୍ରାଣ ମଧ୍ୟ ଛାଡ଼ିଗଲା । ହେମମଣି ପିଲାଟିକି କୋଳରେ ଧରି, ନୟନର ଅଶ୍ରୁଜଳରେ ଅପାଙ୍କ ସ୍ନେହଲତାଟି ତିନ୍ତାଇ ରଖିବାରେ ଲାଗିଲେ ।
ରତ୍ନମଣି କୋଳର ପିଲା ଦୁଃଖିଶ୍ୟାମକୁ କ’ଣ ବିଚାରି ହେମମଣି ହାତେ ଦେଇଥିଲେ କେଜାଣି ତାଙ୍କର ସେ ମଧୁମୟ ଭାର ଯଥାର୍ଥ କରିବା କାମନାରେ ଅବା, ରତ୍ନମଣି ମରିବାର ପ୍ରାୟ ପନ୍ଦର ମାସ ପରେ ହେମମଣି ଘନଶ୍ୟାମଙ୍କ ହାତ ଧରିଲେ । ଭ୍ରମର ବସିଥିବା ଫୁଲ ଝଡ଼ି ପଡ଼ିଲେ, ସେହି ଡାଳରେ ଯଦି ଅନ୍ୟ ଖାଲି ଫୁଲ ଥାଏ, ତାହାର ମଧୁ ଗ୍ରହଣ କରିବା ନିମନ୍ତେ ଭ୍ରମରକୁ ଯେପରି ଆୟାସ ପଡ଼େନାହିଁ, ହେମମଣିଙ୍କ ସହିତ ଆପଣାକୁ ପ୍ରୀତିର ଡୋରିରେ ଛନ୍ଦାଛନ୍ଦି କରିବାରେ ଘନଶ୍ୟାମଙ୍କୁ ସେହିପରି ବିଶେଷ ଚେଷ୍ଟା କରିବାକୁ ହେଲାନାହିଁ । ଯେତେ କ୍ଷୀଣ ହେଲେ ସୁଦ୍ଧା, ହେମମଣିଙ୍କ ସହିତ ପୂର୍ବରୁ ତାଙ୍କର ଗୋଟାଏ ବନ୍ଧନ ତ ରହିଥିଲା, ହେମମଣି ଅନ୍ୟ କୌଣସି ସମପ୍ରକୃତିର ବନ୍ଧନର ଆକର୍ଷଣ ପ୍ରାଣରେ ଅନୁଭବ କରି ନଥିବାରୁ ସେହି ବନ୍ଧନରେ ଆବଦ୍ଧ ହୋଇ ରହୁଥିଲେ, ସୁତରାଂ ତାହା କ୍ରମେ କ୍ରମେ ଦୃଢ଼ ହୋଇ ଆସୁଥିଲା; ତା’ପରେ ପୁଣି ଦୁହେଁ ଦାମ୍ପତ୍ୟ ଡୋରିରେ ବନ୍ଧା ହେଲେ । ଜୀବନର ଦୁଇଗୋଟି ସମମୁଖୀ ଡୋରି ମିଶି ଗୋଟିଏ ବଡ଼ ରଜ୍ଜୁରେ ପରିଣତ ହେଲା । ହେମମଣି ଅତି ଶୀଘ୍ର ରତ୍ନମଣିଙ୍କ ଅପେକ୍ଷା ଘନଶ୍ୟାମଙ୍କର ପ୍ରିୟ ହୋଇ ପଡ଼ିଲେ । କେହି କାହାକୁ ଛାଡ଼ି ମୁହୂର୍ତ୍ତେ ରହିପାରିଲେ ନାହିଁ । ଲୋକେ କହିଲେ, ‘‘ବିଧାତା ପୁରୁଷ, ନିଜ ପ୍ରଜାପତି ପାଞ୍ଜିରେ ହେମମଣି ବଦଳରେ ରତ୍ନମଣି ପଢ଼ି ଯେ ଭୁଲ କରିଥିଲା, ଏବେ ନିଜେ ତାହା ପୁଣି ସଂଶୋଧନ କରିଛି; ଘନଶ୍ୟାମଙ୍କ ସହିତ ତାଙ୍କ ଲାଗି ନିର୍ଦ୍ଦିଷ୍ଟ ହୋଇଥିବା ପାତ୍ରୀ ଜୁଟାଇଛି ।’’
ମାତ୍ର ଲୋକଙ୍କର ଏ ନିଷ୍ପତ୍ତି ଶୀଘ୍ର ଅମୂଳକ ବୋଲି ପ୍ରମାଣିତ ହେଲା । ହେମମଣିଙ୍କ ସହିତ ଘନଶ୍ୟାମଙ୍କର ପ୍ରେମର ଡୋରି ଘଷା ମଜାରେ ପାକଳ ଓ ଚିକ୍କଣ ହେବା ପୂର୍ବରୁ, ସ୍ନେହ-ବନ୍ଧନ ସତେଅବା ତାଙ୍କୁ ସହେ ନାହିଁ, ସେହି ଭାବରେ, ହେମମଣିଙ୍କ ଗର୍ଭରୁ ଜାତ ଗୋଟିଏ ଦେଢ଼ ବର୍ଷର ପିଲା ନରସିଂହକୁ ମା’ କୋଳରେ ଛାଡ଼ି, ଘନଶ୍ୟାମ ଇହଧାମରୁ ଚାଲିଗଲେ । ହେମମଣି ପ୍ରାୟ ଚାରିବର୍ଷ ସାନ ବଡ଼ ଦୁଇଟି ପିଲା ଧରି ସ୍ୱାମୀଙ୍କର ସାମାନ୍ୟ ଭୂସମ୍ପତ୍ତିରେ କୌଣସି ପ୍ରକାରେ, କଷ୍ଟେମଷ୍ଟେ ଚଳିବାକୁ ଲାଗିଲେ । ଘନଶ୍ୟାମଙ୍କର ନିତ୍ୟ ରୋଜଗାର ଧନ ଆଉ ନ ଆସିବାରୁ, ପିଲା ଦିଓଟିଙ୍କ ଦୁଧ ତେଲ ହଳଦିରେ ମଧ୍ୟ ମଝିରେ ମଝିରେ ଅଭାବ ଘଟୁଥାଏ-। ତଥାପି ହେମମଣି ପୈତୃକ ସ୍ୱଭାବସୁଲଭ ବିଚକ୍ଷଣତା ଯୋଗେ ପିଲାମାନଙ୍କୁ ସକଳ ପ୍ରକାର ଅନାବଶ୍ୟକ ଦୁଃଖ କଷ୍ଟ ଓ ଅଭାବବୋଧରୁ ରକ୍ଷା କରି ଚଳନ୍ତି ।
ହେମମଣି ମନ ମଧ୍ୟରେ ଦୁଃଖିଶ୍ୟାମ ବା ନରସିଂହ କାହାକୁ ଅଧିକ ସ୍ନେହ କରନ୍ତି, ତାହା ଠିକ୍ କହି ହେବନାହିଁ; କିନ୍ତୁ ସେ ଯେ ନରସିଂହ ଅପେକ୍ଷା ଦୁଃଖିଶ୍ୟାମକୁ ଖାଇବା ପିନ୍ଧିବା ଆଦି ବିଷୟରେ ଟିକିଏ ଅଧିକ ଆଦର ଦେଖାନ୍ତି, ଏ କଥାରେ ସନ୍ଦେହ ନାହିଁ । ଯୋଡ଼ିଏ ଆମ୍ବ ଆଣିଲେ, ବଡ଼ଟି ଦୁଃଖିଶ୍ୟାମକୁ ଦେଇ, ସାନଟି ନରସିଂହକୁ ଦିଅନ୍ତି; ଦୁଇ ଖଣ୍ଡି ଲୁଗା ମଧ୍ୟରୁ ଭଲଟି ଦୁଃଖିଶ୍ୟାମ ପିନ୍ଧେ; ଭଳିଆ ଖଣ୍ଡକ ନରସିଂହ ଭାଗରେ ପଡ଼େ । ଏହିପରି ଦୁଃଖୀ ପରିବାରର ଦୈନନ୍ଦିନ ଜୀବନରେ ପ୍ରାୟ ପ୍ରତ୍ୟେକ ବିଷୟରେ ଦୁଃଖିଶ୍ୟାମ ହେମମଣିଙ୍କଠାରୁ ନରସିଂହ ଅପେକ୍ଷା ଏତେ ଭଲ ବ୍ୟବହାର ଓ ହେପାଜତ ପାଏ ଯେ, ଦେଖିଲେ ଲୋକେ ମନେକରନ୍ତି, ଦୁଃଖିଶ୍ୟାମ ଯେପରି ତାଙ୍କ ନିଜ ଜନ୍ମ କଲା ଏବଂ ନରସିଂହ ସଉତୁଣୀର ପୁଅ ।
ଦୁଃଖିଶ୍ୟାମ ପରି ସେ ଯେ ମାଆଙ୍କଠାରୁ ଆଦର ଓ ଭଲ ବ୍ୟବହାର ପାଉନାହିଁ, ତାହା ବୁଝିବାକୁ ନରସିଂହକୁ କେତେକ ସମୟ ଲାଗିଗଲା । ପଡ଼ୋଶୀ ଲୋକେ ତାକୁ ଏ ବିଷୟରେ ସାହାଯ୍ୟ କରି ନଥିଲେ, ଏହି ସମୟର ଦୀର୍ଘତା ହୁଏତ ଆହୁରି ବଢ଼ିଥାନ୍ତା । ଏକେ ନରସିଂହର ବୟସ ବଢ଼ିବା ସଙ୍ଗେ ବୁଦ୍ଧି ମଧ୍ୟ ବଢ଼ିଲା । ସେ ନିଜ ପର ଭେଦ ଜାଣିପାରିଲା । ତା’ପରେ ତା’ କାନରେ କିଏ କେତେ ପ୍ରକାର କହିଲେ । ଫଳରେ ଦୁଃଖିଶ୍ୟାମ ଭଲ ଖାଇଲେ, ଭଲ ପିନ୍ଧିଲେ, କ୍ରମେ ନରସିଂହର ଈର୍ଷା ହେବାକୁ ଲାଗିଲା । ମା’ କାହିଁକି ଏପରି କରୁଛନ୍ତି; ସେ ପ୍ରଥମେ କିଛି ବୁଝିପାରିଲା ନାହିଁ; କିନ୍ତୁ ସେ ପରେ ବୁଝି ଠିକ୍ କଲା ଯେ, ତା’ ପ୍ରତି ମାଆଙ୍କର ଅନାଦରର କାରଣ ଏକମାତ୍ର ଦୁଃଖିଶ୍ୟାମ; ସୁତରାଂ ତା’ ପ୍ରତି ଗୁପ୍ତ ଈର୍ଷାରୁ କ୍ରମଶଃ ପ୍ରକାଶ୍ୟ ବିଦ୍ୱେଷ ଜନ୍ମିଲା; ସେ ବିଦ୍ୱେଷ ପୁଣି କାଳକ୍ରମେ ପ୍ରଥମେ କଳହ, ବାକ୍ୟ-ଯୁଦ୍ଧ ଏବଂ ପରେ ସାମୟିକ ମରାମରିର ଆକାର ଧାରଣା କଲା । ଅନେକ ଦିନ ଦୁଇ ଭାଇ ଦାଣ୍ଡରୁ ମାରପିଟ କରି, ହାତଗୋଡ଼ ଛିଣ୍ଡାଇ ଘରକୁ ଫେରନ୍ତି । ପ୍ରଥମେ ପ୍ରଥମେ ଦୁଃଖିଶ୍ୟାମ ନରସିଂହର ଗାଳି ପରାଭବ ନୀରବଭାବରେ ସହି ନେଉଥିଲା, ମାତ୍ର ପରେ ନରସିଂହର ଆକ୍ରମଣ ଯେତେବେଳେ ତା’ର ସହିଷ୍ଣୁତାର ସୀମା ଅତିକ୍ରମ କଲା, ସେତେବେଳେ ସେ ସେଥିରେ ବାଧା ଦେଇ ଆତ୍ମରକ୍ଷା କରିବାକୁ ବସିଲା । ଦୁଃଖିଶ୍ୟାମ ବୟସରେ ବଡ଼ ହୋଇଥିବାରୁ ଇଚ୍ଛା କଲେ, ନରସିଂହକୁ ସହଜରେ ମାରି ହଟାଇପାରନ୍ତା; ମାତ୍ର ନିଜ ବିଜୟ ଲାଳସା ନରସିଂହଠାରେ ଚରିତାର୍ଥ କରିବା ତା’ ପ୍ରତି ଗୌରବର ବିଷୟ ବୋଲି ସେ ମନେ କରୁ ନଥିଲା । ସୁତରାଂ ସେ ମନେମନେ କହେ, ‘‘ମାରୁ ସେଥିରେ କ’ଣ ମୋର ଦେହ ସରିଯିବ ? ମୁଁ ହାତ ଉଠାଇବା ଭଲ ହେବନାହିଁ ।’’ ଦୁଃଖିଶ୍ୟାମ ନିଜେ ଅବଶ୍ୟ କେବେ ହାତ ଉଠାଇ ନରସିଂହକୁ ମାରେନାହିଁ । ନରସିଂହ ତାକୁ ମାରିବା ଚେଷ୍ଟାରେ ନିଜେ ବେଳେବେଳେ ଆଘାତ ପାଏ ମାତ୍ର । ଆହୁରି ମଧ୍ୟ ‘‘ଭାଇ ମୋତେ ମାଇଲା’’ ବୋଲି ଲୋକଙ୍କ ଆଗରେ କହିବାକୁ ସେ ସୁବିଧା ଖୋଜୁଥାଏ ।
ଦୁଇ ଭାଇଙ୍କ ମଧ୍ୟରେ ମନୋମାଳିନ୍ୟ ମେଣ୍ଟାଇବା ହେମମଣିଙ୍କର ଗୋଟାଏ କଠିନ କର୍ତ୍ତବ୍ୟ ହୋଇ ପଡ଼ିଲା । ଉଭୟଙ୍କ ପ୍ରତି ସମାନ ବ୍ୟବହାର ଦେଖାଇଲେ ହୁଏତ ଏବଂ ନରସିଂହକୁ ଦୁଃଖିଶ୍ୟାମ ଅପେକ୍ଷା ବେଶି ହେପାଜତ କଲେ ନିଶ୍ଚୟ, ସେ ମନୋମାଳିନ୍ୟ, ବର୍ଷାଦିନର ନିଆଁ ଗଦା ପରି, ଆପେଆପେ ନିଭିଯାନ୍ତା; ମାତ୍ର ତାହା ହେମମଣିଙ୍କ ପକ୍ଷେ ସମ୍ଭବପର ନୁହେଁ । ନରସିଂହ ତାଙ୍କର ନିଜ ପେଟର ପୁଅ । ପ୍ରାକୃତିକ ସମ୍ପର୍କରେ ତାଙ୍କ ହୃଦୟରେ ତା’ପାଇଁ ଗୋଟିଏ ସ୍ଥାନ ନିର୍ଦ୍ଦିଷ୍ଟ ରହିଛି । ସେ ମଧ୍ୟ ସେହି ସ୍ଥାନଟି ବଳପୂର୍ବକ ଅଧିକାର କରିପାରେ; କିନ୍ତୁ ଦୁଃଖିଶ୍ୟାମ ପର ପିଲା । ତା’ପାଇଁ ପ୍ରକୃତି ତାଙ୍କ ଅନ୍ତର ମଧ୍ୟରେ ବିନ୍ଦୁ ମାତ୍ର ଶୂନ୍ୟ ରଖି ନାହିଁ ଯେ ସେ ଟାଣି ହୋଇ ଆସି ସେଠାରେ ଛପି ରହିଯିବ, କୌଣସି ବାଧାବିଘ୍ନ ମାନିବ ନାହିଁ । ସୁତରାଂ ତା’ପାଇଁ ସର୍ବଦା ତାଙ୍କ ହୃଦୟର ଦ୍ୱାର ଫିଟାଇ ରଖିବା ଦରକାର, ସ୍ନେହ ଆଦର ଅକାତର ଭାବରେ ଢାଳିବା ପ୍ରୟୋଜନ । ନୋହିଲେ ସେ ଫେରି ଯାଇପାରେ । ଫଳରେ ହେମମଣି ନରସିଂହ ଅପେକ୍ଷା ଦୁଃଖିଶ୍ୟାମକୁ, ଏହି ନୀତିର ଅନୁସରଣରେ, ବରାବର ଅଧିକ ଆଦର ଦେଖାଉଥିଲେ । ତା’ପରେ ପୁଣି ତାଙ୍କର ସେହି ପକ୍ଷପାତ ବ୍ୟବହାର ଯୋଗେ ଦୁଃଖିଶ୍ୟାମ ନରସିଂହର ହିଂସା ବିଦ୍ୱେଷର ପାତ୍ର ହୋଇ ପଡ଼ିବାରୁ, ତାହା କ୍ଷତିପୂରଣ କରିବା ଅଭିପ୍ରାୟରେ ସେ ଦୁଃଖିଶ୍ୟାମକୁ ହୃଦୟରେ ପୂର୍ବ ଅପେକ୍ଷା କ୍ରମଶଃ ବେଶି ସ୍ନେହ କରିବାକୁ ଆରମ୍ଭ କଲେ ।
ଏହିପରି କିଛିଦିନ ଚାଲିଗଲା । ଦୁଃଖିଶ୍ୟାମ ଏକେ କାନକୁହା ଶୁଣିବାର ପିଲା ନୁହେଁ; ତା’ପରେ ପୁଣି ତା’ କାନରେ କହିବାର ଉପଯୁକ୍ତ ବିଷୟ ତା’ ସପକ୍ଷରେ ବିଶେଷ କିଛି ନଥିଲା । ଅନ୍ତତଃ ନରସିଂହ ତୁଳନାରେ ତା’ର ଯେ ତାହା କିଛି ନଥିଲା, ସେଥିରେ ସନ୍ଦେହ ନାହିଁ । ନରସିଂହର ସେ ବିପୁଳ ସମ୍ପଦ କ୍ରମେ ତା’ର ହୃଦୟର ବଳ ବଢ଼ାଇବାକୁ ଏବଂ ଚିନ୍ତାର ମାର୍ଗ ବଦଳାଇବାକୁ ଲାଗିଲା । ଫଳରେ ଦିନେ ନରସିଂହ ଅନେକ ଭାବି ଭାବି ଠିକ୍ କଲା–‘‘ଠିକ୍ କଥା, ଦୁଃଖିଶ୍ୟାମର କି ଦୋଷ ? ଗୋଟାଏ ବିଲରେ ଯଦି ଭଲ ପାଣି ବର୍ଷେ, ତେବେ ଦୋଷ ତ ସେ ବିଲର ନୁହେଁ, ଦୋଷ ମେଘର ।’’ ନରସିଂହର ଈର୍ଷା ଓ ବିଦ୍ୱେଷ କ୍ରମେ ବିରାଗ ଓ ଶତ୍ରୁତାରେ ପରିଣତ ହେଲା; ଦୁଃଖିଶ୍ୟାମକୁ ଛାଡ଼ି ସେ ହେମମଣିଙ୍କି ଧଇଲା । ତାଙ୍କୁ ପ୍ରଥମେ କେବେ ଗାଳି ଓ ତା’ପରେ କେବେ ମାଡ଼ ଦେବାକୁ ସେ ଆରମ୍ଭ କଲା, ସେ ଦିନ ତା’ର ଅବଶ୍ୟ ମନେ ନାହିଁ; କିନ୍ତୁ ତା’ର ଫଳରେ ସେ ଜୀବନର ଏକ ନୂତନ ସୋପାନରେ ପ୍ରବେଶ କଲା । ସେ ସୋପାନରୁ ସେ ତା’ର ମାତୃକୁଳର କେତେ ପୁରୁଷ ଉପରେ ପାଦ ଥୋଇବାକୁ କ୍ଷମ ହେଲା । ସେ କିଛି ପିଲା ନୁହେଁ ଯେ ତାକୁ କିଏ ଶାସନ କରିବ, ସଦ୍ବୁଦ୍ଧି ଦେବ, ସୁପରାମର୍ଶଦ୍ୱାରା କୁପଥରୁ ଫେରାଇ ଆଣିବ । ସେ ଆଜି ବାଇଶ ବର୍ଷ ବୟସର ବର୍ଦ୍ଧିଷ୍ଣୁ, ଦର୍ପୋନ୍ମତ୍ତ ଭେଣ୍ଡା ।
ନରସିଂହର ଦୁର୍ବ୍ୟବହାରରେ ହେମମଣି ଓ ଦୁଃଖିଶ୍ୟାମଙ୍କ ମଧ୍ୟରେ ସ୍ନେହ ବନ୍ଧନ କ୍ରମେ ଦୃଢ଼ତର ହୋଇଉଠିଲା । ବାଧାପ୍ରାପ୍ତ ନଦୀ ସ୍ରୋତ ସେହି ବାଧା ଚୂର୍ଣ୍ଣ କରିବାକୁ କ୍ରମେ ଯେପରି ଅଧିକ ଅଧିକ ବଳଶାଳୀ ହୋଇପଡ଼େ, ହେମମଣି ସେହିପରି ନିଜ ପୁଅଠାରୁ ବାରମ୍ୱାର ଗାଳି ମାଡ଼ ଖାଇ ହୃଦୟର ସ୍ନେହ ଧାରା ଦୁଃଖିଶ୍ୟାମ ଉପରେ ଢାଳିବାରେ ଲାଗିଲେ । ଦୁଃଖିଶ୍ୟାମ କେତେଥର ତାଙ୍କୁ କହିଲା, କେତେ ବୁଝାଇଲା, କେତେ ଅନୁନୟ ବିନୟ କରି ତାକୁ ଦୂର କରିବାକୁ ଅନୁରୋଧ କଲା, ମାତ୍ର କାହିଁରେ କିଛି ଫଳ ହେଲା ନାହିଁ । ସେ ସବୁର ଉତ୍ତରରେ କେବଳ ଶୁଣିଲା, ‘‘ପିଲାଟା କ’ଣ ବୁଝୁଛି ମ ? ତୁ ତ ମଧ୍ୟ ମୋ କୋଳର ନିଧି । ବିଧାତା ତାକୁ ଦେବା ଆଗରୁ ତୋତେ ଆଣି ମୋ ହାତରେ ସମ୍ପିଥିଲା । ତୁ ପଳାଇଲେ, ମୁଁ ବଞ୍ଚିବି କିପରି ଆଉ ପୁଣି, ଅପାର ପ୍ରେତଆତ୍ମା ମୋତେ କହିବ କ’ଣ ? ସେ କଥା କହି ହେବନାହିଁ । ପେଟର ପିଲାଟା ମତେ ଦି’ଟା ମାରି ଦେଉଛି ଯେ ସେଥିରେ ପୁଣି ମୋ ଦେହ ଭାଜି ଯାଉଛି । କି ବାୟା ହେଲୁରେ ପୁଅ !’’ ହେମମଣିଙ୍କ କଷ୍ଟ ଦେଖି ଦୁଃଖିଶ୍ୟାମର ଦୁଃଖ ଯେତେବେଳେ ଶିଖରେ ଚଢ଼େ, ସେ ଖସି ପଳାଇ ଅନନ୍ତ ପବନରେ ଭାସିଯିବାକୁ ଭାବେ, ମାତ୍ର ପର ମୁହୂର୍ତ୍ତରେ ଭାଜି ପୁଣି ସେହିଠାରେ ତଳେ ପଡ଼େ । ଫଳରେ ପ୍ରତିକାରର ଉପାୟ ତାକୁ ଦିଶେ ନାହିଁ ।
ଏହିପରି ଭାବରେ କେତେଦିନ ଗଲା ପରେ, ଦିନେ ଦୁଃଖିଶ୍ୟାମ ଘରୁ ପଳାଇଗଲା । ଜାଣିଲେ ହେମମଣି ଛାଡ଼ନ୍ତେ ନାହିଁ, ସେଥିପାଇଁ ତାଙ୍କ ସହିତ ନିଜର ଗାଢ଼ ଦୃଢ଼ୀଭୂତ ବନ୍ଧନ, ଦୁଇଆଡ଼ୁ ଦୁଇ ଜଣଯାକ ଛିଣ୍ଡାଇବା ଅପେକ୍ଷା, ସେ ନିଜେ ଦୁଇଗୁଣ ବଳ ପ୍ରୟୋଗରେ କାଟିଦେଇ ଚାଲିଗଲା । ସେ ଯେ ଜୀବନରେ ଅକେନ୍ଦ୍ରଗାମୀ ଗତିରେ ସଂସାରର କେଉଁ ଅଜ୍ଞାତ ବିଜନ ପ୍ରାନ୍ତକୁ ଚାଲିଗଲା, ହେମମଣି ଠଉରାଇ ପାରିଲେ ନାହିଁ । କେବଳ ଘର ଭିତରର ଓ ନିଜ ହୃଦୟ ମଧ୍ୟର ଶୂନ୍ୟସ୍ଥାନ ଦେଖି ଝୁରିବାକୁ ଲାଗିଲେ । ଦୁଃଖିଶ୍ୟାମ ଚାଲିଯିବା ପରେ, ମାଆଙ୍କ ସ୍ନେହର ସ୍ରୋତ ଏକ ମୁଖରେ ତା’ ନିଜ ଆଡ଼କୁ ବହିବ ବୋଲି ନରସିଂହ ଯେ ଆଶା କରିଥିଲା, ସେ ଆଶା ଅମୂଳକ ବୋଲି ତାକୁ ଜଣାପଡ଼ିବାରେ ବିଳମ୍ବ ଘଟିଲା ନାହିଁ । ଫଳରେ ତାଙ୍କ ଉପରେ ତା’ର ଅତ୍ୟାଚାର ନ କମି, ବଢ଼ିବାକୁ ଲାଗିଲା । ସେ ଅତ୍ୟାଚାର ଓ ହେମମଣିଙ୍କ ଜୀବନ ମଧ୍ୟରେ ଦୁଃଖିଶ୍ୟାମ ଯେ ବ୍ୟବଧାନ ହୋଇ ରହିଥିଲା, ସେ ଚାଲିଯିବାରୁ ହେମମଣିଙ୍କି ଅତ୍ୟାଚାର ପୂର୍ଣ୍ଣମାତ୍ରାରେ ସହିବାକୁ ପଡ଼ିଲା ।
ଦୁଃଖିଶ୍ୟାମ ହେମମଣିଙ୍କ ସହିତ ବନ୍ଧନ କାଟି ଦେଇ ଚାଲିଯାଇଥିଲା ଅବଶ୍ୟ; କିନ୍ତୁ ସେ ବନ୍ଧନ ସେ ଏକାବେଳକେ କାଟି ପାରି ନଥିଲା । ଗଛର ଡାଳରୁ ଖଣ୍ଡେ କାଟି ପକାଇଲେ, ପ୍ରକୃତିର ନୈସର୍ଗିକ ଆରୋଗ୍ୟ କ୍ରିୟାରେ ତାହା ଯେପରି ସମୟରେ ପୁଣି ପୂରିଯାଏ, କେତେଦିନ ପରେ ସେହିପରି ଉଭୟଙ୍କର ସ୍ନେହ ଡୋରି ପୁନରାୟ ବାନ୍ଧିହୋଇ ଆସିଲା । ପୃଥିବୀରେ ଇଟା ପଥର ଆଦି କେତେଗୁଡ଼ାଏ ପଦାର୍ଥ ଅଛି, ଯାହା ଗୋଟା ଅପେକ୍ଷା ଭାଙ୍ଗି ଯୋଡ଼ିଲେ, ଅଧିକ ଟାଣ ହୁଏ । ସ୍ନେହ ବନ୍ଧନ ମଧ୍ୟ ସେହି ଶ୍ରେଣୀର ଅନ୍ତର୍ଗତ । ଦୁଃଖିଶ୍ୟାମ କାଟି ଦେଇଯାଇଥିବା ବନ୍ଧନ ଯୋଡ଼ି ହୋଇ ପୂର୍ବଠାରୁ ଅଧିକ ଶକ୍ତ ହୋଇ ପଡ଼ିଲା । ସେଥିରେ ଟାଣି ହୋଇ ସେ ଦିନେ ହଠାତ୍ ଆସି ହେମମଣି ପାଖରେ ପହଞ୍ଚି, କହିଲା, ‘‘ମା, ନମସ୍କାର ।’’ ହେମମଣି କଥା କହି ପାରିଲେନାହିଁ; ନେତ୍ରର ଜଳରେ ତା’ର ଅଭ୍ୟର୍ଥନା କଲେ ମାତ୍ର । କେତେଦିନ ଭିତରେ ସେ ଦୁର୍ବଳ ହୋଇ ପଡ଼ିଛନ୍ତି, ଆଖିକି ସେତେ ଦିଶୁନାହିଁ, କାନକୁ ଭଲ ଶୁଭୁନାହିଁ । ଦୁଃଖିଶ୍ୟାମ କାନ୍ଦି ଉଠିଲା; ହେମମଣି ତୁନି କରିବାକୁ ଯାଇ ଧୈର୍ଯ୍ୟର ବନ୍ଧ ସମ୍ଭାଳି ପାରିଲେ ନାହିଁ । ସେ ମଧ୍ୟ ପାଟିକରି କାନ୍ଦିବାରେ ଲାଗିଲା । ଦୁଃଖିଶ୍ୟାମ ବୁଝିଲା ଯେ ତା’ର ଘର ଛାଡ଼ି ଚାଲିଯିବା ଗୋଟାଏ ମସ୍ତ ଭୁଲ ହୋଇଛି । ତା’ ବିନା ହେମମଣିଙ୍କ ଜୀବନ ଯେ ଶୁଷ୍କ, ନୀରସ, ଯାତନାମୟ ହେବ, ତାହା ଜାଣିବାରେ ତା’ର ଆଉ ବାକି ରହିଲା ନାହିଁ ।
ହେମମଣିଙ୍କର ସହିବା ଶକ୍ତି କମିବା ସଙ୍ଗେ ସଙ୍ଗେ ନରସିଂହର ଦୁର୍ବ୍ୟବହାର କ୍ରମେ ବଢ଼ିବାକୁ ଲାଗିଲା । ଫଳରେ ଦୁଃଖିଶ୍ୟାମକୁ ମରଣାନ୍ତକ ଦୁଃଖରେ ରହିବାକୁ ପଡ଼ିଲା । ତା’ର ଦୁଃଖ ନିଜ ପାଇଁ ତିଳେମାତ୍ର ନୁହେଁ । ହେମମଣିଙ୍କ ପ୍ରତି ନରସିଂହର ଭଲ ବ୍ୟବହାର ଦେଖିଲେ ସେ ନିଶ୍ଚିନ୍ତ ହୁଅନ୍ତା; ମାତ୍ର ତାହାହିଁ ସମ୍ଭବ ଦିଶୁନାହିଁ । ସେ ହେମମଣିଙ୍କି ଧରି ଅନ୍ୟ କେଉଁଆଡ଼େ ଚାଲିଯିବାର କଳ୍ପନା କଲା; କିନ୍ତୁ ହେମମଣି କହିଲେ, ‘‘ପୁଅ ଘରଟା ଛାଡ଼ିଯିବା କି ଭଲ ଦିଶିବ ? ମାଟି କାମୁଡ଼ି ପଡ଼ିଥାଏଁ, ଯେତେ ଦିନ ଜୀଇଛି ।’’
ଘର ଛାଡ଼ି ଯିବା ଭଲ ନ ଦିଶିଲେ ମଧ୍ୟ କେତେଦିନ ପରେ ହେମମଣି ଓ ଦୁଃଖିଶ୍ୟାମ ଦୁହିଁଙ୍କୁ ତାହାହିଁ କରିବାକୁ ପଡ଼ିଲା । କାରଣ ନରସିଂହ ଉଭୟଙ୍କୁ ଘରୁ ମାରି ବାହାର କରିଦେଲା । ଘରୁ ବାହାରି ଯାଇ ସେମାନେ କେଉଁଠାରେ ଆଶ୍ରୟ ନେବେ ବୋଲି ଯେ ନରସିଂହ ଭାବିଥିଲା, ତାହା ସେ ଜାଣେ; ମାତ୍ର ଦୁହେଁ ଯେତେବେଳେ ଯାଇ ହେମମଣିଙ୍କ ଭାଇଙ୍କ ଘରେ ରହିଲେ, ନରସିଂହ କେତେଦିନ ପରେ ଯାଇ ସେଠାରେ ପହଞ୍ଚିଲା । ତା’ର ବହୁଦିନର ଅଭ୍ୟାସ ମେଣ୍ଟାଇବାର ସୁବିଧା, ସେ ନିଜ ପୈତୃକ ଘରେ ଏକା ରହି, ପାଇପାରିଲାନାହିଁ । ପୁଣି ଦୁଃଖିଶ୍ୟାମ ମାଆଙ୍କ ପାଖେ ରହି ତାଙ୍କର ସ୍ନେହ, ମମତା, ଆଦର ଯେ ଏକା ଉପଭୋଗ କରୁଛି, ତାହା ଭାବି ତା’ର ହୃଦୟ ଚିରି ହୋଇଗଲା । ସୁତରାଂ, ନୂଆଗାଁରେ ପ୍ରତିଦିନ ଯେ କାଣ୍ଡ ଘଟୁଥିଲା, ମଠପୁରରେ ମଧ୍ୟ ସେହି କାଣ୍ଡର ଅଭିନୟ ହେବାକୁ ଲାଗିଲା । ମାମୁ, ମାଈଁ ନରସିଂହକୁ କେତେ ବୁଝାଇଲେ, ସେ ନିଷ୍ଠୁର ଆଚରଣ ଛାଡ଼ିବାକୁ କେତେ ଅନୁରୋଧ କଲେ, କାହିଁରେ କିଛି ଫଳ ହେଲାନାହିଁ ।
ଦୁଃଖିଶ୍ୟାମ ବୁଝିଥିଲା ଯେ ତାଙ୍କର ନୂଆଗାଁର ସେ ହତଭାଗ୍ୟ ପରିବାରର ତ୍ରିଭୁଜ ମଧ୍ୟରୁ ସେ ନିଜେ ବିଲୟ ପାଇଲେ, ହେମମଣିଙ୍କ କୋଣଟିକୁ ମଧ୍ୟ ଲୋପ ପାଇବାକୁ ହେବ । ତାହା ସାଧାରଣ ଭାବରେ ଲୋପ ପାଇବାରେ ହୁଏତ ତା’ର ସେତେ ଆପତ୍ତି ହୁଅନ୍ତା ନାହିଁ; କିନ୍ତୁ ତାଙ୍କ ଅନ୍ତେ ହେମମଣିଙ୍କର ଯେ କି ଅବସ୍ଥା ହେବ, ସେ ତାହା କଳ୍ପନାରେ ସ୍ପଷ୍ଟ ବୁଝିଥିଲା । ଏପରିକି, ତାଙ୍କର ଦୁର୍ଗତିର ଚିତ୍ର ସେ ଗୋଟି ଗୋଟି କରି ନିଜ ଆଖି ଆଗରେ ଦେଖୁଥିଲା । ପୃଥିବୀରୁ ନରସିଂହର ସତ୍ତା ଲୁଚିଗଲେ, ହେମମଣି ଦୁଃଖିତ ହୋଇପାରନ୍ତି, କିନ୍ତୁ ଖଣ୍ଡ ଖଣ୍ଡ ହୋଇ ସଢ଼ି ଯେ ମରିବେ ନାହିଁ, ତା’ର ସେ ଧାରଣା ହୋଇଥିଲା । ସେ କେତେଥର ଇଚ୍ଛା କରେ, ନରସିଂହର ସତ୍ତା ସେ ଏକାବେଳକେ ଲୋପ କରିଦେବ, ତାକୁ ନିଜ ହାତରେ ପ୍ରାଣରେ ମାରିଦେବ; କିନ୍ତୁ ପର ମୁହୂର୍ତ୍ତରେ ଭାବେ ‘‘ମୋର ତା’ ପ୍ରାଣ ଉପରେ କି ଅଧିକାର ଅଛି । ମୁଁ ତ ତାକୁ ସ୍ନେହ କରୁନାହିଁ ଯେ, ସେ ମରିଗଲେ ତା’ର ସ୍ମୃତିରେ ନିଜ ଜୀବନ ଉତ୍ସର୍ଗ କରିବି, ନିଜେ ଜୀବନ୍ମୃତ ଅବସ୍ଥାରେ ପଡ଼ି କାଳ କଟାଇବି । ତାକୁ ମାରିବାରେ ମୋର ଲାଭ ଅଛି, ତ୍ୟାଗ କିଛି ନାହିଁ । ଏ କାର୍ଯ୍ୟ ନିତାନ୍ତ ଅସଂଗତ ଏବଂ ହୁଏତ ନୀତିଶାସ୍ତ୍ରର ଅନୁମୋଦିତ ନୁହେଁ । ମୁଁ ଚାହେଁ, ମାଆଙ୍କୁ ଦୁଃଖ ନିର୍ଯାତନାରୁ ରକ୍ଷା କରିବାକୁ । ତା’ର କ’ଣ ଏକମାତ୍ର ଉପାୟ ନରସିଂହଙ୍କୁ ମାରିଦେବା ? ହେଲେ ମଧ୍ୟ, ମୁଁ ତାକୁ ମାରିବି କି ନ୍ୟାଯ୍ୟ ଦାବିରେ ?’’
କିଛିଦିନ ଚାଲିଗଲା । ଦୁଃଖିଶ୍ୟାମ କ୍ରମେ କ୍ରମେ ଅଧିକ ଅଧୀର ଓ ଚିନ୍ତାମଗ୍ନ ହୋଇପଡ଼ିଲା । ସେ ପାଗଳଙ୍କ ପରି କେତେବେଳେ କ’ଣ କରିବାକୁ ଲାଗିଲା । ମୁହୂର୍ତ୍ତ ବିଶେଷରେ ତାକୁ ଦେଖିଲେ, କାହାରି କାହାରି ଭୟ ମଧ୍ୟ ହେଲା । ସେ ସମୟ ସମୟରେ ଏକା ବସି ଭାବେ; ‘ମା’ ତ ମୋର, ଆଉ ମୁଁ ମାଆଙ୍କର । ତାଙ୍କ ଜୀବନ ଉପରେ ମୋର ଯେତେ ଦାବି ଅଛି, ସେଥିରୁ ଅଧେ କି ଚଉଠେ ଯେବେ ଏ ନରସିଂହ ଉପରେ ଥାଆନ୍ତା, ତାହାହେଲେ କ’ଣ ମା’ ଏତେ ଦୁଃଖ ଭୋଗନ୍ତେ ? ମୁଁ ଥାଉଁ ଥାଉଁ ସେ ପୁଣି କଷ୍ଟରେ ସଢ଼ନ୍ତେ !’’ ଦୁଃଖିଶ୍ୟାମ କେତେବେଳେ କ’ଣ ଭାବେ, କେତେବେଳେ କ’ଣ କରେ, କେତେବେଳେ କ’ଣ କହେ, ତାହା କେହି ବୁଝିପାରନ୍ତି ନାହିଁ; ଏପରିକି ନିଜେ ହେମମଣି ମଧ୍ୟ ପାରନ୍ତି ନାହିଁ, କିନ୍ତୁ ସେ ନିଜେ ତା’ ମନର କଥା ବେଶ୍ ବୁଝେ । ତା’ର ତୁଣ୍ଡର କଥା ଓ ହାତର କାର୍ଯ୍ୟର ଅନ୍ତରାଳରେ ଯେ ଚିନ୍ତାର କି ଗୋଟାଏ ପ୍ରବଳ ଝଞ୍ଜା ସ୍ରୋତ ଚାଲିଛି, ସେ ତାହା ବରାବର ଅନୁଭବ କରୁଛି । ସେଥିରେ କେତେବେଳେ ଉଡ଼ି ଭାସିଯାଉଛି, କେତେବେଳେ ଅବା ଜଳୁଛି; କିନ୍ତୁ ତା’ ମଧ୍ୟରୁ ଚାଲିଯାଇ ଅନ୍ୟତ୍ର ମୁଣ୍ଡ ଗୁଞ୍ଜିବାକୁ ସ୍ଥାନ ପାଉନାହିଁ । ମା’ ବଞ୍ଚିଥିବା ପର୍ଯ୍ୟନ୍ତ, ଆଜୀବନ ଯେ କୋଳର ପୁତ୍ର ନରସିଂହଠାରୁ ଦୁଃଖକଷ୍ଟ ନିର୍ଯାତନା ପାଇବେ, ସେଥିରେ ଆଉ ସନ୍ଦେହ ନାହିଁ । ତାହା ବନ୍ଦ କରିବାର ଉପାୟ ସେ ମନେମନେ ଠିକ୍ କରିଛି । ସେ ଉପାୟ କାର୍ଯ୍ୟରେ ପରିଣତ ହେଲେ ତେଣିକି ଦୁଃଖକଷ୍ଟ ତ ସେ ଏକା ପାଇବ, ମା’ ସଂସାର ଜ୍ୱାଳାରୁ ମୁକ୍ତ ହୋଇ ନିତ୍ୟ ସୁଖ ଅନୁଭବ କରିବେ ।
ଦିନେ ହେମମଣି ବସିଛନ୍ତି । ତାଙ୍କର ଦୁଇ ଆଖିରେ ବର୍ଷାକାଳର ମେଘ ପରି ଲୁହ ଢଳଢ଼ଳ ହେଉଅଛି । ଦୁଃଖିଶ୍ୟାମ ବସି ନ ପାରି, ତାଙ୍କ କୋଳରେ ମୁଣ୍ଡ ରଖି ଟିକିଏ ଶୋଇ ପଡ଼ିଛି-। ଆଖିରୁ ଲୁହ ବୋହିଗଲେ ତା’ ମୁଣ୍ଡରେ ପଡ଼ିବ ଏବଂ ସେ ଉଠି ପୁଣି କହିବ, ‘‘ମା’, ତୁମେ କାନ୍ଦନାହିଁ,’’ ନିଜେ ମଧ୍ୟ କାନ୍ଦି ପାଗଳ ହେବ–ଏସବୁ ବିଚାରି ହେମମଣି ଆଖିର ଲୁହ ଆଖିରେ ମାରିବାକୁ ଚେଷ୍ଟା କରୁଛନ୍ତି, ଅଥଚ କ୍ଷମ ହେଉ ନାହାନ୍ତି । ହୃଦୟର ଜ୍ୱାଳା ଯନ୍ତ୍ରଣା ନିଭାଇବାକୁ ପ୍ରକୃତି ଯେ ଆଖିରେ ପାଣିର ଗୋଟିଏ ଭଣ୍ଡାର ସଞ୍ଚିରଖିଛି, ତାହା ଉପରେ କାହାର ହାତ ଅଛି-? ହଠାତ୍ ଟପ ଟପ ହୋଇ ଦୁଃଖିଶ୍ୟାମ ଗାଲରେ କେତେ ଟୋପା ସଞ୍ଚିତ ଲୁହ ଏକାବେଳକେ ପଡ଼ିଗଲା । ଉଠି ସତେ ଦୁଃଖିଶ୍ୟାମ କହିଲା, ‘‘କାନ୍ଦନାହିଁ, ମା’ ।’’ ଦୁଃଖିଶ୍ୟାମ ଯେପରି ହେମମଣିଙ୍କ ଅଶ୍ରୁନଦୀର ପ୍ରତିବନ୍ଧକ ହୋଇଥିଲା, ସେ ଜାଣିଯିବାରୁ ହେମମଣି ପାଟିକରି କାନ୍ଦିବାକୁ ଲାଗିଲେ । ଦୁଃଖିଶ୍ୟାମ ମଧ୍ୟ କାନ୍ଦିଲା ।
ସେ ଦିନ ଅନେକ ସମୟ ପରେ ଦୁଃଖିଶ୍ୟାମ ହେମମଣିଙ୍କି ନାନା କଥା ପଚାରି ଶେଷରେ ଶୁଣିଲା, ‘‘ମୁଁ ମଲେ ସିନା ଏକା ଏଥିରୁ ରକ୍ଷା ପାଇବିରେ ବାପା, ନୋହିଲେ କ’ଣ ମୋ ଦୁଃଖର ଅନ୍ତ ଅଛି ? ତୁ ମିଛରେ ମୋ ସଙ୍ଗେ ଘାଣ୍ଟି ହେଉଛୁ ।’’ ତା’ପରେ ଦୁଃଖିଶ୍ୟାମର ପ୍ରାଣ ଅନେକ ପରିମାଣରେ ହାଲୁକା ବୋଧହେଲା । ସେ ଯେଉଁ ବାଟେ ଚାଲି ହେମମଣିଙ୍କ ଦୁଃଖ ଦୂର କରିବ ବୋଲି ଭାବୁଥିଲା, ସେ ବାଟ ବେଶ୍ ପ୍ରଶସ୍ତ ଦିଶିଲା । ତା’ର ସାହସ ମଧ୍ୟ ବଢ଼ିଲା । ସୁତରାଂ, ସେ ହେମମଣିଙ୍କି କହିପାରିଲା, ‘‘ମା’, ତୁମେ ଯେ କହୁଥିଲ, ମଲେ ଏକା ଏଥିରୁ ମୁକ୍ତି ପାଇବ, ମୁଁ ଦେଖୁଛି ତାହାହିଁ ଠିକ୍ ।’’ ହେମମଣି ଶୁଣି ସେଥିରେ ହଁ ଭରିଲେ । ତହିଁ ଦୁଃଖିଶ୍ୟାମ କହିଲା, ‘‘ଆଚ୍ଛା, ମୁଁ ତା’ର ଉପାୟ କରିବି ।’’ ହେମମଣି ସେଥିରୁ ତା’ର ମନରେ ଦୁଃଖ କଷ୍ଟର ସୀମା ହୃଦୟଙ୍ଗମ କରିପାରିଲେ । ଭାବିଲେ, ‘‘ଏ ତ ମୋ ଦୁଃଖରେ ପାଗଳ ହୋଇଯାଉଛି । କେତେବେଳେ କ’ଣ କହୁଛି । ବଞ୍ଚି ରହି, ସଂସାରରେ ଘରଦ୍ୱାର କରିବାକୁ ଇଚ୍ଛା କରି, ସେ ଯେ ଏ କଥା କହିଲେ, ତା’ ନୁହେଁ । ତାଙ୍କର ପ୍ରାଣରେ ଲୋଭ ନଥିଲା । ତେବେ ସେ ମରିଗଲେ, ଦୁଃଖିଶ୍ୟାମ ଯେ ଛେଉଣ୍ଡ ହେବ, ସଂସାର-ସମୁଦ୍ର ମଧ୍ୟରେ ଏକା ପଡ଼ି ଭାସିବ, ସେଥିରେ ଅପାଙ୍କ ଅନ୍ତିମ ମୁହୂର୍ତ୍ତର କଥାଟି ବିଫଳ ହେବ, ଏହାହିଁ ତାଙ୍କର ଭାବନା । କେବଳ ସେତିକି ନୁହେଁ, ବିଧାତା ମାତୃ ହୃଦୟରେ ଏପରି ଏକ ଭାବ ଦେଇଛି, ଯାହା ଆକ୍ରମଣ କରିବା ସନ୍ତାନର ଶତ ନିଷ୍ଠୁରତା, ସହସ୍ର ଦୁର୍ବ୍ୟବହାର ସତ୍ତ୍ୱେ ଲୋପ ପାଇବା ସମ୍ଭବପର ନୁହେଁ । ସେଥିପାଇଁ ହେମମଣି ବେଳେବେଳେ ଭାବନ୍ତି, ‘‘ଆହା, ନରସିଂହ ଦୁଃଖ ବିପଦରେ ପଡ଼ି, ଆଉ କାହାକୁ ମା’ ବୋଲି ଡାକିବ ?’’
କେତେଦିନ ଚାଲିଗଲା, ଦୁଃଖିଶ୍ୟାମ ସଂସାର ସହିତ ନିଜର ଯାବତୀୟ ବନ୍ଧନ ନିଜ ହାତରେ ଗୋଟି ଗୋଟି ଛିଣ୍ଡାଇ, ସମୁଦ୍ର ବକ୍ଷର ବନ୍ଧନହୀନ ଭାସନ୍ତା କାଠଖଣ୍ଡ ପରି ଦୋଳାୟମାନ ହେବାକୁ ଲାଗିଲା । କେତେଥର ଆଗ ପଛ ହେଲା । ମନର ପ୍ରତିଜ୍ଞା ମୁଖର ବାକ୍ୟଦ୍ୱାରା ଦୃଢ଼ୀଭୂତ କରିବା ଅଭିପ୍ରାୟରେ ଶେଷରେ କହିଲା, ‘‘ନା, କର୍ତ୍ତବ୍ୟ ତ ସ୍ଥିର କରିଛି । ଏହି ଖଣ୍ଡାରେ ପ୍ରଥମେ ତାଙ୍କର ମୁଣ୍ଡ, ତା’ପରେ ତାଙ୍କର ଘାତକ ଏହି ପିଶାଚର ମୁଣ୍ଡ ।’’ ଏହା କହି ନିଜର ଛାତିକି ଆଙ୍ଗୁଠିରେ ଦେଖାଇଲା ।
ଦିନେ ହେମମଣି ଟିକିଏ ନିଦରେ ଶୋଇପଡ଼ି, ସଂସାରର ଦୁଃଖ ବେଦନା କ୍ଷଣକ ନିମନ୍ତେ ଭୁଲିଯାଇଥିଲେ । ଦୁଃଖିଶ୍ୟାମ ଦୁଇଥର ତାଙ୍କ ପାଖକୁ ଗଲା, ଦୁଇଥରଯାକ ଫେରିଆସିଲା । କହିଲା, ‘‘ଓଃ, କି ଦୁର୍ବଳ ମୁଁ !’’–କହି ସାରି କିଛିକ୍ଷଣ କ’ଣ ଭାବିଲା । ପୁଣି ଆଉଥରେ ଯାଇ, ହେମମଣିଙ୍କ ପାଦତଳେ ଗୋଟିଏ ମୁଣ୍ଡିଆ ମାଇଲା । ତାଙ୍କ ପାଦର ଧୂଳି ନେଇ ମୁଣ୍ଡରେ ଲଗାଇଲା । ତଥାପି ପାରିଲା ନାହିଁ, ଫେରିଆସିଲା । ପୁଣି ଯାଇ ଦେଖିଲା ତାଙ୍କ ପିଠିରେ ନରସିଂହ ମାରିବାର ଚିହ୍ନ ରହିଛି । ତହୁଁ କହିଲା, ‘‘ନା, ଆଉ କେତେ ଦିନ ଏ ଯାତନା ? ମୁଁ ଦୁର୍ବଳତା ଦେଖାଉଛି । ଭଗବାନ୍ ମୋତେ ବଳ ଦିଅ, ହୃଦୟରେ ସାହସ ଢାଳ । ନା, ଏ ଦୃଶ୍ୟ ଆଉ ଦେଖିପାରିବି ନାହିଁ’’–କହି ସେ ଖଣ୍ଡାରେ ଆଘାତ କଲା । ଅଜ୍ଞାତ ଭାବରେ ହାତ କୋହଳ ହୋଇଗଲା । ହେମମଣି ମୁଣ୍ଡ ସମ୍ପୂର୍ଣ୍ଣ ଛିଣ୍ଡିଲା ନାହିଁ । ତହିଁରୁ ଶବ୍ଦ ବାହାରିଲା, ‘ଆହା, ମୋ ନରସିଂହ ।’’ ଦୁଃଖିଶ୍ୟାମ ଦେଖିଲାବେଳକୁ ସବୁ ସରିଗଲାଣି, ତା’ ହାତରେ ଆଉ ବଳ ନାହିଁ, ମନର ପ୍ରତିଜ୍ଞା ନାହିଁ, ସତେ ଯେପରି ସେ ଏକ ପଥରର ମୂର୍ତ୍ତି ।
ଲୋକ ଜମା ହୋଇଗଲେ । ଦୁଃଖିଶ୍ୟାମକୁ ଛି ଛି କଲେ, ଗାଳି ଦେଲେ, ନରହନ୍ତା, ମାତୃହନ୍ତା ବୋଲି ନିନ୍ଦା କରିବାକୁ ଲାଗିଲେ । ଅନେକ ସମୟ ପରେ ସଂଜ୍ଞା ଲାଭ କରି ଦୁଃଖିଶ୍ୟାମ ଦେଖିଲା ତା’ ଜୀବନ ଉପରେ ଆଉ ତା’ର ଅଧିକାର ନାହିଁ, ଅଛି ଲୋକଙ୍କ ଘୃଣାରେ ଦେଶର ପ୍ରଚଳିତ ଆଇନର ଏବଂ ହୁଏତ ଶେଷରେ ଭାଇ ନରସିଂହର ପ୍ରତିହିଂସାର । ଜଗତର କେନ୍ଦ୍ରୀଭୂତ ପାପବିନ୍ଦୁ ପରି ଦୁଃଖିଶ୍ୟାମ ଆଉ ସାରା ସଂସାର ମଧ୍ୟରେ ସ୍ଥାନ ପାଇଲା ନାହିଁ । କେବଳ ନରସିଂହ ଦେଖିଲା ଯେ ତା’ର ଦୀନତାର କାରଣ ମା’ ଚାଲିଯାଇଛି । ଦେଖି, ଯେପରି ସେ ଆଶ୍ୱସ୍ତ ହେଲା, ବହୁବର୍ଷ ପରେ ଦୁଃଖିଶ୍ୟାମକୁ ପ୍ରଥମେ କଥା କହି, କହିଲା, ‘‘ଭାଇ, ତୁମେ କ’ଣ ମୋ ମନର କଥା ଜାଣିପାରିଥିଲ ? କଲ, ବେଶ୍ କଲ ।’’
ଦୁଃଖିଶ୍ୟାମ ସ୍ଥିର କଲା ଯେ ସେ ନିଜେ ନ ମରି ବଞ୍ଚି ରହିବ । ନରସିଂହର ସେବା କରିବ, ସମାଜର ଘୃଣା ଲାଞ୍ଛନା ସହିବ ଓ ନିଜ ପାପ ଲାଗି ଯଥାସମୟରେ ରାଜଦଣ୍ଡ ଭୋଗିବ । ହେମମଣିଙ୍କ ମରିବା ପରେ ନିଜ ରକ୍ତ ପ୍ରତି ତା’ ପ୍ରାଣରେ ଯେ ପ୍ରବଳ ପିପାସା ଜନ୍ମିଥିଲା, ତାକୁ ସେ ଏହି ଉପାୟରେ ଶାନ୍ତ କରିବାକୁ ସ୍ଥିର କଲା । କହିଲା, ‘‘ନା, ମରି ତ ଆଉ ଲାଭ ନାହିଁ । ମୃତ୍ୟୁ ଅପେକ୍ଷା ଜୀବନ୍ମୃତ ହୋଇ ରହିବା ଅଧିକ ଦଣ୍ଡ ।’’ ଏଥିରେ ତା’ କ୍ଷୁବ୍ଧ ପ୍ରାଣରେ କେତେକ ପରିମାଣରେ ଶାନ୍ତି ମିଳିଲା ମଧ୍ୟ ।
ସମ୍ବନ୍ଧିତ ରଚନା
ପାଣୁ ମିଶ୍ରେ
ଗୋଦାବରୀଶ ମିଶ୍ର
ଭାଇ ଭାଗ
ଗୋଦାବରୀଶ ମିଶ୍ର
ବଡ଼ପୁଅ
ଗୋଦାବରୀଶ ମିଶ୍ର
ତୋଳା କନ୍ୟା
ଗୋଦାବରୀଶ ମିଶ୍ର