କପାଳ ଲିଖନ କେ କରିବ ଆନ
୧୮୯୮–୧୯୬୫
- ପଢ଼ିବା ସମୟ
- ୮ ମିନିଟ୍
- ଶବ୍ଦ
- ୧୩୪୮
- ସ୍ଥିତି
- ସାର୍ବଜନୀନ (Public domain)
ଗୋଟିଏ ଭାରି ଦୁଃଖୀ ଲୋକ ଥାଏ ଯେ, ଏକ ଦିନକର ତାର ଗୋଟିଏ ପୁଅ ଜନ୍ମ ହେଲା । ପିଲାଟି ଭଲ ରାଶି ନକ୍ଷତ୍ରରେ ଜନ୍ମ ହେଲା, ଜ୍ୟୋତିଷ ହାତ ଦେଖି କହିଲା ଯେ, ଚଉଦ ବରଷ ବଇସ ହେଲେ ସିଏ ରଜାଝିଅକୁ ବିଭା ହବ । ଇମିତି କେତେ ଦିନ ଗଲା । ଦିନକର କଣ ହେଇଚି ନା, ରଜା ଲୁଚି କରି ସେଇ ଗାଆଁକୁ ଆସିଚନ୍ତି ଦେଖିବାକୁ; ଗାଆଁର ହାଲ ଚାଲ କଣ ବୋଲି ପଚାରିଲାରୁ ସମସ୍ତେ କହିଲେ, ‘‘ଆମ ଗାଆଁର ଗୋଟିଏ ପିଲା ଜନ୍ମ ହେଇଚି ଯେ, ଜ୍ୟୋତିଷ ହାତ ଦେଖି କହିଚି, ଚଉଦ ବରଷ ବଇସ ହେଲେ ସେ ପିଲାଟି ରଜାଙ୍କ ଝିଅକୁ ବିଭା ହବ ।’’ ରଜା ଏ କଥା ଶୁଣି ସେ ପିଲା ଓପରେ ମନେ ମନେ ଭାରି ଖପା ହେଲେ, ଆଉ ତା ବାପାକୁ ଯାଇ କହିଲେ, ‘‘ତମ ପୁଅଟିକି ଆମକୁ ଦିଅ ।’’ ବାପା ଭାରି ଅମଙ୍ଗ ହେଲାରୁ ରଜା କେତେ ଟଙ୍କା, ସୁନା ଯାଚିଲେ । ସିଏ ତ ବଡ଼ ଦୁଃଖୀ, ତିନିଦିନରେ ଓଳିଏ ଚୁଲି ଜଳେ ନାଇଁ, ଟଙ୍କା ସୁନା ଦେଖି ତାର ସିଥେରେ ଭାରି ଲୋଭ ବଳିଲା । ପଛକୁ ପୁଅଟିକି ଦେଇ ପକେଇବାକୁ ହଁ କଲା-।
ରଜା ପିଲାଟିକି ନେଇ ଗୋଟିଏ ସିନ୍ଦୁକରେ ପୂରେଇ ନଈରେ ଭସେଇ ଦେଲେ । ମନେ ମନେ ଭାରି ଆନନ୍ଦ ହୋଇ କହିଲେ, ‘‘ଟୋକା, ମୋ ଜେମାର ହାତ ଆଉ ଧରିବୁ ?’’ ଏଣେ କଣ ହୋଇଚି ନା, ସିନ୍ଦୁକଟି ଭାସି ଭାସି ଯାଇ ଠାଏ କୂଳରେ ଲାଗିଲା । ସିଠି ଗଉଡ଼ ଗାଈ ଚରଉଥିଲା । ସିନ୍ଦୁକଟିକି ଦେଖି ଆସି ଫିଟେଇଲା । ଦେଖେ ତ ଦିବ୍ୟସୁନ୍ଦର ପିଲାଟିଏ ଶୋଇଚି । ତାର ତ ପୁଅ ଝିଅ କେହି ନ ଥିଲେ, ପିଲାଟିକି ନେଇ ପୁଅପରି ପାଳିଲା ।
ତେର ବର୍ଷ ବିତିଗଲା । ଦିନକର ରଜା ବୁଲି ବୁଲି ଆସି ସେଇ ଗଉଡ଼ ଘରେ ପହଞ୍ଚି ଦେଖନ୍ତି ଯେ, ତାର କେଡ଼େ ସୁନ୍ଦର ପୁଅଟିଏ, ସତେ ଅବା ଗୋଟିଏ ଚାଉଳରେ ଗଢ଼ା । ସେଉଟି କା ପୁଅ ବୋଲି ପଚାରିଲାରୁ ଗଉଡ଼ କହିଲା, ‘‘ମଣିମା, ଆଜିକି ତେର ବରଷ ତଳେ ମୁଁ ଏ ପିଲାଟିକି ନଈରୁ ପାଇଥିଲି । ସିନ୍ଦୁକଟିକ ଭିତରେ ଭାସି ଭାସି ଆସୁଥିଲା । ଦୁଃଖୀକି ତ ଦଇବ ସାହା; ଫିଟେଇ ଦେଖେ ତ ଦିବ୍ୟସୁନ୍ଦର ପିଲାଟିଏ ।’’ ରଜା ତ ଚତୁର ଲୋକ । ଏ କଥା ଶୁଣିଲା ମାତ୍ରକେ ଜାଣିଲେ ଯେ, ଇଏ ସେଇ ପିଲା । କହିଲେ, ‘‘ଦେଖ, ତୋ ପୁଅକୁ ଆମେ ରାଣୀଙ୍କ ପାଖକୁ ଖଣ୍ଡେ ଚିଟୋଉ ଦେଇ ପଠେଇବା ।’’ ଗଉଡ଼ ତ ଏତେ ଛନ୍ଦ କପଟ ନ ଜାଣେ, ହଁ କରିଦେଲା । ରଜା ଖଣ୍ଡିଏ ଭାଷା ଲେଖି ପକେଇଲେ । ସିଥେରେ ଲେଖିଲେ, ‘‘ଏ ପିଲା ପହଞ୍ଚିଲାକ୍ଷିଣି ୟାକୁ ହାଣି ପକେଇବ ।’’
ପିଲାଟି ଭାଷା ଖଣ୍ଡିକ ଧରିକରି ଯାଉଥାଏ, ଖଣ୍ଡେ ଦୂର ଯାଇଚି, ବାଟବଣା ହେଲା ଯେ, ଯେତେ ଖୋଜିଲା ଆଉ ବାଟ ପାଇଲା ନାଇଁ । ସଞ୍ଜ ବେଳକୁ ବନସ୍ତ ଭିତରେ ଗୋଟିଏ କୁଡ଼ିଆ ଘର ଦୁଆରେ ଆସି ପହଞ୍ଚିଲା । ବୁଢ଼ୀଟିଏ ଦୁଆର ଜଗି ବସିଥିଲା । କହିଲା, ‘‘କିରେ ପୁଅ, ତୁ ଇଠୁକୁ କାଇଁ ଅଇଲୁ ? ଇଏ ତ ଚୋରଙ୍କ ବସାଘର । ଅଇଲେ ତତେ ଆଉ ପ୍ରାଣରେ ରଖିବେଟିକି ?’’ ପିଳାଟି ତ ଦିନଯାକ ବୁଲି ବୁଲି ହାଲିଆ ହୋଇଥିଲା, କହିଲା, ‘‘ଯାହା କରିବେ କରନ୍ତୁ, ମୁଁ ଏଇଠି ଶୋଇଲି ।’’ ୟା କହି ଭାଷା ଖଣ୍ଡିକ ଚାଳରେ ଖୋସି ଦେଇ ଶୋଇ ପଡ଼ିଲା ।
ଘଡ଼ିଏ ଗଲାରୁ ଚୋରଯାକ ଆସି ପହଞ୍ଚିଲେ । ଦେଖିଲେ, ଦିବ୍ୟସୁନ୍ଦର ପିଲାଟିଏ ଶୋଇଚି ! ଜଣେ ଚାଳ ଦରାଣ୍ଡୁ ଦରାଣ୍ଡୁ ଭାଷାଖଣ୍ଡକ ତା ହାତରେ ପଡ଼ିଲା । ସିଏ ଫିଟେଇ କରି ପଢ଼େତ ଇମିତି ଇମିତି ଲେଖା ହେଇଚି । ଚୋର ଜାତି ତ ଭାରି ଖଣ୍ଟିଆ । କଲା କଣ ନା, ସେ ଭାଷା ଖଣ୍ଡକ ଚିରି ପକେଇଲା । ଆଉ ଖଣ୍ଡେ ଭାଷା ଲେଖିଲା ଯେ ସିଥେରେ ଲେଖିଲା, ‘‘ଇ ପିଲା ଗଲା ମାତ୍ରେ ୟାକୁ ଜେମାକୁ ଆମର ବିଭା କରେଇ ଦବ ।’’ ଲେଖି ସାରି ଭାଷା ଖଣ୍ଡକ ପୁଣି ସେଇଠି ଚାଳରେ ଖୋସି ଦେଇ ତା ମନ୍ତେ ସିଏ ଶୋଇଲା । ଆରଦିନ ସକାଳୁ ପିଲା ଭାଷା ଧରି ଯାଇ ନଅରରେ ରାଣୀଙ୍କ ପାଖରେ ପହଞ୍ଚିଲା । ରାଣୀ ଭାଷା ପଢ଼ି ପିଲା ହାତକୁ ଆପଣା ଜେମାକୁ ଟେକି ଦେଲେ । ପିଲାଟି ତ ସାକ୍ଷାତ ରଜାପୁଅ । ଜେମା ଏମନ୍ତ ସୁନ୍ଦର ବର ପାଇ ଭାରି ଆନନ୍ଦରେ ରହିଲା ।
କେତେ ଦିନ ଉତ୍ତାରୁ ରଜା ଆସି ପହଞ୍ଚି ଦେଖନ୍ତି ଯେ, ଇମିତି ଇମିତି କାଣ୍ଡ । ବିଚାରିଲେ, କପାଳରେ ବିଧାତା ଯାହା ଲେଖିଥାଏ ସେ କଥା ନିଶ୍ଚେ ହୁଏ । ହେଲେ, ତାଙ୍କ ମନୁଟି ମାନୁଚି କେତେକେ ? ଟୋକାକୁ ଡାକି କହିଲେ, ‘‘ ସମୁଦ୍ର ଆରପଟେ ପର୍ବତ, ପର୍ବତ ଭିତରେ ଖୋଲ, ଖୋଲ ଭିତରେ ଅଛି ଏକ ଅସୁର ଯେ, ତା ମୁଣ୍ଡରେ ତିନୋଟି ସୁନା ବାଳ । ଯିଏ ସେ ବାଳ ତିନୋଟି ଆଣିମ, ସିଏ ଏକା ଆମ ଜେମାକୁ ବିଭା ହବ ।’’ ଟୋକା ଇ କଥା ଶୁଣି ଅସୁରଠୁ ସୁନା ବାଳ ଆଣିମାକୁ ଯିବାକୁ ହଁ କଲା ।
ସମ୍ବନ୍ଧିତ ରଚନା
ପାଣୁ ମିଶ୍ରେ
ଗୋଦାବରୀଶ ମିଶ୍ର
ଭାଇ ଭାଗ
ଗୋଦାବରୀଶ ମିଶ୍ର