ଧୃତରାଷ୍ଟ୍ର, ପାଣ୍ଡୁ ଓ ବିଦୁର ଜନ୍ମହେଲେ
୧୮୯୮–୧୯୬୫
- ସଂକଳନ: ଟିକି ମହାଭାରତ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୯୯
- ସ୍ଥିତି
- ସାର୍ବଜନୀନ (Public domain)
ସତ୍ୟବତୀଙ୍କର ଯୋଡ଼ିଏ ପୁଅ ହେଲା ପରେ ଶାନ୍ତନୁ ମରି ଗଲେ । ମାତ୍ର ଏ ପୁଅ ଯୋଡ଼ିକ ବେଶୀ ଦିନ ଜିଇଁଲେ ନାହିଁ । ବଡ଼ ପୁଅ ଚିତ୍ରାଙ୍ଗଦ ଏକ ରଜା ସାଙ୍ଗେ ଯୁଦ୍ଧ କରି ମଲେ । ସେ ମଲାରୁ ତାଙ୍କ ସାନ ଭାଇ ବିଚିତ୍ରବୀର୍ଯ୍ୟ ଗାଦିରେ ବସିଲେ । କାଶୀ ରଜାଙ୍କ ଦୁଇଟି ଝିଅ ଅମ୍ବିକା ଓ ଅମ୍ବାଳିକାଙ୍କୁ ଭୀଷ୍ମ ଜବରଦସ୍ତିରେ ବିଭା-ସଭାରୁ ଘେନି ଆଣି ବିଚିତ୍ରବୀର୍ଯ୍ୟଙ୍କୁ ବିଭା କରାଇ ଦେଲେ । ମାତ୍ର ଦୈବ ଦୁର୍ଯୋଗକୁ ତାଙ୍କର ମଧ୍ୟ କିଛି ପୁଅ ଝିଅ ନ ହେଉଣୁ ସେ ମରିଗଲେ-। ସମସ୍ତେ ବିଚାରିଲେ, କୁରୁକୁଳ ବୁଡ଼ିଯିବ । କାହିଁକି ନା, ଗାଦିରେ ବସିବାକୁ ଆଉ କିଏ ପୁଅ ରହିଲେ ନାହିଁ । ଯେ ରହିଲେ ଭୀଷ୍ମ, ସେ ତ ରଜା ହେବେ ନାହିଁକି ବିଭା ହେବେ ନାହିଁ । ଏଥିକି ମା’ ସତ୍ୟବତୀଙ୍କର ଭାଳେଣି ପଡ଼ିଲା ।
ସତ୍ୟବତୀ ଶାନ୍ତନୁଙ୍କୁ ବିଭା ହେବା ଆଗରୁ ତାଙ୍କର ଗୋଟିଏ ପୁଅ ହୋଇଥିଲା । ଥରେ ପରାଶର ବୋଲି ଜଣେ ବଡ଼ ଋଷି ଗଙ୍ଗା ନଈ ପାରି ହେଲାବେଳେ ନାଆରେ ସତ୍ୟବତୀଙ୍କି ଦେଖିଲେ । ତାଙ୍କ ଆଶୀର୍ବାଦରୁ ସତ୍ୟବତୀଙ୍କର ଗୋଟିଏ ପୁଅ ହେଲା । ସେଇ ପୁଅଟିର ନାଁ ବ୍ୟାସଦେବ । ବାପଙ୍କ ପରି ବ୍ୟାସ ଜଣେ ବଡ଼ ଋଷି ହେଲେ ।
କୁରୁକୁଳ ରଖିବା ପାଇଁ ମା’ ସତ୍ୟବତୀ ବ୍ୟାସଙ୍କୁ ସ୍ମରଣ କଲେ । ଋଷିମାନେ ତ ପରର ମନ କଥା ଜାଣି ପାରନ୍ତି । ମା’ ଡାକିବାର ଜାଣିପାରି ସେ ଆସି ହସ୍ତିନାରେ ପହଞ୍ଚିଲେ । ମାଆଙ୍କ ବୋଲରେ ସେ ଅମ୍ବିକା, ଅମ୍ବାଳିକା ଆଉ ତାଙ୍କର ଗୋଟିଏ ଦାସୀକି ଆଶୀର୍ବାଦ ଓ ଅନୁଗ୍ରହ କଲେ-। ଅମ୍ବିକାଙ୍କର ଧୃତରାଷ୍ଟ୍ର, ଅମ୍ବାଳିକାଙ୍କର ପାଣ୍ଡୁ ଏବଂ ଦାସୀର ବିଦୁର ବୋଲି ଏହିପରି ତିନୋଟି ପୁଅ ହେଲେ । ଧୃତରାଷ୍ଟ୍ର ଜନ୍ମରୁ ଅନ୍ଧ ଥିଲେ ।
ସମ୍ବନ୍ଧିତ ରଚନା
ପାଣୁ ମିଶ୍ରେ
ଗୋଦାବରୀଶ ମିଶ୍ର
ଭାଇ ଭାଗ
ଗୋଦାବରୀଶ ମିଶ୍ର