ବାର ଭଉଣୀ
୧୮୯୮–୧୯୬୫
- ପଢ଼ିବା ସମୟ
- ୧୧ ମିନିଟ୍
- ଶବ୍ଦ
- ୧୭୫୫
- ସ୍ଥିତି
- ସାର୍ବଜନୀନ (Public domain)
ଏକ ରାଇଜରେ ଏକ ରଜା ଥାଆନ୍ତି । ସେ ରଜାଙ୍କର ବାର ଝିଅ । ରଜା ଝିଅମାନଙ୍କୁ ଭାରି ସୁଖ ପାଉଥାନ୍ତି; ଯିଏ ଯେତେବେଳେ ଯାହା କହନ୍ତି ତା ଆଣି ଦିଅନ୍ତି । ସେ ବାରଭଉଣୀଯାକ ରୂପରେ ସମସରି, କେହି କାହାକୁ ଊଣା ନୁହନ୍ତି, ସତେ ଯିମିତି କି ଗୋଟିଏ ଚାଉଳରେ ଗଢ଼ା । ତାଙ୍କ ସୁନ୍ଦରପଣରେ ରାଇଜ ଆଲୁଅ ହୋଇ ଯାଉଥେ । ସମସ୍ତଙ୍କର ଏକାପରି ପାଟ ପତନି, ଏକାପରି ଅଳଙ୍କାର ପତ୍ର । କିଏ କାହାକୁ ଦଣ୍ଡେ ଛାଡ଼ି ଚଳି ପାରନ୍ତି ନାଇଁ । ସଭିଏଁ ଏକାଠି ବସନ୍ତି, ଏକାଠି ଗାଧେଇ ଯାନ୍ତି, ଏକା ବେଳକେ ଖାଆନ୍ତି; ଏକା ଘରକେ ଶୁଅନ୍ତି । ଘରେ ବାର ଭଉଣୀଙ୍କ ପାଇଁ ବାରୋଟି ପଲଙ୍କ । ପଲଙ୍କଗୁଡ଼ିକ ଏକାପରି ସମତୁଲ । ଖୁରା ସୁନାରେ, ଫୁଲ ହୀରାରେ, କୁଟିକମ ମୋତି ମାଣିକରେ-କିଏ କାହାକୁ ଖୁଣି ଦବାକୁ ନାଇଁ ।
ଏ ବାରଭଉଣୀଯାଙ୍କୁ କି ଗୋଟିଏ ମନ୍ତର ଜଣା ଥାଏ-ଯିମିତି ରାତିରେ ନିଶା ଗରଜେ, ନଅର ବାଆର ନିଛାଟିଆ ହୋଇଯାଏ, ଭିତରଖଞ୍ଜାରେ ସୋର ଶବଦ ଶୁଘେ ନାଇଁ, ବାରଭଉଣୀଯାକ କଣ କରନ୍ତିକି, କ’ ରାଇଜକୁ ବୁଲି ବାହାରନ୍ତି । ସେମାନେ ତ ମନ୍ତର ଜାଣି ଥାଆନ୍ତି, ତାଙ୍କ ଯିବା ଆସିବା କେହି ଦେଖନ୍ତି ନାଇଁ । ଯାଆନ୍ତି ଯେ, ପାହାନ୍ତିଆ ପହରକୁ ଉଆସକୁ ଫେରି ଆସି, ଯିମିତି ଶୋଇବାର କଥା ସିମିତି ଶୋଇ ପଡ଼ନ୍ତି । ହେଲେ, ସକାଳୁ ଦେଖିଲା ବେଳକୁ ତାଙ୍କ ଲୁଗାପଟା ଖାଲି ମଅଳ ମେଳଛ ଦିଶୁଥେ, ରାତି ଅନିଦ୍ରା ହେଲା ପରି ଆଖି ନାଲି ଟହ ଟହ ହୋଇ ଫାଟି ପଡ଼ୁଥେ । ଦିନ ପହରକ ଯାଏ ସଭିଏଁ ଶୋଇ ଥାଆନ୍ତି ।
ଏ କଥା ଉଠି ଉଠି ରଜାଙ୍କ କାନକୁ ଗଲା । ରଜା ସତ ମିଛ ବୁଝିବାକୁ କେତେ ପହରା ଦିଆଇଲେ, ଜଗୁଆଳ ରଖାଇଲେ; ହେଲେ, କିଛି ଅନ୍ତ ପାଇଲେ ନାଇଁ । ସବୁ ଦିନ ସକାଳୁ ଆସି ଦେଖନ୍ତି, ଝିଅମାନଙ୍କର ଲୁଗା ମଳିଆ, ଆଖି ନାଲି ଟହ ଟହ, ବାର ଭଉଣୀଯାକ ଘୁମୋଉ ଥାନ୍ତି ।
ରଜା ସେଠୁ ରାଇଜଯାକ ଡ଼େଙ୍ଗୁରା ବଜାଇ କୁହାଇଲେ ‘‘ଯିଏ ଦେଖି ଆସି କହିପାରିବ ଯେ, ଜେମାମାନେ ରାତିରେ କୁ’ ରାଇଜକୁ ବୁଲି ଯାଉଚନ୍ତି, ସିଏ ସେମାନଙ୍କ ଭିତରୁ ଯାହାକୁ କହିବ ତାକୁ ବିଭା ହେବ, ଆଉ ମୋ ଅନ୍ତେ ଏ ରାଇଜର ରଜା ହେବ । ନାଇଁ, ଯିଏ କହି ପାରିବ ବୋଲି କହିବ, ମାତ୍ର ତିନିଦିନ ତିନିରାତି ଭିତରେ କହି ପାରିବ ନାଇଁ, ଶୂଳିଆ ପଦାରେ ତା ମୁଣ୍ଡକାଟ ହେବ ।
ପହିଲୁ ଏକ ରଜାପୁଅ ଆସିଲା । ତାକୁ ଭାରି ଆଦରରେ ଜେମାଙ୍କ ପାଖଘରେ ବସାଛଞ୍ଚା ଦିଆହେଲା । ଜେମାଙ୍କ ଘର ଆଉ ରଜାପୁଅ ଘର ମଝିରେ ଖାଲି କାନ୍ଥଟେ । ସେ ଘରେ ଖୁଡ଼ୁକିନି ହେଲେ ଏ ଘରକୁ ଶୁଘେ । ସଞ୍ଜ ବେଳକୁ ଜେମାମାନେ ଆସି ରଜାପୁଅକୁ ଭାରି ଆଦର ଦେଖେଇଲେ, କଥାବାର୍ତ୍ତା ହୋଇ ଗଲେ; ହେଲେ, ରଜାପୁଅର ମନ ଆଉ କାହିଁରେ ନ ଥାଏ । ସିଏ ମନେ ମନେ ଜାଗତିଆର ଥାଏ, ଯିମିତି କି ଜେମାମାନେ ଘରୁ କୁଆଡ଼େ ପାଦ ନ କାଢ଼ନ୍ତି । ଇମିତି ହୋଉ ହୋଉ ଅଧରାତି ବେଳକୁ ରଜାପୁଅକୁ ନିଦ ଲାଗି ଗଲା ଯେ, ସିଏ ଶୋଇ ପଡ଼ିଲା । ଉଠିଲା ବେଳକୁ ସକାଳ । ଦେଖିଳା, ଜେମାମାନେ କୁଆଡ଼ୁ ବୁଲି ବୁଲି ଆସି ହାଲିଆ ହେଇ ପଲଙ୍କମାନଙ୍କରେ ଶୋଇଚନ୍ତି । ତା ଆର ରାତି ସିମିତି ଜଗିଲା, ଶୋଇ ପଡ଼ିଲା । ଇମିତି ତିନିରାତି ଗଲା, କିଛି ହେଲେ କଥା ସେ ରାଜାଙ୍କୁ କହିପାରିଲା ନାଇଁ । ରଜା ତ ଆଗରୁ ହୁକୁମ କରିଚନ୍ତି, ନ କହି ପାରିଲେ ମୁଣ୍ଡ କାଟ ହବ, ଏ ନ କହ ପାରିଲାରୁ କଟୁଆଳ ଆସି ତାକୁ ଶୂଳିଆ ପଦାକୁ ନେଇଗଲା, ସେଠି ତା ମୁଣ୍ଡକାଟ ହେଲା । ଇମିତି କେତେ ରଜାପୁଅ ଆସିଲେ, କେତେ ମନ୍ତ୍ରି ପୁଅ ଆସିଲେ, କୁ’ ରାଇଜରୁ କେତେ ଶାଳୁଆ ଗଜାପରି ଭେଣ୍ଡାମାନ ଆସିଲେ-ସମସ୍ତେ ଆସି ରଜାଝିଅ ଲୋଭରେ, ରାଇଜ ଲୋଭରେ ଜାଗନ୍ତି ମାତ୍ରକ କେହିହେଲେ କିଛି ଉଣ୍ଡି ଜାଣିପାରନ୍ତି ନାଇଁ । ଶେଷକୁ ଶୂଳିଆ ପଦାରେ କୁଢ଼ କୁଢ଼ ହାଡ଼ ଗଦା ହୋଇଗଲା ।
ଏକ ଦିନକର ହେଇଚି କଣ, ସେଇ ରାଇଜ ବାଟେ ଏକ ପରଦେଶୀ ପାଇକ ତା ଘରକୁ ଯାଉଚି । ଲଢ଼େଇରେ ଖୁଣ ହେବାରୁ ସେ ଆଉ ଲଢ଼ି ପାରିଲା ନାଇଁ, ରଜା ତାକୁ କିଛି ପାଇଟି ପତ୍ର ନ ଦେଇ ତଡ଼ି ଦେଇଥିଲେ । ସିଏ ଯାଉ ଯାଉ ଏକ ବଣ ପାଖରେ ଗୋଟିଏ ବୁଢ଼ୀ ମାଈପିକୁ ଭେଟିଲା । ବୁଢ଼ୀଟି ୟାକୁ ଦେଖି ପଚାରିଲା, ‘‘କି ରେ ବାପ, କୁଆଡ଼େ ଯାଉଚୁ ?’’ ପାଇକ କହିଲା, ‘‘ଆଲୋ ମାଉସି, ଏ ପୋଡ଼ା କପାଳରେ ଆଉ କି ସୁଖ ଅଛି ଯେ କୁଆଡ଼େ ଯିବି ? ଯାଉ ଯାଉ ଯୁଆଡ଼େ ଯିବି । ଏତିକି, ଏ ରାଇଜ ରଜାଙ୍କ ଜେମାମାନେ ରାତିରେ କୁ’ଠାକୁ ବୁଲିବାକୁ ଯାଉଚନ୍ତି ଜାଣିବାକୁ ମୋର ଭାରି ମନ । ଯାଉଚି, ଯେବେ ଜାଣିପାରନ୍ତି, ତେବେ ରଜା ହୋଇ ପାରନ୍ତି ।’’
ସମ୍ବନ୍ଧିତ ରଚନା
ପାଣୁ ମିଶ୍ରେ
ଗୋଦାବରୀଶ ମିଶ୍ର
ଭାଇ ଭାଗ
ଗୋଦାବରୀଶ ମିଶ୍ର